Unknown

 

 

 

 

 

 

 

 

 

ଜିମ୍ କରବେଟ୍

ମନ୍ଦିରର ବାଘ

ଅନୁବାଦକ

ଡକ୍ଟର ପ୍ରଫୁଲ୍ଲ କୁମାର କର

 

 

 

 

 

 

 

 

 

 

ଦୁର୍ଯ୍ୟୋଗ

 

 

ମୋ ପିଲାମାନଙ୍କୁ…….

 

ଅନୁବାଦକର କଲମରୁ

 

ଜିମ୍ କରବେଟ୍‌ଙ୍କ ଚତୁର୍ଥ ପୁସ୍ତକ “Temple Tiger and More Man Eaters of Kumaon”ର ଓଡ଼ିଆ ଅନୁବାଦ ‘ମନ୍ଦିରର ବାଘ’ ପାଠକ ପାଠିକାଙ୍କ ସମ୍ମୁଖରେ ଉପସ୍ଥାପିତ କଲାବେଳେ ମହାମାନବ କରବେଟ୍‌ଙ୍କ ପ୍ରତି ଆନ୍ତରିକ ସମ୍ମାନ ଜ୍ଞାପନ କରିବାର ସୁଯୋଗ ଆଉ ଥରେ ନେଉଛି । ଏହି କ୍ରମରେ ଏଥିପୂର୍ବରୁ କରବେଟ୍‌ଙ୍କର ତିନୋଟି ପୁସ୍ତକ–‘ମୋର ଭାରତ’ (My India), ‘କୁମାୟୂଁର ନରଖାଦକ’ (Man-Eaters of Kumaon) ଏବଂ ‘ରୁଦ୍ରପ୍ରୟାଗର ନରଖାଦକ’ (The Man-Eaters Leopard of Rudraprayag) ପ୍ରକାଶ ପାଇସାରିଛି । ପୂର୍ବରୁ ପ୍ରକାଶିତ ହୋଇ ନ ଥିବା ଅତି ଅଲୌକିକ ଓ ରୋମାଞ୍ଚକର କେତେକ ଶିକାର ଅନୁଭୂତିକୁ ନେଇ ‘ମନ୍ଦିରର ବାଘ’ ବହିଟିର ସୃଷ୍ଟି ।

 

ମଣିଷଖିଆ ମହାବଳ ଚିତାବାଘଙ୍କ ବିରୁଦ୍ଧରେ କରବେଟ୍‌ଙ୍କ ଆଜୀବନ ଅଭିଯାନର କାହାଣୀମାନ ‘କୁମାୟୂଁର ନରଖାଦକ’ ବହିଟିରେ ପ୍ରଥମେ ପ୍ରକାଶ ପାଇଥିଲା । ଅସାଧାରଣ ଜଣେ ଶିକାରୀଙ୍କ ବାସ୍ତବ ଅନୁଭୂତି ଉପରେ ପ୍ରତିଷ୍ଠିତ ଏ ସବୁ କାହାଣୀ ପ୍ରକାଶ ପାଇବା ପରେ କେବଳ ଉତ୍କୃଷ୍ଟ ଶିକାରୀଭାବେ ନୁହେଁ–ଜଣେ ଉଚ୍ଚକୋଟୀର ସାହିତ୍ୟିକଭାବେ ମଧ୍ୟ କରବେଟ୍‌ ବିଶ୍ୱବିଖ୍ୟାତ ହୋଇଉଠିଥିଲେ । ଏହାପରେ ପ୍ରକାଶିତ ‘ରୁଦ୍ରପ୍ରୟାଗର ନରଖାଦକ’ ଥିଲା ଅତି ଅସାଧାରଣଭାବେ ଚତୁର ଓ ବଳବାନ୍ ଏକ ମଣିଷଖିଆ ଚିତାବାଘ ବିରୁଦ୍ଧରେ ଦୀର୍ଘକାଳ ବ୍ୟାପି ସଂଗ୍ରାମବହୁଳ ଅଭିଯାନର ଏକ ଲୋମହର୍ଷଣକାରୀ କାହାଣୀ । ବହିଟିରୁ ଶିକାରୀଭାବେ କରବେଟ୍‌ଙ୍କର ଅସାମାନ୍ୟ ସାହସ, ସଂକଳ୍ପ, ସାମର୍ଥ୍ୟ ଓ ଅସମ୍ଭବ ସହନଶୀଳତାର ପ୍ରଭୂତ ପରିଚୟ ମିଳେ । ‘ମୋର ଭାରତ’ ବହିଟିରେ ପ୍ରକାଶ ପାଇଛି ‌ସାଧାରଣ କେତେଜଣ ସରଳ ଗ୍ରାମବାସୀଙ୍କ ବିଷୟରେ କେତୋଟି ସଭ୍ୟ ଅନୁଭୂତିମୂଳକ କାହାଣୀ–ସମାଲୋଚକର ଦୃଷ୍ଟିକୋଣରୁ ନୁହେଁ–ଜଣେ ଅନ୍ତରଙ୍ଗ ବନ୍ଧୁର ଦରଦଭରା‌ ଭାଷାରେ । ବହିଟିକୁ ସେହିମାନଙ୍କୁ ଉତ୍ସର୍ଗ କରି କରବେଟ୍‌ ଲେଖିଛନ୍ତି, “...ଭାରତର ‘ବୁଭୁକ୍ଷୁ ଜନତା’ ବୋଲି ଆଖ୍ୟାତ ଏହି ଗରିବଙ୍କ ମେଳରେ ମୁଁ ବାସ କରୁଥିଲି ଓ ଅନ୍ତରର ସହିତ ସେମାନଙ୍କୁ ଭଲପାଉଥିଲି । ଏହି ପୃଷ୍ଠା କେତୋଟିରେ ମୁଁ କହିବାକୁ ଚାହେଁ ସେହିମାନଙ୍କ କାହାଣୀ....”

 

କରବେଟ୍‌ ତାଙ୍କ ଶିକାରୀ–ଜୀବନରୁ ଅତି ଅଲୌକିକ କେତୋଟି ଅନୁଭୂତି ଶେଷପର୍ଯ୍ୟନ୍ତ ପ୍ରକାଶ କରିନଥିଲେ । ସେ କାହାଣୀଗୁଡ଼ିକର ବିଷୟବସ୍ତୁ ଏପରି ବିସ୍ମୟକର ଯେ ତାହା ସହଜରେ ବିଶ୍ୱାସଯୋଗ୍ୟ ହେବନାହିଁ ବୋଲି ତାଙ୍କର ଆଶଙ୍କା ଥିଲା । ତେଣୁ ‘ଜଙ୍ଗଲ ତଥ୍ୟ’ (Jungle Lore) ବହିଟି ପ୍ରଥମେ ପ୍ରକାଶ ପାଇବା ପରେ ଏହି କାହାଣୀଗୁଡ଼ିକୁ ସେ ‘ମନ୍ଦିରର ବାଘ’ରେ ପ୍ରକାଶ କରିବାକୁ ସାହସ କଲେ । ‘ଜଙ୍ଗଲ ତଥ୍ୟ’ ବହିଟି ମୁଦ୍ରଣ ଅପେକ୍ଷାରେ । ସେଥିରେ କରବେଟ୍‌ ତାଙ୍କ ବାଲ୍ୟଜୀବନର ବିଭିନ୍ନ ଘଟଣା ଓ ଅନୁଭୂତିରୁ ଜଙ୍ଗଲ ତଥ୍ୟ ସଂକ୍ରାନ୍ତରେ ଯେପରି ଶିକ୍ଷା ପାଇଥିଲେ ଏବଂ ଜଙ୍ଗଲ ତଥା ଜଙ୍ଗଲବାସୀ ଜୀବଜନ୍ତୁଙ୍କ ସମ୍ବନ୍ଧରେ ଯେତେ ଜ୍ଞାନ ଆହରଣ କରିଥିଲେ, ତାହା ବର୍ଣ୍ଣନା କରାଯାଇଛି । ଏସବୁ ଜାଣିବା ପରେ ‘ମନ୍ଦିରର ବାଘ’ ବହିଟିରେ ବର୍ଣ୍ଣିତ ଘଟଣାଗୁଡ଼ିକ ପାଠକ ପାଠିକାଙ୍କ ପକ୍ଷରେ ବିଶ୍ୱାସନୀୟ ହେବ ବୋଲି କରବେଟ୍‌ ଆଶା କରିଥିଲେ ।

 

ଏ କାହାଣୀଗୁଡ଼ିକ ପ୍ରକାଶ କରିବାରେ କରବେଟ୍‌ ଦ୍ଵିଧାବୋଧ କରିବାର ଯଥେଷ୍ଟ କାରଣ ଥିଲା । ଏ ବହିର ବିଷୟବସ୍ତୁ ବିଶେଷକରି ‘ମନ୍ଦିରର ବାଘ’ ଓ ‘ତଲ୍ଲାଦେଶ୍ ନରଖାଦକ’ ସମ୍ବନ୍ଧରେ ତାଙ୍କର ଅନୁଭୂତିଗୁଡ଼ିକ ଏତେ ରହସ୍ୟମୟ ଓ ବିସ୍ମୟକର ଯେ କରବେଟ୍‌ଙ୍କର ସତ୍ୟନିଷ୍ଠ ଏବଂ ମହାନୁଭବତା ସମ୍ବନ୍ଧରେ ନ ଜାଣିଥିବା ଯେକୌଣସି ଲୋକ କାହାଣୀଗୁଡ଼ିକର ସତ୍ୟତା ବିଷୟରେ ସନ୍ଦେହ କରିପାରନ୍ତି । ‘ତଲ୍ଲାଦେଶ ନରଖାଦକ’ କାହାଣୀରେ ଯେଉଁ ସାମାନ୍ୟ ସଂକଳ୍ପ, ସାମର୍ଥ୍ୟ ଓ ସହନଶୀଳତା ପ୍ରକାଶ ପାଇଛି, ତାହା କେବଳ କରବେଟ୍‌ଙ୍କ ପରି ଜଣେ ଅସାଧାରଣ ସାଧକଙ୍କ ପକ୍ଷରେ ହିଁ ସମ୍ଭବ ।

 

କରବେଟ୍‌ଙ୍କ ଲେଖାରୁ ଉଦ୍ଧାର କରି ତାଙ୍କର ପରିଚୟ ଦେବାକୁ ମୁଁ ଯାଉନାହିଁ । ଏଥିପୂର୍ବରୁ ପ୍ରକାଶିତ ‘ମୋର ଭାରତ’, ‘କୁମାୟୂଁର ନରଖାଦକ’ ଓ ‘ରୁଦ୍ରପ୍ରୟାଗର ନରଖାଦକ’ ବହିଗୁଡ଼ିକରେ କରବେଟ୍‌ଙ୍କ, ଜୀବନୀ ଓ ବ୍ୟକ୍ତିତ୍ଵ ସମ୍ବନ୍ଧରେ ବିଶଦ୍‌ଭାବେ ଆଲୋଚନା କରାଯାଇଛି । ତାଙ୍କର ଅସାମାନ୍ୟ ମାନବିକତା, ଏ ଦେଶ ଓ ଦେଶବାସୀଙ୍କ ପାଇଁ ଅଶେଷ ମମତା, ଶିକାରୀଭାବେ ବିଜ୍ଞତା ଓ ଅଭିଜ୍ଞତା ତଥା ସାହିତ୍ୟିକଭାବେ ତାଙ୍କର କୃତୀ ବା ପ୍ରତିଷ୍ଠା ସମ୍ବନ୍ଧରେ ଏଠାରେ ଅଧିକ କିଛି ଲେଖିବା ଆବଶ୍ୟକ ମନେକରୁନାହିଁ । ପାଠକ ପାଠିକାମାନେ ତାଙ୍କ ଲେଖାରୁ ତାହା ସହଜେ ବୁଝିପାରିବେ । ଜୀବନର ବହୁମୂଲ୍ୟ ବତିଶିଟି ବର୍ଷ ମଣିଷଖିଆ ମହାବଳ ଓ ଚିତାବାଘ ଶିକାରରେ କଟାଇ ଏହି ମହାନ୍ ଇଂରେଜ ନିଜପ୍ରତି ଯେଉଁ ଘୋର ବିପଦ ବରଣ କରିଥିଲେ, ତାହା ଶିକାର କରିବା ଖିଆଲରେ ନୁହେଁ–ନିରୀହ ଗୁଡ଼ିଏ ଲୋକଙ୍କୁ ନରଖାଦକଙ୍କ କବଳରୁ ରକ୍ଷାକରିବା ପାଇଁ । ସରଳ ଏହି ଗ୍ରାମବାସୀମାନଙ୍କ ପାଇଁ କରବେଟ୍‌ଙ୍କର ଗଭୀର ସ୍ନେହ ଓ ସହାନୁଭୂତି ତାଙ୍କର ପ୍ରତ୍ୟେକଟି ଲେଖାରୁ ପ୍ରକାଶପାଏ ।

 

କରବେଟ୍‌ଙ୍କର ଏଇ ଚତୁର୍ଥ ବହିଟିର ଅନୁବାଦ ‘ମନ୍ଦିରର ବାଘ’ ଉପସ୍ଥାପନ କଲାବେଳେ ପୂର୍ବୋକ୍ତ ଅନୁବାଦ ତିନୋଟି ପାଠକ ପାଠିକାଙ୍କଦ୍ଵାର ଯେପରି ଆଦୃତ ହୋଇଛି ଓ ସ୍ଵନାମଧନ୍ୟ ବହୁ ସାହିତ୍ୟିକ ଅଭିନନ୍ଦନ ଜଣାଇ ମୋର ଏହି ସାମାନ୍ୟ‌ ଉଦ୍ୟମକୁ ଯେପରିଭାବେ ଉତ୍ସାହିତ କରିଛନ୍ତି, ସେଥିପାଇଁ ସେମାନଙ୍କ ନିକଟରେ ବିନୀତ ଭାବରେ ଗମ୍ଭୀର କୃତଜ୍ଞତା ଜଣାଉଛି ।

 

ପୂର୍ବ ଅନୁବାଦଗୁଡ଼ିକ ପରି ଏ ବହିଟିରେ ମଧ୍ୟ ମୂଳଲେଖାର ବିଷୟବସ୍ତୁ ଓ ତା’ର ପରିପ୍ରକାଶକୁ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିଛି । ସେଥିରେ କେତେଦୂର ସଫଳ ହୋଇ ପାରିଛି, ସୁଧୀ ପାଠକବୃନ୍ଦ ତାହା ବିଚାର କରିବେ ।

 

ହିମାଳୟ ଅଞ୍ଚଳର ବିଭିନ୍ନ ପଶୁପକ୍ଷୀ ଓ ଗଛପତ୍ରର ଓଡ଼ିଆ ନାମ ସଂଗ୍ରହ କରିବାରେ E.P. Gee, Augustus Somerville, Salim Ali, U.N. Kanjilal, Balkrishna Seshadri ଆଦି ବହୁ ବିଶେଷଜ୍ଞଙ୍କ ବହିରୁ ଏବଂ Forest Research Institute and Colleges, Dehra Dunରୁ ସାହାଯ୍ୟ ନେଇଛି । ‘ନନ୍ଦନକାନନ’ର କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସାହାଯ୍ୟ କରିଛନ୍ତି । ରେଭେନ୍‌ସା ମହାବିଦ୍ୟାଳୟରୁ ପ୍ରାଣିବିଜ୍ଞାନ ବିଭାଗର ମୁଖ୍ୟ ଡକ‌୍ଟର ବସନ୍ତକୁମାର ବେହୁରା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାଣିବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଚଣ୍ଡୀଚରଣ ଦାସ ଏବଂ ଉକ୍ତ ବିଶ୍ଵବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ହରିହର ପଟ୍ଟନାୟକ କେତେକ ଓଡ଼ିଆ ପ୍ରତିଶବ୍ଦ ସଂଗ୍ରହ କରିବାରେ ସାହାଯ୍ୟ କରିଛନ୍ତି । ଏ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । ହିମାଳୟ ଅଞ୍ଚଳର ଯେଉଁ ପଶୁପକ୍ଷୀ ବା ଗଛପତ୍ରର ଓଡ଼ିଆ ପ୍ରତିଶବ୍ଦ ନାହିଁ, ଅନୁବାଦରେ ସେ ସବୁର ହିନ୍ଦୀ ବା ଇଂରଜୀ ନାମ ବ୍ୟବହାର କରଯାଇଛି ।

 

ଇଂରାଜୀ ମୂଳଲେଖାରେ ଥିବା ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନର ନାମ ସହିତ ସେଗୁଡ଼ିକର ପ୍ରକୃତ (ହିନ୍ଦୀ) ନାମର ପାର୍ଥକ୍ୟ ଥିବାର ଦେଖାଯାଏ । ଏହି ହିନ୍ଦୀ ନାମଗୁଡ଼ିକ ସଂଗ୍ରହ କରାଯାଇ ଅନୁବାଦରେ ବ୍ୟବହାର କରାଯାଇଛି । ଜଙ୍ଗଲ ଓ ଶିକାର ସଂକ୍ରାନ୍ତୀୟ ଓଡ଼ିଆ ଶବ୍ଦ ସବୁ ପୁରୀ ଜିଲାର ନୟାଗଡ଼ ଓ ଗଞ୍ଜାମ ଜିଲାର ତପ୍ତପାଣି, ମୋହନ ଓ ଚନ୍ଦ୍ରଗିରି ଅଞ୍ଚଳରେ ପ୍ରଚଳିତ ଭାଷାରୁ ସଂଗୃହୀତ ।

 

ପୂର୍ବପରି ଏହି ଉଦ୍ୟମରେ ମୋର ବହୁ ହିତାକାଂକ୍ଷୀ ବନ୍ଧୁ ଓ ଆତ୍ମୀୟସ୍ଵଜନଙ୍କଠାରୁ ବହୁ ପ୍ରକାର ଉତ୍ସାହ ପାଇଛି । ଏ ପୁସ୍ତକର ପ୍ରକାଶକ ଶ୍ରୀ ଅଭିରାମ ମହାପାତ୍ର ଓ ଗ୍ରନ୍ଥ ପ୍ରକାଶିନୀ ପ୍ରେସର ପରିଚାଳକ ଶ୍ରୀ ଜୟରାମ ମହାପାତ୍ରଙ୍କୁ ସେମାନଙ୍କର ଯତ୍ନ ଓ ନିଷ୍ଠା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ମୋର ପତ୍ନୀ ଡକ୍ଟର ସୁଧାରାଣୀ କର ତାଙ୍କର ଦୈନନ୍ଦିନ ଅବିଶ୍ରାନ୍ତ କାର୍ଯ୍ୟସୂଚୀ ଭିତରୁ ସମୟ କରି ମୋର ପ୍ରତ୍ୟେକଟି ବହିର ପାଣ୍ଡୁଲିପି ପ୍ରସ୍ତତିଠାରୁ ପ୍ରକାଶନ ଯାଏ ପ୍ରତି ପର୍ଯ୍ୟାୟରେ ଯେତେ ସାହାଯ୍ୟ, ଉତ୍ସାହ ଓ ପ୍ରେରଣା ଦେଇଛନ୍ତି–ସେଥିପାଇଁ ପ୍ରତିଦାନ କିଛି ଦେଇ ନ ପାରି କେବଳ ଋଣ ସ୍ଵୀକାର କରୁଛି ।

 

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ

ପ୍ରଫୁଲ୍ଲ କୁମାର କର

କଟକ, ୧୨।୧୨।୭୪

 

Image

 

ସୂଚୀପତ୍ର

 

୧.

ମନ୍ଦିରର ବାଘ

୨.

ମୁକ୍ତେଶ୍ଵର ନରଖାଦକ

୩.

ପାନାର୍ ନରଖାଦକ

୪.

ଚୂକା ନରଖାଦକ

୫.

ତଲ୍ଲାଦେଶ୍ ନରଖାଦକ

୬.

ଉପସଂହାର

Image

 

Unknown

ମନ୍ଦିରର ବାଘ

 

ହିମାଳୟର ଜନବିରଳ ଉପର ଅଞ୍ଚଳର ଅଧିବାସୀମାନେ ନିଜ ବିଶ୍ଵାସର ନିଗଡ଼ଦ୍ୱାରା ଯେ କେତେ ନିବିଡ଼ଭାବେ ଆବଦ୍ଧ, ସେଠାରେ ବାସ କରିନଥିବା ଲୋକଙ୍କ ପକ୍ଷରେ ତାହା କଳ୍ପନା କରିବା ଆଦୌ ସମ୍ଭବ ନୁହେଁ । ସରଳ, ଶିକ୍ଷାହୀନ ଏହି ଉଚ୍ଚ ପର୍ବତବାସୀମାନଙ୍କ ଏପରି କେତେକ ‘ଅନ୍ଧବିଶ୍ୱାସ’ ଏବଂ ତଳ ପାର୍ବତ୍ୟ ଅଞ୍ଚଳର ମାର୍ଜିତ ଓ ଶିକ୍ଷିତ ଲୋକମାନଙ୍କ ତଥାକଥିତ ‘ଧର୍ମବିଶ୍ୱାସ’ ମଧ୍ୟରେ ସୀମାରେଖା କିନ୍ତୁ ଏତେ ଅସ୍ପଷ୍ଟ ଯେ ଗୋଟିକର ଶେଷ ଓ ଅନ୍ୟଟିର ଆରମ୍ଭ ଭିତରେ ସୀମାରେଖା ବାରିହୁଏ ନାହିଁ । ଯେଉଁ ଘଟଣାଟି ମୁଁ ଏଠାରେ ବର୍ଣ୍ଣନା କରିବାକୁ ଯାଉଛି, ସେଥି ସହିତ ସମ୍ପୃକ୍ତ ପାର୍ବତ୍ୟ ଲୋକ କେଇଜଣଙ୍କ ବିଶ୍ୱାସପ୍ରବଣତା ଯଦି ହାସ୍ୟାସ୍ପଦ ମନେହୁଏ–ତେବେ ଆପଣଙ୍କ ‘ଧର୍ମବିଶ୍ଵାସ’ ଓ ସେମାନଙ୍କ ‘ଅନ୍ଧବିଶ୍ୱାସ’ ମଧ୍ୟରେ ପାର୍ଥକ୍ୟ ଠିକ୍ କେଉଁଠି ଥରେ ଦେଖାଇବାକୁ ଚେଷ୍ଟାକରନ୍ତୁ ।

 

ପ୍ରଥମ ମହାଯୁଦ୍ଧର ଠିକ୍ ପରେ ପରେ ରବର୍ଟ ବେଲ୍ଏର୍‌ସଙ୍କ ସହିତ କୁମାୟୂଁର ଆଭ୍ୟନ୍ତରୀଣ ଅଞ୍ଚଳକୁ ଶିକାର କରିବାକୁ ଯାଇଥିଲି । ସେଠାକାର ଜଙ୍ଗଲ ପାହାଡ଼ ଭିତରେ ବରାଲ୍ (୧) ଓ ଥାର୍‌ (୨) ଶିକାର କରିବା ଥିଲା ଆମ ଅଭିଯାନର ଉଦ୍ଦେଶ୍ୟ । ସେପ୍ଟେମ୍ବର ମାସର ଗୋଟିଏ ଶୀତଳ ସନ୍ଧ୍ୟାରେ ଦଳବଳ ନେଇ ଦୁହେଁ ତ୍ରିଶୂଳ ପର୍ବତ ପାଖରେ ପହଞ୍ଚିଲୁ । ପର୍ବତ ତଳେ ସ୍ଥାନ ବାଛି ଯେଉଁଠି ଡେରା ପକାଇଲୁ, ପ୍ରତିବର୍ଷ ସେହିଠାରେ ସମୁଦାୟ ଆଠଶହଟି ଛେଳି ତ୍ରିଶୂଳ ରାକ୍ଷସ ପାଖରେ ବଳି ପଡ଼ନ୍ତି ବୋଲି ଶୁଣିଥାଉ ।

 

ଅନେକ ବଛାବଛି କରି ଯେଉଁ ଲୋକ ପନ୍ଦରଜଣ ଆମେ ସଙ୍ଗରେ ଆଣିଥିଲୁ, ସେପରି କାମିକା ଓ ଖୁସ୍‌ମିଜାଜି ଲୋକ ପାର୍ବତ୍ୟ ଅଞ୍ଚଳରେ ବି ଅତି କ୍ୱଚିତ୍‌ ଦେଖାଯାଆନ୍ତି । ଡେରାର ସରଞ୍ଜାମ ବୋହିବା ପାଇଁ ଛଅଜଣ ଗଡ଼ଓ୍ୱାଲି ଭାରୁଆ ଥାଆନ୍ତି । ତାଙ୍କ ଭିତରୁ ବାଲା ସିଂ ନାମକ ଭାରୁଆ ଜଣକ ଗତ କେତେ ବର୍ଷ ଧରି ମୋ ସହିତ ଅନେକ ଥର ଶିକାରକୁ ଆସିଥିଲା । କାମଦାମରେ ଭାରୁଆ କେହି ବାଲା ସିଂର ସମକକ୍ଷ ନ ଥିଲେ । ସବୁଠାରୁ ଭାରି ବୋଝଟିକୁ ସେ ଆଗତୁରା ଆବୋରି ନିଏ ଓ ଧାଡ଼ି ଆଗରେ ବାଟକଢ଼େଇ ଚାଲିବାବେଳେ ଗୀତ ଗାଇ ଗାଇ ଦଳକଯାକ ଲୋକଙ୍କୁ ସତେଜ କରି ରଖିଥାଏ । ଗୀତ ଗାଇବାରେ ଏଠାକାର ଲୋକଙ୍କର ଭାରି ସଉକ । ସଞ୍ଜବେଳୁ ଡେରା ପଡ଼ିବା ପରଠାରୁ ରାତି ଅଧରେ ଶୋଇବାଯାଏ ଦଳକଯାକ ଲୋକ ଧୁନି ଚାରିପଟେ ଘେରିବସି ଗଳାଛାଡ଼ି ଗୀତ ଗାଆନ୍ତି ଓ ତାଳିମାରି ଟିଣ ବାଡ଼େଇ ତାଳଦେବାରେ ଲାଗିଥାଆନ୍ତି ।

ସେଦିନ ତ୍ରିଶୂଳ ପର୍ବତ ତଳେ ଡେରା ପଡ଼ିବା ପରେ ଲୋକ ଦଳକ ଅନ୍ୟ ଦିନ ଅପେକ୍ଷା ବେଶି ରାତିଯାଏ ତାଳିମାରି ଗୀତ ଗାଇଲେ । କିନ୍ତୁ ପରଦିନ ସକାଳୁ ଜଳଖିଆ ଖାଇଲାବେଳେ ମୁଁ ଲକ୍ଷ୍ୟ କଲି ଯେ ସମସ୍ତେ କାହିଁକି ଅତି ଅସ୍ୱାଭାବିକ ଭାବେ ଚୁପ୍‌ଚାପ୍‌ ହୋଇ ଡେରା ଉଠାଇବାରେ ଲାଗିପଡ଼ିଛନ୍ତି । ଡେରା ଉଠାଇବାକୁ ଆମେ କାହାକୁ କହିନଥିଲୁ ବା ଆମକୁ କେହି ପଚାରି ନଥିଲେ । ଏପରି କରିବାର କାରଣ ପଚାରିବାରୁ ସେଠାରେ ରହିବା ବିରୁଦ୍ଧରେ ସେମାନେ ନାନା ଯୁକ୍ତି ଦେଖାଇବାକୁ ଆରମ୍ଭ କଲେ । ସେ ଜାଗାଟା କୁଆଡ଼େ ସନ୍ତସନ୍ତିଆ, ସେଠାକାର ପାଣି ଭଲ ନୁହେଁ, ପାଖରେ ସୁବିଧାରେ ଜାଳ ମିଳୁନାହିଁ, ଦୁଇମାଇଲ୍‍ ଆଗକୁ ଡେରାପାଇଁ ଆହୁରି ଭଲ ଜାଗାମାନ ଅଛି–ଏମିତି କେତେ କ’ଣ ଆଳ ଦେଖାଇ ସେମାନେ ଯେତେ ଶୀଘ୍ର ସମ୍ଭବ ସେଠାରୁ ଚାଲିଯିବାକୁ ଚାହିଁଲେ ।

ଡେରା ଉଠିଲାବେଳେ ଭାରୁଆ ଛଅଜଣ ସରଞ୍ଜାମତକ ଭାଗକରି ଛଅଟି ବୋଝ ବାନ୍ଧନ୍ତି । ସେଦିନ ସକାଳୁ ବାଲା ସିଂ ଛଡ଼ା ଅନ୍ୟ ପାଞ୍ଚଜଣ ଭାରୁଆ କାମରେ ଲାଗିଥିବା ଓ ପାଞ୍ଚଟି ବୋଝ ବାନ୍ଧୁଥିବା ଲକ୍ଷ୍ୟ କଲି । ବାଲା ସିଂ ବନ୍ଧାବନ୍ଧିରେ ଭାଗ ନ ନେଇ ଗୋଡ଼ରୁ ମୁଣ୍ଡଯାଏ କମ୍ବଳଟିଏ ଘୋଡ଼ିହୋଇ ଲିଭିଲା ନିଆଁ ପାଖରେ ତୁନିହୋଇ ବସିଥାଏ । ଜଳଖିଆ ଶେଷକରି ତା’ ପାଖକୁ ଗଲି । ସଙ୍ଗେ ସଙ୍ଗେ ଲୋକମାନେ ସମସ୍ତେ ହାତ ବନ୍ଦକରି ଏକଲୟରେ ମୋ’ଆଡ଼େ ଅନାଇ ରହିଲେ–ସତେ ଯେପରି ମୋର ପ୍ରତ୍ୟେକଟି କାର୍ଯ୍ୟକଳାପ ସେମାନେ ଘୋର ଉଦବେଗର ସହିତ ଲକ୍ଷ୍ୟ କରୁଛନ୍ତି । ମୁଁ ପାଖକୁ ଆସିବା ସତ୍ତ୍ୱେ ବାଲା ସିଂ ସାଧାରଣ ଶିଷ୍ଟାଚାର ଦେଖାଇ ଉଠି ଛିଡ଼ା ହେଉନାହିଁ କିମ୍ବା ଅନ୍ୟ ଦିନପରି ସ୍ୱାଭାବିକ ରୀତିରେ ଅଭିବାଦନ ଜଣାଉନାହିଁ ଦେଖି ଆହୁରି ଆଶ୍ଚର୍ଯ୍ୟ ଲାଗିଲା । ତାକୁ ଗୁଡ଼େଇ ତୁଡ଼େଇ ଯେତେ ଯାହା ପଚାରିଲି, ସବୁର ସେ ସେହି ଗୋଟିଏ ଉତ୍ତର ଦେଲା–ଯେ ତା’ର ଦେହପା’ ଭଲଅଛି–ତା’ର ବେମାରି ବେରାମି କିଛି ନାହିଁ । ସେଦିନ ପାଞ୍ଚଜଣ ଭାରୁଆ ବୋଝବୋହି ଆଗରେ ଚାଲିଲେ । ବାଲା ସିଂ ଖାଲି ଖାଲି ଧାଡ଼ି ପଛରେ ଟଳମଳ ହୋଇ ଚାଲିଥାଏ–ସତେ ଯେପରି ନିଶା ଜୋରରେ ବା ନିଦବାଉଳାରେ ସେ ଅଧାଚେତା ହୋଇ ବାଟ ଚାଲୁଛି ।

ବାଲା ସିଂର ଏଭଳି ଗତିବିଧି ଓ ଆଚରଣର ଏକ ପ୍ରଚ୍ଛନ୍ନ ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ୁଥାଏ । କାହାରି ମନ ଯେମିତି ସୁଖ ନାହିଁ;. ହସଖୁସି, ଥଟ୍ଟା ତାମସା ଭୁଲି ସମସ୍ତେ ଯେମିତି ଭୟ ଓ ଉତ୍କଣ୍ଠାରେ ଅଭିଭୂତ ହୋଇ ଯନ୍ତ୍ରଚାଳିତ ପରି ଆଗେଇ ଚାଲିଛନ୍ତି । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଜିନିଷପତ୍ର ସବୁ ଖୋଲାହେଲା; ଅଧମହଣ ଓଜନ ଆମ ତମ୍ବୁଟି ନୂଆ ଜାଗାରେ ପୁଣି ଟେକାହେଲା । ସେହି ଅବସରରେ ମୋର ଗଡ଼ଓ୍ୱାଲି ଚାକର ମୋତି ସିଂକୁ ପାଖକୁ ଡାକି ଏଭଳି ଆଚରଣର କୈଫିୟତ୍‌ ମାଗିଲି । ମୋତି ସିଂ ପୁରୁଖା ଲୋକ–ମୋ ପାଖରେ ଦୀର୍ଘ ପଚିଶିବର୍ଷ କଟାଇଲାଣି । ତାହା ସତ୍ତ୍ୱେ ମୋ ପ୍ରଶ୍ନର ଉତ୍ତର ନଦେଇ ସେ ପ୍ରଥମେ କଥା ବୁଲାଇବାକୁ ଚେଷ୍ଟାକଲା । ସେଥିରେ ଭଳି ନ ଯାଇ ମୁଁ ଆହୁରି ଦୃଢ଼ଭାବେ କାରଣ ପ୍ରଚାରିବାରୁ ଅତି ସଂକ୍ଷେପରେ ସେ ଉତ୍ତର ଦେଲା, ‘‘କାଲି ରାତିରେ ଆମେ ନିଆଁ ପାଖରେ ବସି ଗୀତ ଗାଉ ଗାଉ ତ୍ରିଶୂଳ ରାକ୍ଷସ ହଠାତ୍ ବାଲା ସିଂ ପାଟିରେ ପଶିଗଲା ଓ ବାଲା ସିଂ ତାକୁ ଗିଳିଦେଲା !” ସେମାନେ କୁଆଡ଼େ ପାଟିତୁଣ୍ଡ କରି ଟିଣ ବାଡ଼େଇ ରାକ୍ଷସକୁ ତଡ଼ିଦେବାକୁ ବହୁତ ଚେଷ୍ଟାକଲେ; କିନ୍ତୁ କେଉଁଥିରୁ କିଛି ଫଳ ମିଳିଲା ନାହିଁ । ରାକ୍ଷସ ଏବେ ବାଲା ସିଂକୁ ଗ୍ରାସିଛି; ତାକୁ ଛଡ଼ାଇବାକୁ ଆଉ ଉପାୟ ମଧ୍ୟ ନାହିଁ ବୋଲି ମୋତି ସିଂ ମତ ପ୍ରକାଶ କଲା ।

ବାଲା ସିଂ ସେମିତି ଗୋଡ଼ରୁ ମୁଣ୍ଡ ଯାଏ କମ୍ବଳଟି ଘୋଡ଼ି ହୋଇ ଖଣ୍ଡେ ଦୂରରେ ଅଲଗା ହୋଇ ବସିଥାଏ । ତା’ପାଖକୁ ଯାଇ ପୂର୍ବରାତ୍ରିର ଘଟଣା ବିଷୟରେ ପଚାରିଲି । ବେଦନାଭରା କରୁଣ ଦୃଷ୍ଟିରେ ମିନିଟିଏ କାଳ ମୋତେ ଅନାଇବା ପରେ ହତାଶ ସ୍ଵରରେ ସେ କହିଲା–“ଆପଣଙ୍କୁ କହି କ’ଣ ଲାଭହେବ ସାହେବ ! ଆପଣ ସେ ସବୁ କଥା କ’ଣ ବିଶ୍ୱାସ କରିବେ ?”

‘‘ତମ କଥା ମୁଁ କେବେ ଅବିଶ୍ୱାସ କରିଛି ?” –ମୁଁ ଓଲଟା ପ୍ରଶ୍ନ କଲି ।

“ଆପଣ ମୋତେ କେବେ ଅବିଶ୍ୱାସ କରିନାହାନ୍ତି, ସାହେବ ! ହେଲେ ଏସବୁ କଥା ଆପଣ ମୋତେ ବୁଝିପାରିବେ ନାହିଁ ।”

‘‘ମୋ ବୁଝିବା ନ ବୁଝିବା ପରେ ଦେଖାଯିବ । ଅସଲ କଥାଟା କ’ଣ ଆଗ ଫିଟାଇ କୁହ-।”

କିଛି ସମୟ ନୀରବ ରହିବା ପରେ ବାଲା ସିଂ ଧୀରେ ଧୀରେ କହିଲା, ‘ଆପଣଙ୍କ କଥା ତେବେ ରହିଲା ସାହେବ ! ସବୁକଥା ଠିକ୍ ଠିକ୍ ବୁଝାଇ କହୁଛି । ଆମେ ପାହାଡ଼ିଆ ଲୋକେ ଏକାଠି ଗୀତ ଗାଇଲାବେଳେ ଗୀତଟିକୁ ଜଣେ ଗାଏ ଓ ଅନ୍ୟମାନେ ଘୋଷା ପଦରେ ତା’ ସହିତ ପାଳି ଧରନ୍ତି । କାଲି ରାତିରେ ମୁଁ ଗୀତ ଗାଉ ଗାଉ ତ୍ରିଶୂଳ ରାକ୍ଷସ ହଠାତ୍‌ ମୋ ପାଟିରେ ପଶିଗଲା । ତାକୁ କାଢ଼ି ପକାଇବାକୁ ପ୍ରାଣପଣେ ଚେଷ୍ଟାକଲି । ରାକ୍ଷସ କିନ୍ତୁ ବାଧା ନମାନି ତଣ୍ଟିକୁ ଖସିଯାଇ ମୋ ପେଟରେ ପଶିଗଲା । ନିଆଁ ଆଲୁଅରେ ରାକ୍ଷସ ସଙ୍ଗରେ ମୋର କନ୍ଦଳ ଦେଖି ଆଉମାନେ ସମସ୍ତେ ପାଟିତୁଣ୍ଡ କରି ଢେର୍‌ ବେଳଯାଏ ଟିଣ ବାଡ଼େଇଲେ । ରାକ୍ଷସ କିନ୍ତୁ କେଉଁଥିରେ ମୋତେ ଛାଡ଼ିଲା ନାହିଁ ।” ଏସବୁ କହୁ କହୁ କୋହ ଉଠି ବାଲା ସିଂର ସ୍ୱର ଭାଙ୍ଗି ଭାଙ୍ଗି ଯାଉଥାଏ ।

‘‘ରାକ୍ଷସ ଏବେ କେଉଁଠି ଅଛି ?” –କୌତୂହଳୀ ହୋଇ ପଚାରିଲି ।

ଲାହିମୁଣ୍ଡାରେ ହାତମାରି ବାଲା ସିଂ କାନ୍ଦ କାନ୍ଦ ହୋଇ କହିଉଠିଲା–“ଏଇଠି ! ଏଇଠି ମୋ ପେଟ ଭିତରେ ସେ ବୁଲୁଛି ସାହେବ–ତା’ ବୁଲିବା ମୁଁ ପୂରା ଜାଣିପାରୁଛି !”

ରବର୍ଟ ସେଦିନ ଏକାକୀ ଶିକାରକୁ ଗଲେ ଓ ବହୁତ ଖୋଜାଖୋଜି କଲାପରେ ଡେରାର ପଶ୍ଚିମକୁ ଥାର୍‌ଟିଏ ଠାବ କରି ମାରିଲେ । ଆଖପାଖରେ ଆହୁରି ଗୁଡ଼ିଏ ଥାର୍ ସେ ଦେଖିଥାଆନ୍ତି । ସେଦିନ ରାତିରେ ଖିଆପିଆ ସାରି ଦୁହେଁ ବସି ପରିସ୍ଥିତିର ଏପରି ନାଟକୀୟ ପରିବର୍ତ୍ତନ ବିଷୟରେ ଅନେକ ଡେରିଯାଏ କଥାବାର୍ତ୍ତା ହେଲୁ । ଏକାଠି ଥରେ ଶିକାରକୁ ଆସିବା ପାଇଁ ଦୁହେଁ ବହୁଦିନରୁ ସୁଯୋଗ ଖୋଜୁଥିଲୁ; ଦୀର୍ଘ କେତେମାସର ଅକ୍ଳାନ୍ତ ଚେଷ୍ଟା ଓ ଅନେକ ଆୟୋଜନ ପରେ ତାହା ସମ୍ଭବ ହୋଇଥିଲା । ଏଠାରେ ପହଞ୍ଚିବାକୁ ରବର୍ଟଙ୍କୁ ସାତଦିନ ଓ ମୋତେ ଦଶଦିନ ବାଟ ଚାଲିବାକୁ ମଧ୍ୟ ପଡ଼ିଥିଲା । ଦୁର୍ଯ୍ୟୋଗକୁ ଶିକାରକ୍ଷେତ୍ରରେ ଠିକ୍ ପାଦ ଦେବାବେଳକୁ ଏ ଅଘଟଣଟି ଘଟି ଆମର ସବୁ ଯୋଜନା ପଣ୍ଡ କରିଦେଲା ।

ବାଲା ସିଂ ତ୍ରିଶୂଳ ରାକ୍ଷସକୁ ଗିଳିବାର ସତ୍ୟାସତ୍ୟ ସମ୍ବନ୍ଧରେ ଆମର ବ୍ୟକ୍ତିଗତ ମତ ବା ବିଶ୍ଵାସ ଯାହା ହେଉନା କାହିଁକି, ଆମ ସହିତ ଆସିଥିବା ଲୋକ ଚଉଦଜଣ ସେଥିରେ ଦୃଢ଼ଭାବେ ବିଶ୍ଵାସ କରୁଥାନ୍ତି ଓ ଭୟରେ ବାଲା ସିଂର ପାଖ କେହି ପଶୁନଥାନ୍ତି । ଏପରି ଅବସ୍ଥାରେ ଶିକାର କରିବା ତ ଦୂରକଥା, ଭୟରେ ଥରହର ହେଉଥିବା ଏତେଗୁଡ଼ିଏ ଲୋକଙ୍କୁ ମାସେ କାଳ ଏକାଠି ସମ୍ଭାଳି ରଖିବା ମଧ୍ୟ ସମ୍ଭବ ହେବ ନାହିଁ । ଅଚଳ ଅବସ୍ଥାର ସମାଧାନ ପାଇଁ ମୁଁ ପ୍ରସ୍ତାବ ଦେଲି ଯେ ବାଲା ସିଂକୁ ସଙ୍ଗରେ ନେଇ ମୁଁ ନୈନିତାଲ ଫେରିଯିବି । ଆଉ ରବର୍ଟ ଅନ୍ୟ ଚଉଦଜଣଙ୍କ ସହିତ ଏଠାରେ ରହି ଏକାକୀ ଶିକାର ଚଳାଇବେ । ରବର୍ଟଙ୍କ ଘୋର ଅନିଚ୍ଛା ସତ୍ତ୍ୱେ ମୋ ପ୍ରସ୍ତାବରେ ତାଙ୍କୁ ରାଜି କରାଇଲି । ପରଦିନ ସକାଳୁ ତାଙ୍କ ସହିତ ଜଳଖିଆ ସାରି ନିଜ ଜିନିଷପତ୍ରତକ ପିଠିରେ ବାନ୍ଧିଲି ଓ ବାଲା ସିଂକୁ ସଙ୍ଗରେ ନେଇ ବେଳାବେଳି ନୈନିତାଲ ବାହାରିପଡ଼ିଲି ।

ବାଲା ସିଂ ତିରିଶିବର୍ଷର ସବଳ ସ୍ୱାସ୍ଥ୍ୟବାନ୍ ଯୁବକ । କେଇଦିନ ତଳେ ନୈନିତାଲ୍‍ରୁ ଶିକାରକୁ ବାହାରିବାବେଳେ ଆନନ୍ଦରେ ଗୋଡ଼ ତା’ର ତଳେ ପଡ଼ୁନଥିଲା । ଆଖିରେ କରୁଣ ଚାହାଣି ଭରି ନୀରବରେ ମୋ ପଛେ ପଛେ ଦଶଦିନ ବାଟ ଚାଲି ନୈନିତାଲରେ ଆସି ପହଞ୍ଚିବାବେଳକୁ ତାକୁ ଦେଖିଲେ ମନେହେଉଥିଲା, ସତେ ଯେମିତି ଜୀବନ ପ୍ରତି ଆକର୍ଷଣ ସେ ପୂରାପୂରି ହରାଇ ବସିଛି ।

ମୋର ଭଉଣୀ ଜଣେ ମିଶନାରୀ ଡାକ୍ତର । ବାଲା ସିଂର ଚିକିତ୍ସା ଦାୟିତ୍ୱ ସେ ହାତକୁ ନେଲା; ଅନ୍ୟ ଭଉଣୀମାନେ ସମସ୍ତେ ତା’ ସେବା–ଶୁଶ୍ରୂଷାରେ ଲାଗିପଡ଼ିଲେ । ଆଖପାଖ ଓ ଦୂରଦୂରାନ୍ତରୁ ବାଲା ସିଂର ବନ୍ଧୁ ବାନ୍ଧବମାନେ ଖବର ପାଇ ତାକୁ ସଙ୍ଖୋଳିବାକୁ ଆସିଲେ । ବାଲା ସିଂ ମନ ମାରିଦେଇ ଦୁଆରମୁହଁରେ ତୁନି ହୋଇ ବସିଥାଏ, ନ ପଚାରିଲେ କଥା ପଦେ ବି କହୁନଥାଏ । ତା’ ଅବସ୍ଥାରେ କୌଣସି ଉନ୍ନତି ନ ଦେଖି ଶେଷରେ କର୍ଣ୍ଣେଲ୍‌ କୁକ୍‌ଙ୍କଦ୍ୱାରା ତାକୁ ପରୀକ୍ଷା କରାଇଲି ।

କର୍ଣ୍ଣେଲ୍‌ କୁକ୍ ନୈନିତାଲ୍‌ର ସିଭିଲ ସର୍ଜନ୍ । ଚିକିତ୍ସାକ୍ଷେତ୍ରରେ ତାଙ୍କର ବହୁକାଳର ଅନୁଭୂତି; ଆମ ପରିବାର ସହିତ ମଧ୍ୟ ଅନେକ ଦିନର ଘନିଷ୍ଠ ବନ୍ଧୁତା । ଦୀର୍ଘସମୟ ଧରି ବାଲା ସିଂକୁ ପରୀକ୍ଷା କରିବା ପରେ ସେ ମନ୍ତବ୍ୟ ଦେଲେ ଯେ ତା’ର ବେମାରି କିଛି ନାହିଁ ଓ ତା’ର ମାନସିକ ଅବସାଦ ପାଇଁ ସେ କୌଣସି କାରଣ ଖୋଜି ପାଉନାହାନ୍ତି ।

ନୈନିତାଲରେ ସେତେବେଳେ ଅତି ପ୍ରବୀଣ ଜଣେ ହିନ୍ଦୁ ଡାକ୍ତର ଘରୋଇ ଚିକିତ୍ସା ଚଳାଇଥାନ୍ତି । ବାଲା ସିଂକୁ ତାଙ୍କରିଦ୍ୱାରା ପରୀକ୍ଷା କରାଇ ନେବି ଓ ରାକ୍ଷସ ତା’ ପେଟରେ ନାହିଁ ବୋଲି ବୁଝାଇ ଦେବାକୁ ଡାକ୍ତର ବାବୁଙ୍କୁ ଅନୁରୋଧ କରିବି ବୋଲି ବିଚାରିଲି । ଡାକ୍ତରବାବୁ ନିଜେ ପାର୍ବତ୍ୟ ଅଞ୍ଚଳର ଲୋକ । ତାଙ୍କର ମୂଲକର ଅନ୍ଧବିଶ୍ୱାସଗ୍ରସ୍ତ ଏହି ହତଭାଗ୍ୟଟିକୁ ସେ ବୁଝାଇ ସୁଝାଇ ଭଲ କରିଦେବେ ବୋଲି ଯାହା ଆଶା କରିଥିଲି, ଶେଷରେ ସେଥିରେ ମଧ୍ୟ ନିରାଶ ହେବାକୁ ପଡ଼ିଲା । ବାଲା ସିଂକୁ ଦେଖିଦେବାମାତ୍ରେ ଡାକ୍ତରବାବୁ କ’ଣ ସନ୍ଦେହ କରି ତାକୁ ଗୁଡ଼ିଏ ପ୍ରଶ୍ନ ପଚାରିଲେ । ତ୍ରିଶୂଳ ରାକ୍ଷସ ପେଟରେ ପଶିବା କଥା ବାଲା ସିଂ ପ୍ରକାଶ କରିଦେବା ମାତ୍ରେ ଡାକ୍ତରବାବୁ ଦୂରକୁ ହଟିଯାଇ ମୋତେ କହିଲେ “ଆପଣ ମିଛରେ ମୋତେ ଡକାଇ ପଠାଇଲେ । ଏ ଲୋକପାଇଁ କିଛି କରିବା ମୋ ପକ୍ଷରେ ସମ୍ଭବ ନୁହେଁ !”

ବାଲା ସିଂ ଗାଁର ଦୁଇଜଣ ଲୋକ ନୈନିତାଲରେ ବସାକରି ରହୁଥାନ୍ତି । ବାଲା ସିଂକୁ କେତେଥର ଦେଖିବାକୁ ଆସି ତା’ ଅବସ୍ଥା ବିଷୟ ଦୁହିଁଙ୍କୁ ଭଲଭାବେ ଜଣାଥାଏ । ସେମାନଙ୍କୁ ଡକାଇ ବାଲା ସିଂକୁ ଗାଁରେ ପହଞ୍ଚାଇ ଦେବାକୁ ଅନୁରୋଧ କଲି ଓ ପରଦିନ ଟଙ୍କାପଇସା ଦେଇ ତାଙ୍କ ସଙ୍ଗରେ ତାକୁ ଗାଁକୁ ପଠାଇଦେଲି । ଗାଁ ତାଙ୍କର ନୈନିତାଲରୁ ଆଠଦିନର ବାଟ । ତିନି ସପ୍ତାହ ପରେ ଲୋକ ଦୁହେଁ ଗାଁରୁ ଫେରି ବାଲା ସିଂର ଖବର ଶୁଣାଇଲେ । ବାଲା ସିଂ କୁଆଡ଼େ ଭଲ ମଣିଷପରି ବାଟ ଚାଲି ସେମାନଙ୍କ ସହିତ ଠିକ୍ ସମୟରେ ଗାଁରେ ପହଞ୍ଚିଲା । ବନ୍ଧୁ ବାନ୍ଧବମାନେ ଖବର ପାଇ ସେହିଦିନ ତା’ ଘରେ ଆସି ରୁଣ୍ଡ ହେଲେ । ସଞ୍ଜବେଳକୁ ସମସ୍ତେ ତାକୁ ଘେରି ବସିଥିବା ଅବସ୍ଥାରେ ବାଲା ସିଂ ପାଟିକରି କହିଉଠିଲା ଯେ ରାକ୍ଷସ ତା’ ଦେହରୁ ଏବେ ତ୍ରିଶୂଳ ପର୍ବତକୁ ଫେରିଯିବାକୁ ଚାହୁଁଛି ଓ ତା’ର ପ୍ରାଣ ଥିବାଯାଏ ରାକ୍ଷସ ତା’ ଦେହରୁ ମୁକୁଳି ପାରିବ ନାହିଁ । ଏତିକି କହି ସେ ଭୂଇଁରେ ଲମ୍ବ ହୋଇ ଶୋଇଗଲା ଓ ସମସ୍ତଙ୍କ ଆଖିଆଗରେ ତା’ ପିଣ୍ଡରୁ ପ୍ରାଣ ଛାଡ଼ିଗଲା । ପରଦିନ ସକାଳୁ ଏ ଲୋକଦୁହେଁ ତା’ ଶବକୁ ଦାହ କରିବାରେ ସାହାଯ୍ୟ କରିଥିଲେ ।

‘ଅନ୍ଧବିଶ୍ଵାସ’କୁ ମୁଁ ଏକ ସଂକ୍ରାମକ ମାନସିକ ରୋଗ ବୋଲି ମନେକରେ । ମିଳିମିଳା ଆଦି ସଂକ୍ରାମକ ରୋଗ ପରି ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ବା ସମ୍ପ୍ରଦାୟକୁ ତାହା ପ୍ରବଳଭାବେ ଆକ୍ରମଣ କରେ; ଅନ୍ୟ କେତେକ ବ୍ୟକ୍ତି ବା ସମ୍ପ୍ରଦାୟ ସମ୍ଭବତଃ ନିଜର ଅନ୍ତର୍ନିହିତ ରୋଧ ଶକ୍ତି ଯୋଗୁଁ ତା’ର ସଂକ୍ରମଣରୁ ରକ୍ଷା ପାଇଯାଆନ୍ତି । ବାଲା ସିଂ ପରି ମୁଁ ମଧ୍ୟ ହିମାଳୟ ଉପର ଅଞ୍ଚଳର ବାସିନ୍ଦା । ଯେଉଁ ଧରଣର ଉତ୍କଟ ‘ଅନ୍ଧବିଶ୍ୱାସ’ ବାଲା ସିଂର ପ୍ରାଣହାନି ଘଟାଇଦେଲା, ନିଜକୁ ସେଥିରୁ ମୁକ୍ତ ବୋଲି କହି ବଡ଼େଇ କରିବା ପରିବର୍ତ୍ତେ ମୁଁ ସ୍ୱୀକାର କରୁଛି ଯେ ମୋ ଜୀବନରେ ଘଟିଥିବା ଅତି ଅଲୌକିକ କେତେକ ଘଟଣାପାଇଁ କୌଣସି ଯୁକ୍ତିସିଦ୍ଧ କାରଣ ଦର୍ଶାଇବାକୁ ମୁଁ ମଧ୍ୟ ଅକ୍ଷମ । ‘ଚମ୍ପାବତ୍‌ ନରଖାଦକ’ ବିରୁଦ୍ଧରେ ଅଭିଯାନ ଚଳାଇଥିବାବେଳେ ରାତିରେ ଡାକବଙ୍ଗଳାରେ ଯେଉଁଭଳି ଅନୁଭୂତି ଘଟିଥିଲା କିମ୍ବା ଜନଶୂନ୍ୟ ପରିତ୍ୟକ୍ତ ଥାକ୍‌ ଗାଁରୁ ଏକ ଅଶାନ୍ତ ଆତ୍ମାର ଯେଉଁ ବିକଳ ଆର୍ତ୍ତନାଦ ଶୁଣିଥିଲି (୧)–ସେଥିପାଇଁ ଏପର୍ଯ୍ୟନ୍ତ ମୁଁ କୌଣସି କାରଣ ଖୋଜି ପାଇନାହିଁ ।

ବାଘ ଶିକାରରେ ଘଟିଥିବା ସେହିପରି ଏକ ଅତି ବିଚିତ୍ର ଅନୁଭୂତି ଏଠାରେ ବର୍ଣ୍ଣନା କରିବାକୁ ଯାଉଛି । ‘ମନ୍ଦିରର ବାଘ’କୁ ମାରିବାକୁ ବାରମ୍ବାର ଚେଷ୍ଟାକରି ପ୍ରତିଥର କିପରି ଅତି ଅଦ୍ଭୁତଭାବେ ମୋତେ ବିଫଳ ହେବାକୁ ପଡ଼ିଥିଲା–ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ମୁଁ ସୂଚାଇ ଦେବାକୁ ଚାହେଁ ଯେ ସେଥିପାଇଁ କୌଣସି କାରଣ ମଧ୍ୟ ମୁଁ ଅଦ୍ୟାବଧି ଖୋଜି ପାଇନାହିଁ ।

(୧) ବରାଲ୍‌–ହିମାଳୟ ଅଞ୍ଚଳର ପାହାଡ଼ିଆ ମେଣ୍ଢା (Pseudois nayaur)

(୨) ଥାର୍–ହିମାଳୟ ଅଞ୍ଚଳର ଏକଜାତୀୟ ପାହାଡ଼ିଆ ଛେଳି (Hemitragus Jemlahicus)

(୧) ‘କୁମାୟୂଁର ନରଖାଦକ’ ବହିରେ ଘଟଣା ଦୁଇଟି ଉଲ୍ଲିଖିତ ।

 

(ଦୁଇ)

 

ସ୍ଥାନୀୟ ଭାଷାରେ ‘ଦେବୀଧୂରା’ର ଅର୍ଥ ‘ଦେବୀଙ୍କ ପର୍ବତ’ । ଦେବୀଧୂରା ପର୍ବତ ଶିଖରରେ ଦେବୀଙ୍କ ମନ୍ଦିର ଏବଂ ତିନି ବଖରା ଘର ଓ ବାରଣ୍ଡା ବିଶିଷ୍ଟ ଛୋଟ ଗୋଟିଏ ବିଶ୍ରାମଶାଳା । ବିଶ୍ରାମଶାଳା ପାଇଁ ସେଠାରେ ଯିଏ ସ୍ଥାନ ବାଛିଥିଲେ, ତାଙ୍କର ଅତି ଉଚ୍ଚକୋଟୀର ସୌନ୍ଦର୍ଯ୍ୟବୋଧ ନିଶ୍ଚୟ ଥିଲା ବୋଲି ମାନିବାକୁ ପଡ଼ିବ । ବାରଣ୍ଡାତଳୁ ପାହାଡ଼କଡ଼ ତୀଖଭାବେ ତଳକୁ ଗଡ଼ି ପାନାର ନଦୀର ଉପତ୍ୟକା ସହିତ ମିଶିଛି । ଉପତ୍ୟକା ଆରପାଖରୁ ଆରମ୍ଭ ହୋଇଥିବା ଅନ୍ତଃହୀନ ଶୈଳଶ୍ରେଣୀ ହିମାଳୟର ଚିରନ୍ତନ ତୁଷାରକ୍ଷେତ୍ର ମଧ୍ୟରେ ନିଜକୁ ହଜାଇ ଦେଇଛି । ଚିରତୁଷାରାବୃତ୍ତ ଏହି ତୁଙ୍ଗ ପର୍ବତମାଳା ଯୁଗ ଯୁଗ ଧରି ସ୍ୱର୍ଣ୍ଣପ୍ରସୂ ଭାରତକୁ ତା’ର କ୍ଷୁଧାତୁର ଉତ୍ତରତମ ପ୍ରତିବେଶୀମାନଙ୍କ ଲୋଲୁପ ଦୃଷ୍ଟିରୁ ଏକ ଦୁର୍ଭେଦ୍ୟ ପ୍ରାଚୀରରୂପେ ରକ୍ଷାକରିଆସିଛି ।

 

ନୈନିତାଲ୍ କୁମାୟୂଁ ଡିଭିଜନର ସଦର ମହକୁମା I କୁମାୟୂଁର ପୂର୍ବ ସୀମାନ୍ତବର୍ତ୍ତୀ ଲୋହାର ଘାଟ ସବ୍‌ଡିଭିଜନ ସହିତ ନୈନିତାଲ୍‌କୁ ସଂଯୋଗ କରୁଥିବା ଘାଟିରାସ୍ତାର ଗୋଟିଏ ଶାଖା ଦେବୀଧୂରାରୁ ବାହାରି ଆଲମୋଡ଼ା ପର୍ଯ୍ୟନ୍ତ ଲମ୍ବିଛି । ‘ପାନାର୍ ନରଖାଦକ’ର (୧) ସନ୍ଧାନରେ ସେଇ ରାସ୍ତା ଆଖପାଖରେ ଦିନେ ବୁଲୁ ବୁଲୁ ଆଲମୋଡ଼ା ଯାଉଥିବା ଜଣେ ଓଭର୍‌ସିଅର୍‌ଙ୍କ ସହିତ ଦୈବାତ୍‌ ଦେଖା ହୋଇଗଲା । ନରଖାଦକ ପୂର୍ବରାତିରେ ଦେବୀଧୂରାଠାରେ ମଣିଷ ମାରିଛି ବୋଲି ଓଭରସିଅର୍‌ଙ୍କଠାରୁ ଖବର ପାଇ ଘଟଣାଟି ଅନୁସନ୍ଧାନ କରିବାକୁ ସଙ୍ଗେ ସଙ୍ଗେ ଦେବୀଧୂରା ବାହାରିପଡ଼ିଲି ।

 

ପଶ୍ଚିମ ଦିଗରୁ ଯେଉଁ ରାସ୍ତା ଦେଇ ଦେବୀଧୂରା ଯିବାକୁ ପଡ଼େ, କୁମାୟୂଁ ପରି ପର୍ବତମୟ ଅଞ୍ଚଳରେ ମଧ୍ୟ ସେପରି ଢାଲୁରାସ୍ତା ଦେଖିବାକୁ ବିରଳ । ଉଚ୍ଚତା ପ୍ରତି ଦୃଷ୍ଟି ନ ଦେଇ ବାଟ କାଟି ଯେତେ ଶୀଘ୍ର ସମ୍ଭବ ପର୍ବତ ଶୀର୍ଷରେ ଯାଇ ପହଞ୍ଚିଯିବା ରାସ୍ତା ନିର୍ମାତାଙ୍କ ଉଦ୍ଦେଶ୍ୟ ଥିଲା ବୋଧହୁଏ । କେଉଁଠି ଗୋଟିଏ ହେଲେ ବାଙ୍କ ବା ମୋଡ଼ ନ ରଖି ରାସ୍ତାଟିକୁ ସେ ସିଧାସଳଖ ଆଠ ହଜାର ଫୁଟି ଉଚ୍ଚ ତୀଖ ପର୍ବତକୁ ଉଠାଇ ନେଇଥାଆନ୍ତି । ଅପ୍ରେଲ ମାସର ଉଦୁଉଦିଆ ଖରାବେଳେ ଏହି ରାସ୍ତାରେ ଚଢ଼ି ଦେବୀଧୂରା ବିଶ୍ରାମଶାଳାରେ ପହଞ୍ଚିବାବେଳକୁ ମୁଁ ପୂରା ବେଦମ୍ ହୋଇଗଲି । ବିଶ୍ରାମଶାଳା ବାରଣ୍ଡାରେ ବସି ଢେର୍‌ ଗୁଡ଼ାଏ ଚାହା ପିଇ ଟିକିଏ ସାଷ୍ଟମ ହେବାପରେ ଯାଇ ସେଠାକାର ଦୃଶ୍ୟ ପ୍ରତି ଦୃଷ୍ଟି ଦେବାକୁ ମନ ବଳିଲା ।

 

(୧) ପାନାର୍‌ର ମଣିଷଖିଆ ଚିତାବାଘ । ଏ ବହିର ତୃତୀୟ ପରିଚ୍ଛେଦରେ ତା’ ବିଷୟ ବର୍ଣ୍ଣନା କରାଯାଇଛି–ଅନୁବାଦକ ।

 

ବିଶ୍ରାମଶାଳାରୁ ଅଳ୍ପ ଦୂରରେ ରାସ୍ତା ଆରପାଖରେ ଦେବୀଙ୍କ ମନ୍ଦିର । ତୀଖ ପାହାଡ଼ର ଚୂଡ଼ା ପାଖରେ ମନ୍ଦିରଟି ତୋଳିବାର ଅଭିପ୍ରାୟ କ’ଣ ଥିଲା, ଅନୁମାନ କରିପାରୁନି । ସେ ଯାହାହେଉ, ଦୁଇବର୍ଷ ତଳେ ‘ଚମ୍ପାବତ୍‌ ନରଖାଦକ’ ସନ୍ଧାନରେ ମୁଁ ଏଇ ବାଟେ ଥରେ ଯାଇଥିଲି (୧) ଓ ସେତିକିବେଳେ ମନ୍ଦିରର ବୁଢ଼ା ବ୍ରାହ୍ମଣ ପୂଝାରିଙ୍କ ସହିତ ବନ୍ଧୁତା ଜମି ଉଠିଥିଲା । ଅଳ୍ପସମୟ ତଳେ ମୁଁ ମନ୍ଦିର ସାମନା ଦେଇ ଆସିଲାବେଳେ ବୁଢ଼ା ଠାକୁରାଣୀଙ୍କ ପାଖରେ ପୂଜାରେ ବସିଥିଲେ । ପୂଜାରେ ବ୍ୟାଘାତ ନ ଘଟାଇ କେବଳ ଠାକୁରାଣୀଙ୍କ ପାଇଁ ବାରଣ୍ଡାରେ ଭୋଗ କିଛି ଥୋଇ ଦେଇଥିଲି ଓ ବ୍ରାହ୍ମଣ ମୁଣ୍ଡ ହଲାଇ ନୀରବରେ ପ୍ରାପ୍ତି ସ୍ଵୀକାର କରିଥିଲେ । ମନ୍ଦିରର ନୀତି ବଢ଼ିବା ପରେ ବୁଢ଼ା ରାସ୍ତା ପାରହୋଇ ବିଶ୍ରାମଶାଳାକୁ ଆସିଲେ ଓ ମୋ ସିଗାରେଟ୍‌ରୁ ଖଣ୍ଡିଏ ଗ୍ରହଣକରି ବାରଣ୍ଡାରେ କାନ୍ଥକୁ ଆଉଜି ବସି କଥାବାର୍ତ୍ତା ଆରମ୍ଭ କଲେ । ଶାନ୍ତ ସହଜ ଜୀବନରେ ତାଙ୍କର ସମୟର ଅଭାବ ନ ଥାଏ । ମୁଣ୍ଡଫଟା ଖରାରେ ସାରାଦିନ ପାହାଡ଼ ଚଢ଼ି ଚଢ଼ି ମୁଁ ବି ଖୁବ୍ ଥକି ଯାଇଥିଲି । ଦୁହେଁ ନିଶ୍ଚଳ ହୋଇ ବସି ସିଗାରେଟ୍ ଟାଣିଲୁ ଓ କଥାବାର୍ତ୍ତା ହେଲୁ । ନାନା ବିଷୟରେ ଦୁଃଖସୁଖ ହେଉ ହେଉ ଢେର୍‌ ରାତି ହୋଇଗଲା ।

 

ଚିତାବାଘ ସେଠାରେ ମଣିଷ ମାରିଥିବା ଖବରଟି ଭୁଲ୍ ବୋଲି ବ୍ରାହ୍ମଣଙ୍କଠାରୁ ଶୁଣିଲି । ଅସଲରେ ଚିତାବାଘ ପୂର୍ବରାତିରେ ମନ୍ଦିର ବେଢ଼ା ଭିତରେ ଜଣେ ମଇଁଷାଳକୁ ଆକ୍ରମଣ କରିଥିଲା; କିନ୍ତୁ ଶେଷ ସୁଦ୍ଧା ତାକୁ ମାରି ନ ପାରି ସେଠାରୁ ପଳାଇଥିଲା । ଦେବୀଧୂରା ଦକ୍ଷିଣପାଖ ଗୋଟିଏ ଗାଁରେ ମଇଁଷାଳର ଘର । ଆଲମୋଡ଼ାରୁ ଗାଁକୁ ଯିବା ବାଟରେ ସେ ମନ୍ଦିରରେ ରାତିଏ ରହିଥିଲା । ଖିଆପିଆ ସାରି ମନ୍ଦିରବେଢ଼ା ଭିତରେ ନିଆଁ ଜାଳି ଲୋକଟି ଖୋଲା ଚଉତରାରେ ପଦାରେ ଶୋଇଲା; ବୁଢ଼ା ଯେତେ ମନା କଲେ ବି ମାନିଲା ନାହିଁ । ରାତି ଅଧରେ ପାହାଡ଼ର ଛାଇ ମନ୍ଦିର ଉପରକୁ ମାଡ଼ିଯିବା ପରେ ନରଖାଦକ ଅନ୍ଧାରରେ ଛପି ଛପି ଆସି ବେଢ଼ା ଭିତରେ ପଶିଲା ଓ ମଇଁଷାଳର ବଳାଗଣ୍ଠି କାମୁଡ଼ି ଧରି ତାକୁ ଘୋଷାରି ନେବାକୁ ଚେଷ୍ଟାକଲା । ଲୋକଟି ପ୍ରାଣବିକଳରେ ଚିତ୍କାର କରି ଉଠି ନିଆଁରୁ ଜଳନ୍ତା କାଠ ଖଣ୍ଡିଏ ଓଟାରି ଆଣି ଚିତାବାଘକୁ ବାଡ଼େଇ ହଟାଇଦେଲା । ହୁରିହେମାଳ ଶୁଣି ବ୍ରାହ୍ମଣ ନିଜେ ଓ ପାଖପଡ଼ିଶା କେଇଜଣ ଧାଇଁ ଆସିଲେ ଓ ସମସ୍ତେ ମିଶି ପାଟିତୁଣ୍ଡ କରି ଚିତାବାଘକୁ ଘଉଡ଼ାଇ ଦେଲେ । ମଇଁଷାଳର ବଳାଗଣ୍ଠି ଖଣ୍ଡିଆ ହୋଇଯାଇଥିଲା । ମନ୍ଦିର ପାଖ ଦୋକାନୀ ଘାଆରେ ଠଣୁଠୁଣୁକା ଔଷଧ ଟିକିଏ ଲଗାଇଦେବା ପରେ ଦରଜ ଟିକିଏ ଊଣା ହେଲା ଓ ଲୋକଟି ସକାଳୁ ଉଠି ଗାଁକୁ ବାଟ ଧରିଲା ।

 

ଏସବୁ ଶୁଣିବା ପରେ ଚିତାବାଘ ପାଖରେ କେଉଁଠି ରହୁଥିବ ବୋଲି ସନ୍ଦେହ କରି ଦେବୀଧୂରାରେ କେଇଦିନ ରହିଯିବା ସ୍ଥିର କଲି । ଠାକୁରଙ୍କୁ ଦର୍ଶନ କରିବା ଛଡ଼ା ମନ୍ଦିରପାଖ ବଜାରରୁ ସଉଦା କିଣିବାପାଇଁ ଆଖପାଖ ଗାଁଗଣ୍ଡାରୁ ବହୁଲୋକ ପ୍ରତିଦିନ ଦେବୀଧୂରା ଆସନ୍ତି । ବିଶ୍ରାମଶାଳାରେ ମୁଁ ରହୁଥିବା କଥା ଲୋକମୁଖରେ ଚାରିଆଡ଼େ ପ୍ରଘଟ ହୋଇଗଲେ ନରଖାଦକ ଶିକାର ମାରିବା ଖବର ଅବିଳମ୍ଵେ ମୋ ପାଖରେ ପହଞ୍ଚିଯିବ ବୋଲି ଆଶା ହେଲା ।

 

ଦେବୀଧୂରାରେ ମାଂସ କିଣିବାକୁ ମିଳେନାହିଁ । ମୋ ଲୋକେ ଅନେକ ଦିନରୁ ମାଂସ ଖାଇ ନ ଥାଆନ୍ତି । ପାଖରେ କେଉଁଠି ଶିକାର ମିଳିବା କଥା ବୁଢ଼ାଙ୍କୁ ପଚାରିଲି । ସେତେବେଳକୁ ସଞ୍ଜ ଗଡ଼ିଗଲାଣି; ବୁଢ଼ା ବସାକୁ ଯିବାକୁ ଉଠ ଉଠ ହେଉଥାଆନ୍ତି । ପ୍ରଶ୍ନର ଉତ୍ତର ଦେଇ କଥାଲହସରେ ସେ କହିଲେ, ‘‘ଶିକାର ଭିତରେ ଆମ ‘ମନ୍ଦିରର ବାଘ’ ବି ତ ଏଇଠି ଅଛି ।’’ ଦେବୀଙ୍କ ଶରଣାଗତ ତାଙ୍କ ‘ମନ୍ଦିରର ବାଘ’ର ମୁଁ କିଛି ଅନିଷ୍ଟ କରିବି ନାହିଁ ବୋଲି କହିବାରୁ ବୁଢ଼ା ହସିଉଠି ଉତ୍ତର ଦେଲେ, ‘‘ଚେଷ୍ଟା କରିବାକୁ ଆପଣଙ୍କୁ ମନା ନାହିଁ ସାହେବ ! କିନ୍ତୁ ଆପଣ ବା ଆଉ କେହି ସେ ବାଘକୁ ମାରିପାରିବେ ନାହିଁ ।”

 

ଦେବୀଧୂରା ‘ମନ୍ଦିରର ବାଘ’ କଥା ସେହିଠାରେ ପ୍ରଥମେ ଶୁଣିଲି । ତାକୁ ମାରିବାକୁ ବହୁବାର ଚେଷ୍ଟା କରି ବାରମ୍ବାର ବିଫଳ ହେବା ସଙ୍ଗେ ସଙ୍ଗେ ଯେଉଁସବୁ ଅଦ୍ଭୁତ ଅନୁଭୂତି ଅଙ୍ଗେ ନିଭାଇବାକୁ ପଡ଼ିଲା, ତାହା ତଳେ ବର୍ଣ୍ଣନା କରୁଛି ।

 

(୧) ‘ଚମ୍ପାବତ୍‌ ନରଖାଦକ’ ସନ୍ଧାନରେ ‘ପାଲି’ ଯିବାବେଳେ କରବେଟ୍ ଦେବୀଧୂରାରେ ରାତିଏ ରହିଥିଲେ । ‘କୁମାୟୂଁ’ର ନରଖାଦକ’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

(ତିନି)

 

ମନ୍ଦିର ବେଢ଼ା ଭିତରୁ ଘଉଡ଼ା ହେବା ପରେ ନରଖାଦକ ଲୋହାରଘାଟ ଆଡ଼େ ପଳାଇଥିଲା । ଦେବୀଧୂରାରେ ପହଞ୍ଚିବା ପରଦିନ ଲେହାରଘାଟ ସଡ଼କପାଖ ଗାଁଗୁଡ଼ିକରେ ବୁଲି ତା’ ବିଷୟରେ ଖବର ସଂଗ୍ରହ କରିବାକୁ ସକାଳୁ ସକାଳୁ ବାହାରି ପଡ଼ିଲି । ଦିନ ଗଡ଼ିଲା ବେଳକୁ ବଙ୍ଗଳାକୁ ଫେରି ଦେଖିଲି ଯେ ସ୍ଥାନୀୟ ଲୋକ ଜଣେ ମୋ ଚାକର ସହିତ କଥାବାର୍ତ୍ତା ହେଉଛି । ଲୋକଟି ଜଣେ ବାଟକଢ଼ାଣିଆ । ମୁଁ ଶିକାର ଖୋଜୁଥିବା କଥା ପୂଜାରୀଙ୍କଠାରୁ ଶୁଣି ଗୋଟିଏ ସମ୍ବର ବିଷୟରେ ଖବର ଦେବାକୁ ସେ ଆସିଥାଏ । (ଏଠାର ପାହାଡ଼ିଆ ଲୋକେ ସମ୍ବରକୁ ‘କଡ଼ାଉ’ କହନ୍ତି ।) ସମ୍ବରଟିର ଆକାର କୁଆଡ଼େ ମସ୍ତବଡ଼; ତା’ ଶିଙ୍ଘ ଦୁଇଟା ପୁଣି ‘ଓକ ଡାଳ’ପରି ଲମ୍ବ ! (ଲମ୍ବ ଶିଙ୍ଘଥିବା ସମ୍ବର ପାହାଡ଼ ପର୍ବତ ଭିତରେ ଅତି କ୍ଵଚିତ୍ ଦେଖାଯାଆନ୍ତି । ତେବେ ନିକଟ ଅତୀତରେ କୁମାୟୂଁର ପାର୍ବତ୍ୟ ଅଞ୍ଚଳରେ ସତଚାଳିଶ ଇଞ୍ଚ ଲମ୍ବ ଶିଙ୍ଘ ଥିବା ପ୍ରକାଣ୍ଡ ସମ୍ବରଟିଏ ମରିଯାଇଥିବା ଖବର ମୁଁ ପାଇଛି ।) ବଡ଼ ସମ୍ବରଟିଏ ମିଳିଗଲେ ଆମ ଚାହିଦା ତୁଲାଇବା ପରେ ବଳକା ମାଂସତକ ଦେବୀ ଧୂରାର ଲୋକଙ୍କୁ ବି ବାଣ୍ଟିହେବ । ଖାଇସାରି ତା’ ସଙ୍ଗରେ ବାହାରିବି କହି ଲୋକଟିକୁ ଅଟକାଇଲି ।

 

କେଇମାସ ତଳେ ଅଳ୍ପ କେତେଦିନ ପାଇଁ କଲିକତା ଯାଇଥିଲି । ଦିନେ ସକାଳେ ସେଠାକାର ପ୍ରସିଦ୍ଧ ବନ୍ଧୁକ ଦୋକାନ ‘ମାନ୍‌ଟନ୍’ କମ୍ପାନୀରେ ପଶିଗଲା ବେଳକୁ କବାଟପାଖ କାଚ ଆଲମାରିରେ ଥିବା ଗୋଟିଏ ନୂଆ ରାଇଫଲ୍ ଉପରେ ନଜର ପଡ଼ିଗଲା । ଦୋକାନର ମ୍ୟାନେଜର ମୋର ବହୁଦିନର ପୁରୁଣା ବନ୍ଧୁ । ମୋତେ ଦେଖି ଭଦ୍ରଲୋକ ପାଖକୁ ଆସି କହିଲେ ଯେ ଅତ୍ୟାଧୁନିକ ଏହି ୨୭୫ ୱେଷ୍ଟଲି-ରିଚାର୍ଡ଼ ରାଇଫଲ୍‌ଟି ନୂଆକରି ଦୋକାନକୁ ଆସିଛି ଓ ତାକୁ ପାର୍ବତ୍ୟ ଅଞ୍ଚଳରେ ଶିକାର ପାଇଁ ପ୍ରଚଳନ କରିବାକୁ ସେମାନେ ଚେଷ୍ଟା ଚଳାଇଛନ୍ତି । ରାଇଫଲ୍‌ଟି ଦେଖି ମୁଁ ଏତେ ଲୋଭେଇ ଯାଇଥିଲି ଯେ ତାକୁ କଣିବାକୁ ମୋତେ ବେଶି ବଳାଇବାକୁ ପଡ଼ିଲା ନାହିଁ । ବ୍ୟବହାର ପରେ ପସନ୍ଦ ନ ହେଲେ ରାଇଫଲ୍‌ଟି ଫେରାଇ ପାରିବି ବୋଲି ମ୍ୟାନେଜର ସର୍ତ୍ତ ଦେଲା ପରେ ସେଇଟିକୁ ମୁଁ ସଙ୍ଗରେ ନେଇ ଆସିଥିଲି । ସେଦିନ ଖିଆପିଆ ସାରି ସେଇ ନୂଆ ରାଇଫଲଟି ନେଇ ବାଟକଢ଼ାଣିଆ ସହିତ ସମ୍ବର ସନ୍ଧାନରେ ବାହାରିପଡ଼ିଲି ।

 

ଦେବୀଧୂରା ପର୍ବତର ଦକ୍ଷିଣପାଖ ଗଡ଼ାଣି ଉତ୍ତରପାଖ ଅପେକ୍ଷା କମ୍ ତୀଖ । ଓକ୍ ଗଛ ଓ ଝାଟିବୁଦାର ଗହଳ ଜଙ୍ଗଲରେ ପଶି ସେଆଡ଼େ ଦୁଇମାଇଲ୍‍ ଯିବା ପରେ ଘାସଭରା ଗୋଟିଏ ଛୋଟ ପଡ଼ିଆରେ ଦୁହେଁ ପହଞ୍ଚିଲୁ । ପାହାଡ଼ ତଳେ ପାନାର୍ ନଦୀର ପ୍ରଶସ୍ତ ଉପତ୍ୟକା । ଉପତ୍ୟକା ବାଁ ପାଖରେ ଜଙ୍ଗଲଘେରା ଛୋଟ ଚକଡ଼ାଏ ଘାସବଣ ଓ ତା’ଠାରୁ ତିନିଶହ ଗଜ ଛଡ଼ାରେ ଗୋଟିଏ ସରୁ ଚଲାବାଟ । ଘାସବଣଟି ଦେଖାଇଦେଇ ଲୋକଟି କହିଲା ଯେ, ସମ୍ବର ସକାଳେ ସଞ୍ଜେ ସେଇଥିରେ ଚରିବାକୁ ଆସେ ଓ ଚଲାବାଟରେ ଦେବୀଧୂରାରୁ ଯିବାଆସିବା କଲାବେଳେ ଘାସବଣରେ ସେ ତାକୁ ବରାବର ଦେଖେ । ନିର୍ମାତାଙ୍କ ସ୍ଵୀକାରୋକ୍ତିକୁ ଯଦି ବିଶ୍ଵାସ କରାଯାଏ ଯେବେ ପାଞ୍ଚଶହ ଗଜ ଦୂରତା ଭିତରେ ନୂଆ ରାଇଫଲ୍‌ଟିର ଲକ୍ଷ୍ୟ ଅଭ୍ରାନ୍ତ । ଚଲାବାଟକୁ ଓହ୍ଲାଇ ଯାଇ ତିନିଶହ ଗଜ ଦୂରରୁ ଏହି ଉକ୍ତିଟିର ସତ୍ୟାସତ୍ୟ ଥରେ ପରୀକ୍ଷା କରିନେବି ବୋଲି ବିଚାରିଲି ।

 

ବାଟକଢ଼ାଣିଆ ସହିତ କଥାବାର୍ତ୍ତା ହେଉ ହେଉ ସାମନା ଓ ବାଁ ପାଖକୁ କିଛ ଦୂରରେ ଜାଗାଏ ଶାଗୁଣାଗୁଡ଼ିଏ ଚକ୍‌କର ମାରୁଥିବା ଲକ୍ଷ୍ୟକଲି । ସେଠାରେ ପାହାଡ଼କନ୍ଦିରେ ଥିବା ଗାଁଟି ଆମ ବାଟରେ ପଡ଼ିବ ଓ ଗାଁକୁ ଗଲେ ଶାଗୁଣା ଉଡ଼ିବାର କାରଣ ବୁଝାଯିବ ବୋଲି ବାଟକଢ଼ାଣିଆ ପ୍ରସ୍ତାବ ଦେଲା । ଖଣ୍ଡେ ବାଟ ଆଗେଇ ଯାଇ ଦୂରରୁ ଦେଖିଲ ସେ କଢ଼ାଣିଆ ଯାହାକୁ ‘ଗାଁ’ବୋଲି କହୁଥିଲା, ପ୍ରକୃତରେ ତାହା ଗୋଟିଏ ମାତ୍ର କୁଡ଼ିଆ ଘର ଓ ତାକୁ ଲାଗି ଛୋଟ ଗୁହାଳଟିଏ । କୁଡ଼ିଆକୁ ଘେରିଥିବା ବଗଡ଼ ବିଲ ମାଣକରୁ ଫସଲ କଟାସରିଥାଏ । ବର୍ଷାଦିନେ ପାଣିସୁଅ ଚାଲି ଘର ଓ ବିଲ ମଝିରେ ଦଶଫୁଟ ଓସାର ନାଳଟିଏ । ନାଳ ଆରପାଖେ ପଡ଼ିଆ ବିଲରେ ଶାଗୁଣାପଲେ ଗୋଟିଏ ବଡ଼ ଜନ୍ତୁର ମଢ଼କୁ ଖୁମ୍ପି ଖାଇବାରେ ଲାଗିଥାଆନ୍ତି ।

 

ଆମେ ପାଖେଇବା ଭିତରେ କୁଡ଼ିଆରୁ ଲୋକ ଜଣେ ବାହାରି ଆସି ନମସ୍କାର କଲା ଓ ଆମେ କିଏ, କେଉଁଠୁ ଆସିଛୁ ଓ କେତେବେଳୁ ଆସିଲୁଣି ବୋଲି ପଚାରିଲା । ପାନାର୍‍ ଚିତାବାଘକୁ ମାରିବାକୁ ମୁଁ ନୈନିତାଲ୍‌ରୁ ଆସିଛି ଶୁଣି ଲୋକଟି କାନ୍ଦ କାନ୍ଦ ହୋଇ କହିଉଠିଲା, ‘‘ଆପଣଙ୍କ ଆସିବା କଥା ମୁଁ ଟିକିଏ ଆଗରୁ ହେଲେ ଜାଣିଥାଆନ୍ତି; ମୋ ଗାଈଟିକୁ କାଲି ରାତିରେ ବାଘ ମାରିଦେଲା । ଟିକିଏ ଆଗରୁ ଆସିଥିଲେ ବାଘଟାକୁ ଆପଣ ସହଜେ ମାରିପାରିଥାଆନ୍ତେ ।”

 

ଲୋକଟିର ସମୁଦାୟ ପନ୍ଦରଟି ଗାଈ । ଗୋବର ଖତ ପାଇବା ଆଶାରେ ଗାଈଗୁଡ଼ିଙ୍କୁ ସେ ରାତିରେ ବିଲମଝିରେ ବାନ୍ଧି ଦେଇଥିଲା । ବାଘ ରାତିରେ ତା’ ପଲରେ ପଶି ଏଇ ଗାଈଟିକୁ ମାରିଦେଲା । ଲୋକଟିର ନିଜର ବନ୍ଧୁକ ନାହିଁ; ବାଘ ମାରିବା ଭଳି ବାଣୁଆ ବି ଆଖପାଖରେ କେହି ନାହାନ୍ତି । ପାଖ ଗାଁରୁ ଚମାର ଡକାଇ ଛାଲ ଉତାରି ଦେବା ପରେ ମଢ଼ଟାକୁ କୁଆଶାଗୁଣା ଖାଇବା ପାଇଁ ଛାଡ଼ିଦେବାକୁ ପଡ଼ିଲା । ମୋ ଆସିବା କଥା ଆଗରୁ ଜାଣିଥିଲେ ମଢ଼କୁ ଅକାରଣ ନଷ୍ଟ ନକରି ବାଘ ମାରିବାପାଇଁ ସାଇତି ରଖିଥାଆନ୍ତା ବୋଲି କହି ଲୋକଟି ବହୁତ ମନସ୍ତାପ କଲା ।

 

ବାଘଭୟ ଥିବା ସତ୍ତ୍ଵେ ସେ ରାତିରେ ଗାଈଗୁଡ଼ିକୁ ପଦାରେ କାହିଁକି ବାନ୍ଧିଲା ବୋଲି ପଚାରିଲି । ଲୋକଟିର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଲାଗିଲା । ସେ କହିଲା ଯେ ଏ ବାଘ ଦେବୀଧୂରା ପର୍ବତରେ ଅନେକଦିନରୁ ରହୁଥିଲେ ସୁଦ୍ଧା ଗାଈଗୋରୁଙ୍କର କିଛି ଅନଷ୍ଟ କରିବା ଆଗରୁ କେବେ ଶୁଣାନଥିଲା ।

 

ସମ୍ବର ମାରିବାକୁ ଆମେ ଉପତ୍ୟକା ଆରପାଖକୁ ଯାଉଛୁ ଶୁଣି ଆଗ ଏ ବାଘକୁ ଶେଷ କରିବାକୁ ଲୋକଟି ନେହୁରା ହେଲା । ବିଚରାଟି କାନ୍ଦୁଣିମାନ୍ଦୁଣି ହୋଇ କହୁଥାଏ, “ମୋର ଏଇ ମାଣକ ବୋଲି ବିଗଡ଼ ଜମି–ସେଥିରେ ଫସଲ ଉଧଉ ନାହିଁ । ପେଟପାଟଣା ପାଇଁ ଏଇ ଗାଈ କେତୋଟି ଭରସା । ବାଘ ଏମିତି ଅହନ୍ତା ସାଧିଲେ ମୋ ପିଲାକବିଲା ଭୋକ-ଉପାସରେ ଗଡ଼ି ମରିଯିବେ ।”

 

ଲୋକଟି ଏସବୁ କହୁଥିବାବେଳେ ସ୍ତ୍ରୀଲୋକ ଜଣେ ପାଣି ଗରାଏ ମୁଣ୍ଡାଇ ପାହାଡ଼ତଳୁ ଘରକୁ ଆସିବା ଦେଖାଗଲା । ପଛରେ ତା’ର ଆଠବର୍ଷର ଝିଅଟିଏ ଘାସ ଗୋଛାଏ ମୁଣ୍ଡାଇଥାଏ । ସବା ପଛରେ ଛଅବର୍ଷର ଛୋଟ ପୁଅଟି; ତା’ ମୁଣ୍ଡରେ ବି ଶୁଖିଲା ଡାଙ୍ଗବିଡ଼ାଏ । ଏଇ ହେଲା ଏମାନଙ୍କର ଜୀବନ, ଅନ୍ନସଂସ୍ଥାନ ଓ ଜୀବନ ଧାରଣପାଇଁ ଅନୁର୍ବର ମାଣେ ବଗଡ଼ ବିଲ ଓ ଗାଈ କେତୋଟିଙ୍କ ଉପରେ ନିର୍ଭର । ପାହାଡ଼ିଆ ଗାଈ ବେଶି ଦୁଧ ଦିଅନ୍ତି ନାହିଁ; ଅଳ୍ପାଅଳ୍ପି ଯେତିକି ଦୁଧ ଆଦାୟ ହୁଏ ତାହା ଦେବୀଧୂରା ବଜାରରେ ଦୋକାନୀଙ୍କୁ ବିକି ସେମାନେ ଯଥାତଥା ଗୁଜୁରାଣ ମେଣ୍ଟାନ୍ତି । ସାମାନ୍ୟ ତା’ର ସର୍ବସ୍ଵ ଏଇ ଗାଈ କେତୋଟିଙ୍କୁ ରକ୍ଷା କରିବାକୁ ଲୋକଟି ଯେପରି ବିକଳ ହୋଇ ଅନୁନୟ କରୁଥାଏ, ତାହା ମୋ ଅନ୍ତରକୁ ଅତି ଗଭୀରଭାବେ ସ୍ପର୍ଶ କଲା ।

 

ଗାଈଟିକୁ ମାରି ରାତି ଭିତରେ ବାଘ ବିନା ବାଧାରେ ପେଟ ପୂରାଇ ମାଂସ ଖାଇଥିଲା । ଆଖପାଖରେ ଆଢ଼ୁଆଳ ଦେବା ପରି ଲଟାବୁଦା ନ ଥିବାରୁ ସକାଳ ପାହିବା ପରେ ସେ ଦୂରକୁ ଅପସରି ଯାଇଥିବ ଓ ଶାଗୁଣା ପଡ଼ି ତା’ ଶିକାରକୁ ଶେଷ କରିଦେବା ଲକ୍ଷ୍ୟ କରିନଥିବ । ତେଣୁ ରାତିରେ ସେ ମଢ଼ ପାଖକୁ ପୁଣି ଫେରିବାର ଯଥେଷ୍ଟ ସମ୍ଭାବନା । ସେ ଭିତରେ ଘରବାଲା ସହିତ ସ୍ଵର ମିଶାଇ ବାଟକଢ଼ାଣିଆ ମଧ୍ୟ ବାଘ ମାରିବା ପାଇଁ ମୋତେ ପ୍ରବର୍ତ୍ତାଇବାକୁ ଲାଗିଲା । ଅଗତ୍ୟା ସମ୍ବର କଥା ପଛକୁ ରଖି ବାଘ ମାରିବାକୁ ଉପାୟ ଖୋଜିଲି ।

 

ମଢ଼ ପାଖରେ ସୁବିଧାରେ ବସିବା ଭଳି ଗଛଟିଏ ନ ଥିବାରୁ ବାଘର ବାଟ ଜଗିବାକୁ ଠିକ୍ କଲି । ଲୋକ ଦୁହିଁଙ୍କୁ ସେଠାରେ ବସାଇ ଦେଇ ବାଘର ଯିବା ବାଟଟିକୁ ପ୍ରଥମେ ଠାବ କରିବାରେ ମନଦେଲି । ପାହାଡ଼ କଡ଼ସାରା ଅସଂଖ୍ୟ ଗୋରୁଦାଣ୍ଡି; କିନ୍ତୁ ମଟାଳ ଭୂଇଁରେ ସେଥିରୁ ପାହୁଲ ଦାଗ ବାରି ହେଲା ନାହିଁ । ଘର ଚାରିପଟେ ଦୁଇଘେରା ବୁଲିବା ପରେ ନାଳରେ ପଶି ଦେଖିଲି ଯେ ଜାଗାଏ ଓଦା ନରମ ମାଟିରେ ଗୋଟିଏ ପ୍ରକାଣ୍ଡ ପୁରୁଷ ମହାବଳବାଘର ପାହୁଲ ଦାଗ ପଡ଼ିଛି । ବାଘ ଗଲାବେଳେ ନାଳବାଟେ ଯାଇଥିବାରୁ ଶିକାର ପାଖକୁ ସେ ସେଇବାଟେ ଫେରିବା କଥା । ଘରଠାରୁ ପ୍ରାୟ ତିରିଶ ଗଜ ଛଡ଼ାରେ ଖୁବ୍ ଗଣ୍ଠିଆଳ ଓ ରୁଗୁଡ଼ିଆ ଓକ୍ ଗଛଟିଏ ବନ୍ଧଉପରୁ ନାଳଆଡ଼କୁ ନଇଁ ଆସିଥିଲା । ବଣ ଗୋଲାପ ଲଟାର ଜଟାଳିଆ ଝୋପଟିଏ ଗଛଟିକୁ ଚାରିପଟେ ଘେରି ପ୍ରାୟ ଘୋଡ଼ାଇ ପକାଇଥାଏ । ଲଟାପତ୍ର ଆଢ଼ୁଆଳରେ ନୁଆଁଣିଆ ଗଛଟି ଉପରେ ବେଶ୍ ସୁବିଧାରେ ବସିହେବ ବୋଲି ମନେହେଲା ।

 

ସମ୍ବର ମାରିବା ପାଇଁ ହାଲୁକା ରାଇଫଲ୍ ଧରି ବାହାରିଲାବେଳେ ବାଘ ଶିକାର ପାଇଁ ମୌକା ଯୁଟିଯିବ ବୋଲି ଭାବିନଥିଲି । ମୋର ଦୁଇନଳିଆ ୫୦୦ ଏକସପ୍ରେସ୍ ରାଇଫଲ୍‌ଟି ବିଶ୍ରାମଶାଳାରେ ଛାଡ଼ି ଆସିଥିଲି । ପରବର୍ତ୍ତିତ କର୍‌ଡାଇଟ୍ ବ୍ୟବହୃତ ହେଉଥିବା ସେହି ଓଜନଦାର ରାଇଫଲ୍ ବାଘ ଶିକାର ପାଇଁ ପ୍ରକୃଷ୍ଟ ଅସ୍ତ୍ର । ରାଇଫଲ୍‌ଟି ଆଣିବାକୁ ମୋତେ ଦେବୀଧୂରା ଫେରିବାକୁ ପଡ଼ିବ ବୋଲି କହିବାରୁ ବାଟକଢ଼ାଣିଆ ନିଜେ ଯାଇ ରାଇଫଲ୍ ଆଣିବାକୁ ଆଗୁସାର ହୋଇ ବାହାରିଲା । ରାଇଫଲ୍ କଥା ଭଲଭାବେ ବୁଝାଇ ସୁଝାଇ ତାକୁ ବିଦା କରିବା ପରେ କୁଡ଼ିଆ ଦୁଆରମୁହଁରେ ବସି ଘରବାଲା ସହିତ ଦୁଃଖସୁଖ ହେଲି । ଚୁଲି ଚାଳ ଖଣ୍ଡିକ ସମ୍ଭାଳି ରଖିବା ପାଇଁ ବହୁ ପ୍ରାକୃତିକ ବାଧାବିଘ୍ନ ଓ ବନ୍ୟଜନ୍ତୁଙ୍କ ଉପଦ୍ରବ ବିରୁଦ୍ଧରେ ତା’ର ଆଜୀବନ ସଂଗ୍ରାମର କାହାଣୀ ବିଚାରାଟି ଗଭୀର ଦୁଃଖର ସହିତ ବୟାନ କରିବାକୁ ଲଗିଲା । ଏ ଅପନ୍ତରାରୁ ଅନ୍ୟ କେଉଁଠାକୁ ଉଠିଯିବାକୁ ମୁଁ କଥା ପ୍ରସଙ୍ଗରେ ପ୍ରସ୍ତାବ ଦେବାରୁ ଲୋକଟି କିନ୍ତୁ ଅତି ସହଜଭାବେ ଉତ୍ତର ଦେଲା, “ଏଠୁ ଉଠିଯିବି କେମିତି ? ଇଏ ପରା ମୋର ଘର !”

 

ଦିନ ରତରତ ହେଲାବେଳକୁ ବାଲା ସିଂଙ୍କୁ ସଙ୍ଗରେ (୧) ନେଇ ବାଟକଢ଼ାଣିଆ ଦେବୀଧୂରାରୁ ଫେରିଲା । ପାହାଡ଼ରୁ ଦୁହେଁ ଗଡ଼ିଲାବେଳକୁ ଦୂରରୁ ଲକ୍ଷ୍ୟକଲି ଯେ ସେମାନେ ରାଇଫଲଟି ଆଣିନାହାନ୍ତି । ବାଟକଢାଣିଆ ଖାଲି ହାତରେ ଚାଲିଥାଏ । ବାଲା ସିଂ ହାତରେ କେବଳ ଲଣ୍ଠନଟିଏ । ପାଖକୁ ଆସି ବାଲା ସିଂ କହିଲା ଯେ ୫୦୦ ରାଇଫଲ୍‌ର ଗୁଳିତକ ବାକ୍‌ସରେ ରହି ତାଲା ପଡ଼ିଛି । ଚାବି ମୁଁ ପଠାଇନଥିଲି । ତେଣୁ ଗୁଳି କାଢ଼ିନପାରି ଅଗତ୍ୟା ରାଇଫଲ୍‌କୁ ସେ ବିଶ୍ରାମଶାଳାରେ ଛାଡ଼ି ଦେଇ ଆସିଲା ।

 

ଏଭଳି ପରିସ୍ଥିତିରେ ନୂଆ ରାଇଫଲ୍‌ଟିର ପ୍ରଥମ ପରୀକ୍ଷା ବାଘ ଶିକାରରେ ହିଁ କରିବାକୁ ବାଧ୍ୟ ହେଲି । ପରସ୍ଥିତକୁ ମନେ ମନେ ତଉଲି ନେଇ ଭାବିଲି ନୂଆ ରାଇଫଲ୍‌ଟିକୁ ଅନୁକୂଳ କରିବା ପାଇଁ ବାଘ ଶିକାର ଅପେକ୍ଷା ଶୁଭ ଯୋଗ ଆଉ କ’ଣ ବା ହୋଇପାରେ ?

 

ଗଛରେ ବସିବା ପୂର୍ବରୁ ଘରବାଲାକୁ ତାଗିଦ୍ କରି କହିଲି ଯେ ରୋଷେଇବାସ ବନ୍ଦ କରି ସେମାନେ ଘରେ ତୁନି ହୋଇ ରହିବେ । ବଶେଷ କରି ଛୋଟ ପିଲା ଦୁଇଟି ତୁନି ରହିବା ଉପରେ ମୋର ସଫଳ ହେବା ନ ହେବା ପୂରାପୂରି ନିର୍ଭର କରୁଥାଏ । ବାଘ ମଲା ପରେ କିମ୍ବା ବାଘ ଆସିବ ନାହିଁ ବୋଲି ମୁଁ ନିଜେ ତାଙ୍କୁ ଜଣାଇ ଦେବା ପରେ ସ୍ତ୍ରୀ ତା’ର ରୋଷେଇବାସ ଆରମ୍ଭ କରିବ । ବାଲା ସିଂକୁ ବି ତାଙ୍କ ପାଖରେ ରଖାଇ ଦେଇ କହିଗଲି ଯେ ଘରର ସମସ୍ତଙ୍କୁ ତୁନି କରାଇବା ଛଡ଼ା ମୋ’ଠାରୁ ସଂକେତ ଶୁଣିବାକୁ ସେ କାନ ଡେରିଥିବ ଓ ମୋ ସିଟି ଶୁଣିବା ମାତ୍ରେ ଲଣ୍ଠନ ଲଗାଇ ପରବର୍ତ୍ତୀ ନର୍ଦ୍ଦେଶ ପାଇଁ ଅପେକ୍ଷା କରିବ ।

 

ସୂର୍ଯ୍ୟ ଅସ୍ତ ଗଲେ । ଉପତ୍ୟକା ଭିତରୁ ପକ୍ଷୀଙ୍କର ସାନ୍ଧ୍ୟ କଲରବ କ୍ରମେ କ୍ଷୀଣ ହୋଇ ଶେଷରେ ସ୍ତବ୍‌ଧ ହୋଇଗଲା । ସନ୍ଧ୍ୟା ଘନେଇ ଆସିବା ସଙ୍ଗେ ପାହାଡ଼ ଉପରୁ କାଳପେଚାଟିଏ ରାବିବାକୁ ଆରମ୍ଭ କଲା । ମୁହଁ ସଞ୍ଜଠାରୁ ଜହ୍ନ ଉଇଁବା ପର୍ଯ୍ୟନ୍ତ ଯେତିକି ସମୟ ଅଧ୍ୟ ଆଲୁଅ ଅଧା ଅନ୍ଧାର ରହିବ, ବାଘ ତାହାରି ଭିତରେ ଆସିବାର ବେଶି ସମ୍ଭାବନା । କୁଡ଼ିଆଟି ଅନ୍ଧାର; ଭିତରେ ତା’ର ସମ୍ପୂର୍ଣ୍ଣ ନୀରବତା । ରାଇଫଲ୍‌ଟିକୁ ଶକ୍ତ ଭାବେ ମୁଠାଇ ଧରି ବାଘ ଆସିବାର ସାମାନ୍ୟ ସୂଚନା ପାଇଁ ମୁଁ ତୀକ୍ଷ୍‌ଣ ଦୃଷ୍ଟିରେ ତଳକୁ ଅନାଇବସିଥାଏ । ଏତିକିବେଳେ ମଢ଼ ପାଖରୁ ବାଘ ଘାଉଁକରି ଥରେ ଗର୍ଜିଉଠି ଜଣାଇଦେଲା ସେ ଗଛମୂଳରୁ ଆଡ଼େଇ ହୋଇ ମୋ ଅଲକ୍ଷ୍ୟରେ କେତେବେଳେ ସେ ଶିକାର ପାଖରେ ଆସି ପହଞ୍ଚିଗଲାଣି । ଶାଗୁଣା ପଲକ ମଢ଼ ଦେହରେ ପଳେ ହେଲେ ମାଂସ ବି ଛାଡ଼ି ନଥାନ୍ତି । ଶିକାରର ଏ ଦୁରବସ୍ଥା ଦେଖି ବାଘ ଅସ୍ପଷ୍ଟ ଅନୁଚ୍ଚସ୍ଵରରେ ଯେପରି ଘାଉଁ ଘାଉଁ ହେବାକୁ ଲାଗିଲା, ମନେହେଲା ସତେ ଯେପରି ଶାଗୁଣାଗୁଡ଼ିକୁ ସେ କ୍ରମାଗତ ଭାବରେ ଅଭିଶାପ ଦେଇ ଚାଲିଛି । ତା’ ଅଭିଶାପ ଶୁଣିବାକୁ ଶାଗୁଣା କିନ୍ତୁ ସେଠାରେ ନଥିଲେ । ମାଂସତକ ଶେଷକରି ମଢ଼ ଉପରେ ମଳତ୍ୟାଗ କରି ବାଘ ଆସିବାର ଅନ୍ତତଃ ଦୁଇ ଘଣ୍ଟା ଆଗରୁ ସେମାନେ ଅପସରି ଯାଇଥାନ୍ତି । ଦୁଇ ତିନି ମିନଟ୍ ଯାଏଁ ଶାଗୁଣାଙ୍କ ବିରୁଦ୍ଧରେ ଅନବରତ ଅଭିଯୋଗ ଶୁଣାଇବାପରେ ବାଘ ଶେଷରେ ତୁନି ହୋଇଗଲା ।

 

ସେତେବେଳକୁ ପାହାଡ଼ ପଛରୁ ଜହ୍ନ ଉଇଁ ଆକାଶ କ୍ରମେ ଉଜ୍ଜ୍ୱଳ ହୋଇଉଠୁଥିଲା । କେଇମିନିଟ୍ ଭିତରେ ଜହ୍ନ ପାହାଡ଼ ଚୂଡ଼ା ଡେଇଁଯିବା ପରେ ଚାରିଆଡ଼େ ଜ୍ୟୋତ୍ସ୍ନାର ଉଜ୍ଜ୍ୱଳ ଲହରୀ ଖେଳିଗଲା । ଗାଈର ହାଡ଼ଗୁଡ଼ିକ ଗୋଟି ଗୋଟି ହୋଇ ସ୍ପଷ୍ଟ ଦେଖାଗଲ; କିନ୍ତୁ ବାଘକୁ କେଉଁଠି ଦେଖିଲି ନାହିଁ । ଉତ୍କଣ୍ଠିତ ଦୀର୍ଘ ଅପେକ୍ଷା ପରେ ବି ବାଘକୁ ଦେଖି ନ ପାରି ଶୁଖିଲା ଓଠ ଉପରେ ଥରେ ଜିଭ ବୁଲାଇ ନେଇ ଅତି ସନ୍ତର୍ପଣରେ ଧୀରେ ଧୀରେ ସିଟି ମାରିଲି । ବାଲା ସିଂ ମୋ ସଙ୍କେତକୁ କାନ ଡେରି ରହିଥିଲା । ସଙ୍ଗେ ସଙ୍ଗେ ଲଣ୍ଠଣ ଲଗାଇବାକୁ ଚୁଲିରୁ ସେ ନିଆଁ ମାଗୁଥିବା ମୋତେ ଶୁଣାଗଲା । ଦଦରା କୁଡ଼ିଆଟିର ଝାଟିମାଟି କାନ୍ଥର ଅସଂଖ୍ୟ ଫାଙ୍କ ଓ ଫାଟବାଟେ ଫୁଟି ଦିଶୁଥିବା ଆଲୁଅରୁ ବାଲା ସିଂର କାର୍ଯ୍ୟକଳାପ ମୁଁ ଲକ୍ଷ୍ୟ କରୁଥାଏ । ଲଣ୍ଠଣ ଲଗାଇ ତେଜିଦେବା ପରେ ସେ ଦୁଆରମୁହଁକୁ ଆସି ମୋ ନର୍ଦ୍ଦେଶ ଅପେକ୍ଷାରେ କବାଟ ମେଲାଇ ଛିଡ଼ା ହୋଇଗଲା । ଗଛରେ ବସିବା ପରଠାରୁ ସେଇ ଥରଟିଏ ସିଟି ମାରିବାଛଡ଼ା ମୁଁ ଶବ୍ଦ କିଛି କରିନଥିଲି । ହଠାତ୍ ଏତିକିବେଳେ ତଳକୁ ଥରେ ଅନାଇ ଦେଇ ଦେଖିଲି, ବାଘ ସେ ଭିତରେ ନିଃଶବ୍ଦରେ କେତେବେଳେ ଗଛମୂଳକୁ ଫେରିଆସି ଡାହାଣକୁ ବୁଲି ବାଲ ସିଂକୁ ଅନାଇ ଛିଡ଼ା ହୋଇଛି ।

 

ଉଜ୍ଜ୍ୱଳ ଜହ୍ନ ଆଲୁଅରେ ବାଘକୁ ମୁଁ ସ୍ପଷ୍ଟ ଦେଖିପାରୁଥାଏ । ତା’ ମୁଣ୍ଡ ଥାଏ ରାଇଫଲ୍ ମୁହଁରୁ ମୋଟେ ପାଞ୍ଚଫୁଟ ଛଡ଼ାରେ । ରାଇଫଲ୍‌ର ଧଳା ମାଛଟି ବାଘର ହୃତ୍‌ପିଣ୍ଡ ଆଡ଼କୁ ଏମିତି ନିର୍ଭୁଲ ଭାବେ ମୁହାଁଇଥାଏ ଯେ ଘୋଡ଼ା ଟିପିଦେବା ମାତ୍ରେ ବାଘର ଦଫା ରଫା ହୋଇଯିବା ଅତି ନିଶ୍ଚିତ କଥା । ବାଘକୁ ମାରିଦେବା ବିଷୟରେ ଆସ୍ଥା ମୋର ଏତେ ବଢ଼ିଯାଇଥିଲା ଯେ ଏତେ ପାଖରୁ ଗୁଳି କଲେ ବାରୁଦ ଛିଟିକାରେ ଚମଟା କାଳେ ନଷ୍ଟ ହୋଇଯିବ–ଏ ଆଶଙ୍କା ମଧ୍ୟ ମନକୁ କ୍ଷଣକ ପାଇଁ ଅସ୍ପଟଭାବେ ଛୁଇଁଯାଇଥିଲା । ସେ ଯାହାହେଉ, ଘଡ଼ିସନ୍ଧି ମୁହୂର୍ତ୍ତରେ ଆଉ ପୂର୍ବାପରର ବିଚାର ନକରି ବାଘ ନିଶ୍ଚୟ ମରିବ ବୋଲି ପୂର୍ଣ୍ଣବିଶ୍ଵାସରେ ରାଇଫଲର ଘୋଡ଼ା ଟିପିଦେଲି ।

 

କିନ୍ତୁ ଏ କ’ଣ? ଆଙ୍ଗୁଳି ଚାପରେ ଘୋଡ଼ା ସହଜରେ ଦବିଗଲା; କିନ୍ତୁ ରାଇଫଲ୍ ତ ଫୁଟିଲା ନାହିଁ ! ମାଗାଜିନରେ ପାଞ୍ଚଟି ଗୁଳି ଭରିବା କଥା ସ୍ପଷ୍ଟ ମନେ ଥିଲା । ତା’ହେଲେ କ’ଣ ବୋଲ୍‌ଟ୍ ଠେଲିଦେବା ପରେ ବି ଗୁଳି ଚେମ୍ବର୍‌କୁ ଯାଇନାହିଁ ? ନୂଆ ରାଇଫଲ୍ ବ୍ୟବହାର କରିବା ପୂର୍ବରୁ ଗୁଳି ଠିକ୍ ଭାବେ ଚେମ୍ବରରେ ପଶିଛି କି ନାହିଁ ଥରେ ପରଖି ନେବା ନିହାତି ଉଚିତ ଥିଲା । ଅସାବଧାନତା ପାଇଁ ନିଜକୁ ତିରସ୍କାର କରିବା ଛଡ଼ା ସେତେବେଳେ ଆଉ କିଛି କରିବାର ଉପାୟ ଦେଖିଲି ନାହିଁ । ଇଏତ ପୁରୁଣା ରାଇଫଲ୍ ନୁହେଁ ଯେ ଘଷରା ଚିକ୍‌କଣ ବୋଲ୍‌ଟ୍‌କୁ ନିଃଶବ୍ଦରେ ଖୋଲି ଚେମ୍ବର୍‌କୁ ପରୀକ୍ଷା କରିହେବ । ଏଣେ କିଛି ନକରି ନିଶ୍ଚଳ ହୋଇ କେତେକେ ବସିହୁଏ ? ବୋଲ୍‌ଟ୍‍ ଚଳାଇବା ପାଇଁ ଲିଭର୍‌କୁ ଅତି ସାବଧାନରେ ଟେକୁ ଟେକୁ ହଠାତ୍ ଟକ୍ କରି ଶବ୍ଦଟିଏ ହେଲା । ବାଘ ସେତିକିରେ ଚମକି ଉଠି କୁଦାକେ ବନ୍ଧ ପାର ହୋଇ ଆଖିପିଛଡ଼ାକେ କୂଆଡ଼େ ଲୁଚିଗଲା । ବାଘକୁ ହଠାତ୍ ସାମନାରେ ଦେଖି ବାଲ ସିଂହ ମଧ୍ୟ ଅତର୍ଚ୍ଛରେ ପଛକୁ ଡିଆଁଟାଏ ମାରି ଧଡ଼୍ କରି କବାଟ ପକାଇଦେଲା ।

 

ନୀରବତା ରକ୍ଷାକରିବା ଆଉ ଦରକାର ନ ଥିଲା । ବାଲ ସିଂକୁ ପାଖକୁ ଡାକିଲି । ମୋତେ ଧରାଧରି କରି ଗଛରୁ ଓହ୍ଲାଇବାକୁ ସେ ସାହାଯ୍ୟ କଲା । ଗୁଳିତକ ଖଲାସ କରିବା ପାଇଁ ରାଇଫଲ୍ ଖୋଲିଦେବା ମାତ୍ରେ ଗୁଳି ଚେମ୍ବରରେ ଠିକ୍ ଜାଗାରେ ରହିଛି ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ସବୁ ଠିକ୍ ଥାଇ ମଧ୍ୟ ରାଇଫଲ କାହିଁକି ଫଏର ନ ହେଲା–ବାଉଳା ହୋଇ ଏହାର କାରଣ ଖୋଜୁ ଖୋଜୁ ମାନ୍‌ଟନ୍ କମ୍ପାନୀ ମ୍ୟାନେଜରଙ୍କ ନିର୍ଦ୍ଦେଶ ହଠାତ୍ ମନେପଡ଼ିଗଲା । ରାଇଫଲ୍‌ଟିକୁ ବ୍ୟବହାର କରିବାର ପଦ୍ଧତି ମୋତେ ଦେଖାଇ ସାରି ସେ ବୁଝାଇ କହିଥିଲେ ଯେ ତାକୁ ଫଏର କରିବାପାଇଁ ଘୋଡ଼ାକୁ ପରେ ପରେ ଦୁଇଥର ଚାପିବାକୁ ପଡ଼େ । ପ୍ରଥମ ଚାପରେ ଘୋଡ଼ାଟି ହୁଗୁଳାରେ ପଛାଇ ଯାଏ; ଦ୍ଵିତୀୟ ଚାପରେ ଯାଇ ଗୁଳିଫଏର ହୁଏ । ଏଭଳି ଉନ୍ନତ ଅତ୍ୟାଧୁନିକ ରାଇଫଲ୍ ବ୍ୟବହାର କରିବାରେ ଅନୁଭୂତି ନ ଥିବାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଅସଲ କଥାଟି ମୋର ମନେପଡ଼ିଲା ନାହିଁ ।

 

ରାଇଫଲ୍ ଚଳାଇ ନ ଜାଣି ବାଘ ମାରିପାରିଲିନାହିଁ ବୋଲି ବାଲା ସିଂକୁ କହିଲି । ନିଜ ଉପରକୁ ଦୋଷ ଟାଣିନେଇ ବାଲ ସିଂ ଓଲଟି ଦୁଃଖ କଲା ଯେ ତାହାରି ଯୋଗୁଁ ହିଁ ସବୁ ବିଭ୍ରାଟ ଘଟିଲା । ସେ ବୁଦ୍ଧି କରି ୫୦୦ ରାଇଫଲ୍‌ଟି ସହିତ ଗୁଳି ବାକ୍‌ସଟିକୁ ମୁଣ୍ଡାଇ ଆଣିଥିଲେ ମୁଁ ତାଲା ଖୋଲି ଗୁଳି ବାହାର କରି ରଇଫଲ୍‌ଟିକୁ ବ୍ୟବହାର କରିପାରିଥାନ୍ତି । ବାଲା ସିଂର ଏ ତର୍ଜମା ସେତେବେଳେ ମୋ ମନକୁ ବେଶ୍ ପାଇଥିଲା ଓ ରାଇଫଲ୍ ସହିତ ଗୁଳି ବାକସ୍‍ଟି ସେ ନେଇ ଆସିଥିଲେ ଏ ଦୁର୍ଯୋଗ ଘଟି ନଥାନ୍ତା ବୋଲି ଭାବିଥିଲି । କିନ୍ତୁ ମନ୍ଦିରର ବାଘ ସହିତ ମୁକାବିଲାରେ ଯେଉଁସବୁ ଅଦ୍ଭୁତ ଅନୁଭୂତି ପରେ ଘଟିଲା, ତାକୁ ବିଚାର କଲେ ଆଜି କାହିଁକି ମନେହୁଏ ଯେ ଉପଯୁକ୍ତ ରାଇଫଲ୍ ଠିକ୍ ସମୟରେ ପାଇଥିଲେ ବି ବାଘକୁ ମୁଁ କଦାପି ମାରିପାରି ନ ଥାଆନ୍ତି ।

 

(୧) ଅତି ବିଷାଦମୟ ପରସ୍ଥିତିରେ ବାଲା ସିଂ କିପରି ପ୍ରାଣ ହରାଇଲା, ଏ କାହାଣୀ ଆରମ୍ଭରେ ତାହା ବର୍ଣ୍ଣନା କରିଛି । ସମଗ୍ର ଗଡ଼୍‌ଓ୍ୱାଲ ଜିଲାରେ ବାଲା ସିଂପରି ବିଚକ୍ଷଣ ଓ ବିଶ୍ଵସ୍ତ ଅନୁଚର ମୁଁ କେଉଁଠାରେ ଦେଖିନାହିଁ ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରୁଛି ।

 

–ଜିମ୍ କରବେଟ୍

 

(ଚାରି)

 

ନରଖାଦକ ବିଷୟରେ ଖବର ସଂଗ୍ରହ କରିବା ପାଇଁ ପରଦିନ ସକାଳୁ ପୁଣି ବାହାରି ପଡ଼ିଲି । ଦୀର୍ଘପଥ ବୁଲାବୁଲି କରି ଫେରିବାବେଳକୁ ବିଶ୍ରାମଶାଳାରେ ଗାଈଆଳ ଜଣେ ଅପେକ୍ଷା କରିଥିଲା । ମୋତେ ଦେଖିଦେବା ମାତ୍ରେ ଲୋକଟି ବିକଳ ହୋଇ କହିଉଠିଲା ଯେ, କିଛି ସମୟ ତଳେ ବାଘ ତା’ ଗାଈରୁ ପୁଣି ଗୋଟିକୁ ମାରିଦେଇଛି । ପୂର୍ବ ସନ୍ଧ୍ୟାରେ ମୁଁ ଯେଉଁଠି ଜଗି ବସିଥିଲି-। ସେଠାରୁ ଅଳ୍ପ ଦୂରରେ ଉପତ୍ୟକା ଆରପାଖରେ ସେ ଗାଈ ଚରାଇଲାବେଳେ ବାଘ ଅଚାନକ, ଗୋଠରେ ପଶି ତା’ ନାଲି ଗାଈଟିକୁ ମାଡ଼ିବସିଲା । ଗାଈଟି ମାତ୍ର କେଇ ଦିନ ହେବ କଅଁଳେଇଥିଲା । ତା’ର ଦୁଧିଆଳୀ ଗାଈ ଆଉ ନାହାନ୍ତି । କଅଁଳା ବାଛୁରୀଟି ଖାଇବା ବିନା ଦିନ କେଇଟାରେ ମରିଯିବ କହି ବିଚରାଟି ଭାରି ବ୍ୟସ୍ତ ହେଉଥାଏ ।

 

ଏସବୁ ପାର୍ବତ୍ୟ ଅଞ୍ଚଳରେ ଗୋରୁଗାଈଙ୍କର ଘୋର ଅଭାବ । ବିଶେଷକରି ଦୁଧିଆଳୀ ଗାଈଟିଏ ମାରିଦେଇ ଗରିବର ଏକମାତ୍ର ସମ୍ବଳ ଛଡ଼ାଇନେବା ଏଠାରେ ଏକ ଗୁରୁତର ଅପରାଧ ଓ ସେଥିପାଇଁ ପ୍ରାଣଦେଣ୍ଡ ହିଁ ଉପଯୁକ୍ତ ଶାସ୍ତି । ବାଘ କାଲି ମୋ ବନ୍ଧୁକ ମୁହଁରୁ ଯେମିତି ଖସିପଳାଇଗଲା, ତାକୁ ତା’ କପାଳ-ଜୋର ଛଡ଼ା ଆଉ କ’ଣ କୁହାଯିବ ? ତେବେ କପାଳ ତା’ର ଯେତେ ତେଜ ଥିଲେ ବି ସେଭଳି ଆକସ୍ମିକ ଦୁର୍ଯୋଗ ଆଉ ଥରେ ଘଟିବ ନାହିଁ ବା ମୋ ବନ୍ଧୁକ ମୁହଁରୁ ଏଥର ସେ କଦାପି ବର୍ତ୍ତିପାରିବ ନାହିଁ ବୋଲି ବିଚାରିଲି ।

 

ଗାଈଟିକୁ ବାଘ ମାଡ଼ିବସିବା ମାତ୍ରେ ଗୋଠକଯାକ ଗୋରୁ ଦଉଡ଼ିମାରି ପାହାଡ଼ ଆରପାଖ ତାଙ୍କ ଗାଁକୁ ପଳାଇଥିଲେ । ଗୋରୁଙ୍କ ପ୍ରତି ବିପଦର ଆଉ ଆଶଙ୍କା ନ ଥିବାରୁ ଗାଈଆଳ ମୋ ସହିତ ଯିବାପାଇଁ ଅପେକ୍ଷା କରିବାକୁ ରାଜି ହେଲା । ଖିଆପିଆ ସାରି ଦିନ ଗୋଟାଏ ବେଳେ ବାହାରିଲି । ଗାଈଆଳ ବାଟ ଦେଖାଇ ଆଗରେ ଚାଲିଲା । ମଞ୍ଚା ବାନ୍ଧିବାର ସରଞ୍ଜାମମାନ ଧରି ମୋ ଲୋକ ଦୁଇଜଣ ସଙ୍ଗରେ ଗଲେ ।

 

ପାହାଡ଼ କଡ଼ରେ ଗୋଟିଏ ଖୋଲାଜାଗାରେ ଛିଡ଼ା ହୋଇ ଗାଈଆଳ ଉପତ୍ୟକାର ବିଭିନ୍ନ ଅଂଶ ମୋତେ ଦେଖାଇଦେଲା । ଉପତ୍ୟକା ଆରପାଖ ପାହାଡ଼ରୁ ପ୍ରାୟ ଚଉଠମାଇଲ୍‍ ତଳେ ଚକଡ଼ାଏ ଘାସଜମି ଦେଖାଇ ସେ କହିଲା ଯେ ବାଘ ପାହାଡ଼ ମଝିଥଳିରୁ ବାହାରି ପଡ଼ି ତା’ ଗାଈଟିକୁ ସେହିଠାରେ ମାଡ଼ିବସିଲା । ବାକିତକ ଗୋରୁ ଅତର୍ଚ୍ଛରେ ପାହାଡ଼ ପାରହୋଇ ଗାଁକୁ ଧାଇଁ ପଳାଇଗଲେ । ଆମେ ଯେଉଁଠି ଛିଡ଼ାହୋଇଥିଲୁ, ସେଠାରୁ ସଳଖରେ ତଳକୁ ଗଡ଼ି ଉପତ୍ୟକା ଆରପାଖକୁ ଯିବା ସହଜ । କିନ୍ତୁ ବାଘ ସେ ଭିତରେ କେଉଁଠି ଲୁଚିଥିଲେ କାଳେ ହୁରୁଡ଼ିଯିବ ବୋଲି ଉପତ୍ୟକା ଉପରବାଟେ ବୁଲି ଗାଈ ମରିଥିବା ସ୍ଥାନଟିକୁ ଉଜାଣି ବାହୁଡ଼ିବାକୁ ପଡ଼ିଲା ।

 

ଚରାଭୂଇଁରୁ ପାହାଡ଼ ତଳକୁ ଲମ୍ବିଥିବା ଜଙ୍ଗଲଟିରେ ଗଛପତ୍ରର ବେଶି ଗହଳି ନ ଥିଲା-। ଗୋରୁଗୋଠକ ପ୍ରାଣବିକଳରେ ଜଙ୍ଗଲରେ ପଶି ପଳାଇଥିଲେ; ତାଙ୍କ ଖୁରାଗୁଡ଼ିକ ନରମ ମାଟିରେ ଦବିଯାଇଥାଏ । ଖୁରାଦାଗ ଠଉରାଇ କିଛି ବାଟ ପଛକୁ ଫେରିବା ପରେ ଜାଗାଏ ରକ୍ତ ମଳାଏ ଦେଖିଲି । ସେଠାରୁ ଘୋଷରାଦାଗ ଆରମ୍ଭ ହୋଇ ଦୁଇଶହ ଗଜ ଦୂର ଗୋଟିଏ ଜଙ୍ଗଲଭରା ଝୋଲା ଭିତରକୁ ପଡ଼ିଥିଲା । ବାଘ ସେହି ଜଙ୍ଗଲରେ ପଶି ଗୋଟିଏ ସବୁ ଝରଣାର କୂଳେ କୂଳେ ଝୋଲା ଉପର ଆଡ଼କୁ ଯାଇଥିବା ଲକ୍ଷ୍ୟ କଲି ।

 

ଦିନ ଦଶଟା ବେଳେ ଗାଈଟିକୁ ଖୋଲାଜାଗାରେ ମାରିବା ପରେ ବାଘ ତା’କୁ ଶୀଘ୍ର କେଉଁଠାରେ ଲୁଚାଇ ଦେବାକୁ ତତ୍ପର ହୋଇଉଠିଥିବା ସ୍ଵଭାବିକ । ଘୋଷରାଦାଗରୁ ଯାହା ଦେଖିଲି, ଗାଈଟିକୁ ଉପତ୍ୟକା ଉପରଆଡ଼େ କୌଣସି ଗୁପ୍ତ ସ୍ଥାନରେ ଲୁଚାଇ ଦେଇ ବାଘ ସେଇ ବାଟେ ପୁଣି ଉପତ୍ୟକାକୁ ଫେରିଛି । ଆତ୍ମଗୋପନ କରିଥିବା ଅବସ୍ଥାରେ ପାଖରୁ ଶବ୍ଦ ବା ପାଟିତୁଣ୍ଡ ଶୁଣିଲେ ବାଘ ସାଧାରଣତଃ ସ୍ଥାନ ପରବର୍ତ୍ତନ କରି ଅନ୍ୟଆଡ଼େ ଚାଲିଯାଏ । ଏସବୁଠାରେ ଲୋକବାକ ଓ ଗାଈଗୋରୁ ଅବାଧରେ ଚଳପ୍ରଚଳ ହେଉଥିବାରୁ ବାଘ ଲୁଚିରହିବା ପାଇଁ ନିରୋଳା । ଜାଗାଟିଏ ସହଜରେ ପାଇନଥିବ । ତେଣୁ ପାହୁଲଦାଗ ଠଉରାଇ ବାଘକୁ ଠାବ କରିବା ଅପେକ୍ଷା ଘୋଷରାଦାଗ ଅନୁସରଣ କରି ପ୍ରଥମେ ମଢ଼କୁ ଖୋଜି ବାହାର କରିବାକୁ ସ୍ଥିର କଲି ।

 

ଝୋଲାରେ ପଶି ଦୁଇଶହ ଗଜ ଯିବାପରେ ଦେଖିଲି–ବର୍ଷାମାଡ଼ରେ ଅତଡ଼ା ଖସି ପାହାଡ଼ କଡ଼ରେ ପ୍ରକାଣ୍ଡ ଖାଲଟିଏ ହୋଇଛି । ଖାଲ ପାଖରେ ପାହାଡ଼ କଡ଼ ପନ୍ଦରଫୁଟ ଉଚ୍ଚରୁ ସଳଖରେ କଟିଯାଇଥାଏ । ଖାଲ ଭିତରସାରା ବାର ପନ୍ଦର ଫୁଟ ଉଚ୍ଚ ଗଜା ଓକ୍ ଓ ପାଇନ୍ ଗଛର ଗହଳ ଜଙ୍ଗଲ । ଜଙ୍ଗଲ ଭିତରେ ଛୋଟ ଚକଡ଼ାଏ ପଦାଜାଗାରେ ବାଘ ମଢ଼କୁ ଲୁଚାଇ ଦେଇଥିଲା । ମଲା ଗାଈଟିକୁ ଦେଖିଦେଇ ଗାଈଆଳର ଅଖି ଛଳଛଳ ହୋଇଉଠିଲା । ଗାଈଟିକୁ ଛୁଆବେଳୁ ଅତି ଆଦର ଯତ୍ନରେ ପାଳିପୋଷି ବଢ଼ାଇଥିବା କଥା ମନେପକାଇ ସେ କାନ୍ଦ କାନ୍ଦ ହୋଇ କହିଲା ଯେ ଗୋଠଯାକ ଗାଈଙ୍କ ଭିତରୁ ଏଇ ଗୋଟିକୁ ସେ ସବୁଠୁ ବେଶି ଶରଧା କରୁଥିଲା । ଗାଈଟି ଯେମିତି ଡଉଲଡାଉଲ ହୋଇଥାଏ, ମାଲିକ ଯେ ତା’ର ବହୁତ ଯତ୍ନ ନେଇଥିବ–ତାହା ସହଜେ ବୁଝିହେଉଥାଏ । ସେ ଯାହାହେଉ, ବାଘ ଗାଈଟିକୁ ଖଣ୍ଡିଆ କରିନାହିଁ ଦେଖି ଅନୁମାନ କଲି ଯେ ସମୟ ସୁଯୋଗ ଦେଖି ପରେ ଖାଇବା ପାଇଁ ଶିକାରକୁ ସେ ଲୁଚାଇ ଦେଇଯାଇଛି ।

 

ଝୋଲା ଦୁଇପାଖେ ବଡ଼ ବଡ଼ ଓକ୍‌ଗଛ । କିନ୍ତୁ ସୁବିଧାରେ ବସିବା ପାଇଁ ମଢ଼ ପାଖରେ ଗୋଟିଏ ମଧ୍ୟ ଗଛ ଖୋଜି ପାଇଲି ନାହିଁ । ଓକ୍‌ଗଛଗୁଡ଼ିକ ବି ଚଢ଼ିବା ପାଇଁ ବିଶେଷ ସୁବିଧାଜନକ ନଥିଲା । ମଢ଼ଠାରୁ ପ୍ରାୟ ତିରିଶଫୁଟ ତଳେ ଝୋଲା ବାଁପାଖ ବନ୍ଧରେ ହଲିଗଛଟିଏ ଥିଲା । ଭୂଇଁରୁ ପ୍ରାୟ ଛଅଫୁଟ ଉଚ୍ଚରେ ସେଥିରେ ମୋଟ ଡାଳଟିଏ, ତା’ ତଳକୁ ଗୋଡ଼ ରଖିବା ଭଳି ଆଉ ଗୋଟିଏ ଡାଳ । ଭୂଇଁରୁ ସାମାନ୍ୟ ଛଅଫୁଟ ଉଚ୍ଚରେ ବସିବା ବିରୁଦ୍ଧରେ ମୋର ସହଚର ତିନିଜଣ ସ୍ଵର ଉଠାଇ ଦୃଢ଼ଭାବରେ ପ୍ରତିବାଦ କରିବାକୁ ଲାଗିଲେ । କିନ୍ତୁ ସେତେ ପାଖରେ ସେମିତ ସୁବଧାରେ ଆଉ ଗଛ ନଥିବାରୁ ତାଙ୍କ ମତାମତକୁ ଉପେକ୍ଷା କରି ସେହି ଟଛରେ ହିଁ ବସିବାକୁ ସ୍ଥିର କଲି । ପୂର୍ବ ସନ୍ଧ୍ୟାରେ ଯେଉଁ କୁଡ଼ିଆ ପାଖରେ ବାଘକୁ ଜଗି ବସିଥିଲି, ହଲିଗଛଟି ସେଠାରୁ ମୋଟେ ଅଧମାଇଲ୍ ଦୂର । କୁଡ଼ିଆରୁ ମୋତେ ବା ମଢ଼କୁ କେହି ଦେଖି ନ ପାରିଲେ ବି ଗଛ ଉପରୁ ପତ୍ରଫାଙ୍କରେ କୁଡ଼ିଆ ଉପରେ ସହଜରେ ନଜର ରଖିହେବ । ଲୋକ ତିନିଜଣଙ୍କୁ କୁଡ଼ିଆକୁ ପଠାଇ ଦେଇ ତାଗିଦ୍ କରି କହିଲି ଯେ ସେମାନେ ସେହିଠାରେ ମୋତେ ଅପେକ୍ଷା କରିଥିବେ ଓ ମୁଁ ନିଜେ ନ ଆସିବାଯାଏ କିମ୍ବା କୁହାଟ ମାରି ନ ଡାକିବାଯାଏ କେହି କୌଣସିକ୍ରମରେ ପଦାକୁ ବାହାରିବେ ନାହିଁ ।

 

ଲୋକମାନଙ୍କୁ ବିଦା କରିସାରି ଦୀର୍ଘସମୟ କରିବା ପାଇଁ ପ୍ରସ୍ତୁତ ହୋଇ ଗଛ ଚଢ଼ି ଡାଳ ଉପରେ ସଜାଡ଼ି ହୋଇ ବସିଲି । ଝୋଲାଟି ପାହାଡ଼ ପଶ୍ଚିମ ପାଖରେ–ସୂର୍ଯ୍ୟ ପୂରା ନ ବୁଡ଼ିବା ଯାଏ ବାଘ ସେଠାକୁ ଫେରିବାର ସମ୍ଭାବନା କମ୍ । ପତ୍ରଫାଙ୍କରୁ ବାଁ ପାଖେ ଝୋଲାର ପ୍ରାୟ ପଚାଶଗଜ ମୋତେ ସ୍ପଷ୍ଟ ଦେଖାଯାଉଥାଏ । ସାମନାକୁ ଝୋଲାଟି ପ୍ରାୟ ଦଶଫୁଟ ଗହୀର ଓ ତିରିଶଫୁଟ ଓସାର; ତା’ ଆରପାଖେ ଟାଙ୍ଗର ପାହାଡ଼ଟି ବଡ଼ ବଡ଼ ପଥରରେ ଭରା । ସେଠାରୁ ଆହୁରି ଡାହାଣକୁ ସେଇ ଅଳ୍ପ ଉଚ୍ଚ ଗାଁ ପାଖ ପାହାଡ଼ଧାଡ଼ିକ । ମଢ଼ ମୋ’ଠାରୁ ଅଳ୍ପ ଦୂରରେ ପଡ଼ିଥିଲେ ବି ଗଜା ଗଛ ଗହଳରୁ ଆଦୌ ଦେଖାଯାଉ ନ ଥାଏ । ପୁଣି ପଛଆଡ଼ୁ ଶାଳିଆ ବାଉଁଶର ଚକଡ଼ାଏ ଘଞ୍ଚ ଜଙ୍ଗଲ ହଲିଗଛ ପାଖଯାଏ ମାଡ଼ିଆସି ମଢ଼କୁ ଆହୁରି ଭଲଭାବେ ଉଢ଼ାଳ କରିଥାଏ ।

 

ବାଘ ଝୋଲାରୁ ବାହାରି ଯେଉଁବାଟେ ଯାଇଥିଲା, ମଢ଼ ପାଖକୁ ସେଇବାଟେ ଫେରିଲେ ମୋ ସାମନାଦେଇ ଅଳ୍ପ ଛାଡ଼ାରେ ତାକୁ ଯିବାକୁ ପଡ଼ିବ । ସାମାନ୍ୟ କେଇଫୁଟି ଦୂରରୁ ତା’ ଉପରକୁ ଅନ୍ତତଃ ଦୁଇଟି ଗୁଳି ଚଳାଇପାରିବି ବୋଲି ଭରସା ଥିଲା । ଦୁଇଟିଯାକ ନଳିକୁ ଆଉ ଥରେ ପରଖିନେଇ ରାଇଫଲ୍ ସଜକରି ଧରିଲି ।

 

ଜଙ୍ଗଲଟିରେ କୁଟୁରା, ସମ୍ବର ଓ ହନୁମାଙ୍କଡ଼ ଛଡ଼ା ଚାନ୍ଦ୍ ତାରା, କୁଣ୍ଡାଖିଆ, କସ୍ତୁରା, ଭରଦ୍ୱାଜ ଚଢ଼େଇ ଓ ପାହାଡ଼ିଆ କୁକୁଡ଼ାଙ୍କର ମଧ୍ୟ ଅଭାବ ନଥିଲା । ମହାବଳ ବା ଚିତାବାଘ ଦେଖିଲେ ଏସବୁ ପଶୁପକ୍ଷୀ ଆତଙ୍କଧ୍ୱନି କରି ଶିକାରୀକୁ ଚେତାଇ ଦିଅନ୍ତି । ବାଘ ଆସିବାର ଯଥେଷ୍ଟ ସୂଚନା ସେମାନଙ୍କଠାରୁ ପାଇବି ବୋଲି ଆସ୍ଥା ରଖି ମସ୍ତବଡ଼ ଭୁଲଟିଏ କରିବସିଲି । ଶବ୍ଦସୂଚନା ପାଇବାକୁ ଅପେକ୍ଷା କରିଥିବା ଭିତରେ ବାଘ ମୋ ଅଲକ୍ଷ୍ୟରେ କେତେବେଳେ ନିଃଶବ୍ଦରେ ମଢ଼ପାଖକୁ ଚାଲିଆସିଲା ଜାଣିପାରିଲି ନାହିଁ । ସାମନାକୁ ନ ଆସି ପ୍ରଥମେ ସେ ଝୋଲା ତଳଆଡ଼କୁ କିଛିବାଟ ଯାଇ ଝରଣାରୁ ପାଣି ପିଇଥିଲା ଓ ଗଛଠାରୁ ଦୂରେଇ ହୋଇ ବାଉଁଶବଣ ବାହାରେ ବୁଲି ମଢ଼ ପାଖରେ ପହଞ୍ଚିଗଲା । ବାଘ ମାଂସ ଖାଇବା ଶବ୍ଦ ଶୁଣିବା ପରେ ଯାଇ ତା’ ଆସିଥିବା କଥା ମୁଁ ଜାଣିଲି । ବାଘକୁ ଦେଖି ପାରୁ ନଥାଏ । କିନ୍ତୁ ସେ ଦିନବେଳେ ଶିକାର ଖାଉଥିବାରୁ ଆଶା ହେଲା ଯେ ଗୋଟିଏ ଜାଗାରେ ସେ ବେଶି ସମୟ ସ୍ଥିର ହୋଇ ରହିବ ନାହିଁ । ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ଭିତରେ ସେ କେତେବେଳେ ଥରେ ହେଲେ ନଜରକୁ ଆସିଗଲେ ସୁଯୋଗ ଛାଡ଼ିବି ନାହିଁ ବୋଲି ବନ୍ଧୁକ ସଜକରି ତିଆର ହୋଇ ବସିଲି ।

 

ପ୍ରାୟ ପନ୍ଦର ମିନିଟ୍‍ ପର୍ଯ୍ୟନ୍ତ ବାଘ ମଢ଼ ଦେହରୁ ପୁଳା ପୁଳା ମାଂସ ଛିଡ଼ାଇ ଖାଉଥିବାର ଶବ୍ଦ ଶୁଭିଲା ହଠାତ୍‌ ଏତିକିବେଳେ ଲକ୍ଷ୍ୟ କଲି ଯେ ପ୍ରକାଣ୍ଡ ଏକ ହିମାଳୈୟ ଭାଲୁ ପାହାଡ଼ରୁ ଠିକ୍ ସେଇଆଡ଼କୁ ଗଡ଼ୁଛି । ଭାଲୁଟି ସହଜଗତିରେ ଧୀରେ ଧୀରେ ଆଗୋଉଥାଏ–ସତେ ଯେମିତି ତା’ର ସମୟର ଆଦୌ ଅଭାବ ନାହିଁ । ବେପରବାୟଭାବେ ହଲି ହଲି କିଛିବାଟ ଆସିବା ପରେ ଭାଲୁ କ’ଣ ଲକ୍ଷ୍ୟକଲା କେଜାଣି, ହଠାତ୍ ଜାଗାଏ ଅଟକିଯାଇ ତଳଆଡ଼କୁ ମୁହାଁଇ ସେ ଲେପଟାଇ ପଡ଼ିଲା ଓ ପ୍ରତି ମିନିଟିଏ ଦୁଇ ମିନିଟରେ ଥରେ ଉପରକୁ ମୁଣ୍ଡ ଟେକି ପବନରୁ ଗନ୍ଧ ବାରିବାକୁ ଲାଗିଲା । ଦିନବେଳେ ଏ ସବୁ ଅଞ୍ଚଳରେ ପାହାଡ଼ତଳୁ ଉପରଆଡ଼କୁ ପବନ ବହେ-। ଭାଲୁ ପବନରୁ ବାଘ ଓ ମଢ଼ର ଗନ୍ଧ ସହଜରେ ପାଇଗଲା; ମୁଁ ସେଠାରୁ ଡାହାଣକୁ କିଛି ଦୂରରେ ଥିବାରୁ ମୋ ଗନ୍ଧ ସେ ବାରିପାରିଲା ନାହିଁ । କିଛି ସମୟ ଯାଏଁ ଭଲଭାବେ ଗନ୍ଧ ବାରିବା ପରେ ଭାଲୁ ଅତି ସନ୍ତର୍ପଣରେ ଧୀରେ ଧୀରେ ଉଠି ସରୀସୃପ ଗତିରେ ଖାଲଆଡ଼କୁ ଆଗେଇବାକୁ ଲାଗିଲା ।

 

ବନ୍ୟଜନ୍ତୁ ଯେ କେତେ ସାବଧାନରେ ଓ ନିଃଶବ୍ଦରେ ଲୁଚିଛପି ଆଗେଇପାରନ୍ତି, ସେଦିନ ଭାଲୁଟିର ଗତିବିଧି ଲକ୍ଷ୍ୟ କରି ସେ ବିଷୟରେ ଅନେକ ତଥ୍ୟ ଶିଖିଲି । ଭାଲୁ ଅତି ପୃଥଳକାୟ ଜନ୍ତୁ; ମହାବଳ ବା ଚିତାବାଘ ପରି ଛପି ଛପି ଆଗେଇବା ତା’ ପକ୍ଷରେ ଆଦୌ ସହଜ ନୁହେଁ । ତା’ ସତ୍ତ୍ୱେ ଦୁଇଶହ ଗଜ ବାଟ ସେ ନିଃଶବ୍ଦରେ ଅତିକ୍ରମ କରି ଖାଲପାଖ ଯାଏ ଯେମିତି ଚାଲିଆସିଲା, ତାହା ଦେଖି ମୁଁ ଆଚମ୍ବିତ ନ ହୋଇ ରହିପାରିଲି ନାହିଁ । ବାଘର ଯେତିକି ପାଖକୁ ସେ ଆସୁଥାଏ, ସେହି ଅନୁପାତରେ ସେ ଆହୁରି ସଚେତ ଓ ସାବଧାନ ହେଉଥାଏ । ସମ୍ପୂର୍ଣ୍ଣ ଶବ୍ଦହୀନ ଗତିରେ ଆଗେଇ ଆସି ଖାଲଧାରଠାରୁ ଅଳ୍ପଛଡ଼ାରେ ସେ ଲେପଟାଇ ପଡ଼ିଲା ଓ ବାଘ ମଢ଼ ଖାଉଥିବା ଶବ୍ଦ ଶୁଣିବା ଯାଏ ଧୈର୍ଯ୍ୟର ସହ ଅପେକ୍ଷା କଲା । ବାଘ ଖାଇବା ପ୍ରତି ପୂରାପୂରି ଧ୍ୟାନ ଦେଇଛି ବୋଲି‌ ଶବ୍ଦରୁ ପ୍ରତ୍ୟୟ ହେବା ପରେ ଯାଇ ସେ ଧୀରେ ଧୀରେ ବନ୍ଧ ଉପରୁ ମୁଣ୍ଡଟେକିଲା ଓ‌ ଖାଲି ଭିତରକୁ ଥରଟିଏ ଅନାଇଦେଇ ସଙ୍ଗେ ସଙ୍ଗେ ମୁଣ୍ଡ ନୁଆଁଇ ପୁଣି ଛପିଗଲା-

 

ଭାଲୁର ଆକସ୍ମିକ ଆବିର୍ଭାବ ଯୋଗୁଁ ପରିସ୍ଥିତିରେ ଯେଉଁ ନାଟକୀୟ ପରିବର୍ତ୍ତନ ଘଟିଗଲା ,ସେଥିପାଇଁ ମୁଁ ଆଦୌ ପ୍ରସ୍ତୁତ ନ ଥିଲି । ପ୍ରଚଣ୍ଡ ଶକ୍ତିଶାଳୀ ହିଂସ୍ରଜନ୍ତୁ ଦୁଇଟିଙ୍କ ଭିତରେ ସଙ୍ଘର୍ଷର ସମ୍ଭାବନା ବଢ଼ିବା ସଙ୍ଗେ ପ୍ରବଳ ଉତ୍ତେଜନାରେ ମୋ ପାଟି ଓଠ ଶୁଖିଯାଇ ଦେହ ବରଡ଼ାପତ୍ର ପରି ଥରିବାକୁ ଲାଗିଲା । ହିମାଳୈୟ ଭାଲୁ ଚିତାବାଘକୁ ଘଉଡ଼ାଇ ତା’ ଶିକାରକୁ ଦଖଲ କରିନେବା ମୁଁ ସେଥିପୂର୍ବରୁ ଦୁଇଥର ଦେଖିଥିଲି । ମୋ ଦେଖିଥିବା ଅନ୍ୟ ଦୁଇଟି ଘଟଣାରେ ଏ ଜାତିର ଭାଲୁ ମହାବଳବାଘର ଶିକାର ମଧ୍ୟ ଅପହରଣ କରିନେଇଥିଲେ । ସେ ଦୁଇଥରଯାକ ବାଘ କିନ୍ତୁ ଶିକାର ପାଖରେ ନ ଥିଲା । ଏଥର କିନ୍ତୁ ବାଘ ତା’ ଶିକାର ପାଖରେ ସଶରୀରେ ବିଦ୍ୟମାନ; ସେଭଳି ପ୍ରକାଣ୍ଡ ପୁରୁଷ ମହାବଳବାଘ ମଧ୍ୟ ଶିକାର ଛାଡ଼ି ସହଜରେ ହଟିଯିବା ଜନ୍ତୁ ନୁହେଁ । ଜଙ୍ଗଲର ରାଜା ସହିତ କନ୍ଦଳ ଲଗାଇ ତା’ ମୁହଁରୁ ଶିକାର ଛଡ଼ାଇ ନେବାଭଳି ଦୁଃସାହସ ଭାଲୁ କଦାପି କରିବ ନାହିଁ ବୋଲି ଭାବିଥିଲି । ଭାଲୁର ମତିଗତି ଓ ମତଲବ କିନ୍ତୁ ଥିଲା ଭିନ୍ନ ପ୍ରକାରର । ଅତି ଚତୁରତାର ସହିତ ସେ ସମ୍ପୂର୍ଣ୍ଣ ନିଶ୍ଚଳ ରହି ବାଘ ବଡ଼ ହାଡ଼ଟିଏ ଚୋବାଇ ଭାଙ୍ଗିବାଯାଏ ଅପେକ୍ଷା କଲା‌ । ତା’ପରେ ଖାଲଧାରକୁ ଆଗେଇ ଆସି ପ୍ରଚଣ୍ଡ ରାଗରେ ଚିର୍‍ଚିରେଇ ଉଠି ପନ୍ଦର ଫୁଟ ଉଚ୍ଚରୁ ଖାଲ ଭିତରକୁ ସେ ପ୍ରବଳ ବେଗରେ କୁଦିପଡ଼ିଲା । ବାଘ ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନ ଥିଲେ ମଧ୍ୟ ଭାଲୁର ତମ୍ବି ତୋଫାନରେ ଡରିଲା ନାହିଁ । ସଙ୍ଗେ ସଙ୍ଗେ ଆସ୍ଫାଳନର ଜବାବ ଦେଇ ସେ ମଧ୍ୟ ଆହୁରି ଜୋରରେ ଗର୍ଜନ କରିଉଠିଲା ।

 

ଜଙ୍ଗଲରେ ଭିନ୍ନ ଭିନ୍ନ ଜାତିର ମାଂସଭୋଜୀ ପଶୁମାନଙ୍କ ଭିତରେ ଏ ଧରଣର ସଙ୍ଘର୍ଷ ପ୍ରାୟ ଘଟେ ନାହିଁ । ଶିକାର ମାରିବା ଉଦ୍ଦେଶ୍ୟ ନ ରଖି କେବଳ ଲଢ଼ିବାର ଆନନ୍ଦ ପାଇଁ ଜନ୍ତୁ ଦୁଇଟି ପରସ୍ପର ସହିତ କନ୍ଦଳ ଲଗାନ୍ତି ନାହିଁ । ବାଘ-ଭାଲୁଙ୍କ ଲଢ଼ାଇ ମୋତେ ଦେଖାଯାଉନଥିଲେ ବି ଖାଲ ଭିତରକୁ ପ୍ରତିଧ୍ଵନିତ ହୋଇ ଆସୁଥିବା ପ୍ରଚଣ୍ଡ ଗର୍ଜନରୁ ସଙ୍ଘର୍ଷର ପ୍ରତ୍ୟେକଟି ପର୍ଯ୍ୟାୟ ମୁଁ ବେଶ୍‌ ଅନୁମାନ କରିପାରୁଥାଏ ଓ ତୃତୀୟପକ୍ଷ ଭାବେ ସେ ସଂଗ୍ରାମରେ ମୋତେ ଯୋଗଦେବାକୁ ପଡ଼ିନାହିଁ ବୋଲି ମନେ ମନେ ବିଧାତାଙ୍କୁ ଧନ୍ୟବାଦ ଦେଉଥାଏ ।

 

ପ୍ରବଳ ଉତ୍ତେଜନାରେ ରକ୍ତ ତାତି ଉଠିଲେ ସମୟର ଗତି ଜଣାପଡ଼େ ନାହିଁ । ଲଢ଼େଇ ଦୁଇ ତିନି ମିନିଟ୍‌ ବା ତା’ଠାରୁ ବେଶି ସମୟ ଲାଗିଲା, ଠିକ୍‌ କହିପାରୁନାହଁ । ସେ ଯାହାହେଉ, ଅନଧିକାର ପ୍ରବେଶ ପାଇଁ ଭାଲୁକୁ ଯଥେଷ୍ଟ ଶାସ୍ତି ଦେଇଛି ବୋଲି ସନ୍ତୁଷ୍ଟ ହେବାପରେ ବାଘ ଖାଲରୁ ବାହାରିପଡ଼ି ମୋ ସାମନା ଦେଇ ପଦାକୁ ଧାଇଁ ପଳାଇ ଆସିଲା । ଭାଲୁ କିଳିକିଳା ରଡ଼ି କରି ତା’ ପଛେ ପଛେ ଗୋଡ଼ାଇଥାଏ । ମୁଁ ରାଇଫଲ୍ ଉଠାଇ ବାଘର ବାଁ କାନ୍ଧକୁ ଲକ୍ଷ୍ୟ କରୁ କରୁ ହଠାତ୍ ସେ ବୁଲିପଡ଼ି କୋଡ଼ିଏ ଫୁଟ ଓସାର ଝୋଲାଟିକୁ ଡେଇଁ ଗଛମୂଳେ ଠିକ୍ ଗୋଡ଼ପାଖରେ ଆସି ପଡ଼ିଲା । ବାଘ ଭୂଇଁ ନ ଛୁଉଁଣୁ ମୁଁ ରାଇଫଲ୍ ଭାଲକୁ ମୁହାଁଇ ଧରି ତା’ ପିଠିକୁ ଲକ୍ଷ୍ୟ କରି ଗୁଳି ଚଳାଇଲି । ଗୁଳି ଫଏର୍‌ ହେବା ମାତ୍ରେ ବାଘ ଘାଉଁକରି ଥରଟିଏ ଗର୍ଜ୍ଜି ଉଠି ବାଉଁଶବଣକୁ ଛୁଟି ପଳାଇଗଲା । ବାଉଁଶବୁଦା ଭିତରେ ସେ କେଇଗଜ ଭୁସ୍ ଭୁସ୍ ପଶିଯିବା ପରେ ହଠାତ୍ ସବୁ ଯେପରି ଶୂନଶାନ୍‍ ହୋଇଗଲା; ଅନୁମାନ କଲି ଯେ ହୃତ୍‌ପିଣ୍ଡରେ ଗୁଳି ଖାଇ ବାଘ ବୋଧହୁଏ ବଣ ଭିତରେ କେଉଁଠି ପଡ଼ି ମରଯାଇଛି ।

 

ମୋର ୫୦୦ କର୍‌ଡ଼ାଇଟ୍ ରାଇଫଲ୍ ଖୋଲା ଜାଗାରେ ଫଏର ହେଲେ ମଧ୍ୟ ପ୍ରଚଣ୍ଡ ଶବ୍ଦ କରେ । ପାହାଡ଼ଘେରା ଝୋଲା ଭିତରେ ପ୍ରତିଧ୍ୱନିତ ଓ ବହୁଗୁଣେ ପରିବର୍ଦ୍ଧିତ ହୋଇ ସେ ଶବ୍ଦ ତୋପ ଫୁଟିଲାପରି ଶୁଭିଲା । ଭାଲୁ କିନ୍ତୁ ରାଗରେ ଅନ୍ଧ ହୋଇ କାଣ୍ଡଜ୍ଞାନ ପୂରା ହରାଇଥାଏ-। ରାଇଫଲ୍ ଶବ୍ଦକୁ ଟିକିଏ ବି ଖାତିର ନ କରି ବାଘ ପଛେ ପଛେ ସେ ଝୋଲାଧାର ଯାଏ ଛୁଟି ଆସିଲା । ତା’ପରି ସ୍ଥୂଳକାୟ ଜନ୍ତୁ ପକ୍ଷରେ ମହାବଳ ବା ଚିତାବାଘପରି କୁଦାମାରି ଝୋଲାଟିକୁ ପାର ହେବା ଅସମ୍ଭବ । ତେଣୁ ଝୋଲାରେ ପଶି ଏ ପାଖ ବନ୍ଧ ଉପରକୁ ଲସରପସର ହୋଇ ଉଠି ବାଘକୁ ଆକ୍ରମଣ କରିବାକୁ ସେ ସଳଖରେ ଛୁଟିଆସିଲା ମୋରି ଗଛ ଆଡ଼କୁ । ମହାବଳବାଘ ସହର ସମ୍ମୁଖ ସଂଗ୍ରାମ ପରେ ମଧ୍ୟ ଲଢ଼େଇରୁ ଓହରି ନ ଯାଇ ପ୍ରବଳ-ପରାକ୍ରମୀ ପ୍ରତିଦ୍ଵନ୍ଦ୍ୱୀର ପଶ୍ଚାତ୍‌ଧାବନ କରୁଥିବା ଏହି ଅତି ସାହସିକ ଜନ୍ତୁଟିକୁ ମାରିଦେବାକୁ ମୋର ଇଚ୍ଛା ନଥିଲା । ଭାଲୁ କିନ୍ତୁ ପ୍ରଚଣ୍ଡ ରାଗରେ ଉନ୍ମତ୍ତ ହୋଇ ମୋ ଆଡ଼କୁ ଯେପରି ଛୁଟିଆସିଲ, ତାକୁ ଆଉ ଆଗେଇବାକୁ ଦେବା ମୂର୍ଖତା ହୋଇଥାନ୍ତା । ଆହୁରି କେଇଫୁଟ ତାକୁ ପାଖେଇବାକୁ ଦେଇ ରାଇଫଲ୍ ବା ନଳିର ଗୁଲଟିକୁ ତା’ ଚଉଡ଼ା କପାଳରେ ବସାଇଦେଲି । ଭାଲୁ ସେହିଠାରେ ମୁହଁମାଡ଼ ଟଳିପଡ଼ିଲା ଓ ବନ୍ଧଧାରରୁ ଖସି ଖସି ଯାଇ ଝୋଲଶଯ୍ୟାରେ ପଡ଼ି ଅଟକିଲା ।

 

ସଂଗ୍ରାମରତ ଜନ୍ତୁ ଦୁଇଟିଙ୍କ କୃଦ୍ଧ ଗର୍ଜନ ଓ ତା’ପରେ ଗୁଇଫଲ୍‍ର ଗୁରୁଗମ୍ଭୀର ଆବାଜରେ ମୁହୂର୍ତ୍ତକ ଆଗରୁ ଜଙ୍ଗଲ ମୁଖରିତ ହୋଇଉଠିଥିଲା । ହଠାତ୍ ସବୁ ଶବ୍ଦର ଅବସାନ ଘଟି ଜଙ୍ଗଲର ସ୍ଵାଭାବିକ ନିସ୍ତବ୍‌ଧତା ପୁଣି ଫେରିଆସିଲା; କିନ୍ତୁ ମନରୁ ମୋର ପ୍ରବଳ ଉତ୍ତେଜନା ସେତେ ଶୀଘ୍ର ଶାନ୍ତ ହେଲା ନାହିଁ । ସୁଚାରୁରୂପେ କାମ ତୁଲାଇଛି ବୋଲି ଭାବି ଖାଲି ରାଇଫଲ୍‍ଟିକୁ ଆଣ୍ଠୁ ଉପରେ ଥୋଇ ଗଭୀର ଆଶ୍ଵସ୍ତିରେ ସିଗାରେଟ୍ ଓ ଦିଆସିଲି ବାହାର କରୁଛୁ, ହଠାତ୍ ଏତିକିବେଳେ ଡାହାଣପାଖ ପାହାଡ଼ତଳେ କ’ଣ ହଲ୍‌ଚଲ୍ ହେବା ନଜରରେ ପଡ଼ିଗଲା । ସେଆଡ଼େ ଅନାଇ ଦେଇ ଦେଖିଲି, ବାଘ ସେ ଭିତରେ କେତେବେଳେ ବାଉଁଶବଣରୁ ବାହାରି ଧୀର ଅଚଞ୍ଚଳ ଗତିରେ ପାହାଡ଼ ଉପରକୁ ଆଗେଇବାରେ ଲାଗିଛ ।

 

ବାଘର ଅପ୍ରତ୍ୟାଶିତ ଆବିର୍ଭାବରେ ଅବାକ୍ ହୋଇ କିଛି ସମୟ ତାକୁ ଅନାଇ ଜଡ଼ପରି ବସିଗଲି । ଖାଲି ରାଇଫଲ୍‌ଟି ସେହିପରି ଆଣ୍ଠୁ ଉପରେ ପଡ଼ିଥାଏ । ବାଘ ମୋ ଆଡ଼କୁ ଥରେ ହେଲେ ଦୃଷ୍ଟି ନ ଦେଇ ମୃତ ଭାଲୁଟିକୁ ଅନାଇ ଅନାଇ ଅଚଞ୍ଚଳ ଗତିରେ ପାହାଡ଼ ଉପରକୁ ଧାଇଁବାରେ ଲାଗିଥାଏ । ଏସବୁ ପଢ଼ିଲେ ଯେ କେହ ଶିକାରୀ ନିଶ୍ଚୟ ମୋତେ ଅତି ଅସାବଧାନ ଓ ରାଇଫଲ୍‌ ନିଶାଣରେ ନିହାତି ଅପାରଗ ବୋଲି କହିବେ । ଅତି ଅଳ୍ପ ବ୍ୟବଧାନରୁ ଗୁଳି ଚଳାଇ ଶୋଚନୀୟଭାବେ ଲକ୍ଷ୍ୟଭ୍ରଷ୍ଟ ହୋଇଥିବାରୁ ଅପାରଗତାର ଅଭିଯୋଗକୁ ମୁଁ ଖଣ୍ଡନ କରିପାରୁନାହିଁ-। କିନ୍ତୁ ଅସାବଧାନତାର ଦୋଷାରୋପ ବିରୁଦ୍ଧରେ ମୁଁ ଏତିକି କହବି ଯେ ବାଘ ପିଠିକୁ ଗୁଳି ମାରିବା ପରେ ସେ ଗର୍ଜିଉଠି ଯେପରି ଛୁଟି ପଳାଇଗଲା ଓ ଟିକିଏ ପରେ ସବୁ ହଠାତ୍ ଯେପରି ନିଶ୍ଚଳ ହୋଇଗଲା, ସେଥିରୁ ଯେ କେହି ନଶ୍ଚୟ ବିଶ୍ଵାସ କରିଥାନ୍ତା ଯେ ବାଘ ଶୋଚନୀୟଭାବେ ଆହତ ହୋଇଛି କିମ୍ବା ବାଟରେ ପଡ଼ି ମରିଯାଇଛି । ବାଘ କେବଳ ଆହତ ହୋଇଥିଲେ ମଧ୍ୟ ଗଛରୁ ନ ଓହ୍ଲାଇବାଯାଏ ତା’ ପାଖରୁ ବିପଦର ଆଶଙ୍କା ନଥିଲା । ଦ୍ଵିତୀୟ ଗୁଳିଟି ଭାଲୁକୁ ମାରିଥିଲି ଓ ମୋ ସାମନାରେ ପଡ଼ି ସେ ସଙ୍ଗେ ସଙ୍ଗେ ମରିଯାଇଥିଲା । ଏପରି ସ୍ଥଳେ ରାଇଫଲରେ ସଙ୍ଗେ ସଙ୍ଗେ ଗୁଳି ନ ଭରିବାକୁ ଅସାବଧାନତା କିପରି କୁହାଯିବ ତାହା ବିଚାର୍ଯ୍ୟ-

 

ବାଘକୁ ସମ୍ପୂର୍ଣ୍ଣ ଅନାହତ ଅବସ୍ଥାରେ ହଠାତ୍ ସାମନାରେ ଦେଖିଦେଇ ପ୍ରଥମେ କେଇ ସେକେଣ୍ଡସାଏ କିଛି କରିପାରଲି ନାହିଁ । ତା’ପରେ ଚେତା ପଶିଲାପରି ଚମକ ଉଠି ରାଇଫଲରେ ଗୁଳି ପୂରାଇବାକୁ ତତ୍ପର ହୋଇଉଠିଲି । ରାଇଫଲ୍‍ଟି ଥିଲା ‘ଅଣ୍ଡରଲିଭର’ ମଡ଼େଲ; ସେଥିରେ ଗୁଳି ପୂରଇବାକୁ ଟିକିଏ ସମୟ ଲଗେ । ପୁଣି ବଳକା ଗୁଳିଗୁଡ଼ିକ ସବୁ ପ୍ୟାଣ୍ଟ ପକେଟରେ; ଛିଡ଼ା ନ ହେଲେ ସେଗୁଡ଼ିକୁ କାଢ଼ିବା କଷ୍ଟକର । ଆଉ ପତଳା ଡାଳଟିରେ ଛିଡ଼ା ହେଉଛି ବା କେମିତି ? କଷ୍ଟେମଷ୍ଟେ ପକେଟରୁ ଗୁଳିଟିଏ କାଢ଼ି ରାଇଫଲରେ ପୂରାଇବା ଭିତରେ ବାଘ ମଲା ଭାଲୁ ଉପରେ ନଜର ରଖି ପାହାଡ଼ ଉପରକୁ ଦୌଡ଼ିବାରେ ଲଗିଥାଏ । କୌତୂହଳ ଯୋଗୁଁ ନା ଆକ୍ରମଣ ଆଶଙ୍କାରେ ଭାଲୁ ଉପରେ ସେ ଅନବରତ ନଜର ରଖୁଥଲା କହପାରୁନାହିଁ । ସେ ଯାହାହେଉ ଚାଳିଶ ଗଜ ଦୂରରେ ଥିବା ବଡ଼ ପଥରଟିଏ ପାରହୋଇ ସେ ଦେଖାଦେବା ମାତ୍ରେ ମୁଁ ଗୁଳି ଚଲାଇଲି । ବାଘ ଗଛ କାଟିଲା ପରି କଡ଼େଇକରି ପଛଆଡ଼କୁ ଲେଉଟି ପଡ଼ିଲା, ତା’ ପରେ ପରେ କିନ୍ତୁ ପୁଣି ଧଡ଼ପଡ଼ ହୋଇ ଉଠି ପାହାଡ଼ ଆରପାଖକୁ ଧାଇଁ ପଳାଇଗଲା । ପରେ ସେଠିକୁ ଯାଇ ଦେଖିଲି ଯେ, ନିକେଲ୍ ଖୋଳ ଓ ଇସ୍ପାତ ତଳି ଥିବା ମୋର ନରମ ଗୁଳିଟି ପଥରରେ ବାଜି ଲେଉଟି ଆସି ବାଘମୁହଁରେ ଜୋରରେ ମାଡ଼ ହୋଇଥିଲା । ବାଘ ସେ ଆଘାତରେ ଲେଉଟି ପଡ଼ିଥିଲେ ମଧ୍ୟ ତା’ର ବିଶେଷ କିଛି ଅନିଷ୍ଟ ହୋଇନଥିବ ବୋଲି ବେଶ୍ ଅନୁମାନ କରିପାରିଲି ।

 

ସିଗାରେଟ୍ ଟାଣିସାରି ଗଛରୁ ଓହ୍ଲାଇ ପ୍ରଥମେ ଭାଲୁ ପାଖକୁ ଗଲି । ଭାଲୁଟା ଦୂରରୁ ଯେଡ଼େ ବଡ଼ ଦିଶୁଥିଲା, ପାଖରୁ ତା’ଠାରୁ ଅହୁରି ବଡ଼ ବୋଲି ମନେହେଲା । ଲଢ଼େଇରେ ସେ ଅତି ସାଙ୍ଘାତିକ ଭାବେ କ୍ଷତବିକ୍ଷତ ହୋଇଥାଏ । ବେକର ଗହୀର କ୍ଷତଗୁଡ଼ିକରୁ ପ୍ରଚୁର ରକ୍ତ ଝରି ଗହଳିଆ ରୁମ ଚକଡ଼ାଏ ତିନ୍ତିଯାଇଥାଏ ଓ ମୁଣ୍ଡରୁ ଚମ ଚିରି ହୋଇ ହାଡ଼ ପଦାକୁ ଦିଶୁଥାଏ । ଭାଲୁପରି ପ୍ରଚଣ୍ଡ ଶକ୍ତିସମ୍ପନ୍ନ ଜନ୍ତୁ ପକ୍ଷରେ ସେତିକି ଆଘାତ ବିଶେଷ କିଛି ନୁହେଁ । ଭାଲୁ ଏପରି ରକ୍ତପାଗଳ ହୋଇ ଉଠିବାର ଅସଲ କାରଣ ତା’ ନାକର ଅବସ୍ଥା ଦେଖି ବୁଝିପାରିଲି । ପୁରୁଷ ଜନ୍ତୁ ନାକର ଆଘାତକୁ ବରଦାସ୍ତ କରନ୍ତି ନାହିଁ । ବାଘ ତା’ ନାକକୁ ଚିରି ଦୁଇଫାଳ କରି ଦେଇଥିବାରୁ ଭାଲୁ ପ୍ରତିହିଂସା ପାଇଁ ପାଗଳ ହୋଇ ଉଠିଥଲା ଓ ରାଇଫଲ୍‍ ଆବାଜକୁ ମଧ ଭ୍ରୂକ୍ଷେପ ନକରି ବାଘକୁ ପ୍ରାଣରେ ମାରିଦେବାକୁ ଗୋଡ଼ାଇଥିଲା ।

 

ପାନାର୍ ନରଖାଦକ ପାଖରେ କେଉଁଠି ଥିବାର ଆଶଙ୍କା ବରାବର ଲଗିଥିବାରୁ ଲୋକଙ୍କୁ ନେଇ ସନ୍ଧ୍ୟା ଆଗରୁ ଡେରାକୁ ଫେରିଯିବାକୁ ମୁଁ ଚାହୁଁ ଥାଏ । ଭାଲୁଟିର ଛାଲ ଉତାରିବାକୁ ଅଟକିଲେ ସନ୍ଧ୍ୟା ଆଗରୁ ଫେରିହେବନାହିଁ ଭାବି ଲୋକଙ୍କୁ ଡକାହକା କରିବା ପାଇଁ କୁଡ଼ିଆକୁ ବାହୁଡ଼ିଲି । ସେ ଭିତରେ କୁଡ଼ିଆ ପାଖରେ ଆହୁରି ଦଶ ବାରଜଣ ଲୋକ ଜୁଟି ଉପତ୍ୟକା ଏ ପାଖରୁ ଏକଲୟରେ ଅନାଇଥାଆନ୍ତି । ସେମାନଙ୍କ ଅଲକ୍ଷ୍ୟରେ ମୁଁ ପଛବାଟେ ଆସି ପାଖରେ ପହଞ୍ଚିଗଲି । ଲୋକଗୁଡ଼ିକ ଭୂତ ଦେଖିଲାପରି ଭେଟଣା ହୋଇଗଲେ । ବାଲା ସିଂ ସର୍ବପ୍ରଥମେ ପ୍ରକୃତିସ୍ଥ ହୋଇ କହିଲା, “ଭୂଇଁରୁ ମୋଟେ ଛଅଫୁଟ ଉଚ୍ଚରେ ବସିବାକୁ ଆପଣ ଜିଦ୍ ଧରିଲେ । ଏଠାକୁ ଫେରି ଆମେ ସମସ୍ତେ ରଇଫଲ୍ ଆବାଜକୁ କାନ ଡେରିଥିଲୁ । ହଠାତ୍‍ ଆପଣ ଚର୍‍ଚିରେଇବା ଶୁଣାଗଲା । ଠିକ୍ ତା’ ପରେ ପରେ ବାଘ ବି ଗର୍ଜିଉଠିଲା । ବାଘ ଆପଣଙ୍କୁ ଗଛ ଉପରୁ ଘୋଷାରି ନେଉଛି ଆଉ ଆପଣ ତା’ ସଙ୍ଗରେ ପ୍ରାଣମୂର୍ଚ୍ଛା ଲଢ଼େଇ କରୁଛନ୍ତି ଭାବି ମନରେ ଆମର କୋକୁଆଭୟ ପଶିଲା । ବାଘର ଗର୍ଜନ ବନ୍ଦ ହେଲାପରେ ବି ଆପଣ ଚିର୍‍ଚିରେଇବାରୁ ଭାବିଲୁ ଯେ ବାଘ ଏଥର ଆପଣଙ୍କୁ ଟେକି ନେଉଛି । କିନ୍ତୁ ତା’ ପରେ ପରେ ତିନିଥର ରାଇଫଲ୍‍ ଆବାଜ୍ ଶୁଣିଲୁ । ବାଘ ଟେକିନେଲାବେଳେ ବି ଆପଣ କେମିତି ବନ୍ଧୁକ ମାରୁଛନ୍ତି ବୁଝି ନପାରି ସମସ୍ତେ ବଡ଼ ଅଡ଼ୁଆରେ ପଡ଼ିଥଲୁ । ଯୋଗକୁ ଆପଣ ଭଲେ ଭଲେ ଫେରିଆସିଲେ । କ’ଣ କରିବୁ ବୋଲି ମସୁଧା କରି ଆମେ ଥଳକୂଳ ପାଉନଥିଲୁ !” ଭାଲୁର ଗର୍ଜନ ଦୂରରୁ ମଣିଷର ଆର୍ତ୍ତନାଦପରି ଶୁଣାଯାଏ । ଗଭୀର ଉତ୍କଣ୍ଠା ଅପେକ୍ଷା କରିଥିବାବେଳେ ଏ ଦୁଇ ଶବ୍ଦ ଭିତରେ ଭ୍ରମ ଘଟିବା ଆଦୌ ଅସମ୍ଭବ ନୁହେଁ ।

 

ଲୋକଗୁଡ଼ିଙ୍କୁ ସବୁ ବୃତ୍ତାନ୍ତ ବୁଝାଇ କହିବା ଭିତରେ ବାଲା ସିଂ ଚାହା କପେ କରିଆଣିଲା । ଭାଲୁ ଚର୍ବି ଆମବାତର ଅବ୍ୟର୍ଥ ଔଷଧ ବୋଲି ପାହାଡ଼ିଆ ଲୋକଙ୍କର ଅତୁଟ ବିଶ୍ଵାସ । ଭାଲୁ ଚର୍ବି ଟିକିଏ ପାଇବାକୁ ସେମାନଙ୍କର ବଡ଼ ଆଗ୍ରହ । ଚର୍ବିତକ ସେମାନେ ନିଜ ନିଜ ଭିତରେ ବାଣ୍ଟି ନେବେ ବୋଲି ମୁଁ କହିଦେବା ମାତ୍ରେ ଲୋକଗୁଡ଼ିକ ଆନନ୍ଦରେ ଆତ୍ମହରା ହୋଇପଡ଼ିଲେ । ମହାବଳବାଘ ସହିତ ଲଢ଼ିଥିବା ଭାଲୁଟିକୁ ଦେଖିବାକୁ ସମସ୍ତେ କୌତୂହଳ ପ୍ରକାଶ କଲେ । ଭାଲୁ ମରିବା କଥା ରାତାରାତି ଚାରିଆଡ଼େ ପ୍ରଘଟ ହୋଇଗଲା । ସକାଳୁ ମୁଁ ଛାଲ ଉତାରିବା ପାଇଁ ବାହାରିବା ବେଳକୁ ଆଖପାଖ ଗାଁଗଣ୍ଡାରୁ ଗୁଡ଼ିଏ ଲୋକ ଜୁଟି ପଟୁଆର ବାନ୍ଧି ଆମ ପଛରେ ଚାଲିଲେ ।

 

ସାଧାରଣ ଭାଲୁର ମାପ କ’ଣ ବା ଓଜନ କେତେ ମୋତେ ଜଣାନାହଁ; ଜୀବନସାରା ଅସଂଖ୍ୟ ଭାଲୁ ଦେଖିଥିଲେ ବି ଭଲୁଟିଏ କେବେ ମାପି ନାହିଁ ବା ତଉଲି ନାହିଁ । ମୁଁ କିନ୍ତୁ ଯେତେ ଭାଲୁ ଦେଖିଥିଲି, ଏ ଭାଲୁଟା ସବୁଠାରୁ ବଡ଼ ବୋଲି ମନେହେଲା । ଚମ ତଳେ ତା’ର ଚର୍ବି ପରସ୍ତେ ଖୁବ୍ ବହଳରେ ବସିଥାଏ । ଛାଲଟା ଉତାରି ମୁଁ ବାଲା ସିଂକୁ ଦେଇଦେଲି । ଲୋକମାନେ ଚର୍ବିତକ ବାଣ୍ଟିନେବା ପରେ ସମସ୍ତେ ମହାଆନନ୍ଦରେ ଦେବୀଧୂରା ଆଡ଼େ ଆଗେଇଲେ । ବାଲା ସିଂ ଅନ୍ୟମାନଙ୍କର ଈର୍ଷାର ପାତ୍ର ହୋଇଥିଲା ସେଦିନ । ଭାଲୁ ଚମଟି ପିଠିରେ ବାନ୍ଧି ବୀରଦର୍ପରେ ସମସ୍ତଙ୍କ ଆଗରେ ଚାଲିଲାବେଳେ ଆନନ୍ଦରେ ତା’ ଗୋଡ଼ ତଳେ ପଡ଼ୁନଥିଲା ।

 

ବାଘ ଆଉ ଗାଈ ପାଖକୁ ଫେରଲା ନାହିଁ । ଆମେ ଚାଲିଯିବା ପରେ ଶାଗୁଣାପଲେ ଭାଲୁ ଓ ଗାଈକୁ ଖାଇ ସନ୍ଧ୍ୟାସୁଦ୍ଧା ହାଡ଼ କେଇଖଣ୍ଡ ଛଡ଼ା ଆଉ କିଛି ବାକି ରଖିଲେ ନାହିଁ ।

 

ପାଞ୍ଚ

 

ବିଶ୍ରାମଶାଳାକୁ ଫେରିବା ବାଟରେ ଜଣେ ଜଙ୍ଗଲରକ୍ଷୀ ସହିତ ଦେଖାହେଲା-। ଦେବୀଧୂରାରେ ଲୋକଟିର ସଦର ମହକୁମା । ନିଜ ଇଲାକାର ଜଙ୍ଗଲତକ ତନଖି କରି ଲୋକଟି ଆଜି ସକାଳେ ଦେବୀଧୂରା ବାହୁଡ଼ିବା ପରେ ସେଠାକାର ଜଣେ ଦୋକାନୀଠାରୁ ମୁଁ ଭାଲୁମାରିଥିବା ଖବର ପାଇଲା । ତା’ ବାପାଙ୍କର ବହୁ ଦିନର ଆମବାତ ବେମାରି; ଭାଲୁ ଚର୍ବି ଟିକିଏ ତା’ର ନ ହେଲେ ନ ଚଳେ । ବ୍ୟସ୍ତ ହୋଇ ମୋ ପାଖକୁ ଆସୁ ଆସୁ ବାଟରେ ସେ ଦେଖିଲା ଯେ ଗାଈ ପଲେ ପ୍ରାଣମୂର୍ଚ୍ଛା ଧାଇଁ ପଳାଉଛନ୍ତି ଓ ଗାଈଆଳ ପିଲଟିଏ ତାଙ୍କ ପଛେ ପଛେ ଧାଇଁଛି । ପିଲାଟି କହିଲା ଯେ ଟିକିଏ ଆଗରୁ ବାଘ ତା’ ଗାଈରୁ ଗୋଟାକୁ ମାରି ଦେଇଛି । ଗୋରୁ ଚରୁଥିବା ଜାଗାଟି ବଷୟରେ ମୋଟାମୋଟି ଗୋଟିଏ ଧାରଣା କରି ଜଙ୍ଗଲରକ୍ଷୀ ଯେତେ ଶୀଘ୍ର ସମ୍ଭବ ମୋ ପାଖକୁ ପଳାଇ ଆସିଲା ।

 

ଚମ ଉତାରି ସାରି ରକ୍ତ ଓ ଚର୍ବି ସରସର ହୋଇ ବଙ୍ଗଳାକୁ ଫେରୁଥିଲି । ଗରମ ପାଣିରେ ଗାଧୋଇ ଫୁରୁସତରେ ଜଳଖିଆ ଟିକିଏ ଖାଇବି ବୋଲି ଯାହା ଆଶା ଥିଲା ତାହା ଆଉ ହେବାର ନୋହିଲା । ବାଲା ସିଂ ସହିତ ଲୋକମାନଙ୍କୁ ଦେବୀଧୂରା ପଠାଇ ଦେଇ ସେହିଠାରୁ ବାଟ ଭଙ୍ଗି ଜଙ୍ଗଲରକ୍ଷୀ ସଙ୍ଗରେ ମଲା ଗାଈଟିକୁ ଖୋଜିବାକୁ ଗଲି । ପାହାଡ଼ିଆ ଢାଲୁ ରାସ୍ତାରେ ଚଢ଼ି ଓହ୍ଲାଇ ଦୁଇ ମାଇଲ୍ ଯିବା ପରେ ଗୋଟିଏ ଛୋଟ ଉପତ୍ୟକାରେ ଦୁହେଁ ପହଞ୍ଚିଲୁ । ଜଙ୍ଗଲରକ୍ଷୀ କହିଲା ଯେ ମଲାଗାଈଟି ତାହାରି ଭିତରେ କେଉଁଠି ପଡ଼ିଥିବ ବୋଲି ତା’ର ଅନୁମାନ ।

 

ଆଲମୋଡ଼ାର ଗୁର୍ଖା ସାମରିକ ଭଣ୍ଡାରରୁ ବଳକା ଅଦରକାରୀ ଜନିଷଗୁଡ଼ିଏ ମଝିରେ ମଝିରେ ନିଲାମ ହୁଏ । ଅଳ୍ପଦିନ ତଳେ ଜଙ୍ଗଲରକ୍ଷୀ ଅତି ସଉକରେ ସେଥିରୁ ଖୁବ୍‌ ବଡ଼ ବଡ଼ ବୁଟ୍‌ ହଲେ ବାଛି ନିଲାମ ଧରିଥିଲା । ବୁଟ୍ ହଳକ ତା’ ପାଦକୁ ବହୁତ ବଡ଼ ହେଉଥାଏ । ସେଥିକୁ ଖାତିର ନ କରି ବିଚରା ଢପ୍ ଢପ୍ ହୋଇ ଅତି କଷ୍ଟରେ ମୋ ପଛେ ପଛେ ସେ ଛୋଟେଇ ଛୋଟେଇ ଚାଲିଥାଏ । ଉପତ୍ୟକା ଧାର ପାଖରେ ପହଞ୍ଚି ବୁଟ୍‌ ଖୋଲିବାକୁ ତାକୁ ବାଧ୍ୟ କଲି । ସାରା ଜୀବନ ଖାଲି ପାଦରେ ଚାଲିବା ତା’ର ଅଭ୍ୟାସ । ସାଙ୍ଗସରିସାଙ୍କ ଆଗରେ ଟିକିଏ ଦେଖାଇ ହେବାର ଆନନ୍ଦ ପାଇଁ ଲୋକଟି ବୁଟ୍‌ ମାଡ଼ି କେତେ କଷ୍ଟ ପାଇଥିବ, ତା’ ପାଦର ଅବସ୍ଥା ଦେଖି ସହଜେ ବୁଝିପାରିଲି । ପଚାରିବାରୁ ବିଚରାଟି କହଲା ଯେ ନୂଆ ଲୁଗା ପରି ନୂଆ ଜୋତା ବ୍ୟବହାର କଲାପରେ କାଳେ ଛୋଟ ହୋଇଯିବ, ଏଇ ଆଶଙ୍କାରେ ବାଛି ବାଛି ସେ ବଡ଼ ବୁଟ୍‌ ହଳେ କଣିଛି ।

 

ପ୍ରାୟ ପାଞ୍ଚମାଣ ଆୟତନ ଓ ଡଙ୍ଗାପରି ଆକାରର ଛୋଟ ଉପତ୍ୟକାଟିରେ ବଡ଼ ବଡ଼ ଓକ୍ ଗଛଗୁଡ଼ିଏ ପରସ୍ପରଠାରୁ ଛାଡ଼ି ଛାଡ଼ି ହୋଇ ଉଠିଥାଏ । ସ୍ଥାନଟି ଦୂରରୁ ଏକ ବନୋଦ୍ୟାନ ପରି ଦିଶୁଥାଏ । ପାହାଡ଼ରେ ଥାଇ ଉପତ୍ୟକା ଉପରେ ଥରେ ଆଖି ବୁଲାଇ ନେଲି; କିନ୍ତୁ ବାଘ କେଉଁଠାରେ ଲୁଚିଥିବାର କୌଣସି ଲକ୍ଷଣ ଦେଖିଲି ନାହିଁ । ଜଙ୍ଗଲରକ୍ଷୀ ସହିତ ଘାସଭାରା ଗୋଟିଏ ସହଜ ଗଡ଼ାଣିରେ ତଳକୁ ଓହ୍ଲାଇଗଲି । ଗଡ଼ାଣିଟିରେ ଲଟା ବୁଦାର ବେଶି ଗହଳି ନ ଥିଲା । କିନ୍ତୁ ଉପତ୍ୟକା ଆରପାଖ ପାହାଡ଼ଟି ଅପେକ୍ଷାକୃତ ତୀଖ ଓ ତା’ର ଉଠାଣିରେ କାଁ ଭାଁ ବୁଦାଗୁଡ଼ାଏ ଥିବା ଲକ୍ଷ୍ୟ କଲି ।

 

ଜଙ୍ଗଲରକ୍ଷୀ ଖାଲି ପାଦରେ ପୂର୍ବାପେକ୍ଷା ସହଜରେ ଓ ନିଃଶବ୍ଦରେ ଚାଲୁଥାଏ । ଉପତ୍ୟକାରେ ପହଞ୍ଚି ଦେଖିଲେ ଯେ ବଡ଼ ଚକଡ଼ାଏ ଜାଗାରୁ ଶୁଖିଲାପତ୍ର ସବୁ ଏକାଠି କରାଯାଇ ଗୋଟିଏ ଜାଗାରେ ଠୁଳ ହୋଇଛି । ପଦାକୁ କିଛି ଦିଶୁ ନ ଥିଲେ ବି ଜାଣିଗଲି ଯେ ବାଘ ମଲା ଗାଈଟିକୁ ସେଠାରେ ପତ୍ରତଳେ ଘୋଡ଼ାଇ ଦେଇ ଯାଇଛି । ଜଙ୍ଗଲରକ୍ଷୀକୁ ସେତିକି କଥା ବୁଝାଇ ନ ଦେଇ ଶେଷରେ କିପରି ଅନୁତାପ କରିବାକୁ ପଡ଼ିଲା ତାହା ପରେ କହିବି । ଅବଶ୍ୟ ଜଙ୍ଗଲରକ୍ଷୀ ସେଥିପାଇଁ ସଫାଇ ଦେଇ କହିଥିଲା ଯେ ଜଙ୍ଗଲରେ ଏତେ ବର୍ଷ କଟାଇଥିଲେ ବି ବାଘ ତା’ ଶିକାରକୁ ପତ୍ରତଳେ ଲୁଚାଇ ରଖେ ବୋଲି ସେ ଆଦୌ ଜାଣି ନଥିଲା ।

 

ଶିକାର ପତ୍ରତଳେ ଲୁଚା ହୋଇଥିଲେ ବାଘ ଆଖପାଖରେ କେଉଁଠି ନାହଁ ବୋଲି ଧରାଯାଏ । ତେବେ ସମୟ ସମୟରେ ଏଥିରେ ବ୍ୟତିକ୍ରମ ମଧ୍ୟ ଘଟିଥାଏ । ତେଣୁ ପତ୍ରଗଦାଟି ଦେଖିଦେବା ମାତ୍ରେ ମୁଁ ହଲ୍‌ଚଲ୍ ନ ହୋଇ ସ୍ଥିରଭାବେ ଛିଡ଼ାହୋଇଗଲି ଓ ଚାରିଆଡ଼କୁ ଆଖି ବୁଲାଇ ସ୍ଥାନଟିକୁ ଭଲଭାବେ ଆଉ ଥରେ ପରୀକ୍ଷା କରନେଲି ।

 

ପତ୍ରଗଦାରୁ ଅଳ୍ପ ଛଡ଼ାରେ ପାହାଡ଼ କଡ଼ ପ୍ରାୟ ପଇଁଚାଳିଶ ଡିଗ୍ରୀ କୋଣରେ ଅତି ତୀଖଭାବେ ଉଠିଥିଲା । ତଳୁ ପ୍ରାୟ ଚାଳିଶଗଜ ଉପରେ ପାହାଡ଼ କଡ଼ରେ ଛୋଟ ଛୋଟ ବୁଦାଗୁଡ଼ାଏ । ସେଆଡ଼େ ନିରେଖି କରି ଅନାଇବା ପରେ ବୁଦା ଉହାଡ଼ରେ ଗୋଟିଏ ଚଟକା ଜାଗାରେ ବାଘ ମୋ ଆଡ଼କୁ ଗୋଡ଼କରି ଶୋଇଥିବା ନଜରରେ ପଡ଼ିଗଲା । ମୁଁ ଅନାଇଥିବା ଭିତରେ ବାଘ କଡ଼ ଲେଉଟାଇ ମୋ ଆଡ଼କୁ ପିଠିକରି ଶୋଇଲା । ମୁଣ୍ଡ ଓ କାନ୍ଧରୁ ପଛଫଡ଼ିଆ ପର୍ଯ୍ୟନ୍ତ ତିନିଇଞ୍ଚ ଓସାରରେ ତା’ ପିଠିରୁ ପଟାଏ ବୁଦା ଫାଙ୍କବାଟେ ସ୍ପଷ୍ଟ ଦେଖାଯାଉଥାଏ । ଅତି ଜରୁରୀ ଅବସ୍ଥା ନ ଉପୁଜିଲେ ବାଘ ମୁଣ୍ଡକୁ ଗୁଳି କରିବା ଉଚିତ ନୁହେଁ । ଏଣେ ଦେହକୁ ପୂରା ନ ଦେଖି କେବଳ ଅନ୍ଦାଜରେ ଗୁଳି ଚଳାଇଲେ ତାହା ମର୍ମସ୍ଥଳରେ ନ ବାଜିବାର ଯଥେଷ୍ଟ ସମ୍ଭାବନା ।

 

ଆଗକୁ ଲମ୍ବା ଖରାବେଳଟା ପଡ଼ିଛି । ବାଘ ସେ ଭିତରେ ନିଶ୍ଚୟ କେତେବେଳେ ଉଠି ଛିଡ଼ାହେବ । ସେଠାରେ ଘଡ଼ିଏ ବସି ବାଘ ଛିଡ଼ାହେବାକୁ ଅପେକ୍ଷା କରିବ ଭାବୁଛି, ହଠାତ୍‌ ଏତିକିବେଳେ ବାଁ ପାଖରେ କ’ଣଟିଏ ହଲ୍‍ଚଲ୍‌ ହେଲା । ସେଆଡ଼େ ଅନାଇ ଦେଖିଲି, ମାଈ ଭାଲୁଟିଏ ଅଧା ବୟସର ଦୁଇଟି ଛୁଅଙ୍କୁ ସଙ୍ଗରେ ନେଇ ଉପତ୍ୟକା ଭିତରୁ ପତ୍ରଗଦା ଆଡ଼କୁ ଆଗୋଉଛି । ବିଶେଷ କୌଣସି କାରଣ ନ ଥିଲେ ଭାଲୁ ଖରାବେଳେ ବୁଲି ବାହାରେ ନାହିଁ । ସମ୍ଭବତଃ ବାଘ ଗାଈଟିକୁ ମାରିବା ଶବ୍ଦ ସେ ଶୁଣିଛି ଓ ବାଘ ସେଠାରୁ ଅପସରି ଯିବାଯାଏ ଅପେକ୍ଷା କରି ମଢ଼କୁ ଏବେ ଖୋଜି ବାହାରିଛି ବୋଲି ଅନୁମାନ କଲି । ଜଙ୍ଗଲରେ ବାଘର ଶିକାର ଅପହରଣ କରିନେବା ପାଇଁ ମୁଁ ମଧ୍ୟ ଠିକ୍ ସେ କୌଶଳ ଅବଲମ୍ବନ କରେ । ସେଦିନ ଆମେ ଉପତ୍ୟକା ଧାର ପାଖରେ ମଲା ଗାଈଠାରୁ ଆଉ ଟିକିଏ ଉଚ୍ଚରେ ଓ ଦୂରରେ ଥିଲେ ଚମତ୍କାର ଦୃଶ୍ୟଟିଏ ଦେଖିବାର ସୁଯୋଗ ପାଇଥାଆନ୍ତୁ ନିଶ୍ଚୟ । ଭାଲୁ ତା’ର ପ୍ରଖର ଘ୍ରାଣଶକ୍ତି ସାହାଯ୍ୟରେ ମଲା ଗାଈଟିକୁ ସହଜେ ଠାବ କରି ଥାଆନ୍ତା । ପତ୍ରତକ ଆଡ଼େଇ ମଢ଼କୁ ସେ ପଦାକୁ କାଢ଼ିଥିଲେ ବାଘ ସେଇ ଶବ୍ଦରେ ଚେଇଁ ଉଠିଥାଆନ୍ତା ଓ ବିନା ଯୁଦ୍ଧରେ ଶିକାର ଦଖଲ କରି ନେବାକୁ ଭାଲୁକୁ କଦାପି ଛାଡ଼ି ନ ଥାଆନ୍ତା । ବାଘ ଭାଲୁଙ୍କର ଆଉ ଥରେ ଲଢ଼େଇ ଲଗିଥିଲେ ପୂର୍ବପରି ତାହା ନିଶ୍ଚୟ ଦର୍ଶନଯୋଗ୍ୟ ହୋଇଥାଆନ୍ତା ।

 

ଜଙ୍ଗଲରକ୍ଷୀ ମୋ ପଛରେ ସ୍ଥିରଭାବେ ଛିଡ଼ାହୋଇ ଭୂଇଁକୁ ଅନାଇ କ’ଣ ଦେଖୁଥିଲା । ବାଘ ବା ଭଲୁ–ସେତେବେଳଯାଏ ସେ କାହାରିକୁ ଦେଖିନଥାଏ । ଉପରକୁ ଅନାଇଦେବାମାତ୍ରେ ଭାଲୁ ତନୋଟିଙ୍କୁ ଦେଖିଦେଇ ସେ ଚିତ୍କାର କରି ଉଠିଲା, ‘‘ହେଇଟି ସାହେବ ! ଭାଲୁ ! ଭାଲୁ !” ବାଘ ତା’ ସ୍ୱର ଶୁଣି ବିଜୁଳି ବେଗରେ ବୁଦାଉହାଡ଼ରୁ ବାହାରି ପଡ଼ି ଅଖିପିଛୁଳାକେ ସେଠାରୁ ଚମ୍ପଟ ଦେଲା । ପଦା ଜାଗାଟି ସେ ପାରହୋଇ ଯିବାକୁ ଆଉ ମୋଟେ କୋଡ଼ିଏ ଗଜ ଅଛି ଦେଖି ତରତର ହୋଇ ଗୁଳି ଚଳାଉଥିଲା । ଜଙ୍ଗଲରକ୍ଷୀ ଭବିଲା ଯେ ମୁଁ ଭାଲୁକୁ ମାରିବାକୁ ଚାହୁଁଛି; କିନ୍ତୁ ରାଇଫଲ୍ ଠିକ୍‌ଭାବେ ନିଶାଣ କରିପାରୁନାହିଁ । ନିଜକୁ ସମ୍ଭାଳି ନପାରି ମୋ ବାହା ଧରିପକାଇ ରାଇଫଲ୍‌କୁ ସେ ଜୋର୍‍କରି ଭାଲୁଙ୍କ ଆଡ଼କୁ ମୁହାଁଇ ଦେଲା । ଫଳରେ ଗୁଳି ସେଠାରୁ ଅଳ୍ପଦୂର ଗୋଟିଏ ଗଛ ଦେହରେ ଯାଇ ବସିଗଲା ।

 

ଦୈନନ୍ଦିନ ଜୀବନରେ ରାଗିଉଠିବା କେତେବେଳେ ଭଲ ନୁହେଁ; ବିଶେଷକରି ଜଙ୍ଗଲରେ ଯେକୌଣସି ପରିସ୍ଥିତିରେ ରାଗିବା ଏକାନ୍ତ ଅନୁଚିତ । ତା’ପରେ, ଜଙ୍ଗଲରକ୍ଷୀର ବା ଦୋଷ କ’ଣ ? ପତ୍ରଗଦାଟିର ଅସଲ ତାତ୍ପର୍ଯ୍ୟ ସେ ବୁଝିନଥଲା; ବାଘକୁ ଦେଖିବା ଦୂରେ ଥାଉ, ଗୁଳି ଫୁଟିବା ପରେ ମଧ୍ୟ ବାଘ ପଳାଇଯିବା ସେ ଲକ୍ଷ୍ୟ କରିପାରିନଥିଲା । ଭାଲୁଙ୍କପ୍ରତି ଦୃଷ୍ଟି ଆକର୍ଷଣ କରି ମୋ ଜୀବନ ରକ୍ଷାକରିବା ତା’ର ଥିଲା ଉଦ୍ଦେଶ୍ୟ । ବନ୍ଧୁକ ଆବାଜରେ ଭାଲୁ ତିନିଟା ଲସର ପସର ହୋଇ ପଳାଇଗଲାବେଳେ ବିଚରା ପ୍ରବଳ ଉତ୍ତେଜନାରେ ଆଣାୟତ୍ତ ହୋଇ ଆବେଗଭରା ସ୍ୱରରେ ଭାଲୁ ପଳାଇ ଯିବା କଥା ସୂଚାଇ ‘ମାର’ ‘ମାର’ ବୋଲି ଚାପା ଗଳାରେ ବାରମ୍ବାର ଚିତ୍କାର କରି ଉଠୁଥାଏ ।

 

ଦେବୀଧୂରା ଫେରିବାବେଳେ ଜଙ୍ଗଲରକ୍ଷୀ ମନ ମାରିଦେଇ ତୁନି ହୋଇ ମୋ ପଛେ ପଛେ ଚାଲିଥାଏ । ତାକୁ ଉତ୍ସାହ ଦେବାକୁ କହିଲି ଯେ ଘୁରଡ଼ଟିଏ ମାରିପାରିଲେ ମୋ ଲୋକଙ୍କ ପାଇଁ ଅନ୍ତତଃ ମାଂସ କିଛି ମିଳଯାଆନ୍ତା । ଲୋକଟି ସଙ୍ଗେ ସଙ୍ଗେ ଆଗ୍ରହରେ କହିଉଠିଲା ଯେ ଘୁରଡ଼ ମିଳିଲାଭଳି ଜାଗାଟିଏ ତାକୁ ଜଣାଅଛି; ଗୋଡ଼ର ଫୋଟକାକୁ ଭୁଲି ମୋତେ ବାଟ କଢ଼ାଇ ସେଠାକୁ ନେଇଯିବାକୁ ସେ ଆଗୁସାର ହୋଇ ବାହାରିଲା । ବାଟରେ ବିଶ୍ରାମଶାଳାରେ ଅଟକି ଚାହା କପେ ଖାଇବା ପରେ ଦୁହେଁ ଘୁରଡ଼ ସନ୍ଧାନରେ ପୁଣି ବାହାରିଲୁ । ଜଙ୍ଗଲରକ୍ଷୀ କହିବା ତେ ଘୁରଡ଼ ବୋହି ଆଣିବାପାଇଁ ଲୋକ ଦୁଇଜଣ ମୁଁ ସଙ୍ଗରେ ଡାକନେଲି ।

 

ବିଶ୍ରାମଶାଳା ବାରଣ୍ଡାତଳୁ ପାହାଡ଼କଡ଼ ପାନାର୍ ନଦୀକୂଳଯାଏ ତୀଖଭାବେ ଗଡ଼ିଥିବା କଥା ଆଗରୁ କହିଛି । ଗଡ଼ାଣିରେ କେଇଶହ ଗଜ ତଳକୁ ଓହ୍ଲାଇଯିବା ପରେ ଘୁରଡ଼ସରିଟିଏ ପଡ଼ିଲା । ଫୁଟେ ଓସାର ସରିଟି ପାହାଡ଼ ଏପାଖରୁ ସେପାଖକୁ ଲମ୍ବିଥାଏ । ସେହିଠାରୁ ଡାହାଣକୁ ବୁଲି ମୁଁ ବାଟ କଢ଼ାଇ ଚାଲିଲି । ପ୍ରାୟ ଅଧମାଇଲ୍‍ ଯିବା ପରେ ସାମନାରେ ଝୋଲାଟିଏ ପଡ଼ିଲା । ଝୋଲା ଏପାଖ ପଥୁରିଆ ବନ୍ଧରୁ ଅନାଇ ଦେଖିଲି ଯେ ଆର ବନ୍ଧରେ ଘୁରଡ଼ଟିଏ ଉପରକୁ ଅନାଇ ଛିଡ଼ା ହୋଇଛି । ଥାର୍‌, ଟାଙ୍ଗରୋଲ୍, ମାର୍‌ ଖୋର୍‌ ଆଦି ହିମାଳୟ ଅଞ୍ଚଳର ସବୁ ପାହାଡ଼ିଆ ଛେଳିଙ୍କ ପରି ଘୁରଡ଼ ମଧ୍ୟ ଉପରକୁ ଅନାଇ ଛିଡ଼ାହୁଏ । ଘୁରଡ଼ଟିକୁ ସାମନାରେ ପାଇ ମାଂସ କିଛ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ନୂଆ ରାଇଫଲ୍‌ଟିକୁ ପରଖ କରିବା ପାଇଁ ପ୍ରକୃଷ୍ଟ ସୁଯୋଗ ମିଲଗଲା । ରାଇଫଲ୍‌ର ମାଛିକୁ ଦୁଇଶହ ଗଜ ଦୂରତା ପାଇଁ ସଜାଡ଼ି ଖୁବ୍ ସାବଧାନରେ ଲକ୍ଷ୍ୟକରି ଘୋଡ଼ା ଟିପିଲି । ଘୁରଡ଼ଟି ସେହିଠାରେ ଟଳିପଡ଼ି ଯୋଗକୁ ପଥର ଉପରେ ହିଁ ଅଟକି ରହିଗଲା । ତଳକୁ ଖସିଥିଲେ ପଥର ତଳେ ଥିବା ଶହ ଶହ ଗଜ ଗହିର ପ୍ରକାଣ୍ଡ ଖାଲରେ ସେ ପଡ଼ିଥାନ୍ତା । ବନ୍ଧୁକ ଆବାଜ ହେବାମାତ୍ରେ ବନ୍ଧତଳୁ ମାଈ ଘୁରଡ଼ଟିଏ ବାହାରିପଡ଼ି ଝୋଲା ଉପରଆଡ଼େ ଛୁଟିଲା । ପାହାଡ଼ ପାର ହେବାଯାଏ ଘୁରଡ଼ଟି ବାରମ୍ବାର ଅଟକି ଫେରି ଫେରି ଯେମିତି ଅନାଉଥାଏ, ସେଥିରେ ଯେ କେହି ତାକୁ ସହଜରେ ମାରି ପାରିଥାଆନ୍ତା । ତା’ ପଛରେ କିନ୍ତୁ ଛୁଆ ଯୋଡ଼ିଏ ଧାଇଁଥିବା ଦେଖି ଘୁରଡ଼ଟିକୁ ମାରିଲି ନାହଁ ।

 

ମୋ ଲୋକ ଦୁହେଁ ଝୋଲା ପାରହୋଇ ମଲା ଘୁରଡ଼କୁ ଆଣିବା ଭିତରେ ଜଙ୍ଗଲରକ୍ଷୀ ଓ ମୁଁ ସେହିଠାରେ ବସି ସିଗାରେଟ୍ ଟାଣିଲୁ । ଭାଗେ ମାଂସ ଛଡ଼ା ଘୁରଡ଼ ଚମଟି ମଧ୍ୟ ତାକୁ ମିଳିବ ବୋଲି ମୋ’ଠାରୁ ପ୍ରତିଶ୍ରୁତି ପାଇ ଜଙ୍ଗଲରକ୍ଷୀ ପ୍ରକାଶ କଲା ଯେ ଆମବାତ ଭେଗିବା ଦିନୁ ତା’ ବାପା କୁଆଡ଼େ ସକାଳେ ସଞ୍ଜେ ଖରାରେ ବସନ୍ତି । ଭାଲୁ ଚର୍ବି ହରାଇବାର ଦୁଃଖ ଭୁଲି ଲୋକଟି ମନଖୁସିରେ କହିଲା ଯେ ଘୁରଡ଼ ଚମଡ଼ାର ଆସନଟିଏ ପାଇଲେ ଖରାରେ ବସିବାକୁ ତାଙ୍କୁ ସୁବିଧା ହେବ ।

 

(ଛଅ)

 

ବାଘ ଶିକାର ପାଖକୁ ଆଉ ଫେରିବ ନାହିଁ ବୋଲି ଜାଣିଥିଲି । ଭାଲୁଗୁଡ଼ିକ କିନ୍ତୁ ଶିକାରଟିକୁ ଦଖଲ କରିବାକୁ ଆଉ ଥରେ ନିଶ୍ଚୟ ଚେଷ୍ଟା କରିବେ ବୋଲି ଯାହା ଅନୁମାନ କରିଥିଲି, ପରଦିନ ସକାଳୁ ଯାଇ ତାହା ପୂରାପୂରି ଠିକ୍ ବୋଲି ଦେଖିଲି । ଭାଲୁ ତିନୋଟି ରାତି ଭିତରେ ଗାଈଟିକୁ ଶେଷକରି କେବଳ ହାଡ଼ କେଇଖଣ୍ଡ ଛାଡ଼ି ଯାଇଥିଲେ । ସକାଳେ ମୁଁ ପହଞ୍ଚିଲାବେଳକୁ ଫୁଲଶାଗୁଣାଟିଏ ସେଠାରେ ବସି ହାଡ଼ତକ ଖୁମ୍ପିବାରେ ଲାଗିଥାଏ ।

 

ସେଦିନ ସକାଳ ଓଳିଟାସାରା ହାତରେ ଥିବାରୁ ବାଘକୁ ଅନୁସରଣ କରି ତା’ର ଗତିବିଧି ଲକ୍ଷ୍ୟ କରିବାକୁ ସ୍ଥିରକଲି । ପୂର୍ବଦିନ ହୁରୁଡ଼ି ଯିବା ପରେ ବାଘ ପାହାଡ଼ ଉପରକୁ ଯେଉଁଆଡ଼େ ଛୁଟି ପଳାଇଥିଲା, ସେଆଡ଼େ ଯାଇ ତାକୁ ଖୋଜିବା ଛଡ଼ା ପାନାର୍ ନରଖାଦକର ପାହୁଲଦାଗ ଖୋଜିବା ବି ମୋର ଉଦ୍ଦେଶ୍ୟ ଥାଏ । ପାହାଡ଼ ପାର ହୋଇ ଆରପାଖରୁ ଲୋହାରଘାଟ ସଡ଼କଯାଏ ଗଡ଼ିଲି-। ଖରାବେଳ ସରିକି ବିଶ୍ରାମଶାଳା ଫେରି ପୁଣି ଖବର ପାଇଲି ଯେ ବାଘ ସେ ଭିତରେ ଆଉ ଗୋଟିଏ ଗାଈ ମାରି ଦେଇଛି ।

 

ଗାଈ ମରିବା ଖବର ନେଇ ଆସିଥିବା ଯୁବକଟି ବେଶ୍ ବୁଦ୍ଧିମାନ । ମୋକଦ୍ଦମା ସମ୍ଭ୍ରାନ୍ତରେ ଆଲମୋଡ଼ାରେ କାମ ଥିବାରୁ ଗାଈ ମରିଥିବା ଜାଗାଟି ମୋତେ ଦେଖାଇଦେବାକୁ ତାକୁ ସମୟ ନଥିଲା । ତେବେ ଅଙ୍ଗାର ଖଣ୍ଡକରେ ବିଶ୍ରାମଶାଳା ବାରଣ୍ଡାରେ ନକ୍‌ସାଟିଏ ଆଙ୍କି ସ୍ଥାନଟି ସେ ସହଜରେ ସୂଚାଇ ଦେଇ ପାରିଲା । ସେତେବେଳକୁ ଜଳଖିଆ ସମୟ ବିତିଗଲାଣି । ଜଳଖିଆ ସହିତ ଖରାବେଳ ଖାଇବାକୁ ମିଶାଇ ଶେଷ କରିବା ପରେ ମଢ଼ ଖୋଜିବାକୁ ବାହାରି ପଡ଼ିଲି ।

 

ପୂର୍ବଦିନ ବାଘକୁ ଯେଉଁଠି ଗୁଳି କରିଥିଲି, ଗାଈ ମାରିଥିବା ସ୍ଥାନଟି ସେଠାରୁ ପାଞ୍ଚମାଇଲ୍ ଦୂର । ନକ୍‌ସା ଅନୁସାରେ ଉପତ୍ୟକା ଭିତରେ ଜାଗାଟିକୁ ସହଜରେ ଠଉରାଇ ନେଇ ପାରିଲି । ଗୋରୁ ଗୋଠକ ଝରଣାକୂଳରେ ଚରୁଥିଲାବେଳେ ବାଘ ଗୋଟିଏ ବଡ଼ ଗାଈକୁ ମାଡ଼ି ବସିଥିଲା । ଝରଣାକୂଳ ନରମ ମାଟିରେ ଛାପିହୋଇ ପଡ଼ିଥିବା ସଙ୍ଘର୍ଷର ନାନା ଚିହ୍ନରୁ ସ୍ପଷ୍ଟଭାବେ ଜଣାପଡ଼ୁଥାଏ ଯେ ପ୍ରକାଣ୍ଡ ଗାଈଟିକୁ କାବୁ କରିବା ବାଘ ପକ୍ଷରେ ସେତେଟା ସହଜ ହୋଇନଥିଲା-। ବଡ଼ ଶିକାରଟିଏ ମାରିବା ପରେ ବାଘ ସାଧାରଣତଃ ତା’ ପାଖରେ କିଛି ସମୟ ଅଟକି ରହି ଥକ୍‌କା ମାରେ । ଏ ବାଘ କିନ୍ତୁ ମଲା ଗାଈଟିକୁ ସଙ୍ଗେ ସଙ୍ଗେ ଟେକିନେଇ ଝରଣା ପାରହୋଇ ପାହାଡ଼ତଳ ନିବିଡ଼ ଜଙ୍ଗଲରେ ପଶିଥିଲା । ଗାଈଟିର ତଣ୍ଟି ଝୁଣିଧରିବା ପରଠାରୁ ସେ ଦାନ୍ତଜାପ ଫିଟାଇ ନ ଥିବାରୁ ଘୋଷରାଦାଗରେ ରକ୍ତ ଝରି ନଥିବା ମଧ୍ୟ ଲକ୍ଷ୍ୟ କଲି ।

 

ଏଥି ପୂର୍ବରୁ ବାଘ ପ୍ରତିଥର ଗାଈଟିଏ ମାରି ତାକୁ ଅଳ୍ପଦୂରକୁ ନେଇ ଲୁଚାଇ ଦେଉଥିଲା-। ଏଥର କିନ୍ତୁ ମଢ଼ ନେଇ ସେ ଯେତେଦୂରକୁ ପାରେ ପଳାଇଯିବାକୁ ଚେଷ୍ଟା କଲାପରି ଜଣାପଡ଼ୁଥାଏ । ମଢ଼କୁ ଦୁର୍ଗମ ଜଙ୍ଗଲଭରା ତୀଖ ପାହାଡ଼ ଉପରକୁ ଦୀର୍ଘ ଦୁଇମାଇଲ୍‍ ଟେକି ଟେକି ନେବାପରେ ବାଘ ପାହାଡ଼ ଆରପାଖ ଗଡ଼ାଣିରେ କେଇଶହ ଗଜ ତଳକୁ ଓହ୍ଲାଇଥିଲା-। ସେଠାରୁ ଗଜା ଓକ୍ ଗଛର ନିବିଡ଼ ଜଙ୍ଗଲ ଭିତରେ ପଶିଗଲାବେଳେ ଗାଈର ଗୋଡ଼ ଦୁଇଟି ଗଜାଗଛ ମଝିରେ ଲାଖି ଅଟକିଲା । ବାଘ ନିଜେ ପାହାଡ଼ ଉଠାଣିରେ ଥିବା ସତ୍ତ୍ୱେ ମଢ଼କୁ ଏତେ ଜୋରରେ ଝିଙ୍କି ନେଇଥଲା ଯେ ଗାଈର ଗୋଡ଼ଟି ଆଣ୍ଠୁ ପାଖରୁ ପୂରା ଛାଡ଼ିଯାଇ ଗଛ ସନ୍ଧିରେ ସେ ପର୍ଯ୍ୟନ୍ତ ଲାଖି ରହିଥାଏ । ସେଠାରୁ ଅଳ୍ପ ଦୂରରେ ଗୋଟିଏ ଚଟକା ଜାଗାରେ ଫୁଟେ ଦୁଇଫୁଟ ମୋଟ ଗଜା ଓକ୍ ଗଛର ଗହଳ ଜଙ୍ଗଲ । ଗଛଗୁଡ଼ିକ ମଝିରେ ବେଶି ଫାଙ୍କ ନ ଥିଲେ ବି ବାଘକୁ ଆଢ଼ୁଆଳ ଦେବା ଭଳି ଲଟାବୁଦା ସେଠାରେ ନ ଥିଲା । ବାଘ ଏଥର ମଧ୍ୟ ମଢ଼କୁ ଲୁଚାଇବାକୁ ଚେଷ୍ଟା ନକରି ଗଜାଗଛ ଗହଳରେ ତାକୁ ପଦାରେ ପକାଇ ଦେଇ ପଳାଇଥାଏ ।

 

ଘୋଷରାଦାଗ ଠଉରାଇ ମୁଁ ଅତି ଧୀରେ ଧୀରେ ପାହାଡ଼ ଚଢ଼ିଥିଲି । ରାଇଫଲ୍ ଓ ଗୁଳି କେତୋଟି ଛଡ଼ା ମୋତେ ଆଉକିଛି ବୋହିବାକୁ ପଡ଼ି ନଥିଲା । ତା’ ସତ୍ତ୍ୱେ ତୀଖ ପାହାଡ଼ଟି ଚଢ଼ି ମଡ଼ ପାଖରେ ଯାଇ ପହଞ୍ଚିବା ବେଳକୁ ଝାଳରେ ମୁଁ ଗୋଟାପଣେ ଗାଧୋଇ ପଡ଼ିଥାଏ ଓ ଶେଷରେ ମୋ ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥାଏ । ଏତିକିରେ ମୋତେ ଯଦି ଏତେ ଶୋଷ କଲା, ତେବେ ଭାରୀ ଗାଈଟିକୁ ପାହାଡ଼ ଉପରକୁ ଏତେବାଟ ବୋହିଆଣିବା ପରେ ବାଘକୁ କେତେ ଶୋଷ କରୁନଥିବ ! ତେଣୁ ମଢ଼କୁ‌ ‍‍‍‍‍ଏଠାରେ ରଖି ସେ ପାଣି ସନ୍ଧାନରେ ନିଶ୍ଚୟ ଯାଇଥିବ ବୋଲି ବିଚାରିଲି । ପାଖରେ କେଉଁଠି ପାଣି ଥିଲେ ନିଜେ ଶୋଷ ମେଣ୍ଟାଇବା ଛଡ଼ା ସେଠାରେ ବାଘର ଭେଟ ହୁଏତ ପାଇଯାଇପାରେ । ବାଘ ଦୁଇଦିନ ତଳେ ଯେଉଁ ଝୋଲାରେ ଶିକାର ଲୁଚାଇଥିଲା ଓ ମୋତେ ଯେଉଁଠି ଭାଲୁଟିକୁ ମାରିଦେବାକୁ ପଡ଼ିଥଲା–ସେହି ଝୋଲାରେ ଥିବା ଝରଣାଟି ଏଇ ଓକ୍ ଜଙ୍ଗଲରୁ ମାତ୍ର ଅଧମାଇଲ୍‍ ଦୂର । ସେଠାକୁ ଯିବା ପୂର୍ବରୁ ବାଁକୁ ଆହୁରି ପାଖରେ ଥିବା ଗୋଟିଏ ଛୋଟ ଝୋଲାକୁ ବି ଥରେ ଦେଖିଦେବାକୁ ସ୍ଥିରକଲି ।

 

ଛୋଟ ଝୋଲାଟିରେ ପଶି ଅଧମାଇଲ୍ ଗଲାପରେ ଦୁଇବନ୍ଧ ମଝିରେ ଏକ ଅତି ଅପ୍ରଶସ୍ତ ସ୍ଥାନରେ ପହଞ୍ଚିଲି । ଦେଖିଲି ସେଠାରେ ସରୁ ଗୋଡ଼ି ବିଛାଇ ହୋଇ ପଡ଼ିଛି । ଟିକିଏ ଆଗକୁ ବଡ଼ ପଥରଟାଏ ଝୋଲା ଅଧଯାଏ ପଶି ଆସିଥିଲା । ଆହୁରି କୋଡ଼ିଏ ଗଜ ଆଗକୁ ଓ ଡାହାଣକୁ ଏକ ବୁଲାଣି ଉପରେ ଛୋଟ ଚବକାଟିଏ; ଚବକା ଓ ଝୋଲାର ଡାହାଣ ବନ୍ଧ ମଝିରେ ଅଳ୍ପଓସାର ଚକଡ଼ାଏ ବାଲି । ପଥରଟିକୁ ପାର ହୋଇଯିବା ମାତ୍ରେ ବାଘ ବାଁ କଡ଼ମାଡ଼ି ମୋ ଆଡ଼କୁ ପଛକରି ବାଲି ଉପରେ ଶୋଇଥିବା ଦେଖିଦେଲି । ମୋଡ଼ ଏପାଖରୁ କେବଳ ତା’ ଲାଞ୍ଜ ଓ ପଛ ଫଡ଼ିଆଟି ଦେଖାଯାଉଥାଏ; ତା’ ଦେହ ଓ ମୁଣ୍ଡ ଥାଏ ମୋଡ଼ ଆରପାଖରେ ।

 

ସେଠାରେ ଝୋଲାବନ୍ଧରୁ ନଇଁ ଆସିଥିବା ଝଙ୍କାଳିଆ ଗଛଗୁଡ଼ିକରୁ ମଇଁଷାଳମାନେ ଡାଳପତ୍ର କାଟି ମଇଁଷି ଖୁଆନ୍ତି । ବାଘ ଓ ମୋ ଭିତରେ ଥିବା ଶୁଖିଲା ଡାଳପତ୍ର ଗଦାଏ ଦୃଷ୍ଟି ଅବରୋଧ କରୁଥାଏ । ଗୁଳି ଚଳାଇବା ପାଇଁ ଡାଳ ମଝିରେ ଟିକିଏ ବି ଫାଙ୍କ ନଥିଲା । ଏଣେ ଶବ୍ଦ ନ କରି ଶୁଖିଲା ପତ୍ରତକ ପାରହେବା ଅସମ୍ଭବ । ଝୋଲାବନ୍ଧରେ ଚଢ଼ି ଆରପାଖକୁ ବୁଲି ଯିବାକୁ ଚେଷ୍ଟା କଲେ ତୀଖ ଗଡ଼ାଣିରୁ ଗୋଡ଼ି ଝରିଆସି ମୋତେ ଧରା ପକାଇ ଦେବ । ଅନ୍ୟ ଉପାୟ ନ ପାଇ ବାଘ ଛିଡ଼ା ହେବାଯାଏ ଅପେକ୍ଷା କରି ସେହିଠାରେ ନିଶ୍ଚଳ ହୋଇ ବସି ରହିଲି ।

 

କଠୋର ପରିଶ୍ରମ ପରେ ପେଟେ ପାଣି ପିଇ ବାଘ ଆହୁରି ଅଧଘଣ୍ଟାକାଳ ନିଘୋଡ଼ ନିଦରେ ଶୋଇଲା । ତା’ପରେ ସେ କଡ଼ ଲେଉଟାଇବା ଫଳରେ ପଛ ଗୋଡ଼ରୁ ଆଉ ଟିକିଏ ମୋତେ ଦେଖାଗଲା । କିଛି ସମୟ ସେହିପରି ପଡ଼ିରହିବା ପରେ ବାଘ ହଠାତ୍ ଉଠିପଡ଼ି ଏତେ ଶୀଘ୍ର ମୋଡ଼ ଆରପାଖକୁ ଚାଲିଗଲା ଯେ ଗୁଳି ଚଳାଇବାକୁ ସୁଯୋଗ ପାଇଲି ନାହିଁ । ଶିକାର ମୋ ପଛରେ ରହିଛି; ତେଣୁ ବାଘ ଏଇବାଟେ ନିଶ୍ଚୟ ଫେରିବ ବୋଲି ଭରସା ରଖି ବସି ରହିଲି । ରାଇଫଲ୍ ଘୋଡ଼ାରେ ଟିପ ରଖି ବାଘ ମୋଡ଼ ଉପରେ ଦେଖାଦେବା ପାଇଁ ଅପେକ୍ଷା କରିଥିବା ଭିତରେ ଶହେଗଜ ଦୂରରେ କୁଟୁରାଟିଏ ହଠାତ୍ ଭୁକି ଭୁକି ପାହାଡ଼ ତଳକୁ ଛୁଟି ପଳାଇଲା । ଟିକିଏ ପରେ ସେଠାରୁ ଆଉ ଟିକିଏ ଦୂରରୁ ସମ୍ବରଟିଏ ବି ହମ୍ବାଳିବାକୁ ଆରମ୍ଭ କରିଦେଲା ।

 

ବାଘ ଏଥରକ ମଧ୍ୟ ଅତି ଆଶ୍ଚର୍ଯ୍ୟ ଭବେ ମୋ ଅକ୍ତିଆରରୁ ଖସିଗଲା ବୋଲି ଜାଣିଲି, କିନ୍ତୁ ତା’ର କାରଣ ବୁଝିପାରିଲି ନାହିଁ । ପ୍ରାଣମୂର୍ଚ୍ଛା ପରିଶ୍ରମ କରି ଏଡ଼େ ବଡ଼ ଗାଈଟିକୁ ପାହାଡ଼ ଉପରକୁ ଏତେ ଦୂର ଉଠାଇ ଆଣିବା ପରେ ସେ ଅକାରଣରେ ଆଉଥରେ ପାହାଡ଼ ଚଢ଼ିଲା କାହିଁକି-? ବାଘର ଘ୍ରାଣ ଶକ୍ତି ଏତେ ଦୁର୍ବଳ ଯେ ମୋ ଗନ୍ଧ ସେ କଦାପି ବାରପାରି ନଥିବ ! ସେ ଯାହାହେଉ, ବାଘ ସେଠାରୁ ଖସିଯାଇଛି ବୋଲି ଜାଣିଲା ପରେ ବି ଆଶା ଛାଡ଼ିଲି ନାହିଁ । ଏତେ କଷ୍ଟ ମଢ଼କୁ ଏତେ ବାଟ ବୋହି ଆଣିବା ପରେ ବାଘ ସହଜରେ ତାକୁ ଛାଡ଼ି ପଳାଇବ ନାହିଁ; ଯେତେବେଳେ ହେଲେ ଶିକାର ପାଖକୁ ସେ ନିଶ୍ଚୟ ଫେରିବ । ତେଣୁ ଆଗରୁ ସେଠାରେ ପହଞ୍ଚି ତାରି ଶିକାର ପାଖରେ ହିଁ ତାକୁ ଉଚିତ ସମ୍ବର୍ଦ୍ଧନା ଜଣାଇବାକୁ ସ୍ଥିରକଲି । ଫେରିବା ଆଗରୁ ଚବକା ପାଖକୁ ଗଲି । ବରଫ ପରି ଶୀତଳ ପାଣି ପେଟ ପୂରାଇ ପିଇବାପରେ ଦୂରବାଟ ଚାଲିବା‌ ବିନିମୟରେ ଅନ୍ତତଃ କିଛିଟା ସନ୍ତୋଷ ମିଳିଲା । ଦୀର୍ଘ ସମୟ ପରେ ସିଗାରେଟ୍ ଖଣ୍ଡିଏ ଲଗାଇ ବେଶ୍ ଉପଭୋଗ ମଧ୍ୟ କରିହେଲା ।

 

ବାଘ ପଶ୍ଚିମପାଖରୁ ମଢ଼ ପାଖକୁ ଆସିବ ବୋଲି ଜାଣିଥିଲି । ବାଘର ଦୃଷ୍ଟିଶକ୍ତି ଖୁବ୍ ତୀକ୍ଷ୍‌ଣ; ବାଟ ଆଖପାଖରେ ଜଗି ବସିଲେ ଧରା ପଡ଼ିଯିବାର ବିଶେଷ ସମ୍ଭାବନା । ତେଣୁ ମଢ଼ଠାରୁ ପୂର୍ବକୁ ଦଶଗଜ ଦୂରରେ ଓକ୍ ଗଛଟିଏ ବାଛିଲି ଓ ଦିନ ରତରତ ହେବା ବେଳକୁ ଗଛରେ ଚଢ଼ି ଡାଳରେ ସଜାଡ଼ି ହୋଇ ବସିଲି । ଗଛଉପରୁ ଉପତ୍ୟକା ଓ ଆଖପାଖ ପାହାଡ଼ଗୁଡ଼ିକ ସ୍ପଷ୍ଟ ଦେଖାଯାଉଥାଏ । ଅସ୍ତଗାମୀ ସୂର୍ଯ୍ୟକରଣରେ ବଣ ଜଙ୍ଗଲ ଉଦ୍ଭାସିତ ହୋଇଉଠିବାବେଳକୁ ଉପତ୍ୟକା ଭିତରୁ ସମ୍ବରଟିଏ ଆତଙ୍କଧ୍ଵନି ଆରମ୍ଭକରି ବାଘ ପଦାକୁ ବାହାରିଲାଣି ବୋଲି ଜଣାଇଦେଲା । ଦିନ ଥାଇଁ ଥାଉଁ ବାଘ ମଢ଼ ପାଖରେ ପହଞ୍ଚିଯିବ ବୋଲି ଆଶା କରି ମୁଁ ବନ୍ଧୁକ ସଜ କରି ପ୍ରସ୍ତୁତ ହୋଇଗଲି ।

 

ସୂର୍ଯ୍ୟ ବୁଡ଼ିଲେ । ପଶ୍ଚିମ ଦିଗ‌୍‌ବଳୟର ଜ୍ଵଳନ୍ତ ଲାଲ୍‍ରଙ୍ଗ ସନ୍ଧ୍ୟାର ଘନୀଭୂତ ଅନ୍ଧାର ଭିତରେ ଲୀନ ହୋଇଯିବା ସଙ୍ଗେ ଜଙ୍ଗଲ କ୍ରମେ ନିସ୍ତବ୍‌ଧ ହୋଇଆସିଲା । କୃଷ୍ଣପକ୍ଷ ରାତି, ଜହ୍ନ ଉଇଁବାକୁ କେଇଘଣ୍ଟା ଡେରି । ହିମାଳୟ ଅଞ୍ଚଳର ଉଜ୍ଜ୍ୱଳ ତାରା ଆଲୁଅରେ ଧଳାଗାଈଟି କିନ୍ତୁ ମୋତେ ବେଶ୍ ସ୍ପଷ୍ଟଭାବେ ଦେଖାଯାଉଥାଏ । ଗାଈର ମୁଣ୍ଡ ଥାଏ ମୋ ଆଡ଼କୁ । ବାଘ ତା’ର ସ୍ଵାଭାବିକ ରୀତିରେ ଗାଈ ପଛଫଡ଼ିଆରୁ ମାଂସ ଖାଇବାକୁ ଆରମ୍ଭ କଲେ ହୁଏତ ମୋତେ ଦେଖାଯାଇ ନ ପାରେ । ତେବେ ଗାଈ ଦେହକୁ ନିଶାଣ କରି ରାଇଫଲ୍ ସାମାନ୍ୟ ଉଞ୍ଚାଇ ଦେଲେ ବାଘ ଦେହରେ ଗୁଳି ବାଜିବା ନ ବାଜିବାର ପ୍ରାୟ ସମାନ ସମ୍ଭାବନା ରହିବ ବୋଲି ବିଚାରିଲି ।

 

ସଫଳହେବା ବିପକ୍ଷରେ ସେ ନାନା ଅନ୍ତରାୟ ରହିଛି, ଏକଥା ସେତେବେଳେ ମଧ୍ୟ ମୋତେ ଅଜଣା ନଥିଲା । ତେବେ ଏ ବାଘ ତ ନରଖାଦକ ନୁହେଁ ଯେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗୁଳି ଚଲାଇବାକୁ ବାଧ୍ୟ ହେବି । ଚାରିଦିନରେ ଚାରୋଟି ଗାଈ ମାରିଥିଲେ ମଧ୍ୟ ‘ଦେବୀଧୂରା ମନ୍ଦିର’ରେ ଏ ବାଘଟି ମଣିଷ ମାରିବା ପରି ଗୁରୁତର ଅପରାଧ କରି ନଥିଲା । କ୍ଷତିଗ୍ରସ୍ତ କେତେଜଣ ଦୁଃସ୍ଥ ଗ୍ରାମବାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ତାକୁ ମାରିବା ଦରକାର ପଡ଼ୁଥିଲେ ବି ନରଖାଦକ ପରି ଯେତେ ଶୀଘ୍ର ସମ୍ଭବ ତାକୁ ଶେଷ କରିଦେବା ସେତେ ଜରୁରୀ ନଥିଲା । ମଉଳା ଆଲୁଅ ଯୋଗୁ ସିଧାସଳଖ ମାରି ନ ପାରି କେବଳ ଜଖମ କରିଦେଲେ ଜନ୍ତୁଟି ଦୀର୍ଘ ସମୟ ଯନ୍ତ୍ରଣାରେ ଛଟପଟ ହୋଇ ମରିବ କିମ୍ବା ଅକର୍ମଣ୍ୟ ହୋଇ ଶେଷରେ ମଣିଷଖିଆ ପାଲଟିବ । ସୁସ୍ଥ ସବଳ ବାଘଟିକୁ ସେପରି ଦୁର୍ଗତିରେ ପକାଇବା ଅପେକ୍ଷା ଶେଷ କରିଦେବାର ପୂର୍ଣ୍ଣ ସୁଯୋଗ ନ ପାଇବା ଯାଏ ବରଂ ଗୁଳି ଚଳାଇବି ନାହିଁ ବୋଲି ସ୍ଥିର କଲି ।

 

ଜହ୍ନ ଉଇଁବା ସଙ୍ଗେ ପୂର୍ବାକାଶ ଉଜ୍ଜ୍ୱଳ ହୋଇ ଉଠି ଖୋଲା ଜାଗାଗୁଡ଼ିକରେ ଜ୍ୟୋସ୍ନାର ଲହରୀ ଖେଳିଗଲା । ଜଙ୍ଗଲର ଗଛ ଗହଳିରେ କିନ୍ତୁ ଛାଇଛାଇଆ ଅନ୍ଧାର । ହଠାତ୍ ଏତିକିବେଳେ ଲାଗିଲା ଯେମିତି ବାଘ ସେ ଭିତରେ କେତେବେଳେ ଆସି ମଢ଼ ପାଖରେ ହାଜର ହୋଇଗଲାଣି । ପ୍ରତ୍ୟକ୍ଷ ପ୍ରମାଣ କିଛି ନ ପାଇ ମଧ୍ୟ ଅବଚେତନ ମନଭିତରୁ ବାଘ ଆସିଥିବାର ସ୍ପଷ୍ଟ ସୂଚନା ମୁଁ ପାଉଥାଏ । ତା’ର ସାନ୍ନିଧ୍ୟ ମୁଁ ମର୍ମେ ମର୍ମେ ଏତେ ସ୍ପଷ୍ଟଭାବେ ଅନୁଭବ କରୁଥାଏ ଯେ ମନେହେଉଥାଏ ସତେ ଯେପରି ପାହାଡ଼ ପାଖରୁ ସେ ଉଙ୍କିମାରି ମୋ କାର୍ଯ୍ୟକଳାପ ସବୁ ଲକ୍ଷ୍ୟ କରୁଛି । ଗଛ ଗଣ୍ଡିରେ ନିଜକୁ ମିଶାଇ ଦେଇ ମୁଁ ଯେପରି ନିଶ୍ଚଳ ହୋଇ ବସିଥିଲି, ଉପରକୁ ଅନାଇ ଅତି ସାବଧାନରେ ପରୀକ୍ଷା ନିରୀକ୍ଷା କରିନଥିଲେ ବାଘ ମୋତେ କଦାପି ଦେଖିନଥିବ । ଜଙ୍ଗଲ ପାର ହେଲାବେଳେ ବାଘ ସାଧାରଣତଃ ଉପରକୁ ଅନାଏ ନାହିଁ କିମ୍ବା ଗଛପତ୍ରକୁ ପରୀକ୍ଷା କରେନାହିଁ । ଏସବୁ ବିଚାରି ନିଜକୁ ବୋଧ ଦେବା ସତ୍ତ୍ୱେ ବାଘ ନିକଟିରୁ କେଉଁଠୁ ମୋତେ ଅନାଇ ଦେଖୁଛି ବୋଲି ଏକ ଅସ୍ଵସ୍ତିକର ଅନୁଭୂତି ବରାବର ଲାଗିରହିଲା ।

 

ଜହ୍ନ ଆଲୁଅରେ ସାମନା ଜଙ୍ଗଲଟିକୁ ତନ୍ନତନ୍ନକରି ପରୀକ୍ଷା କରିନେଲି । ପଛପଟ ଜଙ୍ଗଲଟିକୁ ଥରେ ଦେଖିବା ପାଇଁ ଡାହାଣକୁ ଆଖି ବୁଲାଇ ଦେବା ମାତ୍ରେ ଦେଖିଲି ଯେ ବାଘ ଉଜ୍ଜ୍ୱଳ ଜହ୍ନ ଆଲୁଅରେ ମଢ଼ଆଡ଼କୁ ମୁହଁ କରି ବସି ମୋତେ ହିଁ ଅନାଇ ରହିଛି । ମୋ ସହିତ ଆଖି ମିଶିଯିବା ମାତ୍ରେ ବାଘ ପଛକୁ କାନ ଡେରିଦେଇ ମୋର ଅବସ୍ଥିତି ଓ କାର୍ଯ୍ୟକଳାପ ଭଲଭାବେ ଲକ୍ଷ୍ୟକରି ଦେଖୁଛିବୋଲି ପ୍ରକାଶ୍ୟଭାବେ ଜଣାଇଦେଲା । ମୁଁ ତତ୍‌କ୍ଷଣାତ୍ ଗଛ ସହିତ ନିଜକୁ ମିଶାଇ ଦେଇ ନିଶ୍ଚଳ ହୋଇ ବସିଗଲି । ବାଘ ବି ସଙ୍ଗେ ସଙ୍ଗେ କାନ ସଳଖି ନିଶ୍ଚଳ ହୋଇ ବସି ସ୍ଥିର ଦୃଷ୍ଟିରେ ମୋତେ ଯେମିତି ଅନାଇ ରହିଲା, ମନେହେଲା ସତେ ଯେପରି ମୋତେ ସେ ଆହ୍ଵାନ କରି କହୁଛି, ‘‘ମୋ ଦେଖା ତ ପାଇଲ, ଏବେ କ’ଣ କରୁଛ କର !” ସାମ୍ପ୍ରତିକ ପରିସ୍ଥିତିରେ ମୋର ଯେ କିଛି କରିବାକୁ ଉପାୟ ନାହିଁ, ବାଘ ଏକଥା ନିଶ୍ଚିତ ଭାବେ ଜାଣିଥିଲା ପରି ମନେହେଲା ।

 

ପନ୍ଦର ଫୁଟ ଦୂରରେ ବସି ବାଘ ଯେମିତି ନିର୍ନିମେଷ ଦୃଷ୍ଟିରେ ମୋତେ ଅନାଇଥାଏ, ଡାହାଣରୁ ଅଧା ବୁଲିଗଲେ ସେ ନିଶ୍ଚୟ ଡରିକି ପଳାଇଯିବ । ବାଁ କାନ୍ଧକୁ ରାଇଫଲ୍ ଉଠାଇ ଗୁଳି ଚଲାଇବି ବୋଲି ବିଚାରିଲି । ସେପରି ଓଲଟା ପଦ୍ଧତିରେ ବନ୍ଧୁକ ଫଏର କଲେ ସଫଳ ହେବାର ସମ୍ଭାବନା ଅତି କମ୍ ବୋଲି ଜାଣି ସୁଦ୍ଧା ତା’ କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଅତି ସନ୍ତର୍ପଣରେ ରାଇଫଲ୍ ଟିକିଏ ଉଠାଇବା ମାତ୍ରେ ବାଘ ମୁଣ୍ଡ ନୁଆଇଁ କାନ ଡେରି ଦେଇ ତାହା ଦେଖିଛି ବୋଲି ଜଣାଇ ଦେଲା । କିଛି ସମୟ ପୁଣି ସ୍ଥିର ହୋଇ ଅପେକ୍ଷାକଲି । ବାଘ ପୂର୍ବପରି ସତର୍କ ଦୃଷ୍ଟିରେ ମୋତେ ଅନାଇଥାଏ । ଅଗତ୍ୟା ତା’ର ଦୃଷ୍ଟି ଏଡ଼ାଇବାକୁ ଆଉ ଚେଷ୍ଟା ନ କରି ରାଇଫଲ୍ ଆଉ ଟିକିଏ ଉଠାଇଲି । ବାଘ ସଙ୍ଗେ ସଙ୍ଗେ ସେଠାରୁ ଉଠିଯାଇ ଜଙ୍ଗଲର ଛାଇଛାଇଆ ଅନ୍ଧାରରେ କୁଆଡ଼େ ମିଶିଗଲା ।

 

ଏ ବାଜିରେ ମଧ୍ୟ ବାଘର ଜିତାପଟ ହେଲା ବୋଲି ମାନିଲି । ଗଛରେ ମୁଁ ବସିଥିବାଯାଏ ମଢ଼ ପାଖକୁ ସେ ଫେରିବ ନାହିଁ । ମୁଁ ଚାଲିଗଲେ ଅବା ସେ ବାହୁଡ଼ିଆସି ମଢ଼କୁ ଅନ୍ୟ କେଉଁଠାକୁ ଉଠାଇ ନେଇପାରେ । ରାତିକ ଭିତରେ ଏଡ଼େବଡ଼ ଗାଈଟାକୁ ସେ କଦାପି ଶେଷ କରିପାରିବ ନାହିଁ-। ପରଦିନ ଦରଖିଆ ମଢ଼କୁ ଠାବକରି ପୁଣି ଥରେ ସୁଯୋଗ ଖୋଜିବି ବୋଲି ସ୍ଥିରକଲି ।

 

ଗଛରୁ ଓହ୍ଲାଇ କୁଆଡ଼େ ଯିବି ଠିକ୍ କରିପାରିଲି ନାହିଁ । ଦିନକ ଭିତରେ ଦୀର୍ଘ କୋଡ଼ିଏ ମାଇଲ୍‍ ଚାଲିବା ପରେ ରାତି ଅନ୍ଧାରରେ ପାହାଡ଼ ଜଙ୍ଗଲ ଭିତରେ ଆହୁରି ଆଠମାଇଲ୍‍ ବାଟ ଚାଲି ବିଶ୍ରାମଶାଳାକୁ ଫେରିବାକୁ ମନ ବଳିଲା ନାହିଁ । ମଣିଷଖିଆ ଚିତାବାଘର ଭୟ ନ ଥିଲେ ମଢ଼ଠାରୁ ଦୁଇତିନି ଶହ ଗଜ ଦୂରକୁ ହଟିଯାଇ ଭୂଇଁରେ ଶୋଇ ରାତିଟା ସ୍ଵଚ୍ଛନ୍ଦରେ କଟାଇ ପାରିଥାଆନ୍ତି । କିନ୍ତୁ ‘ପାନାର୍‍ ନରଖାଦକ’ ମାତିଥିବାଯୋଗୁ ଓ ମଣିଷଖିଆ ଚିତାବାଘ ରାତିରେ ଶିକାର ମାରୁଥିବାରୁ ସେପରି ଧୃଷ୍ଟତା କରିବାର ପ୍ରଶ୍ନ ଉଠୁନଥିଲା ।

 

ଗଛରେ ବସିବା ବେଳୁ ଦୂରରୁ କେଉଁଠୁ ଗୋରୁ ଗୋଠର ଘଣ୍ଟି ଘାଗୁଡ଼ି ଶୁଣି ଅନୁମାନ କରିଥିଲି ଯେ ସେଆଡ଼େ ଅଳ୍ପ ଦୂରରେ ଗୋଶାଳାଟିଏ ଅଛି । ହିମାଳୟର ଏସବୁ ଅଞ୍ଚଳରେ ଗାଈଗୋରୁ ଚୋରି ହେବା କେବେ ଶୁଣାନାହିଁ । କୁମାୟୂଁର ସବୁଆଡ଼େ ଗାଈଆଳ ଓ ମଇଁଷାଳମାନେ ଚରାଭୂଇଁ ଆଖପାଖ ଜଙ୍ଗଲରେ ଗୋଶାଳାମାନ କରି ଗୋରୁ ମଇଁଷି ରଖି ଥାଆନ୍ତି-। ଗଛରୁ ଓହ୍ଲାଇବା ପରେ ବାଟ ଠଉରାଇ ଗୋଶାଳା ପାଖରେ ଯାଇ ପହଞ୍ଚିଲି । ଗୋଶାଳାରେ ସମୁଦାୟ ଶହେଟି ଗୋରୁ; କିନ୍ତୁ ତାଙ୍କୁ ଜଗିବାକୁ ଜଣେହେଲେ ଗାଈଆଳ ସେଠାରେ ନଥାଏ । ଗୋଶାଳାରେ ଗାଈଆଳ ନ ରହିବା ଆମ ପାହାଡ଼ିଆ ଲୋକଙ୍କ ସଚ୍ଚୋଟପଣିଆର ଯଥେଷ୍ଟ ପରିଚୟ ଦେବା ସଙ୍ଗେ ଏହା ମଧ୍ୟ ପ୍ରମାଣ କରୁଥାଏ ଯେ ଏଥି ପୂର୍ବରୁ ଦେବୀଧୂରା ଆଖପାଖ ଅଞ୍ଚଳରେ ଗୋରୁଙ୍କ ପ୍ରତି ବାଘଭୟ କେବେ ନଥିଲା ।

 

ଜଙ୍ଗଲ ଘେରା ଗୋଶାଳାଗୁଡ଼ିକରେ ଗାଈ ମଇଁଷି ରାତିତମାମ ଖୁବ୍ ସତର୍କ ରହନ୍ତି–ରାତିରେ ସନ୍ଦେହଜନକ ଶବ୍ଦ ଶୁଣିଲେ ଆତ୍ମରକ୍ଷା ପାଇଁ ସେମାନେ ତତ୍ପର ହୋଇପଡ଼ନ୍ତି । ଗୋଶାଳାରେ ରାତି କଟାଇବାକୁ ହେଲେ ଗୋରୁଙ୍କୁ ତରକାଇଲେ ଚଳିବ ନାହିଁ । ଆମ ଗାଁ କାଲାଦୁଙ୍ଗୀର (୧) ସମୁଦାୟ ନଅଶହଟି ଗୋରୁ ମଇଁଷିଙ୍କ ସହିତ ପିଲାଦିନୁ ଚଳପ୍ରଚଳ ହୋଇ ସେମାନଙ୍କୁ ଶାନ୍ତ କରିବାର ଉପାୟ ମୋତେ ଭଲଭାବେ ଜଣା । ଦୂରରୁ ପାଟି ଶୁଣାଇ ଧୀରେ ଧୀରେ ପାଖକୁ ଗଲି ଓ ଗୋଶାଳା ବାଡ଼କୁ ଆଉଜି ପଦାରେ ବସି ସିଗାରେଟ୍ ଖଣ୍ଡିଏ ଲଗାଇଲି । କିଛି ସମୟ ପରେ ଗାଈଟିଏ ବାଡ଼ବାଟେ ମୁଣ୍ଡଗଳାଇ ପଛରୁ ମୋ ବେକକୁ ଚାଟିବାକୁ ଲାଗିଲା । ଆଠହଜାର ଫୁଟ ଉଚ୍ଚପାହାଡ଼ ଉପର ହାଡ଼ଭଙ୍ଗା ଶୀତରେ ନାଳ ସରସର ହେବାକୁ କଷ୍ଟ ହେଉଥିଲେ ମଧ୍ୟ ଗାଈକୁ ତା’ର ସ୍ଵାଭାବିକ ରୀତିରେ ଆସ୍ଥା ଓ ଶ୍ରଦ୍ଧା ପ୍ରକାଶ କରିବାରେ ବାଧାଦେଲି ନାହିଁ । ସିଗାରେଟ୍ ସରିଲା । ଗୁଳି ଦୁଇଟି କାଢ଼ିନେଇ ରାଇଫଲ୍‌କୁ ଗଦାଏ ନଡ଼ାତଳେ ଲୁଚାଇଦେଲି । ତା’ପରେ ବାଡ଼ ଡେଇଁ ଗୋଶାଳା ଭିତରେ ପଶିଲି ।

 

(୧) ‘‘ମୋର ଭାରତ” ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ଗୋରୁଙ୍କ ମେଳରେ ଶୋଇବା ନିରାପଦ ନୁହେଁ; ତରକା ଗୋରୁ ଭୂଇଁରେ ଶୋଇଥିବା ଲୋକକୁ ଦଳି ଚକଟି ଦେଇପାରନ୍ତି । ଗୋଶାଳା ମଝିରେ ବଡ଼ ଖୁଣ୍ଟିଟିଏ ଥାଏ । ରାତି ଭିତରେ ଗୋରୁ ତରକିଲେ ଖୁଣ୍ଟରେ ଚଢ଼ିଯାଇ ନିଜକୁ ରକ୍ଷା କରିପାରିବି ଭାବି ଖୁଣ୍ଟ ମୂଳରେ ଦୁଇଟି ଗାଈଙ୍କ ମଝିରେ ଶୋଇଲି । ରାତିସାରା ସବୁ ତୁନିତାନି ରହିଲା । ଗାଈଙ୍କ ଦେହର ଉଷମରେ ଥଣ୍ଡା ବି ବାଧିଲା ନାହିଁ । ରାତିକ ପାଇଁ ମନ୍ଦିରର ବାଘ ଓ ପାନାର୍ ନରଖାଦକକୁ ପୂରାପୂରି ପାଶୋରି ଦେଇ ନିଘୋଡ଼ ନିଦରେ ଶୋଇପଡ଼ିଲି ।

 

ସକାଳୁ ଖରା ପଡ଼ିବା ବେଳକୁ କାହାର କଥାବାର୍ତ୍ତାରେ ନିଦ ଭାଙ୍ଗିଲା । ଉଠି ବସି ଦେଖିଲି, ଗାଈଆଳ ତିନିଜଣ ବାଲଟି ଧରି ବାଡ଼ର ଫାଙ୍କ ବାଟେ ମୋତେ ତାଟକା ହୋଇ ଅନାଇଛନ୍ତି । ମୋ’ଠାରୁ ସବୁକଥା ବୁଝିବା ପରେ ତିନିହେଁ ଅତିଥି ଚର୍ଚ୍ଚା କରିବା ପାଇଁ ତତ୍ପର ହୋଇପଡ଼ିଲେ । ପୂର୍ବଦିନ ଖରାବେଳେ କଅଣ ଦି’ଟା ମୁହଁରେ ଦେଇ ବଙ୍ଗଳାରୁ ବାହାରଥିଲି । ଝୋଲାଭିତରେ ଝରଣାରୁ ପାଣି ମୁଦିଏ ପିଇବା ଛଡ଼ା ସେତେବେଳ ଯାଏ ପେଟରେ କିଛି ପଡ଼ିନଥିଲା । ଗାଈଆଳମାନେ ବାଧ୍ୟକରି ତଟକା ନିରୁତା ଦୁଧ କିଛି ପିଆଇବା ପରେ ଟିକିଏ ସାଷ୍ଟମ ହେଲି । ତାଙ୍କ ସଙ୍ଗରେ ଗାଁକୁ ଯାଇ ଭଲଭାବେ ଖିଆପିଆ କରିବା ପାଇଁ ତିନିହେଁ ଜିଗର କରୁଥାଆନ୍ତି । କୌଣସିମତେ ସେମାନଙ୍କ ଅନୁରୋଧ ଏଡ଼ାଇ ଆଶ୍ରୟ ଓ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇବାପରେ ବିଶ୍ରାମଶାଳାକୁ ବାଟ ଧରିଲି । ଗାଧୁଆ ପାଧୁଆ କରି ଜଳଖିଆ ଟିକିଏ ଖାଇବା ବଡ଼ ଜରୁରୀ ହୋଇ ପଡ଼ିଥାଏ । ତା’ ଆଗରୁ କିନ୍ତୁ ବାଘ ମଢ଼କୁ ରାତି ଭିତରେ ହଟାଇ ନେଇଛି କି ନାହିଁ ଥରେ ଦେଖି ଯିବାକୁ ମନ ବଳିଲା । ମଢ଼ ପୂର୍ବପରି ସେଇଠି ପଡ଼ିଛି ଓ ବାଘ ରାତି ଭିତରେ ସେଠାକୁ ଫେରିନାହିଁ ଦେଖି ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଶାଗୁଣା ଓ ସ୍ଵର୍ଣ୍ଣଶିର ଇଗଲଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଡାଳପତ୍ରରେ ମଢ଼କୁ ଭଲଭାବେ ଘୋଡ଼ାଇ ଦେଇ ବିଶ୍ରାମଶାଳାକୁ ବାହୁଡ଼ିଲି ।

 

ମୋ ଚାକର ଭାରୁଆଙ୍କ ପରି ସହନଶୀଳ ଲୋକ ଆଉ କେଉଁଠାରେ ନ ଥିବେ । ମୋ’ଭଳି ଖାମଖିଆଲ ମୁନିବର ମର୍ଜିକୁ ଜଗି ସେମାନେ ଯେପରି ଧୈର୍ଯ୍ୟର ସହିତ କାମ ତୁଲାନ୍ତି, ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗେ । ପୂରା ଚବିଶ ଘଣ୍ଟା ବାହାରେ ବାହାରେ ରହି ମାଟି ଗୋବର ବଲ ବଲ ହୋଇ ମୁଁ ବଙ୍ଗଳାକୁ ଫେରିଥାଏ । ସେଥିରେ ବିସ୍ମିତ ବା ବିରକ୍ତ ହେବା ଦୂରେ ଥାଉ, ସେମାନେ କେହି ଟିକିଏ କୌତୂହଳ ମଧ୍ୟ ପ୍ରକାଶ କଲେ ନାହିଁ । ଅଳ୍ପ ସମୟ ଭିତରେ ଗାଧୋଇବା ପାଇଁ ଗରମ ପାଣି ଓ ପାଲଟିବା ପାଇଁ ସଫା ଲୁଗା ସଜିଲ ହୋଇଗଲା । ଗାଧୁଆ ସାରି ଲୁଗା ପାଲଟିବା ଭିତରେ ଟେବୁଲ ଉପରେ ତଟକା ରୁଟି, ଅଣ୍ଡା, ପରିଜ୍, ମହୁ ଓ ଗରମ ଚାହା ମଧ୍ୟ ସଜଡ଼ା ହୋଇଗଲା । (ମହୁତକ ଦେବୀଧୂରା ମନ୍ଦିରର ପୂଜାରୀ ମୋତେ ଉପହାର ଦେଇଥିଲେ ।) ଜଳଖିଆ ଖାଇ ସାରି ବିଶ୍ରାମଶାଳା ବଗିଚାରେ ଘାସ ଉପରେ ବସି ଚାରିପାଖର ଦୃଶ୍ୟ ଉପଭୋଗ କରିବା ସଙ୍ଗେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଚିନ୍ତା କରିବାକୁ ଲାଗିଲି ।

 

ପାନାର୍ ନରଖାଦକକୁ ଖୋଜି ମାରିବା ହିଁ ଥିଲା ମୋର ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେବୀଧୂରା ମନ୍ଦିର ଭିତରେ ମଇଁଷାଳକୁ ଆକ୍ରମଣ କରିବା ପରଠାରୁ ନରଖାଦକର ଖୋଜଖବର ଆଉ ନ ଥାଏ । ମନ୍ଦିରର ପୂଜାରୀ, ସେଠାକାର ଦୋକାନୀ ଓ ଗ୍ରାମବାସୀଙ୍କଠାରୁ ଶୁଣିଥାଏ ଯେ ଏ ନରଖାଦକ କୁଆଡ଼େ ମଝିରେ ମଝିରେ ଦୀର୍ଘ ସମୟ ପାଇଁ ଏମିତି ନିଖୋଜ ହୋଇଯାଏ । ସେ ପୁଣି କେବେ ଦେଖାଦେବ, ସେ ବିଷୟରେ ନିର୍ଭରଯୋଗ୍ୟ ମନ୍ତବ୍ୟ କେହି ଦେଇପାରୁ ନ ଥାନ୍ତି । ନରଖାଦକର ଶିକାର ଇଲାକା ଭିତରେ ଦଶ କୋଡ଼ିଏଟି ସାଧାରଣ ଚିତାବାଘ ରହୁଥିବା ମଧ୍ୟ ବିଚିତ୍ର ନୁହେଁ । ପାହାଡ଼-ପର୍ବତଭରା ଘୋର ଜଙ୍ଗଲରେ ସେ ଭିତରୁ ନିର୍ଦ୍ଦିଷ୍ଟ ଗୋଟିଏ ଚିତାବାଘକୁ ଚିହ୍ନଟ କରି ମାରିବା ଯେ କେଡ଼େ କଷ୍ଟକର ତାହା ସହଜେ ଅନୁମେୟ । ମଣିଷ ମାରିବାର ଖବର ନ ମିଳିବା ଯାଏ ନରଖାଦକକୁ ଠାବ କରିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ଏସବୁ ଦୃଷ୍ଟିରୁ ପାନାର୍ ନରଖାଦକ ବିରୁଦ୍ଧରେ ମୋର ଅଭିଯାନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ମାନିବାକୁ ପଡ଼ିଲା (୧) ।

 

କେବଳ ମନ୍ଦିରର ବାଘକୁ ଶେଷ କରିବା ବାକି ଥାଏ । ଏ ବାଘକୁ ମାରିବାକୁ କେତେଥର ଚେଷ୍ଟା କରିଥିଲି ସତ; କିନ୍ତୁ ତାକୁ ଶେଷ କରିବାର ଦାୟିତ୍ଵ ଅନୁଷ୍ଠାନିକ ଭାବେ ଗ୍ରହଣ କରିନଥିଲି । ବାରମ୍ବାର ତାକୁ ଅନୁସରଣ କରି ଶିକାର ପାଖରୁ ତଡ଼ିଦେବା ଫଳରେ ସେ ହୁଏତ ଆହୁରି ବେଶି ଗାଈଗୋରୁ ମାରିବାକୁ ବାଧ୍ୟ ହେଉଛି । ଏଠାରେ ମୁଁ ପହଞ୍ଚିବା ଦିନଠାରୁ ଏ ବାଘ ଅତି ଆଶ୍ଚର୍ଯ୍ୟଭାବେ ହଠାତ୍ ଯେପରି ଗୋରୁଗାଈ ମାରିବାକୁ ଆରମ୍ଭ କଲା–ମନେହେଲା ସତେ ଯେମିତି ସମ୍ମୁଖ ସଂଗ୍ରାମକୁ ମୋତେ ଆହ୍ୱାନ କରିବା ପାଇଁ ସେ ଜାଣି ଜାଣି ଏସବୁ ଅନର୍ଥର ସୂତ୍ରପାତ କରୁଛି । ଏଠାରୁ ମୁଁ ଚାଲିଗଲେ ତା’ର ଉତ୍ପାତ ବନ୍ଦ ହେବ କି ନାହିଁ ଦେଖିବାକୁ ବାକି ରହିଲା ।

 

ବାଘ ଯାହା କ୍ଷୟକ୍ଷତି ଘଟାଇ ଥିଲା, ଟଙ୍କା ପଇସା ଦେଇ ମୁଁ ତାହା ପୂରଣ କରିଥିଲି (୨) । ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ସେପର୍ଯ୍ୟନ୍ତ ପ୍ରତ୍ୟେକ ବାଜିରେ ବାଘର ଜିତାପଟ ହୋଇଥାଏ-। ତେବେ ଏ ବାଘ ସହିତ ଛକାପଞ୍ଝାରେ ଯେଉଁ ବିଚିତ୍ର ଅନୁଭୂତି ସବୁ ହାସଲ କରିଥିଲି, ସେଥିଯୋଗୁଁ ମୁଁ ନିଜକୁ କ୍ଷତିଗ୍ରସ୍ତ ବିଚାରିଲି ନାହିଁ । ଚାରିଦିନ ବ୍ୟାପୀ ଅକ୍ଳାନ୍ତ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ସେଥିରୁ ଅବଶୋଷ ଅପେକ୍ଷା ବେଶି ଆମୋଦ ଓ ଆନନ୍ଦ ମିଳିଥିଲା । ସବୁଆଡ଼ୁ ବିଚାରକରି ସ୍ଥିରକଲି ଯେ ମୁକାବିଲାରୁ ଓହରିଯାଇ ପରଦିନ ସକାଳୁ ନୈନିତାଲ୍‌କୁ ଯାତ୍ରା ଆରମ୍ଭ କରିବି । ମନ ଭିତରେ ଏ ଧାରଣା ସୃଷ୍ଟି ହୋଇଛି କି ନାହିଁ, ହଠାତ୍ ଏତିକିବେଳେ ପଛରୁ କିଏ ଜଣେ ଆକୁଳ ସ୍ଵରରେ କହି ଉଠିଲା, “ସଲାମ ସାହେବ ! ବାଘ ଏବେ ମୋର ଗାଈଟାଏ ମାରିଦେଇଛି ।”

 

ମନ୍ଦିରର ବାଘ ସହିତ ଆଉଥରେ କଳକୌଶଳ ପରଖି ନେବାର ପ୍ରଲୋଭନ ଏଡ଼ାଇ ପାରିଲି ନାହିଁ । ମନକୁ ବୁଝାଇବା ପାଇଁ ନିଜକୁ ନିଜେ ଆକଟ କରି କହିଲି ଯେ ଏହାହିଁ ହେବ ଏ ବାଘ ବିରୁଦ୍ଧରେ ମୋର ଶେଷ ପ୍ରୟାସ; ଏଥିରେ ସଫଳ ହୁଏ ବା ନ ହୁଏ–ପରଦିନ ସକାଳୁ ନିଶ୍ଚୟ ନୈନିତାଲ୍ ଯାତ୍ରା କରିବି ।

 

(୧) ପାନାର୍ ନରଖାଦକକୁ କରବେଟ୍‌ ଏହାପରେ ହିଁ ମାରିଥିଲେ । ଏହି ବହିର ତୃତୀୟ ପରିଚ୍ଛେଦରେ ବିଷୟଟି ବର୍ଣ୍ଣିତ–ଅନୁବାଦକ ।

 

(୨) କରବେଟ୍‌ଙ୍କ ଜୀବନରେ ବଦାନ୍ୟତାର ଏଭଳି ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳେ । କିନ୍ତୁ ତାଙ୍କ ନିଜ ଲେଖାରେ ଏପରି ଘଟଣାଗୁଡ଼ିକ ଏତେ ସଂକ୍ଷେପରେ ଉଲ୍ଲେଖ କରାଯାଇଥାଏ ଯେ ବିଶେଷ ଧ୍ୟାନ ଦେଇ ନ ପଢ଼ିଲେ ପାଠକେ ତାହା ଲକ୍ଷ୍ୟକରି ନ ପାରନ୍ତି । ‘‘ମୋର ଭାରତ’’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

(ସାତ)

 

ମଣିଷ ଓ ଭାଲୁଙ୍କ ଦାଉ ସମ୍ଭାଳି ନ ପାରି ବାଘ ସେ ଭିତରେ ତା’ର ଶିକାରକ୍ଷେତ୍ର ପରିବର୍ତ୍ତନ କରିଥିବା ଲକ୍ଷ୍ୟ କଲି । ପୂର୍ବ ସନ୍ଧ୍ୟାରେ ମୁଁ ଯେଉଁଠାରେ ମଢ଼କୁ ଜଗିବସିଥିଲି, ଏଥର ସେଠାରୁ କେଇ ମାଇଲ୍ ଦୂର ଦେବୀଧୂରା ପର୍ବତ ଉତ୍ତର ପାଖରେ ସେ ଗାଈଟିକୁ ମାରିଥାଏ । ସ୍ଥାନଟିରେ ଅସଂଖ୍ୟ ଉଠାଣି ଗଡ଼ାଣି; ଝାଟିବୁଦା ଓ ଗଛକେତୋଟି ବି କାଁ ଭାଁ ମାଡ଼ିଥାଏ । ସେଭଳି ଜାଗାରେ ପାହାଡ଼ିଆ କୁକୁଡ଼ା ଦେଖାଯାଆନ୍ତି; କିନ୍ତୁ ବାଘ ସାଧାରଣତଃ ମିଳନ୍ତି ନାହିଁ ।

 

ପାହାଡ଼ କଡ଼େ କଡ଼େ ତେର୍ଚ୍ଛାରେ ଗଡ଼ିଥିବା ଗୋଟିଏ ଅଗହୀର ଝୋଲା ଭିତରେ ଚକଡ଼ା ଚକଡ଼ା ଝାଟିବଣ ଓ ମଝି ମଝିରେ ଘାସଭରା ଖୋଲାଜାଗାଗୁଡ଼ିଏ । ଖୋଲଜାଗାରୁ ଗୋଟିକର ଧାର ପାଖରେ ଗାଈଟିକୁ ମାରି ବାଘ ତାକୁ ଝାଟିବୁଦା ଆଡ଼କୁ କେଇଗଜ ଘୋଷାରି ନେଇ ପଦାରେ ପକାଇଦେଇ ଯାଇଥାଏ । ମୋ ଲୋକେ ଚାହା କରିବା ଭିତରେ ମୁଁ ଘଣ୍ଟାଏ ଲାଗି ଝୋଲାର ଅନ୍ଦିକନ୍ଦି ସବୁ ଖୋଜିଲି; କିନ୍ତୁ ବାଘର ଟେର୍ ପାଇଲି ନାହିଁ ।

 

ଝୋଲାବନ୍ଧରୁ ବଡ଼ଗଛଟିଏ ତଳକୁ ନଇଁଆସିଥିଲା । ସେଇ ଗୋଟିକ ଛଡ଼ା ମଢ଼ଠାରୁ ଶହେ ଗଜ ଭିତରେ ବସିବା ଭଳି ଗଛଟିଏ ନ ଥିଲା । ଗଛ ଉପର ଡାଳ ସବୁ ବାରମ୍ବାର କଟା ହୋଇଥିବା ଯୋଗୁ ତଳଗଣ୍ଡିରୁ ଡାଳଗୁଡ଼ିଏ ଗହଳରେ ଗଜୁରି ଥାଏ । ଫଳରେ ଗଛଟି ଚଢ଼ିବାକୁ ସୁବିଧା ହୋଇଥିଲେ ମଧ୍ୟ ଡାଳପତ୍ର ଗହଳରେ ଗଛ ଗଣ୍ଡିଟି ଉପରୁ ଆଦୌ ଦେଖାଯାଉ ନଥାଏ । ତଳୁ ପ୍ରାୟ କୋଡ଼ିଏ ଫୁଟ ଉଚ୍ଚରେ ବଡ଼ ଶାଖାଟିଏ ବାହାରି ଗାଈ ମରିଥିବା ଖୋଲା ଜାଗା ଆଡ଼କୁ ମାଡ଼ିଯାଇଥିଲା । ସେତେ ଉଚ୍ଚକୁ ଚଢ଼ିବା ସହଜ ହୋଇନଥିଲେ ମଧ୍ୟ ସେଇ ଗୋଟିକ ଛଡ଼ା ଗଛରେ ସୁବିଧାରେ ବସିବା ଭଳି ଡାଳ ଆଉ ନ ଥିଲା । ସେଦିନ ମୁଁ ଦିନ ଥାଉ ଥାଉ ଡେରାକୁ ଫେରିବାକୁ ଠିକ୍ କରିଥାଏ । ବାଟରେ ପାହାଡ଼ ଉପରେ ଗୋଟିଏ ଗାଁ’ଠାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇ ଦିନ ଚାରିଟାବେଳେ ଲୋକଙ୍କୁ ବିଦା କରିଦେଲି ଓ ନିଜେ ଗଛରେ ଚଢ଼ି ଡାଳରେ ବସିଲି ।

 

ଗାଈ ମୋ’ଠାରୁ ଦଶଗଜ ଦୂରରେ ପଡ଼ିଥାଏ; ତା’ ପଛଫଡ଼ିଆ ଥାଏ ଝାଟିବୁଦା ଧାରରୁ ମୋଟେ ଗଜେ ଛଡ଼ାରେ । ସାମନା ଓ ଟିକିଏ ଡାହାଣକୁ ପାହାଡ଼ିଆ ବୁଲ୍‌ବୁଲ୍ ପଲେ କୋଳିବୁଦାରେ ପଡ଼ି ମହାଆନନ୍ଦରେ କୋଳି ଖାଇବାରେ ଲାଗିଥାନ୍ତି । ଡାଳରେ ବସି ଚଢ଼େଇଙ୍କ ଖେଳ କୌତୁକ ଦେଖୁ ଦେଖୁ ଘଣ୍ଟାଏ ବିତିଗଲା । ତା’ପରେ ମଢ଼ଆଡ଼କୁ ଥରେ ଆଖି ବୁଲାଇ ଦେଇ ଆଶ୍ଚର୍ଯ୍ୟ ହୋଇ ଦେଖିଲି ଯେ ବାଘ ସେ ଭିତରେ କେତେବେଳେ ନିଃଶବ୍ଦରେ ଆସି ମଢ଼ ପାଖ ଝାଟିବୁଦା ଭିତରୁ ମୁଣ୍ଡ କାଢ଼ି ମୋତେ ଅନାଇ ଦେଖୁଛି । ବୁଦା ଭିତରେ ଲେପଟାଇ ପଡ଼ି ଭୂଇଁରେ ମୁଣ୍ଡ ରଖି ସ୍ଥିର ଦୃଷ୍ଟିରେ କିଛି ସମୟ ମୋତେ ଅନାଇବାପରେ ବାଘ ଧୀରେ ଧୀରେ ପଞ୍ଝାଟିଏ ଆଗକୁ ବଢ଼ାଇଲା । ତା’ପରେ ଅତି ସନ୍ତର୍ପଣରେ ଆର ପଞ୍ଝାଟିଏ ଆଗକୁ ଆଣି ସରୀସୃପ ଗତିରେ ମଢ଼ ଆଡ଼କୁ ଆଗେଇଲା । ଅପଲକ ଆଖିରେ ମୋତେ ଅନାଇ ରହି ବାଘ ଅଣ୍ଡାଳିଲା ପରି ଗାଈ ଲାଙ୍ଗଡ଼କୁ କାମୁଡ଼ି ଧରିଲା ଓ ଦେହରୁ ତାକୁ ଅଲଗା କରିଦେବା ପରେ ସ୍ଵାଭାବିକ ରୀତିରେ ପଛ ଫଡ଼ିଆରୁ ମାଂସ ଖାଇବାକୁ ଆରମ୍ଭ କଲା । ଭାଲୁ ସହିତ ଲଢ଼ାଇ ପରଠାରୁ ବାଘ ସୁବିଧାରେ ମାଂସ ଖାଇବାକୁ ଥରଟିଏ ହେଲେ ସୁଯୋଗ ପାଇ ନଥିଲା । ତିନିଦିନ ଖାଡ଼ା ଉପାସ ରହିବା ପରେ ସେ ଅଧୈର୍ଯ୍ୟ ହୋଇ ଚମ ସହିତ ପୁଳା ପୁଳା ମାଂସ ଛିଡ଼ାଇ ତରତର ହୋଇ ଖାଇବାକୁ ଲାଗିଥାଏ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି–ବୁଦା ଭିତରୁ ମୁଣ୍ଡ କାଢ଼ିବା ପରଠାରୁ–ଏପରିକି ମାଂସ ଖାଉଥିବା ବେଳେ ମଧ୍ୟ–ସେ ନିର୍ନିମେଷ ଦୃଷ୍ଟିରେ ମୋତେ ଅନବରତ ଅନାଇ ରହି ମୋର ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ଟିକିନିଖି ନଜର ରଖିଥାଏ ।

 

ରାଇଫଲ ଥିଲା ମୋ ଆଣ୍ଠୁ ଉପରେ; ତା’ ନଳିଟି ଠିକ୍ ବାଘଆଡ଼କୁ ମୁହାଁଇ ଥିଲା । ବାଘ କ୍ଷଣକ ପାଇଁ ମୋ ଉପରୁ ନଜର ଉଠାଇନେଲେ ରାଇଫଲ ମୁଁ କାନ୍ଧକୁ ନେବି । ବାଘ କିନ୍ତୁ ଥିଲା ମୋ’ଠାରୁ ଆହୁରି ହୁସିଆର୍ । ନିଜପ୍ରତି ବିପଦକୁ ପୂରାପୂରି ତଉଲି ନେଲାପରି ମାଂସ ଖାଇବାବେଳେ ମଧ୍ୟ ସେ ନିରବଚ୍ଛିନ୍ନ ଭାବେ ଅପଲକ ଦୃଷ୍ଟିରେ ଅନାଇ ରହି ଟିକିଏ ହଲ୍‌ଚଲ୍ ହେବାକୁ ମୋତେ ସୁବିଧା ଦେଲା ନାହିଁ ।

 

ବାଘ ପ୍ରାୟ ଆଠ ଦଶ କେଜି ମାଂସ ଖାଇ ସାରିବା ବେଳକୁ ବୁଲ୍‌ବୁଲ୍‍ଗୁଡ଼ିକ ଉଡ଼ିଯାଇ ବାଘ ପଛରେ ଥିବା ଚକଡ଼ାଏ ଝାଟିବୁଦାରେ ପଶି କିଚିରି ମିଚିରି ଆରମ୍ଭ କରିଦେଲେ । କଳା ଭରଦ୍ଵାଜ ଚଢ଼େଇ ଦୁଇଟି ମଧ୍ୟ ତାଙ୍କ ସହିତ ଯୋଗ ଦେଇ କେଁ କଟର କରିବାକୁ ଲାଗିଲେ । ଶବ୍ଦ ଯୋଗୁ ବାଘର ଧ୍ୟାନଚ୍ୟୁତ ଘଟିଥିବ ବୋଲି ଆଶା କରି ରାଇଫଲ୍‍ ଠିକ୍ ଛଅ ଇଞ୍ଚ ଉଠାଇ ଦେଇଛି–ହଠାତ୍ କିଏ ତାକୁ ସଜୋରେ ଟାଣିନେଲା ପରି ବାଘ ଆଖିପିଛଡ଼ାକେ ପଛକୁ ହଟିଯାଇ ଝାଟିବୁଦାରେ ଲୁଚିଗଲା । ସେଇ ଅବସରରେ ମୁଁ ମଧ୍ୟ ରାଇଫଲ୍ ଉଠାଇ ଝାଟିବୁଦାର ଠିକ୍ ସେହିଠାକୁ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇ ବସିପଡ଼ିଲି ।

 

କେଇମିନିଟ୍‍ ଯାଏ ସବୁ ନୀରବ, ନିଶ୍ଚଳ । ତା’ପରେ ଯାହା ଘଟିଲା, ସେଥିରେ ମୁଁ ବିସ୍ମୟରେ ହତବାକ୍‌ ହୋଇ ଜଡ଼ ପରି ବସି ରହିଲି । ବାଘ ସେ ଭିତରେ କେତେବେଳେ ଝାଟିବୁଦାରୁ ବାହାରି ପଛପଟୁ ମୋ ଗଛମୂଳକୁ ବୁଲିଆସି ଗଛ ଗଣ୍ଡିକୁ କୁଣ୍ଢାଇ ଧରି ସଶଦ୍ଦେ ରାମ୍ପୁଡ଼ିବାକୁ ଆରମ୍ଭ କଲା । ଗହଳ ତଳଡାଳଗୁଡ଼ିକ ଯୋଗୁ ବାଘ ମୋତେ ଦିଶୁ ନ ଥାଏ । କିନ୍ତୁ ଗଛରୁ ବକଳା ରାମ୍ପୁଡ଼ିବା ସଙ୍ଗେ ମନଖୁସିରେ ବିରାଡ଼ି ପରି ସେ ଯେମିତି ଘୁଡ଼ୁ ଘୁଡ଼ୁ ହେଉଥାଏ, ତାହା ଶୁଣି ମନେ ମନେ ଦମେ ନହସି ରହି ପାରିଲି ନାହିଁ ।

 

ମାଙ୍କଡ଼ ଓ କାଉ କୌତୁକ କରିବାକୁ ଭଲ ପାଆନ୍ତି ଓ ମଣିଷଙ୍କୁ ଛିଗୁଲାନ୍ତି ବୋଲି ମୋତେ ଜଣାଥିଲା । କିନ୍ତୁ ମହାବଳବାଘ ଟାହିଆପଣ ଦେଖାଇ ମଣିଷ ସହିତ ଟାପରା କରିବା ଏହା ଆଗରୁ କେବେ ଦେଖି ନ ଥିଲି । ଜୀବନସାରା ବଣ ଜଙ୍ଗଲରେ କଟାଇଥିଲେ ମଧ୍ୟ ଏ ବାଘ ଭଳି କପାଳିଆ ଓ ମସ୍କରା ଜନ୍ତୁଟିଏ ଭେଟିବାର ସୁଯୋଗ କେବେ ଘଟି ନ ଥିଲା । ଦିନକୁ ଗୋଟିଏ କରି ପାଞ୍ଚଦିନରେ ସମୁଦାୟ ପାଞ୍ଚଗୋଟି ଗାଈ ତା’ ମୁହଁରେ ପଡ଼ି ମରିଯାଆନ୍ତି । ସେଥିରୁ ଚାରୋଟି ସେ ଖୋଲା ମେଲାରେ ଦିନ ଦି’ପହରେ ମାରିଥାଏ । ପାଞ୍ଚଦିନ ଭିତରେ ତାକୁ ମୁଁ ସମୁଦାୟ ଆଠଥର ଭେଟିଥିଲି ଓ ଚାରିଥର ତା’ ଉପରକୁ ଗୁଳି ଚଳାଇଥିଲି ।

 

ଗତ ଅଧଘଣ୍ଟା ଧରି ଅଳ୍ପ ଛଡ଼ାରେ ମୋରି ସାମନାରେ ବସି ମୋତେ ଅନାଇ ଅନାଇ ମାଂସ ଖାଇବା ପରେ ବାଘ ଯେ ଏବେ ମୋରି ଗଛକୁ କୁଣ୍ଢାଇ ଧରି ‘‘ମୋର କ’ଣ କରିବ କର” ବୋଲି ଆହ୍ୱାନ ଜଣାଇ ତାଚ୍ଛଲ୍ୟର ସହ ମୋତେ ପରିହାସ କରିବ–ଏକଥା ଆଖିରେ ଦେଖି ନ ଥିଲେ ମୁଁ କଦାପି ବିଶ୍ୱାସ କରି ନ ଥାଆନ୍ତି ।

 

‘‘ଚେଷ୍ଟା କରିବାକୁ ଆପଣଙ୍କୁ ମନା ନାହିଁ ସାହେବ ! କିନ୍ତୁ ଆପଣ କିମ୍ବା ଆଉ କେହି ସେ ବାଘକୁ ମାରିପାରିବେ ନାହିଁ !!”–ବାଘ ସହିତ ମୁକାବିଲା ଆରମ୍ଭ କରିବା ପୂର୍ବରୁ ଦେବୀଧୂରୀ ମନ୍ଦିରର ପୂଜାରୀ ଏଇ କଥା କେଇପଦ ଶୁଣାଇ ମୋତେ ସତର୍କ କରି ଦେଇଥିଲେ । ଏବେ ବାଘର କାର୍ଯ୍ୟକଳାପ ଦେଖି ମନେହେଲା, ସତେ ଯେମିତି ସେ ମୋତେ ଜଣାଇ ଦେଉଛି ଯେ ଏତେଦିନ ଧରି ଆମର ଯେଉଁ ଦାବାଖେଳ ଚାଲିଥିଲା, ତା’ର ଶେଷ ବାଜିରେ ଚାଲଟିଏ ଦେଇ ସେ କିସ୍ତିମାତ୍‌ କରିଦେଇଛି ।

 

ମୁଁ ମଧ୍ୟ ଜଣେ ପୁରୁଖା ଖେଳୁବାଡ଼୍‌–ଆଉ ଖେଳରେ ଏତେ ସହଜରେ ହାର୍‌ ମାନିନେବାକୁ ମୁଁ ପ୍ରସ୍ତୁତ ନୁହେଁ–ବାଘକୁ ଏ କଥାଟି ଜଣାଇଦେବାର ଲୋଭ ଏଡ଼ାଇ ପାରିଲି ନାହିଁ । ହାତକୁ କାହାଳି ପରି କରି ହଠାତ୍ ଉଚ୍ଚ ସ୍ୱରରେ ଦୀର୍ଘ କୁହାଟଟାଏ ମାରିଦେଲି । ପାହାଡ଼ ପର୍ବତ ଭିତରୁ ମୋ ସ୍ୱର ପ୍ରତିଧ୍ୱନିତ ହୋଇ ଆସିବା ବେଳକୁ ବାଘ ତରକି ଉଠି ପ୍ରବଳ ବେଗରେ ଦଉଡ଼ ମାରି ଦୂରକୁ ପଳାଇ ଗଲାଣି । କୁହାଟ ଶୁଣି ମୋ ଲୋକମାନେ ଗାଁରୁ ଧାଇଁ ଆସିଲେ । ପାଖରେ ପହଞ୍ଚି ସମସ୍ତେ ଏକ ସ୍ୱରରେ କହି ଉଠିଲେ, ‘‘ବାଟରେ ଦେଖିଲୁ, ବାଘଟାଏ ଲାଙ୍ଗୁଡ଼ ଟେକି ପ୍ରାଣମୂଚ୍ଛା ଧାଇଁଛି ! ଏଣେ ବକଳା ରାମ୍ଫୁଡ଼ି ଗଛର ଅବସ୍ଥା ସେ କ’ଣ କରିଛି ଦେଖନ୍ତୁ ସାହେବ ।”

 

ନରଖାଦକ ପୁଣି ଉପଦ୍ରବ ଆରମ୍ଭ କରିବାର ଖବର ମିଳିଲେ ନିଶ୍ଚୟ ଫେରିଆସିବି ବୋଲି ସ୍ଥାନୀୟ ବନ୍ଧୁମାନଙ୍କୁ ପ୍ରତିଶ୍ରୁତି ଦେଇ ପରଦିନ ଦେବୀଧୂରାରୁ ବିଦାୟ ନେଲି । ପରବର୍ତ୍ତୀ କେତେ ବର୍ଷ ଭିତରେ ବିଭିନ୍ନ ନରଖାଦକଙ୍କ ସନ୍ଧାନରେ ଦେବୀଧୂରା ଆସିବାର ସୁଯୋଗ ବହୁବାର ଘଠିଛି । କିନ୍ତୁ ‘ମନ୍ଦିରର ବାଘ’କୁ କେହି ମାରିଥିବା ଖବର ମୁଁ ଶୁଣିନାହିଁ । ସମୟକ୍ରମେ ତା’ କାଳ ପୂରିବା ପରେ ଏହି ପୁରୁଣା ଯୋଦ୍ଧାଟି ସମସ୍ତଙ୍କ ଅଗୋଚରରେ ସଂସାରରୁ କେତେବେଳେ ବିଦାୟ ନେଇଥିବ ବୋଲି ମୋର ବିଶ୍ଵାସ ।

Image

 

Unknown

ମୁକ୍ତେଶ୍ୱର ନରଖାଦକ

 

ନୈନିତାଲଠାରୁ ଅଠର ମାଇଲ୍‍ ଉତ୍ତର-ପୂର୍ବକୁ ପ୍ରାୟ ପନ୍ଦର ମାଇଲ୍‍ ଲମ୍ବ ଏକ ସୁଦୀର୍ଘ ପର୍ବତଶ୍ରେଣୀ ପୂର୍ବରୁ ପଶ୍ଚିମକୁ ଲମ୍ବି ଯାଇଛି । ଆଠହଜାର ଫୁଟ ଉଚ୍ଚ ଏହି ଗିରିଶ୍ରେଣୀର ପଶ୍ଚିମାନ୍ତରରେ ଥିବା ଅତି ତୀଖ ପର୍ବତ ଉପରେ ‘ମୁକ୍ତେଶ୍ଵର ପଶୁଚିକିତ୍ସା ଗବେଷଣା ପ୍ରତିଷ୍ଠାନ’ (୧) ଅବସ୍ଥିତ । ଏହି ପ୍ରତିଷ୍ଠାନରେ ପ୍ରସ୍ତୁତ ଗୋବୀଜ ଆଦି ନାନା ପ୍ରତିଷେଧକ ସାମଗ୍ରୀ ଗୋମଡ଼କ ନିବାରଣ ଓ ନିରାକରଣ ପାଇଁ ଭାରତରେ ସର୍ବତ୍ର ବ୍ୟବହୃତ ହୁଏ । ପର୍ବତ ଉତ୍ତର ପାଖରେ ଥିବା ପ୍ରତିଷ୍ଠାନର ଗବେଷଣାଗାର ଓ କର୍ମଚାରୀମାନଙ୍କ ବାସଗୃହ ନିକଟରୁ ତୁଷାରାବୃତ ହିମାଳୟର ଯେଉଁ ଅପୂର୍ବ ଦୃଶ୍ୟ ଦେଖାଯାଏ, ତାହା ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ପର୍ବତଶ୍ରେଣୀ ଓ ସମତଳ ଭୂମି ମଧ୍ୟରେ ସମାନ୍ତରାଳ ଭାବେ ପୂର୍ବରୁ ପଶ୍ଚିମକୁ ବ୍ୟାପିଥିବା ଧାଡ଼ି ଧାଡ଼ି ପର୍ବତର ଯେକୌଣସି ଗୋଟିଏ ଉପରୁ ଉତ୍ତରକୁ ହିମାଳୟର ଚିରନ୍ତନ ତୁଷାରକ୍ଷେତ୍ର ଏବଂ ପୂର୍ବ ଓ ପଶ୍ଚିମକୁ ଆହୁରି ଅସଂଖ୍ୟ ପର୍ବତଶ୍ରେଣୀ ଓ ସମତଳଭୂମି ଦୀର୍ଘ ଦୂର ପର୍ଯ୍ୟନ୍ତ ଅବାରିତ ଭାବେ ଦୃଷ୍ଟିଗୋଚର ହୁଏ । ମୁକ୍ତେଶ୍ୱରରେ ଯେଉଁମାନେ ବାସ କରିଛନ୍ତି, ସେଠାକାର ମନୋରମ ପରିବେଶ ଓ ସ୍ୱାସ୍ଥ୍ୟକର ଜଳବାୟୁ କୁମାୟୂଁର ଅନ୍ୟ କେଉଁଠାରେ ନାହିଁ ବୋଲି ପ୍ରତ୍ୟେକେ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ।

 

ମୁକ୍ତେଶ୍ଵରର ବାସିନ୍ଦାମାନଙ୍କ ପରି ବାଘୁଣୀଟିଏ ମଧ୍ୟ ସେଠାରେ ରହିବାର ସୁଖ ସ୍ଵାଚ୍ଛନ୍ଦ୍ୟକୁ ବେଶ୍‌ ପସନ୍ଦ କରିଥିଲା । ମୁକ୍ତେଶ୍ୱରକୁ ଘେରି ରହିଥିବା ବିସ୍ତୀର୍ଣ୍ଣ ଘଞ୍ଚ ଜଙ୍ଗଲରୁ ସମ୍ବର, ବାର୍‌ହା, କୁଟୁରା ଆଦି ଶିକାର ମାରି ବାଘୁଣୀଟି ମହାଆନନ୍ଦରେ କାଳ କାଟୁଥିଲା । ଦୁର୍ଯ୍ୟୋଗକୁ ଦିନେ ଗୋଟିଏ ଝିଙ୍କକୁ ଆକ୍ରମଣ କରି ନିଜ ଉପରକୁ, ସେ ବିଷମ ବିପର୍ଯ୍ୟୟ ଟାଣି ଆଣିଲା । ଆଖିଟିଏ ଫୋଡ଼ିହୋଇ ନଷ୍ଟ ହୋଇଯିବା ଛଡ଼ା ତା’ ଡାହାଣ ଆଗ ଗୋଡ଼ ଓ ପଞ୍ଝାରେ ଇଞ୍ଚକରୁ ନଅଇଞ୍ଚ ଲମ୍ବ ପଚାଶରୁ ଅଧିକ ଝିଙ୍କକାଠି ଫୋଡ଼ିହୋଇ ରହିଗଲା । ବାଘୁଣୀ ଦାନ୍ତରେ କାମୁଡ଼ି କାଠିଗୁଡ଼ିକୁ କାଢ଼ିବାକୁ ଚେଷ୍ଟା କରନ୍ତେ ସେ ଜାଗାସବୁ ପାଚି ଘାଆହୋଇଗଲା । ବାଘୁଣୀ ଭୋକ ଉପାସରେ ଚକଡ଼ାଏ ଘାସ ଉପରେ ପଡ଼ିରହି ଘାଆକୁ ଚାଟୁଥିବା ବେଳେ ସ୍ତ୍ରୀଲୋକ ଜଣେ ଆସି ନିଜ ଗୋରୁଙ୍କ ପାଇଁ ଠିକ୍‌ ସେହିଠାରୁ ଘାସ କାଟିବାକୁ ଆରମ୍ଭ କଲା । ବାଘୁଣୀ ପ୍ରଥମେ ତା’ଆଡ଼େ ନଜର ଦେଲା ନାହିଁ । ସ୍ତ୍ରୀଲୋକଟି କିନ୍ତୁ ଘାସ କାଟି କାଟି ହାତ ପାଆନ୍ତାକୁ ପାଖେଇ ଆସିବା ପରେ ବାଘୁଣୀ ଗୋଟିଏ ଚାପୁଡ଼ାରେ ତା’ ଖପୁରି ଚୂନା କରିଦେଲା I ହତଭାଗୀଟି ସେହିଠାରେ ପଡ଼ି ସଙ୍ଗେ ସଙ୍ଗେ ମରିଗଲା । ପରଦିନ ଘଟଣା ସ୍ଥଳରେ ମୃତଦେହ ମିଳିବା ପରେ ଦେଖାଗଲା ଯେ ବିଚାରିଟି ଗୋଟିଏ ହାତରେ ଦାଆ ଓ ଆର ହାତରେ ଘାସ ପୁଳାଏ ମୁଠାଇ ଧରିଛି ।

 

(୧)ଏହି ପ୍ରତିଷ୍ଠାନର ସେତେବେଳର ନାମ ଥିଲା Mukteswar Veterinary Research Institute.’ ପରେ ଏହାକୁ ଇଂରାଜୀରେ Indian Veterinary Research Institute, Izatnagar, Mukteswar,’ ଏବଂ ହିନ୍ଦୀରେ ‘ଭାରତୀୟ ପଶୁଚିକିତ୍ସା ଅନୁସନ୍ଧାନ୍‌ ସଂସ୍ଥାନ, ଇଜତ୍‌ନଗର/ମୁକ୍ତେଶ୍ୱର’ଭାବେ ପୁନର୍ନାମିତ କରାଯାଇଛି–ଅନୁବାଦକ ।

 

ଶବକୁ ସେଠାରେ ଛାଡ଼ି ବାଘୁଣୀ ସେଦିନ ଛୋଟେଇ ଛୋଟେଇ ଯାଇ ମାଇଲିଏ ଦୂର ଗୋଟିଏ ଉପୁଡ଼ା ଗଛ ତଳ ଖୋଲ ଭିତରେ ଆଶ୍ରୟ ନେଲା । ଦୁଇଦିନ ପରେ କାଠୁରିଆ ଜଣେ ଦୈବାତ୍‌ ସେଇ ଗଛ ଉପରେ କୋଟ୍‌ କାମିଜ ଖୋଲି ରଖି ସେଥିରୁ ଜାଳେଣିକାଠ କାଟିବାକୁ ଆରମ୍ଭକଲା । ବାଘୁଣୀ ତତ୍‌କ୍ଷଣାତ୍‌ ଗଛ ଉହାଡ଼ରୁ ବାହାରି ପଡ଼ି ପିଠି ବିଦାରି କାଠୁରିଆକୁ ମାରିପକାଇଲା । ମଲା ଦେହଟା ଗଛ ଉପରେ ମୁହଁମାଡ଼ି ପଡ଼ିଥାଏ । ପିଠିରୁ ତା’ର ଝରିପଡ଼ୁଥିବା ଧାର ଧାର ରକ୍ତ ଦେଖି ବାଘୁଣୀ ହୁଏତ ପ୍ରଥମଥର ପାଇଁ ବୁଝିପାରିଲା ଯେ ଶବକୁ ଖାଇ ସେ ଭୋକ ମେଣ୍ଟାଇ ପାରିବ । ସେଠାରୁ ଯିବା ପୂର୍ବରୁ କାଠୁରିଆ ପିଠିରୁ ସେ ମାଂସ କିଛି ଖାଇଥିଲା । ପରଦିନ ବିନା ପ୍ରରୋଚନାରେ ଆଉଜଣେ ମଣିଷ ମାରି ଖାଇବା ପରେ ଏ ବାଘୁଣୀକୁ ‘ନରଖାଦକ’ ବୋଲି ଘୋଷଣା କରାଗଲା ।

 

ବାଘୁଣୀ ମଣିଷଖିଆ ପାଲଟିବାର ଅଳ୍ପଦିନ ପରେ ତା’ ବିଷୟ ମୁଁ ପ୍ରଥମେ ଶୁଣିଲି । ସେତେବେଳେ ମୁକ୍ତେଶ୍ଵରର ଶିକାରୀମାନେ ତାକୁ ମାରିବାକୁ ଆଗ୍ରହର ସହ ଆଗେଇ ଆସିଥାଆନ୍ତି-। ସେମାନଙ୍କ ଘରୋଇ ବ୍ୟାପାରରେ ମୋ’ଭଳି ଜଣେ ବାହାର ଲୋକର ଅନୁପ୍ରବେଶ ଓ ଅଯଥା ହସ୍ତକ୍ଷେପ ଉଚିତ ହେବ ନାହିଁ ବୋଲି ବିଚାରି ସେଆଡ଼େ ଆଉ ମନ ଦେଲିନାହିଁ । କିନ୍ତୁ ବାଘୁଣୀ ମରିବା ପରିବର୍ତ୍ତେ ମୃତ୍ୟୁସଂଖ୍ୟା କ୍ରମଶଃ ବଢ଼ି ଚବିଶରେ ପହଞ୍ଚିଲା ଓ ଆଖପାଖ ଗାଁ ଗଣ୍ଡାର ବାସିନ୍ଦାମାନଙ୍କ ଜୀବନ ବିପନ୍ନ ହେବାଛଡ଼ା ପଶୁଚିକିତ୍ସା ପ୍ରତିଷ୍ଠାନର କାର୍ଯ୍ୟରେ ବ୍ୟାଘାତ ଘଟି ଏକ ଆଶଙ୍କାଜନକ ପରିସ୍ଥିତି ସୃଷ୍ଟି ହେଲା । ଶେଷରେ ପ୍ରତିଷ୍ଠାନ ଦାୟିତ୍ୱରେ ଥିବା ଅଫିସର ମୋ’ଠାରୁ ସାହାଯ୍ୟ ଲୋଡ଼ିବା ପାଇଁ ସରକାରଙ୍କୁ ଅନୁରୋଧ କଲେ ।

 

ନରଖାଦକ ଶିକାରରେ ସେତେବେଳେ ମୋର ବିଶେଷ ଅନୁଭୂତି ନ ଥିଲା । ନରଖାଦକ ଉପଦ୍ରୁତ ମୁକ୍ତେଶ୍ଵର ଅଞ୍ଚଳ ସହିତ ପରିଚୟ ଥିଲା ତା’ଠାରୁ ଆହୁରି କମ୍‌ । ନରଖାଦକ ବାଘ ନା ବାଘୁଣୀ–ତାହା ବି ମୋତେ ଜଣାନଥିଲା । ଅପରିଚିତ ପରିବେଶରେ ନରଖାଦକର ଭେଟ ଠିକ୍‌ କେଉଁଠି ପାଇବି–ସେ ବିଷୟରେ ମଧ୍ୟ କୌଣସି ଧାରଣା କରିପାରିନଥିଲି । କର୍ତ୍ତବ୍ୟ ଦୃଷ୍ଟିରୁ ସରକାରଙ୍କ ଅନୁରୋଧ ଗ୍ରହଣ କଲାବେଳେ ଏ ଦାୟିତ୍ଵ ତୁଲାଇବା ଯେ ମୋ ପକ୍ଷରେ ସହଜ ହେବନାହିଁ, ଏହା ମୁଁ ଭଲଭାବେ ଜାଣିଥିଲି ।

 

ବାକ୍‌ସ, ବିଛଣା ଓ ଅନ୍ୟାନ୍ୟ ସରଞ୍ଜାମ ବୋହିବା ପାଇଁ ଭାରୁଆ ଦୁଇଜଣ ଓ ଚାକରକୁ ସଙ୍ଗରେ ନେଇ ଦିନେ ଖରାବେଳେ ନୈନିତାଲ୍‌ରୁ ବାହାରିଲି । ଦଶମାଇଲ୍‌ ବାଟ ଚାଲି ସନ୍ଧ୍ୟା ପୂର୍ବରୁ ରାମଗଡ଼ ଡାକବଙ୍ଗଳାରେ ପହଞ୍ଚିଲୁ ଓ ରାତିଟା ସେହିଠାରେ କଟାଇଲୁ । ବଙ୍ଗଳାର ଖାନ୍‌ସାମା ମୋର ପୁରୁଣା ବନ୍ଧୁ । ମୁକ୍ତେଶ୍ଵର ନରଖାଦକ ସନ୍ଧାନରେ ମୁଁ ବାହାରିଛି ଶୁଣି ଲୋକଟି କହିଲା ଯେ ଗତ କେଇଦିନରେ ମୁକ୍ତେଶ୍ଵରଠାରୁ ଦୁଇମାଇଲ୍‌ ଭିତରେ ବାଘୁଣୀ ସଡ଼କ ଉପରେ ଗୁଡ଼ିଏ ମଣିଷ ମାରିଲାଣି । ସେତକ ରାସ୍ତା ଖୁବ୍‍ ସାବଧାନରେ ଯିବାପାଇଁ ସେ ମୋତେ ଚେତାଇଦେଲା ।

 

ପରଦିନ ରାତି ନ ପାହୁଣୁ ୫୦୦ ଦୁଇନଳିଆ ରାଇଫଲ୍‌ଟି ଧରି ବଙ୍ଗଳାରୁ ଏକାକୀ ବାହାରିଲି । ପରିବର୍ତ୍ତିତ କର୍‌ଡାଇଟ ବ୍ୟବହୃତ ହେଉଥିବା ଏହି ଏକ୍‌ସପ୍ରେସ୍‌ ରାଇଫଲ୍‌ ବାଘ ଶିକାର ପାଇଁ ଉପଯୁକ୍ତ ଅସ୍ତ୍ର । ନୈନିତାଲ-ଆଲମୋଡ଼ା ସଡ଼କ ସହିତ ମୁକ୍ତେଶ୍ଵର ରାସ୍ତାର ଦୋ’ଛକି ପାଖରେ ପହଞ୍ଚିଲା ବେଳକୁ ରାତି ପାହିଲା । ଛକଠାରୁ ଆଗକୁ ନରଖାଦକର ଅସଲ ଶିକାର ଇଲାକା ଆରମ୍ଭ । ଚାରିଆଡ଼କୁ ନଜର ଦେଇ ଅତି ସାବଧାନରେ ବାଟ ଚାଲୁଥିଲେ ମଧ୍ୟ ପାହାନ୍ତିଆ ନିର୍ମଳ ଆଲୁଅରେ ଚାରିପାଖର ସୁନ୍ଦର ଦୃଶ୍ୟ ବେଶ୍‌ ଉପଭୋଗ କରିହେଲା । ରାସ୍ତାର ଗୋଟିଏ ସମତଳ ଅଂଶର ଦୁଇପାଖେ ଦୀର୍ଘ ଦୂର ଯାଏ ନାରଙ୍ଗୀ ରଙ୍ଗର ଲିଲିଫୁଲ ଫୁଟି ଅପୂର୍ବ ଶୋଭା ସୃଷ୍ଟି କରୁଥାଏ । (ଏ ଫୁଲର ମଞ୍ଜିଗୁଡ଼ିକ ଗୋଲ ଓ ଏତେ ଟାଣ ଯେ ବନ୍ଧୁକରେ ତାକୁ ଛର୍‌ରା ଭାବେ ବ୍ୟବହାର କରିଯାଇପାରେ ।) ଫୁଲଭରା ସମତଳ ଅଂଶଟି ପାରହେବା ପରେ ଅଙ୍କାବଙ୍କା ଗୋଟିଏ ଢାଲୁ-ରାସ୍ତାରେ ଜୀବନରେ ପ୍ରଥମଥର ପାଇଁ ମୁକ୍ତେଶ୍ଵର ପର୍ବତ ଚଢ଼ିଲି । ଦୁଇପାଖ ପାହାଡ଼କଡ଼ରୁ ପ୍ରକାଣ୍ଡ ବାଲିପଥରମାନ ଛାତପରି ରାସ୍ତା ଉପରକୁ ମାଡ଼ି ଆସିଥାଏ । ପବନ ମାଡ଼ରେ ନରମ ପଥରଗୁଡ଼ିକ ଖୋଳି ହୋଇ ସେଥିରେ ବିଭିନ୍ନ ଆକାର ପ୍ରକାରର ଖୋଲଗୁଡ଼ିକ ହୋଇଥାଏ । ଖୋଲରୁ କେତୋଟି ଯେମିତି ଅତି ଗହୀର ଓ ଅନ୍ୟକେତୋଟି ଅଳ୍ପ ଗହୀର ହୋଇଥାଏ, ପବନ ବହିବାବେଳେ ସେଥୁରୁ ଭିନ୍ନ ଭିନ୍ନ ତାନ ଓ ତାଳର ବିଚିତ୍ର ଶବ୍ଦମାନ ନିଶ୍ଚୟ ସୃଷ୍ଟି ହେଉଥିବ ବୋଲି ଅନୁମାନ ହେଲା ।

 

ପାହାଡ଼ ପାରହୋଇ ମୁକ୍ତେଶ୍ୱରରେ ପହଞ୍ଚିଲି । ରାସ୍ତାକଡ଼ର ଗୋଟିଏ ଛୋଟ ପଡ଼ିଆ ଆରପାଖେ ମୁକ୍ତେଶ୍ଵର ଡାକଘର ଓ ଛୋଟ ବଜାରଟିଏ । ବଡ଼ିସକାଳୁ ଡାକଘର ଖୋଲି ନ ଥାଏ । ଦୋକାନରୁ ଗୋଟିଏ ଖୋଲାଥିଲା; ଦୋକାନୀ ମୋତେ ବାଟ ବତାଇ ଦେଇ କହିଲା ଯେ ଡାକବଙ୍ଗଳା ପାହାଡ଼ର ଉତ୍ତର ପାଖେ ଓ ସେଠାରୁ ମୋଟେ ଅଧମାଇଲ୍‍ ଦୂର । ସରକାରୀ କର୍ମଚାରୀ ଓ ସାଧାରଣଲୋକଙ୍କ ପାଇଁ ମୁକ୍ତେଶ୍ୱରରେ ଅଲଗା ଅଲଗା ଦୁଇଟି ଡାକବଙ୍ଗଳା ଥିବା କଥା ସେତେବେଳେ ମୋତେ ଜଣା ନ ଥିଲା । ମୋର ବଡ଼ ଟୋପି ଦେଖି ବୋଧହୁଏ ସରକାରୀ ଅଫିସର ବୋଲି ଭୁଲ୍‌ କରି ଦୋକାନୀ ମୋତେ ସରକାରୀ ବଙ୍ଗଳାକୁ ବାଟେଇ ଦେଲେ । ବଙ୍ଗଳାରେ ଖାନ୍‌ସାମା ବିଚରା ବି ଠିକ୍‌ ସେହି ଭୁଲ୍‌ କରି ବସିଲା । ମୋ’ପାଇଁ ସେ ଜଳଖିଆ ତିଆରି କରିଦେବା ଓ ମୁଁ ତାହା ଖାଇଦେବାଦ୍ୱାରା ସରକାରୀ ନୀତି ନିୟମରେ ଯେଉଁ ଗୁରୁତର ଖିଲାପ ଘଟିଲା, ସେଥିପାଇଁ ସରକାରୀ କଳର ସମସ୍ତ ‘ନାଲିଫିତା ଫଉଜ’ ସଦଳବଳେ ଆମ ଦୁହିଁଙ୍କ ଉପରେ ଦାଉ ସାଧିବାକୁ ଝାମ୍ପି ପଡ଼ିଲେ । ସେତେବେଳେ ଏ କଥା ମୋତେ ଜଣା ନ ଥିଲା-। ଏ ସବୁ ଜାଣିବା ପରେ ମୋ ଦୋଷରୁ ଖାନ୍‌ସାମା ବିଚରା ଯେପରି ଦଣ୍ଡ ନ ପାଏ, ତା’ର ବ୍ୟବସ୍ଥା ମୋତେ ହିଁ କରିବାକୁ ପଡ଼ିଲା ।

 

ଜଳଖିଆ ତିଆରି ହେବା ଭିତରେ ବଙ୍ଗଳା ବାରଣ୍ଡାରେ ବସି ସେଠାକାର ପାହାଡ଼ ପର୍ବତର ଦୃଶ୍ୟ ଉପଭୋଗ କରୁଛି, ଏତିକିବେଳେ ବାରଜଣ ରାଇଫଲ୍‌ଧାରୀ ଇଉରୋପୀୟ ଦଳବାନ୍ଧି ମୋ ସାମନା ଦେଇ ଗଲେ । ଧାଡ଼ି ପଛରେ ଜଣେ ହାବିଲଦାର୍‌ ଓ ସିପାହୀ ଦୁଇଜଣ ଚାନ୍ଦମାରୀ ଓ ପତାକା କେତୋଟି ଧରି ଚାଲିଥାନ୍ତି । ହାବଲଦାର୍‌ ମୋ ପାଖରେ ଟିକେ ଅଟକି ଯାଇ କହିଲେ ଯେ ରାଇଫଲ୍‌ ନିଶାଣ ଅଭ୍ୟାସ କରିବାକୁ ସେମାନେ ଚାନ୍ଦମାରୀ ମଇଦାନକୁ ଯାଉଛନ୍ତି । ବାଘ ମାତିବା ଯୋଗୁ ଏଠାରେ ଏମିତି କୋକୁଆଭୟ ଖେଳିଯାଇଛି ଯେ ରାଇଫଲ୍‌ ଧରିଥିବା ଲୋକେ ମଧ୍ୟ ଦଳବାନ୍ଧି ବାଟ ଚାଲୁଛନ୍ତି । ଏଠାକୁ ମୁଁ ଆଶୁଥିବା ଖବର ସରକାରଙ୍କ ତରଫରୁ ପଶୁଚିକିତ୍ସା ପ୍ରତିଷ୍ଠାନର ମୁଖ୍ୟ ଅଫିସରଙ୍କୁ ଗତକାଲିଠାରୁ ତାରଦ୍ୱାରା ଜଣାଇ ଦିଆଯାଇଛି ବୋଲି ପ୍ରକାଶ କରି ହାବିଲଦାର୍‌ ମୋ ଅଭିଯାନର ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ । ମୁକ୍ତେଶ୍ଵର ଲୋକଙ୍କ ଦୂରବସ୍ଥା ବର୍ଣ୍ଣନା କରି ସେ କହିଲେ ଯେ ଲୋକେ ଦିନ ଦୁଇପହରରେ ମଧ୍ୟ ଭରସି କରି ପଦାକୁ ଗୋଡ଼ କାଢ଼ୁନାହାନ୍ତି; ସଞ୍ଜ ହେବାମାତ୍ରେ ତ ସହଜେ ସବୁଆଡ଼େ ତାଟି କବାଟ ପଡ଼ିଯାଉଛି । ନରଖାଦକ କୁଆଡ଼େ ଥରଟିଏ ଖାଇବା ପରେ ଶିକାରର ପାଖ ଆଉ ପଶୁନାହିଁ । ଫଳରେ ଶିକାର ପାଖରେ ବହୁବାର ଜଗିବସିବା ପରେ ବି ଶିକାରୀ କେହି ତାର ଟେର୍‌ ପାଉନାହାନ୍ତି ।

 

ପେଟପୂରା ଜଳଖିଆ ଖାଇ ରାଇଫଲ୍‌ ଧରି ବଙ୍ଗଳାରୁ ବାହାରିଲି । ଖାନ୍‌ସାମାକୁ କହିଗଲି ଯେ ମୋ ଲୋକମାନେ ପହଞ୍ଚିଲେ ନରଖାଦକର ଖବର ବୁଝିବାକୁ ମୁଁ ଯାଇଛି ବୋଲି ସେମାନଙ୍କୁ ଜଣାଇଦେବ । ତା’ପରେ ଡାକଘରକୁ ଯାଇ ଭଲରେ ପହଞ୍ଚିଲି ବୋଲି ମାଆଙ୍କ ପାଖକୁ ତାରବାର୍ତ୍ତାଟିଏ ପଠାଇଦେଲି ।

 

ଡାକଘର ସାମନା ପଡ଼ିଆ ଆଖପାଖରୁ ମୁକ୍ତେଶ୍ୱର ପର୍ବତର ଦକ୍ଷିଣପାଖଟି ତୀଖଭାବେ ତଳକୁ ଗଡ଼ିଛି । ପାହାଡ଼ କଡ଼ସାରା ଗହୀରିଆ ଝୋଲା ଓ ଜଟାଳିଆ ଝାଟିବୋଝ ମଝିରେ ମଝିରେ ବଡ଼ ବଡ଼ ଗଛ କେତୋଟି । ପାହାଡ଼ ଧାରରେ ଛିଡ଼ା ହୋଇ ଉପତ୍ୟକା ଆରପାଖ ବନାବୃତ ରାମଗଡ଼ ପର୍ବତଟିକୁ ଅନାଇ ଦେଖୁଛି, ଏକାବେଳେ ଡାକବାବୁଙ୍କ ସହିତ ବଜାରରୁ ଦୋକାନୀ କେଇଜଣ ସେଠାକୁ ଆସି ମୋତେ ଭେଟିଲେ । ପୂର୍ବଦିନ ମୋ ଆସିବା ଖବର ତାରଦ୍ୱାରା ଆସିଥିଲା ଓ ଡାକବାବୁ ନିଜେ ତାହା ଗ୍ରହଣ କରିଥିଲେ । ଆଜି ସକାଳୁ ମାଆଙ୍କ ପାଖକୁ ତାରବାର୍ତ୍ତାରୁ ମୋ ନାଁ ପଢ଼ି ଡାକବାବୁ ମୋତେ ଚିହ୍ନିଗଲେ । ବଜାରର ପାଖ ପଡ଼ିଶା କେଇଜଣଙ୍କ ସହିତ ମୋତେ ଦେଖାକରି ସେ ଇଚ୍ଛା ପ୍ରକାଶ କଲେ ଯେକୌଣସିପ୍ରକାରେ ମୋ ଉଦ୍ୟମରେ ସାହାଯ୍ୟ କରିପାରିଲେ ସେମାନେ ଖୁସି ହେବେ ।

 

ଭାରତର ସବୁଆଡ଼େ ଗାଉଁଲି ଲୋକେ ଅବସର ପାଇଲେ ଡାକଘରେ ଓ ମୁଦି ଦୋକାନରେ ଠୁଳ ହୁଅନ୍ତି । ଆଖପାଖ ଓ ଦୂର ଦୂରାନ୍ତର ଖବର ସବୁ ସେହିଠାରେ ପଡ଼େ । ଦେଶର ସାଧାରଣ ଲୋକଙ୍କ ହାଲ୍‌ ହଇକତ ବୁଝିବା ପାଇଁ ଡାକଘର ଓ ମୁଦି ଦୋକାନ ଅତି ଉତ୍କୃଷ୍ଟ ସ୍ଥାନ । ଏଠାକାର ସର୍ବସାଧାରଣଙ୍କ ପାଇଁ ନରଖାଦକ ହିଁ ପ୍ରଧାନ ଆଲୋଚ୍ୟ ବିଷୟ ହୋଇଥିବ ଏବଂ ଲୋକଙ୍କ ସହିତ ମିଳାମିଶାର ଅବାଧ ସୁଯୋଗ ଥିବାରୁ ଡାକବାବୁ ଓ ଦୋକାନୀମାନେ ନରଖାଦକ ବିଷୟରେ ବହୁତ ତଥ୍ୟ ନିଶ୍ଚୟ ଜାଣୁଥିବେ । ଏସବୁ ବିଚାର କରି ଡାକବାବୁ ଓ ତାଙ୍କ ଦୋକାନୀ ବନ୍ଧୁମାନଙ୍କଠାରୁ ସାହାଯ୍ୟର ଏହି ସଦୟ ପ୍ରତିଶ୍ରୁତି କୃତଜ୍ଞତାସହ ଗ୍ରହଣ କଲି ।

 

ପାହାଡ଼ଧାରରୁ ପ୍ରାୟ ହଜାରେ ଫୁଟ ତଳେ ଓ ଅନ୍ତତଃ ଦୁଇମାଇଲ୍‍ ଦୂରରେ ସୁନ୍ଦର ବଗିଚାଟିଏ ଦେଖାଯାଉଥାଏ । ସେଇଟିକୁ ବଦ୍‌ରୀ ସାହର ସେଓ ବଗିଚା ବୋଲି ଚିହ୍ନାଇ ଦେଇ ଡାକବାବୁ ଓ ତାଙ୍କ ବନ୍ଧୁମାନେ କହିଲେ ଯେ ଅଳ୍ପଦିନ ତଳେ ସେଇ ବଗିଚା ପାଖରେ ବାଘୁଣୀ ମଣିଷଟିଏ ମାରିଛି । ବଦ୍‌ରୀ ସହିତ ମୋର ବହୁଦିନର ବନ୍ଧୁତା । କେଇମାସ ତଳେ ନୈନିତାଲରେ ମୋତେ ଦେଖାକରି ସେ କହିଥିଲେ ଯେ ନରଖାଦକକୁ ମାରିବା ପାଇଁ ମୁଁ କେବେ ଯଦି ମୁକ୍ତେଶ୍ଵର ଆସେ, ସବୁପ୍ରକାର ସାହାଯ୍ୟ ଦେବା ଛଡ଼ା ନିଜ ଅତିଥିଶାଳାରେ ମୋ ରହିବା ପାଇଁ ସେ ବନ୍ଦୋବସ୍ତ କରିଦେବ । ସେତେବେଳେ ମୋର ମୁକ୍ତେଶ୍ୱର ଆସିବା କଥା ଉଠି ନ ଥିଲା । ସରକାରଙ୍କ ଅନୁରୋଧରେ ଏଠାକୁ ଆସିବାକୁ ଯେତେବେଳେ ବାଧ୍ୟ ହୋଇଛି, ବଦ୍‌ରୀ ସହିତ ଅନ୍ତତଃ ଥରଟିଏ ଦେଖାକରି ସାହାଯ୍ୟପାଇଁ ତା’ର ପ୍ରତିଶ୍ରୁତିର ସୁବିଧା ନେବି ବୋଲି ବିଚାରିଲି ।

 

ସମବେତ ସମସ୍ତଙ୍କୁ ସଦିଚ୍ଛା ପାଇଁ ଧନ୍ୟବାଦ ଜଣାଇ କହିଗଲି ଯେ ନରଖାଦକ ବିଷୟରେ ସଠିକ୍‌ ଖବର ଜାଣିବା ପାଇଁ ସେମାନଙ୍କ ଉପରେ ମୁଁ ନିର୍ଭର କରୁଛି । ଦିନ ବେଶି ବଢ଼ି ନ ଥାଏ । ବଦ୍‌ରୀ ସହିତ ଦେଖାକରିବା ପୂର୍ବରୁ ପର୍ବତ ପୂର୍ବପାଖର କେତୋଟି ଗାଁ ବୁଲି ଦେଖିଯିବାକୁ ସମୟ ମିଳିବ ଭାବି ‘ଧାରୀ’ ରାସ୍ତାରେ ସେହିଆଡ଼େ ଆଗେଇଲି । ପାହାଡ଼ିଆ ଛୋଟ ରାସ୍ତାଟିରେ ମାଇଲ୍‌ ଖୁଣ୍ଟି ନ ଥାଏ । ରାସ୍ତାଏ ରାସ୍ତାଏ ପ୍ରାୟ ଛଅ ମାଇଲ୍ ଯିବା ଭିତରେ ବାଟ କଡ଼ରେ ଦୁଇଟି ଗାଁ ପଡ଼ିଲା । ଗାଁ ଦୁଇଟି ଦେଖାଦେଖି କରି ଫେରିବା ବାଟରେ ପ୍ରାୟ ତିନିମାଇଲ୍‌ ଆସିଛି, ଏତିକିବେଳେ ଆଗରେ ଦେଖିଲି ଯେ ପ୍ରାୟ ଆଠ ବର୍ଷର ଛୋଟ ଝିଅଟିଏ ରାସ୍ତା ମଝିରେ ଗୋଟିଏ କଳା ବଳଦର ପଘା ଧରି ବଡ଼ ଅସୁବିଧାରେ ପଡ଼ିଛି । ଝିଅଟି ବଳଦକୁ ମୁକ୍ତେଶ୍ଵର ଆଡ଼େ ନେବାକୁ ଟଣା ଓଟରା କରୁଥାଏ । ବଳଦ କିନ୍ତୁ ଓଲଟା ଆଡ଼େ ମୁହଁ ଫେରାଇ ଆସିବା ବାଟରେ ବାହୁଡ଼ିବାକୁ ଚାହୁଁଥାଏ । ବୁଝାମଣାର ଏ ବିଭ୍ରାଟରେ କେହି କାହାକୁ ମନାଇ ନ ପାରି ରାସ୍ତାରେ ଦୁହେଁ ଅଟକି ଛିଡ଼ା ହୋଇଥାଆନ୍ତି । ବୁଢ଼ା ବଳଦଟି ବେଶ୍‌ ସୁଧାର । ମୁଁ ପାଖକୁ ଆସି ପଛରୁ ତାକୁ ଟିକେ ଅଡ଼ାଇ ଦେବା ପରେ ବିନା ଦ୍ଵିଧାରେ ସେ ମୁକ୍ତେଶ୍ଵର ଆଡ଼େ ଚାଲିଲା ।

 

ଝିଅଟି ପଘା ଧରି ଆଗେ ଆଗେ ଚାଲିଥାଏ । ତା’ କଥାରୁ ବୁଝିଲି ସେ ବଳଦଟିର ନାଁ ‘କାଲ୍ୱା’ । ତୁନି ହୋଇ କିଛିବାଟ ଚାଲିବା ପରେ ନରମ ଗଳାରେ ପଚାରିଲି, “ଆଚ୍ଛା–କାଲ୍ୱାକୁ ଆମେ ଚୋରାଇ ନେଉ ନାହୁଁ ତ ?”

 

“କାଲ୍ୱାକୁ ଚୋରାଇ ନେବୁ ! କାଇଁ–ନାଇଁ ତ !!” ମୋର ପ୍ରଚ୍ଛନ୍ନ ଅଭିଯୋଗ ତାକୁ ଆଘାତ ଦେଲା ପରି ଝିଅଟି ବଡ଼ ବଡ଼ ଆଖି କରି ବ୍ୟଥିତ ଦୃଷ୍ଟିରେ ଅନାଇଲା ମୋତେ ।

 

“କାଲ୍ୱା କାହା ବଳଦ ?” –ମୁଁ ପଚାରିଲି ।

 

‘‘ମୋ ବାପାଙ୍କର ।”

 

‘‘ଆମେ ଏଇନା ତାକୁ କୁଆଡ଼େ ନେଉଛୁ ?”

 

“ମୋ କକାଙ୍କ ଘରକୁ ।”

 

“କାହିଁକି ?”

 

‘‘ତାଙ୍କ ବିଲରେ ସେ ହଳ ବୁଲିବ ।

 

“ପଟେ ବଳଦ କ’ଣ ହଳ ବୁଲିପାରିବ ?” –ମୁଁ ନ ଜାଣିଲା ପରି ପଚାରିଲି ।

 

‘‘ମଲା ! ପଟେ ବଳଦ କେମିତି ହଳ ବୁଲିବ ମ ?” ଝିଅଟିର ଚାହାଣି ଓ ସ୍ୱରରେ ପ୍ରଚ୍ଛନ୍ନ ବିଦ୍ରୂପର ଆଭାସ । ମତେ ଯେମିତି ସେ କହିବାକୁ ଚାହୁଁଛି–ଗୋରୁ ବଳଦ, ହଳ ଲଙ୍ଗଳ–ଏ ସବୁ କଥା ସାହେବଗୁଡ଼ା କାହୁଁ ଜାଣିବେ ?

 

‘‘ତମ କକାଙ୍କର ତା’ହେଲେ ଆଉ ପଟେ ବଳଦ ଅଛି–ନୁହେଁ ?”

 

“ହଁ ଆଗେ ତାଙ୍କର ହଳେ ଥିଲେ ଯେ–ଏଇନା ଗୋଟିଏ ଅଛି ।”

 

ଭାବିଲି, ଧାର ଉଧାର ସୁଝିବା ପାଇଁ କକା ତା’ର ବଳଦକୁ ବିକିଦେଇଥିବ । କଥାପ୍ରସଙ୍ଗରେ ପଚାରିଲି, ‘‘ଆରେ ବଲଦଟା କୁଆଡ଼େ ଗଲା ?”

 

ଝିଅଟିର ଉତ୍ତର ଶୁଣି ଚମକିପଡ଼ିଲି । ସହଜ ଗଳାରେ ସେ କହିଲା, ‘‘କାଲି ତାକୁ ବାଘ ମାରିଦେଲା ।”

 

ଅତି ଅପ୍ରତ୍ୟାଶିତ ଭାବେ ଏଡ଼େ ବଡ଼ ଖବରଟା ପାଇ ହଠାତ୍‌ କିଛି କହିପାରିଲି ନାହିଁ । କିଛି ସମୟ ନୀରବ ରହିଯିବା ଭିତରେ ଝିଅଟି ମୁହଁ ବୁଲାଇ ମୋ’ଆଡ଼େ ବାରମ୍ବାର ଅନାଉଥାଏ । ଶେଷରେ ସାହସ ବାନ୍ଧି ନିଜଆଡ଼ୁ, ସେ ପଚାରିଲା, “ତମେ ପରା ବାଘ ମାରିବାକୁ ଆସିଛ ?”

 

କହିଲି, “ହଁ, ଆସିଛି ତ ! ତେବେ ବାଘ ମାରିପାରିବି କି ନାହିଁ ତା’ କିଏ କହିବ ?”

 

‘‘ତେବେ ମଲା ବଳଦଟାକୁ ପଛରେ ଛାଡ଼ି ଚାଲିଆସିଲ ଯେ ?”

 

“ଆଗେ ଆମକୁ କାଲ୍ୱାକୁ ନେଇ କକାଙ୍କ ଘରେ ପହଞ୍ଚାଇବାକୁ ପଡ଼ିବ ପରା !”

 

କଥାଟା ଝିଅଟିର ମନକୁ ପାଇଲା ପରି ଲାଗିଲା । ବଳଦ ସହିତ ପାଦ ମିଳାଇ ଦୁହେଁ ନୀରବରେ ଖଣ୍ଡେବାଟ ଚାଲିବାପରେ ଆଉ କିଛି ଖବର ହାସଲ କରିବାକୁ ପଚାରିଲି, “ଏ ବାଘଟା କୁଆଡ଼େ ମଣିଷ ମାରି ଖାଉଛି ?”

 

“ହଁ ପରା ! କୁନ୍ତୀର ବାପା–ବଂଶୀ ସିଂର ମାଆ–ଏମିତି କେତେଜଣଙ୍କୁ ସେ ମାରି ଖାଇଲାଣି ।”

 

“‘ବାଘ ମାତିଛି ବୋଲି ଜାଣିକରି ବି ବାପା କାଲ୍ୱା ସଙ୍ଗରେ ତମକୁ ଏକାକୀ ପଠାଇଦେଲେ କେମିତି? ସେ ନିଜେ ଆସିଲେ ନାହଁ ?”

 

“କେମିତି ଆସିବେ? ତାଙ୍କୁ ପରା ‘ଭାବରୀ ବୁଖାର୍‌’ (୧) ହୋଇଛି ।”

 

‘‘ତମର ଭାଇ ନାହିଁ ?”

 

‘‘ଭାଇଟିଏ ଥିଲା ଯେ–କେବେଠୁଁ ମରିଗଲାଣି ।”

 

“ମାଆ ?”

 

‘‘ମାଆ ରୋଷେଇ କରୁଛି ।”

 

‘‘ଭଉଣୀ ?”

 

“ଭଉଣୀ ନାହିଁ ।”

 

(୧) ‘ଭାବରୀ ବୁଖାର୍‌’–‘ଭାବ୍‌ରର ଜ୍ୱର’ । ହିମାଳୟର ତଳପାର୍ବତୀୟ ଜଙ୍ଗଲ ଅଞ୍ଚଳ ଭାବର୍‌ ନାମରେ ଆଖ୍ୟାତ । ସେଠାରେ ମ୍ୟାଲେରିଆକୁ ‘ଭାବ୍‌ରି ବୁଖାର୍‌’ କୁହାଯାଏ । ‘ମୋର ଭାରତ’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ପାହାଡ଼-ଜଙ୍ଗଲବାସୀ ଏହି ଲୋକମାନଙ୍କର କରାଳ ବାସ୍ତବତାମୟ ଜୀବନର ଏହାହିଁ ଏକ ନମୁନା । ନିଛାଟିଆ ଏହି ରାସ୍ତାରେ ଗତ ଚାରିଘଣ୍ଟା ଭିତରେ ମୁଁ ଜଣେ ହେଲେ ଲୋକ ଭେଟି ନ ଥିଲି । ନରଖାଦକ ଭୟରେ ଯେଉଁଠି ଲୋକେ ଦିନବେଳେ ଦଳବାନ୍ଧି ଯିବାକୁ ବି ଭୟ କରନ୍ତି, ପରିସ୍ଥିତିର ଚାପରେ ସେଇ ରାସ୍ତାରେ ଏକାକୀ ବଳଦଟିଏ ନେଇ କକା ପାଖରେ ପହଞ୍ଚାଇବାର ଦାୟିତ୍ୱ ଏଇ ଆଠବର୍ଷର ଛୋଟ ଝିଅଟି ଉପରେ ପଡ଼ିଛି ।

 

କିଛିଦୂର ଯିବା ପରେ ଝିଅଟି ଗୋଟିଏ ଚଲାବାଟରେ ରାସ୍ତାକଡ଼ ବିଲକୁ ଗଡ଼ିଲା । ବଳଦ ଅଡ଼ାଇ ମୁଁ ପଛେ ପଛେ ଚାଲିଲି । ବିଲ ଆରପାଖରେ ଛୋଟ ଘରଟିଏ । ଝିଅଟି ବାଟ ଅଧରୁ ଡାକ ଦେଇ ବଳଦ ଆଣିଥିବା କଥା କକାକୁ ଜଣାଇଦେଲା । ଘର ଭିତରୁ ଜବାବ ଶୁଭିଲା, ‘‘ପୁତ୍‌ଲି କିଲୋ? ବଳଦ ଆଣିଲୁ ? ହଉ, ହଉ–ସେଇ ଖୁଣ୍ଟିରେ ତାକୁ ଖଟାଇ ଦେଇ ଯା । ମୁଁ ଖାଇବସିଛି ।” ବଳଦକୁ ଖୁଣ୍ଟରେ ବାନ୍ଧିଦେଇ ଦୁହେଁ ରାସ୍ତାକୁ ବାହୁଡ଼ିଲୁ । ମଝିରେ ଏବେ ବଳଦଟି ନ ଥିବାରୁ ମୋ ସହିତ ପାଖ ପାଖ ହୋଇ ଚାଲିବାକୁ ଝିଅଟିକୁ ସଙ୍କୋଚ ଲାଗୁଥାଏ । ତାହା ବୁଝିପାରି ମୁଁ ଦୁଇପାହୁଣ୍ଡ ଆଗେଇଯାଇ ତା’ ସହିତ ପାଦ ମିଳାଇ ଚାଲିଲି । ନୀରବରେ ଆଗପଛ ହୋଇ କିଛିବାଟ ଚାଲିବା ପରେ ଝିଅଟି ଉଦ୍ଦେଶ୍ୟରେ ପଚାରିଲି, ‘‘ମଲା ବଳଦଟି କେଉଁଠି ପଡ଼ିଛି ଜାଣିଛ ? ବଳଦ ଦେଖାଇଦେଲେ ବାଘ ମାରିବାକୁ ଚେଷ୍ଟା କରନ୍ତେ ।”

 

ଝିଅଟି ଅତି ଆଗ୍ରହରେ କହିଉଠିଲା, ‘‘ହଉ, ଚାଲ–ତମକୁ ଦେଖାଇଦେବି ।”

 

‘‘ବଳଦଟାକୁ ତମେ ଦେଖିଛ ?”

 

“ନାଇଁ ଯେ–କକା ବାପାଙ୍କୁ ସେକଥା କହିଲାବେଳେ ମୁଁ ଶୁଣିଛି ।”

 

“ଜାଗାଟା ରାସ୍ତା ପାଖାପାଖି ନା ଦୂରରେ ?”

 

“କେଜାଣି ! ତା’ ତ ମୁଁ ଜାଣିନି !”

 

“ବଳଦ କ’ଣ ଏକୁଟିଆ ଚରୁଥିଲାବେଳେ ବାଘ ତାକୁ ମାଡ଼ିବସିଲା ?”

 

“ନାଇଁ । ଗାଁ ଗୋଠରେ ସେ ଚରିବାକୁ ଯାଇଥିଲା ।”

 

“ବାଘ ତାକୁ ସକାଳେ ମାରିଲା ନା ଗାଈଲେଉଟାଣି ବେଳକୁ ?”

 

“କାଲି ସକାଳେ । ଗୋଠଯାକ ଗୋରୁ ଚରିବାକୁ ଯାଉଥିଲେ ।”

 

ରାସ୍ତା ବାଁ ପାଖରେ ସେଠାରେ ବଡ଼ ବଡ଼ ଗଛ ଓ ଡାହାଣ ପାଖରେ ଝାଟିବଣ । କଥାବାର୍ତ୍ତା ହୋଇ ବାଟ ଚାଲିବା ଭିତରେ ଦୁଇପାଖ ଜଙ୍ଗଲ ଉପରେ ମୁଁ ତୀକ୍ଷ୍‌ଣ ନଜର ରଖିଥାଏ-। ସଡ଼କରେ ମାଇଲିଏ ଫେରିବା ପରେ ବାଁ ପାଖ ଜଙ୍ଗଲ ଭିତରକୁ ଗୋରୁଦାଣ୍ଡିଟିଏ ଦେଖାଇଦେଇ ଝିଅଟି କହିଲା ଯେ ତା’ କକାଙ୍କ କହିବା ଅନୁସାରେ ମଲା ବଳଦଟା ସେଇ ଗୋରୁଦାଣ୍ଡି ପାଖରେ କେଉଁଠି ପଡ଼ିଥିବ ।

 

ମଢ଼କୁ ଖୋଜି ପାଇବା ପାଇଁ ମୋର ସେତିକି ସାହାଯ୍ୟ ଦରକାର ଥିଲା । ଝିଅଟିକୁ ନିରାପଦରେ ଘରେ ପହଞ୍ଚାଇ ସେଠାକୁ ଫେରିଆସି ଲକ୍ଷ୍ୟ କଲି ଯେ ଗୋରୁଦାଣ୍ଡିଟି ଜଙ୍ଗଲ ପାରହୋଇ ଉପତ୍ୟକା ଆରପାଖକୁ ଯାଇଛି । ଜାଗାଏ ଦାଣ୍ଡି ଉପରେ ଗହୀର ଖୁରାଚିହ୍ନଗୁଡ଼ିଏ ଦେଖି ଜାଣିଲି ଯେ ଗୋରୁ ଗୋଠେ ତରକି କରି ସେଇ ବାଟେ ଧାଇଁ ପଳାଇଛନ୍ତି । ଖୁରାଚିହ୍ନ, ଠଉରାଇ ଜଙ୍ଗଲ ଭିତରେ ଦାଣ୍ଡିଠାରୁ ପ୍ରାୟ ପଚାଶ ଗଜ ଦୂରରେ ଚରାଭୂଇଁଟିକୁ ଖୋଜି ପାଇଲି । ସେଠାରୁ ଘୋଷରା ଦାଗ ଅନୁସରଣ କରି ପାହାଡ଼ ଆଡ଼କୁ କେଇ ଶହ ଗଜ ଆଗେଇଲା ପରେ ମଲା ବଳଦଟି ମିଳିଗଲା । ବାଘ ପଛ ଫଡ଼ିଆରୁ ଅଳ୍ପ ମାଂସ ଖାଇ ମଢ଼କୁ କୋଡ଼ିଏ ଫୁଟ ଉଚ୍ଚ ଏକ ବନ୍ଧ ତଳେ ପକାଇ ଦେଇ ଯାଇଥାଏ ।

 

ବନ୍ଧଠାରୁ ପ୍ରାୟ ଚାଳିଶ ଫୁଟ ଦୂରରେ ଗୋଟିଏ ଗହୀର ଝୋଲାର ମୁହାଣ । ଝୋଲାମୁହାଣ ଓ ମଢ଼ ପଡ଼ିଥିବା ଜାଗାର ପ୍ରାୟ ମଝିମଝିରେ ଅଳ୍ପ ଉଚ୍ଚ ରୁଗୁଡ଼ିଆ ଗଛଟିଏ । ବଣଗୋଲପ ଲଟା ଚକଡ଼ାଏ ଗହଳରେ ମାଡ଼ି ଗଛଟିକୁ ଘେରି ପ୍ରାୟ ଘୋଡ଼ାଇ ପକାଇଥାଏ । ସେଇ ଗୋଟିଏ ଛଡ଼ା ମଢ଼ ପାଖରେ ବସିଲା ଭଳି ଆଉ ଗଛ ନ ଥିଲା । ନରଖାଦକ ଅନ୍ଧାର ହେଲା ପରେ ଆସିବ ଓ ମଢ଼ ପାଖରେ ନ ବସିଲେ ତାକୁ ମାରିବାକୁ ସୁବିଧା ହେବ ନାହିଁ ବିଚାରି ସେଇ ଗଛରେ ହିଁ ବସିବାକୁ ସ୍ଥିର କଲି ।

 

ସେତେବେଳକୁ ଦିନ ଦୁଇଟା ବାଜିଲାଣି । ରାମଗଡ଼ ଡାକବଙ୍ଗଳାରୁ ଭୋର ଚାରିଟାରେ ବାହାରିଥିଲି । ଦିନସାରା ଅବିଶ୍ରାନ୍ତ ବାଟ ଚାଲିଲା ପରେ କପେ ଚାହାର ବଲବତୀ ଆକର୍ଷଣ ଏଡ଼ାଇବା ସହଜ ହେଲା ନାହିଁ । ବଦ୍‌ରୀ ଘରକୁ ଯାଇ ଚାହା ଖାଇବି ବୋଲି ସ୍ଥିର କରି ସଡ଼କକୁ ଫେରିଲି ଓ ଗୋରୁଦାଣ୍ଡିରୁ ଅଳ୍ପ ଆଗକୁ ଚଲାବାଟଟିଏ ଧରି ନିବିଡ଼ ଝାଟିଜଙ୍ଗଲଭରା ତୀଖ ଗଡ଼ାଣିରେ ପ୍ରାୟ ମାଇଲିଏ ତଳକୁ ଗଡ଼ିବା ପରେ ବଦ୍‌ରୀର ବଗିଚା ପାଖରେ ପହଞ୍ଚିଲି । ବଦ୍‌ରୀ ତା’ ଅତିଥିଶାଳା ପାଖରେ ଗୋଟିଏ ଭଙ୍ଗା ସେଓ ଗଛକୁ ଠେସ ଲଗାଇ ସଳଖୁଥିଲା । ମୋତେ ଦେଖିଦେବା ମାତ୍ରେ ସବୁ କାମ ଛାଡ଼ି ଅତିଥିଶାଳାକୁ ପାଛୋଟି ନେଲା । ଘରଟି ଗୋଟିଏ କୁଦ ଉପରେ; ବଗିଚାଟି ସେଠାରୁ ପୂରା ଦେଖାଯାଉଥାଏ । ବଦ୍‌ରୀ ଚାକରକୁ ଡାକି ଚାହା ଜଳଖିଆ ବରାଦ କରିବା ପରେ ମୋର ମୁକ୍ତେଶ୍ଵର ଆସିବାର କାରଣ ଓ ଝିଅଟିର ସାହାଯ୍ୟରେ ମଲା ବଳଦକୁ ଖୋଜି ପାଇବାର ବୃତ୍ତାନ୍ତ ତାକୁ ଶୁଣାଇଲି ।

 

ବଳଦ ମରିବା ଖବର ମୁକ୍ତେଶ୍ଵରର ଶିକାରୀମାନଙ୍କୁ ଜଣାଇ ଦିଆ ନ ଯିବାର କାରଣ ପଚାରିବାରୁ ବଦ୍‌ରୀ କହିଲା ଯେ ନରଖାଦକକୁ ମାରିବାରେ ବାରମ୍ବାର ବିଫଳ ହେବା ପରେ ସ୍ଥାନୀୟ ଶିକାରୀଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି; ତେଣୁ ଏସବୁ ଖବର ସେମାନଙ୍କୁ କେହି ଆଉ ଜଣାଉ ନାହାନ୍ତି । ଶିକାରୀମାନଙ୍କ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ହିଁ ସେମାନଙ୍କ ବିଫଳ ହେବାର ମୁଖ୍ୟ କାରଣ ବୋଲି ମନ୍ତବ୍ୟ ଦେଇ ବଦ୍‌ରୀ କହିଲା ଯେ ମଢ଼ପାଖରୁ ଲଟାବୁଦା ଓ ଛୋଟ ଛୋଟ ଗଛ ସବୁ ହାଣି ସଫା କଲା ପରେ ସେମାନେ କୁଆଡ଼େ ପ୍ରକାଣ୍ଡ ମଞ୍ଚାମାନ ବାନ୍ଧି ଦଳ ବଳ ନେଇ ସେଥିରେ ବସୁଛନ୍ତି । ବାରମ୍ବାର ଏପରି କରି ନରଖାଦକକୁ ତରକାଇବା ଫଳରେ ସେ ଏବେ ଏମିତି ତରକା ଧରିଗଲାଣି ଯେ ଥରଟିଏ ଖାଇବା ପରେ ସେ ଶିକାର ପାଖକୁ ଆଉ ଫେରୁନାହିଁ ।

 

ସେହି ଗୋଟିକ ଛଡ଼ା ମୁକ୍ତେଶ୍ୱର ଅଞ୍ଚଳରେ ଆଉ ନରଖାଦକ କେଉଁଠି ମାତି ନାହାନ୍ତି ବୋଲି ଶୁଣିଲି । ନରଖାଦକଟି ବାଘ ନା ବାଘୁଣୀ–ବଦ୍‌ରୀ ତାହା ଜାଣି ନଥିଲେ ବି କୌଣସି ଜଖମ ଯୋଗୁ ନରଖାଦକର ଡାହାଣ ଆଗ ଗୋଡ଼ଟି ଅସଜ ଥିବା କଥା ସେ ଲକ୍ଷ୍ୟ କରିଛି ବୋଲି କହିଲା-। ଗୋଡ଼ଟି କାହିଁକି ବା କିପରି ଜଖମ ହେଲା–ତାହାର କାରଣ ସେ ଦର୍ଶାଇ ପାରିଲା ନାହିଁ-

 

ଆମେ କଥାବାର୍ତ୍ତା ହେଲାବେଳେ ବଦ୍‌ରୀର ବଡ଼ ଏୟାରଡେଲ ଟେରିୟର କୁକୁରଟି ବାରଣ୍ଡାରେ ବସି ବଗିଚାକୁ ଅନାଇଥିଲା । ହଠାତ୍ ସେ ଘାଉଁ ଘାଉଁ ହେବାରୁ ସେଆଡ଼େ ଅନାଇ ଦେଖିଲୁ ଯେ ପ୍ରକାଣ୍ଡ ହନୁମାଙ୍କଡ଼ଟାଏ ଭୂଇଁରେ ବସି ସେଓ ଗଛର ଡାଳଟାଏ ଓଡ଼ାଇ ଧରି କଞ୍ଚା ସେଓଗୁଡ଼ା ଖାଇଯାଉଛି । ବଦ୍‌ରୀର ହାତପାଖରେ ଛର୍‍ରା ବନ୍ଧୁକଟିଏ ବାରଣ୍ଡା ବାଡ଼ାକୁ ଡେରା ହୋଇଥିଲା । ତରତରରେ ସେଥିରେ ଚାରିନମ୍ବର ଛର୍‍ରା ପୂରାଇ ବଦ୍‌ରୀ ମାଙ୍କଡ଼କୁ ଲକ୍ଷ୍ୟ କରି ଫଏର କଲା । ସେତେ ଦୂରରୁ ମାଙ୍କଡ଼ ଦେହରେ ଛର୍‍ରା କେବେ ବାଜି ନ ଥିବ; ଗୋଟାଏ ଅଧେ ବାଜିଥିଲେ ବି କୌଣସି କ୍ଷତି କରିଥିବ କି ନାହିଁ ସନ୍ଦେହ । ବନ୍ଧୁକ ଆବାଜରେ ହନୁଟା ହୁରୁଡ଼ି ଯାଇ ପାହାଡ଼ ଉପରକୁ ଧାଇଁବା ମାତ୍ରେ କୁକୁର ବାରଣ୍ଡା ଛାଡ଼ି ତା’ ପଛରେ ଛୁଟିଗଲା । ମାଙ୍କଡ଼ ଫେରିପଡ଼ି ଆକ୍ରମଣ କରିପାରେ ବୋଲି ଚେତାଇ ଦେଇ କୁକୁର ଫେରାଇ ଆଣିବାକୁ ବଦ୍‌ରୀକୁ କହିଲି । ସେଇ ଗୋଟିକ ହନୁ ବଗିଚାରେ ପଶି ତା’ର ଗୁଡ଼ାଏ ଗଛ ନଷ୍ଟ କଲାଣି ବୋଲି ଉତ୍ତର ଦେଇ ବଦ୍‌ରୀ କହିଲା ଯେ, ତା’ କୁକୁର କୁଆଡ଼େ ସେ ହନୁଟାକୁ ବରାବର ସେମିତି ଗୋଡ଼ାଏ । ତା’ ପାଟିରୁ କଥା ନ ସରୁଣୁ ମୁଁ ଯାହା ଆଶଙ୍କା କରୁଥିଲି ଠିକ୍ ତାହାହିଁ ଘଟିଗଲା । କୁକୁର କେଇ ଗଜ ପାଖେଇ ଯିବା ମାତ୍ରେ ହନୁ ହଠାତ୍ ବୁଲିପଡ଼ି ତା’ କାନମୁଣ୍ଡାରୁ ପୁଳାଏ ମାଂସ କାମୁଡ଼ି ଛିଡ଼ାଇଦେଲା ।

 

କୁକୁରର କ୍ଷତ ଖୁବ୍ ଗୁରୁତର ହୋଇଥାଏ । ତା’ର ହେପାଜତ୍ କରିସାରିବା ବେଳକୁ ମୋ’ପାଇଁ ଚାହା ଓ ଗରମ ପୁରି ଥାଳିଏ ଆସି ପହଞ୍ଚିଗଲା । ଚାହା ଜଳଖିଆ ସାରି ମଢ଼ ଜଗିବାକୁ ବାହାରିଲି । ମଢ଼ ପାଖରେ ଗଛ ବଛା ସରିଛି ଶୁଣି ସେଥିରେ ମଞ୍ଚା ବାନ୍ଧିଦେବା ପାଇଁ ବଦ୍‌ରୀ ଜିଗର କଲା ଓ ମଞ୍ଚାର ସରଞ୍ଜାମ ସହିତ ତା’ ଲୋକ ଦୁଇଜଣଙ୍କୁ ନେଇ ମୋ ସଙ୍ଗରେ ବାହାରିଲା-। ବର୍ଷେକାଳ ନରଖାଦକର ଅତ୍ୟାଚାର ସହିଲା ପରେ ତା’ କରାମତି ସମ୍ବନ୍ଧରେ ବଦ୍‌ରୀ ବା ତା’ ଲୋକଙ୍କର କାହାରି ତିଳେ ହେଲେ ସନ୍ଦେହ ନ ଥିଲା । ଛୋଟ ଗଛଟିରେ ମଞ୍ଚା ବାନ୍ଧି ହେବ ନାହିଁ କିମ୍ବା ସୁବିଧା ହେଲାଭଳି ପାଖରେ ଆଉ ଗଛ ନାହିଁ ଦେଖି ବଦ୍‌ରୀ ଓ ତା’ ସହଚର ଦୁହେଁ ମତଦେଲେ ଯେ, କଣ୍ଟାଘେରା ଛୋଟ ଗଛଟିରେ ଏତେ ଅସୁବିଧାରେ ବସିବା ଅପେକ୍ଷା ନରଖାଦକକୁ ବିନା ବାଧାରେ ଆସିବାକୁ ସୁଯୋଗ ଦେଲେ ରାତି ଭିତରେ ସେ ମଢ଼କୁ ହୁଏତ ଅଧିକ ସୁବିଧାଜନକ କୌଣସି ସ୍ଥାନକୁ ହଟାଇନେବ ଓ ପରଦିନ ସେଠାରେ ଜଗି ବସିବା ଅପେକ୍ଷାକୃତ ସହଜ ହେବ । ବାଘୁଣୀ ନରଖାଦକ ହୋଇ ନଥିଲେ ମୁଁ ଠିକ୍ ତାହାହିଁ କରିଥାଆନ୍ତି-। ନରଖାଦକ ଶିକାରରେ କିନ୍ତୁ ମନମୁତାବକ ସୁବିଧା ଖୋଜିବାର ଅବକାଶ ନଥାଏ; ପରିସ୍ଥିତି ଅନୁସାରେ ଯେଉଁଠି ଯେତିକି ସୁବିଧା ମିଳେ, ଅତି ସାମାନ୍ୟ ହେଲେ ମଧ୍ୟ ଶିକାରୀ ତାହା ଗ୍ରହଣ କରିବାକୁ ବାଧ୍ୟ । ଏଠାକାର ଜଙ୍ଗଲରେ ପୁଣି ଭାଲୁଙ୍କର ଅଭାବ ନାହିଁ । ହିମାଳୈୟ ଭାଲୁ ମହାବଳବାଘକୁ ଭୟ କରେ ନାହିଁ, ବାଘମୁହଁରୁ ଶିକାର ଛଡ଼ାଇ ନେବାକୁ ସେ ପଶ୍ଚାତ୍‌ପଦ ହୁଏ ନାହିଁ । ରାତି ଭିତରେ ଭାଲୁଟାଏ ଗନ୍ଧବାରି ଆସି ମଢ଼ ପାଖରେ ଯୁଟିଗଲେ ବାଘ ମାରିବାର ଶେଷ ଆଶାକୁ ଜଳାଞ୍ଜଳି ଦେବାକୁ ପଡ଼ିବ ଓ ବେଶି ସୁବିଧା ଆଶାରେ ଉପସ୍ଥିତ ସୁଯୋଗଟିକକ ହରାଇ ମହରଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେବ । ତେଣୁ ପୂର୍ବାପରର ଆଉ ବିଚାର ନ କରି କଣ୍ଟାଭରା ବଣଗୋଲାପ ଲଟା ଭିତରେ ଗଲିପଶି ଅତି କଷ୍ଟରେ ଗଛରେ ଚଢ଼ିଲି ଓ ଗହଳ ଲଟା କେତୋଟି ଦୋଳା ପରି ଛନ୍ଦି ଯଥାତଥା ତାହାରି ଉପରେ ବସିଲି । ବଦ୍‌ରୀ ରାଇଫଲ୍‌ଟି ମୋ ହାତକୁ ବଢ଼ାଇଦେଲା ଓ ପରଦିନ ସକାଳୁ ଆସିବ କହି ସାଥୀ ଦୁଇଜଣଙ୍କ ସହିତ ଘରକୁ ବାହୁଡ଼ିଗଲା ।

 

ଧଳା ବଳଦଟି ମୋ ଆଡ଼କୁ ଗୋଡ଼ କରି ଗଛଠାରୁ ପନ୍ଦର ଫୁଟ ଛଡ଼ାରେ ଡାହାଣ କଡ଼ ମାଡ଼ି ପଡ଼ିଥାଏ । ପାହାଡ଼ଆଡ଼କୁ ମୁହଁ ଓ ଝୋଲାକୁ ପଛକରି ମୁଁ ଯେମିତି ବସିଥାଏ, ବାଘୁଣୀ ତଳୁ ଆସିଲେ ମୋତେ ନ ଦେଖିପାରେ; କିନ୍ତୁ ପାହାଡ଼ରୁ ଗଡ଼ିଲେ ତା’ ନଜର ଏଡ଼ାଇବାର ସମ୍ଭାବନା ଅତି କମ୍ । ଦୋଳାରେ ବସିଲାବେଳକୁ ଦିନ ଚାରିଟା ବାଜିଥିଲା । ଘଣ୍ଟାକ ପରେ ଝୋଲା କଡ଼ରେ ମୋ’ଠାରୁ ଦୁଇଶହ ଗଜ ଦୂରରୁ କୁଟୁରାଟିଏ ଭୁକିବାକୁ ଆରମ୍ଭ କରି ବାଘୁଣୀ ଆସୁଥିବା କଥା ସୁଚାଇଦେଲା । କ୍ରମାଗତ ବହୁ ସମୟଧରି ଭୁକିବା ପରେ କୁଟୁରାଟି ପାହାଡ଼ ଆରପାଖକୁ ଚାଲିଗଲା ଓ ତା’ ସ୍ୱର କ୍ରମଶଃ କ୍ଷୀଣ ହୋଇ ଦୂରରୁ ଆଉ ଶୁଭିଲା ନାହିଁ । କୁଟୁରାର ଗତିବିଧି ଓ ସ୍ୱର-ସଙ୍କେତରୁ ଯାହା ବୁଝିଲି, ବାଘୁଣୀ ପାଖରେ କେଉଁଠି ଲେପଟାଇ ପଡ଼ି ମଢ଼ ଓ ତା’ ଆଖପାଖ ସବୁଆଡ଼ ଟିକିନିଖି ପରଖି କରି ଦେଖୁଛି । ବାଘୁଣୀ ତର୍‌କା ଧରିଯାଇଥିବା କଥା ଶୁଣିବାବେଳୁ ଜାଣିଥିଲି ଯେ ସେ ଠିକ୍ ତାହାହିଁ କରିବ ଓ ସବୁଆଡ଼େ ଦେଖିଚାହିଁ ଆଖପାଖରେ ମଣିଷ ନାହାନ୍ତି ବୋଲି ପତିଆରା ହେବା ପରେ ଯାଇଁ ଶିକାର ପାଖକୁ ଆସିବ ।

 

ସଞ୍ଜବେଳୁ ଆକାଶରେ କଳାବଉଦ ଜମି ଜମି ଆସୁଥିଲା । ଦୀର୍ଘ କେତେ ମିନିଟ୍‌ର ନିଶ୍ଚଳ ଅପେକ୍ଷା ଭିତରେ ପାହାଡ଼ କଡ଼ ଗଛପତ୍ର ଅନ୍ଧାରରେ ଅସ୍ପଷ୍ଟ ହୋଇ ଶେଷରେ ଆଉ ଦେଖାଗଲା ନାହିଁ । ରାତି ବଢ଼ିବା ସଙ୍ଗେ ଆକାଶ ସାରା ବାଦଲ ମାଡ଼ିଯାଇ ତାରା ସବୁ ଲୁଚିଯିବାକୁ ଲାଗିଲେ । କିଟିକିଟି ଅନ୍ଧାରରେ ପାଖ ପାଖ ଜିନିଷ ବି ଦିଶୁ ନ ଥାଏ । ଏତିକିବେଳେ ଝୋଲା ଉପର ମୁଣ୍ଡରେ ଶୁଖିଲା କାଠଟିଏ ମଟ୍ କରି ଭାଙ୍ଗିଗଲା । ଠିକ୍ ତା’ ପରେ ପରେ ବାଘୁଣୀ ଅତି ଧୀରେ, ଅତି ସନ୍ତର୍ପଣରେ ଖୋଜ ପକାଇ ମୋରି ଗଛ ମୂଳକୁ ଆସିଲା ଓ ଗଛମୂଳେ ଅଟକି ଶୁଖିଲା ପତ୍ର ଉପରେ ଲେପଟାଇ ପଡ଼ି ଅନ୍ଧାର ଆହୁରି ଘନେଇବା ପାଇଁ ଅପେକ୍ଷା କଲା । କେଇ ମିନିଟ୍ ଭିତରେ ମେଘ ଘୋଡ଼ାଇ ତାରା ସବୁ ପୂରାପୂରି ଲୁଚିଯିବା ପରେ ବାଘୁଣୀ ଗଛମୂଳରୁ ଉଠି ମଢ଼ ପାଖକୁ ଗଲା ।

 

ଅନ୍ଧାର ଯେମିତି ହୋଇଥାଏ, ବାଘୁଣୀକୁ ଦେଖିବା ଦୂରେ ଥାଉ–ଖୁବ୍ ନିରେଖି କରି ଅନାଇବା ପରେ ବି ମଲା ବଳଦଟିକୁ ମୁଁ ଠାବ କରିପାରୁ ନ ଥାଏ । ବାଘୁଣୀ ଫୁଙ୍କିବା ପରି ଶବ୍ଦ କରିବା ଶୁଣି ମଢ଼ ପାଖରେ ସେ ପହଞ୍ଚିଗଲାଣି ବୋଲି ଜାଣିଲି । ଖରାଦିନେ ଏ ସବୁ ଅଞ୍ଚଳରେ ମଲା ଜନ୍ତୁଙ୍କ ଦେହରେ ଡାଆଁଶ ଲାଗନ୍ତି; ରକ୍ତ ଶୋଷି ଅଥର୍ପା ହୋଇଯାଇଥିବା ଡାଆଁଶଗୁଡ଼ିକ ସଞ୍ଜ ପରେ ବି ମାଂସରେ ଲାଗିଥାଆନ୍ତି । ପୂର୍ବରୁ କେବେ ଡାଆଁଶ ବିନ୍ଧିବାର ତିକ୍ତ ଅନୁଭୂତି ଥିବାରୁ ମାଂସରେ ମୁହଁ ମାରିବା ଆଗରୁ ବାଘୁଣୀ ଡାଆଁଶଗୁଡ଼ାକୁ ଫୁଙ୍କି ହୁରୁଡ଼ାଇବାକୁ ଚେଷ୍ଟା କରୁଥିଲା ।

 

ଅନ୍ଧାର ରାତିରେ ତାରା ଆଲୁଅରେ ମୁଁ ବେଶ୍ ଦେଖିପାରେ । ସେଦିନ ମେଘଅନ୍ଧାର ଯୋଗୁ ସେତିକି ଆଲୁଅ ବି ମିଳିଲା ନାହିଁ । ବିଜୁଳି ଝଲକାଏ ମାରିବାକୁ ବହୁ ସମୟ ଅପେକ୍ଷା କରି ସେଥିରେ ବି ନିରାଶ ହେବାକୁ ପଡ଼ିଲା । ଶବ୍ଦରୁ ଅନୁମାନ କରିବା ଛଡ଼ା ବାଘୁଣୀର ଅବସ୍ଥିତି ଓ ଗତିବିଧି ନିଶ୍ଚିତ ଭାବେ ଜାଣିବାର ଉପାୟ ନଥିଲା । ବାଘୁଣୀ ଏତେ ନିକଟରେ ଥିବା ସତ୍ତ୍ୱେ ମୁଁ ଯଦି ତାକୁ ଦେଖିପାରୁନାହିଁ, ତେବେ ଶବ୍ଦ ନ କରି ନିଶ୍ଚଳ ହୋଇ ବସିଲେ ସିଏ ବି ମୋତେ ଦେଖିପାରିବ ନାହିଁ ବୋଲି ଭରସା ହେଲା । ମଢ଼ ଘୁଞ୍ଚାଇବାର ଶବ୍ଦ ହୋଇ ନଥିବାରୁ ଜାଣିଥିଲି ଯେ ବାଘୁଣୀ ମୋରି ଆଡ଼କୁ କଡ଼ କରି ଶୋଇ ମଢ଼ ଡାହାଣ ପାଖରୁ ମାଂସ ଖାଇବାରେ ଲାଗିଛି ।

 

ଏ ବାଘୁଣୀ ଅତି ତରକା ବୋଲି ଶୁଣିବାବେଳୁ ଜାଣିଥିଲି ଯେ ଆଲୁଅ ଥିବା ଯାଏଁ ଶିକାର ପାଖକୁ ସେ କଦାପି ଆସିବ ନାହିଁ । ତାରା ଆଲୁଅ ଉପରେ ନିର୍ଭର ଥିବାରୁ ସେଥିପାଇଁ ମୋର ଶୋଚନା ନ ଥିଲା । ସାମାନ୍ୟ ସେତିକି ସୁଯୋଗରୁ ବଞ୍ଚିତ ହେବା ପରେ ରାଇଫଲ୍ ନିଶାଣ ପାଇଁ କେବଳ ଶବ୍ଦ ଉପରେ ହିଁ ନିର୍ଭର କରିବାକୁ ପଡ଼ିଲା । ମୋ କାନ ସେତେବେଳେ ଭଲ ଥିଲା*-। ଆଣ୍ଠୁ ଉପରେ କହୁଣି ଭରା ଦେଇ ରାଇଫଲ୍ ଧୀରେ ଧୀରେ ମଢ଼ ଆଡ଼କୁ ମୁହାଁଇ ଧରିଲି-। ଡାହାଣ କାନ ସେଆଡ଼େ ଘୂରାଇ ଶବ୍ଦ ଭେଦ କଲା ପରେ ବନ୍ଧୁକମୁହଁ ଟିକିଏ ଉପରକୁ ଥିଲା ପରି ମନେହେଲା । ରାଇଫଲ୍‍ ସାମାନ୍ୟ ନୁଆଁଇ ଦେଇ ଶବ୍ଦକୁ ପୁଣି କାନ ଡେରିଲି । କେଇ ଥର ଏହିପରି କରି ଶବ୍ଦ ଅନୁସାରେ ଲାଖ ଠିକ୍ ହୋଇଛି ବୋଲି ବିଶ୍ଵାସ ଆସିଲା ପରେ ରାଇଫଲ୍ ନଳି କିଞ୍ଚିତ୍ ଡାହାଣକୁ ଘୁଞ୍ଚାଇ ଘୋଡ଼ା ଟିପିଦେଲି ।

 

ରାଇଫଲ୍ ଗର୍ଜି ଉଠିବାମାତ୍ରେ ବାଘୁଣୀ ଡିଆଁ ମାରି ଦୁଇ କ୍ଷେପରେ କୋଡ଼ିଏ ଫୁଟି ଉଚ୍ଚ ବନ୍ଧ ଉପରେ ଯାଇ ଉଠିଲା । ଅଳ୍ପ ଓସାର ଚଟକା ବନ୍ଧଟିର ଆରପାଖରୁ ପାହାଡ଼ କଡ଼ ତୀଖଭାବେ ଉପରକୁ ଉଠିଥାଏ । ବାଘୁଣୀ ବନ୍ଧ ଉପର ଚଟକା ଜାଗାଟିରେ ପହଞ୍ଚିଯିବାଯାଏ ଶୁଖିଲା ପତ୍ର ଖସ୍ ଖସ୍ ହେଲା । ତା’ପରେ ସବୁ ଯେପରି ଶୂନଶାନ୍ ହୋଇଗଲା, ମନେହେଲା ବାଘୁଣୀ ହୁଏତ ଗୁଳି ଖାଇ ବନ୍ଧ ଉପରେ ପଡ଼ି ମରିଯାଇଛି କିମ୍ବା ଗୁଳି ତା’ଠାରେ ଆଦୌ ବାଜି ନାହିଁ । କାନ୍ଧରେ ରାଇଫଲ୍ ଲଗାଇ ରଖି ଗଭୀର ଏକାଗ୍ରତା ସହ କାନ ଡେରି ଅପେକ୍ଷା କଲି । ସବୁ ପୂର୍ବପରି ନୀରବ ଓ ନିଶ୍ଚଳ । ବାଘୁଣୀ ମରିଯାଇଛି ବୋଲି ଆଶା କ୍ରମେ ଚଳବତୀ ହେବାକୁ ଲାଗିଲା । ସତର୍କତା ଟିକିଏ କୋହଳ କରି ରାଇଫଲ୍ ସାମାନ୍ୟ ନୁଆଁଇ ଦେଇଛି, ବାଘୁଣୀ ସଙ୍ଗେ ସଙ୍ଗେ ଘାଉଁ କରି ଗର୍ଜିଉଠି ଜଣାଇଦେଲା ଯେ ସମ୍ପୂର୍ଣ୍ଣ ଅନାହତ ଅବସ୍ଥାରେ ବନ୍ଧ ଉପରେ ରହି ମୋର ପ୍ରତିଟି କାର୍ଯ୍ୟକଳାପ ସେ ତନ୍ନତନ୍ନ କରି ଲକ୍ଷ୍ୟ କରୁଛି ।

 

ମୁଁ ବସିଲାବେଳେ ବଣଗୋଲାପ ଲଟାର ଦୋଳାଟି ଥିଲା ଭୂଇଁଠାରୁ ପ୍ରାୟ ଦଶଫୁଟ ଉଚ୍ଚରେ । ଇତିମଧ୍ୟରେ ମୋ ଭାରରେ ଦୋଳାଟି ତଳକୁ କ୍ରମେ ଖସି ଖସି ଆସି ଭୂଇଁରୁ ମୋଟେ ଆଠଫୁଟ ଉପରେ ଥାଏ । ମୋ ଗୋଡ଼ ଦୁଇଟା ପୁଣି ଝୁଲିଥାଏ ଆହୁରି ତଳକୁ । ଏଭଳି ପରିସ୍ଥିତିରେ ମାତ୍ର କୋଡ଼ିଏ ଫୁଟ ଦୂରରେ ଓ ସାମାନ୍ୟ ଉଚ୍ଚରେ ଥିବା କ୍ଷୁଧିତ ନରଖାଦକର କ୍ରୁଦ୍ଧ ଗର୍ଜନ ମନରେ କିଭଳି ଅବସ୍ଥା ସୃଷ୍ଟି କରୁଥିବ, ଅନୁଭବ ନ କଲେ ତାହା ବୁଝିବା ସମ୍ଭବ ନୁହେଁ ।

 

*ଏହାପରେ ଏକ ଦୁର୍ଘଟଣା ଘଟି କରବେଟ୍‍ଙ୍କ ବାଁ କାନଟି ପୂରା ନଷ୍ଟ ହୋଇଯାଇଥିଲା-। ଏ ବହିର ଶେଷ ପରିଚ୍ଛେଦ ‘ତଲ୍ଲାଦେଶ ନରଖାଦକ’ରେ ଘଟଣାଟି ବର୍ଣ୍ଣିତ–ଅନୁବାଦକ ।

 

ଦିନବେଳେ ଜଙ୍ଗଲରେ ସାଧାରଣ ବାଘକୁ ତା’ର ଅଲକ୍ଷ୍ୟରେ ମଧ୍ୟ ପାଖରୁ ଦେଖିଦେଲେ ପ୍ରାଣରେ ଚମକ ଲାଗିବା ସଙ୍ଗେ ରକ୍ତପ୍ରବାହରେ ଆଲୋଡ଼ନ ଖେଳିଯାଏ । ରାତିଅଧରେ ଘନ ଅନ୍ଧାର ଭିତରେ ଅଳ୍ପ ଦୂରରେ ଲୁଚି ରହିଥିବା ଉତ୍ତ୍ୟକ୍ତ କ୍ଷୁଧିତ ନରଖାଦକ ଯେତେବେଳେ ଜଣାଇଦିଏ ଯେ ସେ ଆପଣଙ୍କୁ କେବଳ ଦେଖିନାହିଁ, ଆପଣଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପ ସେ ଅତି ନିବିଷ୍ଟ ଭାବେ ଲକ୍ଷ୍ୟ କରୁଛି–ରକ୍ତପ୍ରବାହରେ ପ୍ରବଳ ଘୂର୍ଣ୍ଣି ଖେଳିଯିବା ସଙ୍ଗେ ପ୍ରାଣରେ ତୁମୂଳ ଝଞ୍ଜା ମଧ୍ୟ ବହିଯାଏ ।

 

ମଢ଼ ଦେହରେ ଦୁଇଦିନର ଖୋରାକ ଚଳିବା ପରି ମାଂସ ଥିବାରୁ ବାଘୁଣୀ ଅନ୍ୟ ଶିକାର ଖୋଜିବାର ପ୍ରଶ୍ନ ଉଠୁ ନ ଥିଲା । ଶିକାର ମାରିବାର ଉଦ୍ଦେଶ୍ୟ ନ ଥିଲେ ବା ତାକୁ ନ ରଗାଇଲେ ବାଘ ଅକାରଣରେ କାହାକୁ ଆକ୍ରମଣ କରେ ନାହିଁ ବୋଲି ଭଲଭାବେ ଜାଣି ସୁଦ୍ଧା ବରାବର କାହିଁକି ଆଶଙ୍କା ହେଉଥାଏ ଯେ ପ୍ରକୃତିଗତ ଏ ସବୁ ସାଧାରଣ ନିୟମରେ ବାଘୁଣୀ ଏଇଥରକ କାଳେ ବ୍ୟତିକ୍ରମ କରିଦେଇପାରେ । ପାଖରୁ ଗୁଳି ଫୁଟିବା ପରେ ମଧ୍ୟ ସାଧାରଣ ବାଘ କେବେ କେମିତି ଶିକାର ପାଖକୁ ପୁଣି ଫେରିଆସିବା ଜଣାଅଛି । ମୋର କିନ୍ତୁ ସ୍ଥିର ବିଶ୍ଵାସ ହେଉଥାଏ ଯେ ଥରେ ହୁରୁଡ଼ିଯିବା ପରେ ନରଖାଦକ ରାତି ଭିତରେ ମଢ଼ ପାଖକୁ ଫେରିବ ନାହିଁ ।

 

ଅତି ଆଶ୍ୱସ୍ତିକର ଅବସ୍ଥାରେ ବସିଥିଲେ ମଧ୍ୟ ଭାରସାମ୍ୟ ହରାଇ କିମ୍ବା ଘୁମାଇକରି ତଳକୁ ଖସି ନ ପଡ଼ିଲେ ନରଖାଦକଠାରୁ ବିପଦର ବିଶେଷ ଆଶଙ୍କା ନଥିଲା । ଆଶ୍ରା କରି ଧରିବାକୁ ହାତପାହାନ୍ତାରେ କିଛି ନ ଥିବାରୁ ଖୁବ୍ ସାବଧାନ ହୋଇ ବସିବାକୁ ପଡ଼ୁଥାଏ । ବାଘୁଣୀ ପାଖରେ ଧରାପଡ଼ିଯିବା ପରେ ସିଗାରେଟ୍ ନ ଖାଇବାର ଆଉ କାରଣ ଦେଖିଲି ନାହିଁ । ଦିଆସିଲି ଜଳିଉଠିବାମାତ୍ରେ ବାଘୁଣୀ ବନ୍ଧଧାରରୁ କେଇଫୁଟ ପଛକୁ ହଟିଗଲା । ଦିଆସିଲି ଲିଭିଯିବା ପରେ ସେ ତା’ ଜାଗାକୁ ପୁଣି ବାହୁଡ଼ି ଆସି ପୂର୍ବପରି କ୍ରମାଗତ ଭାବେ ଘାଉଁ ଘାଉଁ ହେବାକୁ ଲାଗିଲା ।

 

ଲାଗ ଲାଗ ତିନୋଟି ସିଗାରେଟ୍ ସରିବା ପର୍ଯ୍ୟନ୍ତ ବାଘୁଣୀ ବନ୍ଧ ଉପରେ ଛକି ରହିଲା-। ତା’ପରେ ଟୋପା ଟୋପା ବର୍ଷା ପଡ଼ି ପ୍ରବଳ ଝଡ଼ ଆରମ୍ଭ ହୋଇଗଲ । ସକାଳୁ ହାଲୁକା ପୋଷାକ ସାଜେ ପିନ୍ଧି ରାମଗଡ଼ରୁ ବାହାରିଥିଲି । ବର୍ଷାମାଡ଼ରୁ ଆଶ୍ରୟ ବା ଆଢ଼ୁଆଳ ଟିକିଏ ଦେବା ପାଇଁ ଉପରେ ପତ୍ରଟିଏ ବି ନ ଥିବାରୁ କେଇ ମିନଟ୍‌ ଭିତରେ ଗୋଟାପଣେ ଜୁଡ଼ୁବୁଡ଼ୁ ହୋଇ ତିନ୍ତିଗଲି । ବର୍ଷାଯୋଗୁ ବାଘୁଣୀର କିନ୍ତୁ ଅସୁବିଧା ହେବାର କାରଣ ନ ଥିଲା । ବର୍ଷା ଆରମ୍ଭରୁ ସେ ବନ୍ଧ ଉପରୁ ପଳାଇଯାଇ କେଉଁଠି ଗଛ ବା ପଥର ତଳେ ଶୁଖିଲାରେ ଆଶ୍ରୟ ନେଇଥିବ ବୋଲି ମୋତେ ବେଶ୍ ଜଣାଥିଲା । ରାତି ଗୋଟାଏରୁ ଅବିରାମ ଗତିରେ କଚାଡ଼ିଲା ପରେ ଭୋର୍‍ ଚାରିଟା ବେଳକୁ ବର୍ଷା ଥମିଲା । କିନ୍ତୁ ଆକାଶ ନିର୍ମଳ ହୋଇଆସିବା ସଙ୍ଗେ ପାହାନ୍ତିଆ କାଲୁଆ ପବନ ପ୍ରବଳ ବେଗରେ ବହିବାକୁ ଲାଗିଲା I ବର୍ଷାମାଡ଼ରେ ରାତିତମାମ ଶୀତରେ ଥରିବା ପରେ ଥଣ୍ଡା ପବନରେ ଦେହ ହାତ ଯେମିତି କୋହ୍ଲ ମାରିଗଲା, ଆଶଙ୍କା ହେଲା ଯେ ମୋର ପୁରୁଣା ଆମବାତ ପୁଣି ବାହାରି ପଡ଼ିବ । ସେଦିନ ପାଣିପବନ ଶୀତକାକର ସହିବା ସତ୍ତ୍ୱେ ଯେ ଆମବାତରେ ପଡ଼ିଲି ନାହିଁ, ତାକୁ କପାଳ ଜୋର୍ ଛଡ଼ା ଆଉ କିଛି କୁହାଯାଇ ନ ପାରେ । ଶିକାରୀ ଜୀବନରେ ଶୀତଯନ୍ତ୍ରଣାଭରା ସେଭଳି ଆହୁରି କେତେ ରାତିର କଥା ସ୍ମରଣ ହେଲେ ଭାବେ–ସେ ସବୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଣ୍ଠୁଗଣ୍ଠି ଧରିପକାଇଥିଲେ କେଡ଼େ ବିପଦରେ ପଡ଼ିନଥାନ୍ତି !

 

ବଦ୍‌ରୀ ପରି ବନ୍ଧୁ ବତ୍ସଳ ଲୋକ ସାଧାରଣରେ ମିଳନ୍ତି ନାହିଁ । ସୂର୍ଯ୍ୟ ଉଦୟ ହେଲାବେଳକୁ ସେ ଗଛମୂଳେ ଆସି ହାଜର ହୋଇଗଲା । ଗରମ ଚାହା କେଟ୍‍ଲିଏ ଧରି ଲୋକ ଜଣେ ତା’ ସଙ୍ଗରେ ଆସିଥାଏ । ସେତେବେଳକୁ ଶୀତକାକରରେ ଦୋଳା ଉପରେ ଅସଜରେ ବସି ବସି ଅଣ୍ଟା ପିଠି ଲାଗିଯିବା ଛଡ଼ା ଗୋଡ଼ ଦୁଇଟା ଝିମିଝିମି ହୋଇ ପୂରା ବଧିରା ହୋଇଗଲାଣି । ହାତରୁ ମୋର ରାଇଫଲ୍ ନେଇଯାଇ ବଦ୍‌ରୀ ଓ ତା’ ଲୋକଟି ଧରାଧରି କରି ମୋତେ ଗଛରୁ ଓହ୍ଲାଇ ଦେଲେ । ଗଛମୂଳେ ମୁଁ ଲମ୍ବ ହୋଇ ଶୋଇ ଚାହାତକ ପିଇଲି । ସେହି ଅବସରରେ ବଦ୍‍ରୀ ଓ ତା’ ସାଥୀ ଦମେ ଘଷା ଆଉଁସା କରି ମୋତେ ସାଷ୍ଟାମ କଲେ । ଛିଡ଼ାହେବାକୁ ଗୋଡ଼ରେ ଶକ୍ତି ଫେରିବା ପରେ ତିନିହେଁ ଘରକୁ ବାହୁଡ଼ିଲୁ । ସେକାସେକି ହେବା ପାଇଁ ଅତିଥିଶାଳାରେ ନିଆଁ ଜଳାଇବାକୁ ନିର୍ଦ୍ଦେଶ ଦେଇ ବଦ୍‌ରୀ ତା’ ଲୋକଟିକୁ ଆଗରେ ପଠାଇଦେଲା-

 

କେତେ ବର୍ଷ ଧରି ବନ୍ଧୁକ ଚଳାଇବା ଭିତରେ ଶବ୍ଦଦ୍ଵାରା ଲକ୍ଷ୍ୟଭେଦ କରିବାକୁ କେବେ ପ୍ରୟାସ କରିନଥିଲି । ଶବ୍ଦଭେଭେଦଦ୍ଵାରା ଗୁଳି ଚଳାଇବା ପରେ ଫଳାଫଳ ଜାଣିବାକୁ କୌତୂହଳ ହେବା ସ୍ଵାଭାବିକ । ମଢ଼ ପାଖକୁ ଯାଇ ଦେଖିଲି, ରାଇଫଲ୍ ଉପର ତଳ ନ କରି କେବଳ ଡାହାଣକୁ ଆଉ ଟିକିଏ ବୁଲାଇ ଦେଇଥିଲେ ବାଘୁଣୀ ମୋ ଗୁଳିରୁ କଦାପି ବଞ୍ଚି ନ ଥାଆନ୍ତା । ମାଂସ ଖାଇଲାବେଳେ ଵାଘୁଣୀର ମୁଣ୍ଡ ଯେଉଁଠି ଥିଲା, ଗୁଳି ସେଠାରୁ ଠିକ୍ ଛଅଇଞ୍ଚ ଛଡ଼ାରେ ବଳଦ ଦେହରେ ବସିଯାଇଥାଏ । ମଢ଼ ଚାରି ପାଖ ଭୂଇଁକୁ ମଧ୍ୟ ଭଲଭାବେ ପରୀକ୍ଷା କଲି । କିନ୍ତୁ ବର୍ଷାମାଡ଼ରେ ପାହୁଲ ଦାଗ ଧୋଇ ଯାଇଥିବାରୁ ନରଖାଦକର ବୟସ ବା ଲିଙ୍ଗ ସମ୍ବନ୍ଧରେ ସଠିକ୍ ଧାରଣା କରିପାରିଲି ନାହିଁ ।

 

ବଦ୍‌ରୀର ବଗିଚାରୁ ସେଠାରୁ ମାଇଲିଏ ଦୂର । ପ୍ରାୟ ଅଧାଅଧି ବାଟ ଚାଲିବା ପରେ ଯାଇ ଗୋଡ଼ରୁ ଝିମା ଛାଡ଼ିଲା । ଓଦାଲୁଗା ପିନ୍ଧି ବଡ଼ ଅସ୍ଵସ୍ତି ଲାଗୁଥାଏ; ସକାଳୁ ବେଶ୍ ଭୋକ ବି କରୁଥାଏ ! ବର୍ଷା ଯୋଗୁ ରାସ୍ତାର ଖଣ୍ଡେ ଦୂରଯାଏ ଚିକିଟା ମାଟି ଓଦା ହୋଇ ଖୁବ୍ ଖସଡ଼ା ହୋଇଥିଲା । ମୋ ପାଖକୁ ଯିବାବେଳେ ବଦ୍‌ରୀ ଓ ତା’ ଲୋକଟି ସେତକ ବାଟ ଅତି ସାବଧାନରେ ଖୋଜ ପକାଇ ପାରହୋଇଥିଲେ ବୋଲି ପାଦଚିହ୍ନରୁ ଜାଣିପାରିଲି । ଆମ ଆଗେ ଆଗେ ଫେରୁଥିବା ବଦ୍‌ରୀର ଲୋକଟିର ପାଦଚିହ୍ନ ବି ସେଠାରେ ପଡ଼ିଥାଏ । ସେଠାରୁ ଆହୁରି ପଚାଶ ଗଜ ଆଗକୁ ଯିବା ପରେ ରାସ୍ତାର ମୋଡ଼ ପାଖରୁ ଲୋକଟିର ପାଦଚିହ୍ନ ସହିତ ଓଦା ମାଟିରେ ଗୋଟିଏ ବାଘୁଣୀର ତାଜା ପାହୁଲଦାଗ ଛାପି ହୋଇ ରହିଥିବା ଦେଖି ଚମକିପଡ଼ିଲି ।

 

ରାସ୍ତା ଡାହାଣ କଡ଼ ଗୋଟିଏ ହୁଡ଼ା ଉପରୁ ଡେଇଁପଡ଼ି ବାଘୁଣୀ ଲୋକଟିର ପିଛା ଧରିଥିଲା । ଲୋକଟି ସେଠାରୁ ଖୁବ୍ ବେଗରେ ପାହୁଣ୍ଡ ପକାଇ ଚାଲିଲା ପରି ତା’ ପାଦଚିହ୍ନରୁ ଜଣାପଡ଼ୁଥାଏ । ବାଘୁଣୀ ମଧ୍ୟ ସେତିକି ବେଗରେ ତା’ ପଛେ ପଛେ ଆଗେଇଛି ଦେଖି ମନକୁ ପାପ ଛୁଇଁଲା । ମଣିଷକୁ ଏତେ ବାଟ ଅନୁସରଣ କରିଥିବା ବାଘୁଣୀ ନରଖାଦକ ଛଡ଼ା ଅନ୍ୟ କିଛି ହୋଇ ନ ପାରେ । ଲୋକଟି ଓ ଆମ ଭିତରେ ବ୍ୟବଧାନ କୋଡ଼ିଏ ମିନିଟ୍‌ର ବାଟ । ସେ ଭିତରେ ସେ ଭଲେ ଭଲେ ଘରେ ପହଞ୍ଚି ଯାଇ ନ ଥିଲେ ଏତେ ଦୂରରୁ ତାକୁ କୌଣସି ପ୍ରକାରେ ସାହାଯ୍ୟ କରିବା ଆମ ପକ୍ଷରେ ଅସମ୍ଭବ । ମନରେ ଏସବୁ ଦୁଃଶ୍ଚିନ୍ତା ଜାଗିଉଠିବା ପରେ ଖସଡ଼ା ଚିକିଟା ମାଟିରେ ଦୁହେଁ ବେଗରେ ପାହୁଣ୍ଡ ପକାଇ ଆଗେଇଲୁ । ଟିକିଏ ଆଗକୁ ସରୁ ବାଟଟିଏ ବଦ୍‍ରୀର ବଗିଚାଆଡ଼କୁ ବାଙ୍କି ଯାଇଥାଏ । ବାଟମୁଣ୍ଡରୁ ବଗିଚାରେ ବଦ୍‌ରୀର ଲୋକବାକ କାମ କରୁଥିବା ସେଠାରୁ ସ୍ପଷ୍ଟ ଦେଖାଯାଉଥାଏ । ଭୂଇଁକୁ ପରୀକ୍ଷା କରି ଦେଖିଲୁ ଯେ ଆମ ଲୋକଟି ମୋଡ଼ ପାଖରୁ ବାଟ ଭାଙ୍ଗି ବଗିଚା ଆଡ଼େ ମୁହାଁଇଛି । ସମ୍ଭବତଃ ବଗିଚାରେ ଲୋକଗହଳି ଦେଖି ବାଘୁଣୀ ସେଆଡ଼େ ନଯାଇ ସଳଖରେ ଚଲାବାଟରେ ଆଗେଇଯାଇଥିବା ଲକ୍ଷ୍ୟ କରି ଗଭୀର ଆଶ୍ୱସ୍ତିର ଦୀର୍ଘନିଶ୍ଵାସ ଛାଡ଼ିଲୁ । ବଗିଚାରେ ପହଞ୍ଚି ଲୋକଟିକୁ ପଚାରି ବୁଝିଲୁ ଯେ ବାଟସାରା ବାଘୁଣୀ ତା’ ପଛେ ପଛେ ଚାଲିଥିବା କଥା ସେ କେତେବେଳେ ହେଲେ ସନ୍ଦେହ କରି ନ ଥିଲା ।

 

ଅତିଥିଶାଳାରେ ଖୁବ୍ ତେଜରେ ନିଆଁ ଜଳୁଥାଏ । ନିଆଁ ପାଖରେ ବସି ପ୍ରଥମେ ଲୁଗାପଟା ସବୁ ଶୁଖାଇଲି । ବାଘୁଣୀ ଯେଉଁ ଚଲାବାଟରେ ଯାଇଥିଲା, ସେ ବାଟଟି ଅତି ଗହୀର ଗୋଟିଏ ଝୋଲା ଭିତରକୁ ପଡ଼ିଛି ବୋଲି ବଦ୍‍ରୀ କହିଲା । ଘଞ୍ଚ ଜଙ୍ଗଲଭରା ଝୋଲାଟି ପାହାଡ଼ କଡ଼ରୁ ତୀଖଭାବେ ମାଇଲିଏ ଦୁଇ ମାଇଲ୍ ଗଡ଼ିବା ପରେ ଡାହାଣରୁ ଗଡ଼ିଥିବା ଆଉ ଗୋଟିଏ ଛୋଟ ଝୋଲା ସହିତ ଯେଉଁଠି ମିଶିଛି, ସେ ଜାଗାଟି କୁଆଡ଼େ ବେଶ୍ ଖୋଲା ଓ ସେଠାରେ ଝରଣାଟିଏ ଅଛି ବୋଲି ଶୁଣିଲି । ମୁହାଣ ପାଖ ପଦା ଜାଗାଟିରୁ ଦୁଇ ଝୋଲାର ଭିତର ସ୍ପଷ୍ଟଭବେ ଦେଖାଯାଏ । ବାଘୁଣୀ ବଡ଼ ଝୋଲା ଭିତର ଜଙ୍ଗଲରେ ପଶି ଲୁଚିଥିବ ଓ ସେଠାରୁ ତଳକୁ ତାକୁ ଘଉଡ଼ାଇ ଆଣିଲେ ଝୋଲା ମୁହାଣର ଖୋଲା ଜାଗାଟି ଛଡ଼ା ପଳାଇବାକୁ ସେ ବାଟ ପାଇବ ନାହିଁ-। କିନ୍ତୁ ସେଭଳି ଘଞ୍ଚ ଜଙ୍ଗଲରୁ ବାଘୁଣୀକୁ ତଡ଼ି ବାହାର କରିବା ପାଇଁ ବହୁତ ଲୋକ ଦରକାର । ସେତକ ଲୋକ କେଉଁଠୁ ମିଳିବେ, ତାହାହିଁ ଏକ ସମସ୍ୟାରୂପେ ଆମ ଆଗରେ ଦେଖାଦେଲା-

 

ସେଓ ଆମଦାନୀ କରିବା ଛଡ଼ା ବଦ୍‌ରୀ ତା’ ବଗିଚାରୁ ଯଥେଷ୍ଟ ପନିପରିବା ମଧ୍ୟ ଆଦାୟ କରେ । ସେଇ ଦିନ ସକାଳେ ତାର ଦ୍ଵାରା ସେ ଖବର ପାଇଥାଏ ଯେ ନୈନିତାଲ୍‍ ବଜାରରେ ମଟରଛୁଇଁର ଦାମ ବଢ଼ି ସେର ଆଠଅଣାରେ ପହଞ୍ଚିଲାଣି । ଦର ତେଜିବାର ସୁଯୋଗ ନେବା ପାଇଁ ବଦ୍‌ରୀ ବରାଦ କରିଥାଏ ଯେ ଦିନକ ଭିତରେ ପାଞ୍ଚମହଣ ଛୁଇଁ ତୋଳାଯିବ ଓ ରାତାରାତି ଖେଚର ପିଠିରେ ବୁହାହୋଇ ପରଦିନ ବଡ଼ିସକାଳୁ ନୈନିତାଲ୍‍ ବଜାରରେ ପହଞ୍ଚିବ । ମାଳୀଙ୍କ ସମେତ ତା’ର ଲୋକବାକ ସମସ୍ତେ ଲାଗିପଡ଼ି ଛୁଇଁ ତୋଳୁ ଥାଆନ୍ତି । ସେମାନଙ୍କ ଭିତରୁ ଘଉଡ଼ା ପାଇଁ ଲୋକ ନେଇଗଲେ କାମ ଅଟକିବ । ବଦ୍‍ରୀ ତା’ ପ୍ରଧାନ ମାଳୀ ଗୋବିନ୍ଦ ସିଂକୁ ଡକାଇ ବୁଝିଲା ଯେ ପାଞ୍ଚମହଣ ଛୁଇଁ ପାଇଁ ବରାଦ ମଜୁରା କରିବା ବାଦେ ଘଉଡ଼ା ପାଇଁ ମୋଟେ ତିରିଶ ଜଣ ଲୋକ ସେ ଦେଇପାରିବ ।

 

ସେଦିନ ଘଣ୍ଟାଏ ଆଗରୁ ରୋଷାଇ ସାରିବାକୁ ବଦ୍‌ରୀ ତା’ ଘରେ କହିଥିଲା । ମୁଁ ରାଇଫଲ୍ ସଫା କରିସାରି ବଗିଚାରେ ବୁଲି କିଛି ବେଳ କାମ ଦେଖିଲା ପରେ ବଦ୍‍ରୀ ସହିତ ଏକାଠି ବସି ଖିଆପିଆ କଲି । ଛୁଇଁତୋଳା ତଦାରଖ କରିବାକୁ ବଦ୍‌ରୀ ନିଜେ ବଗିଚାରେ ରହି ଗୋବିନ୍ଦ ସିଂ ସହିତ ଘଉଡ଼ାଳିମାନଙ୍କୁ ମୋ ସହିତ ପଠାଇବ ବୋଲି କହିଲା । ଘଉଡ଼ାଳିମାନେ ସମସ୍ତେ ଆଖପାଖ ଗାଁଗଣ୍ଡାର ବାସିନ୍ଦା । ମଣିଷଖିଆ ବାଘଠାରୁ କିଭଳି ବିପଦ ଆଶଙ୍କା କରାଯାଏ, ତାହା ସେମାନଙ୍କୁ ଅଜଣା ନଥିଲା । ତା’ ସତ୍ତ୍ୱେ ଘଉଡ଼ାରେ ଭାଗ ନେବାକୁ ସମସ୍ତେ ବିନା ଶୋଚନାରେ ଆଗୁସାର ହୋଇ ବାହାରିଲେ ।

 

ଘଉଡ଼ାଳିମାନଙ୍କୁ ମୋ ଯୋଜନା ଓ ସେଥିରେ ସେମାନଙ୍କ ଭୂମିକା ବିଷୟ ବୁଝାଇ କହିଲି । ଲୋକମାନଙ୍କୁ ଦୁଇଦଳ କରି ଗୋବିନ୍ଦ ସିଂ ନିଜେ ଗୋଟିଏ ଦଳର ନେତୃତ୍ଵ ନେବ ଓ ଆରଦଳକୁ ଆଉ ଜଣେ ଦାୟିତ୍ଵବାନ ଲୋକ ଜିମାରେ ଛାଡ଼ିବ । ଲୋକ ଦୁଇଦଳ ଉପରମୁଣ୍ଡରେ ଜଗିଗଲା ପରେ ମୁଁ ଏକାକୀ ଝୋଲାରେ ପଶି ବାଘୁଣୀକୁ ଠାବ କରିବାକୁ ଚେଷ୍ଟାକରିବି । ଘଣ୍ଟାକ ଭିତରେ ବାଘୁଣୀର ଭେଟ ପାଇ ମୁଁ ତାକୁ ଯଦି ଶେଷ କରିପାରେ, ତେବେ ସବୁ କାମ ସୁରୁଖୁରୁରେ ତୁଟିଯିବ । ତାହା ଯଦି ନ ହୁଏ, ମୁଁ ଝୋଲାରେ ପଶିବାର ଠିକ୍ ଘଣ୍ଟାଏ ପରେ ବଦ୍‌ରୀ ତା’ ବଗିଚାରୁ ଗୁଳି ଚୋଟେ ଫୁଟାଇ ଘଉଡ଼ା ଆରମ୍ଭ କରିବାକୁ ସଙ୍କେତ ଦେବ । ସେ ଭିତରେ ମୁଁ ବାହାରି ଆସି ମୁହାଣରେ ଜଗି ରହିଥିବି । ବନ୍ଧୁକ ଆବାଜ ଶୁଣିବା ମାତ୍ରେ ଘଉଡ଼ାଳି ଦୁଇଦଳ ଝୋଲା ଦୁଇ ବନ୍ଧରେ ତଳକୁ ଗଡ଼ିବେ ଓ ପାଟିତୁଣ୍ଡ କରି ତାଳି ମାରି ପାରୁପର୍ଯ୍ୟନ୍ତ ଶବ୍ଦ କରିବା ଛଡ଼ା ଝୋଲା ଭିତରକୁ ପଥର ମଧ୍ୟ ଗଡ଼ାଇବେ । ଝୋଲା ଭିତରୁ ବାଘୁଣୀକୁ ସେମାନେ ତଳକୁ ତଡ଼ି ଆଣିପାରିଲେ ତାକୁ ଉପଯୁକ୍ତ ସମ୍ୱର୍ଦ୍ଧନା ଜଣାଇବାକୁ ମୁହାଣ ପାଖରେ ମୁଁ ରାଇଫଲ୍ ଧରି ପ୍ରସ୍ତୁତ ଥିବି ।

 

ପରିକଳ୍ପନାଟି ଖୁବ୍ ସହଜ, ଖୁବ୍ ସରଳ ମନେହେଉଥିଲେ ବି ମୋର କାହିଁକି ଆଶଙ୍କା ହେଉଥାଏ ଯେ ଏଭଳି ବହୁ ଯୋଜନା ପରି ଏଥିରେ ମଧ୍ୟ ଅପ୍ରତ୍ୟାଶିତଭାବେ କୌଣସି ବିଭ୍ରାଟ ଘଟିଯାଇପାରେ । ଜୋର୍‍ କରି ମନରୁ ସବୁ ଦୁଶ୍ଚିନ୍ତା ଦୂର କରି ରାଇଫଲ୍ ଧରି ବାହାରିପଡ଼ିଲି । ସକାଳେ ଯେଉଁ ଚଲାବାଟରେ ବଗିଚାକୁ ଫେରିଥିଲୁ, ଖୋଜ ବାରି ସେଥିରେ ଆଗକୁ ଯାଇ ଦେଖିଲି ସେ ବିସ୍ତୀର୍ଣ୍ଣ ଗୋଟିଏ ଝାଟିବଣ ଭିତରେ ବାଟଟି ନିଜକୁ ହଜାଇ ଦେଇଛି । ବାଟ ଉପରୁ ଝାଟିବୁଦା ଠେଲି ଆଡ଼େଇ ବଣର କେଇ ଶହ ଗଜ ଭିତରକୁ ପଶିଲି । ପାହାଡ଼କଡ଼ ସେଠାରେ ଅସଂଖ୍ୟ ହିଡ଼ ଓ ଫାଟରେ ଭରା । ବଣବୁଦା ଭିତରେ ବାଟ କରି ବୁଲି ବାଙ୍କି ଝୋଲା ଡାହାଣ ବନ୍ଧରେ କିଛି ବାଟ ତଳକୁ ଗଡ଼ିବା ପରେ ଦୁଇଝୋଲାର ମୁହାଣ ଉପରେ ଯାଇ ପହଞ୍ଚିଲି ।

 

ଝୋଲା ମୁହାଣଟି ବେଶ୍ ଗହୀର । ବନ୍ଧରୁ ଅନେକ ତଳେ ଝୋଲା ଭିତରେ ଝରଣାଟିଏ ବହିଯାଉଥାଏ । ମୁହାଣ ଉପରେ ଆଖି ବୁଲାଇ ଜଗିବସିବା ପାଇଁ ସୁବିଧା ଜାଗାଟିଏ ଖୋଜୁଛି, ଏତିକିବେଳେ ପାଖରୁ କେଉଁଠି ମାଛି ଭଣଭଣ ହେବା ଶୁଭିଲା । ଶବ୍ଦ ବାରି ଯାଇ ଦେଖିଲି ଯେ ପ୍ରାୟ ସପ୍ତାହେ ତଳେ ମରିଥିବା ଗୋଟିଏ ଗାଈର ଦରଖିଆ ମଢ଼ ସେଠାରେ ପଡ଼ିଛି । ଗାଈ ତଣ୍ଟିରେ କଣା ଦେଖି ମହାବଳବାଘ ତାକୁ ମାରିଛି ବୋଲି ଜାଣିଗଲି । ମୁଣ୍ଡ, ବେକ ଓ କାନ୍ଧରୁ ଖଣ୍ଡିଏ ଛଡ଼ା ସପ୍ତାହକ ଭିତରେ ବାଘ ମଢ଼ର ବାକିସବୁ ଶେଷ କରି ଦେଇଥିଲା । ଗୋଟାଏ ଖିଆଲରେ ଖଣ୍ଡିଆ ମଢ଼ଟାକୁ ଘୋଷାରି ଘୋଷାରି ନେଇ ଝୋଲାର ତୀଖ ବନ୍ଧରୁ ତଳକୁ ଗଡ଼ାଇଦେଲି । ବଣବୁଦା ଭିତରେ ଭୁଷ୍ ଭୁଷ୍ ହୋଇ ଗଡ଼ିଯାଇ ମଢ଼ ଝରଣାରୁ ଅଳ୍ପଦୂର ଗୋଟିଏ ଖାଲରେ ପଡ଼ି ଅଟକିଲା ।

 

ଖାଲଠାରୁ ତିନିଶହ ଗଜ ଦୂର ଗୋଟିଏ ହୁଡ଼ା ଉପରେ ଚକଡ଼ାଏ ଖୋଲା ଜାଗା ଦେଖି ଗୋଟିଏ ବୁଲାଣି ବାଟରେ ସେଠାକୁ ଗଡ଼ିଲି । ଜାଗାଟି ଦୂରରୁ ଯେତେ ଖୋଲା ମେଲା ଦେଖାଯାଉଥିଲା, ପାଖରୁ ଦେଖିଲି ଯେ ତାହା ଆଦୌ ସେପରି ନୁହେଁ । ସେଠାରେ ରହିଲେ ଘଉଡ଼ାବେଳେ ପାହାଡ଼ କଡ଼ ବା ଝୋଲା ଉପରେ ନଜର ରଖିହେବ ନାହିଁ ଓ ବାଘୁଣୀ ମୋ ଅଲକ୍ଷ୍ୟରେ ଝୋଲାରୁ ବାହାରି ଅତି ସହଜରେ ଖସିପଳାଇବ । ଏସବୁ ଭାବୁଛି, ଏତିକିବେଳେ ବଦ୍‌ରୀର ବନ୍ଧୁକ ଆବାଜ ଦୂରରୁ ଭାସି ଭାସି ସବୁ ଆଶା-ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇଦେଲା । ମୂଳଯୋଜନାରେ ପରିବର୍ତ୍ତନ କରିବାକୁ ଆଉ ସମୟ ନଥିବାରୁ ଅଗତ୍ୟା ସେଇ ଚଟକା ଜାଗାଟିରେ ହିଁ ରହିବାକୁ ପଡ଼ିଲା ।

 

ବନ୍ଧୁକ ଆବାଜ ହେବାର ଅଳ୍ପ ସମୟ ପରେ ଘଉଡ଼ାଳିମାନେ ପାଟିତୁଣ୍ଡ କରି ମୋ’ଆଡ଼େ ଆଗୋଉଥିବା ଶୁଣାଗଲା । ତା’ପରେ ହଠାତ୍ କାହିଁକି ପାଟିଗୋଳ ସବୁ ଥମିଆସି ଦୂରରେ କେଉଁଠି ମିଳାଇଗଲା ପରି ଲଗିଲା । ଘଣ୍ଟାଏକାଳ ସବୁ ତୁନିତାନି ରହିବା ପରେ ଫେରିଯିବି ବୋଲି ଭାବୁଛି, ହଠାତ୍ ଏତିକିବେଳେ ଡାହାଣ ପାଖ ପାହାଡ଼ ଉପରୁ ପାଟିତୁଣ୍ଡ ପୁଣି ଶୁଭିଲା । ଘଉଡ଼ାଳିମାନେ ପାହାଡ଼ ଗଡ଼ାଣିରେ ମୋ ସହିତ ସମାନ ଉଚ୍ଚତାକୁ ଆସିଯିବା ପରେ ଘଉଡ଼ା ବନ୍ଦ କରି ସମସ୍ତଙ୍କୁ ପାଖକୁ ଆସିବାକୁ ଡାକଦେଲି । ଘଉଡ଼ା ବିଫଳ ହେବ ବୋଲି ଆଗରୁ ଯାହା ଆଶଙ୍କା କରୁଥିଲି, କାହାର କିଛି ଦୋଷ ନ ଥାଇ ଶେଷରେ ତାହାହିଁ ଘଟିଲା । ଶିକାରକ୍ଷେତ୍ରକୁ ଆଗରୁ ଭଲଭାବେ ପରୀକ୍ଷା କରିନଥିଲି । ପରେ ଦେଖିଲି, ସେଭଳି ଘଞ୍ଚ ଜଙ୍ଗଲଭରା ପାହାଡ଼ରେ ଶିକାର ଅନୁଭୂତି ଥିବା ଶହ ଶହ ଲୋକ ଲାଗିଥିଲେ ବି ଘଉଡ଼ାକୁ ପାରି ନଥାନ୍ତେ । ସେଥିରେ ମୁଷ୍ଟିମେୟ କେତେଜଣ ଅର୍ବାଚୀନଙ୍କ ଚେଷ୍ଟା ସଫଳ ହୁଅନ୍ତା ବା କିପରି ?

 

ବଣବୁଦା ଆଡ଼େଇ ଗହଳ ଝାଟି ଜଙ୍ଗଲରେ ଏତେଦୂର ଆଗେଇବା ପରେ ଘଉଡ଼ାଳିମାନେ ଖୁବ୍ ହାଲିଆ ହୋଇପଡ଼ିଥିଲେ । ହୁଡ଼ା ଉପରେ ଘେର ବାନ୍ଧି ବସି ସେମାନେ ପ୍ରଥମେ ଗୋଡ଼ହାତରୁ କଣ୍ଟା କାଢ଼ିବାକୁ ଲାଗିଲେ । ମୋ ସିଗାରେଟ୍‌ତକ ସେମାନଙ୍କ ଭିତରେ ବାଣ୍ଟିଦେଲି । ଘଉଡ଼ାଳିମାନେ ସିଗାରେଟ୍ ଲଗାଇ ବସି ଥକା ମାରିବା ଭିତରେ ଗୋବିନ୍ଦ ସିଂ ଓ ମୁଁ ଟିକିଏ ଦୂରରେ ମୁହାଁମୁହିଁ ଛିଡ଼ାହୋଇ ପରଦିନର କାର୍ଯ୍ୟକ୍ରମ ବିଚାର କରିବାକୁ ଲାଗିଲୁ । ଘଉଡ଼ା ପାଇଁ ମୁକ୍ତେଶ୍ଵରରୁ ଯଥେଷ୍ଟ ଲୋ‌କ ଯୋଗାଡ଼ କରିବାକୁ ପଡ଼ିବ ବୋଲି ମୁଁ ପ୍ରସ୍ତାବ ଦେଉଛି ଓ ଗୋବିନ୍ଦ ସିଂ ତା’ର ଉତ୍ତର ଦେବାକୁ ଠିକ୍ ଆରମ୍ଭ କରିଛି, ହଠାତ୍ କଥା ମଝିରେ ଅଟକି ଯାଇ ସେ ତାଟକା ହୋଇ ବଡ଼ ବଡ଼ ଆଖିରେ ମୋ ପଛକୁ କେଉଁଠାକୁ ଅନାଇ ରହିଗଲା । ଚାହାଣିରେ ତା’ର ପ୍ରବଳ ବିସ୍ମୟ–ସତେ ଯେମିତି ନିଜ ଆଖିକୁ ସେ ବିଶ୍ଵାସ କରିପାରୁନାହିଁ । ସେଆଡ଼କୁ ମୁହଁ ଫେରାଇ ଯାହା ଦେଖିଲି, ଆଖିରେ ଦେଖିଲେ ବି ତାହା ପରତେ ନ ଯିବା କଥା । ପାହାଡ଼ କଡ଼ର ଗୋଟିଏ ଖୋଲା ପଡ଼ିଆ ଦେଇ ବାଘୁଣୀ ଝରଣା କୂଳେ କୂଳେ ଆମରି ଆଗକୁ ଆଗେଇ ଆସୁଛି ! ଆମଠାରୁ ତା’ର ଦୂରତା ମୋଟେ ଚାରିଶହ ଗଜ !

 

ଜନବସତିରୁ ବହୁଦୂରରେ‌ ନିର୍ଜନ ଜଙ୍ଗଲ ଭିତରେ ବାଘକୁ ପାଖେଇ ଆସିବା ଦେଖିଲେ ଗୁଳି ଚଳାଇବା ବା ଫଟୋ ଉଠାଇବାରେ ଅପ୍ରତ୍ୟାଶିତ ଭାବେ କୌଣସି ବିଭ୍ରାଟ ଘଟିଯିବାର ଏକ ଅହେତୁକ ଆଶଙ୍କା ମୋ ମନରେ ବରାବର କାହିଁକି ଜାଗିଉଠେ । ମହାବଳବାଘଟାଏ ଆମ ଗାଁ* ଆଖପାଖରୁ ଗୁଡ଼ିଏ ମଇଁଷି ମାରି ଖାଇଲା । ଜଙ୍ଗଲରେ ଖୋଜାଖୋଜି କରି ବାଘକୁ ଠାବ କରିବା ପରେ ପାହାଡ଼ କଡ଼ରେ ଗୋଟିଏ ଚଲାବାଟ ପାଖରେ ବସି ତା’ ଆସିବା ପାଇଁ ଅପେକ୍ଷା କଲି । ସେଠାରୁ ଅଳ୍ପ ଦୂରରେ ସେଇ ଚଲାବାଟ କଡ଼ ଜଙ୍ଗଲ ଭିତରେ ‘ବୈରାମ’ଙ୍କ ମନ୍ଦିର । ସ୍ଥାନୀୟ ଲୋକେ ବୈରାମଙ୍କୁ ଅତି ପ୍ରତ୍ୟକ୍ଷ ଦେବତା ବୋଲି ମାନନ୍ତି; ଜଙ୍ଗଲବାସୀ ଲୋକ ଓ ଜୀବଜନ୍ତୁଙ୍କୁ ଆପଦବିପଦରୁ ସେ ଘଣ୍ଟଘୋଡ଼ାଇ ରଖନ୍ତି ବୋଲି ସେମାନଙ୍କର ବିଶ୍ଵାସ । ମନ୍ଦିରକୁ ମାଇଲିଏ ପର୍ଯ୍ୟନ୍ତ ଘେରି ରହିଥିବା ଜଙ୍ଗଲକୁ ‘ବୈରାମ କି ଥାନ୍’ ବୋଲି କୁହାଯାଏ । ସେଠାରେ ଜୀବହତ୍ୟା କରିବା ବିରୁଦ୍ଧରେ କଠୋର ବାରଣ ଅଛି । ମନ୍ଦିର ଚାରିପାଖ ଜଙ୍ଗଲରେ ନାନା ଜୀବଜନ୍ତୁ ବହୁ ସଂଖ୍ୟାରେ ବାସ କରନ୍ତି । ଆଖପାଖ ଓ ଦୂରଦୂରାନ୍ତରୁ ଅନେକ ଶିକାରୀ ଏସବୁ ଅଞ୍ଚଳକୁ ଆସୁଥିଲେ ମଧ୍ୟ ‘ବୈରାମ୍ କି ଥାନ୍’ ଅନ୍ତର୍ଗତ ଜଙ୍ଗଲରୁ କେହି ଶିକାର ମାରିବା କେବେ ଶୁଣାଯାଇ ନାହିଁ ।

 

ସେଦିନ ଦିନ ଚାରିଟା ବେଳୁ ‘ବୈରାମ କି ଥାନ୍’ର ଠିକ୍‌ ସୀମା ବାହାରେ ଚଲାବାଟ କଡ଼ ଗୋଟିଏ ବୁଦା ଉହାଡ଼ରେ ଲୁଚିବସିଲି । ବାଘ ଯେଉଁଆଡ଼ୁ ଆସିବ ବୋଲି ଅନୁମାନ କରୁଥିଲି, ଘଣ୍ଟାଏ ପରେ ସମ୍ବରଟିଏ ଠିକ୍ ସେଇଆଡ଼େ ହମ୍ବାଳିବା ଆରମ୍ଭ କଲା । ଟିକିଏ ପରେ କୁଟୁରାଟିଏ ସେଆଡ଼ୁ, ଆହୁରି ପାଖରୁ କେଉଁଠୁ ବୋବାଇ ଉଠି ଜଣାଇଦେଲା ଯେ ବାଘ ଚଲାବାଟରେ ହିଁ ମୋ’ଆଡ଼େ ଆଗୋଉଛି । ‘ବୈରାମ୍ କି ଥାନ୍’ର ସୀମା ପାଖରେ ଚଲାବାଟଟି ପତଳା ଚକଡ଼ାଏ ଜାମୁଗଛର ଜଙ୍ଗଲ ଭିତର ଦେଇ ବାହାରିଥାଏ । ଜଙ୍ଗଲଟିରେ ଦୁଇତିନି ଫୁଟ ଗୋଲେଇର ଜାମୁଗଛଗୁଡ଼ିଏ ପରସ୍ପରଠାରୁ ବେଶ୍ ଛଡ଼ାରେ ଉଠିଥାଆନ୍ତା । ମୋର ଠିକ୍ ସାମନାକୁ ଥିବା ଶକ୍ତ ଦୁଇଟି ଗଜା ଜାମୁଗଛ କିନ୍ତୁ ବାଟ ମୁଣ୍ଡରେ ଏମିତି ଲଗାଲଗି ହୋଇ ବଢ଼ିଥାଆନ୍ତି ଯେ ତାଙ୍କ ଡାଳପତ୍ର ସବୁ ଅତି ନିବିଡ଼ଭାବେ ଛନ୍ଦି ହୋଇ ରହିଥାଏ ।

 

ସମ୍ବର ଓ କୁଟୁରାଙ୍କ ସ୍ଵରସଙ୍କେତ ଶୁଣିବାର କିଛି ସମୟ ପରେ ପ୍ରକାଣ୍ଡ ମହାବଳବାଘଟିଏ ଚଲାବାଟରେ ଧୀରେ ଧୀରେ ଆଗେଇ ଆସୁଥିବା ଗଛ ଫାଙ୍କରେ ଦେଖାଗଲା । ବାଘ ମୋ’ଠାରୁ ପ୍ରାୟ ଶହେ ଗଜକୁ ପାଖେଇ ଆସିଛି, ହଠାତ୍ ଏତିକିବେଳେ ପତ୍ରଗହଳରେ ବତାସ ବହିବା ପରି ସୁ ସୁ ଶବ୍ଦ ହେଲା ଓ ଛନ୍ଦାଛନ୍ଦି ହୋଇ ରହିଥିବା ଜାମୁଗଛ ଦୁଇଟି ପ୍ରବଳ ଜୋରରେ ଦୋହଲିବାକୁ ଲାଗିଲେ । ବତାସ ହେବା ଦୂରେ ଥାଉ, ସେତେବେଳେ ପବନର ସାମାନ୍ୟ ଆଭାସ ମଧ୍ୟ ନଥିଲା । ମୁଁ ଅବାକ୍ ହୋଇ ଅନାଇଥିବା ଭିତରେ ବାଟମୁଣ୍ଡରେ ଥିବା ଏହି ଗଜା ଜାମୁଗଛରୁ ଗୋଟିଏ ମୂଳରୁ ଉପୁଡ଼ି ଧୀରେ ଧୀରେ ଆର ଗଛ ଉପରକୁ ଆଉଜିଗଲା । ଉପୁଡ଼ା ଗଛର ଭାର କିଛି ସମୟ ସମ୍ଭାଳିନେବା ପରେ ସେ ଗଛଟି ମଧ୍ୟ ଉପୁଡ଼ିବାକୁ ଲାଗିଲା । ଗଛ ଦୁଇଟି ପ୍ରାୟ ତିରିଶ ଡିଗ୍ରୀ ନଇଁଯିବା ପରେ ଅଲଗା ହୋଇ ରହିଥିବା ଆଉ ଗୋଟିଏ ସାନ ଗଛରେ ଲାଖି ଟିକିଏ ଅଟକିଗଲେ । ତା’ପରେ ସେ ଗଛଟି ମଧ୍ୟ ଉପୁଡ଼ିଲା ଓ ତିନୋଟି ଯାକ ଗଛ ପ୍ରଚଣ୍ଡ ଶବ୍ଦ କରି ଭୂଇଁରେ କଚାଡ଼ିହୋଇ ପଡ଼ିଲେ ।

 

* ନୈନିତାଲ୍ ଜିଲାର କାଲାଦୁଙ୍ଗୀ ପଲ୍ଲୀସମୂହ ଅନ୍ତର୍ଗତ ‘ଛୋଟି ହଲ୍ ଦ୍ଵାନୀ’ ଗ୍ରାମ–ଅନୁବାଦକ

 

ମୋ ସାମନାରେ ଓ ଅଳ୍ପ କେଇ ଗଜ ଦୂରରେ ଏସବୁ ଘଟିଯିବା ସତ୍ତ୍ୱେ ବାଘ ଉପରୁ ମୁହୂର୍ତ୍ତକ ପାଇଁ ବି ମୁଁ ନଜର ଉଠାଇ ନ ଥିଲି । ପତ୍ରଗହଳରେ ସୁ ସୁ ଶବ୍ଦ ହେବା ବେଳକୁ ବାଘ ଥିଲା ‘ବୈରାମ୍ କି ଥାନ୍’ର ଠିକ୍ ସୀମା ଭିତରେ ଓ ମୋ’ଠାରୁ ମୋଟେ ସତୁରି ଗଜ ଦୂରରେ । ଶବ୍ଦ ହେବା ମାତ୍ରେ ସେ ସେହିଠାରେ ଅଟକି ଛିଡ଼ା ହୋଇଗଲା ଓ ଗଛ ତିନୋଟି ଭୂଇଁରେ ଲୋଟିଯିବା ପରେ ବୁଲିପଡ଼ି ମନ୍ଦିର ଆଡ଼କୁ ବାହୁଡ଼ିଗଲା । ବାଘ ମୋ ଅକ୍ତିଆରକୁ ଠିକ୍ ଆସିଲାବେଳକୁ ବଢ଼ିଆଳ ଶକ୍ତ ଜାମୁଗଛ ତିନୋଟି ବିନା ପବନରେ ହଠାତ୍ କାହିଁକି ଉପୁଡ଼ି ପଡ଼ିଲେ, ତା’ର କାରଣ ମୁଁ ଏପର୍ଯ୍ୟନ୍ତ ଖୋଜି ପାଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଗଛ ତିନୋଟି ଥିଲେ ‘ବୈରାମ୍ କି ଥାନ୍’ର ଠିକ୍ ସୀମା ଉପରେ । ଉପୁଡ଼ିଯିବାଦ୍ଵାରା ବାଘକୁ ଓଗାଳିଲା ପରି ଚଲାବାଟଟିକୁ ସେମାନେ ଏମିତିଭାବେ ବୁଜିଦେଲେ ଯେ ବାଘ ଇଚ୍ଛା କରିଥିଲେ ବି ‘ବୈରାମ୍ କି ଥାନ୍’ରୁ ପଦାକୁ ବାହାରି ପାରି ନଥାନ୍ତା ।

 

ଜଙ୍ଗଲ ପାଖରେ ଗାଁଗଣ୍ଡା ଥିଲେ ଠିକ୍ ଘଡ଼ିସନ୍ଧି ମୁହୂର୍ତ୍ତରେ ବାଘ ହୁରୁଡ଼ିଯିବାର ସମ୍ଭାବନା ବରାବର ଲାଗିରହିଥାଏ । ଜଙ୍ଗଲ ଭିତର ଦେଇ ପାଖ ଗାଁ ବା ହାଟ’ ବଜାରକୁ ଗଲାବେଳେ ଲୋକେ ଦଳ ଦଳ ହୋଇ ବାଟ ଚାଲନ୍ତି ଓ ସାହସ ବାନ୍ଧିବା ପାଇଁ ବଡ଼ପାଟିରେ କଥାବାର୍ତ୍ତା ହୁଅନ୍ତି । ଜଙ୍ଗଲ ପାଖ ବଗିଚା ବା କ୍ଷେତବାଡ଼ିରୁ ମାଙ୍କଡ଼ ହୁରୁଡ଼ାଇବାକୁ କେହି ପାଟିତୁଣ୍ଡ କଲେ ବା ବନ୍ଧୁକ ଫୁଟାଇଲେ ବାଘ ସେ ଶବ୍ଦରେ ତରକି ପଳାଇଯାଏ ।

 

ବାଘୁଣୀକୁ ଆମେ ଦେଖିଲାବେଳକୁ ସେ ଥିଲା ଝରଣାଠାରୁ ମୋଟେ ତିନିଶହ ଗଜ ଦୂରରେ । ସେଥିରୁ ଦୁଇଶହ ଗଜ ଖୋଲା ପଡ଼ିଆ; ଗଛଟିଏ ବା ବୁଦାଟିଏ ସେଠାରେ ନ ଥାଏ । ବାଘୁଣୀ ପଡ଼ିଆ ଭିତରଦେଇ ଖୋଲା ମେଲାରେ ଠିକ୍ ଆମରି ଆଡ଼କୁ ଆଗେଇ ଆସୁଥାଏ । ଟିକିଏ ହଲ୍‌ଚଲ୍‌ ହେଲେ ସେ କାଳେ ଦେଖିଦେବ ବୋଲି ଆଶଙ୍କା କରି ଗୋବିନ୍ଦ ସିଂ ଓ ମୁଁ ନିଶ୍ଚଳ ହୋଇ ତାରି ଆଡ଼କୁ ଅନାଇ ଛିଡ଼ାହୋଇ ରହିଲୁ ।

 

ମୁକ୍ତେଶ୍ଵରର ଲୋକେ ଏ ବାଘୁଣୀକୁ ‘ଛୋଟୀ’ ବୋଲି କହୁଥିଲେ ମଧ୍ୟ ତା’ ଚାଲିରୁ ଗୋଡ଼ ଅସଜ ଥିବାର କୌଣସି ଲକ୍ଷଣ ଦେଖିଲି ନାହିଁ । ତେବେ ସେ ଯେମିତି ଧୀରେ ଧୀରେ ଆଗୋଉଥାଏ, ସେଥିରେ ଯେ କେହି ଧୈର୍ଯ୍ୟ ହରାଇବା କଥା । ଦୀର୍ଘ ସମୟ ସ୍ଥିରଦୃଷ୍ଟିରେ ତାକୁ ଅନାଇ ରହିବା ଭିତରେ ଉପାୟ ଚିନ୍ତା କରି ସ୍ଥିର କଲି ଯେ ବାଘୁଣୀ ଝାଟିବଣରେ ପଶିଯିବାମାତ୍ରେ ମୁଁ ଝରଣା ପାଖକୁ ଧାଇଁଯିବି ଓ ବଣରୁ ବାହାରି ସେ ଝରଣା ପାରହେଲା ବେଳକୁ ଗୁଳି ଚଳାଇବି । ବାଟରେ ବୁଦାବାଡ଼ର ଟିକିଏ ଆଢ଼ୁଆଳ ମିଳିଥିଲେ ସୁବିଧା ହୋଇଥାଆନ୍ତା । ସେ ଭିତରେ କିନ୍ତୁ ବଣବୁଦା କିଛି ନ ଥିବାରୁ ବାଘୁଣୀ ଝାଟିବଣରେ ନ ପଶିବାଯାଏ ଟିକିଏ ହଲଚଲ ହେବାର ବି ଉପାୟ ନ ଥିଲା । ମୋ ଫେରିବାଯାଏ ସମ୍ପୂର୍ଣ୍ଣ ନୀରବତା ରକ୍ଷା କରିବାକୁ ଘଉଡ଼ାଳିମାନଙ୍କୁ ଚାପାଗଳାରେ ଚେତାଇ ଦେଲି ଓ ବାଘୁଣୀ ଠିକ୍ ଝାଟିରେ ପଶିଯିବାମାତ୍ରେ ଦ୍ରୁତବେଗରେ ଝରଣା ପାଖକୁ ଧାଇଁଲି ।

 

ପାହାଡ଼ର ତୀଖ ଗଡ଼ାଣିରେ ବୁଲି ବାଙ୍କି ଧାଇଁବାକୁ ପଡ଼ୁଥାଏ । ବାଟରେ ଜାଗାଏ ବଣଗୋଲପ ବୁଦାଧାଡ଼ିଏ ବାଡ଼ ବାନ୍ଧିଲା ପରି ବାଟକୁ ବୁଜି ରହିଥିଲା । କଣ୍ଟାଳିଆ ବୁଦାଗୁଡ଼ିକରୁ ଆଡ଼େଇ ହୋଇ ଯିବାକୁ ସମୟ କାହିଁ ? ତରତରରେ ବାଡ଼ଫାଙ୍କରେ ଗଳିଗଲାବେଳେ ବୁଦାରେ ଲାଗି ମୋ ଟୋପିଟା ଖସିପଡ଼ିଲା । ଆରପାଖରେ ବୁଦା ଭିତରୁ ପୂରା ନ ବାହାରୁଣୁ ମୁଣ୍ଡ ଟେକିଦେଇ ବଡ଼ ଅସୁବିଧାରେ ପଡ଼ିଗଲି । ଗୋଲାପ କଣ୍ଟାଗୁଡ଼ାକ ମୁଣ୍ଡରେ ଏତେ ଜୋରରେ ଗଳିଗଲା ଯେ ଗୋଲାପ ଗଛରୁ ସଶରୀରେ ଝୁଲିଲା ପରି ରହିଗଲି । ଦୌଡ଼ର ବେଗ ରୋକି ନ ପାରି ସାମନାକୁ ଝୁଙ୍କି ପଡ଼ିବା ଫଳରେ ମୁଣ୍ଡସାରା ଫଡ଼ା ଫଡ଼ା ହୋଇ ଚିରିଗଲା ଓ କଣ୍ଟା କେତୋଟି ଭାଙ୍ଗି ଚମ ତଳେ ରହିଗଲା । ସେତେବେଳେ ସେ ସବୁ ପ୍ରତି ଦୃଷ୍ଟି ଦେବାକୁ ଅବସର ନଥିଲା । ନୈନିତାଲ୍ ବାହୁଡ଼ିବା ପରେ ମୋ ଭଉଣୀ ମ୍ୟାଗିକୁ କଣ୍ଟାତକ ଅତି କଷ୍ଟରେ ଖୋଳି ଖୋଳି କାଢ଼ିବାକୁ ପଡ଼ିଲା ।

 

ଗୋଲପ ବୁଦା ପାର ହୋଇ ପାହାଡ଼କଡ଼ର ବଡ଼ ଖାଲଟି ପାଖରେ ପହଞ୍ଚିଲା ବେଳକୁ ମୁଣ୍ଡରୁ ମୁହଁରୁ ଧାର ଧାର ରକ୍ତ ଝରି ପଡ଼ୁଥାଏ । ଗାଈର ଦରଖିଆ ମଢ଼ଟି ପାହାଡ଼ରୁ ଗଡ଼ି ଯେଉଁ ଖାଲରେ ଯାଇ ପଡ଼ିଥିଲା, ସେଇଟି ଚାଳିଶ ଗଜ ଲମ୍ବ ଓ ପ୍ରାୟ ତିରିଶ ଗଜ ଓସାର । ପାହାଡ଼କଡ଼ ଝାଟିବଣ ଖାଲ ଭିତରକୁ ପ୍ରାୟ ଅଧାଅଧି ମାଡ଼ିଯାଇଥାଏ । ମଢ଼ ଝାଟିବୁଦାରେ ଲାଖି ଖାଲ ଉପରମୁଣ୍ଡରେ ଅଟକିଥିଲା । ଖାଲ ତଳପାଖରେ କିମ୍ବା ମୋ ପାଖ ଝୋଲାବନ୍ଧରେ ଝାଟିବୁଦାର ବେଶି ଗହଳି ନଥିଲା । ବାଘୁଣୀ ସେ ଭିତରେ କେତେବେଳେ ଝାଟିବଣରୁ ବାହାରି ଖାଲରେ ପଶି ମଢ଼କୁ ଖାଉଥାଏ । ପୂର୍ବରାତିରେ ମଲା ବଳଦ ପାଖରୁ ମୁଁ ତାକୁ ହୁରୁଡ଼ାଇଦେବା ପରଠାରୁ ସମ୍ଭବତଃ ସେ ଉପାସ ଥିଲା । ଏବେ ଆକସ୍ମିକ ଭାବେ ପଚା ମଢ଼ଟିକୁ ବାଟରେ ପାଇ ଭୋକବିକଳରେ ସେ ତାକୁ ଖାଇବାରେ ଲାଗିଥାଏ ।

 

ମଢ଼ ଦେହରେ ବେଶି ମାଂସ ନଥିଲା । ମାଂସତକ ଶେଷ କରି ବାଘୁଣୀ ଅଳ୍ପ ସମୟ ଭିତରେ ଯଦି ପଦାକୁ ପୁଣି ବାହାରିଆସେ, ଏଠାରୁ ତା’ ଉପରକୁ ସହଜରେ ଗୁଳି ଚଳାଇ ପାରିବି । କିନ୍ତୁ ଖାଇସାରିଲା ପରେ ସେ ପାହାଡ଼ ଉପରକୁ ବା ଝୋଲା ଆରବନ୍ଧକୁ ଚଢ଼ିଗଲେ ଗୁଳି ଚଳାଇବା ଦୂରେ ଥାଉ–ଏଠାରୁ ତାକୁ ଆଦୌ ଦେଖି ହେବ ନାହିଁ । ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜୁ ଖୋଜୁ ଦେଖିଲି ଯେ ଝାଟିବଣରୁ ବାହାରିଥିବା ଗୋଟିଏ ସରୁ ଚଲାବାଟ ମୋ ବାଁ କଡ଼ରୁ ପ୍ରାୟ ଗଜେ ଛଡ଼ାରେ ଝୋଲା ଏ ପାଖ ବନ୍ଧକୁ ଉଠିଛି । ବାଟକଡ଼ରୁ ଠିକ୍ ଗଜେ ଛାଡ଼ି ଝୋଲାର ବନ୍ଧ ତୀଖଭାବେ ଗଡ଼ିଯାଇଛି ପ୍ରାୟ ପଚାଶ ଫୁଟ ତଳକୁ । ଝାଟିବଣକୁ ଟେକାଟିଏ ଫିଙ୍ଗି ବାଘୁଣୀକୁ ପଦାକୁ ଘଉଡ଼ାଇ ଆଣିବି ଭାବୁଛି, ଏତିକିବେଳେ ଶବ୍ଦଟିଏ ଶୁଣି ବୁଲି ଦେଖିଲି ଯେ ଗୋବନ୍ଦ ସିଂ ମୋ ଟୋପିଟା ଧରି କେତେବେଳେ ଆସି ପଛରେ ଛିଡ଼ାହୋଇଗଲାଣି ।

 

ଭାରତରେ ଅବସ୍ଥାନ କରୁଥିବା ଇଉରୋପୀୟମାନେ ସେତେବେଳେ ବିନା ଟୋପିରେ ଖରାକୁ ବାହାରୁ ନଥିଲେ । ଟୋପି ବିନା ମୋର କାଳେ ଅସୁବିଧା ହେବ ଭାବି ଗୋବିନ୍ଦ ସିଂ ନିଜ ପ୍ରତି ବିପଦକୁ ତୁଚ୍ଛ କରି ଟୋପିଟି ଗୋଟାଇ ଆଣି ପହଞ୍ଚାଇଥିଲା । ଠିକ୍ ଘଡ଼ିସନ୍ଧି ମୁହୂର୍ତ୍ତରେ ତା’ର ଆକସ୍ମିକ ଆବିର୍ଭାବ ମୋ ମନରେ ନାନା ଦୁଶ୍ଚିନ୍ତା ଖେଳାଇଦେଲା । ଓଠରେ ଆଙ୍ଗୁଠି ରଖି ତୁନି ରହିବାକୁ ସଙ୍କେତ ଦେଇ ତା’ ବାହା ଧରି ଟାଣି ଟାଣି ନେଇ ପାହାଡ଼କଡ଼ର ଗୋଟିଏ ଅଳ୍ପ ଓସାର ଖୋଲରେ ତାକୁ ମାଡ଼ିମକଚି ବସାଇଦେଲି । ଟୋପିଟାକୁ କୁଣ୍ଢାଇ ଧରି ଗୋବିନ୍ଦ ସିଂ ଖାଲ ଭିତରେ ଅତି କଷ୍ଟରେ ଜାକିଜୁକି ହୋଇ ବସିରହିଲା ।

 

ଅଳ୍ପ ଦୂରରେ ବାଘୁଣୀ କଡ଼ମଡ଼ କରି ହାଡ଼ ଚୋବାଇବା ଶୁଭୁଥାଏ । ଖାଲ ପାଖକୁ ଫେରି ମୁଁ ସଳଖି ଛିଡ଼ା ହୋଇଯିବା ମାତ୍ରେ ସେ ଶବ୍ଦ ହଠାତ୍ କାହିଁକି ଥମିଗଲା । ମୁଁ ଠିକ୍ ଛିଡ଼ାହୋଇଯିବା ବେଳକୁ ସେ ବାଘୁଣୀର ପେଟ ପୂରିଗଲା–ଏ କଥା ବିଶ୍ଵାସ କରିପାରିଲି ନାହିଁ; ବରଂ ସେ ମୋତେ ଦେଖିଦେଇଛି ବୋଲି ଏକ ତୀବ୍ର ଆଶଙ୍କା ତଡ଼ିତ୍‌ ବେଗରେ ମନରେ ଖେଳିଗଲା । ପୂରା ମିନିଟିଏ ଯାଏ ସବୁ ଶୂନଶାନ୍ ରହିଲା ପରେ ହଠାତ୍ ଦେଖିଲି ଯେ ବାଘୁଣୀ ସେ ଭିତରେ କେତେବେଳେ ଝୋଲା ଆରବନ୍ଧକୁ ଉଠି ସଳଖରେ ପାହାଡ଼ ଚଢ଼ୁଛି । ପାହାଡ଼କଡ଼ରେ ସେଠାରେ ଛଅଇଞ୍ଚ ମୋଟ ଗଜା ପପଲାର୍ ଗଛର ଗହଳ ଜଙ୍ଗଲ । ବାଘୁଣୀ ବଣରେ ପଶି ପଳାଇବାବେଳେ ଗଛ ଫାଙ୍କରେ ମୋତେ ଅତି ଅସ୍ପଷ୍ଟ ଭାବେ ଦେଖାଯାଉଥାଏ । ବନ୍ଧୁକ ଫଏର କଲେ ଗୁଳି ଗଛରେ ବାଜିବାର ଯଥେଷ୍ଟ ସମ୍ଭାବନା । ପୂର୍ବାପରର ବିଚାର କରିବାକୁ ଆଉ ସମୟ ନାହଁ ଦେଖି ରାଇଫଲ୍ ଉଠାଇ ଫଏର କଲି ।

 

ରାଇଫଲ୍‍ ଗର୍ଜିଉଠିବା ମାତ୍ରେ ବାଘୁଣୀ ବୁଲିପଡ଼ି ଆଖିପିଛଡ଼ାକେ ଝୋଲାଟିକୁ ପାରହୋଇଗଲା ଓ ସରୁ ବାଟଟିରେ ଏ ପାଖ ବନ୍ଧକୁ ଉଠି ତୀରବେଗରେ ମୋ ଆଡ଼କୁ ଛୁଟିଆସିଲା । ବାଘୁଣୀର ଯେ ଗୋଟିଏ ଆଖି ଅନ୍ଧ ଓ ମୋ ଗୁଳି ତା’ ମୁଣ୍ଡରୁ ଅଳ୍ପ ଛଡ଼ାରେ ସେଇ ପାଖରେ ଗୋଟିଏ ଗଛଗଣ୍ଡିରେ ବାଜିଥିଲା–ତାହା ମୁଁ ସେତେବେଳେ ଜାଣି ନଥିଲି । ପାହାଡ଼ ଘେରରେ ପ୍ରତିଧ୍ୱନିତ ହେଉଥିବା ବନ୍ଧୁକ ଆବାଜରୁ ମୋର ସ୍ଥିତି ଠିକ୍ ଭାବେ ନିର୍ଣ୍ଣୟ କରି ନପାରି ଅନ୍ଧ ବାଘୁଣୀଟି ବାଉଳା ହୋଇ ଯେ ମୋ’ଆଡ଼େ ଛୁଟି ପଳାଇ ଆସୁଥିବ ଏ ଧାରଣା ମୋ ମନକୁ ଛୁଇଁ ନଥିଲା । ବାଘୁଣୀ ସଳଖରେ ଧାଇଁ ଆସିବା ଦେଖି ଭାବିନେଲି ଯେ ଗୁଳିମାଡ଼ରେ ଆହତ ହୋଇ ପ୍ରଚଣ୍ଡ ରାଗରେ ମୋତେ ଆକ୍ରମଣ କରିବା ପାଇଁ ସେ ଛୁଟି ଆସୁଛି । ବନ୍ଧୁକରେ ଆଉ ଗୋଟିଏ ମାତ୍ର ଗୁଳି–ଏତେ ଅଳ୍ପ ବ୍ୟବଧାନରୁ ଥରଟିଏ ଲକ୍ଷ୍ୟଭ୍ରଷ୍ଟ ହେଲେ ପ୍ରାଣ ନେଇ ଫେରିବା ଅସମ୍ଭବ । ବାଘୁଣୀକୁ ଠିକ୍ ଦୁଇ ଗଜକୁ ପାଖେଇବାକୁ ଦେଇ ତା’ ବେକମୂଳରେ ଗୁଳିଟି ବସାଇଦେଲି । ୫୦୦ ଗ୍ରେନ୍ ଓଜନ ଭାରୀ ଗୁଳିର ପ୍ରଚଣ୍ଡ ଆଘାତରେ ବାଘୁଣୀ ଯେ ଗୋଟିଏ କଡ଼କୁ ହଟିଗଲା–କେବଳ ସେତିକି ପାଇଁ ସେଦିନ ପ୍ରାଣ ନେଇ ଖସିଆସି ପାରିଲି । ମୋ ବାଁ କାନ୍ଧରୁ ଅଳ୍ପ କେଇ ଇଞ୍ଚ ଛଡ଼ାରେ ବନ୍ଧ ଉପରୁ ଛିଟିକି ବାଘୁଣୀ ପଚାଶ ଫୁଟ ତଳ ଝରଣାରେ ଯାଇ ପଡ଼ିଲା । ଝୋଲାବନ୍ଧରୁ ଉହୁଙ୍କି କରି ଦେଖିଲି ଯେ ଚାରିକାତ ମେଲାଇ ସେ ପାଣିରେ ପଡ଼ିଛି ଓ ଝରଣା ପାଣିତକ ରକ୍ତରେ ପୂରା ଲାଲ୍ ହୋଇଯାଇଛି ।

 

କେଇ ମିନିଟ୍ ଭିତରେ ଏସବୁ ଘଟିଯିବାବେଳେ ଗୋବନ୍ଦ ସିଂ ତୁନି ହୋଇ ଖାଲ ଭିତରେ ଜାକିଜୁକି ହୋଇ ବସିଥାଏ । ବାଘୁଣୀ ପାଣିରେ ମରି ପଡ଼ିଛି ଦେଖି ତାକୁ ପାଖକୁ ଡାକିଲି-। ମଲା ବାଘୁଣୀକୁ ଦେଖିବା ମାତ୍ରେ ଗୋବନ୍ଦ ସିଂ ‘‘ବାଘ ମରିଗଲା” ବୋଲି ହୁରି ପକାଇଲା । ତା’ ପାଟି ଶୁଣି ଘଉଡ଼ାଳି ତିନିଶ ଜଣ ପାହାଡ଼ ଉପରୁ ଆହୁରି ଜୋରରେ ଚିତ୍କାର କରିବାକୁ ଲଗିଲେ-। ବଦ୍‌ରୀ ସେମାନଙ୍କ ପାଟି ଶୁଣି କଥାଟା ଅନୁମାନ କରିନେଲା ଓ ଖବର ପ୍ରଘଟ କରିବା ପାଇଁ ଛର୍‌ରା ବନ୍ଧୁକରୁ ଲାଗେ ଲାଗେ ଦଶଚୋଟ ଗୁଳି ଫୁଟାଇଦେଲା । ମୁକ୍ତେଶ୍ୱର ଓ ଆଖପାଖ ଗାଁ ଗଣ୍ଡାର ଲୋକେ ବନ୍ଧୁକ ଆବାଜ ଶୁଣି ଧାଇଁଆସିଲେ ଓ ପରମ ଉଲ୍ଲାସରେ ବାଘୁଣୀକୁ ପାଣିରୁ ଉଠାଇ ଆଣି ଗୋଟିଏ ଗଜା ଗଛରେ ଝୁଲାଇ ବଦ୍‌ରୀର ବଗିଚାକୁ ବୋହିନେଲେ ।

 

ଚାହା କପେ ଖାଇବା ପାଇଁ ମୁଁ ଅତିଥିଶାଳାକୁ ଯିବା ଭିତରେ ବଗିଚାରେ ଜାଗାଏ ନଡ଼ା ବିଛାହୋଇ ବାଘୁଣୀକୁ ଶୁଆଇଦିଆଗଲା ଓ ତାକୁ ପାଖରୁ ଦେଖିବା ପାଇଁ ଲୋକମାନଙ୍କୁ ଛାଡ଼ିଦିଆଗଲା । ମୁକ୍ତେଶ୍ଵରରୁ ଶିକାରୀ କେଇଜଣ ସେଦିନ ବାଘୁଣୀକୁ ଦେଖିବାକୁ ଆସିଥିଲେ । ଅନ୍ଧାର ହେବା ପରେ ବି ବହୁତ ଲୋକ ବାଘୁଣୀକୁ ଘେରି ଛିଡ଼ାହୋଇଥାଆନ୍ତି ।

 

ଲଣ୍ଠନ ଆଲୁଅରେ ଛାଲ ଉତାରିଲାବେଳେ ଲକ୍ଷ୍ୟକଲି ଯେ ବାଘୁଣୀର ଆଖିଟିଏ ବହୁଦିନୁ ଫୁଟିଯାଇଛି ଓ ଡାହାଣ ଆଗଗୋଡ଼ ଓ ପଞ୍ଝାରେ ପଚାଶରୁ ବେଶି ଝିଙ୍କକାଠି ଫୋଡ଼ିହୋଇ ରହିଛି । ଛାଲ ଉତୁରା ସରିବା ବେଳକୁ ରାତି ଦଶଟା ବାଜିଗଲା । ରାତିଟା ତା’ ଘରେ ରହିଯିବାକୁ ବଦ୍‌ରୀ ଜିଗର କରୁଥାଏ । ତାକୁ ବୁଝାଇ ଶୁଝାଇ ରାଜି କରାଇବା ପରେ ଦଳେ ଲୋକଙ୍କ ସହିତ ମୁକ୍ତେଶ୍ଵର ଫେରିଗଲି । ମୋ ଲୋକ ଦୁଇଜଣ ବାଘୁଣୀର ଛାଲ ଧରି ସଙ୍ଗରେ ଚାଲିଲେ । ମୁକ୍ତେଶ୍ୱର ପହଞ୍ଚିଲା ପରେ ପୋଷ୍ଟମାଷ୍ଟର ଓ ତାଙ୍କ ଦୋକାନୀ ବନ୍ଧୁମାନେ ଦେଖିବା ପାଇଁ ଛାଲଟିକୁ କିଛି ସମୟ ପୋଷ୍ଟ ଅଫିସ୍ ବାରଣ୍ଡାରେ ମେଲାଇ ରଖାଗଲା ।

 

ଏଥରକ ଆଉ ଭୁଲ୍‌ଭଟକା ନ କରି ‘ସର୍ବସାଧାରଣଙ୍କ ଡାକବଙ୍ଗଳା’ରେ ପହଞ୍ଚିଲି । ଖିଆପିଆ ସରିଲାବେଳକୁ ରାତି ବାରଟା । ପରଦିନ ଭୋର୍ ଚାରିଟାରୁ ଉଠି ବାଟ ଧରିଲି ଓ ଘରୁ ଗୋଡ଼ କାଢ଼ିବାର ଠିକ୍ ବାଆସ୍ତରି ଘଣ୍ଟା ପରେ ଦିନ ବାରଟାବେଳେ ନୈତିତାଲରେ ପହଞ୍ଚିଲି ।

 

ନରଖାଦକ ବିରୁଦ୍ଧରେ ଅଭିଯାନ ଚଳାଇ ସଫଳ ହେବାରେ ଯେଉଁ ସନ୍ତୋଷ ମିଳେ ଅତି ଦରକାରୀ ଜରୁରୀ କାମଟିଏ ସୁଚାରୁରୂପେ ଶେଷ କରିବା ଛଡ଼ା ଅତି ଚତୁର ଏକ ପ୍ରଚଣ୍ଡ ଶକ୍ତଶାଳୀ ପ୍ରତିଦ୍ଵନ୍ଦ୍ୱୀକୁ ତା’ ନିଜର ସମରକ୍ଷେତ୍ର ଭିତରେ ହିଁ ପରାଜିତ କରିବାର ଆନନ୍ଦ ମଧ୍ୟ ସେଥିରେ ନିହିତ ଥାଏ । ସେତିକି ଛଡ଼ା ମୁକ୍ତେଶ୍ଵର ନରଖାଦକକୁ ଶେଷ କରିବାରେ ଆତ୍ମସନ୍ତୋଷ ପାଇଁ ଆଉ ଗୋଟିଏ ବିଶେଷ କାରଣ ଥିଲା । ଅତି ସାହସୀ ସେହି ଆଠବର୍ଷର ସାନ ଝିଅଟି ତା’ର ଛୋଟ ସଂସାରରେ ଏଥର ନର୍ଭୟରେ ଚଳପ୍ରଚଳ ହୋଇପାରିବ–ଏହି ଧାରଣା ହିଁ ସେଦିନ ମୋତେ ସବୁଠାରୁ ବେଶି ଆନନ୍ଦ ଦେଇଥିଲା ।

Image

 

Unknown

ପାନର୍ ନରଖାଦକ

 

ଊଣେଇଶ ଶହ ସାତ ମସିହାରେ ଚମ୍ପାବତ୍ ନରଖାଦକ (୧) ବିରୁଦ୍ଧରେ ଅଭିଯାନ ଚଳାଇଥିବାବେଳେ ଖବର ପାଇଲି ସେ ଆଲମୋଡ଼ା ଜିଲାର ପୂର୍ବ ପ୍ରାନ୍ତରେ ମଣିଷଖିଆ ଚିତାବାଘ ମାତିଥିବାରୁ ସେଠାକାର ବାସିନ୍ଦାମାନେ ଅସରନ୍ତି ଦୁଃଖ-ଦୁର୍ଦ୍ଦଶା ଭୋଗୁଛନ୍ତି । ଏ ବିଷୟ ମୁଁ ଶୁଣିବା ବେଳକୁ ସମୁଦାୟ ଚାରିଶହଟି ନରହତ୍ୟା ଘଟାଇଥିବା ଏହି ଚିତାବାଘକୁ ନେଇ ବିଲାତର କମନ୍‌ସ ସଭାରେ ଆଲୋଚନା ଓ ପ୍ରଶ୍ନୋତ୍ତର ସରିଥାଏ । ପାନାର୍ ଉପତ୍ୟକାଠାରୁ ଆରମ୍ଭ କରି ସୁଦୂରପ୍ରସାରୀ ଏକ ଅଞ୍ଚଳ ଉପରେ ଅବାରିତ ଅତ୍ୟାଚାର ଚଳାଇଥିବା ଏହି ନରଖାଦକକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା । ମୁଁ କିନ୍ତୁ ଆରମ୍ଭରୁ ତାକୁ ‘ପାନାର୍ ନରଖାଦକ’ ଭାବେ ଜାଣିଲି । ତେଣୁ ଏ କାହାଣୀରେ ତା’ର ସେହି ନାମ ବ୍ୟବହାର କରିଛି ।

 

ଊଣେଇଶ ଶହ ପାଞ୍ଚ ମସିହା ପୂର୍ବରୁ କୁମାୟୂଁ ଅଞ୍ଚଳରେ ନରଖାଦକ ଉପଦ୍ରବ ବିଷୟରେ ସରକାରୀ ନଥିପତ୍ରରେ କୌଣସି ଉଲ୍ଲେଖ ନାହିଁ । ତେଣୁ ଚମ୍ପାବତ୍ ଓ ପାନାର୍ ନରଖାଦକଙ୍କ ଆବିର୍ଭାବ ପୂର୍ବରୁ ସେଠାରେ ମଣିଷଖିଆ ମହାବଳ ବା ଚିତାବାଘ ମାତିବା କେବେ ଜଣା ନଥିଲା ବୋଲି ଧରିନେବାକୁ ପଡ଼ିବ । ହଠାତ୍ ଦୁଇ ଦୁଇଟି ନରଖାଦକ ଏକ ସଙ୍ଗେ ଅନର୍ଥ ଆରମ୍ଭ କରି ଯେଉଁ ଅବସ୍ଥା ସୃଷ୍ଟି କଲେ, ସେଥିପାଇଁ ସରକାର ଆଦୌ ପ୍ରସ୍ତୁତ ନ ଥିଲେ । ସୌଖୀନ୍ ଶିକାରୀଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ ପାଇଁ ଅନୁରୋଧ କରିବା ଛଡ଼ା ସେଭଳି ପରିସ୍ଥିତି ସହିତ ମୁକାବିଲା ପାଇଁ ଶାସନକାଳରେ ନିୟମିତ ବ୍ୟବସ୍ଥା କିଛି ନ ଥିଲା । ଫଳରେ ନରଖାଦକ ଦୁଇଟି ଅନାୟାସରେ ଆଠଶହ ଛତିଶିଟି ପ୍ରାଣହାନି ଘଟାଇ ସରକାରଙ୍କୁ ବିଷମ ସମସ୍ୟାରେ ପକାଇଦେଲେ ।

 

ନରଖାଦକ ଶିକାର ହାତକୁ ନେବା ଭଳି ଶିକାରୀ କୁମାୟୂଁରେ ବେଶି ସଂଖ୍ୟାରେ ନଥା’ନ୍ତି । ସେତେବେଳେ ନରଖାଦକ ଶିକାରକୁ ଉଇଲ୍‌ସନ୍‌ଙ୍କ ଏଭରେଷ୍ଟ୍ ଆରୋହଣ ପରି ଏକ ଅତି ଦୁଃସାହସିକ କାର୍ଯ୍ୟ ଭାବେ ଧରାଯାଉଥିଲା । ପର୍ବତଆରୋହୀ ଉଇଲ୍‌ସନ୍ ଏଭରେଷ୍ଟ୍ ସମ୍ବନ୍ଧରେ ବିଶେଷ କିଛି ଜାଣି ନଥିଲେ ଓ ତାକୁ ଆରୋହଣ କରିବାକୁ ଯାଇ ଅତି ଶୋଚନୀୟ ଭାବେ ବିଫଳ ହୋଇଥିଲେ । ଉଇଲ୍‌ସନ୍‌ଙ୍କର ଏଭରେଷ୍ଟ୍ ବିଷୟରେ ଯେତିକି ଧାରଣା ଥିଲା, ମଣିଷଖିଆ ମହାବଳ ଓ ଚିତାବାଘ ସମ୍ବନ୍ଧରେ ସେତେବେଳେ ମୋର ଧାରଣା ଥିଲା ତା’ଠାରୁ ଯଥେଷ୍ଟ କମ୍ । ତାହା ସତ୍ତ୍ୱେ ନରଖାଦକଙ୍କ ବିରୁଦ୍ଧରେ ମୋର ପ୍ରୟାସ ଯେ ସଫଳ ହୋଇପାରିଲା, ତାକୁ କପାଳ ଜୋର୍ ଛଡ଼ା ଆଉ କିଛି କୁହାଯାଇ ନପାରେ ।

 

(୧) ‘‘କୁମାୟୂଁର ନରଖାଦକ’’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ଚମ୍ପାବତ୍‌ ନରଖାଦକକୁ (୧) ମାରି ନୈନତାଲ୍ ଫେରିବା ମାତ୍ରେ ପାନାର୍ ନରଖାଦକକୁ ଶେଷ କରିବାକୁ ସରକାରଙ୍କ ତରଫରୁ ମୋତେ ବରାଦ କରାଗଲା । ପେଟ ପୋଷିବା ପାଇଁ ସେତେବେଳେ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ୁଥାଏ (୨) । କାମଧନ୍ଦାର ବ୍ୟବସ୍ଥା କରି ଶିକାରରେ ପୁଣି ବାହାରିବା ବେଳକୁ କେଇ ସପ୍ତାହ ବିତିଗଲା । ଠିକ୍ ଯିବାକୁ ବାହାରିଛି, ଏତିକିବେଳେ ନୈନିତାଲ୍‌ର ଡେପୁଟି କମିଶନର୍ ବର୍ଥୁଡ୍ (୩) ପାନାର୍ ନରଖାଦକ କଥା ପଛକୁ ରଖି ପ୍ରଥମେ ମୁକ୍ତେଶ୍ଵର ନରଖାଦକକୁ ମାରିବାକୁ ଜରୁରୀ ଅନୁରୋଧ ଜଣାଇଲେ । ମୁକ୍ତେଶ୍ୱର ନରଖାଦକ କିପରି ମଲା ତାହା ପୂର୍ବରୁ ବର୍ଣ୍ଣନା କରିଛି । ତାକୁ ଶେଷ କରି ପ୍ରତିଶ୍ରୁତ ଦାୟିତ୍ଵରୁ ମୁକ୍ତି ପାଇବା ପରେ ପୂର୍ବ ଯାତ୍ରାକ୍ରମ ଅନୁସାରେ ଆଲମୋଡ଼ା ଯିବାକୁ ସୁବିଧା ପାଇଲି ।

 

ପାନାର୍ ନରଖାଦକ ସେତେବେଳେ ଆଲମୋଡ଼ା ଜିଲାର ପୂର୍ବ ସୀମାନ୍ତର ଶହ ଶହ ବର୍ଗମାଇଲ୍ ବ୍ୟାପୀ ଏକ ଅଞ୍ଚଳ ଉପରେ ଅବାଧ ଅତ୍ୟାଚାର ଚଳାଇଥାଏ । ସେ ସବୁ ଅଞ୍ଚଳ ସହିତ ମୋର ପରିଚୟ ନଥିଲା । ତେଣୁ ନରଖାଦକ ତଥା ଉପଦ୍ରୁତ ଅଞ୍ଚଳ ବିଷୟରେ ସେଠାକାର ଡେପୁଟି କମିଶନର୍ ଷ୍ଟିଫ୍‍ଙ୍କୁ ପଚାରି ବୁଝିବା ପାଇଁ ବାଟଭାଙ୍ଗି ପ୍ରଥମେ ଆଲମୋଡ଼ା ସହରରେ ପହଞ୍ଚିଲି । ଷ୍ଟିଫ୍ ମଧାହ୍ନଭୋଜନକୁ ମୋତେ ନିମନ୍ତ୍ରଣ କଲେ ଓ ଉପଦ୍ରୁତ ଅଞ୍ଚଳର ମାନଚିତ୍ରଗୁଡ଼ିକ ଯୋଗାଇଦେଲେ । ଶେଷରେ, ଏଭଳି ଏକ ବିପଦସଙ୍କୁଳ ଅଭିଯାନ ଆରମ୍ଭ କରିବା ପୁର୍ବରୁ ମୁଁ ଉଇଲ୍ ଲେଖି ରଖିଯାଇଛି କି ନାହିଁ ବୋଲି ବିଦାୟକାଳୀନ ପ୍ରଶ୍ନଟିଏ ପଚାରିଦେଇ ମୋତେ ବେଶ୍ ଟିକିଏ ଚମକାଇ ଦେଲେ ।

 

ମାନଚିତ୍ରରୁ ଦେଖିଲି ଯେ ପାନ୍ନାନୌଲାରୁ ପିଥୋରାଗଡ଼ ସଡ଼କରେ କିମ୍ବା ଲାମଗଡ଼ାଠାରୁ ଦେବୀଧୂରା ସଡ଼କରେ ଉପଦ୍ରୁତ ଅଞ୍ଚଳକୁ ଯାଇହେବ । ଷ୍ଟିଫ୍ ଉଇଲ୍‍ ବିଷୟ ଉଠାଇବାବେଳୁ ମନଟା ଦବିଯାଇଥିଲା । ଜୋର୍‌କରି ଦୁର୍ଭାବନା ସବୁ ମନରୁ ଦୂର କରିଦେଇ ଭଲଭାବେ ଖିଆପିଆ କଲି ଓ ଲୋକବାକ ସମସ୍ତଙ୍କୁ ଏକାଠି କରି ଦେବୀଧୂରା ସଡ଼କରେ ବାହାରିପଡ଼ିଲି । ଚାକର ଛଡ଼ା ଡେରାର ସାଜସରଞ୍ଜାମ ବୋହିବାକୁ ଭାରୁଆ କୋଡ଼ିଏ ଜଣ ମୋ ସଙ୍ଗରେ ଆସିଥାଆନ୍ତି । ସକାଳୁ ଖୈର୍‌ନାରୁ ବାହାରି ଖରାବେଳା ସୁଦ୍ଧା ଆଲମୋଡ଼ାରେ ପହଞ୍ଚିବା ପାଇଁ ଦୀର୍ଘ ଚଉଦମାଇଲ୍ ବାଟ ଚାଲିବାକୁ ପଡ଼ିଲା । ତେବେ ଦଳରେ ଆମେ ସମସ୍ତେ ଥିଲୁ ଯୁବକ; ବାଟ ଚାଲିବାରେ କେହି କାହାକୁ ଊଣା ନଥିଲୁ । ସଞ୍ଜ ସୁଦ୍ଧା ଆହୁରି କେଇ ମାଇଲ୍ ଚାଲିଯିବାକୁ ସମସ୍ତେ ଅଣ୍ଟାଭିଡ଼ି ବାହାରିପଡ଼ିଲୁ ।

 

(୧) ‘କୁମାୟୂଁର ନରଖାଦକ’ ବହିଟି ଦ୍ରଷ୍ଟବ୍ୟ ।

 

(୨) ‘ମୋର ଭାରତ’ ବହିରେ ଏ ବିଷୟ ବର୍ଣ୍ଣିତ ।

 

(୩) ଚମ୍ପାବତ ନରଖାଦକକୁ ମାରିବା ପାଇଁ ବର୍ଥୁଡ୍‍ ହିଁ ସର୍ବପ୍ରଥମେ ଲେଖକଙ୍କୁ ଅନୁରୋଧ କରିଥିଲେ । ‘କୁମାୟୂଁର ନରଖାଦକ’ ବହିରେ ଏହାଙ୍କ ବିଷୟ ଉଲ୍ଲେଖ ହୋଇଛି । –ଅନୁବାଦକ

 

ଶୁକ୍ଳପକ୍ଷ ରାତି । ଜହ୍ନ ଉଇଁବା ବେଳକୁ ଗାଁଟିଏ ପାରହୋଇ ଖଣ୍ଡେ ଦୂରରେ ବାଟକଡ଼ରେ ବଡ଼ କୋଠା ଘରଟିଏ ଦେଖିଲୁ । ଅଗଣାରେ ବିଞ୍ଛି ହୋଇପଡ଼ିଥିବା ଛିଣ୍ଡା କାଗଜ ଓ କାନ୍ଥବାଡ଼ରେ ଏଣୁତେଣୁ ଲେଖା ହୋଇଥିବା ଦେଖି ଜାଣିଲୁ ଯେ ସେଇଟି ଗୋଟିଏ ସ୍କୁଲ ଘର । ସ୍କୁଲ ସାମନା କୋଡ଼ିଏ ଫୁଟ ଲମ୍ବ ଓସାର ବିଶିଷ୍ଟ ଚାରିକୋଣିଆ ଅଗଣାଟିର ତିନି ପାଖରେ ଦୁଇଫୁଟ ଉଚ୍ଚ ପାଚେରି ଓ ପାଚେରି କଡ଼େ କଡ଼େ ସଡ଼କ । ସଡ଼କ ଆରପାଖେ ଓ ସ୍କୁଲଘର ପଛରେ ଘଞ୍ଚ ଜଙ୍ଗଲ । ସ୍କୁଲର ଝରକା ସବୁ ନିବୁଜ ହୋଇ ବନ୍ଦ ଓ ପ୍ରତିଟି କବାଟରେ ତାଲା । ସେଥର ଆମେ ସଙ୍ଗରେ ତମ୍ବୁ ଆଣି ନଥିଲୁ । ତେବେ ମଣିଷଖିଆ ଚିତାବାଘର ଶିକାର ଇଲାକା ସେଠାରୁ ଆହୁରି କେଇ ମାଇଲ୍‍ ଦୂର । ବାଘଭୟ ନ ଥିବାରୁ ସେଇ ଅଗଣାରେ ହିଁ ରାତିଟା କଟାଇଦେବାକୁ ସ୍ଥିର କଲୁ ।

 

ସ୍କୁଲପଛ ଜଙ୍ଗଲରେ ଜାଳର ଅଭାବ ନଥିଲା । ଅଗଣା କୋଣରେ ଚୁଲି ପକାଇ ଚାକର ରୋଷଇବାସର ଆୟୋଜନ କରିବା ଭିତରେ ଅନ୍ୟମାନେ ଜଙ୍ଗଲରୁ ଡାଳପତ୍ର ଗୋଟାଇ ଆଣି ନିଆଁ ଧରାଇଦେଲେ । ରାତି ରୋଷାଇ ପାଇଁ ଛେଳି ପଡ଼ିଆଟିଏ ଆମେ ସଙ୍ଗରେ ଆଣିଥିଲୁ । ଚାକର ରାସ୍ତାକଡ଼ ପାଚେରି ଉପରେ କାଗଜ ଫର୍ଦ୍ଦେ ବିଛାଇ ଫଡ଼ିଆଟିକୁ ଧୂଆଧୋଇ କରି ହାତପାଆନ୍ତାରେ ଥୋଇଲା । ବାରଣ୍ଡାରେ ଗୋଟିଏ କବାଟକୁ ଆଉଜି ବସି ମୁଁ ସିଗାରେଟ୍ ଟାଣୁଥାଏ ଓ ଚାକରର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥାଏ । ଚୁଲିରେ ଜାଳ ମୋହିଁବା ପାଇଁ ସେ ଥରେ ବୁଲିପଡ଼ିବା ମାତ୍ରେ ଦେଖିଲି ଯେ ମାଂସଠାରୁ ଅଳ୍ପ ଛଡ଼ାରେ ପାଚେରି ଆରପାଖରୁ ଚିତାବାଘଟିଏ ଧୀରେ ଧୀରେ ମୁଣ୍ଡ ଟେକୁଛି । ଚିତାବାଘ ଠିକ୍ ମୋରି ଆଡ଼କୁ ମୁହାଁଇଥାଏ । ସେ କ’ଣ କରିବ ଦେଖିବା ପାଇଁ ଗଭୀର କୌତୂହଳ ସହିତ ନିଶ୍ଚଳ ହୋଇ ଅପେକ୍ଷା କଲି ।

 

ଚାକର ପାଚେରି ପାଖରୁ କେଇପାହୁଣ୍ଡ ଦୂରେଇଯିବା ମାତ୍ରେ ଚିତାବାଘ ମାଂସ ଫଡ଼ିଆଟିକୁ ଝାମ୍ପିନେଇ କୁଦାକେ ରାସ୍ତା ଆର ପାଖ ଜଙ୍ଗଲରେ ପଶିଗଲା । କାଗଜ ଖସ୍ ଖସ୍ ଶୁଣି ଚାକର ସେଆଡ଼େ ଅନାଇଁ ଦେଇ ଭାବିଲା ଯେ ମାଂସଫଡ଼ାକ କୁକୁର ନେଇଯାଉଛି । ପାଟିଟାଏ କରି ଉଠି ଖଣ୍ଡେ ବାଟ ଗୋଡ଼ାଇଯିବା ପରେ ସେ ଦେଖିଦେଲା ଜନ୍ତୁଟା କୁକୁର ନୁହେଁ–ଚିତାବାଘ !! ସେଇଠୁ ହଠାତ୍ ବୁଲିପଡ଼ି ସେ ପ୍ରାଣବିକଳରେ ଯେମିତି ଚିଲାମାରି ମୋ ପାଖକୁ ଛୁଟି ପଳାଇ ଆସିଲା, ସେଥିରେ ନିଜକୁ ରୋକିନପାରି ମୁଁ ହସି ହସି ବେଦମ ହୋଇଗଲି ।

 

ପ୍ରାଚ୍ୟଜଗତର ଅଧିବାସୀମାନେ ଅନେକେ ସନ୍ଦେହ କରନ୍ତି ଯେ ଇଉରୋପୀୟମାନେ ସମସ୍ତେ ଊଣା ଅଧିକେ ପାଗଳ । ମୁଣ୍ଡଫଟା ଖରାରେ ପଦାରେ ବୁଲି ମଗଜ ମିଜାସ୍ ଗରମ କରିବା ଛଡ଼ା ସେମାନଙ୍କ ପାଗଳାମି ମୂଳରେ ଜାତିଗତ କୌଣସି ମାନସିକ ଦୋଷ ମଧ୍ୟ ରହିଛି ବୋଲି ତାଙ୍କର ଧାରଣା । ମୋ ଚାକର ସେଦିନ ନିଶ୍ଚୟ ଭାବିଥିବ ଯେ ସାଧାରଣ ଇଉରୋପୀୟଙ୍କ ତୁଳନାରେ ମୋ ପାଗଳାମିର ମାତ୍ରା ଟିକିଏ ବେଶି । ମୋତେ ହସିବା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ଓ ପରେ ଆହତ ହୋଇ ଅଭିମାନଭରା ସ୍ଵରରେ ସେ କହିଉଠିଲା, “ମାଂସତକ ତ ଚିତାବାଘ ନେଲା ! ଆଉ କ’ଣ ଅଛି ଯେ ଆପଣ ଖାଇବେ ?” ସେ ଯାହାହେଉ, ଏଣୁତେଣୁ ମିଶାମିଶି କରି ସେ ଖୁବ୍ ସୁଆଦ ତରକାରି ରାନ୍ଧିଲା । ଦିନସାରା ବାଟ ଚାଲି ମୋତେ ବି ବେଶ୍ ଭୋକ କରୁଥିଲା । ସେଦିନ ରାତିରେ ମୁଁ ସବୁ ଚାଟିଚୁଟି‌ ଯେତେ ଖୁସିରେ ଖାଇଲି, ଭୋକିଲା ଚିତାବାଘ କଅଁଳ ଛେଳିମାଂସତକ ସେତେ ଆନନ୍ଦରେ କଦାପି ଖାଇନଥିବ !

 

ପରଦିନ ବଡ଼ିସକାଳୁ ସ୍କୁଲ ଅଗଣାରୁ ଡେରା ଉଠିଲା । ଖିଆପିଆ ପାଇଁ ଖରାବେଳେ ଲାମ୍‌ଗଡ଼ାରେ ଘଡ଼ିଏ ଅଟକି ପୁଣି ବାଟ ଧରିଲୁ ଓ ଦିନସାରା ଅନବରତ ଚାଲି ଚାଲି ସନ୍ଧ୍ୟା ବେଳକୁ ‘ଦୋଲ୍’ ଡାକବଙ୍ଗଳାରେ ପହଞ୍ଚିଲୁ । ବଙ୍ଗଳା ପାଖରୁ ନରଖାଦକର ଅସଲ ଶିକାର ଇଲକା ଆରମ୍ଭ । ପରଦିନ ସକାଳେ ଲୋକମାନଙ୍କୁ ନିରାପଦରେ ବଙ୍ଗଳାରେ ରଖି ଆଖପାଖ ଗାଁଗଣ୍ଡାରୁ ଚିତାବାଘର ଖବର ସଂଗ୍ରହ କରିବାକୁ ଏକାକୀ ବାହାରିପଡ଼ିଲି । ଚଲାବାଟଗୁଡ଼ିକରେ ଚିତାବାଘର ପାହୁଲଦାଗ ମିଳିବାର ବେଶି ସମ୍ଭାବନା (୧) । ରାସ୍ତା ଉପରେ ତୀକ୍ଷ୍‌ଣ ନଜର ରଖି ବାଟ ଚାଲିବାକୁ ପଡ଼ୁଥାଏ । ଦିନସାରା ବୁଲି ବୁଲି‌ ଖରା ନଇଁବାବେଳକୁ ଗୋଟିଏ ଗାଁମୁଣ୍ଡରୁ ଖଣ୍ଡେ ଦୂରରେ ଅଲଗା ହୋଇ ରହିଥିବା ପଟା ପଥର ଛାତଦିଆ ଦୋ’ତାଲା ଘରଟିଏ ଆଗରେ ଦେଖିଲି । ଘରଟିକୁ ଘେରି କେଇ ମାଣ ଚାଷଜମି ଓ ତା’ ଚାରିପାଖେ ଝାଟିଜଙ୍ଗଲ । ଏ ଅଞ୍ଚଳର ରୀତିରେ ଉପର ମହଲା ବାରଣ୍ଡାରୁ‌ ପାଇନ୍ କାଠର ପାହାଚ ଧାଡ଼ିଏ ପଦା ଅଗଣାକୁ ଲମ୍ବି ଥାଏ । ଘରଆଡ଼କୁ ଠିକ୍ ମୁହାଁଇଛି, ଏତିକିବେଳେ ବାଟମୁଣ୍ଡରେ ପୁରୁଷ ଚିତାବାଘର ସଜ ପାହୁଲଦାଗଗୁଡ଼ିଏ ନଜରରେ ପଡ଼ିଗଲା । ପାହୁଲଦାଗ ଲକ୍ଷ୍ୟ କରି ଘରଆଡ଼କୁ କେଇ ପାହୁଣ୍ଡ ଯାଇଛି କି ନାହିଁ, ହଠାତ୍ ଯୁବକ ଜଣେ ଉପର ମହଲାରୁ ଦ୍ରୁତବେଗରେ ଛୁଟିଆସିଲା ଓ ମୋ ଗୋଡ଼ ଧରି ଭୂଇଁରେ ଲେଟିପଡ଼ି ଭୋ-ଭୋ ଡକା ପକାଇଲା । ଯୁବକଟିର ବୟସ ବାଇଶିରୁ ବେଶି ନୁହେଁ । ପୂର୍ବ ରାତିରେ ଉପରମହଲା ଶୋଇବା ଘରେ ମସିଣାଟିଏ ପାରି ସେମାନେ ସ୍ଵାମୀ ସ୍ତ୍ରୀ ଦୁହେଁ ଶୋଇଥିଲେ‌ । ଅପ୍ରେଲ ମାସ; ପ୍ରବଳ ଗରମ ପଡ଼ିଥାଏ । ଘରେ ପବନ ପଶିବାକୁ ଆଉ ବାଟ ନ ଥିବାରୁ ସେମାନେ କବାଟଟିକୁ ମେଲା ରଖିଥିଲେ । ଚିତାବାଘ ଓର ଉଣ୍ଡି ରାତିରେ ଘରେ ପଶି ତା’ ସ୍ତ୍ରୀର ତଣ୍ଟି ଝୁଣିଧରି ପଦାକୁ ଘୋଷାରିବାକୁ ଲାଗିଲା । ଗଁ-ଗଁ ଶବ୍ଦରେ ସ୍ଵାମୀର ନିଦ ଭାଙ୍ଗିଲାବେଳକୁ ଚିତାବାଘ ବାରଣ୍ଡାକୁ ବାହାରିଗଲାଣି; ଆଉ ସ୍ତ୍ରୀ ତା’ର ଦୁଆରବନ୍ଧ ଏପାଖରେ ପଡ଼ି ପ୍ରାଣବିକଳରେ ତାକୁ ଜାବୁଡ଼ି ଧରିଛି । ଉପାୟ କିଛି ନ ପାଇ ଲୋକଟି ସ୍ତ୍ରୀର ହାତ ଧରିପକାଇ ଦୁଆରବନ୍ଧରେ ଗୋଡ଼ ଠେସ ଦେଇ ଗୋଟିଏ ଝିଙ୍କାରେ ତାକୁ ଭିତରକୁ ଟାଣିଆଣି କବାଟ ଠେଲି କିଳିଦେଲା । ଚିତାବାଘ ବାରଣ୍ଡାରୁ କିନ୍ତୁ ହଟିଲା ନାହିଁ । ରାତି ତମାମ୍ କବାଟ ରାମ୍ପୁଡ଼ି ଘରେ ପଶିବାକୁ ସେ ପ୍ରବଳ ଚେଷ୍ଟା ଚଳାଇଥାଏ । ଏଣେ ସ୍ଵାମୀ ସ୍ତ୍ରୀ ଦୁହେଁ ଘରକୋଣରେ ପ୍ରାଣଭୟରେ ଠକ୍ ଠକ୍ ଥରୁଥାନ୍ତି ।

 

(୧) ଏହାର କାରଣ ‘ରୁଦ୍ରପ୍ରୟାଗ ନରଖାଦକ’ ବହିରେ ଆଲୋଚନା କରାଯାଇଛି । –ଅନୁବାଦକ-

 

ରାତି ପାହିଲାବେଳକୁ ଚିତାବାଘ ସେଠାରୁ ପଳାଇଗଲା । ସେତେବେଳକୁ ରାତିସାରା ଗରମରେ ରୁନ୍ଧିହୋଇ ସ୍ତ୍ରୀର ଘାଆଗୁଡ଼ାକ ପାଚିଗଲାଣି । ପ୍ରବଳ ଯନ୍ତ୍ରଣା ଓ ଜ୍ୱର ସହିତ ଭୟ ଓ ରକ୍ତହାନି ଯୋଗୁଁ ସକାଳୁ ତା’ର ଚେତା ବୁଡ଼ିଗଲା । ସାରାଦିନ ସେ ବେହୋସ୍ ହୋଇ ପଡ଼ିଛି । ଗାଁ ସେଠାରୁ ମାଇଲିଏ ଦୂର; ଘଞ୍ଚ ଝାଟିଜଙ୍ଗଲରେ ପଶି ଗାଁକୁ ଯାଇ ଲୋକ ଡାକିବାକୁ ତା’ର ନିଜର ମଧ୍ୟ ସାହସ ନାହିଁ । ପୁଣି ବେହୋସ ଅବସ୍ଥାରେ ସ୍ତ୍ରୀକୁ ଏକାକୀ ଛାଡ଼ି ଚାଲିଗଲେ ଚିତାବାଘ ଫେରିଆସିପାରେ । ଏ ବିଷମ‌ ସମସ୍ୟାର ସମାଧାନ ପାଇଁ ଉପାୟ ନପାଇ ଲୋକଟି ଦିନସାରା ସ୍ତ୍ରୀପାଖରେହିଁ ବସିରହିଥିଲା । ଦିନ ଗଡ଼ିବା ସଙ୍ଗେ ଭୟ ମଧ୍ୟ ବଢ଼ିବାକୁ ଲାଗିଥାଏ । ଆହୁରି ରାତିଏ ଏକାକୀ କେମିତି କଟାଇବ ବୋଲି ଭାଳି ହେଉଛି, ଏତିକିବେଳେ ମୋତେ ଘରଆଡ଼କୁ ଆସିବା ଦେଖି ତାକୁ ନୂଆ କରି ପ୍ରାଣ ପାଇଲା ପରି ଲଗିଲା ।

 

ଦାରୁଣ ଦୁର୍ଦ୍ଦଶାର ଏହି କାହାଣୀଟି ଶୁଣିବା ପରେ ଲୋକଟି ପାଗଳ ପରି ମୋ ଗୋଡ଼ ଧରି କାନ୍ଦିବାରେ ବିସ୍ମିତ ହେବାର କାରଣ ଦେଖିଲି ନାହିଁ । ଉପସ୍ଥିତ ସମସ୍ୟାରେ କ’ଣ କରିବାକୁ ହେବ–ତାହାନେଇ ମୁଁ ମଧ୍ୟ ମହା ଦ୍ଵନ୍ଦ୍ଵରେ ପଡ଼ିଲି । ନରଖାଦକ ଆକ୍ରମଣରେ ଆହତ ହୋଇଥିବା ଲୋକମାନଙ୍କର ଚିକିତ୍ସାପାଇଁ ସେତେବେଳେ ମୁଁ କୌଣସି ବ୍ୟବସ୍ଥା କରିନଥିଲି (୧) । ନିକଟତମ ଆଲମୋଡ଼ା ଡାକ୍ତରଖାନା ସେଠାରୁ ପଇଁତିରିଶି ମାଇଲ୍‍ ଦୂର । ଏଣେ ଦୁର୍ଦ୍ଦଶାଗ୍ରସ୍ତ ହତଭାଗ୍ୟ ଯୁବକଟିର ମାନସିକ ଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇବା ଉପରେ । ଚିତାବାଘ ରାତିରେ ଫେରିଆସି ଘରେ ପଶିବାକୁ ଆଉ ଥରେ ଚେଷ୍ଟା‌ କରିବା ମଧ୍ୟ ଅସମ୍ଭବ ନୁହେଁ । ଏପରି ଅବସ୍ଥାରେ ତାକୁ ଏକାକୀ ଛାଡ଼ି ସ୍ତ୍ରୀ ପାଇଁ ସାହାଯ୍ୟ ଲୋଡ଼ିବାକୁ ଗଲେ ଯୁବକଟି ପାଗଳ ହୋଇଯିବ ନିଶ୍ଚୟ ।

 

ଘର ଭିତରେ ପଶି ଯେଉଁ ଦୃଶ୍ୟ ଦେଖିଲି ବାସ୍ତବିକ୍ ତାହା ବର୍ଣ୍ଣନାର ବାହାରେ । ଆହତା ଯୁବତୀଟିର ବୟସ ପ୍ରାୟ ଅଠର । ଚିତାବାଘ ତଣ୍ଟି ଝୁଣିଧରିବା ବେଳକୁ ହତଭାଗିନୀଟି ଚିତ୍‌ ହୋଇ ଶୋଇଥିଲା । ସ୍ଵାମୀ ତା’ ହାତଧରି ଟାଣିନେବାବେଳେ ଚିତାବାଘ‌ ଛାତି ବାଁ ପଟେ ନଖ ବସାଇଦେଇ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା । ତା’ ନଖ ଚାରିଟା ଗହୀର‌ ଭାବେ ଗଳିଯାଇ ଛାତିକୁ ଫଡ଼ା ଫଡ଼ା କରି ଚିରି ପକାଇଥାଏ । ପାଚି ଆସୁଥିବା ଘାଆଗୁଡ଼ିକରେ ମାଛି ଭଣଭଣ ହେଉଥାଆନ୍ତି । ଏପରି ଅବସ୍ଥାରୁ ତାକୁ‌ ବଞ୍ଚାଇବା ଅସମ୍ଭବ । ତା’ ଆଶା ଛାଡ଼ି ସ୍ଵାମୀକୁ କେବଳ ହେମତ୍ ଦେବାକୁ ରାତିକ ତା’ ପାଖରେ ରହିଯିବାକୁ ସ୍ଥିର କଲି ।

 

ସେହି ରାତିର ତୀବ୍ର ବେଦନାଭରା ଅନୁଭୂତି ବର୍ଣ୍ଣନା କରିବାକୁ ମୋର ଭାଷା ନାହିଁ । ମହାବଳ ବା ଚିତାବାଘଦ୍ଵାରା ଶୋଚନୀୟ ଭାବେ ଆହତ ମଣିଷ ବା ପଶୁଟିଏ‌ ଆଖି ଆଗରେ ପଡ଼ି ଛଟପଟ ହେଉଥିବ, ଆଉ ଗୁଳିକରି ମାରିଦେବା ଛଡ଼ା ଯନ୍ତ୍ରଣାରୁ ତାକୁ ମୁକ୍ତି ଦେବାକୁ ଉପାୟ ନାହିଁ ଜାଣି ନିଜକୁ ଜଡ଼ ପରି ତା’ ପାଖରେ ବସି ରହିବାକୁ ପଡ଼ିବ–ସେଭଳି ଦାରୁଣ ଦଶା କାହାକୁ କେବେ ଭୋଗ କରିବାକୁ ନ ପଡ଼ୁ !! ମୁମୂର୍ଷୁ ସ୍ତ୍ରୀଲୋକଟିକୁ ଜଗି ଘରେ ବସିବାକୁ ତା’ ସ୍ଵାମୀ ମୋତେ ବାରମ୍ବାର ନେହୁରା ହେଲା । କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ଘର ଭିତରେ ମୁଁ ରହିପାରିଲି ନାହିଁ-। ବେମାରି ବିପତ୍ତିରେ ପଡ଼ିଥିବା ଲୋକଙ୍କୁ ଅସୁଖ ପାଇବି–ସେତେଟା ସୁକୁମାର ମୁଁ ନୁହେଁ । କିନ୍ତୁ ପଚାଘାଆର ଉତ୍କଟ ଗନ୍ଧ ମୋ ପକ୍ଷରେ ବି ଅସହ୍ୟ ହୋଇ ଉଠିଲା । ବାଧ୍ୟ ହୋଇ ବାହାରେ କେଉଁଠି ଜଗି ବସିବାକୁ ଉପାୟ ଖୋଜିଲି । ଶୋଇବା ଘର ସାମନା ପନ୍ଦରଫୁଟ ଲମ୍ବ ଓ ଚାରିଫୁଟ ଓସାର ବାରଣ୍ଡାଟିରୁ ଓଳିତଳ ଅଗଣାକୁ ଲମ୍ବି ଗଜା ପାଇନ୍‌ଗଣ୍ଡିର ପାହାଚ ଧାଡ଼ିଏ । ବାରଣ୍ଡା ତଳେ ପାହାଚ ପଛରେ ଥିବା ଚାରିଫୁଟ ଉଚ୍ଚ ଅଣଓସାରିଆ ଦୋକଡ଼ିଟିରେ ଜାଳେଣି କାଠ ଜମା ହୋଇଥିଲା । ଲୋକଟି ସହିତ କାଠଗଦାକ ଘୁଞ୍ଚାଘୁଞ୍ଚି କରି ପାହାଚ ଉପରେ ନଜର ରଖି କାନ୍ଥକୁ ଆଉଜି ବସିବା ଭଳି ଜାଗାଟିଏ ବାହାର କଲି ।

 

(୧) ଏହାପରେ ‘ଚୌଗଡ଼ ନରଖାଦକ’ ବିରୁଦ୍ଧରେ ଅଭିଯାନ ଚଳାଇବା ବେଳେ କରବେଟ୍‌ ନରଖାଦକ ଉପଦ୍ରୁତ ଅଞ୍ଚଳମାନଙ୍କର ପ୍ରତି ଗାଁରେ ଔଷଧ ଓ ଚିକିତ୍ସାର ଅନ୍ୟାନ୍ୟ ଉପକରଣ ମହଜୁଦ୍ ରଖିବାର ବ୍ୟବସ୍ଥା କରି ବହୁ ଲୋକଙ୍କ ଜୀବନ ରକ୍ଷା କରିଥିଲେ । ‘‘କୁମାୟୂଁର ନରଖାଦକ’’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ରାତି ଘନେଇ ଆସୁଥାଏ । ଘରଠାରୁ ଅଳ୍ପଦୂର ଗୋଟିଏ ଝରଣାରେ ଧୂଆଧୋଇ ହୋଇ ପେଟେ ପାଣି ପିଇଲି ଓ କବାଟ ମେଲା ରଖି ସ୍ତ୍ରୀ ପାଖରେ ରହିବାକୁ ଯୁବକଟିକୁ ପଠାଇଦେଇ ନିଜେ ଜାଳସନ୍ଧିରେ ଜାକିଜୁକି ହୋଇ ବସିଲି । କବାଟ ମେଲା ରଖିବା କଥା ଶୁଣି ବିଚରାଟି ଭୟରେ କାକୁସ୍ଥ ହୋଇପଡ଼ିଲା । ଶେଷରେ ବାଧ୍ୟ ହୋଇ ପାହାଚ ଚଢ଼ୁ ଚଢ଼ୁ କାନ୍ଦୁଣି ମାନ୍ଦୁଣି ହୋଇ ପଚାରିଲା, ‘‘ଚିତାବାଘ ଆପଣଙ୍କୁ ଖାଇଗଲେ ମୋ ଦଶା କ’ଣ ହେବ ସାହେବ ?” ତାକୁ ବୋଧ ଦେଇ ବୁଝାଇ କହିଲି ଯେ ଚିତାବାଘ ମୋତେ ଆକ୍ରମଣ କଲେ ସେ କବାଟ କିଳି ରାତିପାହିବା ଯାଏଁ ଘର ଭିତରେ ହିଁ ରହିଯିବ ।

 

ସେଦିନ ଶୁକ୍ଳପକ୍ଷ ତ୍ରୟୋଦଶୀ । ଜହ୍ନ ଉଇଁବା ଆଗରୁ ଯେଉଁ ଦୁଇଘଡ଼ି ଅନ୍ଧାର ରହିବ ମୋ’ପାଇଁ ତାହା ଘୋର ଉଦ୍ବେଗର କାରଣ ହୋଇଥାଏ । ପୂର୍ବରାତିରେ ଚିତାବାଘ ଭୋର୍‍ ହେବାଯାଏଁ ବାରଣ୍ଡାରେ ବସି କବାଟ ରାମ୍ପୁଡ଼ୁଥିଲା । ରାତି ପାହିବା ବେଳକୁ ସେ ଏଠାରୁ ବାହାରିଥିଲେ‌ ଅଳ୍ପ ସମୟ ପରେ ଚାରିଆଡ଼ ଫର୍ଚ୍ଚା ହୋଇ ଯାଇଥିବ; ତେଣୁ ବେଶି ଦୂର ଯାଇ ନ ପାରି ସେ ଯଦି ଆଖପାଖ ଝାଟିବଣରେ କେଉଁଠି ଲୁଚିରହିଥାଏ, ତେବେ ମୁଁ ପାହାଚ ପଛରେ ବସିବା ସେ ଲକ୍ଷ୍ୟ କରିଥିବା ଖୁବ୍‍ ସମ୍ଭବ । ଏସବୁ ଦୃଷ୍ଟିରୁ ପ୍ରତି ମୁହୂର୍ତ୍ତରେ ସତର୍କ ହୋଇ ଚିତାବାଘ ଆସିବାର ଟିକିଏ ସୁରାକ୍ ପାଇବା ପାଇଁ ଗଭୀର ମନୋଯୋଗ ସହ ଅନ୍ଧାରକୁ ଅନାଇ ରହିଲି ।

 

ପୂର୍ବଦିଗର ଉଚ୍ଚ ପାହାଡ଼ଧାଡ଼ି ପଛରୁ ଜହ୍ନ ଶୀଘ୍ର ଉଇଁ ଆସୁ ବୋଲି ମନ ପ୍ରାଣ ଲଗାଇ ମନାସିବା ଛଡ଼ା ସେତେବେଳେ ଆଉ କିଛି କରିବାକୁ ନ ଥିଲା । ଉତ୍କଣ୍ଠିତ ନିଶ୍ଚଳ ଅପେକ୍ଷାରେ ଦୀର୍ଘ ଅଧଘଣ୍ଟାଏ ବିତିଯିବା ପରେ ଅଧମାଇଲ୍‍ ଦୂରରୁ ବିଲୁଆଟିଏ ଆତଙ୍କଧ୍ଵନି କରି ନିକଟରେ କୌଣସି ହିଂସ୍ରଜନ୍ତୁର ଉପସ୍ଥିତି ସୂଚାଇଦେଲା । ବିଲୁଆର ଆତଙ୍କଧ୍ଵନିକୁ ଭାଷାରେ ରୂପାୟିତ କରିବା କଷ୍ଟକର । ମହାବଳ ବା ଚିତାବାଘ ଦେଖିଲେ ବିଲୁଆ ତା’ର ଜୋର୍ ଲଗାଇ ଉଚ୍ଚସ୍ଵରରେ ‘ଫିଆଉଁ’ ‘ଫିଆଉଁ’ ଶବ୍ଦ କରେ ଓ ତାହା‌ ବହୁତ ଦୂରକୁ ସ୍ପଷ୍ଟଭାବେ ଶୁଣାଯାଏ । ବାଘ ତା’ ନଜରରେ ଥିବା ପର୍ଯ୍ୟନ୍ତ ବିଲୁଆ ସେପରି ଶବ୍ଦ କରିବାରୁ ବିରତ ହୁଏ ନାହିଁ ।

 

ଚିତାବାଘର ଅବସ୍ଥିତ ସମ୍ବନ୍ଧରେ ସେତିକି ସୂଚନା ମିଳିଯିବା ପରେ ଅନିଶ୍ଚିତ ଅପେକ୍ଷାରୁ ନିଷ୍କୃତି ପାଇ ଆଶ୍ୱସ୍ତିର ଦୀର୍ଘଶ୍ଵାସ ଛାଡ଼ିଲି । ଶିକାର ପାଖକୁ ଆସିଲାବେଳେ ଚିତାବାଘ ଚାରିଆଡ଼କୁ ଦୃଷ୍ଟି ଦେଇ ଅତି ସନ୍ତର୍ପଣରେ ଅଗ୍ରସର ହୁଏ । ସେଭଳି ଧୀର ଗତିରେ ଅଧମାଇଲ୍‍ ଅତିକ୍ରମ କରି ଘର ପାଖରେ ପହଞ୍ଚିବାକୁ ତାକୁ ଆହୁରି କେତେ ମିନିଟ୍ ଲାଗିବ । ସେ ଭିତରେ ଜହ୍ନ ପୂରା ଉଇଁ ନ ଥିଲେ ମଧ୍ୟ ଆକାଶ ସାମାନ୍ୟ ଉଜ୍ଜ୍ୱଳ ହୋଇ ଅନ୍ତତଃ ଗୁଳି ଚଲାଇବା ପାଇଁ ଯଥେଷ୍ଟ ଆଲୁଅ ମୋତେ ମିଳିଯିବ ବୋଲି ଆଶା ହେଲା ।

 

ସମୟ ଗଡ଼ିଚାଲିଲା । ମୁହୂର୍ତ୍ତେ ଯୁଗେ ପରି ଲାଗୁଥାଏ । ବିଲୁଆ କିଛି ବେଳ ତୁହାଇ ତୁହାଇ ବୋବାଇବା ପରେ ତୁନି ହୋଇଗଲା । ତା’ପରେ ଜହ୍ନ ପାହାଡ଼ଚୂଡ଼ା ଉପରକୁ ଉଠିଆସି ଚତୁର୍ଦ୍ଦିଗରେ ଜ୍ୟୋତ୍ସ୍ନାର ଲହରି ଖେଳିଗଲା । ଚାରିଆଡ଼ ପୂର୍ବପରି ନୀରବ, ନିସ୍ପନ୍ଦ; ଗଭୀର ନିସ୍ତବ୍‌ଧତା ଭିତରେ ମୁମୂର୍ଷୁ ମହିଳାଟିର ସଶବ୍ଦ ନିଃଶ୍ଵାସ କେବଳ ଶୁଣାଯାଉଥାଏ । ଦୀର୍ଘ କେତେ ଘଣ୍ଟା ଏହିପରି ବିତିଯିବା ପରେ ଜହ୍ନ ପଶ୍ଚିମ ଆକାଶରେ ନଇଁବାକୁ ଲାଗିଲା । ଘରର ଛାଇ ସାମନାକୁ ଲମ୍ବି ଆସି ଖଣ୍ଡେ ଦୂରଯାଏ କିଛି ଦେଖାଗଲା ନାହିଁ । ରାତିର ଶେଷ ପ୍ରହରଟି ଘୋର ବିପଦର ସମୟ । ଶିକାର ହାସଲ କରିବାର ସମ୍ପୂର୍ଣ୍ଣ, ସୁଯୋଗ‌ ପାଇବା ପାଇଁ ମଣିଷଖିଆ ଚିତାବାଘ ଅସୀମ ଧୈର୍ଯ୍ୟର ସହିତ ଦୀର୍ଘ ସମୟ ଅପେକ୍ଷା କରିପାରେ । ଆଉ ମୋତେ ଏଠାରେ ବସିବା ଦେଖିଥିଲେ, ଲାଳସା ଦମନ କରି ଆକ୍ରମଣ କରିବାର ପୂର୍ଣ୍ଣ ସୁଯୋଗ ପାଇଁ ସାରାରାତି ସେ ଠିକ୍ ଏହି ସମୟକୁ ଅପେକ୍ଷା କରି ରହିଥିବ । ମୁହୂର୍ତ୍ତକେ ଗୁଳି ଚଳାଇବାକୁ ଉଦ୍ୟତ ହୋଇ ଛାଇଛାଇଆ ଅନ୍ଧାରକୁ ନିର୍ନିମେଷ ଦୃଷ୍ଟିରେ ଅନାଇ ରହିଲି । ପ୍ରବଳ ଉତ୍କଣ୍ଠାରେ ଦୀର୍ଘ ସମୟ କଟିବା ପରେ ରାତି ପାହିଲା; କିନ୍ତୁ ଚିତାବାଘ ଦେଖାଦେଲା ନାହିଁ ।

 

ପୂର୍ବରାତିଟି ପୂରା ଅନିଦ୍ରା ରହିବା ପରେ ଯୁବକଟି ଦୁଃଖ ଭୟ ଭୁଲି ନିଘୋଡ଼ ନିଦରେ ଶୋଇପଡ଼ିଥିଲା । ପଦାକୁ ବାହାରି ମୁଁ ହାତଗୋଡ଼ ସଳଖିବା ବେଳକୁ ସେ ଚେଇଁ ଉଠି ତଳକୁ ଓହ୍ଲାଇ ଆସିଲା । ଜାକିଜୁକି ହୋଇ ମଟାଳ ଭୂଇଁରେ ଦୀର୍ଘ ବାରଘଣ୍ଟା ବସିଲା ପରେ ଗୋଡ଼ହାତ କିପରି ଘୋଳାଇ ହୁଏ–ଅନୁଭବୀମାନେ ତାହା ନିଶ୍ଚୟ ଜାଣିଥିବେ । ତା’ପରେ, ଗତ ଚବିଶଘଣ୍ଟା ଭିତରେ କଣ୍ଟେଇ କୋଳି ଦି’ଟା ଓ ପାଣି ମନ୍ଦାଏ ଛଡ଼ା ପାଟିରେ କିଛି ଦେଇ ନ ଥିଲି । ବଙ୍ଗଳା ସେଠାରୁ ଆଠମାଇଲ୍ ଦୂର । ଆହତା ଯୁବତୀଟି ପାଇଁ ସାହାଯ୍ୟର ଆୟୋଜନ କରିସାରି ବଙ୍ଗଳାକୁ ଫେରିବି ଭାବି ଯୁବକଠାରୁ ବିଦାୟ ନେଇ ଗାଁଆଡ଼େ ମୁହାଁଇଲି । ଅଧବାଟରେ ଦେଖିଲି, ମୋ ଲୋକ ଦଳକ ଜିନିଷପତ୍ର ଧରି ରାସ୍ତାଏ ରାସ୍ତାଏ ମୋ’ରି ଆଡ଼କୁ ଆସୁଛନ୍ତି । ମୁଁ କାହାକୁ କିଛି ନ କହି ବଡ଼ିସକାଳୁ ବଙ୍ଗଳାରୁ ବାହାରି ଆସିବା ଓ ଖବର ନ ଦେଇ ରାତିଏ ପଦାରେ ରହିଯିବା ଯୋଗୁଁ ସେମାନେ ଆଉ ଥୟ ଧରିପାରିଲେ ନାହିଁ । ସକାଳୁ ବଙ୍ଗଳା ଭଡ଼ା ଓ ଅନ୍ୟାନ୍ୟ ପାଉଣା ତୁଟାଇଦେଇ ଜିନିଷପତ୍ର ବାନ୍ଧି ମୋତେ ଖୋଜିବାକୁ ବାହାରିପଡ଼ିଲେ ।

 

ଏ ବହିର ପ୍ରଥମ ପରିଚ୍ଛେଦ ‘ମନ୍ଦିରର ବାଘ’ରେ ଜଣେ ଓଭର୍‌ସିଅର୍‌ଙ୍କ ସହିତ ରାସ୍ତାରେ ସାକ୍ଷାତ ହୋଇଥିବା କଥା ଉଲ୍ଲେଖ କରିଛି । ବାଟ ମଝିରେ ଛିଡ଼ାହୋଇ ଲୋକଙ୍କ ସହିତ କଥାବାର୍ତ୍ତା ହେଉ ହେଉ ଓଭର୍‌ସିଅର୍ ଦୈବାତ୍ ସେଠାରେ‌ ପହଞ୍ଚିଗଲେ । ବାହନ ତାଙ୍କର ଭୁଟାନ୍ ଅଞ୍ଚଳରେ ଅଳ୍ପ ଉଚ୍ଚ ତଟୁ ଘୋଡ଼ାଟିଏ । ଆକାରରେ ଛୋଟ ହେଲେ ମଧ୍ୟ ଏ ଘୋଡ଼ାଗୁଡ଼ିକ ଖୁବ୍ ମଜବୁତ୍ । ଭଦ୍ରଲୋକ ଘୋଡ଼ା ଚଢ଼ି ଆଲମୋଡ଼ା ଯାଉଛନ୍ତି ଶୁଣି ତାଙ୍କ ହାତରେ ଷ୍ଟିଫ୍‌ଙ୍କ ପାଖକୁ ଚଠି ଖଣ୍ଡିଏ ପଠାଇଲି । ଷ୍ଟିଫ୍ ଚିଠି ପାଇବାମାତ୍ରେ ଆହତା ଯୁବତୀର ଚକିତ୍ସା ପାଇଁ ଔଷଧ ଓ ଚିକିତ୍ସାର ଅନ୍ୟାନ୍ୟ ଉପକରଣ ସହିତ ତୁରନ୍ତ ଲୋକ ପଠାଇଥିଲେ । ସାହାଯ୍ୟ ପହଞ୍ଚିବା ବେଳକୁ ହତଭାଗୀଟି କିନ୍ତୁ ଚିରଦିନ ପାଇଁ ଯନ୍ତ୍ରଣାରୁ ମୁକ୍ତି ପାଇଯାଇଥିଲା ।

 

ଓଭର‌୍‌ସିଅର୍‌ଙ୍କଠାରୁ ପାନାର୍ ନରଖାଦକ ଦେବୀଧୂରା ମନ୍ଦିରରେ ଜଣେ ମଇଁଷାଳକୁ ମାରିଥିବା ଖବର ପାଇ କିପରି ସେଠାକୁ ଗଲି ଓ ‘ମନ୍ଦିରର ବାଘ’କୁ ଶିକାର କରିବାକୁ ଯାଇ ଅତି ବିଚିତ୍ର ଯେଉଁ ଅନୁଭୂତି ସବୁ ଘଟିଲା, ତାହା ଯଥାସ୍ଥାନରେ ବର୍ଣ୍ଣନା କରିଛି । ବାଘ ପାଖରୁ ହାର୍ ମାନି ଫେରିବା ପରେ ମନ୍ଦିରର ପୂଜକ ମୋତେ ବୁଝାଇ କହିଥିଲେ ଯେ ଦେବୀଧୂରାର ଅଧିଷ୍ଠାତ୍ରୀ ଦେବୀ ନିଜେ ସେ ବାଘକୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ମନ୍ଦିରର ବାଘ ପରି ପାନାର୍ ନରଖାଦକ ମଧ୍ୟ କ’ଣ ଦେବୀଙ୍କ ଶରଣାଗତ ବୋଲି ପଚାରିବାରୁ ପୂଜକ ଉତ୍ତର ଦେଇଥିଲେ, ‘‘ନାଇଁ ସାହେବ–ସେ ଚିତାବାଘଟା ମହାପାପୀ–ଅସଲ ସଇତାନ ସେ । ଠାକୁରାଣୀଙ୍କ ଦର୍ଶନ ପାଇଁ ଆସୁଥିବା କେତେ ଯାତ୍ରୀଙ୍କୁ ସେ ମାରି ଖାଇଲାଣି ତା’ର ସୁମାରି ନାହିଁ । ଆର ଥରକୁ ଯେତେବେଳେ ତାକୁ ମାରିବାକୁ ଆସିବେ, ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଠାକୁରାଣୀଙ୍କ ପାଖରେ ମୁଁ ସକାଳେ ସଞ୍ଜେ ମାଗୁଣି ଜଣାଇବି ।”

 

(ଦୁଇ)

 

ଜୀବନ ଆମର ଯେତେ ସୁଖସ୍ୱାଚ୍ଛନ୍ଦ୍ୟ ଭିତରେ ଅତିବାହିତ ହୋଇଥାଉନା କାହିଁକି, ଅନବଚ୍ଛିନ୍ନ ଆନନ୍ଦ ଭିତରୁ ମଧ୍ୟ ଅପେକ୍ଷାକୃତ ଅଧିକ ସୁଖମୟ କେତୋଟି‌ ମୁହୂର୍ତ୍ତ ଆମ ପାଖରେ ବିଶେଷ ଭାବେ ସ୍ମରଣୀୟ ହୋଇ ରହେ । ଊଣେଇଶଶହ ଦଶ‌ ‌‌‍‍ମସିହାଟି ମୋ ଜୀବନର ସେହିପରି ଏକ ସ୍ମରଣୀୟ ସମୟ । ସେହି ବର୍ଷ ମୁଁ ପ୍ରଥମେ‌ ମୁକ୍ତେଶ୍ଵର ନରଖାଦକ ଓ ପରେ ପାନାର୍ ନରଖାଦକକୁ ମାରିଥିଲି । ଏହି ଦୁଇଟି ଘଟଣା ଭିତରେ ମୋକାମା ଘାଟ ଷ୍ଟେସନରେ ମୁଁ ଓ ମୋର ସହକର୍ମୀମାନେ କୌଣସି ଯନ୍ତ୍ରପାତିର ସାହାଯ୍ୟ ନ ନେଇ ଦିନକ ଭିତରେ ପୂରା ପାଞ୍ଚହଜାର ଟନ୍ ମାଲ ସରବରାହ କରିଥିଲୁ । ରେଳବାଇ ପରିବହନ ସଂସ୍ଥାର ଇତିହାସରେ ଏହା ଏକ ନୂତନ ରେକର୍ଡ଼ ସୃଷ୍ଟି କରିଥିଲା (୧) ।

 

(୧) ଲେଖକଙ୍କ ‘ମୋର ଭାରତ’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦକ

 

ଊଣେଇଶଶହ ଦଶ ମସିହା ଅପ୍ରେଲ ମାସରେ ପାନାର୍ ନରଖାଦକ ବିରୁଦ୍ଧରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲି । ତା’ ବିରୁଦ୍ଧରେ ଦ୍ଵିତୀୟ ପ୍ରୟାସ ଚଳାଇବା ପାଇଁ ସମୟ ମିଳିଲା ସେହି ବର୍ଷ ସେପ୍ଟେମ୍ବର ମାସରେ ।

 

ଅପ୍ରେଲ୍‌ରୁ ସେପ୍ଟେମ୍ବର ଭିତରେ ଏହି ଦୁର୍ଦ୍ଧର୍ଷ ନରଖାଦକ ଆହୁରି କେତୋଟି ପ୍ରାଣହାନି ଘଟାଇଦେଲା, ତା’ର ହିସାବ ମୋତେ ଜଣାନାହିଁ । ସରକାର ସେ ବିଷୟରେ କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିଲେ । କମନ୍‌ସ ସଭାରେ ତା’ ବିଷୟରେ ଆଲୋଚନା ଓ ପ୍ରଶ୍ନୋତ୍ତର ହୋଇଥିବା କଥା ଥରେ ମାତ୍ର ଉଲ୍ଲେଖ କରିବା ଛଡ଼ା ଭାରତବର୍ଷର କୌଣସି ପତ୍ରପତ୍ରିକାରେ ଏ ନରଖାଦକ ସମ୍ବନ୍ଧରେ ସମ୍ବାଦ କେବେ ପ୍ରକାଶ ପାଇନଥିଲା ।

 

ସ୍ଵଳ୍ପ ତା’ର ଜୀବନକାଳ ଭିତରେ ପାନାର୍ ନରଖାଦକ ସମୁଦାୟ ଚାରିଶହଟି ପ୍ରାଣହାନି ଘଟାଇଥିବା ମୁଁ ଜାଣେ । ତା’ ତୁଳନାରେ ରୁଦ୍ରପ୍ରୟାଗ ନରଖାଦକ (୧) ଦୀର୍ଘ ଆଠ ବର୍ଷ ଭିତରେ ମୋଟେ ଶହେ ପଚିଶ ଜଣ ଲୋକ ମାରିଥିଲା । ରୁଦ୍ରପ୍ରୟାଗ ନରଖାଦକ ବିଷୟ ସବୁ ସମ୍ବାଦପତ୍ରରେ ବଡ଼ ବଡ଼ ଅକ୍ଷରରେ ନିୟମିତ ପ୍ରକାଶ ପାଉଥିବା ସ୍ଥଳେ ପାନାର୍ ନରଖାଦକ ଲୋକଲୋଚନ ଅନ୍ତରାଳରେ ରହିଯିବାର କାରଣ ହେଉଛି–ପାନାର୍ ଉପତ୍ୟକାରେ ଜନବସତି ତଥା ଲୋକସମାଗମ ଓ ଚଳାଚଳ ରୁଦ୍ରପ୍ରୟାଗ ଅଞ୍ଚଳ ଅପେକ୍ଷା ଯଥେଷ୍ଟ କମ୍ । ପ୍ରତିବର୍ଷ ଭାରତର ସବୁଆଡ଼ୁ, ଧନୀ ଦରିଦ୍ର, ଉଚ୍ଚ ନୀଚ ଆଦି ସବୁଶ୍ରେଣୀର ଅନ୍ୟୂନ ଷାଠିଏ ହଜାର ପଦଯାତ୍ରୀ ରୁଦ୍ରପ୍ରୟାଗ ବାଟେ କେଦାରନାଥ ଓ ବଦ୍ରିନାଥ ଧାମକୁ ତୀର୍ଥ କରିବାକୁ ଯାଆନ୍ତି । ପ୍ରାଣଭୟରେ ଥରହର ହେଉଥିବା ଏହି ଯାତ୍ରୀମାନଙ୍କୁ ସେତେବେଳେ ରୁଦ୍ରପ୍ରୟାଗ ଅଞ୍ଚଳଟିକୁ ପାଦରେ ଚାଲି ପାରହେବାକୁ ପଡ଼ୁଥିଲା । ଘରକୁ ଫେରିଲା ପରେ ଏହି ଯାତ୍ରୀମାନେ ରୁଦ୍ରପ୍ରୟାଗ ନରଖାଦକ ବିଷୟରେ ନାନା ଭୟଙ୍କର କାହାଣୀ ଭାରତବର୍ଷର ଗ୍ରାମେ ଗ୍ରାମେ ପ୍ରଚାର କରିଦେଉଥିଲେ । ଏହାଛଡ଼ା ଯାତ୍ରୀମାନଙ୍କୁ ସତର୍କ ଓ ସାବଧାନ କରାଇବା ପାଇଁ ସରକାରଙ୍କ ତରଫରୁ ଏହି ନରଖାଦକଦ୍ଵାରା ସଂଘଟିତ ପ୍ରତ୍ୟେକଟି ଅପମୃତ୍ୟୁର ସଠିକ୍‍ ସମ୍ବାଦ ଦୈନିକ ବିଜ୍ଞପ୍ତି ଭାବେ ପ୍ରକାଶ ପାଉଥିଲା । ପାନାର୍‍ ନରଖାଦକ ଯଥେଷ୍ଟ ବେଶି ଜୀବନହାନି ଓ କ୍ଷୟକ୍ଷତି ଘଟାଇଥିଲେ ମଧ୍ୟ ଅପେକ୍ଷାକୃତ ଜନବିରଳ ଏକ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ତା’ର ଅପକର୍ମର ସୁଦୂରପ୍ରସାରୀ ପ୍ରଚାର ହୋଇ ନଥିଲା ।

 

ପାନାର୍ ନରଖାଦକ ବିରୁଦ୍ଧରେ ମୋର ଦ୍ଵିତୀୟ ଅଭିଯାନ ଆରମ୍ଭ ହେଲା ସେପ୍ଟେମ୍ବର ମାସ ଦଶ ତାରିଖରେ । ସେଥର ଚାକର ଭାରୁଆ ମିଶାଇ କେବଳ ଚାରିଜଣ ଲୋକ ସଙ୍ଗରେ ନେଲି । ଭୋର୍ ଚାରିଟାରେ ନୈନତାଲ୍‌ରୁ ବାହାରିବା ବେଳେ ମେଘ ଘୋଡ଼ାଇଥିଲା । କେଇ ମାଇଲ୍ ନ ଯାଉଣୁ ମୂଷଳଧାରରେ ବର୍ଷା ଆରମ୍ଭ ହୋଇ ଦିନସାରା ଅବିରାମ ଗତିରେ ଲାଗିରହିଲା-। ଅଠେଇଶ ମାଇଲ୍ ବାଟ ଅନବରତ ବର୍ଷାମାଡ଼ ଖାଇ ଆଲମୋଡ଼ାରେ ଯାଇ ପହଞ୍ଚିବା ବେଳକୁ ଲୁଗାପଟା ଓ ଜିନିଷପତ୍ରର ଅବସ୍ଥା କହିଲେ ନ ସରେ । ରାତିରେ ମୋର ଷ୍ଟିଫ‌୍‌ଙ୍କ ଘରେ ରହିବାର ଥିଲା । କିନ୍ତୁ ପାଲଟିବା ପାଇଁ ପାଖରେ ଶୁଖିଲା ଲୁଗା ସାଜେ ନ ଥିବାରୁ ଭଦ୍ରଲୋକଙ୍କୁ ଅକାରଣ ବିବ୍ରତ କରିବାକୁ ଚାହିଁଲି ନାହିଁ । ତାଙ୍କୁ କୁହାବୋଲା କରି ଡାକବଙ୍ଗଳାକୁ ଚାଲିଗଲି । ଯୋଗକୁ ବଙ୍ଗଳା ସେଦିନ ଖାଲିଥିଲା । ଚୌକିଦାର ଦୟା ଦେଖାଇ ପୂରା ଦୁଇ ବଖରା ଘର ଆମକୁ ଛାଡ଼ିଦେଲା । ଦୁଇଘରେ ନିଆଁ ଜାଳି ବସି ସେକି ହେଲୁ ଓ ଲୁଗାପଟା ଯଥାତଥା ଶୁଖାଇଲୁ-। ସକାଳୁ ବଙ୍ଗଳାରୁ ବାହାରିଲା ବେଳକୁ ଲୁଗାପଟା ଓ ଜିନିଷପତ୍ର ଚଳିଲା ଭଳି ଶୁଖିଆସିଥିଲା-

 

(୧) ଅସାଧାରଣ ବଳବାନ ଓ ଚତୁର ରୁଦ୍ରପ୍ରୟାଗର ଏହି ମଣିଷଖିଆ ଚିତାବାଘଦ୍ଵାରା ବାରମ୍ବାର ପରାଜିତ ହେବାପରେ ଊଣେଇଶଶହ ଛବିଶ ମସିହାରେ କରବେଟ୍‌ ତାକୁ ମାରିଥିଲେ । ‘ରୁଦ୍ରପ୍ରୟାଗ ନରଖାଦକ’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦକ

 

ଅପ୍ରେଲ ମାସରେ ଦେବୀଧୂରା ସଡ଼କରେ ଉପଦ୍ରୁତ ଅଞ୍ଚଳକୁ ଯାତ୍ରା କରିଥିଲି । ଏଥର ମଧ୍ୟ ସେହିବାଟେ ଯିବି ଓ ନରଖାଦକର ଆକ୍ରମଣରେ ପ୍ରାଣ ହରାଇଥିବା ଯୁବତୀଟିର ଘର ପାଖରୁ ଅନୁସନ୍ଧାନ ଆରମ୍ଭ କରିବି ବୋଲି ସ୍ଥିର କରିଥିଲି । ବାହାରିବାକୁ ପ୍ରସ୍ତୁତ ହୋଇ ବସି ଜଳଖିଆ କରୁଛି, ଏତିକିବେଳେ ପାନ୍ଵା ନାମକ ସେ ଅଞ୍ଚଳର ଜଣେ ରାଜମିସ୍ତ୍ରୀ ବଙ୍ଗଳାରେ ମୋ ସହିତ ସାକ୍ଷାତ କଲା । ଲୋକଟି ମୋର ଚିହ୍ନା; ଆମ ନୈନତାଲ୍ ଘରେ ସେ ଥରେ ଛୋଟ ଛୋଟ କେତୋଟି ରାଜକାମ କରିଥିଲା । ଗାଁ ତା’ର ପାନାର୍‍ ଉପତ୍ୟକାରେ । ଲୋକଟିର ଗାଁକୁ ଯିବାକୁ ଥାଏ; କିନ୍ତୁ ଚିତାବାଘ ଭୟରେ ଏକାକୀ ଏତେ ବାଟ ଚାଲିକରି ଯିବାକୁ ତା’ର ସାହସ ପାଉ ନ ଥାଏ । ଚିତାବାଘ ସନ୍ଧାନରେ ତା’ ଗାଁଆଡ଼େ ମୁଁ ଯାଉଛି ଶୁଣି ଆମ ସହିତ ଯିବାକୁ ସେ ଅନୁମତି ମାଗିଲା ଓ ଦେବୀଧୂରା ବାଟେ ନ ଯାଇ ପିଥୋରାଗଡ଼ ସଡ଼କରେ ଯିବାକୁ ପରାମର୍ଶ ଦେଲା । ଏସବୁ ଅଞ୍ଚଳ ସହିତ ତା’ର ପିଲାଦିନରୁ ପରିଚୟ । ତା’ କହିବା ଅନୁସାରେ ଯାତ୍ରାକ୍ରମ ପରିବର୍ତ୍ତନ କରି ଆମେ ପିଥୋରାଗଡ଼ ସଡ଼କ ଧରିଲୁ ଓ ଦିନସାରା ବାଟ ଚାଲି ପାନ୍ଵାନୌଲା ଡାକବଙ୍ଗଳାରେ ରାତି କଟାଇଲୁ ।

 

ପରଦିନ ସକାଳୁ ବଙ୍ଗଳାରୁ ବାହାରି ପିଥୋରାଗଡ଼ ଆଡ଼କୁ କେଇ ମାଇଲ୍ ଯିବା ପରେ ସଡ଼କ ଛାଡ଼ି ଗୋଟିଏ ଚଲାବାଟରେ ଡାହାଣକୁ ମୁହାଁଇଲୁ । ବାଟସାରା ପ୍ରତି ଗାଁରେ ନରଖାଦକର ଖବର ପଚାରିବାକୁ ପଡ଼ୁଥିବାରୁ ଅତି ଧୀରେ ଧୀରେ ଆଗେଇବାକୁ ହେଉଥାଏ । ଶହ ଶହ ବର୍ଗମାଇଲ୍‍ ବିସ୍ତୃତ ଏହି ଜନବିରଳ ଅଞ୍ଚଳରେ ଗାଁଗୁଡ଼ିକ ପରସ୍ପରଠାରୁ ବହୁତ ଦୂରରେ । ଗାଁ ଗାଁ ଭିତରେ ସଂଯୋଗ ସ୍ଥାପନ କରୁଥିବା ସରୁ ଚଲାବାଟ କେତୋଟି ଛଡ଼ା ଏଠାରେ ଚଳାଚଳଯୋଗ୍ୟ ରାସ୍ତାର ମଧ୍ୟ ବିଶେଷ ଅଭାବ । ପାଖ ପାଖ ହୋଇ ରହିଥିବା କେତୋଟି ଗ୍ରାମକୁ ମିଶାଇ ଏଠାରେ ‘ପଟ୍ଟି’ ବୋଲାଯାଏ ।

 

‘ସଲାନ୍’ ଓ ‘ରଙ୍ଗୋଟ୍’ ପଟ୍ଟି ଦୁଇଟି ପାରହୋଇ ଚତୁର୍ଥ ଦିନ ସନ୍ଧ୍ୟାରେ ‘ଚାକ୍‌ଟି’ରେ ପହଞ୍ଚି ଶୁଣିଲୁ ଯେ ପାନାର୍ ନଦୀ ଆରପାଖେ ‘ସନୌଲି’ ଗାଁରେ ଚିତାବାଘ କେଇ ଦିନତଳେ ମଣିଷ ମାରିଛି । ବର୍ଷା ଯୋଗୁଁ ନଈରେ ବଢ଼ି ପାଣିର ପ୍ରବଳ ସୁଅ; ନଈ ପାରିହେବାକୁ କେଉଁଠି ପୋଲଟିଏ ବି ନାହିଁ । ରାତିକ ତାଙ୍କରି ଗାଁରେ ରହିଯିବାକୁ ପରାମର୍ଶ ଦେଇ ଚାକଟିର ମୁଖିଆ କହିଲେ ଯେ ନଈ ପାରିହେବା ପାଇଁ ସୁବିଧା ଥଳଟିଏ ଦେଖାଇ ଦେବାକୁ ସକାଳୁ ଜଣେ ବାଟକଢ଼ାଣିଆ ଯୋଗାଡ଼ କରି ସେ ଆମ ସଙ୍ଗରେ ପଠାଇବେ ।

 

ଗାଁରେ ଲଗାଲଗି ହୋଇ ସାହାଲାଏ ଦୋତାଲା ଘର । ସେଥିରୁ ଗୋଟିକର ଉପର ମହଲାରେ ଆମ ପାଇଁ ଦୁଇବଖରା ଘର ଛାଡ଼ିଦେବାକୁ ମୁଖିଆ ପ୍ରସ୍ତାବ ଦେଲେ । ଗାଁରେ ପଶିଲାବେଳେ ସାହାଲା ଶେଷମୁଣ୍ଡରେ ତଳମହଲାର ଘର ବଖରାଏ ଖାଲି ପଡ଼ିଥିବା ଲକ୍ଷ୍ୟ କରିଥିଲି । ମୋ ଲୋକଙ୍କ ରହଣୀପାଇଁ ବ୍ୟବସ୍ଥା ହୋଇଗଲେ ମୁଁ ନିଜେ ସେହି ବଖରାକରେ ରହିଯିବ ବୋଲି କହିଲି । ଘରଟିରେ କବାଟ ନ ଥିଲା । ତେବେ ଚିତାବାଘ ଅଳ୍ପଦିନ ତଳେ ନଈ ଆର ପାରିରେ ମଣିଷ ମାରିଛି । ଭରା ନଈ ପହଁରି ଏ ପାରିକୁ ସେ ଆସିବ ନାହିଁ ବୋଲି ଭରସା ରଖି ଖୋଲା ଘରଟିରେ ରାତିକ ରହିଯିବାକୁ ସ୍ଥିର କଲି ।

 

ଘରଟିରେ ଆସବାବପତ୍ର କିଛି ନଥିଲା । ଘରସାରା ଅଳିଆରେ ଭରା, ପୁଳା ପୁଳା ନଡ଼ାକୁଟା ଓ ଛିଣ୍ଡା କତରା ଏଣେତେଣେ ବିଛାଇ ହୋଇପଡ଼ିଥାଏ । ଅଳିଆତକ ଓଳାଇ ସଫା କରୁ କରୁ ମୋ ଲୋକେ ଘୃଣାରେ ନାକ ଟେକି ବାରମ୍ବାର କହୁଥାଆନ୍ତି ଯେ ଘରର ମାଲିକ ଗୋଟାଏ ନିହାତି ମସିଆ ଲୋକ ହୋଇଥିବ ନିଶ୍ଚୟ । ମାଟି ଚଟାଣଟିକୁ ଓଳାଇ ସତରଞ୍ଜି ବିଛାଇ ସେମାନେ ମୋ’ପାଇଁ ବିଛଣା ପାରିଦେଲେ । ଚାକର ସେ ଭିତରେ ଅଗଣାରେ ଚୁଲି ପକାଇ ରୋଷେଇବାସ ସାରିଥିଲା । ବିଛଣାରେ ଚକାପକାଇ ବସି ଆରାମରେ ଖିଆପିଆ କଲି । ବାରଘଣ୍ଟା ଅନବରତ ବାଟ ଚାଲିବା ପରେ ହାଲିଆ ହୋଇପଡ଼ିଥିଲି । ବିଛଣାରେ ଗଡ଼ିପଡ଼ିବା ମାତ୍ରେ ନିଦ ଲାଗିଗଲା ।

 

ସକାଳୁ ନିଦ ଭାଙ୍ଗିଲାବେଳକୁ କବାଟ ବାଟେ ଖରା ଚେନାଏ ଘର ଭିତରକୁ ପଡ଼ିଛି । ପାଖରୁ କେଉଁଠୁ ଖୁଡ଼୍ ଖାଡ଼୍ ଶୁଣି ଆଖି ମେଲାଇ ଚମକି ପଡ଼ି ଦେଖିଲି ଯେ ବିଛଣାରୁ ମୋଟେ ହାତେ ଛଡ଼ାରେ କୁଷ୍ଠରୋଗୀଟିଏ ଭୂଇଁରେ ଚେକା ପକାଇ ବସିଛି । ଲୋକଟିର ବୟସ ପ୍ରାୟ ପଚାଶ; ଗଳିତକୁଷ୍ଠ ରୋଗୀ । ଗୋଡ଼ହାତ ତା’ର ଘାଆ ହୋଇ ମିଳାଇ ଗଲାଣି । ମୋ ନିଦ ଭାଙ୍ଗିବା ଦେଖି ବିଚରାଟି ଶିଷ୍ଟାଚାର ଦେଖାଇ ନିଦ କିପରି ହେଲା ବୋଲି ପଚାରିଲା । ଏ ଘର ବଖରାକ ତାହାର । ଦୁଇଦିନ ତଳେ ବନ୍ଧୁବାନ୍ଧବ ସଙ୍ଖୋଳିବାକୁ ସେ ପାଖ ଗାଁକୁ ଯାଇଥିଲା । ରାତିରେ ଫେରିଆସି ଘରେ ମୋତେ ଶୋଇଥିବା ଦେଖି ବିଛଣା ପାଖରେ ସେ ଅପେକ୍ଷା କରି ବସିଥିଲା ।

 

ପ୍ରାଚ୍ୟ ଦେଶମାନଙ୍କରେ ଦେଖାଯାଉଥିବା ନାନା ସଂକ୍ରାମକ ରୋଗ ଭିତରୁ କୁଷ୍ଠରୋଗକୁ ମୁଁ ସବୁଠାରୁ ବେଶି ଭୟ କରେ । କୁମାୟୂଁ ଡିଭିଜନରେ ଓ ବିଶେଷ କରି ଆଲମୋଡ଼ା ଜିଲାରେ ଏ ରୋଗର ପ୍ରାଦୁର୍ଭାବ ଓ ପ୍ରକୋପ ସବୁଠାରୁ ବେଶି । ସେଠାକାର ଗ୍ରାମବାସୀଙ୍କର କିନ୍ତୁ ଅଦୃଷ୍ଟ ଉପରେ ଅତୁଟ ବିଶ୍ଵାସ; କୁଷ୍ଠରୋଗକୁ ସେମାନେ ଦୈବବିଧାନ ଭାବେ ଗ୍ରହଣ କରନ୍ତି । ରୋଗୀକୁ ସୁସ୍ଥଲୋକଙ୍କଠାରୁ କେହି ଅଲଗା ରଖନ୍ତି ନାହିଁ କିମ୍ବା ରୋଗର ଚିକିତ୍ସା ବା ପ୍ରତିଷେଧ ପାଇଁ ବ୍ୟବସ୍ଥା କିଛି କରନ୍ତି ନାହିଁ । ଏପରିସ୍ଥଳେ କୁଷ୍ଠରୋଗୀର ଘରେ ରାତିଏ ରହଯିବାକୁ ଯେ କାହାର କିଛି ଆପତ୍ତି ଥାଇପାରେ, ଏ କଥା ମୁଖିଆଙ୍କ ମନକୁ ଛୁଇଁଥାଆନ୍ତା ବା କାହିଁକି?

 

ତରବରରେ ଲୁଗାପଟା ପିନ୍ଧି ବିଛଣାପତ୍ର ଗୁଡ଼ାଇ ପଦାକୁ ପଳାଇ ଆସିଲି ଓ ବାଟକଢ଼ାଣିଆ ଜଣେ ଯୋଗାଡ଼ ହେବାମାତ୍ରେ ଚାକର ଭାରୁଆଙ୍କୁ ତନାଘନା କରି ଯେତେ ଶୀଘ୍ର ସମ୍ଭବ ଗାଁରୁ ବାହାରିଗଲି । କୁମାୟୂଁର ସବୁଆଡ଼େ ଅବାରିତଭାବେ ଘୂରି ବୁଲିବାବେଳେ କୁଷ୍ଠରୋଗ ପ୍ରତି ମୁଁ ସର୍ବଦା ଅତି ସାବଧାନ ଓ ସତର୍କ ହୋଇ ଚଳେ । ଶେଷରେ ମୋରି କପାଳରେ କୁଷ୍ଠରୋଗୀର ଘରେ ରାତିଏ କଟାଇବାର ଦୁର୍ଯୋଗ ଆସି ଜୁଟିଗଲା । ଲୁଗାପଟା ଦେହହାତ ଭାରି ଅପରିଷ୍କାର ଲାଗୁଥାଏ । ବାଟରେ ଗୋଟଏ ଝରଣା କୂଳରେ ଲୋକେ ଖିଆପିଆ କରିବା ପାଇଁ ଅଟକିଲେ । ବିଛଣା ଖୋଲି ଖରାରେ ପକାଇବାକୁ ଓ ସତରଞ୍ଜିଟିକୁ କାଚି ସଫା କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇ ନିଜେ ମୁଣ୍ଡାଏ କାର୍ବଲିକ୍ ସାବୁନ ଧରି ବାହାରିଗଲି । ଆଗକୁ ଝରଣାକୂଳରେ ପଥରଘେରା ଚବକାଟିଏ ଥିଲା । ଲୁଗାପଟା ଖୋଲି ସାବୁନ ଲଗାଇ ପଥର ଉପରେ ବାଡ଼େଇ କାଚିଲି ଓ ଝରଣାରେ ଧୋଇ ପଥର ଉପରେ ଶୁଖିବାକୁ ବିଛାଇଦେଲି । ତା’ପରେ ଦେହମୁଣ୍ଡରେ ବାକିତକ ସାବୁନ ବୋଳି ଯେମିତି ଘଷିମାଜି ହୋଇ ଗାଧୋଇଲି, ଆଉ କେବେ ସେମିତି ରଗଡ଼ି ହୋଇ ଗାଧୋଇବା ମୋର ମନେନାହିଁ । କଚାକଚିରେ ଲୁଗାପଟା ଟିକିଏ ମରିଗଲେ ବି ବେଶ୍ ସଫା ହୋଇଗଲା । ଲୁଗା ଶୁଖିଲାବେଳକୁ ଖୁବ୍ ଭୋକ ବି ହେଲାଣି । ସଫା ଲୁଗାପଟା ପିନ୍ଧି ଶାନ୍ତିରେ ବସି ଜଳଖିଆ କରିବା ପରେ ବାଟକଢ଼ାଣିଆ ସହିତ ଗନ୍ତବ୍ୟ ପଥରେ ପୁଣି ଆଗେଇ ଚାଲିଲି ।

 

ବାଟକଢ଼ାଣିଆଟିର ଗଠନ ଦେଖିବାକୁ ଅତି ବିଚିତ୍ର । ଉଚ୍ଚତା ତା’ର ମୋଟେ ସାଢ଼େ ଚାରିଫୁଟ । ବୃଷାଳ ଦେହଟି ତୁଳନାରେ ଗୋଡ଼ ଦୁଇଟା ଛୋଟ ଛୋଟ ଓ ମୁଣ୍ଡ ଅପେକ୍ଷାକୃତ ବଡ଼ । ମୁଣ୍ଡରେ ପୁଣି ଲମ୍ବ ଲମ୍ବ ଗୋଛାଏ ବାଳ । ଲୋକଟିର ବେଶି କଥା କହିବାର ଆଦତ ନ ଥାଏ; କେହି ପଚାରିଲେ ପଦେ ଦୁଇପଦ ଜବାବ୍ ଦେଇ ସେ ତୁନି ହୋଇଯାଏ । ବାଟରେ ପାହାଡ଼ ପର୍ବତ ପଡ଼ିବା କଥା ମୁଁ ପଚାରିବାରୁ ହାତ ମେଲାଇ ଦେଇ ସେ କହିଲା ଯେ ବାଟସାରା ତା’ ହାତପାପୁଲିଭଳି ଚଟକା; ଉଠାଣି ଗଡ଼ାଣି କେଉଁଠି କିଛି ନାହିଁ । ଠିକ୍ ତା’ ପରେ ପରେ ତୀଖ ପାହାଡ଼ରୁ ଆମକୁ ଓହ୍ଲାଇ ଆଣି ଅତି ଗହୀର ଗୋଟିଏ ଉପତ୍ୟକାରେ ସେ ପୂରାଇଲା । ଏଥର ବୋଧହୁଏ ଉପତ୍ୟକା ଭିତରେ ହିଁ ଚାଲିବାକୁ ପଡ଼ିବ ଭାବି ମୁଁ ଖୁସି ହେଉଛି, ଏତିକିବେଳେ ବିନା ବାକ୍ୟବ୍ୟୟରେ ସେ ବାଟ ଭାଙ୍ଗି ଆଉ ଗୋଟିଏ ପାହାଡ଼ ଚଢ଼ିବାକୁ ଆରମ୍ଭ କଲା । ପାହାଡ଼ କଡ଼ ସାରା ପୁଣି ସରୁ ଗୋଡ଼ି ଉପରେ କଣ୍ଟାବୁଦାର ଗହଳ ଜଙ୍ଗଲ । ଲୋକଟି ସେଥିରେ ଯେମିତି ଅନାୟାସରେ ଚଢ଼ି ଚାଲିଯାଉଥାଏ, ମନେହେଲା ତା’ ଗୋଡ଼ ଦୁଇଟା ଯେମିତି ଖାସ୍‌କରି ପାହାଡ଼ ଚଢ଼ିବା ପାଇଁ ତିଆରି । ମୁଣ୍ଡଫଟା ଖରାରେ ତୀଖ ଖସଡ଼ା ଉଠାଣିରେ ତା’ ପଛରେ ଧାଇଁ ଧାଇଁ ଆମେ ନାକେଦମ୍ ହୋଇଗଲୁ । କଢ଼ାଣିଆଟି କିନ୍ତୁ କାହା ପ୍ରତି ଟିକିଏ ନଜର ନ ଦେଇ ନିର୍ବିକାରରେ ଆହୁରି ଉଚ୍ଚକୁ ଚଢ଼ିବାକୁ ଲାଗିଥାଏ ।

 

ପାହାଡ଼ଚୂଡ଼ା ପାଖରେ ପହଞ୍ଚିଲା ବେଳକୁ ସମସ୍ତେ ଅଣନିଃଶ୍ଵାସୀ ହୋଇ ଝାଳରେ ଗାଧୋଇ ପଡ଼ିଥାଉ । ଚୂଡ଼ା ପାଖରୁ ଆଖପାଖ ଅଞ୍ଚଳ ସବୁ ଦୀର୍ଘ ଦୂରଯାଏ ସ୍ପଷ୍ଟ ଦେଖାଯାଉଥାଏ-। ନିଃଶ୍ଵାସ ମାରିବାକୁ ଆମକୁ ଦଣ୍ଡେ ତର ନ ଦେଇ କଢ଼ାଣିଆ ଅତି ସଂକ୍ଷେପରେ ଓ ସହଜ ଭାବେ ଶୁଣାଇଦେଲା ଯେ ଆଗକୁ ଆହୁରି ଦୁଇଟା ପର୍ବତ ପାର ହେବାକୁ ପଡ଼ିବ । ପାନ୍ଵା ମିସ୍ତ୍ରୀ ତା’ ପିଲାମାନଙ୍କ ପାଇଁ ଲୁଗାପଟା କିଣି ଗାଁକୁ ନେଉଥାଏ; ଲୁଗା ଗଣ୍ଠିଲି ସହିତ ନିଜର ପ୍ରକାଣ୍ଡ କୋଟ୍‌ଟି ବାନ୍ଧି ସେ ମସ୍ତବଡ଼ ବୁଜୁଳାଟିଏ କରିଥିଲା । ଆମ ସମସ୍ତଙ୍କ ଭିତରୁ ତାରି ବୋଝ ଥିଲା ସବୁଠାରୁ ବଡ଼ ଓ ଓଜନ । ଆଗକୁ ଆହୁରି ପାହାଡ଼ ପଡ଼ିବ ଶୁଣି ସେ କ୍ଷେପି ଉଠି କହିଲା ଯେ କଢ଼ାଣିଆ ଯଦି କୁମାୟୂଁ ସାରା ବୁଲି ବୁଲି ମୁଲକଯାକର ପାହାଡ଼ ଚଢ଼ିବାକୁ ମନସ୍ଥ କରିଥାଏ, ତେବେ ସେହିଠାରୁ ତା’ କୋଟ୍‌ଟି ଅନ୍ତତଃ ତାକୁ ବୋହିବାକୁ ପଡ଼ିବ । କଢ଼ାଣିଆ ଏଥିରେ ଉଁ ଚୁଁ ଜବାବ ନ ଦେଇ ଅଣ୍ଟାରୁ ଛେଳିରୁମର ଲମ୍ବ ସୁତୁଲିଟିଏ ଫିଟାଇଲା ଓ ନୀରବରେ କୋଟ୍‌ଟିକୁ ପିଠିରେ ବାନ୍ଧିଦେଇ ପୂର୍ବାପେକ୍ଷା ଆହୁରି ବେଗରେ ଆଗେଇବାକୁ ଲାଗିଲା ।

 

ପର୍ବତ ଦୁଇଟି ପାର ହୋଇ ଗହୀର ଗୋଟିଏ ଉପତ୍ୟକାକୁ ଗଡ଼ିଲା ପରେ ଦୂରରୁ ପାନାର୍ ନଦୀ ଦେଖାଗଲା । ସେତକବାଟ ଆମେ ରାସ୍ତା ଛାଡ଼ି ଅମଡ଼ାରେ ପଶି ଆସିଥାଉ, ବାଟସାରା କେଉଁଠି ଗୋଟିଏ ବି ଗାଁ ଦେଖି ନ ଥାଉ । ସାମନାରେ ସରୁ ଚଲାବାଟଟିଏ ପାଣିକୂଳକୁ ପଡ଼ିଛି ଦେଖି ସେଥିରେ ଆଗେଇଲୁ । ଆରକୂଳରେ ଠିକ୍ ସେଇ ସଳଖରେ ଆଉ ଗୋଟିଏ ଚଲାବାଟ ଦେଖି ଜାଣିଲୁ ଯେ ନଈ ପାରହେଲା ପରି ଥଳଟିଏ ସେଠାରେ ଅଛି । ତେବେ ନଈ ଆଡ଼କୁ ଯେତିକି ପାଖୋଉ ଥାଉ, ବଢ଼ି ପାଣିର ପ୍ରବଳ ସୁଅ ଦେଖି ମନରେ ସେତିକି ଛନକା ପଶୁଥାଏ । ଥଳ ପାଖରେ ନଈ ପ୍ରାୟ ଚାଳିଶ ଗଜ ଓସାର; ପାଣିତଳେ ସେଠାରେ ଖାବଖାବଡ଼ା ପଥର ଥିଲାପରି ଜଣାପଡ଼ୁଥାଏ । ସେପରି ସ୍ଥାନରେ ସୁଅ କାଟି ନଈ ପାରହେବା ଅତି ବିପଜ୍ଜନକ-। କଢ଼ାଣିଆ କିନ୍ତୁ ଆମକୁ ସାହସ ଦେଇ କହିଲା ଯେ ସେଠାରେ ପାରିହେବାରେ ଆଦୌ ବିପଦ ନାହିଁ । ତା’ କଥା ମାନି ଜୋତା ମୋଜା ଖୋଲି ପାନ୍ଵା ସହିତ ହାତଛନ୍ଦି ମୁଁ ପ୍ରଥମେ ପାଣିରେ ପଶିଲି । ବାଟଯାକ ପଥର ଝୁଣ୍ଟି ଝୁଣ୍ଟି ଗୋଡ଼ ଖଣ୍ଡିଆଖାବରା ହେଲା । ଜାଗାଏ ସୁଅରେ ପେଲିହୋଇ ଭାସି ଯାଉ ଯାଉ ଦୁହେଁ ଅଳ୍ପକେ ଠକିଗଲୁ । ଶେଷରେ ଅତି କଷ୍ଟରେ ନଈଟିକୁ ପାରହୋଇ ଦୁହେଁ ଆରକୂଳକୁ ଉଠିଲୁ ।

 

କଢ଼ାଣିଆଟି ଆମ ପଛେ ପଛେ ପାଣିରେ ପଶିଥିଲା । କୂଳରେ ପହଞ୍ଚି ପଛକୁ ଅନାଇ ଦେଖିଲୁ ଯେ ଲୋକଟି ତା’ର ଉଚ୍ଚତା ଯୋଗୁଁ ବଡ଼ ଅସୁବିଧାରେ ପଡ଼ିଛି । ଆମକୁ ଯେଉଁଠି ଜଙ୍ଘେ ପାଣି, ତାକୁ ସେଠି ଅଣ୍ଟାଏ । ମଝି ନଈରେ ସୁଅର ବେଶି ତୋଡ଼; ସୁଅକୁ ସେଠାରେ ପିଠି ବୁଲାଇ କଢ଼େଇ କରି ପାଦ ଚିପି ଚିପି ଚାଲିବା କଥା । ଲୋକଟି କିନ୍ତୁ ସୁଅ ଆଡ଼କୁ ମୁହଁ କରି ଚାଲିବାକୁ ଚେଷ୍ଟାକଲା । ଚାହୁଁ ଚାହୁଁ ପାଣି ତୋଡ଼ରେ ପେଲି ହୋଇ ସେ ପଛକୁ ଲେଉଟି ପଡ଼ିଲା ଓ ଆଖିପିଛଡ଼ାକେ ସୁଅମୁହଁରେ ତଡ଼ି ହୋଇ ନଈ ତଳଆଡ଼କୁ ଭାସିଗଲା । ମୁଁ ସେହିକ୍ଷଣି ପାଣିରୁ ଉଠିଛି, ଜୋତା ପିନ୍ଧିବାକୁ ସମୟ ପାଇନାହିଁ । ଧାରୁଆ ପଥର ଉପରେ ଖାଲି ପାଦରେ ଆଗେଇ ନ ପାରି ନିରୁପାୟ ହୋଇ ଅନାଇ ରହିଗଲି । ପାନ୍ଵା ମିସ୍ତ୍ରୀର ପିଲାଦିନୁ ବିନା ଜୋତାରେ ଚାଲିବା ଅଭ୍ୟାସ । ଲୁଗା ବୁଜୁଳାଟି ଫିଙ୍ଗିଦେଇ ବାଟ ଅବାଟ ନ ମାନି ନଈ କୂଳେ କୂଳେ ସେ ଧାଇଁଗଲା ତଳଆଡ଼କୁ । ପଚାଶଗଜ ତଳେ ଜାଗାଏ ପିଣ୍ଡି ପରି ପ୍ରକାଣ୍ଡ ପଥରଟିଏ ନଈ ଭିତରକୁ ପଶିଯାଇ ପାଣିଧାର ସରୁ ହୋଇଯାଇଥାଏ । ସୁଅର ବେଗ ସେଠାରେ ସେହି ଅନୁପାତରେ ବେଶି । ନିଜ ପ୍ରତି ବିପଦକୁ ଭ୍ରୂକ୍ଷେପ ନ କରି ପାନା ଶିଉଳିଭରା ଓଦା ପଥର ଉପରେ ଧାଇଁଯାଇ ପାଣିକୂଳରେ ପେଟେଇ ପଡ଼ିଲା ଓ କଢ଼ାଣିଆ ଭାସି ଭାସି ହାତପାଆନ୍ତାକୁ ଆସିଯିବାମାତ୍ରେ ବାଳ ଗୋଛାକ ମୁଠାଇ ଧରି ଭିଡ଼ି ଓଟାରି ଅତି କଷ୍ଟରେ ତାକୁ କୂଳକୁ ଟାଣିଆଣିଲା । ମୋ ପାଖରେ ପହଞ୍ଚିଲାବେଳକୁ କଢ଼ାଣିଆ ଗୋଟାପଣେ ଓଦା ହୋଇ ଚୁଚୁନ୍ଦ୍ରା ବାସିପାଣିରୁ ଉଠିଲା ପରି ଦିଶୁଥାଏ ।

 

ପରପାଇଁ ଅକାତରରେ ଜୀବନ ବିପନ୍ନ କରି ପାନା ଯେପରି ସାହସର ପରିଚୟ ଦେଲା, ସେଥିପାଇଁ ତାକୁ ପ୍ରଶଂସା ନ କରି ରହିପାରିଲି ନାହିଁ । ପାନ୍ଵା ପ୍ରଥମେ କାବା ହୋଇ ମୋ ମୁହଁକୁ ବଲବଲ କରି ଅନାଇ ରହିଲା । ତା’ପରେ ମୋ କଥାର ମର୍ମ ବୁଝିପାରି ସେ କହିଉଠିଲା, “ମୋ ନୂଆ କୋଟ୍‌ଟା ତା’ ପିଠିରେ ବନ୍ଧା ହୋଇଥିଲା ପରା ! ଲୋକଟାକୁ ଧରି ନ ଥଲେ କୋଟ୍ ଆଉ ମିଳିଥାଆନ୍ତା ?” କଢ଼ାଣିଆକୁ ଉଦ୍ଧାର କରିବାରେ ପାନ୍ଵାର ଯାହା କିଛି ଉଦ୍ଦେଶ୍ୟ ଥାଉ ନା କାହିଁକି, ବଡ଼ ଦୁର୍ଯୋଗରୁ ସେ ଆମକୁ ରକ୍ଷାକଲା ।

 

ଦଳର ଅନ୍ୟମାନେ ନିର୍ବିଘ୍ନରେ ପାରିହୋଇଯିବା ପରେ ସେଦିନ ଆଉ ଆଗକୁ ନ ଯାଇ ନଈକୂଳରେ ହିଁ ରହିଯିବାକୁ ସ୍ଥିରକଲୁ । କଢ଼ାଣିଆର ସେହିଠାରୁ ଗାଁକୁ ଫେରିବା କଥା; ଆଉ ଥରେ ସେଠାରେ ନଈରେ ପଶିବାକୁ ସେ ଆଦୌ ମଙ୍ଗିଲା ନାହିଁ । ପାନ୍ଵାର ଗାଁ ନଈକୂଳରୁ ମୋଟେ ପାଞ୍ଚମାଇଲ୍‍ ଦୂର । ଆମଠାରୁ ବିଦାୟ ନେଇ କଢ଼ାଣିଆକୁ ସଙ୍ଗରେ ଡାକି ସେହିଠାରୁ ବାଟଭାଙ୍ଗି ସେ ଗାଁକୁ ଚାଲିଗଲା ।

 

(ତିନି)

 

ଚିତାବାଘ ଅଳ୍ପଦିନ ତଳେ ‘ସନୌଲି’ରେ ମଣିଷ ମାରିଥିବା କଥା ‘ଚାକ୍‌ଟି’ର ମୁଖିଆଙ୍କଠାରୁ ଶୁଣିଥିଲି । ପରଦିନ ସକାଳେ ଡେରା ଉଠାଇ ‘ସନୌଲି’ ଆଡ଼କୁ ଚାଲିଲୁ । ଦିନଯାକ ବାଟ ଚାଲି ଚାଲି ସନ୍ଧ୍ୟାବେଳେ ପହଞ୍ଚିଲୁ ଜନମାନବଶୂନ୍ୟ ଏକ ପ୍ରଶସ୍ତ ଉପତ୍ୟକାରେ । ପର୍ବତଘେରା ଅନୁଚ୍ଚ ଉପତ୍ୟକାଟିରୁ ବର୍ଷାପାଣି ଖଲାସ ନ ହୋଇ ଭୂଇଁ ଭାରି ସନ୍ତସନ୍ତିଆ ହୋଇଥାଏ । ନିକଟରେ ଗାଁଗଣ୍ଡା କିଛି ନ ଥିବାରୁ ବାଧ୍ୟ ହୋଇ ସେହିଠାରେ ଡେରା ପକାଇଲୁ । ସେତେବେଳକୁ ନରଖାଦକର ଅସଲ ଶିକାର ଇଲାକାର ପ୍ରାୟ ମଝିରେ ଆମେ ପହଞ୍ଚିଗଲୁଣି । ସେଥିପାଇଁ ରାତିତମାମ ଜାଗତିଆର ରହିବାକୁ ପଡ଼ିଲା । ତା’ ସହିତ ପୁଣି ଉପରୁ କାକରବର୍ଷା ଓ ତଳେ ସନ୍ତସନ୍ତିଆ ଓଦା ମାଟି । ଅତି କଷ୍ଟରେ ରାତି କଟାଇ ସକାଳୁ ବାଟ ଧରିଲୁ । ‘ସନୌଲି’ରେ ପହଞ୍ଚିଲାବେଳକୁ ଦିନ ବାରଟା । ଗାଁଟି ଛୋଟ–ବାସିନ୍ଦାଙ୍କ ସଂଖ୍ୟା ମଧ୍ୟ ବେଶି ନୁହେଁ । ଘୋର ଦୁର୍ଦ୍ଦଶାଗ୍ରସ୍ତ ସେଠାକାର ଗ୍ରାମବାସୀମାନେ ଆମକୁ ଦେଖି କୋଟିନିଧି ପାଇଲାଭଳି ହେଲେ । ମୋ ଲୋକଙ୍କ ରହିବାପାଇଁ ଘର ବଖରାଏ ସଙ୍ଗେ ସଙ୍ଗେ ଖାଲିକରି ଦିଆଗଲା । ପାଖରେ ଛଣ-ଛାଆଣି ହୋଇଥିବା ଖୋଲା ଚଉତରାଟିଏ ଦେଖି ରାତିରେ ମୁଁ ସେଇଠି ରହିବି ବୋଲି କହିଲି ।

 

ପାହାଡ଼ କଡ଼ରେ ଉପତ୍ୟକାରୁ ଅଳ୍ପ ଉଚ୍ଚରେ ‘ସନୌଲି’ର ଅବସ୍ଥିତି । ଗାଁ ତଳ ବଗଡ଼ ବିଲଗୁଡ଼ିକରୁ ଧାନ ଅମଳ ସରିଥାଏ । ଉପତ୍ୟକା ଆରପାଖେ ଅପେକ୍ଷାକୃତ କମ୍ ତୀଖ ଆଉ ଗୋଟିଏ ପାହାଡ଼ । ପାହାଡ଼ଟିର ମୃଦୁ ଗଡ଼ାଣିରେ ପ୍ରଥମେ ଶହେ ଗଜ ଚାଷ ଜମି ଓ ତା’ ଉପରକୁ କୋଡ଼ିଏ ମାଣ ଆକ୍ରାନ୍ତରେ ଗହଳ ଝାଟିବଣ । ଝାଟିବଣ ଉପରେ ଠିକ୍ ପାହାଡ଼ଚୂଡ଼ା ତଳକୁ ଛୋଟ ଗାଁଟିଏ; ତା’ଠାରୁ ଅଳ୍ପ ତଳକୁ ଓ ଡାହାଣକୁ ପାହାଡ଼ ପାଖରେ ଆହୁରି ଛୋଟ ଆଉ ଗୋଟିଏ ଗାଁ । ବଗଡ଼ ବିଲଗୁଡ଼ିକର ବାଁ ପାଖରେ ଅଳ୍ପ ଉଚ୍ଚ ଘାସଭରା ପାହାଡ଼ଟିଏ ଉପତ୍ୟକା ଉପରମୁଣ୍ଡକୁ ବନ୍ଧପରି ବୁଜି ଦେଇଥାଏ; ଫଳରେ ଝାଟିବଣର ତିନିପାଖରେ ଥାଏ ଚାଷଜମି ଓ ଗୋଟିଏ ପାଖେ ଖୋଲା ଘାସପଡ଼ିଆ ।

 

ଜଳଖିଆ ତିଆରି ହେବା ଭିତରେ ଗାଁ ଲୋକେ ମୋତେ ଘେରିବସି ସେମାନଙ୍କ ଦୁଃଖ କାହାଣୀ ଶୁଣାଇଲେ । ଗତ ମାର୍ଚ୍ଚ ମାସର ଶେଷ ଅଧରୁ ଅପ୍ରେଲ ଅଧ ଭିତରେ ଆର ଦୁଇଟି ଗାଁରୁ ତିନିଜଣ ଓ ତାଙ୍କରି ଗାଁରୁ ଜଣେ ଲୋକ ଚିତାବାଘର ଶିକାର ହେଲେ । ତିନୋଟି ଯାକ ଗାଁରେ ବନ୍ଧୁକଟିଏ ନ ଥିବାରୁ ଶବ ଉଦ୍ଧାର କରିବାକୁ କେହି ଭରସି ବାହାରିଲେ ନାହିଁ । ଚିତାବାଘ ପ୍ରତ୍ୟେକ ଥର ଗାଁରେ ପଶି ମଣିଷ ମାରିଥିଲା ଓ ଝାଟିବଣକୁ ବୋହି ନେଇ ବିନା ବାଧାରେ ଶବକୁ ଖାଇଥିଲା । ଏବେ ଛଅଦିନ ତଳେ ଚିତାବାଘ ତାଙ୍କରି ଗାଁରେ ଆଉ ଗୋଟିଏ ମଣିଷ, ମାରିଛି । ଏବଯାଏ ପାହାଡ଼ ଉପର ଝାଟିବଣରେ ହିଁ ସେ ନିଶ୍ଚୟ ଅଛି ବୋଲି ସମସ୍ତେ ଦୃଢ଼ଭାବେ ମତଦେଲେ ।

 

ସକାଳେ ଏଠାକୁ ଆସିବାବେଳେ ବାଟ କଡ଼ ଗୋଟିଏ ଗାଁରୁ ଗଜାବୟସର ବୋଦା ହଳେ କିଣିଥିଲି । ଚିତାବାଘ ଝାଟିବଣରେ ଥିବା କଥା ପରଖିବା ପାଇଁ ସାନ ବୋଦାଟିକୁ ନେଇ ବଣଧାରରେ ବାନ୍ଧିଲି । ଆଖପାଖରେ ଜଗି ବସିବା ଭଳି ଗଛଟିଏ ନ ଥିଲା । ଆକାଶ ସାରା ବାଦଲ ଜମି ରାତିରେ ବର୍ଷା ହେବ ବୋଲି ଜଣାପଡ଼ୁଥିଲା । ଏସବୁ ଦୃଷ୍ଟିରୁ ବୋଦାକୁ ଜଗିବାକୁ ଆଉ ଉଦ୍ୟମ ନ କରି ଗାଁକୁ ବାହୁଡ଼ି ଆସିଲି ଓ ରାତିରେ ଖୋଲା ଚଉତରାଟିରେ ଆଶ୍ରୟ ନେଲି ।

 

ରାତି ଭିତରେ ଚିତାବାଘ ଯଦି ଗାଁରେ ପଶେ, ତେବେ ଛେଳିଟିଏ ସୁବିଧାରେ ପାଇଗଲେ ସେ କଷ୍ଟକରି ମଣିଷ ଶିକାର ଖୋଜିବାକୁ ଯିବନାହିଁ । ଏଇ ଆଶାରେ ଚଉତରାରୁ ଅଳ୍ପ ଛଡ଼ାରେ ଆର ବୋଦାଟିକୁ ଖଟାଇଦେଲି । ବୋଦା ଦୁଇଟି ଛୁଆଦିନୁ ଏକାଠି ବଢ଼ିଥିଲେ । ଛାଡ଼ବାଡ଼ ହୋଇଯିବା ପରେ ପରସ୍ପରକୁ ଡାକଦେଇ ଦୁହେଁ ଗଳା ଛାଡ଼ି ବୋବାଉଥାଆନ୍ତି । ଢେର୍ ରାତିଯାଏ କାନଡେରି ରହିଲି; କିନ୍ତୁ ଚିତାବାଘ ପାଖରେ କେଉଁଠି ଥିବାର କୌଣସି ସୂଚନା ପାଇଲି ନାହିଁ । ଏ ଭିତରେ ସେ ଦୂରକୁ କେଉଁଠାକୁ ଚାଲିଯାଇଥିଲେ ଏଠାକୁ ବାହୁଡ଼ି ଆସିବା ତା’ ପକ୍ଷରେ ଆଦୌ ଅସମ୍ଭବ ନୁହେଁ ବୋଲି ଭାବୁ ଭାବୁ କେତେବେଳେ ନିଦ ଲାଗିଗଲା ।

 

ରାତିରେ ଝିପିଝିପି ବର୍ଷା ଅସରାଏ ହେଲା । ସକାଳେ ମୋ ନିଦ ଭାଙ୍ଗିଲାବେଳକୁ ଆକାଶ ନିର୍ମଳ ଓ ପକ୍ଷୀଙ୍କ ପ୍ରଭାତୀ କଳରବରେ ଚତୁର୍ଦ୍ଦିଗ ମୁଖରିତ । ଘାସପତ୍ର ଉପରେ ଟୋପା ଟୋପା ବର୍ଷାପାଣି ସକାଳୁଆ ଖରାରେ ମୁକ୍ତା ପରି ଝଲମଲ କରୁଥାଏ । ଚଉତରା ପାଖରେ ବନ୍ଧାଥିବା ବୋଦାଟିକୁ ଅନାଇ ଦେଖିଲି ଯେ ପାଖ ବୁଦାଗୁଡ଼ିକରୁ ସେ ପତ୍ର ଖଣ୍ଟି ଖାଉଛି ଓ ମଝିରେ ମଝିରେ ବୋବାଉଛି; କିନ୍ତୁ ଝାଟିବଣ ପାଖରୁ ଆର ବୋଦାଟି ଆଉ ଜବାବ ଦେଉନାହିଁ ଲକ୍ଷ୍ୟ କରି ମନରେ ପ୍ରବଳ ଆଶା ଜାଗିଉଠିଲା । ପାହାଡ଼ ଚଢ଼ିଲି । ଝାଟିବଣ ପାଖରେ ପହଞ୍ଚି ଦେଖିଲି ଯେ ବୋଦା ସେଠାରେ ନାହିଁ, ବର୍ଷାହେବା ଆଗରୁ ଚିତାବାଘ ତାକୁ ମାରି ପଘା ଛିଡ଼ାଇ ବଣ ଭିତରକୁ ବୋହିନେଇଛି । ବର୍ଷାରେ ପାହୁଲଦାଗ ଆଂଶିକ ଧୋଇଯାଇଥିଲେ ମଧ୍ୟ ଚିତାବାଘ ଝାଟିବଣରେ ହିଁ ଅଛି ଓ ମଲାବୋଦାଟିକୁ ସେହିଠାରେ ଲୁଚାଇଛି ବୋଲି ନିଶ୍ଚିତ ଭାବେ ଜଣାପଡ଼ିଗଲା ।

 

ବଣଜଙ୍ଗଲ ଭିତରେ ମହାବଳ ବା ଚିତାବାଘକୁ ଠାବ କରି ଛପି ଛପି ତା’ ପାଖକୁ ଯାଇ ମାରିବା ଭଳି ଆମୋଦଦାୟକ ଶିକାର ଆଉ କିଛି ନାହିଁ । ଅବଶ୍ୟ ପାରିପାର୍ଶ୍ୱିକ ଅବସ୍ଥା ସବୁଆଡ଼ୁ ସୁବିଧାଜନକ ନ ହେଲେ ସେଭଳି ଶିକାରରେ ସଫଳ ହେବା ଆଦୌ ସହଜ ନୁହେଁ । ଝାଟିବଣଟି ଯେମିତି ଗହଳ ଦେଖିଲି, ସେଥିରେ ନିଃଶବ୍ଦରେ ପଶିବା ଅସମ୍ଭବ । ସେହିଠାରୁ ବାହୁଡ଼ି ଆସି ଜଳଖିଆ କରି ଓ ଗ୍ରାମବାସୀଙ୍କୁ ଡକାଇ ଆଖପାଖ ଅଞ୍ଚଳ ବିଷୟରେ ଟିକିନିଖି ପଚାରି ବୁଝିଲି । ବୋଦା ଦେହରେ ଯଥେଷ୍ଟ ମାଂସ ଥିଲେ ତାକୁ ଜଗି ବସିବି ବୋଲି ସ୍ଥିର କରିଥାଏ; କିନ୍ତୁ ସେଭଳି ଗହଳ ଝାଟିବଣରେ ପଶି ଚିତାବାଘର ଅଜାଣତରେ ମଢ଼କୁ ଠାବ କରିବା ମଧ୍ୟ ସମ୍ଭବପର ମନେହେଲା ନାହିଁ । ଝାଟିବଣରେ ମୁଁ ପଶିବାଦ୍ଵାରା ଚିତାବାଘ ଯଦି ହୁରୁଡ଼ି ପଳାଇଯାଏ, ତାକୁ ଆଶ୍ରୟ ଦେବାଭଳି ଜଙ୍ଗଲ ପାଖରେ କେଉଁଠି ଅଛି ତାହା ପୂର୍ବରୁ ଜାଣି ରଖିବା ଦରକାର । ଗ୍ରାମବାସୀମାନେ ସମସ୍ତେ କହିଥିଲେ ଯେ ଚିତାବାଘକୁ ଉଢ଼ାଳ ଦେଲାଭଳି ଗହଳ ଜଙ୍ଗଲ ଝାଟିବଣର ଦୁଇମାଇଲ୍ ଭିତରେ କେଉଁଠାରେ ନାହିଁ । ବଣରୁ ଥରେ ବାହାରି ପଡ଼ିଲେ ଦୁଇମାଇଲ୍ ବାଟ ପଡ଼ିଆ ବିଲରେ ପଶିଯିବା ଛଡ଼ା ଛପିଯିବାକୁ ସେ କେଉଁଠି ଠାବ ପାଇବ ନାହିଁ ।

 

ଚିତାବାଘ ଦିନବେଳେ ଜଙ୍ଗଲ ଛାଡ଼ି ପଡ଼ିଆ ବିଲକୁ ବାହାରିବା ଜନ୍ତୁ ନୁହେଁ । ତେଣୁ ଝାଟିବଣରୁ ତା’ର ଖସି ପଳାଇବାର ବିଶେଷ ସମ୍ଭାବନା ନଥିଲା । ଖରାବେଳେ ବନ୍ଧୁକ ଧରି ବଣରେ ପଶିଲି । ବଣଧାରରୁ ଶହେଗଜ ଭିତରେ ଜାଗାଏ ମଲା ବୋଦାଟିର ହାଡ଼ଗୋଡ଼ତକ ମିଳିଲା । ଖୁରା, ଶିଙ୍ଘ ଓ ଦରଖିଆ ପାକସ୍ଥଳିଟି ଛଡ଼ା ଚିତାବାଘ ଆଉ କିଛି ବାକି ରଖିନଥିଲା । ଅନେକ ସମୟ ଧରି ବଣ ଭିତରେ ତାକୁ ଠାବ କରିବାକୁ ବହୁତ ଚେଷ୍ଟା କଲି । ବଣରେ ବୁଲ୍ ବୁଲ୍, କଜଳପାତି, କୁଣ୍ଡାଖିଆ ଓ କସ୍ତୁରା ଚଢ଼େଇଙ୍କର ଅଭାବ ନଥିଲା । ଚଢ଼େଇଗୁଡ଼ିକ ରାବ ଦେଇ ଚିତାବାଘର ସ୍ଥିତି ବାରମ୍ବାର ସୂଚାଇ ଦେବା ସତ୍ତ୍ୱେ ଶେଷପର୍ଯ୍ୟନ୍ତ ତା’ର ଟେର୍, ପାଇଲିନାହିଁ ।

 

ତିନୋଟିଯାକ ଗାଁର ଲୋକଙ୍କୁ ଠୁଳକରି ଚିତାବାଘକୁ ପଦାକୁ ଘଉଡ଼ାଇ ନ ଆଣିଲି କାହିଁକି ବୋଲି ପ୍ରଶ୍ନ ଉଠିପାରେ । ସେପରି କରିଥିଲେ ଘଉଡ଼ାଳିଙ୍କ ଜୀବନ ବିପନ୍ନ ହୋଇଥାଆନ୍ତା-। ବଣଧାରରେ ପହଞ୍ଚି ସାମନାରେ ଖୋଲାପଡ଼ିଆ ଦେଖିଥିଲେ ଚିତାବାଘ ସେହିଠାରୁ ଲେଉଟିବାକୁ ପ୍ରୟାସ କରିଥାଆନ୍ତା ଓ ଘଉ଼ଡ଼ାଳିଙ୍କ ଘେର ଭାଙ୍ଗି କେତେଜଣଙ୍କୁ ନିଶ୍ଚୟ ଘାଏଲ୍ କରିଥାଆନ୍ତା-

 

ଝାଟିବଣରୁ ଫେରି ଗାଁରେ ପାଦ ଦେବାମାତ୍ରେ ମୋର ବହୁଦିନର ପୁରୁଣା ମ୍ୟାଲେରିଆ ଜ୍ଵର ବାହାରିପଡ଼ିଲା । ଖୋଲା ଚଉତରାଟିରେ ଅଧାଚେତା ହୋଇ ପୂରା ଚବିଶଘଣ୍ଟା ପଡ଼ିରହିଲା ପରେ ପରଦିନ ଓପରବେଳା ଜ୍ଵର ଛାଡ଼ିଲା । ସେ ଭିତରେ ମୋ ଲୋକମାନେ ନିଜଆଡ଼ୁ ଛେଳିଟିଏ ଯୋଗାଡ଼ କରି ବୋଦା ମରିଥିବା ଜାଗାରେ ବାନ୍ଧିଥିଲେ; କିନ୍ତୁ ଚିତାବାଘ ରାତି ଭିତରେ ତାକୁ ଛୁଇଁ ନ ଥିଲା । ରାତିଏ ଓପାସ ରହିଲା ପରେ ଚିତାବାଘ ଆଜି ରାତିରେ ଛେଳିଟିକୁ ମାରିବାର ବେଶି ସମ୍ଭାବନା । ଜ୍ଵର ପରେ ଗୋଡ଼ହାତରେ ଜୀବନ ନ ଥିଲା ପରି ଲାଗୁଥିଲେ ବି ମନରେ ଆଶା ବାନ୍ଧି ପୁଣି ବନ୍ଧୁକ ଧରି ବାହାରିଲି ।

 

ବୋଦା ମରିଥିବା ସ୍ଥାନରୁ ପ୍ରାୟ ଶହେ ଗଜ ଛଡ଼ାରେ ବଣଧାରରେ ବୁଢ଼ା ଓକ୍ ଗଛଟିଏ-। ପାହାଡ଼କଡ଼ର ଦୁଇ କିଆରି ବଗଡ଼ ବିଲର ମଝି ବନ୍ଧରୁ ଗଛଟି ତେର୍ଚ୍ଛାରେ ଉଠି ତଳ କିଆରି ଆଡ଼କୁ ଏତେ ଶୋଇଯାଇଥିଲା ଯେ ରବର ଜୋତା ମାଡ଼ି ଗଣ୍ଡିରେ ଚାଲି ଚାଲି ମୁଁ ସହଜରେ ଗଛ ଅଗରେ ପହଞ୍ଚିଗଲି । ଭୂଇଁରୁ ପ୍ରାୟ ପନ୍ଦର ଫୁଟ ଉଚ୍ଚରେ ଫୁଟେ ମୋଟ ବଡ଼ ଡାଳଟିଏ ବାହାରି ତଳ କିଆରି ଉପରକୁ ଲମ୍ବିଥିଲା । ଡାଳଟି କିନ୍ତୁ ଖତରି ଯାଇ ଅତି ମସ୍‌କା ହୋଇଥାଏ; ସେଥିରେ ବସିଲେ ଡାଳ ଭାଙ୍ଗି ତଳେ ପଡ଼ିଯିବାର ଭୟ ଅନବରତ ଲାଗିରହିଥିବ । ଗଛଟିରେ କାମ ଚଳିବା ଭଳି ଆଉ ଗୋଟିଏ ବି ଡାଳ ନଥିଲା; ଛେଳିଠାରୁ ତିନିଶହ ଗଜ ଭିତରେ ହେବାଭଳି ସୁବିଧା ଆଉ ଗୋଟିଏ ବି ଗଛ ପାଇଲି ନାହିଁ । ଅଗତ୍ୟା ମସ୍‌କା ଡାଳଟିରେ ହିଁ ବସିବାକୁ ପଡ଼ିବ ଜାଣି ସେତିକି ବିପଦ ଗ୍ରହଣ କରିବାକୁ ପ୍ରସ୍ତୁତ ହେଲି ।

 

ପ୍ରଥମ ଅଭିଯାନରେ ଏ ଅଞ୍ଚଳକୁ ଆସିଥିଲାବେଳେ ଆହତା ଯୁବତୀଟିର ଘର ପାଖରେ ନରଖାଦକର ପାହୁଲଦାଗ ଦେଖିଥିଲି । ଝାଟିବଣରେ ପଡ଼ିଥିବା ପାହୁଲଦାଗ ସହିତ ସେଗୁଡ଼ିକର ଯଥେଷ୍ଟ ମେଳ ଥିବାରୁ ଛେଳିକୁ ନରଖାଦକ ହିଁ ମାରିଛି ବୋଲି ମୋତେ ଜଣାଥିଲା । ମଣିଷଖିଆ ଚିତାବାଘ ପରି ଚତୁର ଜନ୍ତୁ ସହିତ ମୁକାବିଲାରେ ସବୁପ୍ରକାର ସତର୍କତା ଅବଲମ୍ବନ କରିବା ନିହାତି ଉଚିତ । ତେଣୁ ଲୋକମାନଙ୍କୁ ଲଗାଇ କୋଡ଼ିଏ ଫୁଟ ଲମ୍ବ କ୍ଳାକ୍‌ଥର୍ନ କଣ୍ଟାଗୁଡ଼ିଏ କଟାଇ ଆଣିଲି; ମୋ ନିର୍ଦ୍ଦେଶ ଅନୁସାରେ ଲୋକମାନେ କଣ୍ଟାଗୁଡ଼ିକ ଗୋଛା କରି ବାନ୍ଧିଲେ ଓ ଡାଳରେ ଚଢ଼ି ମୁଁ ଗଛ ଗଣ୍ଡିକୁ ଆଉଜି ଗୋଡ଼ ଲମ୍ବାଇ ବସିଲା ପରେ କଣ୍ଟାଗୋଛାଗୁଡ଼ିକୁ ଗଛ ଚାରିପାଖେ ବେଢ଼ାଇ ଶକ୍ତ ଦଉଡ଼ିରେ ଭଲଭାବେ ଗୁଡ଼ାଇ ବାନ୍ଧିଦେଲେ । ନିଜର ସେତିକି ସତର୍କତା ଓ ଗଛଟିକୁ ଭଲଭାବେ କଣ୍ଟା ଘେରାଇ ଦେବାରେ ମୋ ଲୋକଙ୍କର ଯତ୍ନ ଓ ନିଷ୍ଠାପରତା ଯୋଗୁଁ ହିଁ ସେଦିନ ନରଖାଦକ ମୁହଁରୁ ଯେ ବର୍ତ୍ତିଗଲି–ଏହା ଭାବିଲେ ଦେହ ଆଜି ବି ଶୀତେଇ ଉଠେ ।

 

ଆୟୋଜନ ସବୁ ସାରି ଡାଳରେ ବସିଲାବେଳକୁ ଦିନ ପାଞ୍ଚଟା ବାଜିଥିଲା । ଆଶ୍ରା କରି ଧରିବାକୁ ହାତପାଆନ୍ତାରେ କିଛି ନ ପାଇ ଦୁଇ ପାଖରୁ ଲମ୍ବି ଆସିଥିବା କଣ୍ଟାଗୋଛା ଦୁଇଟିକୁ କାଖରେ ଜାକି ବସିଲି । ସୁଲୁସୁଲିଆ ଥଣ୍ଡା ପବନରୁ ତଣ୍ଟିକୁ ଘୋଡ଼ାଇବାକୁ କୋଟ୍‌ର କଲାର୍ ଟେକି ଟୋପିର ଫନ୍ଦକୁ ତଳକୁ ନୁଆଁଇଦେଲି । ତିରିଶିଗଜ ଦୂରରେ ବିଲ ମଝିରେ ଖୁଣ୍ଟିଟିଏ ବାଡ଼ିଆହୋଇ ଛେଳିକୁ ସେଥିରେ ଖଟାଇ ଦିଆଗଲା । ଆୟୋଜନ ସବୁ ସରିଲାପରେ ଲୋକମାନେ ବିଲମଝିକୁ ହଟିଯାଇ ଏକାଠି ବସି ପିକା ଟାଣିଲେ ଓ ନିର୍ଦ୍ଦେଶ ଅନୁସାରେ ଚିତାବାଘର ଦୃଷ୍ଟି ଆକର୍ଷଣ କରିବା ପାଇଁ ବଡ଼ ପାଟିରେ କଥାବାର୍ତ୍ତା ହେବାକୁ ଲାଗିଲେ ।

 

ଝାଟିବଣ କିଛି ସମୟ ସମ୍ପୂର୍ଣ୍ଣ ନିସ୍ତବ୍‌ଧ ରହିବା ପରେ ସିମିଟାର କୁଣ୍ଡାଖିଆ ଚଢ଼େଇଟିଏ ହଠାତ୍ ଉଚ୍ଚସ୍ୱରରେ ଆତଙ୍କଧ୍ଵନି କରି ଉଠିଲା । ଠିକ୍ ତା’ ପରେ ପରେ ଆହୁରି ପାଖରୁ କସ୍ତୁରା ଚଢ଼େଇ ପଲେ ଏକ ସଙ୍ଗେ କେଁ କଟର ଆରମ୍ଭ କରିଦେଲେ । ଶବ୍ଦସୂଚନାଦ୍ଵାରା ଶିକାରୀକୁ ସତର୍କ କରାଇଦେଉଥିବା ବିଭିନ୍ନ ପାର୍ବତୀୟ ପଶୁପକ୍ଷୀଙ୍କ ଭିତରୁ ଏହି ଦୁଇ ଜାତିର ପକ୍ଷୀଙ୍କ ଉପରେ ସବୁଠାରୁ ବେଶି ନିର୍ଭର କରାଯାଇପାରେ । ଚଢ଼େଇଙ୍କ ରାବ ଶୁଣିବାମାତ୍ରେ ଲୋକମାନଙ୍କୁ ହାତ ଠାରିଦେଲି । ସେତିକି ସଙ୍କେତ ପାଇଁ ସେମାନେ ଗଭୀର ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ନିର୍ଦ୍ଦେଶ ପାଇବାମାତ୍ରେ ସମସ୍ତେ ଏକଜୁଟ୍ ହୋଇ ବଡ଼ପାଟିରେ ଗପସପ କରି ଗାଁକୁ ବାହୁଡ଼ିଗଲେ । ଲୋକ ଦଳକ ଚାଲିଯିବା ଦେଖି ଛେଳି ଉଚ୍ଚସ୍ୱରରେ ବୋବାଇବାକୁ ଆରମ୍ଭ କଲା । ପରବର୍ତ୍ତୀ ଅଧଘଣ୍ଟାକାଳ ଛେଳି ଅନବରତ ବୋବାଇବା ଛଡ଼ା ଆଉ କୌଣସି ଶବ୍ଦ ଶୁଣିଲି ନାହିଁ ।

 

ସେ ଭିତରେ କଜଳପାତି ଦୁଇଟି କାହୁଁ ଉଡ଼ିଆସି ମୋ ଗଛ ଆଗରେ ବସିଥିଲେ । ସୂର୍ଯ୍ୟ ଠିକ୍ ଗାଁମୁଣ୍ଡ ପାହାଡ଼ ପଛରେ ଛପିଯିବାବେଳକୁ ଚଢ଼େଇ ଦୁଇଟି ଡେଣା ଫଡ଼‌୍ ଫଡ଼୍‍ କରି ଉଡ଼ିଗଲେ ଓ କେଁ କଟର ରାବ ଦେଇ ଝାଟିବଣ ଓ ମୋ ଗଛ ମଝିରେ ଥିବା ଚକଡ଼ାଏ ପଦାଜାଗା ଉପରେ ଚକ୍‌କର ଦେଇ ବାରମ୍ଵାର ଝାମ୍ପ ମାରିବାକୁ ଲାଗିଲେ । ଉପରୁ ଝାମ୍ପ ମାରି ବଡ଼ ବଡ଼ ଜନ୍ତୁମାନଙ୍କୁ ଉସ୍‌କାଇବା କଜଳପାତିଙ୍କ ଦସ୍ତୁର୍ । ଛେଳିଟି ସେତେବେଳ ଯାଏଁ ଲୋକମାନଙ୍କ ଯିବାବାଟକୁ ଅନାଇ ବୋବାଇବାରେ ଲାଗିଥିଲା । କଜଳପାତି ଦୁଇଟି ଝାମ୍ପ ମାରିବାମାତ୍ରେ ହଠାତ୍ ମୋ ଆଡ଼କୁ ମୁହଁ ବୁଲାଇ ଦେଇ ସମ୍ପୂର୍ଣ୍ଣ ନୀରବ ଓ ନିଶ୍ଚଳ ହୋଇ ଛିଡ଼ା ହୋଇଗଲା । କଜଳପାତି ଯେଉଁ ଜନ୍ତୁଟିକୁ ଛିଗୁଲାଉଥାଆନ୍ତି–ଆଉ ଛେଳି ଯାହାକୁ ଦେଖି ଡରୁଥାଏ–ଚିତାବାଘ ଛଡ଼ା ସେ ଆଉ କିଛି ହୋଇ ନ ପାରେ । ଛେଳି ଉପରେ ତୀକ୍ଷ୍‌ଣ ନଜର ରଖି ତା’ ଗତିବିଧିରୁ ଜନ୍ତୁଟିର କାର୍ଯ୍ୟକଳାପ ପର୍ଯ୍ୟାୟକ୍ରମେ ଅନୁସରଣ କରିବାକୁ ଲାଗିଲି ।

 

ପୂର୍ଣ୍ଣମୀକୁ ଆହୁରି ଚାରିଦିନ ବାକି ଥାଏ । ସନ୍ଧ୍ୟା ହେବାର କେଇ ଘଣ୍ଟା ପରେ ଜହ୍ନ ଉଇଁବ । ଆଜିକାଲି ପରି ସେତେବେଳେ ରାତି ଶିକାରରେ ଟର୍ଚ୍ଚ ବା ବିଜୁଳିବତିର ବ୍ୟାପକ ପ୍ରଚଳନ ନ ଥିଲା । ରାଇଫଲ୍ ଆଗରେ ଧଳାକନାର ପତଳା ପଟିଟିଏ ବାନ୍ଧି ରାତିରେ ଆମେ ତାହାରି ସାହାଯ୍ୟରେ ନିଶାଣ କରୁଥିଲୁ । ଅନ୍ଧାରରେ ରାଇଫଲ୍‌ ଗୁଳି ଅପେକ୍ଷା ଛର୍‌ରା ଉପରେ ବେଶି ନିର୍ଭର କରାଯାଇପାରେ । ତେଣୁ ରାଇଫଲ୍ ଛାଡ଼ି ସେଦିନ ମୁଁ ଦୁଇନଳିଆ ଟୁଏଲ୍‌ଭ୍ ବୋର୍ ବନ୍ଧୁକରେ ଛର୍‌ରା ପୂରାଇ ସଙ୍ଗରେ ନେଇଥିଲି ।

 

କେଇ ମିନିଟ୍ ଧରି ସବୁ ନୀରବ ରହିବା ପରେ ମୁଁ କାଖତଳେ ଜାକିଥିବା କଣ୍ଟା ଗୋଛାରେ ହଠାତ୍ ମୃଦୁ ଆକର୍ଷଣ ଅନୁଭବ କଲି । ଚମକି ପଡ଼ି ବୁଝିଗଲି ଯେ ଚିତାବାଘ ସେ ଭିତରେ କେତେବେଳେ ନିଃଶବ୍ଦରେ ଆସି ମୋରି ଗଛମୂଳେ ପହଞ୍ଚିଯାଇଛି ଓ କଣ୍ଟା ଆଡ଼େଇ ଗଛରେ ଚଢ଼ି ମୋତେ ହିଁ ଶିକାର କରିବାକୁ ପ୍ରୟାସ କରୁଛି । ଗଛଗଣ୍ଡିରେ କଣ୍ଟା ବେଢ଼ାଇବାର ଯଥାର୍ଥତା ଏବେ ପୂର୍ଣ୍ଣଭାବେ ପ୍ରମାଣିତ ହୋଇଗଲା । ଦୂରଦର୍ଶିତା ପାଇଁ ନିଜକୁ ନିଜେ ବଧେଇ ଦେବାକୁ ମୋତେ ସମୟ ନ ଦେଇ ଚିତାବାଘ କଣ୍ଟାଗୋଛାଗୁଡ଼ିକୁ ଭିଡ଼ି ଓଟାରି ବାହାର କରିବାକୁ ପ୍ରବଳ ଚେଷ୍ଟା ଆରମ୍ଭ କଲା । ମଣିଷ ଶିକାର ପାଇଁ ଦୃଢ଼ସଂକଳ୍ପର ସହିତ ଚେଷ୍ଟା ଚଳାଇଥିବା ଏହି ଚିତାବାଘ ପାନାର୍ ନରଖାଦକ ଛଡ଼ା ଆଉ କିଛି ହୋଇ ନ ପାରେ । ଗଛର ମୂଳଆଡ଼କୁ ପଛକରି ମୁଁ ଯେମିତି ବସିଥାଏ, ଚିତାବାଘ ଆଡ଼କୁ ନିଜେ ବୁଲିବା ବା ବନ୍ଧୁକ ବୁଲାଇବା ଅସମ୍ଭବ । କୋଟ୍‌ର କଲାର୍ ଆଉ ଟୋପିର ଫନ୍ଦ ତଣ୍ଟିକୁ ଶୀତରୁ ସିନା ରକ୍ଷାକରିବ–ଚିତାବାଘର ମୁନିଆ ଦାନ୍ତକୁ ତ ରୋକିପାରିବ ନାହିଁ ! ଅନ୍ଧାର ଘୋଟି ଆସିବା ସଙ୍ଗେ ସଙ୍ଗେ ଚିତାବାଘ ଆହୁରି ଜୋରରେ କଣ୍ଟାତକ ଓଟାରିବାକୁ ଚେଷ୍ଟାକଲା । ଝିଙ୍କା ଓଟରାରେ ଗଛଟି ଦୋହଲୁଥାଏ; ଆଉ କଣ୍ଟାଗୋଛା ସହିତ ଗଛଗଣ୍ଡିରେ ଚାପି ହୋଇଯିବା ଫଳରେ ବନ୍ଧୁକ ଚଲାଇବା ମୋ ପକ୍ଷରେ କ୍ରମେ ଆହୁରି ଦୁଷ୍କର ହୋଇ ପଡ଼ୁଥାଏ ।

 

ଚିତାବାଘ ନିଶାଚର ଜନ୍ତୁ; ରାତି ଅନ୍ଧାରରେ ଶିକାର ମାରିବା ତା’ର ଜନ୍ମଗତ ଅଭ୍ୟାସ । ଆଉ ଅନ୍ଧାର ରାତିରେ ଗହନ ବଣଜଙ୍ଗଲରେ ମନୁଷ୍ୟ ହିଁ ପ୍ରାଣୀମାନଙ୍କ ମଧ୍ୟରୁ ସବୁଠାରୁ ବେଶି ଉପାୟହୀନ ଓ ଅସହାୟ । ଅନ୍ଧାର ରାତି ଚିତାବାଘକୁ ସୁହାଇବା ସଙ୍ଗେ ପରସ୍ଥିତିର ସବୁ ସୁଯୋଗ ମୋ’ଠାରୁ ଛଡ଼ାଇନେଲା । ରାତିରେ ସମୁଦାୟ ଚାରିଶହଟି ହତ୍ୟା ସାଧନ କରିଥିବା ଏଇ ଚିତାବାଘ ମନୁଷ୍ୟ ପ୍ରତି ତା’ର ସ୍ଵାଭାବିକ ଡରଭୟକୁ ବହୁଦିନୁ ଜଳାଞ୍ଜଳି ଦେଇଛି । କଣ୍ଟାଗୋଛାଗୁଡ଼ିକୁ ମୂଳରୁ କାମୁଡ଼ି ଧରି ଝିଙ୍କିବା ସଙ୍ଗେ ସେ ଏତେ ଜୋରରେ ଗର୍ଜନ ତର୍ଜନ ଆରମ୍ଭ କଲା ଯେ ତା’ର ରଡ଼ି ଶୁଣି କୁଆଡ଼େ ଗାଁରେ ବି ଲୋକେ ଥରହର ହୋଇଗଲେ । ମୋ ଉପରେ ତା’ ଗର୍ଜନର କିନ୍ତୁ ଓଲଟା ପ୍ରଭାବ ପଡ଼ୁଥାଏ । ଗର୍ଜନ ଶୁଭୁଥିବାଯାଏ ଚିତାବାଘର ଅବସ୍ଥିତି ଓ ଅଭିପ୍ରାୟ ମୁଁ ଅନୁମାନ କରିପାରୁଥାଏ । କିନ୍ତୁ ତୁନିହୋଇଯିବା ପରେ ସେ କ’ଣ କରୁଛି ଜାଣିନପାରି ଅଜଣା ଆତଙ୍କରେ ଅନ୍ତରାତ୍ମା ଥରିଉଠୁଥାଏ । ଚିତାବାଘ ସେ ଭିତରେ କେଇଥର କଣ୍ଟା ଗୋଛାଗୁଡ଼ିକୁ ଜୋରରେ ଟାଣି ହଠାତ୍ ଛାଡ଼ିଦେବା ଫଳରେ ଖସି ପଡ଼ୁ ପଡ଼ୁ ଅଳ୍ପକେ ଅଟକି ରହିଥିଲି । କଣ୍ଟାଗୋଛାକୁ ଛାଡ଼ିଦେବାକୁ କିନ୍ତୁ ଉପାୟ ନାହିଁ–ଧରି ପକାଇବାକୁ ହାତପାଆନ୍ତାରେ ଆଉ କିଛି ନାହିଁ ! ମସ୍‌କା ଡାଳଟି ଉପରେ ଟଳମଳ ହୋଇ ବସି ଭାବୁଥାଏ–ଚିତାବାଘ ଟିକିଏ ଛୁଇଁଦେଲେ ଡାଳ ସହିତ ପନ୍ଦରଫୁଟ ତଳ ବିଲରେ ଯାଇ ପଡ଼ିବି ! ତା’ପରେ କ’ଣ ହେବ, ଭାବି ନ ପାରି ମୁହୂର୍ତ୍ତକେ ଜୀବନ ପାଇଁ ଶେଷ ସଂଗ୍ରାମ ଚଳାଇବାକୁ ପ୍ରସ୍ତୁତ ହୋଇଗଲି ।

 

କ୍ରମାଗତ କିଛି ସମୟ ଗର୍ଜନ କରିବା ପରେ ଚିତାବାଘ ହଠାତ୍ ତୁନି ହୋଇଯାଇ ପୁଣି ଥରେ ପ୍ରାଣରେ ଚମକ ସୃଷ୍ଟି କଲା । ତା’ପରେ କୁଦାକେ ଗଛମୂଳ ବନ୍ଧଉପରୁ ତଳ କିଆରିକୁ କୁଦିପଡ଼ି ସେ ଛେଳିଆଡ଼କୁ ଛୁଟିଗଲା । ଛେଳି ବାନ୍ଧିବାବେଳେ ଭାବିଥିଲି–ଚିତାବାଘ ଆଲୁଅ ଥାଉ ଥାଉ ଆସିବ ଓ ସାମାନ୍ୟ ତିରିଶିଗଜ ଦୂରରୁ ଗୁଳି ଚଳାଇ ଛେଳି ପାଖରେ ପହଞ୍ଚିବା ପୂର୍ବରୁ ତାକୁ ମାରିଦେବି । ଏବେ ଅନ୍ଧାରରେ ଛେଳିଟି କେବଳ ଅସ୍ପଷ୍ଟ ମେଞ୍ଚାଏ ରଙ୍ଗ ଭଳି ଦିଶୁଥାଏ । ତାକୁ ରକ୍ଷା କରିପାରିବି ନାହିଁ ଜାଣି ଚରମ ପରିଣତିର ଅପେକ୍ଷାରେ ନିଶ୍ଚଳ ହୋଇ ରହିଗଲି ଓ ଛେଳିର ଛଟ୍‌ଛଟ୍ ବନ୍ଦହେବା ପରେ ଚିତାବାଘର ଅବସ୍ଥିତି ଅନୁମାନ କରି ସେହିଠାକୁ ଲକ୍ଷ୍ୟ କରି ଗୁଳି ଟିପିଲି । ବନ୍ଧୁକ ଆବାଜ ସହିତ ଘାଉଁକରି ଥରଟିଏ ଗର୍ଜନ ଶୁଭିଲା । ଅନ୍ଧାରରେ ସ୍ପଷ୍ଟଭାବେ କିଛି ଦିଶୁ ନ ଥିଲେ ମଧ୍ୟ ମୋର କାହିଁକି ମନେହେଲା ଯେ ବନ୍ଧୁକ ଫୁଟିବାମାତ୍ରେ ଚିତାବାଘ ପଛକୁ ଲେଉଟି ପଡ଼ିଲା ଓ ତା’ପରେ ସଳଖି ଉଠି ଆଖିପିଛଡ଼ାକେ ବନ୍ଧଟିକୁ ପାର ହୋଇ ପାହାଡ଼ ତଳଆଡ଼କୁ ପଳାଇଗଲା ।

 

ଚିତାବାଘଠାରୁ ଶବ୍ଦ ସୂଚନା ଟିକିଏ ପାଇବାପାଇଁ ଦଶ ପନ୍ଦର ମିନିଟ୍ କାନ ଡେରି ବସିଲି । ସେ ଭିତରେ ଗାଁରୁ ଲୋକମାନେ କୁହାଟ ମାରି ସେମାନଙ୍କ ଆସିବା କଥା ପଚାରିଲେ । ଚିତାବାଘ ପାହାଡ଼ ତଳଆଡ଼କୁ ପଳାଇଥିଲା । ମଶାଲ ଧରି ବିଲ ଉପରବାଟେ ବୁଲି ଆସିବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲି । କୁମାୟୂଁ ଅଞ୍ଚଳର ଲୋକେ ପାଇନ୍ କାଣ୍ଡର ମଶାଲ ଜାଳି ରାତିରେ ବାଟ ଚାଲନ୍ତି । ଫୁଟେ ଦେଢ଼ଫୁଟ ଲମ୍ବ ଏହି କାଣ୍ଡଗୁଡ଼ିକ ଜୀଅନ୍ତା ଗଛରୁ କଟାଯାଇଥାଏ । ପାଇନ୍ କାଠରେ ପ୍ରଚୁର ଝୁଣା ଥିବାରୁ ଜଳିଲାବେଳେ ତାହା ଉଜ୍ଜ୍ୱଳ ଆଲୁଅ ଦିଏ ।

 

ଗାଁ ଭିତରେ ଢେର୍ ବେଳଯାଏ ପାଟିତୁଣ୍ଡ ଓ ଧାଁ-ଦଉଡ଼ ଲାଗିବା ପରେ କୋଡ଼ିଏ ଜଣ ସରିକି ଲୋକ ପ୍ରତ୍ୟେକେ ଗୋଟିଏ କରି ମଶାଲ ଧରି ଧାଡ଼ି ବାନ୍ଧି ଗାଁରୁ ବାହାରିଲେ ଓ ମୋ ନିର୍ଦ୍ଦେଶ ଅନୁସାରେ ବଗଡ଼ ବିଲ ଉପରେ ଉପରେ ବୁଲି ପଛପଟୁ ମୋ ଗଛ ପାଖରେ ଆସି ପହଞ୍ଚିଲେ । କଣ୍ଟାଗୋଛାରେ ବନ୍ଧାଥିବା ଦଉଡ଼ିଗୁଡ଼ିକ ଚିତାବାଘର ଝିଙ୍କାଓଟରାରେ ଏତେ କସ୍ ହୋଇଯାଇଥିଲା ଯେ ସେଗୁଡ଼ିକୁ ଶେଷରେ କାଟିଦେବାକୁ ପଡ଼ିଲା । ହଲ୍‍ଚଲ୍ ନ ହୋଇ ଏତେ ସମୟ ବସିଲା ପରେ ମୁଁ ଗୋଡ଼ ସଳଖି ପାରୁନଥାଏ । ଗଛରୁ କଣ୍ଟା ଫିଟାଇ ଲୋକମାନେ ମୋ ପାଖଯାଏ ଚଢ଼ିଆସିଲେ ଓ ଧରାଧରି କରି ମୋତେ ତଳକୁ ଓହ୍ଲାଇଦେଲେ ।

 

ଲୋକ କୋଡ଼ିଏ ଜଣ ମଲା ଛେଳିଟିକୁ ଘେରି ଛିଡ଼ା ହୋଇଥାଆନ୍ତି । ଛେଳି ଚାରିପାଖେ ଛୋଟ ଚକଡ଼ାଏ ଆଲୁଅ ପଡ଼ିଥାଏ; କିନ୍ତୁ ଚାରିପାଖ ବଗଡ଼ ବିଲରେ କିଟିକିଟି ଅନ୍ଧାର । ମୋ ସିଗାରେଟ୍‌ତକ ଲୋକମାନଙ୍କୁ ବାଣ୍ଟି ଦେଇସାରି କହିଲି ଯେ ଚିତାବାଘ ଗୁଳି ଖାଇଛି; କିନ୍ତୁ କେତେ ଘାଇଲା ହୋଇଛି ଜଣାନାହିଁ । ଘାଇଲା ଚିତାବାଘ ପରି ଭୟଙ୍କର ଜନ୍ତୁକୁ ଅନ୍ଧାରରେ ଖୋଜି ବୁଲିବା ଅପେକ୍ଷା ଗାଁକୁ ଏବେ ଫେରିଯାଇ ପରଦିନ ସକାଳୁ ଖୋଜତଲାସ କଲେ ବରଂ ଭଲ ହେବ । ଏ ପ୍ରସ୍ତାବ ବିରୁଦ୍ଧରେ ଲୋକଙ୍କ ଭିତରୁ ତୀବ୍ର ପ୍ରତିବାଦ ପ୍ରକାଶ ପାଇଲା । “ଚିତାବାଘ ଏ ଭିତରେ ନିଶ୍ଚୟ ମରିଯିବଣି”, “ଆମେ ଏତେ ଲୋକ ଅଛୁ–ଆପଣ ବନ୍ଧୁକ ଧରିଛନ୍ତି–ଚିତାବାଘଟାକୁ ଭୟ କ’ଣ ?” “ଅନ୍ତତଃ ବିଲଧାର ଯାଏ ଚାଲନ୍ତୁ; ସେଠି ରକ୍ତ ପଡ଼ିଛି କି ନାହିଁ ଦେଖିବା !” ଇତ୍ୟାଦି ଇତ୍ୟାଦି ନାନା ମନ୍ତବ୍ୟ ଲରିଆଡ଼ୁ ଶୁଣାଗଲା । ଦୀର୍ଘ ସମୟ ଧରି ଯୁକ୍ତିତର୍କ ଚାଲିବା ଫଳରେ ମୁଁ ଧୈର୍ଯ୍ୟ ହରାଇଲି ଓ ପରିଣାମର ଆଉ ବିଚାର ନ କରି ବିଲଧାର ଯାଏ ଯାଇ ବନ୍ଧ ଉପରୁ ତଳକୁ ଅନାଇ ଦେଖିବାକୁ ରାଜି ହେଲି ।

 

ନିଜ ବିବେଚନା ବିରୁଦ୍ଧରେ ଘୋର ଅନିଚ୍ଛାର ସହିତ ଏ ପ୍ରସ୍ତାବ ଗ୍ରହଣ କରିବା ପରେ ଗ୍ରାମବାସୀମାନଙ୍କୁ ନିର୍ଦ୍ଦେଶ ଦେଲି ସେ ମୁଣ୍ଡ ଉପରକୁ ମଶାଲ ଟେକି ମୋ ପଛରେ ସେମାନେ ଧାଡ଼ିବାନ୍ଧି ଚାଲିବେ ଓ ଚିତାବାଘ ଆକ୍ରମଣ କରିବାକୁ ଛୁଟିଆସିଲେ ଅନ୍ଧାରରେ ମୋତେ ଏକାକୀ ଛାଡ଼ି ପଳାଇଯିବେ ନାହିଁ । ମୋର ପ୍ରତ୍ୟେକଟି ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ସେମାନେ କଥା ଦେବା ପରେ ମଶାଲ ତେଜି ସମସ୍ତେ ଆଗେଇଲୁ । ବନ୍ଧୁକ ସଜ କରି ମୁଁ ଆଗରେ ଚାଲିଲି । ଲୋକଗୁଡ଼ିକ ମଶାଲ ଟେକି ଧରି ପାଞ୍ଚଗଜ ଛଡ଼ାରେ ମୋ ପଛେ ଧାଡ଼ି ବାନ୍ଧି ଚାଲିଲେ ।

 

ସମ୍ପୂର୍ଣ୍ଣ ନୀରବତା ରକ୍ଷାକରି ଗଛମୂଳରୁ ତିରିଶି ଗଜ ଅତି ସନ୍ତର୍ପଣରେ ଆଗେଇବା ପରେ ମଲା ଛେଳିଟିକୁ ପାର ହୋଇଗଲୁ । ବନ୍ଧ ସେଠାରୁ ଆହୁରି ତିରିଶି ଗଜ ଦୂର । ରକ୍ତଦାଗ ଖୋଜିବାକୁ ତର ନ ଥିଲା । ବନ୍ଧଆଡ଼କୁ ଯେତିକି ପାଖୋଉ ଥାଉ, ତଳ କିଆରିଟିରେ ଆଲୁଅ ପଡ଼ି ସେତିକି ବେଶି ନଜରକୁ ଆସୁଥାଏ । ଶେଷରେ ବନ୍ଧ ତଳ ଚେନାଏ ଅନ୍ଧାରିଆ ଜାଗା ଛଡ଼ା ମଶାଲ ଆଲୁଅରେ କିଆରିଟି ପୁରା ଦେଖାଗଲା ।

 

ବନ୍ଧ ଉପରେ ମୁଁ ପାଦ ଦେବାମାତ୍ରେ ଅନ୍ଧାର ଭିତରୁ ବିକଟ ଗର୍ଜନ କରି ଚିତାବାଘ କୁଦାକେ ଉପରକୁ ଡେଇଁପଡ଼ିଲା । ଆକ୍ରମଣମୁଖୀ ଚିତାବାଘର ଗର୍ଜନରେ ହାତୀପଲ ଛତ୍ରଭଙ୍ଗା ଦେବା ମୁଁ ଦେଖିଛି । ତେଣୁ ମୋ ସହଚରମାନେ ଯେ ଛିନ୍ନଛତ୍ର ହୋଇ କିଏ କୁଆଡ଼େ ପଳାଇଗଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । ପ୍ରାଣମୂର୍ଚ୍ଛା ପଳାଇବାବେଳେ ସେମାନଙ୍କର ପରସ୍ପର ସହିତ ଧକ୍‌କା ଲାଗିବା ଫଳରେ ମଶାଲରୁ ଜଳନ୍ତା ଡାଙ୍ଗ କେଇଖଣ୍ଡ ଭୂଇଁରେ ଝଡ଼ି ପଡ଼ି ଦପ୍‌ଦପ୍ ହେଉଥିଲା । ଯୋଗକୁ ସେତିକି ଆଲୁଅରେ ଚିତାବାଘ ଛାତିରେ ଛର‌୍‌ରା ଭରାଏ ବସାଇ ଦେଇପାରିଲି ।

 

ବନ୍ଧୁକ ଆବାଜ ଶୁଣି ଲୋକମାନେ ଯିଏ ଯେଉଁଠି ଥମକି ଛିଡ଼ା ହୋଇଗଲେ; କିନ୍ତୁ ଭରସି କରି ମୋ ପାଖକୁ କେହି ଆସିଲେ ନାହିଁ । ଚାପା ଗଳାରେ ନିଜ ନିଜ ଭିତରେ ମସୁଧା କଲାବେଳେ ସେମାନଙ୍କ କଥାବାର୍ତ୍ତା ସବୁ ମୋ କାନରେ ବାଜୁଥାଏ । ଜଣେ କହୁଥାଏ, “ନାଇଁମ, ସାହେବ ରାଗିବେ କାହିଁକି ? ସଇତାନକୁ ମୁହାଁମୁହିଁ ଭେଟି ଆମ ସାହସ ପାଣି ଫାଟିଗଲା, ଏ କଥା ସାହେବ କ’ଣ ବୁଝିନାହାନ୍ତି ?” ପ୍ରାଣଭୟରେ ମନୁଷ୍ୟ କିପରି ବିଚାରବୁଦ୍ଧି ହରାଏ, ତାହା ବୁଝିବାକୁ ମୋର ବାକି ନ ଥିଲା । ଅଳ୍ପ ସମୟ ତଳେ ଚିତାବାଘ କଣ୍ଟାଗୋଛା ଓଟାରିଲାବେଳେ ଭୟରେ ମୁଁ ନିଜେ ଜଡ଼ ପାଲଟି ଯାଇଥିଲି । ଘାଇଲା ଚିତାବାଘ ଛୁଟିଆସିଲକାବେଳକୁ ହାତରେ ମୋର ବନ୍ଧୁକ ନ ଥାଇ କେବଳ ମଶାଲଟି ଯଦି ଥାଅନ୍ତା, ମୁଁ ବି ସେମାନଙ୍କ ପରି କିମ୍ବା ସେମାନଙ୍କଠାରୁ ଆହୁରି ବେଗରେ ଧାଇଁ ପଳାଇ ଥାଆନ୍ତି । ସୁତରାଂ ସେମାନଙ୍କ ଉପରେ ରାଗିବା ପାଇଁ ମୋର କାରଣ ବା ଅଧିକାର ନଥିଲା ।

 

ଲୋକଗୁଡ଼ିକ ଯେପରି ଆହୁରି ଅପ୍ରତିଭ ନ ହୁଅନ୍ତି, ସେଥିପାଇଁ ତାଙ୍କଆଡ଼େ ନ ଅନାଇ ଚିତାବାଘକୁ ପରୀକ୍ଷା କରିବାର ବାହାନା କଲି । କିଛି ସମସ୍ତ ଦୋ-ଦୋ-ପାଞ୍ଚ ହେବା ପରେ ସେମାନେ ଦୁଇ ତିନିଜଣ ହୋଇ ଧୀରେ ଧୀରେ ମୋ ପାଖକୁ ଆସିଲେ । ଚିତାବାଘକୁ ଅନାଇ ରହି ସହଜ ସ୍ୱରରେ ପଚାରିଲି, “ବାଉଁଶ ଦଉଡ଼ି ସବୁ ସଙ୍ଗରେ ଆଣିଛ ତ ?’’ ଅତି ଆଗ୍ରହରେ ସମସ୍ତେ କହିଉଠିଲେ, “ହଁ ସାହେବ, ସରଞ୍ଜାମ ସବୁ ଗଛମୂଳେ ଆଣି ଥୋଇଛୁ ।” ସ୍ୱାଭାବିକ ସ୍ୱରରେ ନିର୍ଦେଶ ଦେଲି, “ତା’ହେଲେ ବନ୍ଧାବନ୍ଧି ଆରମ୍ଭ କର । ଥଣ୍ଡା ପଡ଼ିଲାଣି । ଗାଁକୁ ଯାଇ ଶୀଘ୍ର ଚାହା କପେ ନ ଖାଇଲେ ନ ଚଳେ ।’’ ଥଣ୍ଡା କାକର ଖାଇ ମୋତେ ପୁଣି ଜ୍ୱର ଆସୁଥାଏ; ଉତ୍ତେଜନାର ଅବସାନ ପରେ ଛିଡ଼ାହେବାକୁ ବି ଗୋଡ଼ରେ ବଳ ପାଉନଥାଏ ।

 

ବହୁବର୍ଷ ପରେ ସେଦିନ ରାତିରେ ‘ସନୌଲି’ର ଲୋକେ ଡର ଭୟ ଛାଡ଼ି ଶାନ୍ତିରେ ଶୋଇପାରିଲେ । ସେହିଦିନଠାରୁ ଆଜିପର୍ଯ୍ୟନ୍ତ ସେ ଅଞ୍ଚଳର ଅଗଣିତ ଲୋକଙ୍କର ସ୍ୱାଭାବିକ ଜୀବନଯାତ୍ରା ନରଖାଦକ ଯୋଗୁ ଆଉ କେବେହେଲେ ବ୍ୟାହତ ହୋଇନାହିଁ ।

Image

 

ଚୂକା ନରଖାଦକ

 

ଚୂକା ଶାରଦାନଦୀ କୂଳରେ ଛୋଟ ଗୋଟିଏ ଗାଁ; ନଈ ଡାହାଣ କୂଳରୁ ମୋଟେ ଦଶଟି କିଆର ଛଡ଼ାରେ ତାର ସୀମା ସରହଦ ଆରମ୍ଭ । ଗାଁଠାରୁ ଅଳ୍ପ ଦୂରରେ ଶାରଦା ସହିତ ଲଧ୍ୟା ନଦୀର ସଂଗମ । ଗାଁର ଉତ୍ତର-ପଶ୍ଚିମ କୋଣରୁ ଚଲାବାଟଟିଏ ବାହାରି ବଣପୋଡ଼ିରେ ପଦା ହୋଇଥିବା ଗୋଟିଏ ପଡ଼ିଆ ଭିତରକୁ ପ୍ରାୟ ଚଉଠ ମାଇଲ୍ ପଶିଲା ପରେ ଦୁଇଭାଗ ହୋଇଯାଇଛି । ଏହି ତିନିଛକିଠାରୁ ଗୋଟିଏ ବାଟ ସଳଖରେ ପାହାଡ଼ପିଠିକୁ ଉଠି ଥାକ୍ (୧) ଯାଏ ଯାଇଛି । ଆରଟି ତୀର୍ଯ୍ୟକ୍ ଗତିରେ ପାହାଡ଼ ପାରିହୋଇ ଲମ୍ବିଯାଇଛି କୋଟ୍‍କିନ୍ଦ୍ରିକୁ । କୋଟ୍‍କିନ୍ଦ୍ରି, ଗାଁଟି ଚୂକାର ବାସିନ୍ଦାମାନଙ୍କ ଜମିଦାରୀ ।

 

ଊଣେଇଶ ଶହ ଛତିଶ ମସିହା ଶୀତଦିନେ ଚାଷୀ ଜଣେ ହଳ-ବଳଦ ନେଇ କୋଟ୍‍କିନ୍ଦ୍ରିରୁ ଚୂକା ଯାଉଥିଲା । ବଳଦ ହଳକ ଆଗରେ ଚାଲିଥାଆନ୍ତି । ଚାଷୀ ତା’ ଲଙ୍ଗଳଟି ସହିତ ଚୂକାରେ ରହଣି ପାଇଁ କେଇ ଦିନର ସଞ୍ଚା ପୂରାଇ ମୁଣିଟିଏ ବି କାନ୍ଧରେ ପକାଇଥାଏ । ଚୂକାପାଖ ପଡ଼ିଆରେ ପହଞ୍ଚିଲା ବେଳକୁ ବାଘଟାଏ ଆସି ତା’ ସାମ୍‌ନାରେ ହାଜର ହୋଇଗଲା । ଚାଷୀ ବଳଦଙ୍କୁ ଉଢ଼ାଳ କରି ବାଟ ଓଗାଳି ଛିଡ଼ାହେଲା ଓ ବାଘକୁ ଘଉଡ଼ି ଦେବାକୁ ପାଞ୍ଚଣ ହଲାଇ ପାଟିଟାଏ କରିଦେଲା । ବଳଦ ହଳକ ସେଇ ସୁଯୋଗରେ ଦଉଡ଼ ମାରି ଗାଁକୁ ପଳାଇଲେ । ଶିକାର ହରାଇ ବାଘ ରାଗରେ ଚିହିଁକି ଆସିବା ଦେଖି ଚାଷୀ ଛାନିଆରେ ସେଠାରୁ ପଳାଇ ଯାଉ ଯାଉ ବାଘ ଝାମ୍ପମାରି ତା’ ଲଙ୍ଗଳମୁଣ୍ଡା ଓ ମୁଣିକୁ ପଛରୁ ଟାଣିଧରିଲା । ଚାଷୀ ବାପୁଡ଼ା ପ୍ରାଣବିକଳରେ ଜିନିଷପତ୍ର ଫିଙ୍ଗି ଫୋପାଡ଼ି ଚମ୍ପଟ୍ ଦେଲା ଓ ବାଘ ସେଗୁଡ଼ିକୁ କାମୁଡ଼ି ରାମ୍ପୁଡ଼ି ଛିନ୍ନଭିନ୍ନ କରିବାବେଳେ ବଡ଼ପାଟିରେ ଡକା ପକାଇ ଗାଁଆଡ଼େ ଧାଇଁଲା । ଗାଁ ଲୋକେ ଛୁଟିଆସି ଦେଖିଲେ ଯେ ବାଘ ଚାଷୀର ଡାହାଣ ହାତକୁ କାନ୍ଧରୁ କଚଟି ଯାଏଁ ନଖରେ ଚିରିଦେଇଛି । ସେ ଯାହା ହେଉ, ଲଙ୍ଗଳମୁଣ୍ଡା ଓ ମୁଣିଟି ଯୋଗୁଁ ଲୋକଟି ସେଦିନ ବାଘମୁହଁରୁ ଅତି ଆଶ୍ଚର୍ଯ୍ୟଭାବେ ବର୍ତ୍ତିଗଲା ।

 

(୧) ଚୂକା ନରଖାଦକକୁ ମାରିବାର ବର୍ଷକ ଭିତରେ କରବେଟ୍‌ ଲଧ୍ୟା ଉପତ୍ୟକାରେ ଥାକ୍ ନରଖାଦକକୁ ମଧ୍ୟ ମାରିଥିଲେ । ଏ ବିଷୟ ‘କୁମାୟୂଁର ନରଖାଦକ’ ବହିରେ ସେ ବର୍ଣ୍ଣନା କରିଅଛନ୍ତି–ଅନୁବାଦକ

 

ଏହାର ପ୍ରାୟ ଦୁଇସପ୍ତାହ ପରେ ଗ୍ରାମବାସୀ ଦୁଇଜଣ ଟନକ୍‌ପୁର ବଜାରରୁ ସଉଦା କିଣି କୋଟ୍‍କିନ୍ଦ୍ରି ଫେରୁଥିଲେ । ତୀଖ ଚଲାବାଟଟିରେ ଆଗପଛ ହୋଇ ଦୁହେଁ ପାହାଡ଼ ଚଢ଼ୁ ଚଢ଼ୁ ପଚାଶଗଜ ସାମନାରେ ବାଘ ରାସ୍ତା ଡେଇଁ ଆରପାଖକୁ ଗଲା । ବାଘକୁ ସେଠାରୁ ଚାଲିଯିବାକୁ କେଇ ମିନିଟ୍ ସମୟ ଦେଇ ଲୋକ ଦୁହେଁ ପାଟିତୁଣ୍ଡ କରି ପୁଣି ଆଗେଇଲେ । ବାଘ କିନ୍ତୁ ବାଟକଡ଼ରେ ଛକି ବସିଥିଲା ଓ ଆଗ ଲୋକଟି ପାଖଦେଇ ଗଲାବେଳେ ପଛରୁ ତା’ ଉପରକୁ କୁଦିଲା । ଲୋକଟି ଟନକ୍‌ପୁର ବଜାରରୁ ଗୁଡ଼ ବସ୍ତାଏ ଖରିଦ୍ କରି ବସ୍ତାଟିକୁ ଅଧା ମୁଣ୍ଡାଇ ଅଧା ପିଠିରେ ପକାଇ ବାଟ ଚାଲୁଥିଲା । ଯୋଗକୁ ଗୁଡ଼ବସ୍ତାରେ ଦାନ୍ତ ଲାଖିଯିବା ଫଳରେ ବାଘ ଲୋକଟିର କିଛି ଅନିଷ୍ଟ କରି ନପାରି କେବଳ ବସ୍ତାଟିକୁ ଘୋଷାରି ଘୋଷାରି ନେଇ ପାହାଡ଼ ତଳ ଆଡ଼କୁ ପଳାଇଲା । ପ୍ରଥମେ ଲଙ୍ଗଳମୁଣ୍ଡା ଆଉ ଚାଉଳ ମୁଣି ଓ ତା’ପରେ ଗୁଡ଼ ବସ୍ତାଏ ଶିକାର କରି ବାଘ କ’ଣ ବିଚାରିଥିବ ଜଣାନାହିଁ । ତେବେ ଏହା ପରଠାରୁ ସେ ବୋଝ ବୋହୁ ନ ଥିବା ଲୋକଙ୍କୁ କେବଳ ଆକ୍ରମଣ କରିଥିବାରୁ ମୋର ଅନୁମାନ ଯେ ସେସବୁ ଜିନିଷକୁ ଶିକାର ଭାବେ ସେ ବିଶେଷ ପସନ୍ଦ କରି ନ ଥିଲା ।

 

ଚୂକା ଆଖପାଖରେ ବେଶି ମଣିଷ ମାରିଥିବାରୁ ଏ ବାଘର ନା ଥିଲା ‘ଚୂକା ନରଖାଦକ’-। ‘ଥାକ୍’ର ଅବସ୍ଥିତି ପାହାଡ଼ ଉପରେ ‘ଚୂକା’ଠାରୁ ଆହୁରି ତିନିହଜାର ଫୁଟ ଉଚ୍ଚରେ । ଏ ଅଞ୍ଚଳର ଅନ୍ୟ ଗାଁ ତୁଳନାରେ ଥାକ୍‍ର ଲୋକସଂଖ୍ୟା ବେଶି ବାସିନ୍ଦାମାନଙ୍କ ଆର୍ଥିକ ଅବସ୍ଥା ଅପେକ୍ଷାକୃତ ସ୍ଵଚ୍ଛଳ । ଥାକ୍‍ର ଅଧିବାସୀମାନେ ବଂଶାନୁକ୍ରମେ ପୂର୍ଣ୍ଣଗିରି ମନ୍ଦିରର ସେବକ । କୁମାୟୂଁ ଅଞ୍ଚଳ ଗୁର୍ଖା ଶାସକମାନଙ୍କ ଅଧିକାରକୁ ଆସିବା ପୂର୍ବରୁ ସେଠାରେ ରାଜୁତି କରୁଥିବା ଚନ୍ଦ୍ରବଂଶୀୟ ରାଜାମାନେ ପୂର୍ଣ୍ଣଗିରି ମନ୍ଦିରର ସେବାପୂଜାର ଭାର ଥାକ୍‌ର ବାସିନ୍ଦାମାନଙ୍କୁ ଦେଇଥିଲେ ଓ ସେଥିପାଇଁ ଯଥେଷ୍ଟ ଜାୟଗିରି ଜମି ମଧ୍ୟ ଖଞ୍ଜି ଦେଇଥିଲେ । ଉର୍ବର ଏହି ଜମିଗୁଡ଼ିକରେ ପ୍ରଚୁର ଫସଲ ହୁଏ; ମନ୍ଦିରରୁ ମଧ୍ୟ କମ୍‌ ଆୟ ଉପାର୍ଜନ ହୁଏନାହିଁ । ଗାଁରେ ପ୍ରାୟ ସମସ୍ତଙ୍କର ପଟା ପଥର ଛାତଦିଆ ବଡ଼ ବଡ଼ ପକ୍‌କା ଘର । ଗୋରୁଗାଈ, ଧନସମ୍ପତ୍ତି–କେଉଁଥିରେ କାହାର ଅଭାବ ନଥାଏ ।

 

ଊଣେଇଶ ଶହ ଛତିଶ ମସିହା ଜୁନ୍‌ ମାସରେ ଚୂକା ନରଖାଦକ ପ୍ରଥମ ଥର ପାଇଁ ଥାକ‌୍‌ ପାଖରେ ଉତ୍ପାତ୍‌‌ ଆରମ୍ଭ କଲା । ସେ ଦିନ ଗାଁର ପଶ୍ଚିମକୁ ପ୍ରାୟ ଦୁଇ ଶହ ଗଜ ଦୂର ପାହାଡ଼କଡ଼ ଚରାଭୂମିରେ ଗାଁଯାକର ଗୋରୁ ଗୋଠବାନ୍ଧି ଚରୁଥିଲେ । ଗାଈଆଳ ସାତଜଣଙ୍କ ଛଡ଼ା ଚଉଦ ବର୍ଷର ଗୋରୁଜଗା ପିଲା ଦୁଇଟି ମଧ୍ୟ ସେଠାରେ ଥିଲେ । ଚରାଭୂଇଁକୁ ଘେରି ଜଙ୍ଗଲ । ଗୋଠଛଡ଼ା ଗାଈ କେତୋଟିଙ୍କୁ ବାହୁଡ଼ା ଆଣିବାକୁ ଗାଈଆଳମାନେ ଦିନ ଦଶଟାବେଳେ ପିଲାକୁ ଗୋଟିଏ ଜଙ୍ଗଲକୁ ପଠାଇ ଦେଲେ । ପିଲାଟି ବଣରେ ପଶିବା କଥା କାହାର ହେଜ ରହିଲା ନାହିଁ । ଖରା ଗରମରେ ଗଛଛାଇରେ ବସୁ ବସୁ ଗାଈଆଳ ମାନେ ଜଣ ଜଣ ହୋଇ ସମସ୍ତେ ଶୋଇପଡ଼ିଲେ ।

 

ଛାଇ ଲେଉଟାଣି ବେଳକୁ ଜଙ୍ଗଲଧାରରୁ କୁଟୁରା ଭୁକିବାରେ ସେମାନଙ୍କ ନିଦ ଭାଙ୍ଗିଲା-। ଗୋରୁଗୋଠକ ସେ ଭିତରେ ଯାଇ ଜଙ୍ଗଲରେ ପଶିଥାଆନ୍ତି । ଗୋରୁଙ୍କୁ ବାହୁଡ଼ାଇ ଆଣିବାକୁ ଆର ପିଲାଟିକୁ ପଠାଗଲା । ପିଲାଟି ଜଙ୍ଗଲରେ ପଶିବାର କେଇ ମିନିଟ‌୍‌ ପରେ ଗୋଠକଯାକ ଗୋରୁ ଦଉଡ଼ ମାରି ଜଙ୍ଗଲରୁ ବାହାରି ଆସିଲେ ଓ ପାଖର ଗୋଟିଏ ଓସାରିଆ ଝୋଲାରେ ପଶି ପ୍ରାଣମୂର୍ଚ୍ଛା ଗାଁଆଡ଼େ ଧାଇଁଲେ । ଗାଈଆଳ ସାତଜଣ ଅବାକ ହୋଇ ଅନାଇଥିବା ଭିତରେ ବାଘଟାଏ ବଣ ଭିତରୁ ଝପଟି ଆସି ସବା ପଛରେ ଥିବା ଗାଈଟିକୁ ମାଡ଼ି ବସି ସେଇଠି ତା’ ଶଙ୍ଖି ମୋଡ଼ିଦେଲା ।

 

ଗୋରୁଙ୍କ ହମାରଡ଼ି ସହିତ ଗାଈଆଳଙ୍କ ହୁରି ହେମାଳ ଶୁଣି ଗାଁଲୋକେ ଧାଇଁ ଆସି ଝୋଲା ଉପର ଉଠାଣିରେ ରୁଣ୍ଡ ହୋଇଗଲେ । ଜଙ୍ଗଲରେ ପରେ ପଶିଥିବା ପିଲାଟିର ବିଧବା ମା’ ଗାଁବାଲାଙ୍କ ସହିତ ଆସିଥିଲା । ଗାଈଆଳମାନେ ତା’ର ପୁଅର ନାଁ ଧରି ଡାକୁଥିବା ଶୁଣି ବିଚାରିଟି ପାଖକୁ ଦଉଡ଼ିଗଲା ଓ ପୁଅ ତା’ର ଫେରିନାହଁ ବୋଲି ଶୁଣିବା ମାତ୍ରେ ବାୟାଣୀ ପରି ଛୁଟିଯାଇ ବଣରେ ପଶିଗଲା । ସେ ଭିତରେ ସକାଳୁ ନିଖୋଜ ହୋଇଥିବା ଆର ପିଲାଟିର ବାପା ମା’ ମଧ୍ୟ ସେଠାରେ ହାଜର ହୋଇଗଲେ । ପୁଅକଥା ଦୁହେଁ ପଚାରିବାରୁ ଦିନ ଦଶଟା ପରଠାରୁ କେହି ତାକୁ ଦେଖିନାହାନ୍ତି ବୋଲି ଗାଇଆଳଙ୍କ ମନେପଡ଼ିଲା ।

 

ବିଧବାଟି ବଣରେ ପଶିଯିବା ଦେଖି ଗାଁ ଯାକ ଲୋକେ ତା’ ପଛେ ପଛେ ଗୋଡ଼ାଇଗଲେ । ବଣଧାରରୁ ଅଳ୍ପଦୂରରେ ହତଭାଗୀଟି ତା’ ପୁଅର ମଲା ଦେହଟି ପାଇଲା । ଟିକିଏ ଆଗକୁ ଗୋଟିଏ ବୁଦାମୂଳରୁ ପ୍ରଥମ ପିଲାଟିର ଦରଖିଆ ଶବ ମଧ୍ୟ ମିଳିଲା । ଅଳ୍ପଦୂରରେ ବାଛୁରୀଟିଏ ବି ମରି ପଡ଼ିଥିଲା । ପରେ ଗ୍ରାମବାସୀଙ୍କଠାରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ବିବରଣୀ ଶୁଣି ଅନୁମାନ କଲି ଯେ ବାଘ ଜଙ୍ଗଲ ଧାରରେ ଶୋଇଥିବା ବେଳେ ବାଛୁରୀଟି ପ୍ରଥମେ ତା’ ହାବୁଡ଼ରେ ପଡ଼ିଥିଲା । ବାଛୁରୀକୁ ମାରି ବାଘ ତାକୁ ଦୂରକୁ ହଟାଇନେବା ପୂର୍ବରୁ ପ୍ରଥମ ଗାଈଆଳ ପିଲାଟି ସେଠାରେ ପହଞ୍ଚିଗଲା ଓ ଅଜାଣତରେ କିମ୍ବା କୌତୂହଳବଶତଃ ବାଘର ବେଶି ପାଖକୁ ଚାଲିଯାଇ ନିଜେ ତା’ର ଶିକାର ହେଲା । ଶିକାର ଦୁଇଟିକୁ ଜଗି ଦିନ ଚାରିଟା ଯାଏ ସେହିଠାରେ ରହିବା ଭିତରେ ବାଘ ଗାଈଆଳ ପିଲଟିକୁ ବୁଦାମୂଳକୁ ଘୋଷାରି ନେଇ ଅଧାଅଧି ଖାଇଦେଇଥିଲା-। ଦିନ ଗଡ଼ିଲାବେଳକୁ କୁଟୁରାଟି ଜଙ୍ଗଲ ପାଖ ଚବକାରୁ ପାଣି ପିଇବାକୁ ଆସୁ ଆସୁ ବାଘକୁ ଦେଖି କିମ୍ବା ତା’ ଗନ୍ଧ ବାରି ଭୁକିବାକୁ ଆରମ୍ଭ କଲା । କୁଟୁରାର ଭୁକାରେ ନିଦ ଭାଙ୍ଗିଯିବା ପରେ ଗାଈଆଳମାନେ ଜଙ୍ଗଲରୁ ଗାଈ ଅଡ଼ାଇ ଆଣିବାକୁ ଆର ପିଲାଟିକୁ ପଠାଇଦେଲେ । ଦୁର୍ଯୋଗକୁ ସେ ପିଲାଟି ମଧ୍ୟ ସିଧାସଳଖ ବାଘ ପାଖକୁ ପଶିଯାଇ ତା’ ହାବୁଡ଼ରେ ପଡ଼ି ପ୍ରାଣ ହରଇଲା-

 

ଗୋରୁଗୋଠକ ସେତେବେଳେ ଜଙ୍ଗଲରେ ଥିଲେ ଓ ପିଲାଟିକୁ ବାଘ ଆକ୍ରମଣ କରିବା ଦେଖି ସମ୍ଭବତଃ ଏକଜୁଟ ହୋଇ ତା’ ଉପରେ ଚଢ଼ାଉ କରିଥିଲେ । ବାଘ ସେହି ରାଗରେ ଖେଦି ଆସି ଗୋଠ ପଛରେ ଥିବା ଗାଈଟି ଉପରେ ଅକସ ସାଧିହେଲା I ଗୋରୁଗୁଡ଼ିକ ଗାଁକୁ ଧାଇଁ ପଳାଇ ନଥିଲେ ଆହୁରି କେତୋଟିଙ୍କୁ ସେ ନିଶ୍ଚୟ ମାରିଥାଆନ୍ତା ।

 

ଠିକ୍‌ ଏହିଭଳି ଏକ ଘଟଣାରେ ମହାବଳବାଘ ପରେ ପାଞ୍ଚୋଟି ମଇଁଷି ମାରି ପଲ ପଦା କରିଦେବା ମୁଁ ଦେଖିଛି । ବାଘ ମଇଁଷିପଲରୁ ଗୋଟିକୁ ମାରିଦେବା ପରେ ଅନ୍ୟ ଚରୋଟି ମଇଁଷି ତାତିଉଠି ଅସୀମ ସାହସର ସହିତ ତାକୁ ଆକ୍ରମଣ କଲେ ଓ ଗୋଟି ଗୋଟି ହୋଇ ସମସ୍ତେ ମରିବାଯାଏ ଲଢ଼େଇରୁ କେହି ଓହରି ନ ଥିଲେ । ବାଘର ଯିବା ବାଟରେ ମୋଟ ଧାରେ ରକ୍ତ ଦେଖି ପରେ ଜାଣିଲି ଯେ ମଇଁଷିଗୁଡ଼ିକ ମଧ୍ୟ ବାଘକୁ ବେଶ୍‌ ଗୁରୁତର ଭାବେ ଆହତ କରିଥିଲେ ।

 

ମହାବଳବାଘ ଭୋକିଲା ନ ଥିଲେ ଶିକାର ମାରେନାହିଁ । ସୁତରାଂ କେଇଘଣ୍ଟା ଅନ୍ତରରେ ଦୁଇଟି ମଣିଷ ଓ ଦୁଇଟି ଗୋରୁ ମାରିଦେବା ତା’ ପକ୍ଷରେ ଅତି ଉନ୍ମତ୍ତ କାଣ୍ଡ ପରି ମନେହେବ । ବାଘ ତରଫରୁ ମୁଁ ଏତିକି ସଫେଇ ଦେବି ଯେ, ବାଛୁରୀଟିକୁ ଖାଇଲା ବେଳେ ତା’ ପାଖକୁ କେହି ଯାଇନଥିଲେ ଅକାରଣେ ଏତେଗୁଡ଼ିଏ ଜୀବନହାନି ଘଟି ନ ଥାଆନ୍ତା । ସେ ଯାହାହେଉ, ଗୋଟିଏ ବାଘ ଦିନକ ଭିତରେ ଚାରୋଟି ହତ୍ୟାସାଧାନ କରିଥିବା ଖବର ଆଲମୋଡ଼ା ଓ ନୈନିତାଲ୍‍ ଜିଲାରେ ଚହଳ ପକାଇଦେଲା । ବାଘକୁ ଯେତେ ଶୀଘ୍ର ସମ୍ଭବ ଶେଷ କରିବାକୁ ପ୍ରବଳ ଉଦ୍ୟମ ଆରମ୍ଭ ହୋଇଗଲା । ଦୁଇ ଜିଲାର ବହୁ ସରକାରୀ କର୍ମଚାରୀର ମଞ୍ଚା ବାନ୍ଧି ରାତି ରାତି ମଢ଼ ଜଗି ବସିଲେ । ବାଘ ସେ ଭିତରେ ଦୁଇଥର ଛର‌୍‌ରା ମାଡ଼ ବି ଖାଇଲା । ସେଥିଯୋଗୁଁ ତା’ର ଅତ୍ୟାଚାରର ଅବସାନ ତ ଘଟିଲା ନାହଁ–ବରଂ ତା’ ପରେ ପରେ ଅଭିଶପ୍ତ ଥାକ୍‌ ଗାଁରୁ ସେ ଆଉ ଗୋଟିଏ ମଣିଷ ଶିକାର ହାସଲ କଲା ।

 

ଥାକ୍‌ର ଦୁଇଶହ ଗଜ ଉପରେ ପାହାଡ଼ କଡ଼ର ଗୋଟିଏ ପଡ଼ିଆ ବିଲରେ ବାପମା’ ଛେଉଣ୍ଡ ଅନାଥ ଭାଇ ଦୁଇଟି ଗାଈ ଚରାଉଥିଲେ । ବଡ଼ଭାଇର ବୟସ ବାରବର୍ଷ, ସାନଟିର ବୟସ ଦଶ । ବିଲମାଳରୁ ଗହମ କଟା ସରିଥାଏ; ପିଲାଦୁହେଁ ଗୋରୁଙ୍କୁ ଥୁଣ୍ଟା ଖୋଇବାକୁ ବିଲରେ ନେଇ ପୂରାଇଥାଆନ୍ତି । ବିଲଧାରରେ ଗହଳ ଧାଡ଼ିଏ ବୁଦା କଡ଼ରୁ ପାହାଡ଼ ତୀଖଭାବେ ଉଠିଯାଇଥାଏ ହଜାରେ ଫୁଟ ଉପରକୁ । ବାଘଭୟରେ ଭାଇ ଦୁହେଁ ସେଦିନ ବଣ ବୁଦାରୁ ଛାଡ଼ି ହୋଇ ବିଲ ମଝିରେ ଲଗାଲଗି ହୋଇ ଯେଉଁଠି ବସିଥିଲେ, ପାହାଡ଼ ଉପର ସେ ଜାଗାଟି ଚରିଆଡ଼କୁ ପୂରା ଦେଖାଯାଏ । ଖରାବେଳକୁ ଗାଈଟିଏ ବାହୁଡ଼ାଇ ଆଣିବାକୁ ଭାଇଦୁହେଁ ଆଗପଛ ହୋଇ ବିଲଧାରକୁ ଥରେ ଧାଇଁଗଲେ । ବଡ଼ଭାଇ ଥିଲା ଆଗରେ | ବିଲଧାରରେ ବାଘ ବୁଦା ଉହାଡ଼ରୁ ବାହାରିପଡ଼ି କୁଦାକେ ପିଲାଟିକୁ ମାଡ଼ିବସିଲା ଓ ସେହିଠାରେ ତାକୁ ପ୍ରାଣରେ ମାରି ଟେକି ନେଇ ପଲାଇଗଲା ।

 

ସାନଭାଇଟି ଦଶବର୍ଷର ପିଲା; ଆଗରୁ ସେ ବାଘ କେବେ ଦେଖି ନଥିଲା । ଆଖି ଆଗରେ ବଡ଼ଭାଇର ଏ ଦଶା ଦେଖି ପିଲାଟି ପ୍ରାଣମୂର୍ଛା ଗାଁକୁ ଧାଇଁଲା ଓ ଗାଁ ଦାଣ୍ଡରେ ଦଳେ ଲୋକଙ୍କୁ ଦେଖି ଦେଇ ତାଙ୍କ ଗୋଡ଼ ପାଖରେ ଲୋଟିପଡ଼ି କାନ୍ଦି କାନ୍ଦି ବେହାଲ୍‌ ହୋଇଗଲା । ଲୋକମାନେ ତାକୁ ବୋଧ ଦେଇ ସାଷ୍ଟମ କରିବା ପରେ ପିଲାଟି କହିଲା ଯେ ‘ବଡ଼ ନାଲିଆ ଜନ୍ତୁ’ଟାଏ ତା’ ଭାଇକୁ ନେଇ ପଳାଇଛି । ଲୋକଦଳକ କାଳବିଳମ୍ବ ନ କରି ପିଲାଟିକୁ ଖୋଜି ବାହାରିଲେ ଓ ଅସୀମ ସାହସର ସହିତ ରକ୍ତଧାର ଠଉରାଇ ଗାଁର ପୂର୍ବକୁ ପ୍ରାୟ ମାଇଲିଏ ଦୂରଯାଏ ବାଘକୁ ଅନୁସରଣ କଲେ । ଘଞ୍ଚ ଜଙ୍ଗଲଭରା ‘ସୁଆରଗଡ଼’ ଝୋଲାରେ ସଞ୍ଜ ହେଲା । ପରଦିନ ସକାଳୁ ପାଖ ଗାଁରୁ ଆହୁରି ଲୋକ ଡାକି ସେମାନେ ପୁଣି ଥରେ ଖୋଜତଲାସ କଲେ । ସାରାଦିନ ଖୋଜି ଖୋଜି ପିଲାଟିର ନାଲିଆ ଟୋପି ଓ ଚିରାଲୁଗା କେଇଖଣ୍ଡ ଛଡ଼ା ଆଉ କିଛି ମିଳିଲା ନାହିଁ । ବାପ-ମା’ ଛେଉଣ୍ଡ ଏହି ବାରବର୍ଷର ଅନାଥ ପିଲାଟି ଥିଲା ଚୂକା ନରଖାଦକର ଶେଷ ମଣିଷ-ଶିକାର ।

 

ଘୋର ସଙ୍କଟ ସମ୍ମୁଖରେ ମଣିଷ ଜଣେ ଯେପରି ସାହସିକତାର ପରିଚୟ ଦିଏ, ନିଜେ ଠିକ୍ ସେହପରି ବିପଦର ସମ୍ମୁଖୀନ ନ ହେବା ପର୍ଯ୍ୟନ୍ତ ତାହାର ମୂଲ୍ୟାୟନ କରିବା କଷ୍ଟକର । ମା’ଟିଏ ଜଙ୍ଗଲରେ ପଶି ପୁଅକୁ ଖୋଜିବା, ପିଲା ଦୁଇଟି ପାହାଡ଼ କଡ଼ରେ ଏକାକୀ ବସି ଗୋରୁ ଚରଇବା କିମ୍ବା ଲୋକ କେଇଜଣ ଦଳବାନ୍ଧି ପିଲାଟିକୁ ଖୋଜି ବାହାରିବା–ଏ ସବୁ ଦୈନନ୍ଦିନ ଜୀବନର ଅତି ସାଧାରଣ ଘଟଣାପରି ମନେହୁଏ । ସେ ଭିତରେ ଯେ ଅସାଧାରଣ ବୀରତ୍ଵ ନିହିତ ଥାଇପାରେ, ପରିବେଶ ଓ ପରିସ୍ଥିତିକୁ ବିଚାର ନକଲେ ତାହା ସହଜରେ ପ୍ରତୀୟମାନ ହୁଏ ନାହିଁ । ଜଙ୍ଗଲରେ ରକ୍ତମୁଖା ବାଘ ଅଛି ବୋଲି ସ୍ଥିରଭାବେ ଜାଣି ମଧ୍ୟ ମା’ଟି ଯେ ଅକାତରେ ତା’ ପାଖକୁ ପଶିଯାଇଥଲା, ମଣିଷଖିଆ ବାଘ ମାତିଛି ବୋଲି ଭଲଭାବେ ଜାଣି ସୁଦ୍ଧା ବାଳୁତ ପିଲା ଦିଓଟି ଗାଁରୁ ଦୂରରେ ନିର୍ଜନରେ ଏକାକୀ ଗୋରୁ ଚରାଉଥିଲେ ଏବଂ ବିପଦସଂକୁଳ ବିରାଟ ଅରଣ୍ୟ ଭିତରେ ନିରସ୍ତ୍ର ଲୋକଦଳେ ପର ପାଇଁ ଜୀବନ ବିପନ୍ନ କରି ଦୁର୍ଦ୍ଧର୍ଷ ନରଖାଦକକୁ ଯେପରି ଅନୁସରଣ କଲେ–ଏସବୁ ଯେ କେଡ଼େ ଉଚ୍ଚକୋଟୀର ସାହସ ଓ ନିର୍ଭୀକତାର ପରିଚୟ ଦିଏ, ତାହା କେବଳ ନରଖାଦକ-ଅଧ୍ୟୁଷିତ ଅଞ୍ଚଳରେ ଜୀବନଯାପନ କରିଥିବା ଲୋମାନେ ହିଁ ବୁଝିପାରିବେ ।

 

(ଦୁଇ)

 

ଚୂକା ନରଖାଦକର ଅତ୍ୟାଚାର ଯୋଗୁଁ ଲଧ୍ୟା ଉପତ୍ୟକାରେ ଲୋକଙ୍କର ନିୟମିତ ଜୀବନଯାତ୍ରା ଦିନୁଦିନ ବିପର୍ଯ୍ୟସ୍ତ ହେବାକୁ ଲାଗିଲା । ଇବଟ‌୍‌ସନ୍‌ ୧ ନୈନିତାଲ୍, ଆଲମୋଡ଼ା ଓ ଗଡ଼ଓ୍ୱାଲ୍ ଜିଲାସମୂହର ଡେପୁଟି କମିଶନର୍ ଭାବେ ଦାୟୀତ୍ଵ ଗ୍ରହଣ କରିବା ପରେ ନରଖାଦକ ବିରୁଦ୍ଧରେ ଦୁହେଁ ମିଳିତ ଉଦ୍ୟମ ଚଳାଇବାକୁ ସ୍ଥିର କଲୁ ।

 

ଊଣେଇଶ ଶହ ଛତିଶ ମସିହା ଅପ୍ରେଲ ମାସରେ ଇବଟ‌୍‌ସନ୍ ଓ ତାଙ୍କ ପତ୍ନୀ ଜୀନ୍‌ଙ୍କ ସହିତ ଉପଦ୍ରୁତ ଅଞ୍ଚଳକୁ ଯାତ୍ରା ଆରମ୍ଭ କଲି । ବଡ଼ିସକାଳୁ ତିନିହେଁ ବସ୍‍ ଯୋଗେ ନୈନିତାଲ‌୍‌ରୁ ବାହାରିଲୁ । ଖରାଦିନ; ଦିନ ବଢ଼ିବା ସଙ୍ଗେ ପ୍ରଚଣ୍ଡ ଖରାରେ ଚାରିଆଡ଼େ ନିଆଁ ବର୍ଷିଲା ପରି ଲାଗିଲା । ହଲ୍‌ଦ୍ୱାନୀ ଓ ଟନକ୍‌ପୁର ବାଟେ ବୁଲି ବ୍ରହ୍ମଦେବରୁ ଅଳ୍ପ ଦୂରରେ ‘ବୁମ୍‌’ଠାରେ ବସ୍‍ରୁ ଓହ୍ଲାଇଲା ବେଳକୁ ଧୂଳିରେ ସମସ୍ତେ ଗୋଟପଣେ ବୁଡ଼ିଯାଇଥାଉ । ବାଟଯାକ ଧକ୍‌ଚକ୍‌ ହୋଇ ଜାଗା ଅଜାଗା ସବୁ ଦରଜ । ଶାରଦା ନଦୀର ନରମ ବାଲିରେ ବସି କପେ ଲେଖାଏଁ ଚାହା ଖାଇଲା ପରେ ଦେହରେ ମନରେ ଟିକିଏ ଫୁର୍ତ୍ତି ଆସିଲା । ଡେରାର ସରଞ୍ଜାମ ଧରି ଆମ ଲୋକମାନେ ଆଗରୁ ବାହାର ଆସିଥିଲେ । ସେ ଭିତରେ ଥୁଲିଗଡ଼ ପାହାଡ଼ତଳେ ପହଞ୍ଚି ସେମାନେ ସେହିଠାରେ ତମ୍ବୁ ଟାଣି ସାରିଥାଆନ୍ତି । ଖରା ଗରମରେ ସଡ଼କରେ ଆଉ ନ ଚାଲି ତିନିହେଁ ନଈ କୂଳେ କୂଳେ ଯାଇ ତମ୍ବୁ ପାଖରେ ପହଞ୍ଚିଲୁ । ପରଦିନ ସକାଳେ ଜଳଖିଆ ପରେ କାଲ୍‌ଦୁଙ୍ଗାକୁ ଯାତ୍ରା ଆରମ୍ଭ ହେଲା । ନଈ କୂଳେ କୂଳେ ଶାରଦା ଗିରିସଙ୍କଟ ବାଟେ କାଲ୍‌ଦୁଙ୍ଗାକୁ ଆଠମାଇଲ୍‍ ପଡ଼େ । ସଡ଼କରେ ପୂର୍ଣ୍ଣଗିରି ବାଟେ ବୁଲି କରି ଗଲେ ସେଠାକୁ ଚଉଦ ମାଇଲ‌୍‌ ବାଟ-। ଜିନିଷପତ୍ର ସହିତ ଲୋକବାକଙ୍କୁ ସଡ଼କରେ ବାଟେଇ ଦେଇ ଆମେ ତିନିହେଁ ନଈ କୂଳେ ଚାଲିଲୁ-

 

ପ୍ରଥମ ବିଶ୍ଵଯୁଦ୍ଧର ଅବସାନ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇ ନେପାଳ ରାଜଦରବାର ଉପହାରସ୍ଵରୂପ ଏଠାକାର ଜଙ୍ଗଲରୁ ଦଶଲକ୍ଷ ଘନଫୁଟ ଶାଳକାଠ କଟାଇନେବାକୁ ଅନୁମତି ଦେଇଥିଲେ । କାଠତକ ଆଦାୟ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଜେ.ଭି.କଲିୟର୍‌ଙ୍କୁ ନିଯୁକ୍ତ କରିଯାଇଥିଲା । କଲିୟର୍ ଏଠାରେ ପାହାଡ଼ ଫିଟାଇ ଶାରଦା ଗିରିସଙ୍କଟ ବାଟେ ଟ୍ରାମ୍‌ ଚଳାଚଳର ବ୍ୟବସ୍ଥା କରିଥିଲେ । ବନ୍ୟା ଓ ଭୂସ୍ଖଳନ ଘଟି ଟ୍ରାମ୍ ଧାରଣାଗୁଡ଼ିକ ବହୁଦିନୁ ନିଶ୍ଚିହ୍ନ ହୋଇଗଲାଣି । ସେଥିସଙ୍ଗେ ଗିରିସଙ୍କଟଟି ମଧ୍ୟ ଏତେ ସଂକୀର୍ଣ୍ଣ ଓ ଦୁର୍ଗମ ହୋଇଯାଇଛି ଯେ ପାଦ ଚିପି ଚିପି ଅତି ସାବଧାନରେ ନ ଚାଲିଲେ ତୀଖ ପାହାଡ଼ କଡ଼ରୁ ଗୋଡ଼ ଖସି ଶାରଦା ନଦୀର ବରଫ ପରି ଥଣ୍ଡା ପାଣିରେ ପଡ଼ିଯିବାର ଭୟ ଅନବରତ ଲାଗିରହିଥିଲା । ଗିର ସଙ୍କଟଟି ନିର୍ବିଘ୍ନରେ ପାର ହୋଇ ପାହାଡ଼ ଆର ପାଖରେ ଯେଉଁଠି ପହଞ୍ଚିଲୁ, ପୂର୍ବେ କଲିୟର୍‌ଙ୍କ ଟ୍ରାମ୍‍ପଥ ସେହିଠାରେ ହିଁ ଜଙ୍ଗଲରେ ପ୍ରବେଶ କରିଥିଲା । ସେଠାରୁ ଅଳ୍ପ ଦୂରରେ ମଣ୍ଡପ ପରି ଏକ ପ୍ରକାଣ୍ଡ ପଥର ନଈଭିତରକୁ ପଶିଯାଇଥିଲା । କିଛି ସମୟ ସେଠାରେ ଅଟକି ରହି ପଥର ଭଳି ଗହୀର ପାଣିରୁ ବଡ଼ ବଡ଼ ମାଛ ଦୁଇଟି ଧରିନେଇପାରିଲୁ ।

 

(୧) ଇବଟ୍‌ସନ୍‌ଙ୍କ ବିଷୟ ଲେଖକ ‘କୁମାୟୂଁର ନରଖାଦକ’ ଓ ‘ରୁଦ୍ର ପ୍ରୟୋଗ ନରଖାଦକ’ ବହିରେ ମଧ୍ୟ ଉଲ୍ଲେଖ କରିଛନ୍ତି । –ଅନୁବାଦକ

 

ନରଖାଦକ ବିଷୟରେ ତାଜା ଖବର କାଲ୍‌ଦୁଙ୍ଗାରେ ଆମକୁ ଜଣାଇଦେବାକୁ ସେଠାକାର ପଟ୍‌ଓ୍ୱାରୀ ଓ ଜଙ୍ଗଲରକ୍ଷୀକୁ ନର୍ଦ୍ଦେଶ ଦିଆଯାଇଥିଲା । ଲୋକ ଚାରିଜଣ ଆଗରୁ ଆସି ବଙ୍ଗଳାରେ ଆମକୁ ଅପେକ୍ଷା କରିଥିଲେ । ସେମାନଙ୍କଠାରୁ ଯାହା ଶୁଣିଲୁ, ସବୁ ମନକୁ ପାଇଲା ଭଳି ଖବର । ଗତ କେତେଦିନ ଭିତରେ ମଣିଷ କେହି ମରି ନ ଥିଲେ ବି ବାଘ ତିନିଦିନ ତଳେ ଥାକ୍ ପାଖରେ ବାଛୁରୀଟିଏ ମାରି ଖାଇଛି । ସେ ପର୍ଯ୍ୟନ୍ତ ସେ ଥାକ୍ ଆଖପାଖରେ ଅଛି ବୋଲି ସମସ୍ତେ ଦୃଢ଼ଭାବେ ମତ ଦେଲେ ।

 

‘କାଲ୍‌ଦୁଙ୍ଗା’ ଶାରଦା ନଦୀ ଭିତରକୁ ପଶିଯାଇଥିବା ଏକ ପ୍ରଶସ୍ତ ଅନ୍ତରୀପ । ଚାରି ମାଇଲ୍‌ ଲମ୍ବ ଓ ମାଇଲିଏ ଓସାର ଏହି ଅନ୍ତରୀପର ତିନି ପାଖରେ ନଈ ଓ ଗୋଟିଏ ପାଖରେ ପାଞ୍ଚହଜାର ପୁଟ ଉଚ୍ଚ ଧାଡ଼ିଏ ତୀଖ ପର୍ବତ । ଅନ୍ତରୀପ ଉତ୍ତର ପାଖରେ ଥିବା କାଲ୍‌ଦୁଙ୍ଗା ବଙ୍ଗଳାରେ ସମୁଦାୟ ତିନି ବଖରା ଘର ଓ ପୂର୍ବପାଖକୁ ଚଉଡ଼ା ବାରଣ୍ଡାଟିଏ । କାଲ୍‌ଦୁଙ୍ଗାର ଅନବଦ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବଙ୍ଗଳାର ଅବସ୍ଥିତି ଅତି ଚମତ୍କାର । ସୂର୍ଯ୍ୟୋଦୟ ସହ ପାହାନ୍ତିଆ କୁହୁଡ଼ି ମିଳାଇଯିବା ସଙ୍ଗେ ବଙ୍ଗଳା ବାରଣ୍ଡାରୁ ଦିଗନ୍ତବ୍ୟାପୀ ପାହାଡ଼ ଜଙ୍ଗଲର ଯେଉଁ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ, ତାହା ବାସ୍ତବିକ୍ ବର୍ଣ୍ଣନାର ବାହାରେ । ବଙ୍ଗଳାର ଠିକ୍ ସାମନାରେ ଏକ ପ୍ରଶସ୍ତ, ଉନ୍ମୁକ୍ତ ଉପତ୍ୟକା ଶାରଦା ଆର କୂଳରୁ ଆରମ୍ଭ ହୋଇ ନେପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଭିତରେ ନିଜକୁ ହଜାଇ ଦେଇଛି । ଘଞ୍ଚ ଜଙ୍ଗଲପୂର୍ଣ୍ଣ ସେହି ଉପତ୍ୟକାରୁ ହିଁ କଲିୟର୍‌ ଭାରତ ସରକାରଙ୍କ ପାଇଁ ଶାଳକାଠ କଟାଇଥିଲେ । ଉପତ୍ୟକା ଦୁଇପାଖେ ପାଚେରି ପରି ଉଚ୍ଚ ପର୍ବତ । ପର୍ବତ ମଝିରେ ନିବିଡ଼ ଅରଣ୍ୟର ବୁକୁ ଚିରି ସର୍ପିଳ ଗତିରେ ନେପାଳରୁ ବହି ଆସିଥିବା ସରୁ ନଦୀଟିର ଦୁଇକୂଳେ କଅଁଳ ହାତିଆ ଘାସର ସଦା ସବୁଜ ଜଙ୍ଗଲ । ଦୃଷ୍ଟିପଥର ଶେଷ ସୀମାଯାଏ ଅନବଚ୍ଛିନ୍ନଭାବେ ଲମ୍ବି ରହିଥିବା ଜନମାନବଶୂନ୍ୟ ଏହି ନିବିଡ଼ ଜଙ୍ଗଲରୁ ଅସଂଖ୍ୟ ପଶୁପକ୍ଷୀଙ୍କର ଅବିଶ୍ରାନ୍ତ ଶବ୍ଦତାଣ୍ଡବ ଭେଦ କରି ମହାବଳବାଘର ଗୁରୁଗମ୍ଭୀର ଗର୍ଜନ ବଙ୍ଗଳା ବାରଣ୍ଡାକୁ ଶୁଣାଯାଏ ।

 

କାଲ୍‌ଦୁଙ୍ଗାରେ ଦିନଟିଏ ଅତି ଆନନ୍ଦରେ କଟିଗଲା । ପରଦିନ ସକାଳ ସୁଦ୍ଧା ଚୂକାରେ ପହଞ୍ଚିବା କଥା । ଲୋକମାନଙ୍କୁ ଆଗରେ ପଠାଇ ଦେଇ ଦିନଟି ଶାରଦା ନଦୀରୁ ମାଛ ମାରିବାରେ କଟାଇଲୁ । ଇବଟ୍‌ସନ୍ ଓ ଜୀନ୍ ବନ୍‌ଶି ପକାଇଲେ । ପୂର୍ବ ରାତିରେ ମ୍ୟାଲେରିଆ ହୋଇଥିବାରୁ ପାଣିରେ ନ ପଶି ମୁଁ କୂଳରେ ବସି ମାଛଧରା ଦେଖିଲି । ଇବଟ୍‌ସନ୍ ଓ ଜୀନ‌୍‌ ଦୁହେଁ ବନ୍‍ଶି ପକାଇବାରେ ଅତି ଧୁରନ୍ଧର । ବଙ୍ଗଳା ତଳଠାରୁ ନଈ କୂଳେ କୂଳେ ପାଞ୍ଚଶହ ଗଜ ଦୂର ଅନ୍ତରୀପ ଶେଷ ପର୍ଯ୍ୟନ୍ତ ପାଣିତଳେ ପଥର ପଡ଼େ । ପଥର ଉପରେ ନାଚି ନାଚି ଛୁଟିଚାଲିଥିବା ପାଣିର ପ୍ରଖର ସୁଅ ପାଖରେ ଇବଟ୍‌ସନ୍‌ ଓ ଜୀନ୍‌ଙ୍କୁ ମଧ୍ୟ ହାର ମାନିବାକୁ ପଡ଼ିଲା । ଶାରଦା ଆର କୂଳରେ ଠିକ୍ ସେହି ସଲଖରେ ନେପାଳରୁ ବହିଆସୁଥିବା ସରୁ ନଦୀଟିର ମୁହାଣ । ମୁହାଣ ପାଖରୁ ପଥର ଉପରେ ଦୁଇଶହ ଗଜ ବହିଯିବା ପରେ ନଈର ଆଉ ଗୋଟିଏ ସ୍ଥିର ଜଳଧାର ଗଣ୍ଡରେ ଯାଇ ପଡ଼େ । ନଈର ପଥୁରିଆ ଅଂଶଟିର ଉପରମୁଣ୍ଡରେ ଇବଟ‌୍‌ସନ୍‌ ବନ୍‌ଶି ପକାଇଦେବା ମାତ୍ରେ ପ୍ରାୟ ଚାରି କିଲୋଗ୍ରାମ ଓଜନର ବଡ଼ ମାଛଟିଏ ଥୋପ ଗିଳିଦେଲା । ସେଡ଼େ ବଡ଼ ମାଛକୁ ହାଲୁକା ବନ୍‌ଶି ଛଡ଼ରେ ସମ୍ଭାଳିବା ସହଜ ନୁହେଁ । ତା’ ସତ୍ତ୍ୱେ ଇବଟ୍‌ସନ୍‌ ମାଛଟିକୁ ଅତି ସାବଧାନରେ ଖେଳାଇ ଖେଳାଇ କୂଳକୁ ନେଇଆସି ପାରିଲେ ।

 

ବନ୍‌ଶି ପକାଇବାରେ ସଉକ ଥିଲେ ଆଉଜଣେ ମାଛ ଖେଳାଇବା ଦେଖିବାକୁ ଭଲ ଲାଗେ । ଶାରଦାର ସୁଅ ଅତି ପ୍ରଖର; ନଈକୂଳରେ ପାଣିତଳ ହୁଗୁଳା ପଥର ଉପରେ ଗୋଡ଼ ଜମାଇ ଛିଡ଼ାହେବା ମଧ୍ୟ ସହଜ ନୁହେଁ । ସବୁ ଅସୁବିଧା ଏଡ଼ାଇ ଇବଟ‌୍‌ସନ୍‌ ମାଛଟିକୁ ଖେଲାଇ ଖେଳାଇ ଆୟତ୍ତ କରିବା ବେଳକୁ ଆଉ ଗୋଟିଏ ପଥୁରିଆ ଜାଗାରେ ବଡ଼ ମାଛଟାଏ ଜୀନ‌୍‌ଙ୍କ ଥୋପ ଗିଲିଦେଲା । ଜୀନ୍‌ଙ୍କ ଲଟେଇରେ ମୋଟେ ଶହେ ଗଜ ଡୋରି । ମାଛ ଗଣ୍ଡକୁ ପଳାଇଗଲେ ଡୋରି କାଳେ ଛିଡ଼ିଯିବ, ଏଇ ଭୟରେ ମାଛକୁ ଖେଳାଇବା ସଙ୍ଗେ ଜୀନ୍‌ ନିଜେ ପଛାଇବାକୁ ଚେଷ୍ଟାକଲେ । ଖାବ୍‌ଖାବଡ଼ା ହୁଗୁଳା ପଥର ଉପରେ ପଛାଇକରି ଚାଲିଲେ ଯାହା ହୁଏ, ଶେଷରେ ତାଙ୍କର ଠିକ୍ ସେହି ଦଶା ହେଲା । କେଇ ପାହୁଣ୍ଡ ନ ଯାଉଣୁ ପାଣିରେ କଚାଡ଼ି ପଡ଼ି ସେ ଏମିତ ବୁଡ଼ିଗଲେ ଯେ ବନ୍‌ଶି ଛଡ଼ର ଅଗ ଓ ଗୋଡ଼ ଆଙ୍ଗୁଠି କେତୋଟି ଛଡ଼ା ପାଣି ଉପରକୁ କିଛି ଦଶିଲା ନାହିଁ ।

 

ଜୀନ୍‌ଙ୍କ ଏ ଦଶା ଦେଖି ରାତିର ଜ୍ଵର ଭୁଲି ତାଙ୍କୁ ଉଦ୍ଧାର କରିବାକୁ ମୁଁ ପାଣିକୁ ଡେଇଁ ପଡ଼ିଥିବି ବୋଲି ଆପଣ ନିଶ୍ଚୟ ଭାବୁଥିବେ । ପାଣିକୁ ଡେଇଁବା ଦୂରେ ଥାଉ, କୂଳରେ ବସି ମୁଁ ହସି ହସି ବେଦମ୍ ହୋଇଗଲି । ଅସଲରେ ଜୀନ୍ ଓ ଇବଟ୍‌ସନ୍‌ ଦୁହେଁ ପକ‌୍‌କା ପହଁରାଳି; ନଈରୁ ତାଙ୍କୁ ଉଦ୍ଧାର କରିବା ଓଧକୁ ପାଣିରୁ ଛାଣି ଆଣିବା ସଙ୍ଗେ ସମାନ । ହାତଗୋଡ଼ ବାଡ଼େଇ କିଛି ସମୟ ଚବର ଚବର ହେବା ପରେ ଜୀନ୍‌ ଆପେ ଆପେ ସଳଖିଗଲେ ଓ କୂଳରେ ପହଞ୍ଚି ପ୍ରାୟ ତିନି କିଲୋଗ୍ରାମ୍ ଓଜନ ମାଛଟିକୁ ପାଖକୁ ଆଉଜାଇ ଆଣିଲେ । ମାଛଟାକୁ ସେ ପାଣିରୁ ଉଠାଉଛନ୍ତି, ଏତିକିବେଳେ ଇବଟ‌୍‌ସନ୍‌ଙ୍କ ପାଳି ପଡ଼ଲା । ଖସଡ଼ା ପଥର ଉପରୁ ଗୋଡ଼ ଖସି ସେ ମଧ୍ୟ ଭୁସକରି ପାଣିରେ ପଡ଼ିଲେ ଓ ବନ୍‌ଶିଖଡ଼ା ସହିତ ଗୋଟାପଣେ ବୁଡ଼ମାରି ଉବୁଟୁବୁ ହୋଇ ଉଠିଲେ ।

 

ଗଣ୍ଡ ତଳମୁଣ୍ଡରୁ ନଈଟି ଡାହାଣକୁ ବାଙ୍କି ଥାଏ । ଆରକୂଳରେ ଠିକ୍ ବାଙ୍କ ଉପରେ ପୂର୍ବେ ମସ୍ତବଡ଼ ଶିମିଳି ଗଛଟିଏ ଥିଲା । ଗଛଟିର ଅଗରୁ ନଈର ବହୁଦୂରପର୍ଯ୍ୟନ୍ତ ଦେଖାଯାଏ । ମୋଟା ଡାଳ ଉପରେ ମାଛ ରଖି ଖାଇବାକୁ ସୁବିଧା ଓ ବସା ବାନ୍ଧିବାକୁ ରହିବାକୁ ସହଜ ହୋଇଥିବାରୁ ଶିମିଳି ଗଛ ଅଗରେ ବହିରା ଚଢ଼େଇ ଦୁଇଟି ବହୁଦିନୁ ବସାକରି ରହିଥିଲେ । ଗତବର୍ଷ ବଢ଼ିରେ ଅତଡ଼ା ଖସି ଗଛଟି ଭାସିଯିବା ପରେ ଚଢ଼େଇ ଦୁଇଟି ନଈକୂଳରୁ ଶହେଗଜ ଦୂର ଜଙ୍ଗଲଧାରରେ ଥିବା ଗୋଟିଏ ବଡ଼ ଶିଶୁଗଛରେ ନୂଆ କରି ବସା ବାନ୍ଧିଥାଆନ୍ତି ।

 

ବହିରା ଚଢ଼େଇ ଅଳ୍ପଗହୀର ପଥରକଟା ପାଣିରୁ ମାଛ ମାରେ । ସେଦିନ ମାଈ ଚଢ଼େଇଟି ବସାରେ ରହିଥାଏ; ପୁରୁଷ ଚଢ଼େଇ ଇବଟ୍‌ସନ୍‌ ଉପରେ ଆଗକୁ ପଛକୁ ଉଡ଼ି ମାଛ ଠାବ କରିବାରେ ଲାଗିଥାଏ । ଦୀର୍ଘ ସମସ୍ତ ଚେଷ୍ଟାକରିବା ପରେ ସେଠାରେ ମାଛ ନ ପାଇ ଚଢ଼େଇଟି ଆହୁରି ତଳକୁ ଉଡ଼ିଯାଇ ପାଣି ଉପରକୁ ମୁଣ୍ଡ ଟେକିଥିବା ଗୋଟିଏ ପଥର ଉପରେ ଚକ୍‌କର ମାରିଲା । ପଥର ପାଖରେ ପ୍ରଚୁର ମାଛ ଥିବା ତା’ ଗତିବିଧିରୁ ଜଣାପଡ଼ୁଥାଏ । କେଇ ଘେରା ଉଡ଼ିବା ପରେ ଚଢ଼େଇଟି ଡେଣା ବନ୍ଦ କରି ତୀରବେଗରେ ତଳକୁ ଥରେ ଝାମ୍ପ ମାରେ; କିନ୍ତୁ ପାଣିକୁ ଠିକ୍ ଛୁଇଁବା ପୂର୍ବରୁ ଡେଣା ଓ ପୁଚ୍ଛ ମେଲାଇ ଉପରକୁ ପୁଣି ଉଠିଯାଏ । କେତେ ଥର ଏହିପରି ବିଫଳ ହେବା ପରେ ଧୈର୍ଯ୍ୟର ଫଳ ତାକୁ ମିଳିଗଲା । ମାଛଟିଏ ପାଣିରୁ ମୁଣ୍ଡ ଟେକଦେବା ମାତ୍ରେ ଚଢ଼େଇ ଆଖିପିଛଡ଼ାକେ ଶହେ ଫୁଟ ତଳକୁ ଝାମ୍ପି ପଡ଼ିଲା । ପାଣିରେ ବୁଡ଼ମାରି ଉଠିଲା ବେଳକୁ ଲୁହା କଣ୍ଟାପରି ଶକ୍ତ ଓ ମୁନିଆ ତା’ ନଖରେ ଅନ୍ତତଃ ଦୁଇ କିଲୋଗ୍ରାମ୍ ଓଜନର ମାଛଟିଏ ଲାଖିରହିଛି । ଚଢ଼େଇର ଆକାର ଅନୁପାତରେ ମାଛର ଓଜନ କିନ୍ତୁ ବେଶି ପଡ଼ିଲା । ଡେଣା ଫଡ଼ ଫଡ଼ କରି ଉଡ଼ିବାକୁ ପ୍ରବଳ ଚେଷ୍ଟାକରି ମଧ୍ୟ ଚଢ଼େଇଟି ଟାଣିହୋଇ ଛାତିଯାଏ ପାଣିରେ ଡୁବି ଯାଉଥାଏ । ମାଛଟିରୁ ଶେଷରେ ତାକୁ ଛାଡ଼ିଦେବାକୁ ପଡ଼ିବ ଭାବୁଛି, ଏତିକିବେଳେ ପବନ ଝଲକାଏ ଆସି ଚଢ଼େଇଟିକୁ ତା’ ବସାରୁ ବିପରୀତ ଦିଗକୁ ଉଡ଼ାଇ ନେଇଗଲା । ପବନ ତୋଡ଼ରେ ବସା ଆଡ଼କୁ ବୁଲି ନ ପାରି ଚଢ଼େଇଟି ଅଗତ୍ୟା ନଈ, ଆରକୂଳରେ ଗୋଟିଏ ବଡ଼ ପଥର ଆଡ଼କୁ ମୁହାଁଇଲା ।

 

ମାଛକୁ ଅକ୍ତିଆର କରିବା ପାଇଁ ବହିରା ଚଢ଼େଇଟିର ପ୍ରବଳ ଚେଷ୍ଟା ମୁଁ ଏକାକୀ ଦେଖୁ ନ ଥିଲି । ନଈ ସେପାରିରେ ପଥର ଉପରେ ଲୁଗା କାଚୁଥିବା ସ୍ତ୍ରୀଲୋକ ଜଣେ ମଧ୍ୟ ଉପରକୁ ଅନାଇ ତା’ର କାର୍ଯ୍ୟକଳାପ ସବୁ ଲକ୍ଷ୍ୟ କରୁଥିଲା । ଚଢ଼େଇଟି ପଥର ଆଡ଼କୁ ମୁହାଁଇବା ଦେଖି ସ୍ତ୍ରୀଲୋକଟି ଚଞ୍ଚଳ ହୋଇଉଠି ଡାକ ପକାଇଲା । ପୁଅ ପିଲାଟିଏ ସଙ୍ଗେ ସଙ୍ଗେ ବନ୍ଧ ଉପରକୁ ଉଠି ଆସି ଗଡ଼ାଣିରେ ତା’ ପାଖକୁ ଧାଇଁଗଲା ଓ ସ୍ତ୍ରୀଲୋକଟି ତାକୁ ବତାଇ ଦେବାମାତ୍ରେ କୂଳର ବଡ଼ ବଡ଼ ଶିଉଳିବୋଳା ପଥର ଉପରେ ଡେଇଁ ଡେଇଁ ପ୍ରବଳ ବେଗରେ ନଈ ତଳଆଡ଼କୁ ଛୁଟିଲା । ପଥରରୁ ଗୋଡ଼ ଖସିଥିଲେ ପିଲାଟିର ପ୍ରାଣ ରହି ନ ଥାଆନ୍ତା । ସେଥିପ୍ରତି ଭ୍ରୂକ୍ଷେପ ନ କରି ପିଲାଟି ଅକ୍ଳେଶରେ ପାଖେଇ ଆସି ଚଢ଼େଇକୁ ହୁରୁଡ଼ାଇଦେଲା ଓ ପଥର ଉପରେ ଛିଡ଼ାହୋଇ ବିଜୟ ଉଲ୍ଲାସରେ ମାଛଟିକୁ ଟେକିଧରି ସ୍ତ୍ରୀଲୋକକୁ ଦେଖାଇବାକୁ ଲାଗିଲା ।

 

ଶିକାର ହରାଇ ବହିରା ଚଢ଼େଇ ସେଠାରୁ ଅପସରି ଯାଇଥିଲା । ଖରାବେଳ ଖିଆପିଆ ସରିବା ପରେ ନଈଆଡ଼େ ଥରେ ଅନାଇ ଦେଇ ଦେଖିଲି ଯେ ଚଢ଼େଇଟି ସେ ଭିତରେ ଫେରିଆସି ପଥର ଉପରେ ପୁଣି ଚକ୍‍କର ମାରୁଛି । ପଚାଶଫୁଟ ଉଚ୍ଚରେ ସମତଳ ଗତିରେ ଆଗ ପଛ କେଇଥର ଉଡ଼ିବା ପରେ ହଠାତ୍ ଚିଲାମାରି ସେ ଡୁବ ଦେଲା । ପାଣିରୁ ଉଠିଲାବେଳକୁ କେଜିଏ ଓଜନର କଳାବାଇଁଶିଟିଏ ସେ ଛାତିକୁ ଆଉଜାଇ ଜାପଟି ଧରିଥାଏ । ଚଢ଼େଇଟିର କପାଳ କିନ୍ତୁ ତେଜ ନଥିଲା ସେଦିନ । ବସାକୁ ଉଡ଼ି ଯାଉ ଯାଉ ମାଛରଙ୍କା ଈଗଲ୍‌ଟିଏ ତାକୁ ଗୋଡ଼ାଇଲା । ଆକାର ଆଉ ଓଜନରେ ମାଛରଙ୍କା ଈଗଲ୍‍ ବହିରା ଚଢ଼େଇର ପ୍ରାୟ ଦୁଇଗୁଣ; ତା’ର ଶକ୍ତି ଓ ଗତିବେଗ ମଧ୍ୟ ସେହି ଅନୁପାତରେ ବେଶି । ବହିରା ଚଢ଼େଇ ପଳାଇବାକୁ ପ୍ରାଣପଣ ଚେଷ୍ଟାକରିବା ସତ୍ତ୍ୱେ ଈଗଲ୍ ପ୍ରତି ମୁହୂର୍ତ୍ତରେ ପାଖେଇବାକୁ ଲାଗିଥାଏ । ଗଛପତ୍ର ଗହଳରେ ପଶି ଖସି ପଳାଇବା ଉଦ୍ଦେଶ୍ୟରେ ଚଢ଼େଇଟି ହଠାତ୍ ଡାହାଣକୁ ବୁଲି ଜଙ୍ଗଲଆଡ଼େ ମୁହାଁଇଲା । ଈଗଲ୍ ପାଖରେ ତା’ କୌଶଳ କିନ୍ତୁ ଛପି ରହିଲା ନାହଁ । ରାଗରେ ଚିର୍‍ଚିରେଇ ଉଠି ସେ ଆହୁରି ବେଗରେ ଚଢ଼େଇଟିକୁ ଗୋଡ଼ାଇବାକୁ ଲାଗିଲା । ଶେଷରେ ଜଙ୍ଗଲ ଧାରରୁ ମୋଟେ କୋଡ଼ିଏ ଗଜ ଦୂରରେ ଈଗଲ୍ ପାଖରେ ଧରା ପଡ଼ୁ ପଡ଼ୁ ଚଢ଼େଇଟି ମାଛକୁ ପକାଇ ଦେଇ ପ୍ରାଣବିକଳରେ ଚିରାମାରି ଉପରକୁ ଉଠିଗଲା । ମାଛ ଗଜେ ତଳକୁ ନ ଖସୁଣୁ ଈଗଲ୍ ଅତି ଚମତ୍କାର ଠାଣିରେ ଝାମ୍ପମାରି ଶୂନ୍ୟରୁ ତାକୁ ଧରି ନେଲା ଓ ସେହିଠାରୁ ବୁଲିପଡ଼ି ତା’ ଆସିବା ବାଟରେ ବାହୁଡ଼ିଲା ।

 

ଦୁର୍ବଳ ଚଢ଼େଇଟି ମୁହଁରୁ ଆହାର ଛଡ଼ାଇ ନେଇ ଲୁଣ୍ଠନକାରୀ ବେଶି ଦୂର ଯାଇପାରିଲା ନାହଁ । ବହିରା ଚଢ଼େଇଙ୍କ ଉଚ୍ଛିଷ୍ଟ ଖାଇ ଚଳୁଥିବା କୁଆ ଦୁଇଟି ତା’ ପିଛା ଧରିଲେ ଓ ବାରମ୍ବାର ରାବ ଦେଇ ତାକୁ ଉସକାଇବାକୁ ଲାଗିଲେ । କୁଆଙ୍କ ଦାଉରୁ ରକ୍ଷା ପାଇବାକୁ ଈଗଲ୍‍କୁ ଶେଷରେ ଜଙ୍ଗଲରେ ପଶିବାକୁ ପଡ଼ିଲା । କୁଆ ଯୋଡ଼ିକ ଜଙ୍ଗଲ ଧାରରୁ ଫେରିଆସିବାର ଠିକ୍ ପରେ ପରେ କିନ୍ତୁ ମରାଡ଼ ଦୁଇଟି ତୀରବେଗରେ ଉଡ଼ିଆସି ଈଗଲ୍ ପଛେ ପଛେ ଜଙ୍ଗଲରେ ପଶିଗଲେ । ଆହାର ପାଇଁ ଚାଲିଥିବା ଏହି ତୁମୂଳ ପ୍ରତିଯୋଗିତାରେ ମରାଡ଼ ଦୁଇଟିଙ୍କ ଆକସ୍ମିକ ଅବିର୍ଭାବର ଶେଷ ଫଳ କ’ଣ ହେଲା ଜାଣିପାରିଲି ନାହିଁ । ଦୀର୍ଘ ସମୟ ଯାଏ ମରାଡ଼ ବା ଈଗଲ୍ କେହି ଜଙ୍ଗଲରୁ ନ ବାହାରିବାରୁ ଅନୁମାନ କଲି ଯେ ମାଛର ଲୋଭ ଛାଡ଼ି ନ ପାରି ସମ୍ଭବତଃ ଈଗଲ୍‍ଟିକୁ ମରାଡ଼ ଆକ୍ରମଣରେ ପ୍ରାଣ ହରାଇବାକୁ ପଡ଼ିଛି ।

 

ଶିକାରୀପକ୍ଷୀ ପରସ୍ପରଠାରୁ ଶିକାର ଛଡ଼ାଇନେବାର ଏଭଳି ଏକ ଅତି ବିଚିତ୍ର ଦୃଶ୍ୟ ପୂର୍ବରୁ ଆଉଥରେ ମାତ୍ର ଦେଖିବାର ସୁଯୋଗ ପାଇଥିଲି । ସେଥର ଶିକାର ଥିଲା ଛୋଟ ଚଢ଼େଇଟିଏ । ଭିନ୍ନ ଭିନ୍ନ ଜାତିର ଚାରୋଟି ଶିକାରୀପକ୍ଷୀ ପରସ୍ପରଠାରୁ ଶୂନ୍ୟେ ଶୂନ୍ୟେ ଶିକାର ଛଡ଼ାଇ ନେବାବେଳେ କେହି ତାକୁ ଥରେ ହେଲେ ତଳେ ପକାଇ ନ ଥିଲେ । ସେଦିନ ସକାଳୁ ହାତୀ ନେଇ ଆମେ କଳା ତିତିର ସନ୍ଧାନରେ ବାହାରିଥିଲୁ । ଅଠରଟି ହାତୀ ଧାଡ଼ିବାନ୍ଧି ଘାସବଣରେ ପଶି ଆଗୋଉଥାନ୍ତି । ଦଶଜଣ ଶିକାରୀଙ୍କ ଛଡ଼ା ଦେଖଣାହାରୀ ପାଞ୍ଚଜଣ ବି ହାତୀ ପିଠିରେ ବସି ଥାଆନ୍ତି । ପାପିଆ ପକ୍ଷୀଟିଏ ମଲା ଚଢ଼େଇଟିକୁ ଗୋଡ଼ରେ ଧରି ଆମ ସାମ୍‌ନାରେ ଉଡ଼ି ଯାଉ ଯାଉ ନାଲିମୁଣ୍ଡିଆ ବାଜ ତାକୁ ଆକ୍ରମଣ କରି ଚଢ଼େଇଟିକୁ ଛଡ଼ାଇନେଲା । ପର ମୁହୂର୍ତ୍ତରେ ଗୋଟିଏ ମହୁଆ ଚିଲର ତାଡ଼ନାରେ ବାଜକୁ ମଧ୍ୟ ଶିକାର ତ୍ୟାଗ କରିବାକୁ ପଡ଼ିଲା । ଠିକ୍ ତା’ ପରେ ପରେ କପୋତିଆ ବାଜଟିଏ ଗୋଟିଏ ଝାମ୍ପରେ ଚିଲଠାରୁ ଚଢ଼େଇଟିକୁ ଛଡ଼ାଇନେଇ ସେହିଠାରେ ତାକୁ ଗୋଟାପଣେ ଗିଳିଦେଲା । ସେଦିନ ରୁଦ୍ରପୁର ମଇଦାନରେ ମୋ ସହିତ ଯେଉଁମାନେ ଉପସ୍ଥିତ ଥିଲେ, ଏ ଲେଖା ପଢ଼ିଲେ ଘଟଣାଟି ସେମାନେ ନିଶ୍ଚୟ ସ୍ମରଣ କରିବେ ।

 

ପରଦିନ ବେଳାବେଳି ଜଲଖିଆ ସାରି ତିନିହେଁ ନଈ କୂଳେ କୂଳେ ଚୂକାଆଡ଼େ ଚାଲିଲୁ-। କଅଁଳ ଖରା ସାଙ୍ଗକୁ ସୁଲୁସୁଲିଆ ଉତ୍ତରା ପବନ ବହି ସକାଳୁ ପାଗ ଯେମିତି ହୋଇଥାଏ, ମାଛ ଶିକାରୀ ବହୁଦିନ ଯାଏ ସେଭଳି ପାଗ‌ ପାସୋରି ପାରିବ ନାହିଁ । ନଈରେ ମାଛ ହାଉଯାଉ ହେଉଥାନ୍ତି; ବଡ଼ ମାଛଙ୍କ ତାଡ଼ନାରେ ଦଳ ଦଳ ମୀନ ଛିନ୍ନଛତ୍ର ହୋଇ ପଳାଉଥାଆନ୍ତି । ଏଭଳି ପରିବେଶରେ ବନ୍‌ଶି ଛଡ଼ ବ୍ୟବହାର କରିବାର ଲୋଭ ଏଡ଼ାଇପାରିଲୁ ନାହିଁ । ବାଟଯାକ ମାଛ ସହିତ ବହୁବାର ମୁକାବିଲା ଘଟିଲା; କେତେଥର ଆମ୍ଭକୁ ହାର୍ ମାନିବାକୁ ବି ପଡ଼ିଲା । ତା’ ସତ୍ତ୍ୱେ ସେଦିନ ପାଞ୍ଚମାଇଲ୍ ବାଟ ଚାଲିବା ଭିତରେ ଡେରାର ତିରିଶି ଜଣଙ୍କୁ ଅଣ୍ଟିବା ଭଳି ମାଛ ଆମେ ଧରି ନେଇପାରିଲୁ ।

 

(ତିନି)

 

ନରଖାଦକ ମଣିଷ ମରିବାଯାଏ ଅପେକ୍ଷା ନ କରି ମଇଁଷି ବାନ୍ଧି ତାକୁ ମାରିବାକୁ ଚେଷ୍ଟାକରିବୁ ବୋଲି ଆରମ୍ଭରୁ ସ୍ଥିର କରିଥିଲୁ । ଆମ ବରାଦ ମୁତାବକ ଟନକ୍‍ପୁରରୁ ଅଣାଯାଇଥିବା ମଇଁଷି ଦାମୁଡ଼ି ଛଅଟି ତିନିଦିନ ତଳେ ଚୂକାରେ ଆସି ପହଞ୍ଚିଥିଲେ । ଚୂକାରେ ପହଞ୍ଚି ଶୁଣିଲୁ ଯେ, ଗତ ତିନିରାତି ଧରି ମଇଁଷିଗୁଡ଼ିକୁ ନିୟମିତ ପଦାରେ ବନ୍ଧାଯାଇଥିଲା । ସେ ଭିତରେ ମଇଁଷି କେହି ମରି ନଥିଲେ ବି ତାଙ୍କ ଆଖପାଖରେ ବାଘର ପାହୁଲ ଦାଗ ପଡ଼ିଥିବା ଲୋକମାନେ ଲକ୍ଷ୍ୟ କରିଥିଲେ । ପରବର୍ତ୍ତୀ ଚାରିଦିନ ଏକ ନିୟମିତ କାର୍ଯ୍ୟକ୍ରମ ଅନୁସାରେ ପ୍ରତିଦିନ ସଞ୍ଜବେଳେ ମଇଁଷିଗୁଡ଼ିକୁ ପଦାରେ ବାନ୍ଧି ପରଦିନ ବଡ଼ିସକାଳୁ ଫିଟାଇ ଅଣାଗଲା । ଦିନର ବାକିତକ ସମୟ ଆମେ ବାଘକୁ ଖୋଜିବାରେ କଟାଇଲୁ ।

 

ଥାକ୍ ପାଖ ଜଙ୍ଗଲରେ ଜାଗାଏ ଗାଈଜଗା ପିଲା ଦୁଇଟି ବାଘମୁହଁରେ ପ୍ରାଣ ହରାଇଥିବା ଆଗରୁ ବର୍ଣ୍ଣନା କରିଛି । କ୍ରମାଗତ ଚାରିରାତି ସେହି ଜଙ୍ଗଲଧାରରେ ମଇଁଷିଟିଏ ବାନ୍ଧିବା ପରେ ପଞ୍ଚମ ଦିନ ସକାଳୁ ଦେଖିଲୁ ଯେ ବାଘ ରାତି ଭିତରେ ମଇଁଷିଟିକୁ ମାରିଛି; କିନ୍ତୁ ଗହଳ ଜଙ୍ଗଲରେ ନ ପଶି ଚକଡ଼ାଏ ପଦା ଜାଗା ପାର ହୋଇ ଆରପାଖ ଗୋଟିଏ କୁଦ ଉପରେ ମଢ଼କୁ ନେଇ ଥୋଇଛି । ଜଙ୍ଗଲରେ ପଶିଥିଲେ ବାଘକୁ ଯେଉଁବାଟେ ଯିବାକୁ ପଡ଼ିଥାଆନ୍ତା, ପୂର୍ବରୁ ସେହି ବାଟ ପାଖର ଗୋଟିଏ ମଞ୍ଚାରୁ ତା’ ଉପରକୁ ଦୁଇଥର ଛର୍‌ରାମାଡ଼ ହୋଇଥିଲା । ତେଣୁ ମଇଁଷିକୁ ନେଇ ବାଘ ମଞ୍ଚାରୁ ବିପରୀତ ଦିଗକୁ ପଳାଇବାକୁ ଚେଷ୍ଟାକରିଥାଏ । କିଛି ବାଟ ଯିବା ପରେ ଦୁଇଟି ପଥରସନ୍ଧିରେ ଶିଙ୍ଘ ଲାଖିଯାଇ ମଇଁଷି ଅଟକିଥିଲା । ତାକୁ ହଟାଇ ନ ପାରି ବାଘ ପଛ ଫଡ଼ିଆରୁ କେଇ ପୁଳା ମାଂସ ଖାଇ ଚାଲିଯାଇଥାଏ । ବାଘର ଯିବାବାଟ ଠଉରାଇ ମଇଁଷିଠାରୁ କିଛି ଦୂର ଆଗେଇବା ପରେ ଜଙ୍ଗଲଧାରରୁ ଅଳ୍ପ ଛଡ଼ାରେ ପଙ୍କଭରା ଚବକାଟିଏ ପଡ଼ିଲା । ଆଖପାଖ ଗାଁର ମଇଁଷିପଲ ଚବକାଟିରେ ପଶି ପଙ୍କରେ ଲୋଟନ୍ତି । ଚବକାଧାରରେ ପାହୁଲଦାଗ ଦେଖି ଜାଣିଗଲୁ ଯେ ମଇଁଷିକୁ ମାରିଥିବା ବାଘ ପ୍ରକାଣ୍ଡ ପୁରୁଷ ମହାବଳଟିଏ ।

 

ସେଦିନ ଯାଏ ଜିଲା ଶାସନ କର୍ତ୍ତୁପକ୍ଷ ଏ ନରଖାଦକକୁ ବାଘୁଣୀ ବୋଲି ଭାବିଥିଲେ । ଏପରି ଧାରଣା କରିବାର କାରଣ କ’ଣ ଥିଲା ମୋତେ ଜଣାନାହିଁ । ଗାଁରୁ ଲୋକ ଡାକି ପାହୁଲଦାଗଗୁଡ଼ିକ ଦେଖାଇଲୁ । ବାଘ ଓ ବାଘୁଣୀଙ୍କ ପାହୁଲଦାଗ ଭିତରେ ପାର୍ଥକ୍ୟ ସେମାନଙ୍କୁ ଜଣା ନ ଥିଲା । ତେବେ ଏହି ନରଖାଦକର ଶ୍ୱାନଦନ୍ତରୁ ଗୋଟିଏ ଭଙ୍ଗା ଓ ଶିକାର ଦେହରେ ଗଳି ନ ଯାଇ ସେ ଦାନ୍ତଟି ଚମକୁ କେବଳ ରାଞ୍ଚୁଡ଼ି ଦେଇଥିବା ସେମାନେ ବରାବର ଲକ୍ଷ୍ୟ କରିଛନ୍ତି ବୋଲି କହିଲେ ।

 

ମଇଁଷିଠାରୁ କୋଡ଼ିଏ ଗଜ ଦୂର ଗୋଟିଏ ପ୍ରକାଣ୍ଡ ଜାମୁଗଛରେ ମଢ଼ ଉପରେ ନଜର ରଖି ବସିବା ଭଳି ବଡ଼ ଡାଳଟିଏ ଥିଲା । ଡାଳ ସାମନାରୁ ଛୋଟ ଛୋଟ ଡାହି କେତୋଟି ଭାଙ୍ଗି ଦେଖିବା ପାଇଁ ଟିକିଏ ଫାଙ୍କ କରିଦେବାକୁ ଲୋକ ଜଣକୁ ଗଛରେ ଚଢ଼ାଇ ମସ୍ତବଡ଼ ଭୁଲ୍‌ଟାଏ କରିବସିଲି l ଜାମୁଗଛଟି ଗୋଟିଏ କୁଦ ଉପରେ ଅଲଗାହୋଇ ଥିବାରୁ ଚାରିପାଖ ଜଙ୍ଗଲରୁ ଭଲଭାବେ ଦେଖାଯାଉଥିଲା । ଲୋକଟିକୁ ଗଛଉପରେ ଦେଖି ଦେଇ ବାଘ ତରକିଗଲା ବୋଲି ତା’ର ପରବର୍ତ୍ତୀ କାର୍ଯ୍ୟକଳାପରୁ ଜଣାପଡ଼ିଲା ।

 

ଖରାବେଳେ ଖାଇବା ପାଇଁ ସବୁ ସାମଗ୍ରୀ ଆମେ ସଙ୍ଗରେ ଆଣିଥିଲୁ । ଦିନ ଏଗାରଟା ବେଳେ ଲୋକମାନଙ୍କୁ ଖିଆପିଆ କରିବା ପାଇଁ ଗାଁକୁ ପଠାଇ ଦେଇ ଦୁହେଁ ଗୋଟିଏ ବୁଦା ଉହାଡ଼ରେ ଲୁଚିବସିଲୁ । ଛାଇରେ ବସି ତୁନି ତୁନି କଥାବାର୍ତ୍ତା ହୋଇ ଓ ମଝିରେ ମଝିରେ ଟିକିଏ ଘୁମାଇ ପଡ଼ି ସମୟ ମନ୍ଦ କଟିଲା ନାହିଁ । ଦିନ ଅଢ଼େଇଟା ବେଳକୁ ଖିଆପିଆ ଠିକ୍ ଆରମ୍ଭ କରଛୁ, ହଠାତ୍ ମଢ଼ଠାରୁ ଅଳ୍ପ ଛଡ଼ାରେ ଜଙ୍ଗଲ ଧାର ପାଖରୁ ପାହାଡ଼ିଆ କୁକୁଡ଼ା ପଲେ ଉଚ୍ଚସ୍ୱରରେ ରାବିବା ଆରମ୍ଭ କରିଦେଲେ । କୁକୁଡ଼ାଙ୍କ ରାବ ଶୁଣିବାମାତ୍ରେ ଆମ ଲୋକ ପଞ୍ଝାକ ତରତରରେ ଗାଁରୁ ବାହୁଡ଼ି ଆସିଲେ । ମୁଁ ମଧ୍ୟ କାଳବିଳମ୍ବ ନ କରି ଗଛରେ ଚଢ଼ିଗଲି । କୁକୁଡ଼ା ଯେଉଁଠୁ ରାବିଥିଲେ, ମୋ’ଠାରୁ ବାଘର ଦୃଷ୍ଟି ଏଡ଼ାଇବା ପାଇଁ ଇବଟ୍‌ସନ୍ ଓ ତାଙ୍କ ଅତି ସାହାସୀ ଅନୁଚର ଶ୍ୟାମ ସିଂ ସେହିଠାରେ ଜଙ୍ଗଲରେ ପଶିଗଲେ । ଡାଳରେ ମୁଁ ସଜାଡ଼ିହୋଇ ବସିଲା ପରେ ଦୁହେଁ ଜଙ୍ଗଲରୁ ବାହାରି ସଦଳବଳେ ଡେରାକୁ ବାହୁଡ଼ିଲେ ଓ ମୋ ଲୋକ ଦୁଇଜଣଙ୍କୁ ଥାକରେ ଛାଡ଼ି ଅନ୍ୟମାନଙ୍କ ସହିତ ଚୂକା ଫେରିଗଲେ ।

 

ଇବଟ୍‌ସନ୍ ଓ ଅନ୍ୟମାନେ ସେଠାରୁ ଅପସରି ଯିବାର ଅଳ୍ପ ସମୟ ପରେ ପଲକଯାକ କୁକୁଡ଼ା ପୁଣି ଥରେ ରାବିବାକୁ ଆରମ୍ଭ କଲେ । ଟିକିଏ ପରେ ସେଠା ପାଖରୁ କୁଟୁରାଟିଏ ସେମାନଙ୍କ ସହିତ ଯୋଗଦେଇ ଜଣାଇଦେଲା ଯେ, ବାଘ ତା’ ଆଶ୍ରୟସ୍ଥଳ ଛାଡ଼ି ବୁଲି ବାହାରିଲାଣି-। ମଇଁଷି ପାଖରେ ପହଞ୍ଚିବା ପାଇଁ ବାଘକୁ ପଦାଜାଗାଟି ପାର ହେବାକୁ ପଡ଼ିବ; ଆଉ ସଞ୍ଜ ହୋଇ ଲୋକ ଆତଯାତ ବନ୍ଦ ନ ହେଲେ ପଦାକୁ ସେ ବାହାରିବ ନାହିଁ । କୁଟୁରାଟି ପନ୍ଦର ମିନିଟ୍ ଅନବରତ ଭୁକି ଭୁକି ତୁନି ହୋଇଯିବା ପରଠାରୁ ଜଙ୍ଗଲ ଶାନ୍ତ ଓ ନୀରବ ରହିଲା; ଶାରଦା ଆରପାରି ନେପାଳର ଧାଡ଼ି ଧାଡ଼ି ଉଚ୍ଚ ପର୍ବତ ପଛରେ ସୂର୍ଯ୍ୟ ବୁଡ଼ିବାଯାଏଁ ପକ୍ଷୀଙ୍କର ସାନ୍ଧ୍ୟା-କଲରବ ଛଡ଼ା ଆଉ କିଛି ଶୁଣାଗଲା ନାହିଁ ।

 

ସନ୍ଧ୍ୟା ଘନେଇ ଆସିବା ସଙ୍ଗେ ଚବକା ପାଖ ଜଙ୍ଗଲରୁ କୁଟୁରାଟିଏ ପୁଣି ଭୁକିବାକୁ ଆରମ୍ଭ କଲା । ସେତେବେଳକୁ ସାମନାର ଗୋଟିଏ ଡାଳ ଉପରେ ରାଇଫଲ୍‍କୁ ମୁଁ ଏମିତି ସଜରେ ଭରାଦେଇ ରଖିଥାଏ ଯେ ବାଘ ଆସିଲେ ମୁଣ୍ଡ ଟିକିଏ ନୁଆଇଁ ଦେଇ ଘୋଡ଼ା ଟିପିଦେବା ଛଡ଼ା ମୋତେ ଆଉ କିଛି କରିବାକୁ ପଡ଼ିବ ନାହିଁ । ଉତ୍କଣ୍ଠିତ ଅପେକ୍ଷାରେ କେଇ ମିନିଟ୍ କଟିଯିବା ପରେ ପାହାଡ଼ର ଆହୁରି ଦୁଇଶହ ଗଜ ଉପରୁ କୁଟୁରାଟିଏ ଆତଙ୍କଧ୍ଵନି କରି ଜଣାଇଦେଲା ଯେ ବାଘ ମୋ’ଠାରୁ ଦୂରେଇ ଯାଉଛି ଓ ତାକୁ ମାରିବାର ସମ୍ଭାବନା ସେହି ଅନୁପାତରେ କମିଆସୁଛି । ବାଘ ଏପରିଭାବେ ଶିକାର ଛାଡ଼ି ପଳାଇବାର କାରଣ ଚିନ୍ତା କରି ଭାବିଲି ଯେ, ସମ୍ଭବତଃ ଆମ ଲୋକଟି ଗଛରେ ଚଢ଼ି ଡାଳପତ୍ର ଭାଙ୍ଗିଲାବେଳେ ବାଘ ତାକୁ ଦେଖିଛି କିମ୍ବା ସୂର୍ଯ୍ୟାସ୍ତ ପୂର୍ବରୁ କେତେବେଳେ ନିଃଶବ୍ଦରେ ପାଖକୁଆସି ଜାମୁଗଛରେ ମୁଁ ବସିଥିବା ଲକ୍ଷ୍ୟ କରିଛି । ସେ ଯାହାହେଉ, ଏହା ପରଠାରୁ କିଛି ସମୟ ଯାଏ କୁଟୁରା ଓ ମଝିରେ ମଝିରେ ସମ୍ବରଟିଏ ମଧ୍ୟ ବୋବାଇ ଉଠି ବାଘ ଅହୁରି ଦୂରେଇଯିବା କଥା ସୂଚାଇଦେଲେ । ରାତି ବଢ଼ିବା ସଙ୍ଗେ ଶବ୍ଦ ସବୁ ଥମିଆସିଲା; ରାତି ଅଧରୁ ସକାଳ ଯାଏଁ ଜଙ୍ଗଲର ଶାନ୍ତ ସୁପ୍ତ ମର୍ମର ଓ ଘୁମନ୍ତ କଳରବ ଛଡ଼ା ଆଉ କିଛି ଶୁଣାଗଲା ନାହିଁ ।

 

ଭାରତୀୟ ଜଙ୍ଗଲ ସହିତ ଯେଉଁମାନେ ପରିଚିତ, ପ୍ରକୃତିଦ୍ଵାରା ନିରୂପିତ ରାତିର ଏହି ବିଶ୍ରାମ ସମୟଟି ସେମାନେ ଅବଶ୍ୟ ଲକ୍ଷ୍ୟ କରିଥିବେ । ଋତୁ ଓ ପକ୍ଷ ଅନୁସାରେ ଏଥିରେ ପରିବର୍ତ୍ତନ ଘଟୁଥିଲେ ମଧ୍ୟ ରାତିଅଧରୁ ପ୍ରାୟ ଭୋର୍ ଚାରିଟା ପର୍ଯ୍ୟନ୍ତ ଜଙ୍ଗଲରେ ସବୁପ୍ରକାର ସଂଗ୍ରାମ ଓ ସଙ୍ଘର୍ଷର ବିରତି ଘଟିଥାଏ; ଜଙ୍ଗଲବାସୀ ଜୀବଜନ୍ତୁ ସେତିକି ସମୟ ଶାନ୍ତିରେ ବିଶ୍ରାମ କରନ୍ତି । ମାଂସଭୋଜୀ ପଶୁମାନେ ଶୋଇଥିବାବେଳେ ତୃଣଭୋଜୀ ପଶୁଗୁଡ଼ିକ ଭୀତିସଙ୍କୁଳ ତାଙ୍କ ଦୈନନ୍ଦିନ ଜୀବନ ଅନବଚ୍ଛିନ୍ନ ସତର୍କତାରୁ ସାମାନ୍ୟ ନିଷ୍କୃତି ପାଆନ୍ତୁ–ପ୍ରକୃତ ଏଇଥିପାଇଁ ଏହି ନିୟମଟି ପ୍ରଣୟନ କରିଥିବା ପରି ମନେହୁଏ ।

 

ସବୁଆଡ଼ୁ ବୁଝି ବିଚାରି କାମ କରିବାରେ ଇବଟ୍‌ସନ୍‌ଙ୍କ ସମକକ୍ଷ ମୁଁ ଦେଖିନାହିଁ । ଫେରିବା ପୂର୍ବରୁ ଫ୍ଲାସ୍‌କରେ ମୋ’ପାଇଁ ଚାହା ପୂରାଇ ପାଖର ଗୋଟିଏ ବୁଦାତଳେ ସେ ଲୁଚାଇ ଦେଇ ଯାଇଥିଲେ । ଜାକିଜୁକି ହୋଇ ଡାଳଟିରେ ରାତିଏ ବସିବା ପରେ ଗୋଡ଼ ହାତ ସଳଖିବାକୁ କଷ୍ଟ ହେଉଥାଏ । ରାତି ପାହିବାମାତ୍ରେ ତଳକୁ ଓହ୍ଲାଇ ଚାହାତକ ଢାଳି ପିଇଲି । ଟିକିଏ ପରେ ଥାକ୍‍ରୁ ମୋ ଲୋକ ଦୁଇଜଣ ଆସି ପହଞ୍ଚିଲେ । ଶାଗୁଣାଙ୍କଠାରୁ ଲୁଚାଇବା ପାଇଁ ଲୋକଙ୍କ ସହିତ ମିଶି ମଢ଼କୁ ଡାଳପତ୍ରରେ ଘୋଡ଼ାଉଛି, ଏତିକିବେଳେ ଅଧମାଇଲ୍ ଦୂର ପାହାଡ଼ ଉପରୁ ବାଘ ଲାଗ ଲାଗ ତିନିଥର ହେଣ୍ଟାଳି ଦେଲା । ତରତରରେ ମଢ଼କୁ ଘୋଡ଼ାଇ ତିନିହେଁ ଡେରାକୁ ଫେରିଆସିଲୁ । ଥାକ୍‌ର ବୁଢ଼ା ବୁଢ଼ା ଲୋକ କେଇଜଣ ମୋତେ ବାଟରେ ଭେଟି କହିଲେ ଯେ ନରଖାଦକ କାଲି କିମ୍ବା ପଅରଦିନ ନିଶ୍ଚୟ ମରିବ ବୋଲି ସେମାନେ ଗଣନା କରି ଦେଖିଛନ୍ତି ଓ ସେଥିପାଇଁ ମାନସିକ ରଖି ଦିଅଁ ଦେବତାଙ୍କ ପୂଜାପାଠ ମଧ୍ୟ କରିଛନ୍ତି । ବାଘ ଆଜି ଖସି ପଳାଇଯିବା ପାଇଁ ଦୁଃଖ ନ କରିବାକୁ ମୋତେ ଅନୁରୋଧ କରି ସେମାନେ ଆଶ୍ୱାସନା ଦେଲେ ଯେ ଆଉ ଦିନେ ଦୁଇଦିନରେ ବାଘର ଆୟୁକ୍ଷ ନିଶ୍ଚୟ ପୂରିବ ।

 

ଗରମ ପାଣିରେ ଗାଧୋଇ ଖିଆପିଆ କଲାପରେ ଟିକିଏ ଫୁର୍ତ୍ତି ଲାଗିଲା । ଆଉ ଜାଗାଏ ମଇଁଷି ବାନ୍ଧି ଜଗିବାକୁ ସ୍ଥିର କରି ଦିନ ଗୋଟାକ ବେଳେ ପୁଣି ବାହାରିଲି । ତୀଖ ପାହାଡ଼ଟିକୁ ଉଜାଣି ପାରହୋଇ ଥାକରେ ପହଞ୍ଚିବା ମାତ୍ରେ ଗାଁଲୋକେ କହିଲେ ଯେ ଟିକିଏ ଆଗରୁ ଗାଆଁ ଉପର ପାହାଡ଼ରେ ସମ୍ବରଟାଏ ତୁହାଇ ତୁହାଇ ବୋବାଉଥିଲା । ସେ ଜାଗାଟି ମଲା ମଇଁଷିଠାରୁ ବେଶି ଦୂର ନୁହେଁ । ବାଘ ସେ ଭିତରେ ମଇଁଷିକୁ ଖାଇ ଭୋକ ମେଣ୍ଟାଇ ଦେଲେ ମୋର ଆୟୋଜନ ସବୁ ବ୍ୟର୍ଥ ହୋଇଯିବ । ବାଘକୁ ସେଠାରୁ ହୁରୁଡ଼ାଇ ଦେବା ଉଦ୍ଦେଶ୍ୟରେ ପ୍ରଥମେ ମଢ଼ ଚାରିପାଖେ ପୁରୁଣା ଖବର କାଗଜ କେଇଖଣ୍ଡ ବିଛାଇ ଦେଲି । ଅଳ୍ପଦୂରରେ ଗୋରୁଦାଣ୍ଡି କଡ଼ର ଗୋଟିଏ ଗଛର ଡାଳରେ ଦଉଡ଼ି ଛନ୍ଦାହୋଇ ମୋ’ପାଇଁ ଆସନଟିଏ ପ୍ରସ୍ତୁତ କରଗଲା । ଟିକିଏ ଆଗକୁ ମୋ ଲୋକେ ଦାଣ୍ଡି ଉପର ଗୋଟିଏ ଗଛଶିଅରେ ମଇଁଷି ଖଟାଇ ଦେଇ ତା’ ମୁହଁ ପାଖରେ ଯଥେଷ୍ଟ ସଜ ଘାସ ମଧ୍ୟ କୁଢ଼ାଇଦେଲେ । ବାଘକୁ ଆକର୍ଷଣ କରିବାକୁ ଓ ତା’ ଗତିବିଧି ସମ୍ବନ୍ଧରେ ମୋତେ ସୂଚନା ଦେବାପାଇଁ ମଇଁଷି ବେକରେ ଘଣ୍ଟିଟିଏ ବନ୍ଧାଥିଲା । ଆୟୋଜନ ଅନୁପାତରେ ଫଳ କିନ୍ତୁ ମିଳିଲାନାହିଁ । ମଇଁଷି ଘାସତକ ଖାଇ ରାତିଟା ଆରାମରେ ଶୋଇ ଶୋଇ କଟାଇଦେଲା । ବେକରେ ତା’ର ଘଣ୍ଟିଟି ମଝିରେ ମଝିରେ ଠୁଣୁ ଠୁଣୁ ବାଜୁଥାଏ । ରାଇଫଲ୍‍ ସଜ କରି ରାତିତମାମ୍ ଉଜାଗର ରହିଲି; କିନ୍ତୁ ବାଘର ଦେଖାଦର୍ଶନ ପାଇଲିନାହିଁ ।

 

ରାତିପାହିଲା । ଚାରିଆଡ଼େ ଫର୍ଚାହେବା ପରେ ଥାକ୍‌ରୁ ଲୋକ ଦୁହେଁ ମୋତେ ନେବାକୁ ଆସି ଗଛପାଖରେ ହାଜର ହେଲେ । ସେମାନଙ୍କଠାରୁ ଶୁଣିଲି ଯେ ଗାଁର ପୂର୍ବକୁ ଥିବା ଗହୀର ଝୋଲାଭିତରୁ ରାତିରେ ସମ୍ବର ଓ କୁଟୁରା ବୋବାଇବା କୁଆଡ଼େ ଗାଁକୁ ଶୁଭୁଥିଲା । ବାଘମୁହଁରେ ପ୍ରାଣ ହରାଇଥିବା ଅନାଥ ପିଲାଟିର ନାଲିଟୋପି ଓ ରକ୍ତବୋଳା ଲୁଗା କେଇଖଣ୍ଡ ସେହି ଝୋଲାରୁ ହିଁ ମିଳିଥିଲା । ଗ୍ରାମବାସୀଙ୍କ ଅନୁରୋଧରେ ଝୋଲା ତଳମୁଣ୍ଡରେ ମଇଁଷିଟିଏ ଆମେ ନିୟମିତ ବାନ୍ଧୁଥିଲୁ । ମଇଁଷିଟିର ହାଲ୍ ଦେଖିବାକୁ ସ୍ଥିର କରି ସେହିଠାରୁ ଡେରାକୁ ବାହୁଡ଼ିଲୁ-

 

ଡେରାରେ ପହଞ୍ଚି ଶୁଣିଲି ସେ କେଇଘଣ୍ଟା ପୂର୍ବରୁ ବାଘର ସନ୍ଧାନରେ ଇବଟ୍‌ସନ୍ ଏକାକୀ ବାହାରିଯାଇଛନ୍ତି । ପୂର୍ବଦିନ ସନ୍ଧ୍ୟାରେ ଡେରାକୁ ଫେରିବା ପରେ ସେ କୁଆଡ଼େ ଖବର ପାଇଲେ ଯେ ଲଧ୍ୟା ଉପତ୍ୟକାରେ ଚୂକାଠାରୁ ଅଠମାଇଲ୍ ଉପର ଗୋଟିଏ ଜାଗାରେ ବାଘ ବଳଦଟିଏ ମାରିଦେଇଛି । ମୋ’ପାଇଁ ଆପେକ୍ଷା କରିବାରେ ଅଯଥା ସମୟ ନଷ୍ଟ ନ କରି ରାତି ନ ପାହୁଣୁ ସେ ଏକାକୀ ବାହାରିଗଲେ ।

 

ଦୁଇଦିନ ଓ ଗୋଟିଏ ରିତି ବାହାରେ କଟାଇ ଇବଟ୍‌ସନ୍ ପରଦିନ ସନ୍ଧ୍ୟାରେ କ୍ଳାନ୍ତ ହୋଇ ଡେରାକୁ ଫେରିଲେ । ମଲା ବଳଦକୁ ରାତିସାରା ଜଗିବସିବା ସତ୍ତ୍ୱେ ବାଘର ଭେଟ ସେ ପାଇଲେ ନାହିଁ ବୋଲି ଶୁଣିଲି ।

 

(ଚାରି)

 

ଜୀନ୍‌ଙ୍କ ସହିତ ସକାଳେ ବସି ଜଳଖିଆ କରୁଛି, ଏତିକିବେଳେ ଜଙ୍ଗଲରୁ ମଇଁଷି ନେବା ଅଣିବା କରୁଥିବା ଲୋକଗୁଡ଼ିକ ଆସି ଖବର ଦେଲେ ଯେ ‘ଥାକ୍’ ପୂର୍ବପାଖ ଝୋଲା ତଳେ ବନ୍ଧାଥିବା ମଇଁଷିଟି ନିଖୋଜ ହୋଇଛି । ଝୋଲା ଭିତରେ ବାଘ ରାତିରେ ହେଣ୍ଟାଳୁଥିବା କଥା ସେହିମାନେ ହିଁ ସକାଳୁ ମୋତେ କହିଥିଲେ । ମଇଁଷି ବିଷୟରେ ଆମେ କଥାବାର୍ତ୍ତା ହେଉ ହେଉ ସେଠାକାର ଡିଭିଜନାଲ୍ ଫରେଷ୍ଟ୍ ଅଫିସର୍‍ ମ୍ୟାକଡୋନାଲ୍‌ଡ ଗସ୍ତରେ ଆସି ବଙ୍ଗଳାରେ ହାଜର ହୋଇଗଲେ ଓ କହିଲେ ଯେ ସେହିଦିନ ସକାଳୁ କାଲ୍‌ଦୁଙ୍ଗାରୁ ଡେରା ଉଠାଇ ଚୂକା ଆସୁ ଆସୁ ବାଟରେ ଝୋଲା ତଳମୁଣ୍ଡରେ ବାଘର ତାଜା ପାହୁଲଦାଗ ପଡ଼ିଥିବା ସେ ଲକ୍ଷ୍ୟ କରିଛନ୍ତି । ଏଥିପୂର୍ବରୁ ନରଖାଦକକୁ ମାରିବା ଉଦ୍ଦେଶ୍ୟରେ ମ୍ୟାକଡୋନାଲ୍‍ଡ ଥରେ ଚୂକା ଆସି ନରଖାଦକର ପଞ୍ଝାଦାଗ ଚିହ୍ନଟ କରିବାକୁ ସୁଯୋଗ ପାଇଥିଲେ । ଝୋଲା ତଳମୁଣ୍ଡରେ ପଡ଼ିଥିବା ପାହୁଲଦାଗ ସହିତ ନରଖାଦକର ପଞ୍ଝାଛାପର ଯଥେଷ୍ଟ ସାମଞ୍ଜସ୍ୟ ଅଛି ବୋଲି ସେ ମତ ପ୍ରକାଶ କଲେ ।

 

ଜଳଖିଆ ସାରି ଜୀନ୍‍ ମ୍ୟାକଡୋନାଲ୍‍ଡଙ୍କ ସହିତ ମାଛ ମାରିବାକୁ ବାହାରିଗଲେ । ଇବଟ୍‌ସନ୍‌ ସେ ପର୍ଯ୍ୟନ୍ତ ଫେରି ନ ଥାନ୍ତି । ଶ୍ୟାମ ସିଂକୁ ସଙ୍ଗରେ ନେଇ ନିଖୋଜ ହୋଇଥିବା ମଇଁଷିଟିକୁ ଠାବ କରିବାକୁ ମୁଁ ବାହାରିଲି । ଘଟଣାସ୍ଥଳରେ ପହଞ୍ଚି ଦେଖିଲି ଛିଣ୍ଡା ପଘାରୁ ଗଡ଼େ ଖୁଣ୍ଟରେ ବନ୍ଧା ହୋଇଛି; ଖୁଣ୍ଟ ପାଖରେ ପାହୁଲଦାଗ କେତୋଟି ଛଡ଼ା ମଇଁଷିକୁ ବାଘ ମାରିଥିବାର କୌଣସି ଲକ୍ଷଣ ସେଠାରେ ନାହିଁ । ଅଳ୍ପ ଦୂରରେ ଭୂଇଁରେ ଧାରେ ରକ୍ତ ଝରି ପଡ଼ିଥିଲା । ରକ୍ତଧାର ଅନୁସରଣ କରି ଦେଖିଲି ଯେ ବାଘ ମଇଁଷିକୁ ନେଇ ଅତି ଦୁର୍ଗମ ବାଟରେ ବୁଲି ବୁଲି ଆସି ପ୍ରାୟ ଦୁଇଶହ ଗଜ ଉପରେ ସେହି ଝୋଲାରେ ପୁଣି ପଶିଛି । ବାଘ ସମ୍ଭବତଃ ଦିଗ ଜ୍ଞାନ ହରାଇଛି, ନତୁବା ଅନୁସରଣକାରୀକୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଜାଣି ଜାଣି ଅବାଟରେ ପଶି ଝୋଲାକୁ ପୁଣି ବାହୁଡ଼ିଛି ବୋଲି ବିଚାରିଲି । ଝୋଲାଟି ସେଠାରେ ଖୁବ୍‌ ସଂକୀର୍ଣ୍ଣ; ମୋଟେ ଦଶଫୁଟ ଓସାର-। ଏହି ସରୁ ଅଂଶଟିର ଆରପାଖେ ବାଘ ଲୁଚି ରହିଥିବାର ଯଥେଷ୍ଟ ସମ୍ଭାବନା । ସୁବିଧା ହେଲେ ରାତିରେ ସେଇଠି ଜଗି ବସିବି ବୋଲି ସ୍ଥିର କରି ନଈକୂଳକୁ ବାହୁଡ଼ିଲି ।

 

ଆମ ଖରାବେଳ ଖିଆ ପାଇଁ ଖୋରାକପତ୍ର ସବୁ ସଙ୍ଗରେ ନେଇ ଜୀନ୍‌ ମାଛ ମାରିବାକୁ ଯାଇଥିଲେ । ନଈକୂଳେ ବସି ପେଟପୂଜା ସାରିବା ପରେ ଶ୍ୟାମ ସିଂ ସହିତ ଝୋଲାକୁ ପୁଣି ଫେରିଲି । ମଢ଼ ପାଖରେ ମୁଁ ରହିଯିବା ପରେ ଶ୍ୟାମ ସିଂକୁ ଏକାକୀ ଯେମିତି ଫେରିବାକୁ ନ ପଡ଼େ, ସେଥିପାଇଁ ଜୀନ୍‌ଙ୍କ ଦଳରୁ ଲୋକ ତିନିଜଣ ସଙ୍ଗରେ ଡାକି ଆଣିଥିଲି । ସେମାନଙ୍କୁ ପଛରେ ରଖି ମୁଁ ନଜେ ଖଣ୍ଡେ ଦୂରରେ ଆଗେ ଆଗେ ଚାଲିଥାଏ । ଝୋଲାର ସରୁ ଅଂଶଟିକୁ ଆଉ ଅଳ୍ପ ବାଟ ଅଛି, ଏତିକିବେଳେ କୋଡ଼ିଏ ଗଜ ଆଗକୁ ଥିବା ଗହଳ ଧାଡ଼ିଏ ବୁଦା ପଛରୁ ବାଘ କ୍ରମାଗତ ଭାବେ ଗର୍ଜନ କରିବାକୁ ଆରମ୍ଭ କଲା । ଅନୁପ୍ରବେଶ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଅବାଞ୍ଛିତ ଆଗନ୍ତୁକକୁ ଚେତାଇ ଦେଇ ବାଘ ଯେପରି ଘାଉଁ ଘାଉଁ ଗର୍ଜନ କରେ, ଜଙ୍ଗଲର ନିସ୍ତବ୍‌ଧତା ଭିତରେ ତାହା ଶୁଣିବାକୁ ଅତି ଭୟଙ୍କର । ସେଠାରୁ ଆଗକୁ ଝୋଲାଟି ମଧ୍ୟ ଅତି ତୀଖ ଓ ବଡ଼ ବଡ଼ ପଥରରେ ଭରା । ଉଠାଣି ଉପରେ ଝୋଲାର ସବୁଠାରୁ ସଂକୀର୍ଣ୍ଣ ସ୍ଥାନଟିକୁ ବାଘ ଦଖଲ କରି ରହିଥିବା ଦୃଷ୍ଟିରୁ ସିଧାସଳଖ ଆଗେଇଯିବା ମୂର୍ଖତା ହୋଇଥାଆନ୍ତା । ବାଘକୁ ନ ତରକାଇ ମୁକାବିଲାରୁ ଓହରିଯିବା ପାଇଁ ନିର୍ଦ୍ଦିଷ୍ଟ ଉପାୟମାନ ଅଛି । ଲୋକମାନଙ୍କୁ‌ ପଛକୁ ହଟିଯିବାକୁ ହାତ ଠାରି ଦେଇ ନିଜେ ମଧ୍ୟ ଅତି ସାବଧାନରେ ପଛାଇଗଲି । ଝୋଲାର ସଂକୀର୍ଣ୍ଣ ଅଂଶଟିରୁ କିଛି ବାଟ ଦୂରେଇଯିବା ପରେ ସିଟି ମାରି ଲୋକମାନଙ୍କୁ ଅଟକିବାକୁ ସଙ୍କେତ ଦେଲି ।

 

ବାଘର ସଠିକ୍ ସ୍ଥିତି ଜାଣିଥିବାରୁ ଏଥର ତା’ ସହିତ ଏକାକୀ ମୁକାବିଲା କରିପାରିବି ବୋଲି ନିର୍ଭର ଭରସା ହେଲା; କିନ୍ତୁ ଲୋକ ଚାରିଜଣ ନିରାପଦରେ ନଈକୂଳକୁ କେମିତ ଫେରିବେ–ଏବେ ତାହା ହିଁ ଏକ ଜଟିଳ ସମସ୍ୟାରୂପେ ଦେଖାଦେଲା । ବୁଦାପଛରେ ଛପିଥିବା ବାଘକୁ ନରଖାଦକ ବୋଲି ସନ୍ଦେହ କରିବାକୁ ଯଥେଷ୍ଟ କାରଣ ଥିଲା । ତେଣୁ ମୋ ରାଇଫଲ୍‌ର ଆଶ୍ରୟ ଛାଡ଼ି ନଈକୂଳକୁ ଏକାକୀ ଫେରିବାକୁ କେହି ମଙ୍ଗିଲେ ନାହିଁ । ସେମାନଙ୍କୁ ସଙ୍ଗରେ ନେଇ ନଈକୂଳେ ପହଞ୍ଚାଇ ଦେଇ ଆସିଲେ ଅକାରଣ ଦୁଇଘଣ୍ଟା ସମୟ ନଷ୍ଟ । ଚାରିଆଡ଼କୁ ଆଖି ବୁଲାଇ ଲୋକଗୁଡ଼ିଙ୍କୁ ଚଢ଼ାଇ ସୁବିଧାରେ ବସାଇଦେବା ଭଳି ଗଛଟିଏ ବି କେଉଁଠି ଦେଖିଲି ନାହଁ । ଉପାୟ ଚିନ୍ତା କରି ଶେଷରେ ସ୍ଥିରକଲି ଯେ ସମସ୍ତଙ୍କୁ ସଙ୍ଗରେ ନେଇ ଚାଲିଯିବାର ବାହାନା କରିବି ଓ ଦୂରରେ କେଉଁଠି ସେମାନଙ୍କୁ ନିରାପଦରେ ରଖି ନିଜେ ଗୋଟିଏ ବୁଲାଣିବାଟେ ଉଠି ଝୋଲା ଉପରପାଖେ ପହଞ୍ଚିଯିବି ।

 

ଝୋଲାର ବାଁ ପାଖ ବନ୍ଧଟି ଅପେକ୍ଷାକୃତ ତୀଖ । ବନ୍ଧଟିକୁ ପାରହୋଇ ସମସ୍ତେ ଶହେଗଜ ଦୂରକୁ ହଟିଗଲୁ ଓ ସେଠାରୁ ବାଟଭାଙ୍ଗି ବାଁକୁ ବୁଲି ଦୁଇଶହ ଗଜ ଯିବାପରେ‌ ଝୋଲା ବନ୍ଧରେ ବାଘଠାରୁ ଶହେ ଗଜ ଉପରେ ଯାଇ ଉଠିଲୁ । ଏଥର ବାଘଠାରୁ ଉଚ୍ଚରେ ଥିବାରୁ ପରିସ୍ଥିତି ଆମ ସପକ୍ଷରେ ବେଶି ସୁବିଧାଜନକ ହୋଇଥାଏ । ବାଘ କେଇ ମିନିଟ୍ ଆଗରୁ ଝୋଲା ତଳଆଡ଼େ ଆମକୁ ଦେଖିଥିବାରୁ ସେ ବାଟେ ତା’ର ଖସି ପଲାଇବାର ମଧ୍ୟ ବିଶେଷ ସମ୍ଭାବନା ନ ଥିଲା । ଆଉ ଝୋଲା ଉପରକୁ ଉଠିଆସିଲେ ଆମ ପାଖଦେଇ ଯିବା ଛଡ଼ା ପଳାଇଯିବାକୁ ତାକୁ ବାଟ ନାହିଁ । ଝୋଲା ଏପାଖ ବନ୍ଧ ସେଠାରେ ତିରିଶି ଫୁଟ ଉଚ୍ଚ; ଆଢ଼ୁଆଳ ହେବାଭଳି ଲଟାବୁଦା ନ ଥିବାରୁ ବାଘ ସେଥିରେ ଚଢ଼ିବାକୁ ସାହସ କରିବ ନାହିଁ । ଲୁଚି ପଲାଇଯିବାକୁ ଚାହିଁଲେ ଝୋଲା ଆର ବନ୍ଧରେ ଚଢ଼ିବା ଛଡ଼ା ତା’ର ଅନ୍ୟ ଉପାୟ ନାହିଁ ବୋଲି ସ୍ଥିରକଲି ।

 

ଦୀର୍ଘ ଦଶମିନିଟ୍ ଧରି ଝୋଲାର ପ୍ରତ୍ୟେକ ଅଂଶ ଟିକିନିଖି ପରୀକ୍ଷା କଲାପରେ ମଧ୍ୟ ବାଘ କେଉଁଠି ଲୁଚିଥିବାର କୌଣସି ଲକ୍ଷଣ ନ ଦେଖି ବାଁକୁ ତିରିଶି ଗଜ ଦୂର ଆଉ‌ ଗୋଟିଏ ସୁବିଧା ଜାଗାକୁ ହଟିଗଲି । ସେଠାରେ ପହଞ୍ଚି ଠିକ୍ ବସିପଡ଼ିବା ମାତ୍ରେ ଲୋକ‌ ଜଣେ ଝୋଲା ଭିତରକୁ ଅଙ୍ଗୁଳି ଦେଖାଇ ଚାପା ଗଳାରେ କହିଉଠିଲା, ‘‘ବାଘ !” ବାଘ ମୋତେ ଦେଖାଯାଉ ନ ଥାଏ । ଲୋକଟି କିନ୍ତୁ ଦୃଢ଼ଭାବେ କହୁଥାଏ ଯେ ମେଞ୍ଚାଏ ଶୁଖିଲା ପତ୍ର ପାଖରେ ବାଘ କାନ ହଲାଇଥିବା ସେ ସ୍ପଷ୍ଟଭାବେ ଲକ୍ଷ୍ୟକରିଛି । ବାଘର କାନ ଦୁଇଟା ସାନ ସାନ; ପଚାଶ ଗଜ ଦୂରରୁ ତାକୁ ଚିହ୍ନଟ କରିବା ସହଜ ନୁହେଁ । ଝୋଲା ଶେଷଆଡ଼କୁ ବହଳରେ ବିଛାଇ ହୋଇ ପଡ଼ିଥିବା ଶୁଖିଲା ପତ୍ର ଭିତରୁ ଠିକ୍ ଜାଗାଟି ମୁଁ ଆଦୌ ବାରି ପାରୁ ନ ଥାଏ ।

 

ମୋ ପଛରେ ଲୋକ ଚାରିଜଣ ଚଞ୍ଚଳ ହୋଇ ଉଠିଥାଆନ୍ତି; ନିଃଶ୍ଵାସର ଖରଗତିରୁ ତାଙ୍କର ପ୍ରବଳ ଉତ୍ତେଜନା ସ୍ପଷ୍ଟଭାବେ ପ୍ରକାଶ ପାଉଥାଏ । ଶେଷରେ ଜଣେ କୌତୂହଳ ଆଉ ଚାପି ନପାରି ଭଲକରି ଦେଖିବା ପାଇଁ ଛିଡ଼ା ହୋଇ ପଡ଼ିଲା । ଦୁର୍ଯୋଗକୁ ବାଘ ଠିକ୍ ସେତିକି ବେଳକୁ ଆମରି ଆଡ଼େ ମୁହାଁଇଥିଲା । ଲୋକଟିକୁ ଦେଖି ଦେଇ ଧଡ଼ପଡ଼ ହୋଇ ଉଠି ଝୋଲା ଆରପାଖ ବନ୍ଧରେ ସେ ପାହାଡ଼ ଉପର ଆଡ଼େ ଛୁଟିଲା । ବୁଦାଟିଏ ପାରହୋଇ ଆରପାଖରୁ ତା’ ମୁଣ୍ଡ ଦେଖାଯିବାମାତ୍ରେ ମୁଁ ଗୁଳି ଚଳାଇଦେଲି । ଗୁଳି ବାଘ ବେକର ଗହଳ ରୁମ ଭିତରେ ପଶି ଆରପାଖରେ ମୁଣ୍ଡାଏ ପଥରରେ ବାଜି ଖଣ୍ଡ ଖଣ୍ଡ ହୋଇଗଲା ଓ ଟୁକୁରା କେଇଖଣ୍ଡ ଲେଉଟି ଆସି ବାଘ ଦେହରେ ବାଜିଲା । ବାଘ ଅତର୍ଚ୍ଛରେ କୁଦା ମାରି ଚକଡ଼ାଏ ଗହଳ ଲଟା ଭିତରେ ଯାଇ ପଡ଼ିଲା ଓ ମୋଟ କେରାଏ ଲଟାରେ ଛନ୍ଦି ହୋଇ ମୁକୁଳିବାକୁ ଛାଟିପିଟି ହେଲା । ଏସବୁ ଦୂରରୁ ଦେଖି ମୁଁ ଭାବିନେଲି ଯେ ବାଘ ଶୋଚନୀୟ ଭାବେ ଆହତ ହୋଇ ତଳେ ପଡ଼ି ଛଟପଟ ହେଉଛି । ମନ ଖୁସିରେ ନିଜକୁ ନିଜେ ବଧେଇ ଦେଉ ଦେଉ ହଠାତ୍ ଚମକି ପଡ଼ି ଦେଖିଲି ଯେ ବାଘ ଲଟାରୁ ମୁକୁଳିଯାଇ ପ୍ରବଳ ବେଗରେ ପୁଣି ଛୁଟି ପଳାଉଛି । ଗୁଳି ତା’ଠାରେ ବାଜି ନାହିଁ ବୋଲି ଶ୍ୟାମ ସିଂ ଯାହା କହିଲା, ବାଘର ଗତିବିଧି ଲକ୍ଷ୍ୟ କରିବା ପରେ ତାହା ଠିକ୍ ବୋଲି ମାନିନେବାକୁ ବାଧ୍ୟ ହେଲି । ଲୋକମାନଙ୍କୁ ବନ୍ଧ ଉପରେ ଛାଡ଼ି ଝୋଲାରେ ପଶି ଦେଖିଲି ଯେ ବାଘ ଲମ୍ବ କେରାଏ ଲଟାକୁ ରାମ୍ପୁଡ଼ି କାମୁଡ଼ି ଛିନ୍ନଭିନ୍ନ କରି ପକାଇଛି । ଅଳ୍ପ ଦୂରରେ ପଥରଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା । ପଥର ପାଖରେ ବାଘ ବେକର ରୁମ ଚିହ୍ନଟ କଲି; କିନ୍ତୁ ସେଠାରେ କିମ୍ବା ଆଖପାଖରେ କେଉଁଠି ବୁନ୍ଦାଏ ବି ରକ୍ତ ଦେଖିଲି ନାହିଁ ।

 

ସମୟବିଶେଷରେ ଗୁଳି ବାଜିବା ମାତ୍ରେ କ୍ଷତରୁ ରକ୍ତ ଝରେ ନାହିଁ; ତେଣୁ ଗୁଳି ନ ବାଜିବା ବିଷୟରେ ଆମ ଆଶଙ୍କା ଭୁଲ ମଧ୍ୟ ହୋଇପାରେ । ତେବେ ବାଘ ରାତି ଭିତରେ ଫେରିଆସି ମଢ଼କୁ ଖାଇଲେ ସେ ଆହତ ହୋଇନାହିଁ ବୋଲି ସ୍ପଷ୍ଟ ଜଣା ପଡ଼ିଯିବ । ବାଘ ସେ ପର୍ଯ୍ୟନ୍ତ କେତେ ମାଂସ ଖାଇଛି ଜାଣିବା ପାଇଁ ମଢ଼କୁ ପରୀକ୍ଷା କରିବା ଦରକାର ପଡ଼ିଲା । ମଢ଼କୁ ଖୋଜି ପାଇବା କିନ୍ତୁ ସେତେ ସହଜ ହେଲାନାହିଁ । ଆଖପାଖ ଜଙ୍ଗଲ ସବୁ ତନ୍ନ ତନ୍ନ କରି ପୂରା ଦୁଇଥର ଖୋଜିଲା ପରେ ମଢ଼ ଅଳ୍ପ ଗହୀର ଗୋଟିଏ ଚବକାରେ ଦୁଇ ତିନି ଫୁଟ ପାଣିତଳେ ବୁଡ଼ିରହିଥିବା ଦେଖିଲି । ଡାଆଁଶ ବିରୁଡ଼ିଙ୍କ ଦାଉରୁ ଶିକାରକୁ ରକ୍ଷାକରିବା ପାଇଁ ବାଘ ସମୟ ସମୟରେ ତାକୁ ପାଣିରେ ବୁଡ଼ାଇ ରଖିଦିଏ । ଲୋକ ତିନିଜଣ ଏକାକୀ ଫେରିବାରେ ଆଉ ବିପଦ ନଥିଲା । ସେମାନଙ୍କୁ ନଈକୂଳକୁ ପଠାଇଦେଇ ଶବ୍ଦସଙ୍କେତ କିଛି ପାଇବା ଆଶାରେ ଶ୍ୟାମ ସିଂ ସହିତ ମଢ଼ଠାରୁ ଅଳ୍ପ ଦୂରରେ ଲୁଚି ବସିଲି । ଘଣ୍ଟାଏ କାଳ କାନ ଡେରି ବସିବା ପରେ ବି ଶବ୍ଦ କିଛି ନ ଶୁଣି ଶେଷରେ ଦୁହେଁ ନିରାଶ ହୋଇ ଡେରାକୁ ଫେରଲୁ ।

 

ପରଦିନ ସକାଳୁ ଜଳଖିଆ ସାରି ମ୍ୟାକଡୋନାଲ୍‍ଡଙ୍କ ସହିତ ଝୋଲାକୁ ବାହୁଡ଼ିଲି । ଚବକା ପାଖରେ ପହଞ୍ଚି ଦେଖିଲୁ ଯେ ବାଘ ରାତି ଭିତରେ ମଢ଼କୁ ଖଣ୍ଡେ ଦୂରକୁ ଘୋଷାରି ନେଇ ଶିଙ୍ଘ ଓ ଖୁରା ଚାରୋଟି ଛଡ଼ା ଆଉ ସବୁ ଶେଷ କରିଦେଇଛି । ବାଘ ଯେଉଁଠି ଶୋଇ ଶୋଇ ମାଂସ ଖାଇଥିଲା; ଭୂଇଁରେ ସେଠାରେ ଟୋପାଏ ହେଲେ ରକ୍ତ ଝରି ନ ଥିଲା । ବାଘ ନିର୍ଭୟରେ ଆସି ମଢ଼କୁ ଖାଇଛି ଦେଖି ତା’ ଆହାତ ହୋଇଥିବା ବିଷୟରେ ଶେଷ ଆଶାଟିକୁ ଜଳାଞ୍ଜଳି ଦେବାକୁ ପଡ଼ିଲା

 

ଡେରାରେ ପହଞ୍ଚିବାବେଳକୁ ଦିନ ପ୍ରାୟ ଦୁଇଟା ବାଜିଲାଣି । ସେ ଭିତରେ ଖବର ମିଳିଥାଏ ଯେ ନଈ ସେପାରି ପାହାଡ଼ କଡ଼ର ଗୋଟିଏ ଓସାରିଆ ଝୋଲା ଭିତରେ ଗାଈଟିଏ ମରି ପଡ଼ିଛି । ବାଟୋଇ ଦଳେ ଗାଈଟିକୁ ଝୋଲାରେ ପଡ଼ିଥିବା ଦେଖି ତାକୁ ଡାଳପତ୍ରରେ ଘୋଡ଼ାଇ ଦିନ ଗୋଟାଏବେଳେ ଡେରାରେ ଖବର ଦେଇ ଯାଇଥିଲେ । ଇବଟ୍‌ସନ୍‍ ସକାଳୁ ଆଠମାଇଲ୍ ଦୂର ଗୋଟିଏ ଗାଁକୁ ବାହାରି ଯାଇଥାଆନ୍ତି । ମ୍ୟାକଡୋନାଲଡ୍‍ ଓ ମୁଁ ତରତରରେ ଖିଆପିଆ ସାରି ମଲା ଗାଈଟିର ସନ୍ଧାନରେ ବାହାରିପଡ଼ିଲୁ । ଖୋଲାରେ ପହଞ୍ଚି ଦେଖିଲୁ ବାଘ ସେ ଭିତରେ ଫେରିଆସି ଡାଳପତ୍ର ଆଡ଼େଇ ମଢ଼କୁ ଏମିତି ବାଗରେ ହଟାଇ ନେଇଛି ଯେ ଭୂଇଁରେ ଗାରଟିଏ ବା ଦାଗଟିଏ ବି ପଡ଼ିନାହଁ । ସେଠାକାର ଜଙ୍ଗଲ ବେଶ୍ ଖୋଲା; ଛଡ଼ାଛଡ଼ି ହୋଇ ଉଠିଥିବା ବଡ଼ ବଡ଼ ଶାଳଗଛ କେତୋଟି ବ୍ୟତୀତ ଲଟାବୁଦା ବେଶି ନଥାଏ । ବାଘ ଗାଈଟିକୁ ଗଦାଏ ଶୁଖିଲା ପତ୍ର ତଳେ ଏମିତି ସଜରେ ଲୁଚାଇ ଦେଇଥିଲା ଯେ ସେଭଳି ଫର୍ଚ୍ଚା ଜାଗାରେ ବି ତାକୁ ଖୋଜି ପାଇବାକୁ ଆମକୁ ପୂରା ଘଣ୍ଟାଏ ଲାଗିଗଲା । ସେତେବେଳେ ନିଧୁମ୍ ଖରାଦିନ–ଉତ୍ତାପ ଛାଇରେ ବି ଶହେଦଶଡିଗ୍ରୀ ଛୁଉଁଥାଏ । ମ୍ୟାକଡୋନାଲ‌୍‌ଡ ମଢ଼ପାଖ ଗୋଟିଏ ବଡ଼ ଶାଳ ଗଛରେ ଏକାକୀ ମଞ୍ଚା ବାନ୍ଧିବାରେ ଲାଗିପଡ଼ିଲେ; ମୋତେ ସେଥିରେ ସାହାଯ୍ୟ କରିବାକୁ ସେ ଦେଲେନାହିଁ । ଫଳରେ ମୁଁ ଗଛଛାଇରେ ବସି ବସି ଆରାମରେ ସିଗାରେଟ୍ ଟାଣିଲି ଓ ମଝିରେ ମଝିରେ ମ୍ୟାକଡୋନାଲ୍‍ଡଙ୍କ ବୋତଲରୁ କେଇ ଢୋକ କରିପାଣି ପିଇ ଶେଷରେ ବୋତଲଟି ଖାଲି କରିଦେଲି ।

 

ଆୟୋଜନ ସବୁ ସରିବା ପରେ ଗଛରେ ଚଢ଼ି ମଞ୍ଚାରେ ବସିଲି । ମ୍ୟାକଡୋନାଲ୍‌ଡ ଡେରାକୁ ବାହୁଡ଼ିଯିବାର ପ୍ରାୟ ଘଣ୍ଟାଏ ପରଯାଏ ସବୁ ନୀରବ ରହିଲା । ତା’ପରେ ପାହାଡ଼କଡ଼ରୁ ଛୋଟ ଟେକାଟିଏ ଗଡ଼ି ଗଡ଼ି ଆସି ଝୋଲା ଭିତରେ ପଡ଼ିଲା । ସେଆଡ଼େ ଅନାଇ ଦେଖିଲି, ଛୋଟ ଛୋଟ ଛୁଆ ଦୁଇଟି ସଙ୍ଗରେ ନେଇ ବାଘୁଣୀଟିଏ ପାହାଡ଼କଡ଼ ବୁଦା ଉହାଡ଼ରୁ ପଦାକୁ ବାହାରି ଆସୁଛି । ଛୁଆ ଦିଓଟିଙ୍କ ଗତିବିଧିରୁ ଜଣାପଡ଼ୁଥାଏ ଯେ ସେମାନେ ପ୍ରଥମ ଥର ପାଇଁ ମାଆ ସହିତ ଶିକାର ପାଖକୁ ଯାଉଛନ୍ତି । ଆଖପାଖରୁ ବିପଦର କୌଣସି ଆଶଙ୍କା ନଥିଲେ ମଧ୍ୟ ଛୁଆଙ୍କୁ ସତର୍କତା ଶିଖାଇବା ପାଇଁ ବାଘୁଣୀ ଅତି ସାବଧାନରେ ଆଗୋଉଥାଏ । ଛୁଆ ଦୁହେଁ ମାଆର ଗତିବିଧି ଓ କାର୍ଯ୍ୟକଳାପ ପଦେ ପଦେ ଅନୁକରଣ କରି ଗୋଡ଼ ଚିପି ଚିପି ଆଗପଛ ହୋଇ ଚାଲିଥାଆନ୍ତି; ମାଆକୁ କିମ୍ବା ପରସ୍ପରକୁ ଟପିଯିବାକୁ କେହି ଟିକିଏ ହେଲେ ଚେଷ୍ଟା କରୁନଥାନ୍ତି । ଛୁଆଙ୍କୁ ଶିକ୍ଷା ଦେବା ପାଇଁ ବାଘୁଣୀ ଜାଣି ଜାଣି ଅତି ସାମାନ୍ୟ ପ୍ରତିବନ୍ଧକଗୁଡ଼ିକରୁ ମଧ୍ୟ ଦୂରେଇ ହୋଇ ଚାଲୁଥାଏ; ଛୁଆ ଦୁହେଁ ତାକୁ ଅବିକଳ ଅନୁକରଣ କରି ସେହିଠାରେ ଆଡ଼େଇ ହୋଇ ଯାଉଥାଆନ୍ତି । ବାଘୁଣୀ କେଇ ପାହୁଣ୍ଡରେ ଥରେ ଅଟକି ରହି କାନ ଡେରି ଛିଡ଼ାହୋଇ ଯାଉଥାଏ; ଛୁଆ ଦୁହେଁ ସେତେବେଳେ ନିଜ ନିଜ ଜାଗାରେ ନିଶ୍ଚଳ ହୋଇ ରହିଯାଆନ୍ତି । ଭୂଇଁରେ ବିଛାଇ ହୋଇ ପଡ଼ିଥିବା ଶୁଖିଲା ଶାଳପତ୍ର ଉପରେ ନିଃଶବ୍ଦରେ ଚାଲିବା ଅନ୍ୟ କୌଣସି ଜନ୍ତୁ ପକ୍ଷରେ ସମ୍ଭବ ହୋଇ ନ ଥାନ୍ତା । ବାଘୁଣୀ ଓ ବାଘଛୁଆ ଦୁଇଟି କିନ୍ତୁ ଟିକିଏ ବି ଖସ୍ ଖସ୍ ନ କରି ଶୁଖିଲା ପତ୍ର ଉପରେ ଯେମିତି ଚାଲିଗଲେ, ଆଖିରେ ନ ଦେଖିଥିଲେ ମୁଁ ତାହା କଦାପି ବିଶ୍ଵାସ କରି ନ ଥାନ୍ତି ।

 

ଝୋଲା ପାର ହୋଇ ବାଘୁଣୀ ମୋ ଗଛ ପଛପଟେ ବୁଲି ମଢ଼ଠାରୁ ତିରିଶ ଗଜ ଦୂର ଓ ସାମାନ୍ୟ ଉଚ୍ଚରେ ଥିବା ଗୋଟିଏ ଚଟକା ଜାଗାରେ ଯାଇ ଲେପଟାଇ ପଡ଼ିଲା । ମାଆଠାରୁ କୌଣସି ଅଦୃଶ୍ୟ ଇଙ୍ଗିତ ପାଇ ବାଘଛୁଆ ଯୋଡ଼ିକ ନିର୍ଭୟରେ ଶିକାର ଆଡ଼କୁ ଆଗେଇ ଗଲେ । ଛୁଆ ଦୁହେଁ ମାଆଠାରୁ ନିର୍ଦ୍ଦେଶ ପାଇବା ପରେ ହିଁ ଆଗେଇଛନ୍ତି ବୋଲି ସ୍ପଷ୍ଟ ବୁଝିପାରୁଥିଲେ ବି ସେ ନିର୍ଦ୍ଦେଶ କିପରି ଦିଆଗଲା ତାହା ଆଦୌ ଜାଣିପାରିଲି ନାହିଁ । ମହାବଳବାଘର ଘ୍ରାଣଶକ୍ତି ଅତି ଦୁର୍ବଳ ବୋଲି ପୂର୍ବରୁ ବହୁବାର ଉଲ୍ଲେଖ କରିଛି । ଛୁଆ ଦୁଇଟିଙ୍କ କାର୍ଯ୍ୟକଳାପରୁ ତାହାର ଯଥେଷ୍ଟ ପ୍ରମାଣ ମିଳୁଥାଏ । ବାଘୁଣୀ ପୂର୍ବଦିନ ଗାଈଟିକୁ ମାରି ପତ୍ରତଳେ ଲୁଚାଇ ଦେଇଥିଲା । ବାସି ମଢ଼ଟା ଖରା ଗରମରେ ପଚି ଆସିଥାଏ । ଅସଲରେ ସେଇ ଉତ୍କଟ ପଚାଗନ୍ଧ ଯୋଗୁ ହିଁ ମ୍ୟାକଡୋନାଲ୍‌ଡ ଓ ମୁଁ ତାକୁ ପତ୍ରତଳୁ ଖୋଜି ପାଇଥିଲୁ । ଭୋକିଲା ବାଘଛୁଆ ଦିଓଟି କିନ୍ତୁ ମଢ଼ଠାରୁ ମୋଟେ ଦଶବାର ଗଜ ବ୍ୟବଧାନରେ କେତେଥର ଆଗପଛ ହେଲାପରେ ମଧ୍ୟ ତାକୁ ଠାବ କରିପାରୁ ନଥାନ୍ତି । ଶେଷରେ ମାଛି ଓ ଡାଆଁଶ ଭଣଭଣ ହେବା ଯୋଗୁଁ ସେମାନେ ମଢ଼ର ଟେର ପାଇଲେ ଓ ପତ୍ରତଳୁ ତାକୁ ପଦାକୁ ଘୋଷାରି ଆଣି ଖାଇବାକୁ ଆରମ୍ଭ କଲେ । ବାଘୁଣୀ ସେ ପର୍ଯ୍ୟନ୍ତ ଏକଲୟରେ ଅନାଇ ରହି ଛୁଆଙ୍କ ଗତିବିଧି ଲକ୍ଷ୍ୟ କରୁଥିଲା, ଦୁହେଁ ବେଶି ଦୂରକୁ ଚାଲିଯିବା ଦେଖି ଅସ୍ପଷ୍ଟ ସ୍ଵରରେ ସେମାନଙ୍କୁ ଥରେ ଅଧେ ଚେତାଇ ଦେଇଥିଲା ମଧ୍ୟ । ଛୁଆ ଦୁହେଁ ମଢ଼କୁ ଠାବ କରିବାମାତ୍ରେ ଶିକ୍ଷାଦାନର ଗୁରୁ ଦାୟିତ୍ୱରୁ ଅବ୍ୟାହତି ପାଇ ବାଘୁଣୀ ଗୋଡ଼ ଚାରିଟା ଉପରକୁ ଟେକି ଦେଇ ନିଘୋଡ଼ ନିଦରେ ଶୋଇପଡ଼ିଲା ।

 

ବାଘୁଣୀ ଓ ଛୁଆ ଦିଓଟିଙ୍କ କାର୍ଯ୍ୟକଳାପ ଦେଖି କେତେବର୍ଷ ପୁର୍ବେ ତ୍ରିଶୂଳ ପର୍ବତ ତଳେ ଦେଖିଥିବା ଗୋଟିଏ ଦୃଶ୍ୟ ମନେପଡ଼ିଗଲା । ସେଦିନ ‘ଥାର୍’ ସନ୍ଧାନରେ ବାହାରି ଥିଲି । ହିମାଳୟ ଅଞ୍ଚଳର ସବୁ ପାହାଡ଼ିଆ ଛେଳିଙ୍କ ଭିତରୁ ପାହଡ଼ ଚଢ଼ିବାରେ ‘ଥାର୍’ର ସମକକ୍ଷ କେହି ନାହିଁ । ପାହାଡ଼ ପିଠିରେ ଜାଗାଏ ଶୋଇ ରହି ଦୂର୍ବୀଣଦ୍ଵାରା ଚାରିଆଡ଼କୁ ଅନାଉ ଅନାଉ ଦେଖିଲି ଯେ ସାମନାର ଗୋଟିଏ ପାହାଡ଼ ଅଧରେ ମାଈ ଥାର୍‌ଟିଏ ଥାକେ ପଥର ଉପରେ ତା’ ଛୁଆ ସହିତ ଶୋଇଛି । ମାଆ ନିଦରୁ ଉଠି ଛିଡ଼ା ହେବାମାତ୍ରେ ଛୁଆଟି ତା’ ପହ୍ନାକୁ ମୁଣ୍ଡିଆ ମାରି କ୍ଷୀର ଖାଇବାକୁ ଲାଗିଲା । ମିନିଟିଏ କାଳ ଛୁଆକୁ ଖୋଇବା ପରେ ମାଆଟି ପଥରଧାରକୁ ଆଗେଇ ଯାଇ ଦଶ ପନ୍ଦର ଫୁଟ ତଳେ ଆଉ ଥାକେ ପଥର ଉପରକୁ ଡେଇଁପଡ଼ିଲା । ଛୁଆଟି ଉପରେ ଥାଇ ବିକଳ ହୋଇ ଏପାଖ ସେପାଖ ଧାଁ-ଦଉଡ଼ କରୁଥାଏ ଓ ମାଆକୁ ତଳେ ଚାହିଁ କରୁଣ ସ୍ଵରରେ ବୋବାଉଥାଏ । ତଳ ଥାକକ ପଥର ଅଳ୍ପ କେଇ ଇଞ୍ଚ ଓସାର; ପାହାଡ଼ର ତୀଖ ଅତଟ ସେଠାରୁ ସଳଖରେ ଗଡ଼ିଯାଇଥାଏ ପ୍ରାୟ ହଜାରେ ଫୁଟ ତଳକୁ । ଦୂରରୁ ସ୍ଵର ଶୁଭୁ ନ ଥିଲେ ବି ମାଆର ମୁଣ୍ଡହଲାରୁ ଜଣାପଡ଼ୁଥାଏ ଯେମିତି ଛୁଆକୁ ସେ ସାହସ ଦେଇ ପାଖକୁ ଡାକୁଛି । ଛୁଆ ବି ତା’ ଡାକ ଶୁଣି ଆହୁରି ବିକଳ ହୋଇ ପଡ଼ୁଥାଏ । କିଛି ସମୟ ଏହିପରି କଟିଲା । ଛୁଆ ବାଉଳା ହୋଇ କାଳେ କିଛି ଭୁଲ୍ କରିପକାଇବ–ସମ୍ଭବତଃ ଏଇ ଆଶଙ୍କାରେ ମାଆ ପାହାଡ଼ କଡ଼ର ଗୋଟିଏ ଅତି ସରୁ ଫାଟରେ ଗୋଡ଼ ଦେଇ ତା’ ପାଖକୁ ଚଢ଼ିଗଲା; କିନ୍ତୁ ଛୁଆକୁ ପ୍ରଥମେ କ୍ଷୀର ନ ଦେଇ କିଛିବେଳ ମୁହଁମାଡ଼ି ଶୋଇରହିଲା । ତା’ପରେ ଛିଡ଼ା ହୋଇ ପୂର୍ବପରି ଛୁଆଟିକୁ ମିନିଟିଏ ମାତ୍ର କ୍ଷୀର ଖୋଇବା ପରେ ସେ ପୁଣି ଥରେ ଡେଇଁପଡ଼ିଲା ତଳକୁ । ଛୁଆଟି କାଉଳି-ବାଉଳି ହୋଇ ପଥର ଉପରେ ପୂର୍ବପରି ଦୌଡ଼ା-ଦୌଡ଼ି କରିବାକୁ ଲାଗିଲା ।

 

ପରବର୍ତ୍ତୀ ଅଧଘଣ୍ଟା ଭିତରେ ଏହି କାର୍ଯ୍ୟକ୍ରମର ସମୁଦାୟ ସାତଥର ପୁନାରାବୃତ୍ତି ହେବାପରେ ଛୁଆଟି ଜୀବନର ମାୟା ତେଜି ତଳକୁ ଡେଇଁଲା ଓ ନିର୍ବିଘ୍ନରେ ମାଆ ପାଖରେ ଯାଇ ଛିଡ଼ା ହୋଇଗଲା । ସାହସିକତାର ପୁରସ୍କାର ସ୍ଵରୂପ ମାଆ ସଙ୍ଗେ ସଙ୍ଗେ ତାକୁ ଆଦର କରି ପେଟପୁରା କ୍ଷୀର ଖାଇବାକୁ ଦେଲା । ମାଆ ଯେଉଁଠାକୁ ବାଟ କଢ଼ାଇନିଏ, ସେଠାକୁ ଯିବାରେ ବିପଦ ନାହିଁ–ଛୁଆଟିର ଶିକ୍ଷା ପଦ୍ଧତିର ଏହି ପ୍ରଥମ ପାଠଟି ଅତି ସୁଚାରୁରୂପେ ସମାପ୍ତ ହେଲା ସେଦିନ । ଏଭଳି ଶିକ୍ଷା ଦେବାରେ ଓ ତାହା ଗ୍ରହଣ କରିବାରେ ପଶୁଜନ୍ତୁଙ୍କ ସହଜାତ ବୁଦ୍ଧି ବିଶେଷ ସହାୟକ ହେଉଥିଲେ ମଧ୍ୟ ମାଆର ଅସୀମ ଧୈର୍ଯ୍ୟ ଓ ଛୁଆର ଦ୍ଵିଧାହୀନ ଆଜ୍ଞାନୁବର୍ତ୍ତିତାଦ୍ଵାରା ହିଁ ତାହା ମୁଖ୍ୟତଃ ସାଧିତ ହୋଇଥାଏ ଓ ମାଆଠାରୁ ଏଭଳି ଶିକ୍ଷା ପାଇଥିବା ଶାବକ ବଣଜଙ୍ଗଲର ବହୁ ଆପଦବିପଦରୁ ନିଜକୁ ରକ୍ଷା କରିବାକୁ ସମର୍ଥ ହୁଏ । ବଣର ଜନ୍ତୁ ତା’ର ସନ୍ତାନକୁ ଶିକ୍ଷା ଦେଉଥିବା ଥରେ ଦେଖିଲେ ତାହା କଦାପି ଭୁଲିହୁଏ ନାହିଁ । ଜୀବନରେ ବହୁବାର ଏଭଳି ଚିତ୍ତାକର୍ଷକ ଦୃଶ୍ୟ ଦେଖିଥିଲେ ମଧ୍ୟ ତା’ର ଚଳଚ୍ଚିତ୍ରଟିଏ ଉଠାଇନେବାକୁ ସୁଯୋଗ ଯେ ଥରେ ହେଲେ ଜୁଟିଲା ନାହିଁ, ତାହା ଭାବିଲାବେଳକୁ ଭାରି ଦୁଃଖ ଲାଗେ ।

 

ବାଘଛୁଆ ପେଟପୂରା ମାଂସ ଖାଇବା ପରେ ବାଘୁଣୀ ଘଡ଼ିଏ ବେଳ ତାଙ୍କୁ ତଳେ ଗଡ଼ାଇ-ତଡ଼ାଇ ଦେହମୁଣ୍ଡରୁ ରକ୍ତ ଚାଟି ସଫା କଲା । ମଢ଼ଦେହରେ ଆଉ ବେଶି ମାଂସ ନ ଥାଏ । ଲଧ୍ୟା ନଦୀ ଏ କୂଳର ପତଳା ଶାଳବଣରେ ବାଘକୁ ଆଢ଼ୁଆଳ ଦେବାଭଳି ଗହଳ ଲଟାବୁଦାର ଅଭାବ । ଛୁଆ ଦୁଇଟିଙ୍କୁ ସଫାସୁତୁରା କରିସାରି ବାଘୁଣୀ ତାଙ୍କୁ ସଙ୍ଗରେ ନେଇ ନଈ ପାରହେବାକୁ ଲଧ୍ୟାର ଥଳ ଆଡ଼କୁ ଚାଲିଗଲା ।

 

ଶାବକଙ୍କ ପ୍ରତି ବାଘୁଣୀଟିର ସ୍ନେହମମତା ମୋତେ ମୁଗ୍‍ଧ ଓ ତନ୍ମୟ କରିଥିଲା । ସେଇ ବାଘୁଣୀ ଯେ ଗୁଳିମାଡ଼ରେ ଆହତ ହୋଇ ଦିନେ ମଣିଷଖିଆ ପାଲଟିବ ଓ ତା’ର ପ୍ରକୋପରେ ଏ ଅଞ୍ଚଳର ଲୋକେ ପ୍ରାଣଭୟରେ ଥରହର ହେବେ–ଏ କଥା ସେତେବେଳେ ଜାଣି ନ ଥିଲି । ତାହା ଜାଣିଥିଲେ ବି ମୋ ଆଚରଣ ବା କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଘଟି ନ ଥାଆନ୍ତା ସେଦିନ । ଏତେ ଆଦରରେ ସନ୍ତାନପାଳନ କରୁଥିବା ମାଆଟିଏ ନରଖାଦକ ହୋଇଥିଲେ ମଧ୍ୟ ତା’ରି ଛୁଆଙ୍କ ଆଖିଆଗରେ ମୁଁ ତାକୁ କଦାପି ମାରି ପାରି ନ ଥାନ୍ତି ।

 

(ପାଞ୍ଚ)

 

ଏଠାରେ ପହଞ୍ଚିବାର ପ୍ରଥମ ରାତିକ ଥାକ୍ ପାଖରେ ମରିଥିବା ମଇଁଷିଟିକୁ ଜଗି ବସିଥିଲି । ବାଘ ଫେରିବାର ଆଉ ସମ୍ଭାବନା ନାହିଁ ବୋଲି ନିର୍ଭର ଧାରଣା ହେବାପରେ ମଢ଼କୁ ଅକାରଣ ପଚିବାକୁ ନ ଦେଇ ଶାଗୁଣା ଖାଇବା ପାଇଁ ଅଘୋଡ଼ା ଛାଡ଼ି ଆସିଥିଲି । ସେଠାରୁ ଦୁଇଶହ ଗଜ ଦୂରରେ ଗାଁର ପଶ୍ଚିମ ପାଖ ଉପତ୍ୟକାର ଉପରମୁଣ୍ଡରେ ଆଉ ଗୋଟିଏ ମଇଁଷି ବନ୍ଧାହେଲା । ଚତୁର୍ଥ ଦିନ ସକାଳେ ଥାକ୍‌ର ମୁଖିଆ ଖବର ପଠାଇଲେ ଯେ ବାଘ ରାତିରେ ମଇଁଷିଟିକୁ ମାରି ମଢ଼ ନେଇ ପଳାଇଯାଇଛି ।

 

ଯେତେ ଶୀଘ୍ର ସମ୍ଭବ ପ୍ରସ୍ତୁତି ସାରି ଇବଟ୍‌ସନ୍ ଓ ମୁଁ ଡେରାରୁ ବାହାରିପଡ଼ିଲୁ ଓ ପ୍ରଚଣ୍ଡ ଖରା ଗରମରେ ପାହାଡ଼ ଚଢ଼ି ଦିନ ଦୁଇପହରବେଳକୁ ଘଟଣାସ୍ଥଳରେ ପହଞ୍ଚିଲୁ । ଆମ ପାଇଁ ଖୋରାକ‌୍‌ପତ୍ର ଧରି ଲୋକ ଦୁଇଜଣ ସଙ୍ଗରେ ଆସିଥାଆନ୍ତି । ଲଙ୍ଗଳ ଦଉଡ଼ିକୁ ପଘା କରି ମଇଁଷିକୁ ଆମେ ଅତି ଶକ୍ତଭାବେ ବାନ୍ଧିଥିବା ସତ୍ତ୍ୱେ ବାଘ ଅକ୍ଳେଶରେ ପଘା ଛିଡ଼ାଇ ମଇଁଷିକୁ ପାହାଡ଼ତଳ ଥଳୀକୁ ବୋହି ନେଇଥାଏ । ଲୋକ ଦୁହିଁଙ୍କୁ ପଛେ ପଛେ ଲାଗିରହିବାକୁ କହି ଘୋଷରାଦାଗ ଅନୁସରଣ କରି ଆଗେଇଲୁ । ବାଘ ଅମଡ଼ାମଡ଼ା ନ ମାନି ଏକାମୁହାଁ ହୋଇ ଆଗେଇଥାଏ । ଗହଳ ଲଟାବୁଦା, ତୀଖ ବନ୍ଧ, ବିଛୁଆତି ବଣ, କଣ୍ଟେଇକୋଳି ବୁଦା–ଏପରି କି ଉପୁଡ଼ା ଗଛ ଓ ବଡ଼ ବଡ଼ ପଥର ଉପରେ ବି ମଢ଼କୁ ସେ ଉଠାଇ ନେଇଛି ଦେଖି ଧାରଣା ହେଲା ଯେ ପୂର୍ବରୁ ସ୍ଥିର କରିଥିବା କୌଣସି ଗୁପ୍ତସ୍ଥାନରେ ଶିକାର ଲୁଚାଇଦେବା ତା’ର ଉଦ୍ଦେଶ୍ୟ । ବଣବୁଦା ଭିତରେ ବାଟ ଠଉରାଇ ବାଘକୁ ଦୀର୍ଘ ଦୂର ଅନୁସରଣ କଲାପରେ ଗୋଟିଏ ଖାଲ ଭିତରେ ମଢ଼କୁ ପାଇଲୁ । ଖାଲ ଉପରକୁ ଛତା ପରି ବିସ୍ତାରି ରହିଥିବା ଝଙ୍କାଳିଆ ବାକ୍‌ସ ଗଛଟି ଯୋଗୁଁ ସ୍ଥାନଟିକୁ ଚିହ୍ନଟ କରିବା ସହଜ । ମଇଁଷି ବେକରେ ଦାନ୍ତ ଦାଗ ପରୀକ୍ଷା କରି ଜାଣିଲୁ ଯେ ନରଖାଦକ ହିଁ ତାକୁ ମାରିଛି । ମଇଁଷିକୁ ରାତିରେ ମାରିଥିଲେ ବି ବାଘ ସେପର୍ଯ୍ୟନ୍ତ ତାକୁ ଖାଇନାହିଁ ଦେଖି ମନକୁ ପାପ ଛୁଇଁଲା । ତେବେ ସେ କଷ୍ଟକରି ମଢ଼କୁ ଅବାଟରେ ଏତେ ଦୂର ବୋହିଆଣି ଏତେ ଯତ୍ନରେ ତାକୁ ଲୁଚାଇଥିବାରୁ ଭରସା ହେଲା ଯେ ଶିକାର ପାଖକୁ ସେ କେତେବେଳେ ହେଲେ ନିଶ୍ଚୟ ଫେରିବ ।

 

ପ୍ରଚଣ୍ଡ ଖରାରେ ତୀଖ ପାହାଡ଼ ଚଢ଼ି ଓ ତା’ପରେ ଗହଳ ବଣରେ ଲଟାବୁଦା ଠେଲି ଆଡ଼େଇ ଏତେବାଟ ଆସିଲା ପରେ ଝାଳରେ ସମସ୍ତେ ଗାଧୋଇପଡ଼ିଥିଲୁ । ଖାଲ ପାଖରେ ବସି ଚାହା ଜଳଖିଆ ଖାଇବା ଭିତରେ ଚାରିଆଡ଼କୁ ଆଖି ବୁଲାଇ ଦେଖିଲି ଯେ ଖାଲଧାରରୁ ତେର୍ଚ୍ଛାରେ ଉଠିଥିବା ଡିମିରିଗଛଟିଏ ପ୍ରାୟ ପଇଁଚାଳିଶ ଡିଗ୍ରୀ କୋଣରେ ପାହାଡ଼କଡ଼ରୁ ତଳକୁ ନଇଁଆସିଛି । ଏ ଧରଣର ଡିମିରି ଏକ ପରାଙ୍ଗପୁଷ୍ପ ବୃକ୍ଷ; ଜଙ୍ଗଲର ଏକ ପ୍ରକାଣ୍ଡ ଗଛର ଗଣ୍ଡିରେ ଏହା ପ୍ରଥମେ ଉପଜୀବୀଭାବେ ଦେଖାଦିଏ ଓ ସମୟକ୍ରମେ ଚାରିପାଖରୁ ଜାଲି ପରି ଶାଖା ଘେରାଇ ଆଶ୍ରୟଦାତାକୁ ଚିପି ଚିପି ମାରିପକାଏ । ଡିମିରି ଗଛକୁ ଦେହରେ ସ୍ଥାନ ଦେଇଥିବା ଏହି ବଡ଼ଗଛଟିର ଠିକ୍ ସେହି ଦଶା ହୋଇଥିଲା । ସେ ଭିତରେ ପାଣି ପବନ ଖାଇ ମଲା ଗଛଟି ଖତରିଯାଇ ଭୂଇଁରୁ ଦଶଫୁଟ ଉଚ୍ଚରେ ଦୁଇଗଡ଼ ହୋଇ ଭାଙ୍ଗିଯାଇଥିଲା । ମୂଳ ଗଡ଼ଟିର ଉପରମୁଣ୍ଡଟି ତଳୁ ଚଟକା ଦେଖାଯାଉଥିବାରୁ ରାତିଏ ତାରି ଉପରେ ଜଗି ବସିବାକୁ ସ୍ଥିରକଲି ।

 

ଖିଆପିଆ ଓ ସିଗାରେଟ୍ ଶେଷହେବା ପରେ ଇବଟ୍‌ସନ୍‍ଙ୍କ ନିର୍ଦ୍ଦେଶରେ ଆମ ଲୋକ ଦୁହେଁ ଷାଠିଏ ଗଜ ଦୂର ଗୋଟିଏ ଗଛରେ ଚଢ଼ିଲେ ଓ ଡାଳପତ୍ର ହଲାଇ ମଞ୍ଚା ବାନ୍ଧିବାର ବାହାନା କରି ବାଘର ଦୃଷ୍ଟି ଆକର୍ଷଣ କଲେ । ସେହି ଅବସରରେ ମୁଁ ନିଃଶବ୍ଦରେ ଡିମିରିଗଛରେ ଚଢ଼ି ଦେଖିଲି ଯେ ତା’ ଉପରମୁଣ୍ଡଟି ପ୍ରକୃତରେ ଚଟକା ନୁହେଁ; ଗଡ଼ାଣିଆ । ସେଥିରେ ଖତରା କାଠ ଆଉ ପଚା ପତ୍ର ଜମି ଖୁବ୍ ସନ୍ତସନ୍ତିଆ ବି ହୋଇଛି । ଅଳିଆତକ ଆଡ଼େଇ ତଳକୁ ଫିଙ୍ଗିଦେଲେ ଶବ୍ଦ ହେବା ନିଶ୍ଚିତ କଥା । ଗଛଟିରେ ପୁଣି ଜାଗାଏ ଜାଗାଏ କାଠ ଖତରି କୋରଡ଼ ହୋଇଯାଇଥାଏ; କୋରଡ଼ ଭିତରେ ବିଷାକ୍ତ ସାପ ଓ ପଚାପତ୍ର ତଳେ କଙ୍କଡ଼ାବିଛା ଥିବା ମଧ୍ୟ ଅସମ୍ଭବ ନୁହେଁ । ଖସଡ଼ା ଗଡ଼ାଣିଆ ଆସନଟିରୁ ଖସିପଡ଼ିବା ଭୟରେ ଡିମିରି ଡାଳରେ ଗୋଡ଼ ଜମାଇ ବସିବାକୁ ବି ପଡ଼ିବ । ପରିସ୍ଥିତି ଦୃଷ୍ଟିରୁ ସେତିକି ଅସୁବିଧା ଓ ବିପଦ ବରଣ କରିବାକୁ ହେବ ଜାଣି ଇଷ୍ଟଦେବତାଙ୍କୁ ସୁମରି ଆସନରେ ଯଥାତଥା ବସିଲି ।

 

ଜାମୁଗଛମୂଳେ ମଇଁଷିର ଦରଖିଆ ପଚା ମଢ଼ଟାକୁ ଶାଗୁଣା ଖାଇବା ପାଇଁ ଅଘୋଡ଼ା ଛାଡ଼ି ଆସିଥିଲୁ । ସେତେବେଳଯାଏ ଶାଗୁଣା ସେଠାରେ ଜମି ନଥାନ୍ତି । ମୋତେ ଡିମିରିଗଛରେ ଦେଖି ବାଘ ତରକି କରି କାଳେ ତା’ ପୁରୁଣା ଶିକାର ପାଖକୁ ଫେରିଯିବ, ଏଇ ଆଶଙ୍କାରେ ଇବଟ‌୍‌ସନ୍ ପଚା ମଢ଼ଟାକୁ ଜଗିବାକୁ ବାହାରିଲେ ଓ ଲୋକ ଦୁହିଁଙ୍କୁ ସଙ୍ଗରେ ନେଇ ବାଘର ଦୃଷ୍ଟି ଆକର୍ଷଣ କରିବାକୁ ବଡ଼ପାଟିରେ କଥାବାର୍ତ୍ତା ହୋଇ ଜାମୁଗଛଆଡ଼କୁ ଚାଲିଗଲେ ।

 

ଡିମିରି ଗଛଟି ପାହାଡ଼ି କଡ଼ରୁ ତେର୍ଛାରେ ନଇଁଥିବା କଥା ପୂର୍ବରୁ କହିଛି । ଗଛମୂଳେ ମୋ’ଠାରୁ ଠିକ୍ ଦଶଫୁଟ ତଳେ କୋଡ଼ିଏ ଫୁଟ ଲମ୍ବ ଓ ଦଶଫୁଟ ଓସାର ଏକ ଚଟକା ଜାଗାରେ ଧାର ପାଖରୁ ପାହାଡ଼ କଡ଼ ତୀଖଭାବେ ଗଡ଼ିଥାଏ ଅନେକ ତଳକୁ । ଗଡ଼ାଣି ସାରା ଲମ୍ବ ଲମ୍ବ ଘାସ ଓ ମଝିରେ ମଝିରେ କେଇ ଚକଡ଼ା ଗହଳ ଝାଟିବଣ । ଝାଟିବଣ ଆରପାଖରେ ଝରଣାଟିଏ କୁଳୁକୁଳୁ ହୋଇ ବହିଯାଉଥିବା ସ୍ପଷ୍ଟ ଶୁଭୁଥାଏ । ଏଭଳି ସ୍ଥାନରେ ବାଘ ଲୁଚିରହିବା ଖୁବ୍ ସମ୍ଭବ ଓ ସହଜ ବୋଲି ଏକ ଧାରଣା ମନ ଭିତରୁ ବାରମ୍ବାର ଉଙ୍କି ମାରିବାକୁ ଲାଗିଲା ।

 

ଇବଟ୍‌ସନ୍‌ ଚାଲିଯିବାର ପ୍ରାୟ ପନ୍ଦର ମିନିଟ୍ ପରେ ଉପତ୍ୟକା ଆରପାଖରୁ ଲାଲ୍ ମାଙ୍କଡ଼ଟିଏ ବାଘର ଉପସ୍ଥିତ ସୁଚାଇ ଜଙ୍ଗଲବାସୀ ଜୀବଜନ୍ତୁଙ୍କୁ ଚେତାବନୀ ଶୁଣାଇବାକୁ ଲାଗିଲା-। ପାହାଡ଼ରୁ ଆମେ ଗଡ଼ିବାବେଳେ ବାଘ ଆମକୁ ଦେଖି ଅପସରି ଯାଇଥିଲେ ମାଙ୍କଡ଼ ଠିକ୍ ସେତିକିବେଳେ ବୋବାଇ ଥାଆନ୍ତା । ଏତେ ସମୟ ତୁନି ରହିଲାପରେ ମାଙ୍କଡ଼ ଏବେ ବୋବାଇବାରୁ ଅନୁମାନ କଲି ଯେ ମଢ଼ ପାଖରେ ପାଟିତୁଣ୍ଡ ଓ ମଞ୍ଚା ବନ୍ଧା ହେବାର ଶବ୍ଦ ଶୁଣି ବାଘ ଅନୁସନ୍ଧାନ କରିବାକୁ ଏଆଡ଼େ ଆସୁଛି ଓ ମାଙ୍କଡ଼ ଉପତ୍ୟକା ଆରପାଖରୁ ତାକୁ ଦେଖିପାରି ଆତଙ୍କଧ୍ଵନି ଆରମ୍ଭ କରିଛି ।

 

ମାଙ୍କଡ଼ର ଦୃଷ୍ଟିଶକ୍ତି ଅତି ତୀକ୍ଷ୍‌ଣ; ଚଉଠ ମାଇଲ୍ ଦୂରରୁ ବାଘକୁ ଦେଖିବା ତା’ ପକ୍ଷର ଆଦୌ କଷ୍ଟକର ନୁହେଁ । ପାହାଡ଼ ଆଡ଼କୁ ମୁଁ ମୁହାଁଇ କରି ବସିଥାଏ; ମଢ଼ ଥାଏ ମୋ ସାମନା ଓ ବାଁ ପାଖକୁ । ମାଙ୍କଡ଼ ତୁହାଇ ତୁହାଇ ପ୍ରାୟ ଆଠଥର ବୋବାଇବା ପରେ ମୋ ପଛପଟେ ପାହାଡ଼କଡ଼ରେ କାଠିଟିଏ ମଟ୍‍କରି ଭାଙ୍ଗିଗଲା । କାଲି ପରି ଛନ୍ଦି ହୋଇଥିବା ଡିମିରି ଡାଳର ଫାଙ୍କବାଟେ ଉଙ୍କିମାରି ଦେଖିଲି ଯେ ବାଘ ମୋ’ଠାରୁ ମାତ୍ର ଚାଳିଶ ଗଜ ଦୂରରେ ଛିଡ଼ାହୋଇ ଏକଦୃଷ୍ଟିରେ ମୋରି ଆଡ଼କୁ ଅନାଇଛି । ଲୋକ ଦୁହେଁ ଗଛରେ ଚଢ଼ି ମଞ୍ଚା ବାନ୍ଧିବାର ଅଭିନୟ କଲାବେଳେ ବାଘ ସମ୍ଭବତଃ ତାହା ଲକ୍ଷ୍ୟ କରିଥିଲା । ଥରେ ମୋ’ଆଡ଼େ ଓ ଥରେ ସେହି ଗଛଆଡ଼େ ଅନାଇ କିଛି ସମୟ ଛିଡ଼ାହେବା ପରେ ବାଘ ଉଠାଣିରେ ଚଢ଼ି ନିଃଶବ୍ଦରେ ମୋରି ଆଡ଼କୁ ଆଗେଇ ଆସିଲା । ମଣିଷ ସେଭଳି ତୀଖ ଉଠାଣିରେ ଚଢ଼ିଥିଲେ ଶବ୍ଦ ନ କରିବା ଦୂରେ ଥାଉ, ଭୂଇଁରେ ହାତ ଲଗାଇ ମଧ୍ୟ ଗୋଡ଼ ଖସିବାକୁ ରୋକି ପାରି ନ ଥାନ୍ତା । ବାଘ କିନ୍ତୁ ଟିକିଏ ଶବ୍ଦ ନ କରି ଉଠାଣିଟିକୁ ଅତି ସହଜରେ ପାରହୋଇଗଲା । ଯେତିକି ପାଖକୁ ସେ ଆସୁଥାଏ, ସେତିକି ବେଶି ସତର୍କ ଓ ସାବଧାନ ହେଲା ଭଳି ଜଣାପଡ଼ୁଥାଏ । ଶେଷରେ ଉଠାଣି ଉପରମୁଣ୍ଡରେ ଭୂଇଁରେ ଲସିଯାଇ ଚଟକା ଜାଗାଟିର ଧାର ଉପରକୁ ଧୀରେ ଧୀରେ ମୁଣ୍ଡ ଟେକି ପ୍ରଥମେ ମୋ ଗଛଟିକୁ ସେ ଭଲ ଭାବେ ପରୀକ୍ଷା କରିନେଲା । ଗଛରେ ଲୋକ ନାହାନ୍ତି ବୋଲି ବିଶ୍ଵାସ ଜନ୍ମିବା ପରେ କୁଦାକେ ସେ ଉପରକୁ ଡେଇଁପଡ଼ିଲା ଓ ମୋ ଗଛ ତଳକୁ ଆସି ନଜର ଉପରୁ ସମ୍ପୂର୍ଣ୍ଣ ଲୁଚିଗଲା । ସେହି ବାଟେ ସେ ଆଗେଇ ଯାଇ ଆରପାଖରୁ ପୁଣି ଦେଖାଯିବାକୁ ମୁଁ ଅପେକ୍ଷା କରିଥିଲି । ଏତିକିବେଳେ ଗଛମୂଳେ ଖସ୍ ଖସ୍ ଶବ୍ଦ ଶୁଣି ଜାଣିଲି ଯେ ବାଘ ଆଉ ଆଗକୁ ନଯାଇ ମୋରି ଗଛମୂଳେ ହିଁ ଶୋଇରହିଛି ।

 

ପରବର୍ତ୍ତୀ ପନ୍ଦର ମିନଟ୍ ସ୍ଥିର ହୋଇ ବସି ବାଘର ଗତିବିଧିର ଟିକିଏ ସୁରାକ୍ ପାଇଁ କାନ ଡେରିଲି । ବାଘ ସ୍ଵର-ଶବ୍ଦ କିଛି ନ କରି ପୂରା ନିଶ୍ଚଳ ରହିଥାଏ । ଡାହାଣକୁ ବୁଲି ଡାଳପତ୍ର ଫାଙ୍କରେ ଉଙ୍କିମାରି ଦେଖିଲି ଯେ ଭୂଇଁରେ ମୁଣ୍ଡ ରଖି ଗଛମୂଳେ ଠିକ୍ ମୋରି ସଳଖରେ ସେ ଯେମିତି ଶୋଇଛି, ଆଖିରୁ ମୋର ଲୁହ ଟୋପାଏ ଝରିଲେ ତା’ ନାକ ଆଗରେ ଯାଇ ପଡ଼ିବ । ମୁଁ ଅନାଇଥିବା ଭିତରେ ବାଘ ମାଛିଙ୍କ ଦାଉରେ ଥରେ ଚେଇଁଉଠିଲା ଓ ଆଖି ମିଟିମିଟି କରି କିଛି ସମୟ ଅନାଇବା ପରେ ଟିକିଏ ଆଗକୁ ଘୁଞ୍ଚିଯାଇ ପୁଣି ନିଦରେ ଶୋଇପଡ଼ିଲା । ମୁଁ ଯେମିତି ବସିଥାଏ, ବାଁକୁ ଝୁଙ୍କିବା ମୋ ପକ୍ଷରେ ଅତି କଷ୍ଟକର । ଆଶ୍ରାକରି ଧରିବାପାଇଁ ସେପାଖରେ ଡାଳଟିଏ ବି ନଥିଲା । ଖସିପଡ଼ିବାର ଯଥେଷ୍ଟ ଭୟ ଥିବା ସତ୍ତ୍ୱେ ନିଜକୁ ସମ୍ଭାଳି ଯେତେ ଦୂର ସମ୍ଭବ ବାଁକୁ ଢଳି ଦେଖିଲି ଯେ ବାଘର ଲାଞ୍ଜ ଓ ପଛଫଡ଼ିଆର ଗୋଟିଏ ଅଂଶ ହିଁ କେବଳ ମୋ ନଜରକୁ ଆସୁଛି ।

 

ଏଭଳି ପରସ୍ଥିତିରେ ସବୁଆଡ଼ୁ, ବୁଝିବିଚାରି ଅତି ସାବଧାନରେ କାମ କରିବା ଦରକାର-। ତିନିଫୁଟ ମୋଟ ଗଛଟିର ଗଣ୍ଡିକୁ ମୁଁ ଆଉଜିଥିବାରୁ ବାଘ ପଛପଟୁ ମୋତେ ଦେଖିଦେବାର ସମ୍ଭାବନା ନଥିଲା । ବାଘକୁ ତରକାଇ ନ ଦେଲେ ସେ କେତେବେଳ ହେଲେ ଚେଇଁଉଠି ମଢ଼ ପାଖକୁ ଯିବ ଓ ସେହିଠାରେ ତାକୁ ସହଜରେ ଶେଷ କରିହେବ; କିନ୍ତୁ ତା’ ନିଦ କେତେବେଳେ ଭାଙ୍ଗିବ ଆଉ ଖାଇବାକୁ ସେ କେତେବେଳେ ମନ ବଳାଇବ–ତା’ର କ’ଣ ବା ଠିକଣା ଅଛି ? ଖରା ଗରମରୁ ରକ୍ଷା ପାଇବାକୁ ଭଲ ଛାଇଟିଏ ବାଛି ସେ ଶୋଇଛି । ପାହାଡ଼ତଳ ଉପତ୍ୟକାରୁ ସେଠାକୁ ସୁଲୁସୁଲିଆ ଥଣ୍ଡା ପବନ ବି ବହୁଛି । ଛାଇ-ଶୀତଳରେ ସେହିଠାରେ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ଯଦି ସେ ଆଲୁଅ ମଉଳିବା ପରେ ଉଠି ଶିକାର ପାଖକୁ ଯାଏ, ତେବେ ଗୁଳିଚୋଟେ ଚଳାଇବାକୁ ଉପାୟ ନ ଥିବ । ଏଣେ ବାଘର ମର୍ଜିକୁ ଜଗି ଉପସ୍ଥିତ ସୁଯୋଗଟିକକ ହରାଇବସିଲେ ଶହ ଶହ ଲୋକଙ୍କ ଜୀବନ ଆହୁରି ଅନେକ ଦିନଯାଏ ବିପନ୍ନ କରିବାହିଁ ସାର ହେବ । ଅପେକ୍ଷାରେ ଅଯଥା ଆଉ ସମୟ ନଷ୍ଟ ନ କରି ଗୁଳି ଚଲାଇବା ନିତାନ୍ତ ଦରକାର ବୋଲି ଭଲଭାବେ ଜାଣିଥିଲେ ମଧ୍ୟ ସଫଳ ହେବା ବିରୁଦ୍ଧରେ ନାନା ଅନ୍ତରାୟ ଲକ୍ଷ୍ୟକରି ମୁଁ ପଶ୍ଚାତ‌୍‌ପଦ ହେଉଥାଏ । ଡିମିରିଜାଲି ଫାଙ୍କରେ ରାଇଫଲ୍ ହୁଏତ ଗଳାଇହେବ; କିନ୍ତୁ ବାଘ ମୁଣ୍ଡ ଆଡ଼କୁ ନୁଆଇଁ ହେବନାହଁ । ଛିଡ଼ାହୋଇ ଜାଲି ଉପରବାଟେ ଗୁଳି ଚଳାଇଲେ ଖସ୍ ଖସ୍ ଶବ୍ଦ ଏଡ଼ାଇବା ଅସମ୍ଭବ । ସାମାନ୍ୟ ଦଶଫୁଟ ତଳେ ଯେଉଁ ଜନ୍ତୁଟି ଶୋଇଛି, ତା’ର ଶ୍ରବଣଶକ୍ତି ଜଙ୍ଗଲର ସବୁ ଜନ୍ତୁଙ୍କଠାରୁ ପ୍ରଖର । ଏସବୁ ଦୃଷ୍ଟିରୁ ମୁଣ୍ଡକୁ ଗୁଳି କରିବା ଆଶା ଛାଡ଼ି ବାଘ ତଳପିଠିରେ ଗୁଳିଟିଏ ବସାଇଦେବାକୁ ସୁବିଧା ଖୋଜିଲି ।

 

ପୂର୍ବରୁ ବାଁକୁ ଝୁଙ୍କି ବାଘର ଲାଞ୍ଜ ଓ ପଛଫଡ଼ିଆର ଗୋଟିଏ ଅଂଶ ମାତ୍ର ଦେଖିପାରିଥିଲି । ଦୁଇ ହାତରେ ରାଇଫଲ୍ ଧରିଥିବାରୁ ପଡ଼ିଯିବା ଭୟରେ ସେଥର ବେଶି ଦୂର ଝୁଙ୍କିବା ସମ୍ଭବ ହୋଇ ନ ଥିଲା । ଏବେ ଡାହାଣ ହାତରେ ଡାଳଟିଏ ଧରି ବାଁକୁ ପୂରା ଝୁଲିପଡ଼ି ଦେଖିଲି ଯେ ବାଘର ଅଣ୍ଟା ପର୍ଯ୍ୟନ୍ତ ମୋ ନଜରକୁ ଆସୁଛି । ଡାହାଣ ହାତରେ ଡାଳଟିକୁ ଜାବୁଡ଼ି ଧରି ବାଁ ହାତରେ ମଝିପିଠିରେ ଗୁଳିଟିଏ ବସାଇ ଦେଇପାରିଲେ ବାଘର ପଛଗୋଡ଼ ଦୁଇଟା ଅନ୍ତତଃ ଅଚଳ ହୋଇଯିବ । ସେପରି କରିବା ବିରୁଦ୍ଧରେ ବିବେକ କିନ୍ତୁ ପ୍ରବଳ ବାଧା ଦେଲା ।

 

ଦୈହିକ ଦୁର୍ଗତି ଯୋଗୁ ଶିକାର ମାରି ନ ପାରି ବାଘଟି ମଣିଷଖିଆ ପାଲଟିଛି । ଖାଦ୍ୟବ୍ୟବସ୍ଥାରେ ସେତିକି ପରିବର୍ତ୍ତନ କରିବା ଯେ ଏଡ଼େ ଗୁରୁତର ଅପରାଧ, ତାହା ବାଘ ବା ଜାଣିବ କିପରି ? ଆଉ ସେତିକି ଦୋଷ ପାଇଁ ତା’ପ୍ରତି ଯଦି ଚରମ ଦଣ୍ଡବିଧାନ କରିବାକୁ ପଡ଼େ, ତେବେ ଗୋଟିଏ ଗୁଳିରେ ଶେଷ ନ କରି ତାକୁ କଲବଲ କରି ମାରିବା କାହିଁକି ନ୍ୟାୟସଙ୍ଗତ ମନେହେଲା ନାହିଁ । ଆତ୍ମରକ୍ଷା ପାଇଁ ସୁଯୋଗ ନ ଦେଇ ନିଦ୍ରିତ ଜନ୍ତୁକୁ ଗୁଳି କରିଦେବା ଶିକାରର ନିୟମ ବିରୁଦ୍ଧ (୧) । ମନକୁ ଟାଣ କରି ଏସବୁ ଯୁକ୍ତି ବିରୁଦ୍ଧରେ ବିବେକ ପାଖରେ ସଫେଇ ଦେଲି ଯେ ନରଖାଦକ ଶିକାରରେ ଭାବପ୍ରବଣତାର ସ୍ଥାନ ନାହିଁ; ଉତ୍ପୀଡ଼ିତ ବହୁ ଲୋକଙ୍କ ସମୂହ ସ୍ଵାର୍ଥଦୃଷ୍ଟିରୁ ନରଖାଦକକୁ ଯେକୌଣସି ଅବସ୍ଥାରେ ସଙ୍ଗେ ସଙ୍ଗେ ଶେଷ କରାଯିବା ଉଚିତ । ଏତେଦିନ ଖୋଜିଲା ପରେ ନରଖାଦକକୁ ଏବେ ହାତ ପାଖରେ ପାଇଛି; ଭାବପ୍ରବଣ ହୋଇ ତାକୁ ଛାଡ଼ିଦେଲେ ଗୁଡ଼ିଏ ନିରୀହ ଲୋକଙ୍କ ଜୀବନ ଅକାରଣ ବିପନ୍ନ ହେବ । ଆଉ ନିଦ୍ରିତ ଅବସ୍ଥାରେ ତାକୁ ମାରିଦେବା ଛଡ଼ା ଯଦି ଅନ୍ୟ ପନ୍ଥା ନ ଥାଏ, ଏଭଳି ଅପ୍ରୀତିକର ପରିସ୍ଥିତିକୁ ଆହୁରି ଆସ୍ଵାଦନ କରିବାର ସମୟ ଅଯଥା ବଢ଼ାଇବା ଅପେକ୍ଷା ଯେତେ ଶୀଘ୍ର ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ ସେତେ ଭଲ । ବାଘ ଦୀର୍ଘ ଦୂରରୁ ମଇଁଷିକୁ ଘୋଷାରି ଘୋଷାରି ଏ ଯାଏଁ ନେଇଆସିଛି-। ଭୂଇଁରେ ମଢ଼ର ଗନ୍ଧ ବାଟସାରା ଲାଗିରହିଥିବ । ଭୋକିଲା ଭାଲୁଟାଏ ଯଦି ଗନ୍ଧ ବାରି ଅଚାନକ ଆସି ଏଠାରେ ହାଜର ହୋଇଯାଏ, ତେବେ ମହରଗରୁ ଯାଇ କାନ୍ତାରରେ ପଡ଼ିବା ହିଁ ସାର ହେବ-

 

(୧) ‘ମୋହାନ୍ ନରଖାଦକ’କୁ ନିଦ୍ରିତାବସ୍ଥାରେ ମାଈଦେଇ କରବେଟ୍‌ ପରେ ଗଭୀର ମନସ୍ତାପ କରିଥିଲେ । ନିଦ୍ରିତ ନରଖାଦକକୁ ମାରିଦେବାର ନୀତିଗତ ଯଥାର୍ଥତା ବିଷୟରେ ‘କୁମାୟୂଁର ନରଖାଦକ’ ବହିରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି–ଅନୁବାଦକ ।

 

ଦେହକୁ ଶକ୍ତ କରି ବାଁକୁ ଝୁଙ୍କି ଗଛଡାଳରୁ ଧୀରେ ଧୀରେ ଡାହାଣହାତ ଖସାଇ ଆଣିଲି-। ତା’ପରେ ଦୁଇ ହାତରେ ରାଇଫଲ୍ ଉଠାଇ ବାଘର ଅଣ୍ଟାକୁ ଲକ୍ଷ୍ୟ କରି ଯେମିତି ଗୁଳି ଚଳାଇଲି, ବନ୍ଧୁକଚାଳନାରେ ସେଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତି ଜୀବନରେ ଆଉ କେବେହେଲେ ନ ଘଟୁ-

 

କୁନ୍ଦାକୁ କାନ୍ଧରେ ଲଗାଇବା ବା ମାଛି ଉପରଦେଇ ନିଶାଣ କରିବା ସମ୍ଭବ ନ ହେବାରୁ ସଳଖ ହାତରେ ରାଇଫଲ୍ ଧରି ନଳି ତଳେ ଆଖି ଲଗାଇ ନିଶାଣ କରିବାକୁ ବାଧ୍ୟ ହୋଇଥିଲି । ପ୍ରଚଣ୍ଡ ଶକ୍ତିବାନ୍ ୪୫୦ / ୪୦୦ ରାଇଫଲ‌୍‌ର ପ୍ରବଳ ଧକ୍‌କାରେ ଆଙ୍ଗୁଠି ବା କଚୋଟି ଭାଙ୍ଗି ନ ଯାଇ ହାତ ଯେ କେବଳ ଜଖମ ହୋଇଗଲା, କପାଳଜୋର୍ ଛଡ଼ା ତାକୁ ଆଉ କିଛି କୁହାଯାଇ ନ ପାରେ ।

 

ବାଘ ଗର୍ଜନ-ତର୍ଜନ କରି ଛାଟିପିଟି ହୋଇଥିଲେ ମୋତେ ହତ୍ୟାକାରୀ ପରି ଲାଗି ନ ଥାନ୍ତା । ମେରୁଦଣ୍ଡରେ ଗୁଳି ବସିଯିବା ପରେ ବାଘ ଟିକିଏ ହେଲେ ଶବ୍ଦ ନ କରି ନୀରବରେ ମୋ ଆଡ଼କୁ ବୁଲିପଡ଼ିଲା । ଅଚଳ ପଛଗୋଡ଼ ଦୁଇଟାକୁ ଘୋଷାରି ପାହାଡ଼ ତଳକୁ ପଳାଇଯିବାକୁ ସେ ପ୍ରାଣପଣ ଚେଷ୍ଟା କରୁଥାଏ । ସେହି ଅବସରରେ ମୁଁ ଚାଲିପଡ଼ି ରାଇଫଲ୍‌ର ଆର ନଳିରୁ ଗୁଳିଟିଏ ତା’ ଛାତିରେ ବସାଇ ଦେଲି । ଅସୀମ ସାହସିକ ଏହି ବାଘଟି ଟିକିଏ ହେଲେ କାତର ଶବ୍ଦ ନ କରି ନୀରବରେ ସେହିଠାରେ ଟଳିପଡ଼ିଲା ।

 

ଜାମୁଗଛ ପାଖକୁ ଯାଉ ଯାଉ ଇବଟ୍‍ସନ୍ ଅଧବାଟରେ ମୋ ରାଇଫଲ୍ ଆବାଜ ଶୁଣିଲେ ଓ ମୁଁ କାଳେ ସାହାଯ୍ୟ ଲୋଡ଼ୁଥିବି ବୋଲି ବିଚାରି ଲୋକ ଦୁହିଁଙ୍କ ସହିତ କ୍ଷିପ୍ରବେଗରେ ବାହୁଡ଼ି ଆସିଲେ । ଡିମିରି ଗଛରୁ ଓହ୍ଲାଇ ମୁଁ ମଧ୍ୟ ତାଙ୍କରି ପାଖକୁ ଯାଉଥିଲି । ଅଧବାଟରେ ଭେଟାଭେଟି ହୋଇ ଦୁହେଁ ଫେରିଲୁ । ମାପ କରିବାର କିଛି ସରଞ୍ଜାମ ପାଖରେ ନ ଥିଲା । ତେବେ ସୁନ୍ଦର ସ୍ଵାସ୍ଥ୍ୟବାନ୍ ଏହି ଯୁବା ବୟସର ମହାବଳବାଘଟିର ଲମ୍ବ କିଳା ଭିତରେ ନଅଫୁଟ ଛଅଇଞ୍ଚ ଓ ଗୋଲେଇ ଉପରେ ନ‍ଅଫୁଟ ନଅଇଞ୍ଚ ହେବ ବୋଲି ଅନୁମାନ ହେଲା (୧) । ପାଟି ପରୀକ୍ଷାକରି ଦେଖିଲୁ ଯେ ବାଘର ତଳପାଟିର ଡାହାଣ ଶ୍ଵାନଦନ୍ତଟି ଭଙ୍ଗା । ପରଦିନ ଛାଲ ଛଡ଼ାଇଲାବେଳେ ତା’ ଦେହର ବିଭିନ୍ନ ସ୍ଥାନରେ ଛର୍‌ରାଗୁଡ଼ିଏ ଫୁଟିରହିଥିବା ମଧ୍ୟ ଦେଖାଗଲା ।

 

ଏଡ଼େ ବଡ଼ ବାଘଟାକୁ ଆମେ ଚାରିଜଣ ବୋହି ପାରି ନ ଥାଆନ୍ତୁ । ଭାଲୁଠାରୁ ତାକୁ ରକ୍ଷା କରିବା ପାଇଁ ଡାଳପତ୍ର ଘୋଡ଼ାଇ ବଡ଼ ବଡ଼ ପଥର ଲଦି ଦେଇ ଆସିଲୁ । ବାଘ ମାରିବା ଖବର ରାତାରାତି ଚାରିଆଡ଼େ ଚହଟିଗଲା । ପରଦିନ ସକାଳେ ଡିମିରି ଗଛ ମୂଳରେ ଛାଲ ଉତାରିଲା ବେଳେ ପିଲା, ବଡ଼ ମିଶି ଅନ୍ୟୂନ ଶହେଜଣ ଲୋକ ଆମକୁ ଘେରି ଛିଡ଼ା ହୋଇଥାଆନ୍ତି-। ସେମାନଙ୍କ ଭିତରେ ଥାଏ ସେହି ଦଶବର୍ଷର ଅନାଥ ପିଲାଟି–ଯାହାର ବାରବର୍ଷର ଭାଇକୁ ବାଘ ତା’ ଆଖି ଆଗରେ ମାରି ଟେକି ନେଇ ପଳାଇଯାଇଥିଲା ।

 

(୧) ମହାବଳ ବା ଚିତାବାଘର ଲମ୍ବ ମାପ କରିବାର ପ୍ରଣାଳୀ ‘କୁମାୟୂଁର ନରଖାଦକ’ ବହିରେ ବର୍ଣ୍ଣନା କରାଯାଇଛି–ଅନୁବାଦକ ।

Image

 

Unknown

ତଲ୍ଲାଦେଶ୍ ନରଖାଦକ

 

ଊଣେଇଶଶହ ଅଣତିରିଶ ମସିହା ଫେବୃୟାରୀ ମାସରେ ଥରେ ହିମାଳୟ ତଳ ତରାଇ ଅଞ୍ଚଳକୁ ଆମେ ଶିକାରରେ ଆସି ବିନ୍ଦୁଖେରାର ପଳାଶବଣରେ ଡେରା ପକାଇଥିଲୁ । ଶୀତଦିନ ରହଣି ପାଇଁ ବିନ୍ଦୁଖେରା ପରି ସୁନ୍ଦର ସ୍ଥାନ ହିମାଳୟର ତଳ ପାର୍ବତ୍ୟ ଅଞ୍ଚଳରେ ଆଉ କେଉଁଠାରେ ନାହିଁ । ପଳାଶ ଫୁଲର ନାରଙ୍ଗୀ ଚନ୍ଦ୍ରାତପ ତଳେ ଆମର ଧାଡ଼ି ଧାଡ଼ି ତମ୍ବୁ ବିଭିନ୍ନ ବର୍ଣ୍ଣର ଏକ ବିଚିତ୍ର ପରିପାଟୀ ସୃଷ୍ଟି କରିଥାଏ । ତମ୍ବୁ ଚାରିପାଖେ ଝରା ପଳାଶର ନାରଙ୍ଗୀ ଆସ୍ତରଣ । ଫୁଲବଣରେ ଆନନ୍ଦରେ ଉଡ଼ିବୁଲୁଥିବା ବହୁ ପକ୍ଷୀଙ୍କ ଭିତରୁ ହଳଦି ବସନ୍ତ, ଲାଲ୍‌ ସୁନ୍ଦରୀ, ସୁନେଲି ସୁନ୍ଦରୀ, ଠୁକ୍‌ବଢ଼େଇ, ଚୂଳିଆ କଜଳପାତି ଓ ଚନ୍ଦନା ଶୁଆ ତାଙ୍କ ରଙ୍ଗ ଯୋଗୁଁ ବାରି ହୋଇ ପଡ଼ୁଥାଆନ୍ତି । ତମ୍ବୁ ପଛରେ ପଳାଶ ବଣକୁ ଘେରି ଘଞ୍ଚ ଜଙ୍ଗଲର ବେଷ୍ଟନୀ; ପୃଷ୍ଠଭୂମିରେ ଚିରତୁଷାରାବୃତ ହିମାଳୟର ତୁଙ୍ଗ ଶିଖରସମୂହ । କଳ୍ପନା ଚକ୍ଷୁରେ ଏହି ମନୋରମ ବନୋଦ୍ୟାନକୁ ରୂପ ଦେଇପାରିଲେ ଶୀତଦିନେ ବିନ୍ଦୁଖେରାର ନୈସର୍ଗିକ ଶୋଭା ଆପଣ ଆଂଶିକଭାବେ ଉପଲବ୍‌ଧି କରିପାରିବେ ।

 

ବିନ୍ଦୁଖେରା କୌଣସି ସହର ବା ଗ୍ରାମ ନୁହେଁ; ହିମାଳୟ ପାଦଭୂମିରେ ବାର ମାଇଲ୍‍ ଦୈର୍ଘ୍ୟ ଓ ଦଶ ମାଇଲ୍‍ ପ୍ରସ୍ଥବିଶିଷ୍ଟ ଏକ ସମତଳ ତୃଣଭୂମିର ପଶ୍ଚିମ ପ୍ରାନ୍ତରେ ଏହା ଡେରା ପକାଇବା ଭଳି ଏକ ସ୍ଥାନ ମାତ୍ର । ସାର୍ ହେନ୍‌ରୀ ରାମସେ (କୁମାୟୂଁର ରାଜା(୧)ଙ୍କ ଅମଳରେ ଏଠାରେ ଘନ ଚାଷ କରାଯାଇ ପ୍ରଚୁର ଫସଲ ଆମଦାନୀ ହେଉଥିଲା । ତାଙ୍କ ଅନ୍ତେ ବହୁବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ଜମିଗୁଡ଼ିକରେ ଘାସ ମାଡ଼ିଗଲା । ଏବେ ଛୋଟ ଛୋଟ ତିନୋଟି ଗାଁ ଛଡ଼ା ସେଠାରେ ଆଉ ଜନବସତି ନାହିଁ । ସମତଳ ପ୍ରାନ୍ତରଟିର ମଝିରେ ଗାଁଗୁଡ଼ିକର ପାଖ ଦେଇ ଝରଣାଟିଏ ମନ୍ଥର ଗତିରେ ବହିଯାଏ । କେଇମାସ ତଳେ ଏଠାକାର ଘାସବଣ ପୋଡ଼ି ଦିଆଯାଇଥିଲା । ନିଆଁରୁ ବର୍ତ୍ତିଯାଇଥିବା ଝରଣାକୂଳ ଓଦା ଜାଗାମାନଙ୍କରେ ଚକଡ଼ା ଚକଡ଼ା ଘାସ ମାଡ଼ିଯାଇ ଦୂରରୁ ମରୁଦ୍ୱୀପ ପରି ଦେଖାଯାଉଥାଏ । ସଜସବୁଜ ଏହି ଗହଳ ଘାସବଣରେ ଶିକାର ପାଇବା ଆଶାରେ ଆମେ ହାତୀ ନେଇ ସେଥର ବିନ୍ଦୁଖେରା ଆସିଥିଲୁ । ଦୀର୍ଘ ଦଶବର୍ଷ କାଳ ଏଠାରେ ଶିକାର କରି ଏସବୁ ଅଞ୍ଚଳ ସହିତ ଭଲଭାବେ ପରିଚିତ ଥିବାରୁ ଅଭିଯାନଟିର ପରିଚାଳନା ଦାୟିତ୍ୱ ମୋତେ ଦିଆଯାଇଥିଲା ।

 

(୧) କୁମାୟୂଁର ପୂର୍ବବର୍ତ୍ତୀ ଶାସନକର୍ତ୍ତା । ସ୍ଥାନୀୟ ଲୋକଙ୍କ ଭିତରେ ତାଙ୍କ ପ୍ରଭାବ ଓ ମର୍ଯ୍ୟଦା ଦୃଷ୍ଟିରୁ ଶାସକ ମହଲରେ ରାମସେଙ୍କୁ ‘କୁମାୟୂଁର ଅନଭିଷିକ୍ତ ରାଜା’ବୋଲି ଆଖ୍ୟା ଦିଆଯାଉଥିଲା । ‘ମୋର ଭାରତ’ ବହିଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ତରାଇ ପରି ବିସ୍ତୀର୍ଣ୍ଣ ତୃଣଭୂମିରେ ହାତୀରେ ବସି ଶିକାର କରିବାଠାରୁ ଅଧିକ ଆମୋଦଦାୟକ ଶିକାର ଆଉ ନାହିଁ । ହାତୀଗୁଡ଼ିକ ଏ ଧରଣର ଶିକାର ପାଇଁ ତାଲିମ୍‌ ପାଇଥାଆନ୍ତି । ପାଦରେ ଚାଲୁଥିବା ଶିକାରୀ ଏଠାକାର ଘାସ ଗହଳରୁ ପଶୁଜନ୍ତୁଙ୍କୁ ଠାବ କରିପାରେ ନାହିଁ । କିନ୍ତୁ ହାତୀ ଉପରୁ ଶିକାର ସହଜରେ ଧରାପଡ଼ିଯାଆନ୍ତି ଓ ସଫଳ ଶିକାରର ଆମୋଦ ଉତ୍ତେଜନା ଅନବଚ୍ଛିନ୍ନଭାବେ ଦିନସାରା ଲାଗିରହେ । ଥରେ ବତର ଓ ବେଣାପୁଟୁକି ଆଦି ଛୋଟ ଚଢ଼େଇଠାରୁ ଆରମ୍ଭ କରି ଚିତାବାଘ ଓ ବାରଶିଙ୍ଗା ହରିଣ ପର୍ଯ୍ୟନ୍ତ ଏକାଦିନେ ସମୁଦାୟ ଅଠର ପ୍ରକାର ଶିକାର ଏଠାରେ ମରାଯିବା ମୁଁ ଦେଖିଛି ।

 

ପାଞ୍ଚଜଣ ଶିକାରୀ ଓ ଚାରିଜଣ ଦେଖଣାହାରୀଙ୍କୁ ମିଶାଇ ଆମେ ନଅଜଣ ସେଥର ଶିକାରକୁ ଆସିଥିଲୁ । ସେଦିନ ସକାଳୁ ସକାଳୁ ଜଳଖିଆ ସାରି ଜଣକା ଗୋଟିଏ କରି ହାତୀରେ ବସି ବାହାରିପଡ଼ିଲୁ । ନଅଟି ହାତୀ ଧାଡ଼ିବାନ୍ଧି ଚାଲିଥାଆନ୍ତି; ଧାଡ଼ିରେ ଦୁଇଜଣ ଶିକାରୀଙ୍କ ମଝିରେ ଜଣେକରି ଦେଖଣାହାରୀଙ୍କୁ ରଖାଯାଇଥାଏ । ମୋ ହାତୀଟି ଥାଏ ଠିକ୍ ଧାଡ଼ି ମଝିରେ । ଘାସ ଭିତରେ ଭିତରେ ଲୁଚି ଲୁଚି ଯାଇ ଧାଡ଼ିମୁଣ୍ଡରେ ହଠାତ୍ ବାହାରି ପଡ଼ିବା ଏଠାକାର ଶିକାରୀଙ୍କ ଦସ୍ତୁର । ତେଣୁ ମଝି ଅପେକ୍ଷା ଧାଡ଼ିର ଗୋଟିଏ ମୁଣ୍ଡରେ ରହିଲେ ଏ ଧରଣର ଶିକାରରେ ଅଧିକ ସୁବିଧା ମିଳେ ଓ ରାଇଫଲ୍ ବା ଛର୍‌ରା ବନ୍ଧୁକଚାଳନାରେ ଦକ୍ଷତା ଥିଲେ ଶିକାର କରାମତି ଦେଖାଇବାକୁ ପ୍ରକୃଷ୍ଟ ସୁଯୋଗ ପାଇଥାଏ । ଡାହାଣ ପାଖେ ପଡ଼ିଆ ଧାରରୁ ଜଙ୍ଗଲ ଆରମ୍ଭ । ଘାସ ବଣରୁ ହୁରୁଡ଼ିଯିବା ପରେ ପଶୁଜନ୍ତୁ ଜଙ୍ଗଲ ଆଡ଼େ ମୁହାଁଇବେ ଜାଣି ଡାହାଣପଟ ଶିକାରୀମାନେ ପଚାଶ ଗଜ ଆଗକୁ ମାଡ଼ି ଚାଲିଥାଆନ୍ତି ।

 

ଶୀତଦିନ ସକାଳେ ଭାରତୀୟ ଜଙ୍ଗଲର ମତୁଆଲା ପବନ ଓ ମଦିର ଗନ୍ଧ ଶିକାରୀ ଓ ଶିକାରଙ୍କୁ ସମାନଭାବେ ଉନ୍ମତ୍ତ କରିଦିଏ । ମଣିଷଙ୍କ ପରି ପଶୁଜନ୍ତୁମାନେ ସେତେବେଳେ ଯେମିତି ଅସ୍ଥିର ହୋଇଉଠନ୍ତି, ମନେହୁଏ ପରିବେଶର ପ୍ରଭାବରୁ ସେମାନେ ମଧ୍ୟ ବାଦ୍ ଯାଇନାହାନ୍ତି । ସକାଳୁ ସକାଳୁ ଶିକାରୀମାନେ ଅତି ବେଶି ଅଧୀର ଓ ଚଞ୍ଚଳ ହୋଇ ବାରମ୍ବାର ଲକ୍ଷ୍ୟଭ୍ରଷ୍ଟ ହୁଅନ୍ତି । ଜନ୍ତୁଗୁଡ଼ିକ ମଧ୍ୟ ଅସ୍ଵାଭାବିକ ଭାବେ କ୍ଷିପ୍ର ହୋଇ ଉଠି ବନ୍ଧୁକମୁହଁରୁ ଖସି ପଲାଇଯାଆନ୍ତି । ସନ୍ଧ୍ୟାବେଳେ ଠିକ୍ ଏହାର ବିପରୀତ କାରଣରୁ ଶିକାରରେ ବିଚ୍ୟୁତି ଘଟିଥାଏ । ସାରାଦିନର ପୁଞ୍ଜିଭୂତ କ୍ଳାନ୍ତି ଓ ଅବସାଦ ଶିକାରୀକୁ ଶିଥିଳ ଓ ଶିକାରକୁ ନିସ୍ତେଜ କରିଦେବା ଫଳରେ ଦିନର ଶେଷ କେତୋଟି ମୁହୂର୍ତ୍ତ ମଧ୍ୟ ଶିକାର ଦୃଷ୍ଟିରୁ ବିଶେଷ ଫଳପ୍ରଦ ହୁଏନାହିଁ ।

 

ସେଦିନ ସକାଳୁ ଘାସଗହଳରୁ ଚଢ଼େଇଗୁଡ଼ିଏ ବାହାରୁଥାଆନ୍ତି । ଶିକାରର ପ୍ରାରମ୍ଭିକ ଉତ୍ତେଜନାର କ୍ରମଶଃ ଅବସାନ ଘଟି ଶିକାରୀମାନେ ପ୍ରକୃତିସ୍ଥ ହେବା ସଙ୍ଗେ ସେମାନଙ୍କର ନିଶାଣରେ ସେହି ଅନୁପାତରେ ଉନ୍ନତି ଘଟୁଥାଏ । ଜଙ୍ଗଲଧାରରେ ପ୍ରଥମ ଘଉଡ଼ାରେ ଆମେ ପାଞ୍ଚୋଟି ମୟୂର, ତିନୋଟି ନାଲି ବଣକୁକୁଡ଼ା, ବିଭନ୍ନ ଜାତିର ଚଉଦଟି ତିତିର, ଦୁଇଟି ଗୁଣ୍ଡୁରି ଚଢ଼େଇ ଓ ଠେକୁଆ ତିନୋଟି ହାସଲ କଲୁ । ସମ୍ବରଟିଏ ମଧ୍ୟ ତରକି କରି ବୁଦାରୁ ବାହାରି ଆସିଥିଲା; କିନ୍ତୁ ବନ୍ଧୁକ ତା’ଆଡ଼େ ବୁଲିବା ଆଗରୁ ସେ ବଣ ଭିତରକୁ ଖସି ପଳାଇଗଲା ।

 

ମୟୂର ଓ ବଣକୁକୁଡ଼ା ଛଡ଼ା ପଡ଼ିଆପାଖ ଜଙ୍ଗଲଟିରେ ଆହୁରି କେତେ ବିଚିତ୍ର ପକ୍ଷୀ ଦେଖିବାକୁ ମିଳନ୍ତି । କେଇବର୍ଷ ତଳେ ବାଘ ସନ୍ଧାନରେ ଥରେ ଉଇଣ୍ଡ୍‌ ହାମ୍‌ଙ୍କ* ସହିତ ଏଠାକାର ଜଙ୍ଗଲରେ ବୁଲୁ ବୁଲୁ କାର୍ଡ଼ିନାଲ୍ ବାଦୁଡ଼ିଟିଏ ଦେଖିବାର ସୁଯୋଗ ଘଟିଥିଲା । ବିଚିତ୍ରବର୍ଣ୍ଣା ଏହି ଅତି ସୁନ୍ଦର ବାଦୁଡ଼ି ଗଛପତ୍ର ଫାଙ୍କରେ ଉଡ଼ିଗଲା ବେଳେ ପ୍ରକାଣ୍ଡ ଏକ ପ୍ରଜାପତିର ଭ୍ରମ ସୃଷ୍ଟି କରେ । ଗହଳ ଘାସବଣ ଛଡ଼ା ଏ ବାଦୁଡ଼ି ଅନ୍ୟ କେଉଁଠାରେ ମିଳେ ନାହିଁ ବୋଲି ମୋର ବିଶ୍ୱାସ ।

 

ବାଟରେ ଚେନାଏ ଜଙ୍ଗଲ ପଡ଼ିଆର କେଇ ଶହ ଗଜ ଭିତରକୁ ପଶିଆସିଥିଲା । ଭୂଇଁରେ ସେଠାରେ ଗହୀର ଗୋହିଗୁଡ଼ିଏ ଥିବାରୁ ସଳଖରେ ଆଗେଇବା ସମ୍ଭବ ହେଲା ନାହିଁ । ତା’ପରେ, ବନ୍ଧୁକଦାରଙ୍କ ଭିତରୁ ଜଣେ ପ୍ରଥମ ଥର ପାଇଁ ହାତୀରେ ବସି ଶିକାର କରୁଥାଅନ୍ତି; ଏ ଧରଣର ଶିକାରରେ ତାଙ୍କର ଆଦୌ ଅନୁଭୂତି ନ ଥାଏ । ଏସବୁ ଦୃଷ୍ଟିରୁ ହାତୀଙ୍କୁ ଜଙ୍ଗଲରେ ନ ପୂରାଇ ବାଁକୁ ମୁହାଁଇଲି I ହାତୀଗୁଡ଼ିକ ଧାଡ଼ିବାନ୍ଧି ଆଗପଛ ହୋଇ ପୂର୍ବକୁ ଚାଲିଲେ । ଘଉଡ଼ା ସରିଥିବା ଜାଗାତକ ପାରହେବା ପରେ ଧାଡ଼ିକୁ ପୁଣି ଉତ୍ତରକୁ ବୁଲାଇ ସମସ୍ତେ ହିମାଳୟ ଆଡ଼କୁ ମୁହଁ କରି ଆଗେଇଲୁ । ବରଫଘେରା ପର୍ବତଚୂଡ଼ା ଉପରେ ଖଣ୍ଡ ଖଣ୍ଡ ଧଳା ବାଦଲ ପ୍ରଖର ସୂର୍ଯ୍ୟାଲୋକରେ ଯେମିତି ଝଟକୁଥାଏ, ମନେହେଉଥାଏ ଅପ୍‌ସରାମାନେ ନୃତ୍ୟଗୀତ କରିବା ପାଇଁ ନୁଆଁଣିଆ ଆକାଶପଥରେ ଧଳା ମଖମଲ୍‌ର ଗାଲିଚାମାନ ବିଛାଇ ଦେଇଛନ୍ତି ।

 

* ‘ମୋର ଭାରତ’ ଦ୍ରଷ୍ଟବ୍ୟ–ଅନୁବାଦକ ।

 

ହାତୀ ନେଇ ଶିକାରକୁ ଗଲେ ସ୍ଥାନ ଅନୁସାରେ ଧାଡ଼ିର ଲମ୍ବ ନିୟନ୍ତ୍ରଣ କରିବାକୁ ପଡ଼େ-। ଗହଳ ଘାସବୁଦା ଭିତରେ ଧାଡ଼ିକୁ ମୁଁ ଶହେଗଜକୁ ଛୋଟେଇ ଦେଉଥାଏ । ଖୋଲା ପଡ଼ିଆ ବା ପତଳା ଘାସ ପଡ଼ିଲେ ତାହା ପ୍ରାୟ ଦୁଇଶହ ଗଜକୁ ଲମ୍ବାଇ ଦିଆଯାଏ । ଏହିପରି ଉତ୍ତରକୁ ମାଇଲିଏ ଆଗେଇବା ଭିତରେ ଆହୁରି ତିରିଶଟି ଚଢ଼େଇ ଓ ଚିତାବାଘଟିଏ ମରାଗଲା । ତା’ପରେ ଠିକ୍ ଆମ ସାମନାରୁ ଭୂଇଁଛାପୁଲିଟିଏ ଘାସ ଭିତରୁ ଫଡ଼ଫଡ଼ ହୋଇ ପଦାକୁ ବାହାରିଆସିଲା । ବଜ୍ରକାପ୍ତା ବା ଝିଙ୍କଙ୍କର ପରିତ୍ୟକ୍ତ ଗାତଗୁଡ଼ିକରେ ଭୂଇଁଛାପୁଲି ବସାକରି ରହେ । ପେଚାଜାତୀୟ ଏହି ପକ୍ଷୀର ଡେଣାର ରଙ୍ଗ ଧଳା ଓ ଆକାର ତିତିରର ପ୍ରାୟ ଦୁଇଗୁଣ । ପେଚା ଅପେକ୍ଷା ତା’ ଗୋଡ଼ର ଲମ୍ବ ପ୍ରାୟ ଦୁଇଗୁଣ ହୋଇଥିବାରୁ ପେଚାଠାରୁ ତାକୁ ସହଜରେ ଚିହ୍ନଟ କରିହୁଏ ।

 

ଭୂଇଁଛାପୁଲିକୁ ବସାରୁ ଘଉଡ଼ାଇ ଦିଆଗଲେ ଆତ୍ମରକ୍ଷା ପାଇଁ ସେ ଏକ ନିର୍ଦ୍ଦିଷ୍ଟ କୌଶଳ ଅବଲମ୍ବନ କରେ । ତଳେଇ କରି ପ୍ରାୟ ପଚାଶଗଜ ଉଡ଼ିଗଲା ପରେ ସେ ଭୂଇଁରେ ଓହ୍ଲାଇପଡ଼େ ଓ ଶିକାରୀ ତା’ ବସା ପାର ହୋଇଗଲେ ଉଜାଣି ଉଡ଼ିଆସି ଗାତରେ ପଶିଯାଏ । ଚଢ଼େଇଟି ଘାସରୁ ବାହାରିପଡ଼ିବା ମାତ୍ରେ ଶିକାରୀମାନେ ବନ୍ଧୁକ ଉଠାଇଥିଲେ; କିନ୍ତୁ ପେଚାଜାତୀୟ ପକ୍ଷୀ ବୋଲି ତାକୁ ଚିହ୍ନିବା ପରେ ସମସ୍ତେ ବନ୍ଧୁକ ପୁଣି ନୁଆଁଇଦେଲେ । ଚଢ଼େଇଟି କିନ୍ତୁ ସ୍ୱାଭାବିକ ରୀତିରେ ଭୂଇଁରେ ନ ଓହ୍ଲାଇ ହଠାତ୍ କାହିଁକି ଚକ୍‌କର ମାରି ଉପରକୁ ଉଠିଗଲା । କାରଣ ବୁଝି ନ ପାରି ସମସ୍ତେ ଉପରକୁ ଅନାଇ ଥିବା ଭିତରେ ବାଁ ପାଖ ଜଙ୍ଗଲରୁ ବାଜଟିଏ ତୀରବେଗରେ ତା’ଆଡ଼େ ଛୁଟିଆସିବା ଦେଖାଗଲା । ଶିକାରୀପକ୍ଷୀ ଶିକାରଠାରୁ ଉପରକୁ ଉଠି ଝାମ୍ପ ମାରିବାକୁ ସୁବିଧା ଖୋଜନ୍ତି । ଆକ୍ରମଣର ଶରବ୍ୟ ହୋଇଥିବା ପକ୍ଷୀମାନେ ସେଭଳି କୌଶଳକୁ ପ୍ରତିହତ କରିବା ପାଇଁ ଆକ୍ରମଣକାରୀଠାରୁ ଆହୁରି ଉଚ୍ଚରେ ରହିବାକୁ ପ୍ରାଣପଣ ଚେଷ୍ଟା ଚଳାନ୍ତି । ବସାକୁ ଫେରିବାକୁ ବାଟ ନ ପାଇ ଭୂଇଁଛାପୁଲି ବାଜଠାରୁ ରକ୍ଷାପାଇବାର ପ୍ରବଳ ପ୍ରୟାସରେ ଡେଣା ହଲାଇ ଉପରକୁ ଉଠୁଥାଏ । ବାଜ ଚକ୍‌କର ମାରି ଆହୁରି ଉଚ୍ଚକୁ ଉଠି ତାକୁ ଟପିବାର ଚେଷ୍ଟାରେ ଥାଏ । ପ୍ରାଣକୁ ପଣ ରଖି ଚାଲିଥିବା ଏହି ପ୍ରବଳ ପ୍ରତିଯୋଗିତାକୁ ମାହୁନ୍ତଙ୍କ ସମେତ ଦଳର ସମସ୍ତେ ତନ୍ମୟ ହୋଇ ଅନାଇଛନ୍ତି ଦେଖି ହାତୀ ଅଟକାଇବାକୁ ନିର୍ଦ୍ଦେଶ ଦେଲି ।

 

ତୁଳନା କରିବା ପାଇଁ କୌଣସି ସ୍ଥିର ବସ୍ତୁ ନିକଟରେ ନ ଥିଲେ ଉଚ୍ଚତା କଳନା କରିବା କଷ୍ଟକର ହୋଇପଡ଼େ । ଚଢ଼େଇ ଦୁଇଟି ଘୂରି ଘୂରି ପ୍ରାୟ ହଜାରେ ଫୁଟ ଉଠିଯିବା ପରେ ଭୂଇଁଛାପୁଲିଟି ହଠାତ୍ ବୁଲିପଡ଼ି ଖଣ୍ଡିଏ ଧଳା ବାଦଲଆଡ଼କୁ ମୁହାଁଇଲା । ନିରୀହ ପକ୍ଷୀଟିର ପ୍ରାଣମୂର୍ଚ୍ଛା ପଳାୟନ ଦେଖି ମନେହେଲା ସତେ ଯେମିତି ଅପ୍‌ସରାମାନଙ୍କ ପାଖରେ ସେ ଶରଣ ପଶୁଛି ଓ ସେମାନେ ମୁହୂର୍ତ୍ତକ ପାଇଁ ନୃତ୍ୟଗୀତ ବନ୍ଦ ରଖି ବାଦଲ ଭିତରକୁ ପଳାଇ ଆସିବାକୁ ତାକୁ ହାତଠାରି ଡାକୁଛନ୍ତି । ବାଜଟି ତା’ର କୌଶଳ ବୁଝିପାରି ଆହୁରି ବେଗରେ ଡେଣା ହଲାଇ ତା’ ଉପରକୁ ଉଠିଯିବାକୁ ପ୍ରବଳ ଚେଷ୍ଟା କଲା । ଭୂଇଁଛାପୁଲି ବାଦଲ ଭିତରେ ପଶିଯିବ ନା ବାଜକୁ ପାଖେଇ ଆସିବା ଦେଖି ବାଉଳାରେ ବସାକୁ ବାହୁଡ଼ିବାକୁ ବୃଥା ଚେଷ୍ଟା କରି ଶେଷରେ ଅକାରଣ ପ୍ରାଣ ହରାଇବ–ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ତୁମୂଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଥାଏ । କେତେକ ଦୁର୍ବୀଣଦ୍ୱାରା ପକ୍ଷୀ ଦୁଇଟିଙ୍କ ଗତିବିଧି ଲକ୍ଷ୍ୟ କରୁଥାଆନ୍ତି । ପ୍ରତିଯୋଗିତାର ଚରମ ଫଳାଫଳ ସମ୍ବନ୍ଧରେ ଦର୍ଶକମାନଙ୍କ ଆଶା ଆଶଙ୍କା ହିନ୍ଦୀ ଓ ଇଂରାଜୀରେ ଧାରା ବିବରଣୀ ରୂପେ ପ୍ରକାଶ ପାଉଥାଏ–

 

‘‘ନା ! ଆଉ ପାରିବନି !”

 

‘‘ପାରିବ ! ନିଶ୍ଚୟ ପାରିବ !”

 

“ଆଉ ଟିକିଏ ! ଆଉ ଟିକେକେ ନିଶ୍ଚୟ ପହଞ୍ଚିଯିବ !”

 

“ଦେଖ ଦେଖ–ବାଜଟା କେଡ଼େ ବେଗରେ ଆଗେଇ ଆସୁଛି !”

 

ଠିକ୍ ଏତିକିବେଳେ ଭୂଇଁଛାପୁଲି ବାଦଲ ଭିତରେ ପଶିଗଲା । ଦର୍ଶକମାନେ ଉପରକୁ ଟୋପି ଫିଙ୍ଗି ତାଳି ମାରି ଉଚ୍ଛ୍ୱସିତ କଣ୍ଠରେ “ସାବାସ୍ ! ସାବାସ୍‍’’ ଚିତ୍କାର କରିଉଠିଲେ । ବାଜଟି ଶିକାର ହରାଇ ଅତି ମନୋରମ ଠାଣିରେ ତଳକୁ ଭାସି ଭାସି ଆସି ଗୋଟିଏ ଶିମିଳିଗଛ ଡାଳରେ ବସିପଡ଼ିଲା ।

 

କେଉଁ ପରସ୍ଥିତିରେ ଲୋକେ କିଭଳି ଆଚରଣ ଦେଖାନ୍ତି, ଆଗରୁ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର । ସକାଳଠାରୁ ଏଇ ଲୋକଦଳକ ବିନା ଦ୍ୱିଧାରେ ଚଉବନଟି ପକ୍ଷୀ ଓ ଚାରୋଟି ପଶୁଙ୍କର ପ୍ରାଣହାନି ଘଟାଇଥିଲେ ଏବଂ ଆହୁରି କେତେ ପ୍ରାଣୀଙ୍କୁ ମାରିବାକୁ ଚେଷ୍ଟାକରି ବିଫଳ ମଧ୍ୟ ହୋଇଥିଲେ । ଏବେ ସାମାନ୍ୟ ଭୂଇଁଛାପୁଲିଟି ବାଜ ମୁହଁରୁ ବର୍ତ୍ତିଯିବା ଦେଖି ସେମାନେ ଆନନ୍ଦଧ୍ୱନି କରି ଯେମିତି ଗଗନ-ପବନ କମ୍ପାଉଥାନ୍ତି, ତାହା ଦେଖିଥିଲେ ଟିକିଏ ଆଗରୁ ସେହିମାନେ ହିଁ ଅକାତରରେ ସେଭଳି କେତେ ପ୍ରାଣୀଙ୍କର ପ୍ରାଣହାନି ଘଟାଇଛନ୍ତି ବୋଲି କେହି ବିଶ୍ୱାସ କରି ନ ଥାନ୍ତା ।

 

ପଡ଼ିଆର ଉତ୍ତର ସୀମା ପାଖରୁ ହାତୀ ଫେରାଇ ଝରଣା କୂଳେ କୂଳେ ଦକ୍ଷିଣକୁ ଚାଲିଲୁ । ଏଠାକାର ଗାଁ ତିନୋଟିର ବାସିନ୍ଦାମାନେ ଚାଷବାସ ପାଇଁ ଝରଣାରୁ ପାଣି ନିଅନ୍ତି । ଝରଣାକୂଳ ଗହଳ ଘାସ ଭିତରେ ବାରଶିଙ୍ଘା ଓ କୁଜି ହରିଣ ଛଡ଼ା ବେଳେ ବେଳେ ଚିତାବାଘ ମଧ୍ୟ ମିଳିଯାନ୍ତି । ଘାସଠାରୁ ଖଣ୍ଡେ ଦୂରରୁ ଶିକାରୀମାନେ ରାଇଫଲ୍ ସଜ କରି ତିଆର ହୋଇ ରହିଲେ-। ଝରଣାକୂଳରେ ମାଇଲିଏ ଯିବା ଭିତରେ ପାଞ୍ଚୋଟି ମୟୂର, ଚାରୋଟି ଫ୍ଲୋରିକାନ୍ ଗଞ୍ଜା, ତିନୋଟି ଚାହା ଚଢ଼େଇ ଓ ଖୁବ୍ ଲମ୍ବ ଶିଙ୍ଗ ଥିବା କୁଜି ହରିଣଟିଏ ମଧ୍ୟ ମାଡ଼ ହୋଇଗଲା-

 

ଦର୍ଶକ ଜଣେ ଓଜନଦାର୍ ଓ ପ୍ରବଳ ବେଗବାନ୍‌ ରାଇଫଲ୍‍ଟିଏ ହାତରେ ଧରି ହାଉଦାରେ ମୋ ପଛରେ ବସିଥିଲେ । ଦୁର୍ଯୋଗକୁ ଠିକ୍ ସେତିକିବେଳେ ରାଇଫଲ୍‌ଟି ଅକସ୍ମାତ ମୋ ବାଁ କାନ ପାଖରେ ଫୁଟିଗଲା । ଭାଗ୍ୟଦେବୀଙ୍କ ଅସୀମ କୃପାରୁ ମୋ ପ୍ରାଣଟା ରହିଗଲା ସତ, କିନ୍ତୁ ନିଆଁ ଝାସ କାନରେ ପଶି ଗିରିଟା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ସେତିକିବେଳୁ ସାରାଦିନ ଓ ରାତି ତମାମ୍ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କଟିଲା । ପରଦିନ ବଡ଼ିସକାଳୁ ଅନ୍ୟମାନେ ନିଦରୁ ଉଠିବା ଆଗରୁ ଜରୁରୀ କାମର ଆଳ ଦେଖାଇ ଦୀର୍ଘ ପଚିଶ ମାଇଲ୍‌ ଦୂର କାଲାଦୁଙ୍ଗୀକୁ (୧) ବାହୁଡ଼ା ଯାତ୍ରା ଆରମ୍ଭ କଲି ।

 

କାଲାଦୁଙ୍ଗୀରେ ସେତେବେଳେ ଜଣେ ଯୁବକ ଡାକ୍ତର ଥାଆନ୍ତି; ନୂଆ ପାସ୍‌ କରିଥିଲେ ବି କାମରେ ତାଙ୍କର ଭାରି ଆଗ୍ରହ । ଗିରି ନଷ୍ଟ ହୋଇଯାଇଥବ ବୋଲି ମୁଁ ଯାହା ଆଶଙ୍କା କରୁଥିଲି, କାନ ପରୀକ୍ଷା କଲାପରେ ଡାକ୍ତରବାରୁ ମଧ୍ୟ ସେହି ମତ ଦେଲେ । ମାସକ ପରେ କାଲାଦୁଙ୍ଗୀ ଛାଡ଼ି ଆମେ ନୈନିତାଲ୍ ଗଲୁ (୧) । ନୈନିତାଲ୍‌ର ସିଭିଲ୍ ସର୍ଜନ୍ ବାର୍‌ବର୍ ‘ରାମ୍ ସେ ହସ୍‌ପିଟାଲ୍’ରେ ମୋତେ ପରୀକ୍ଷା କରି କହିଲେ ଯେ ଗିରି ନଷ୍ଟ ହୋଇଯିବା ଛଡ଼ା କାନଭିତରେ ଠିକ୍ ଖପୁରି ହାଡ଼ ତଳେ ଜାଗାଏ ପାଚିଯାଇ ପୂଜ ଜମିବାକୁ ଲାଗିଛି । ମୋ ଅବସ୍ଥା ଦେଖି ମୋର ଭଉଣୀ ଦୁହେଁ ଅତି ବେଶି ଭାଙ୍ଗି ପଡ଼ିଥାଆନ୍ତି । ହସ୍‌ପିଟାଲରେ ରହିଲେ ମଧ୍ୟ ବିଶେଷ କିଛି ଲାଭ ହେବ ନାହିଁ ବୋଲି ଜାଣିବା ପରେ ସମସ୍ତଙ୍କୁ ହଇରାଣ କରିବା ଅପେକ୍ଷା ନିଜେ ଅନ୍ୟ କେଉଁଠାକୁ ଚାଲିଯିବାକୁ ସ୍ଥିର କଲି । ଭଉଣୀ ଦୁହେଁ ବିକଳ ହୋଇ ମୋତେ ସେଥିରୁ ନିବର୍ତ୍ତାଇବାକୁ ଚେଷ୍ଟାକଲେ । କର୍ଣ୍ଣେଲ ବାର୍‌ବର୍‌ ମଧ୍ୟ ସେପରି କରିବାକୁ ଦୃଢ଼ଭାବେ ବାରଣ କଲେ । ସେମାନଙ୍କ ଚେଷ୍ଟା ଓ ପରାମର୍ଶକୁ ପଛରେ ପକାଇ ମୁଁ ନୈନିତାଲ୍‌ ଛାଡ଼ି ବାହାରିଗଲି ।

 

ସହୃଦୟ ପାଠକମାନଙ୍କଠାରୁ ସହାନୁଭୂତି ପାଇବା ଆଶାରେ ଦୁର୍ଘଟଣାଟିର ବିଶଦ ବିବରଣୀ ଦେଇନାହିଁ । ତଲ୍ଲାଦେଶ୍ ନରଖାଦକ ବିରୁଦ୍ଧରେ ମୋର ଅଭିଯାନ ସହିତ ଏହି ଦୁର୍ଘଟଣା ଏତେ ନିବିଡ଼ ଭାବେ ଜଡ଼ିତ ଯେ, ତାହାକୁ ଉଲ୍ଲେଖ ନ କରି ପରବର୍ତ୍ତୀ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ସମ୍ଭବପର ହୋଇ ନ ଥାନ୍ତା ।

 

(ଦୁଇ)

 

ସେତେବେଳେ ବିଲ୍ ବେନ୍‌ସ ଓ ହାମ୍‌ ଭିଭିୟାନ୍‌ (୨) ଯଥାକ୍ରମେ ଆଲମୋଡ଼ା ଓ ନୈନିତାଲ୍ ଜିଲାର ଡେପୁଟି କମିଶନର୍‌ ଥାଆନ୍ତି । ଆଲମୋଡ଼ାରେ ତଲ୍ଲାଦେଶ୍ ନରଖାଦକ ଓ ନୈନିତାଲରେ ଚୌଗଡ଼ ନରଖାଦକ (୩) ମାତି ଯେପରି ଅବାରିତ ଅତ୍ୟାଚାର ଚଳାଇଥାଆନ୍ତି, ଡେପୁଟି କମିଶନର୍‌, ଦୁହିଁଙ୍କ ପାଇଁ ତାହା ଘୋର ଉଦ୍ବେଗର କାରଣ ହୋଇଥାଏ । ଚୌଗଡ଼୍‌ ନରଖାଦକକୁ ମାରିବା ପାଇଁ ପ୍ରଥମେ ଚେଷ୍ଟା କରିବି ବୋଲି ଭିଭିୟାନ୍‌ଙ୍କୁ କଥା ଦେଇଥିଲି । କିନ୍ତୁ ଶୀତଦିନେ ତା’ର ଉପଦ୍ରବ ଟିକିଏ କମିଲା ପରି ଜଣାପଡ଼ିବାରୁ ପ୍ରଥମେ ତଲ୍ଲାଦେଶ୍ ନରଖାଦକ ବିରୁଦ୍ଧରେ ଅଭିଯାନ ଚଳାଇବାକୁ ଭିଭିୟାନ୍‍ଙ୍କଠାରୁ ଅନୁମତି ଆଣିଲି । ଅନ୍ୟମାନଙ୍କୁ ଗୋଳଘାଣ୍ଟ କରି ଅଯଥା ହଇରାଣ କରିବା ଅପେକ୍ଷା ଦୁଃସମୟତକ ବଣଜଙ୍ଗଲରେ ବିତାଇଦେବି ଓ କାମଟିଏ କରାଇବା ସହିତ ନିଜକୁ ଖାପ ଖୁଆଇ ଶିକାର କରିବାକୁ ଅଭ୍ୟାସ କରିବି–ଏହି ଦୁଇଟି ଉଦ୍ଦେଶ୍ୟ ନେଇ ତଲ୍ଲାଦେଶ୍ ଚାଲିଲି ।

 

(୧) ଲେଖକ ଶୀତଦିନେ ହିମାଳୟର ତଳପାର୍ବତୀୟ ଅଞ୍ଚଳରେ ଅବସ୍ଥିତ ‘କାଲାଦୁଙ୍ଗୀ’ ଗ୍ରାମସମୂହ ଅନ୍ତର୍ଗତ ‘ଛୋଟ ହଲ୍‍ଦ୍ୱାନୀ’ ଗ୍ରାମରେ ରହୁଥିଲେ ଓ ଖରାଦିନ ନୈନିତାଲ୍ ସହରରେ କଟାଉଥିଲେ । ‘ମୋର ଭାରତ’ ବହିଟି ଦ୍ରଷ୍ଟବ୍ୟ ।

 

(୨, ୩) ‘କୁମାୟୂଁର ନରଖାଦକ’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦକ

 

ତଲ୍ଲାଦେଶ୍ ଅଭିଯାନରେ ଯାହା ଯାହା ଘଟିଗଲା, ଏହା ପୂର୍ବରୁ ତାହା ପ୍ରକାଶ କରିବାକୁ ମୋର ସାହସ ନ ଥିଲା । ସେସବୁ ଘଟଣା ଏତେ ଆଶ୍ଚର୍ଯ୍ୟଜନକ ଯେ, କୁମାୟୂଁରେ ସେତେବେଳେ ଅବସ୍ଥାନ କରୁଥିବା ପ୍ରତ୍ୟକ୍ଷଦର୍ଶୀ କେତେଜଣଙ୍କ ଛଡ଼ା ଅନ୍ୟମାନଙ୍କ ପକ୍ଷରେ ତାହା ବିଶ୍ୱାସ କରିବା କଷ୍ଟକର ହୋଇଥାଆନ୍ତା । ମୋର ପ୍ରତ୍ୟେକଟି ଲେଖା ପାଠକମାନେ ଶ୍ରଦ୍ଧା ଓ ଆଦରର ସହିତ ଗ୍ରହଣ କରିଛନ୍ତି; ମୋର ଉକ୍ତିର ସତ୍ୟତା ସମ୍ବନ୍ଧରେ କେହି କେବେ ସନ୍ଦେହ ପ୍ରକାଶ କରିନାହାନ୍ତି । ତେଣୁ ‘ଜଙ୍ଗଲ ତଥ୍ୟ’ (୧) ବହିଟି ପ୍ରକାଶ ପାଇବା ପୂର୍ବରୁ ଅତି ଅଲୌକିକ ଏହି ଘଟଣାମାନ ବୟାନ କରି ସେମାନଙ୍କର ସନ୍ଦେହର ପାତ୍ର ହେବାକୁ ଭରସି ପାରିଲି ନାହିଁ ।

 

‘ଜଙ୍ଗଲର ତଥ୍ୟ’ ଏବେ ପ୍ରକାଶ ପାଇଛି । ବଣଜଙ୍ଗଲରେ ଚଳପ୍ରଚଳ ହେବାରେ ଓ ବନ୍ଧୁକ ଚଳାଇବାରେ ମୁଁ ପିଲାଦିନରୁ ଯେତେ ତାଲିମ୍ ପାଇଛି ଓ ଅଭ୍ୟାସ କରିଛି, ‘ଜଙ୍ଗଲ ତଥ୍ୟ’ ପଢ଼ି ତାହା ହୃଦୟଙ୍ଗମ କରିବା ପରେ ପାଠକମାନେ ହୁଏତ ତଲ୍ଲାଦେଶ୍ ଅଭିଯାନର ଏହି ଅତି ବିସ୍ମୟକର ଘଟଣାଗୁଡ଼ିକ ଗ୍ରହଣ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ।

 

ଯଥାସମ୍ଭବ ଶୀଘ୍ର ପ୍ରସ୍ତୁତି ସାରି ଅପ୍ରେଲ ଚାରି ତାରିଖ ଦିନ ନୈନିତାଲ୍‍ରୁ ବାହାରିଲି । ମୋର ପୁରୁଣା ବନ୍ଧୁ ମାଧୋ ସିଂ (୨) ଓ ରାମ୍ ସିଂଙ୍କ ସମେତ ଛଅଜଣ ଗଡ଼ଓ୍ୱାଲି ଭାରୁଆଙ୍କ ଛଡ଼ା ସେଥର ଇଲାହି ଓ ଗଙ୍ଗାରାମଙ୍କୁ ମଧ୍ୟ ସଙ୍ଗରେ ନେଲି । ଇଲାହି ମୋର ଖାନସାମା । ଗଙ୍ଗାରାମ ବ୍ରାହ୍ମଣ; ବହୁଦିନରୁ ମୋ ପାଖରେ ରହି ବୋଲହାକ ଶୁଣେ ଓ ଛୋଟ ଛୋଟ କାମଗୁଡ଼ିକ ତୁଲାଏ । ମୋ ସହିତ ଯିବାକୁ ଆଗ୍ରହ ପ୍ରକାଶ କରିବାରୁ ତାକୁ ମଧ୍ୟ ସଙ୍ଗରେ ନେବାକୁ ପଡ଼ିଲା । ଦିନକ ଭିତରେ ଚଉଦ ମାଇଲ୍ ବାଟ ଚାଲି କାଠଗୋଦାମରୁ ରାତିଗାଡ଼ି ଧରିଲୁ । ବରେଲି ଓ ପିଲିବିତ୍‌ ପାର ହୋଇ ପରଦିନ ବାରଟାବେଳେ ଟନକ୍‌ପୁରରେ ଓହ୍ଲାଇବାମାତ୍ରେ ସେଠାକାର ପେସ୍କାର ଷ୍ଟେସନରେ ମୋତେ ଦେଖାକରି ଖବର ଦେଲେ ଯେ ତଲ୍ଲାଦେଶ୍ ନରଖାଦକ ଠିକ୍ ତା’ ପୂର୍ବଦିନ ଗୋଟିଏ ପିଲାକୁ ମାରିଦେଇଛି ଓ ବେନ୍‌ସଙ୍କ ନିର୍ଦ୍ଦେଶରେ ଶିକାରରେ ମୋ ବ୍ୟବହାର ସକାଶେ ମଇଁଷି ଦାମୁଡ଼ି ହଳେ ଚମ୍ପାବତ୍ ବାଟେ ତଲ୍ଲାଦେଶ୍‌ ପଠାଇ ଦିଆଯାଇଛି । ଲୋକମାନେ ରୋଷାଇବାସ ଓ ଖିଆପିଆ ସାରିବା ଭିତରେ ମୁଁ ଡାକବଙ୍ଗଳାରେ ବସି ଜଳଖିଆ କାମଟି ତୁଟାଇଦେଲି । ତା’ପରେ ଆହୁରି ଚବିଶ ମାଇଲ୍ ବାଟ ଚାଲି ସଞ୍ଜ ସୁଦ୍ଧା କାଲ୍‌ଦୁଙ୍ଗାରେ ପହଞ୍ଚିବା ପାଇଁ ସମସ୍ତେ ଅଣ୍ଟାଭିଡ଼ି ବାହାରିପଡ଼ିଲୁ ।

 

(୧) ବହିଟିର ଅନୁବାଦ ପ୍ରକାଶ ପାଇଛି ।

 

(୨) ‘କୁମାୟୂଁର ନରଖାଦକ’ ଓ ‘ରୁଦ୍ରପ୍ରୟାଗ ନରଖାଦକ’ ବହି ଦୁଇଟିରେ ମାଧୋ ସିଂ ବିଷୟ ଉଲ୍ଲେଖ କରାଯାଇଛି । –ଅନୁବାସଦକ

 

କାଲଦୁଙ୍ଗା ସଡ଼କର ପ୍ରଥମ ବାରମାଇଲ୍ ବ୍ରହ୍ମଦେବ ମନ୍ଦିର ପାଖ ଜଙ୍ଗଲରେ ପଶି ପୂର୍ଣ୍ଣଗିରି ପର୍ବତ ତଳେ ଶେଷ ହୋଇଛି । ସେଠାରୁ କାଲ୍‌ଦୁଙ୍ଗାକୁ ଦୁଇଟି ରାସ୍ତା । ଗୋଟିଏ ରାସ୍ତା ପାହାଡ଼ ବାଁ ପାଖେ ପୂର୍ଣ୍ଣଗିରି ମନ୍ଦିର ଯାଏ ତୀଖ ଭାବେ ଉଠି ଆରପାଖରୁ କାଲ୍‌ଦୁଙ୍ଗାକୁ ଗଡ଼ିଛି । କଲିୟର୍‍ ଟ୍ରାମ୍ ଚଳାଚଳର ବ୍ୟବସ୍ଥା କରି ଏଠାକାର ଜଙ୍ଗଲରୁ ଦଶଲକ୍ଷ ଘନଫୁଟ ଶାଳକାଠ କିପରି ଆଦାୟ କରିଥିଲେ, ସେସବୁ କଥା ପୂର୍ବରୁ କହିସାରିଛି* । କଲିୟର୍‍ଙ୍କ ଟ୍ରାମ୍‌ପଥକୁ ଅନୁସରଣ କରି ଆର ରାସ୍ତାଟି ଶାରଦା ଘାଟି ବାଟେ କାଲ୍‌ଦୁଙ୍ଗାକୁ ଲମ୍ବି ଯାଇଛି । ଘାଟି ଉପରୁ ଟ୍ରାମ୍‍ଧାରଣାଗୁଡ଼ିକ କେଉଁଦିନୁ ନିଶ୍ଚିହ୍ନ ହୋଇଗଲାଣି । ଦୁଇପାଖରେ ପାଚେରିପରି କଟାଯାଇଥିବା ତୀଖ ପାହାଡ଼ ଜାଗା-ଜାଗାଏ ଭୁଷୁଡ଼ି ପଡ଼ିଥିଲେ ମଧ୍ୟ ଟ୍ରାମ୍‍ପଥଟି ଏପର୍ଯ୍ୟନ୍ତ ଗତାଗତଯୋଗ୍ୟ ହୋଇ ରହିଛି ।

 

ପୂର୍ଣ୍ଣଗିରି ପର୍ବତତଳୁ ପୁରୁଣା ଟ୍ରାମ୍‌ପଥରେ ସମସ୍ତେ ଧାଡ଼ି ବାନ୍ଧି ଘାଟି ଉପରକୁ ଚଢ଼ିଲୁ-। ତୀଖ ଉଠାଣିରେ ଭାରି ବୋଝ ବୋହି ବିଚରା ଭାରୁଆମାନେ ବେହାଲ୍ ହୋଇଗଲେ । ଘାଟି ଅଧା ପାର ନ ହେଉଣୁ ଅନ୍ଧାର ଘୋଟିଆସିଲା । ଡେରା ପକାଇବା ପାଇଁ ଆଖପାଖରେ ସୁବିଧା ଜାଗା ମିଳିଲା ନାହିଁ । ପାହାଡ଼ ତଳେ ଢେର ଜାଗା ଥିଲେ ମଧ୍ୟ ସେଠାକୁ ପଥର ଗଡ଼ିବା ଆଶଙ୍କା-। ବହୁତ ଖୋଜାଖୋଜି କଲା ପରେ ପାହାଡ଼ କଡ଼ରୁ ବାହାରିଆସିଥିବା ଥାକେ ପଥର ତଳେ ତମ୍ବୁ ପକାଇଲୁ । କୋଡ଼ିଏ କେଜି ଓଜନ ତମ୍ବୁଟି ଛଡ଼ା ଖଟିଆ ଖଣ୍ଡେ ଓ ଧୁଆଧୋଇ ହେବାପାଇଁ ଗାମଲାଟିଏ ମୁଁ ସଙ୍ଗରେ ଆଣିଥିଲି । ଖିଆପିଆ ସାରି ଲୁଗା ବଦଳାଇ ଖଟିଆରେ ଗଡ଼ିପଡ଼ିଲି-। ଶାରଦା ନଦୀ ସେଠାରେ ଅତି ଅଳ୍ପ ଓସାର; ନଈ ଆରକୂଳର ପର୍ବତ ଧାଡ଼ିକ ତମ୍ବୁ ମୁହଁ ବାଟେ ସ୍ପଷ୍ଟ ଦେଖାଯାଉଥାଏ । ପାଣିସୁଅରେ ଭାସିଆସିଥିବା ଭରାଏ କାଠିକୁଟା ଅଳ୍ପଦୂରରେ ନଈ ବାଙ୍କରେ ଲାଖିରହିଥିଲା । ମୋ ଲୋକେ ଜାଳସେତକ ସାଉଁଟି ଆଣି ରୋଷାଇବାସ ଆରମ୍ଭ କଲେ-

 

* ଏ ବହିର ‘ଚୂକା ନରଖାଦକ’ ପରିଚ୍ଛେଦରେ ବିଷୟଟି ଉଲ୍ଲିଖିତ । –ଅନୁବାଦକ

 

ଟନକ୍‍ପୁରରେ ଗାଡ଼ିରୁ ଓହ୍ଲାଇଲା ବେଳେ ଖରା ଠିକ୍‌ ମୁଣ୍ଡ ଉପରେ ଥିଲା । ପ୍ରଚଣ୍ଡ ଗରମରେ .ଦୀର୍ଘ ଷୋହଳ ମାଇଲ୍‍ ପାହାଡ଼ ଚଢ଼ି ସମସ୍ତେ ଖୁବ୍ ଥକିପଡ଼ିଥଲୁ । ଖଟିଆରେ ମୁଁ ଗଡ଼ପଡ଼ ହୋଇ ସିଗାରେଟ୍ ଖଣ୍ଡିଏ ଟାଣୁଛି, ହଠାତ୍ ଶାରଦା ଆରକୂଳ ପାହାଡ଼ କଡ଼ରେ ଧାଡ଼ି ହୋଇ ତିନି ଜାଗାରେ ଏକ ସଙ୍ଗରେ ମଶାଲ ଜଳିଉଠିଲା ପରି ଦେଖାଗଲା । ପ୍ରତିବର୍ଷ ଅପ୍ରେଲ ମାସଠାରୁ ନେପାଳରେ ଜଙ୍ଗଲ ପୋଡ଼ା ଆରମ୍ଭ ହୋଇଯାଏ । ଆଲୁଅଗୁଡ଼ିକ ଦେଖି ପ୍ରଥମେ ଭାବିନେଲି ଯେ ବଣପୋଡ଼ିରୁ ଝୁଲ ଉଡ଼ି ଶୁଖିଲା କାଠପତ୍ରକୁ ନିଆଁ ଧରିନେଇଛି । ମୁଁ ଅନାଇଥିବା ଭିତରେ ସେଥିରୁ ଟିକିଏ ଉପରକୁ ଓ ପଛକୁ ଆହୁରି ଦୁଇ ଜାଗାରେ ସେହିପରି ଆଲୁଅ ଜଳିଉଠିଲା-। ତା’ପରେ ପଛ ଧାଡ଼ିର ବାଁ ପାଖ ଆଲୁଅଟି ଧୀରେ ଧୀରେ ଆଗେଇ ଆସି ସାମନା ଧାଡ଼ିର ମଝିଆଲୁଅ ସହିତ ମିଶିଗଲା । ନିବିଷ୍ଟ ଦୃଷ୍ଟିରେ କିଛି ସମୟ ସେଆଡ଼େ ଅନାଇ ଦେଖିବା ପରେ ହଠାତ୍ ବୁଝିଗଲି ଯେ ସେ ଆଲୁଅଗୁଡ଼ିକ ମଶାଲ କିମ୍ବା ଅନ୍ୟ କିଛି ହୋଇପାରେ; କିନ୍ତୁ ବଣପୋଡ଼ିର ନିଆଁ କଦାପି ନୁହେଁ । ପ୍ରତି ଆଲୁଅର ଆକାର ସମାନ ଓ ବ୍ୟାସାର୍ଦ୍ଧ ପ୍ରାୟ ଦୁଇଫୁଟ-। ନିଆଁପରି ଲହ ଲହ ନ ହୋଇ ସେଗୁଡ଼ିକ ଅତି ସ୍ଥିରଭାବେ ଜଳୁଥାଏ ଓ କେଉଁଥିରୁ ଟିକିଏ ବି ଧୂଆଁ ବାହାରୁ ନ ଥାଏ । ଏହାର ଅଳ୍ପ ସମୟ ଭିତରେ ପାହାଡ଼ ବାଁ ପାଖେ ଆହୁରି ଉପରକୁ ସେହିପରି ଆଉ କେତୋଟି ଆଲୁଅ ଦେଖାଗଲା । ଭାବିଲି–ଶିକାରକୁ ଆସିଥିବା ଏଠାକାର କୌଣସି ବିଶିଷ୍ଟ ବ୍ୟକ୍ତି ଜିନିଷ କିଛି ହଜାଇ ଦେଇଛନ୍ତି ଓ ତାକୁ ଖୋଜିବା ପାଇଁ ଆଲୁଅ ମଶାଲ ଦେଇ ଲୋକ ପଠାଇଛନ୍ତି । ଆଲୁଅଗୁଡ଼ିକର ଦୂରତା ମୋ’ଠାରୁ ଦେଢ଼ଶହ ଗଜରୁ କମ୍; ଲୋକଦଳେ ଆଲୁଅ ମଶାଲ ଧରି ରାତିଅଧରେ ଖୋଜତଲାସ କରୁଥିଲେ, ସେତିକି ଦୂରରୁ ସେମାନଙ୍କ ପାଟିତୁଣ୍ଡ ମୋତେ ନିଶ୍ଚୟ ଶୁଭିଥାଆନ୍ତା । ରାତି କିନ୍ତୁ ସମ୍ପୂର୍ଣ୍ଣ ନୀରବ; କେଉଁଠାରୁ ଟିକିଏ ବି ଶବ୍ଦ ଶୁଭୁ ନ ଥାଏ । ଘଟଣାଟିକୁ ସବୁଆଡ଼ୁ ବିଚାର କରି ଏସବୁ ପାଇଁ କୌଣସି ସନ୍ତୋଷଜନକ କାରଣ ଖୋଜି ପାଇଲି ନାହିଁ ।

 

ଆଲୁଅଗୁଡ଼ିକର ଆବିର୍ଭାବ ଓ ସ୍ଥାନ ପରିବର୍ତ୍ତନ ମୋ ଲୋକମାନେ ଗଭୀର ଧାନର ସହ ଲକ୍ଷ୍ୟ କରୁଥିଲେ । ସେମାନଙ୍କୁ ମଧ୍ୟ ପଚାରି ବୁଝିଲି ଯେ ପାଟିତୁଣ୍ଡ ଶୁଭିବା ଦୂରେ ଥାଉ, ସେ ଭିତରେ କେହି ମଣିଷର କଣ୍ଠସ୍ୱରର ସାମାନ୍ୟ ଆଭାସ ମଧ୍ୟ ପାଇନାହାନ୍ତି । ଦିନସାରା ବାଟ ଚାଲି ଚାଲି ସମସ୍ତେ ହାଲିଆ ହୋଇପଡ଼ିଥିଲୁ । କିଛି ସମୟ ଆଲୋଚନା ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି ସମସ୍ତେ ନିଜ ନିଜ ଜାଗାରେ ଶୋଇପଡ଼ିଲୁ । ପାହାଡ଼ ଉପରୁ ଘୁରଡ଼ଟିଏ ଥରେ ଆତଙ୍କଧ୍ୱନି କରିବା ଓ ତା’ର ଟିକିଏ ପରେ ସେଠାରୁ ଅଳ୍ପଦୂରରୁ ଚିତାବାଘଟିଏ ହେଣ୍ଟାଳିବା ଛଡ଼ା ରାତି ଭିତରେ ଆଉ ଉଲ୍ଲେଖଯୋଗ୍ୟ କିଛି ଘଟିଲାନାହିଁ ।

 

ପରଦିନ ବଡ଼ିସକାଳୁ ବାହାରିବାକୁ ହେବ ଓ ଦିନସାରା ଦୁର୍ଗମ ପାହାଡ଼ରେ ଦୀର୍ଘ ଦୂର ଚଢ଼ିବାକୁ ପଡ଼ିବ ବୋଲି ଲୋକମାନଙ୍କୁ ସନ୍ଧ୍ୟାବେଳୁ ଚେତାଇ ଦେଇଥିଲି । ସିନ୍ଦୂରା ଫାଟିବାବେଳକୁ ମୋ’ପାଇଁ ଚାହା କପେ ତିଆରି ହୋଇ ଆସିଗଲ । । ହାଣ୍ଡି କୁଣ୍ଢେଇ ବାସନକୁସନ କେଇ ଖଣ୍ଡ ବନ୍ଧାବନ୍ଧି କରି ବାହାରିବାକୁ ବେଶି ସମୟ ଲାଗିଲା ନାହିଁ । ଡେରାଠାରୁ ଅଳ୍ପଦୂରରେ ଗହୀର ଝୋଲାଟିଏ; କଲିୟର୍‌ ଏହି ଝୋଲା ଉପରେ ଲୁହାର ପୋଲ ପକାଇଥିଲେ । ପୋଲଟି ଆଉ ନାହିଁ; ଏବେ ଝୋଲାରେ ପଶି ପାର ହେବାକୁ ପଡ଼ୁଛି । ଲୋକମାନେ ଗୋଟିଏ ଛେଳିଦାଣ୍ଡିରେ ଝୋଲାକୁ ଗଡ଼ିବା ଭିତରେ ଶାରଦା ଆରକୂଳ ପାହାଡ଼ଟିକୁ ମୁଁ ଆଉ ଥରେ ପରୀକ୍ଷା କରିନେଲି । ସୂର୍ଯ୍ୟାସ୍ତ ହେବାକୁ ଅଳ୍ପ ସମୟ ଥାଏ, ଫର୍ଚ୍ଚା ଆଲୁଅରେ ଚାରିଆଡ଼ ସ୍ପଷ୍ଟ ଦେଖାଯାଉଥାଏ । ପ୍ରଥମେ ଖାଲି ଆଖିରେ ଓ ତା’ପରେ ଦୁର୍ବୀଣଦ୍ଵାରା ଚୂଡ଼ାରୁ ନଈକୂଳ ପର୍ଯ୍ୟନ୍ତ ପାହାଡ଼ର ପ୍ରତ୍ୟେକ ଅଂଶକୁ ଭଲଭାବେ ପରୀକ୍ଷା କଲି; କିନ୍ତୁ ପୂର୍ବ ରାତିରେ ନିଆଁ ଜଳିବା ବା ମଣିଷ ଆତଯାତ ହୋଇଥିବାର କେଉଁଠି କିଛି ଲକ୍ଷଣ ଦେଖିଲି ନାହିଁ । ଅନ୍ତତଃପକ୍ଷେ ବର୍ଷକ ଭିତରେ ଏଠାରେ ବଣପୋଡ଼ି ହୋଇନାହିଁ ବୋଲି ନିର୍ଭର ବିଶ୍ୱାସ ହେବା ପରେ ଝୁଲ ପଡ଼ି ଶୁଖିଲା କାଠପତ୍ର ଜଳିଉଠିଥିବା କଥାଟିକୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିଲା । ପାହାଡ଼କଡ଼ ସେଠାରେ ଯେମିତି ତୀଖ ଓ ସଳଖ ହୋଇଥାଏ, ଦଉଡ଼ି ବାନ୍ଧି ଉପରୁ ଝୁଲିବା ଛଡ଼ା ମଣିଷ ସେଠାକୁ ଯିବା ଆଦୌ ସମ୍ଭବ ନୁହେଁ । ତେଣୁ ଆଲୁଅ ମଶାଲ ଧରି ଲୋକ ଦଳେ ରାତିରେ ସେଠାରେ ଚାଲବୁଲ କରିବାର ପ୍ରଶ୍ନ ମଧ୍ୟ ଉଠୁନଥିଲା ।

 

ପାର୍ବତ୍ୟଲୋକଙ୍କ ପାଖରେ ପ୍ରତିଶ୍ରୁତି ପୂର୍ଣ୍ଣକରି ନଅଦିନ ପରେ ସେହିବାଟେ ଫେରିଲି ଓ କାଲ୍‌ଦୁଙ୍ଗାରେ ଆହୁରି ରାତିଏ ଡେରା ପକାଇ ରହିଲି । ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଅନୁରାଗ ବା ମତ୍ସ୍ୟ ଶିକାରରେ ସଉକ ଥିବା ଲୋକଙ୍କ ପାଇଁ କାଲ୍‌ଦୁଙ୍ଗାଠାରୁ ଅଧିକ ଉପଭୋଗ୍ୟ ସ୍ଥାନ କୁମାୟୂଁର କେଉଁଠାରେ ନାହିଁ । ପାହାଡ଼ ଚୂଡ଼ା ପାଖରେ ବଙ୍ଗଳାଟିକୁ କଲିୟର୍‍ ତିଆରି କରିଥିଲେ । ପାହାଡ଼କଡ଼କୁ ପାହାଚ ପରି କାଟି ଆବାଦ କରାଯାଇଥିବା ଥାକ ଥାକ ବଗଡ଼ ବିଲ ବଙ୍ଗଳା ତଳଠାରୁ ଶାରଦାନଦୀ କୂଳପର୍ଯ୍ୟନ୍ତ ଲମ୍ବି ଯାଇଛି । ବିଲଗୁଡ଼ିକ ଦିନେ ଫସଲରେ ହସି ଉଠୁଥିଲା । ଗତ କେତେ ବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ସେଥିରେ ଏବେ ଘାସବଣ ମାଡ଼ିଗଲାଣି । ଛନଛନିଆଁ କଅଁଳ ଘାସ ଭିତରେ ସକାଳ ସଞ୍ଜେ ହରିଣ ଓ ସମ୍ବର ଚରୁଥିବା ବଙ୍ଗଳାରୁ ବରାବର ଦେଖାଯାଏ । ବଙ୍ଗଳା ପଛ ଘଞ୍ଚ ଜଙ୍ଗଲରେ ମହାବଳ ଓ ଚିତାବାଘଠାରୁ ଆରମ୍ଭ କରି ମୟୂର, ବଣ କୁକୁଡ଼ା ଆଦି ନାନା ଜାତିର ପଶୁପକ୍ଷୀ ବହୁସଂଖ୍ୟାରେ ବାସ କରନ୍ତି । ବଙ୍ଗଳା ତଳ ଜଙ୍ଗଲରେ ଯେତେ ପାହାଡ଼ିଆ କୁକୁଡ଼ା ଓ ଶାରଦାର ସୁଅମୁହଁରେ ଯେତେ ମାଛ ମିଳନ୍ତି, ତାହା ଅନ୍ୟତ୍ର ଦେଖିବାକୁ ବିରଳ ।

 

ପରଦିନ ପାହାନ୍ତାରେ ଡେରା ଉଠାଇ ଶାରଦା ଘାଟିରେ ଚଢ଼ିବା ପୂର୍ବରୁ ମନସ୍କାମନା ପୂର୍ଣ୍ଣ ହୋଇଥିବା ଯୋଗୁଁ ଭଗବତୀଙ୍କ ପାଖରେ କିଛି ଭୋଗରାଗ କରି ଆସିବା ପାଇଁ ଗଙ୍ଗାରାମକୁ ପୂର୍ଣ୍ଣଗିରି ପଠାଇଲି । ପାହାଡ଼ କଡ଼ରେ ଦେଖାଯାଇଥିବା ଆଲୁଅ ବିଷୟ ମନ୍ଦିରରେ ପଚାରି ବୁଝିବାକୁ ମଧ୍ୟ ତାକୁ ନିର୍ଦ୍ଦେଶ ଦେଇଥିଲି । ପାହାଡ଼ିଆ ଢାଲୁ ରାସ୍ତାରେ ପୂର୍ଣ୍ଣଗିରିକୁ ସେଠାରୁ ଦଶ ମାଇଲ୍ ବାଟ । ମନ୍ଦିରରେ ପୂଜାପତ୍ର ସାରି ଗଙ୍ଗାରାମ୍ ଭୋଗ ନେଇ ସନ୍ଧ୍ୟାବେଳେ ଟନକ୍‌ପୁରରେ ଆମ ସହିତ ଯୋଗଦେଲା । ମନ୍ଦିରର ପୂଜକ ଓ ସେବାୟତ ଏବଂ ସେଠାକାର ସାଧାରଣ ଲୋକଙ୍କୁ ପଚାରି ସେ ଯାହା ଯାହା ବୁଝିଥିଲା, ତାହା ତଳେ ପ୍ରକାଶ କରୁଛି ।

 

ପୂର୍ଣ୍ଣଗିରିର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ଯାତ୍ରୀ ସେଠାକୁ ଆସନ୍ତି । ମନ୍ଦିରକୁ ଯିବାକୁ ଦୁଇଟି ବାଟ ଭିତରୁ ବ୍ରହ୍ମଦେବରୁ ଆସିଥିବା ରାସ୍ତାଟି ପର୍ବତ ଉତ୍ତର ପାଖେ ଗୋଟିଏ ତିନିଛକିଠାରେ କାଲ୍‍ଦୁଙ୍ଗା ସଡ଼କ ସହିତ ମିଶିଛି । ଛକ ପାଖରେ ଛୋଟ ମନ୍ଦିରଟିଏ; ଧର୍ମପୀଠ ଭାବେ ସେ ମନ୍ଦିରଟି ସେତେ ମହତ୍ତ୍ଵପୂର୍ଣ୍ଣ ନୁହେଁ । ପୁର୍ଣ୍ଣଗିରି ପାହାଡ଼ ତଳେ ରାସ୍ତା କଡ଼ରେ ଥିବା ଆଉ ଗୋଟିଏ ଛୋଟ ମନ୍ଦିରକୁ କିନ୍ତୁ ଅତି ପବିତ୍ର ବୋଲି ଧରାଯାଏ । ପାହାଡ଼ତଳ ଏହି ମନ୍ଦିର ନିକଟରୁ ଭଗବତୀ ମନ୍ଦିର ପାଖକୁ ବାଟଟି ଅତି ଦୁର୍ଗମ । ପାଚେରି ପରି ତୀଖ ପାହାଡ଼ କଡ଼ରେ ଥିବା ଗୋଟିଏ ସରୁ ପଥର ଫାଟରେ ଗୋଡ଼ ଜମାଇ ଅତି କଷ୍ଟରେ ସେଠାକୁ ଚଢ଼ିବାକୁ ପଡ଼େ । ସେପରି ଦୁଃସାହସ କରିବା ଛୋଟପିଲା କିମ୍ବା ଭୟାତୁର ବା ବୟସ୍କ ଲୋକଙ୍କ ପକ୍ଷରେ ଅସମ୍ଭବ । ଏସବୁ ଯାତ୍ରୀଙ୍କୁ ମନ୍ଦିର ପାଖକୁ ବୋହିନେବା ପାଇଁ ବୋଝିଆମାନେ ପିଠିରେ ଟୋକେଇ ବାନ୍ଧି ପାହାଡ଼ତଳେ ଅପେକ୍ଷା କରିଥାଆନ୍ତି ଭଗବତୀଙ୍କ ପାଖରେ ସୂର୍ଯ୍ୟୋଦୟଠାରୁ ପୂଜା ଆରମ୍ଭ ହୋଇ ଦିନ ବାରଟା ବେଳକୁ ସରେ । ତା’ପରେ ମନ୍ଦିର ପାଖକୁ କାହାକୁ ଛଡ଼ାଯାଏ ନାହିଁ । ଦେବୀ ଯେଉଁମାନଙ୍କୁ କୃପା କରନ୍ତି, କେବଳ ସେହିମାନେ ହିଁ ସେହି ଦୁର୍ଗମ ଫାଟରେ ଚଢ଼ି ମନ୍ଦିର ପାଖରେ ନିବିର୍ଘ୍ନରେ ପହଞ୍ଚି ପାରନ୍ତି । ଅନ୍ୟମାନଙ୍କୁ ପାହାଡ଼ ତଳ ଛୋଟ ମନ୍ଦିରଟିରେ ପୂଜାପାଠ ସାରିବାକୁ ପଡ଼େ । ଦେବୀଙ୍କ ସମ୍ମତି ବିନା ମନ୍ଦିର ପାଖକୁ ଚଢ଼ିବାକୁ ପ୍ରୟାସ କଲେ ଆଖି ଝଲସି ଲୋକେ ଅନ୍ଧ ହୋଇଯାଆନ୍ତି ବୋଲି ବିଶ୍ଵାସ କରାଯାଏ ।

 

ପର୍ବତଚୂଡ଼ାରେ ମନ୍ଦିରଠାରୁ ଅଳ୍ପଦୂରରେ ଶୃଙ୍ଗଟିଏ ଅଛି । ଭଗବତୀଙ୍କ ଆସ୍ଥାନରୁ ଉଚ୍ଚକୁ ଚଢ଼ିବା ବିରୁଦ୍ଧରେ କଠୋର ବାରଣ ଥିବାରୁ ସେ ଶୃଙ୍ଗରେ ମଣିଷଙ୍କୁ ପାଦ ଦେବାକୁ ମନା । ବହୁବର୍ଷ ତଳେ ସନ୍ନ୍ୟାସୀ ଜଣେ ଦେବୀଙ୍କ ପ୍ରତି ଅବଜ୍ଞା ଦେଖାଇ ତାଙ୍କଠାରୁ ଆହୁରି ଉଚ୍ଚକୁ ଚଢ଼ିଯିବାକୁ ଚେଷ୍ଟା କରିଥିଲେ । ଦେବୀ ପ୍ରଚଣ୍ଡ କୋପରେ ପ୍ରଜ୍ଜ୍ଵଳିତ ହୋଇ ଦୁରାଚାରୀକୁ ଉଠାଇ ଶାରଦା ଆରକୂଳକୁ ଫିଙ୍ଗିଦେଲେ । ମନ୍ଦିରଠାରୁ ଦୁଇହଜାର ଫୁଟ ତଳ ଗୋଟିଏ ପାହାଡ଼ରେ ପଡ଼ି ସନ୍ନ୍ୟାସୀ ସେହିଠାରେ ଅଟକି ରହିଲେ; ଦେବୀଙ୍କ କୋପରୁ ମନ୍ଦିର ପାଖକୁ ସେ ଆଉ ପ୍ରବେଶ କରି ପାରିଲେନାହଁ । ସେହିଦିନୁ ଆଜିପର୍ଯ୍ୟନ୍ତ ଦେବୀଙ୍କୁ ଶାନ୍ତ କରିବା ପାଇଁ ସନ୍ନ୍ୟାସୀ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ପାହାଡ଼ କଡ଼ରେ ଆଲୁଅ ଜାଳି ଆରାଧନା କରନ୍ତି । ପ୍ରତିବର୍ଷ ଠିକ୍ ସେହି ସମୟରେ ପାହାଡ଼ କଡ଼ରେ ଆଲୁଅ ଦେଖାଯାଏ । ସେ ବର୍ଷ ଅପ୍ରେଲ ପାଞ୍ଚତାରିଖ ରାତିରେ ଆମେ ଆଲୁଅଗୁଡ଼ିକୁ ଦେଖିଥିଲୁ । ଦେବୀ ଯାହା ପ୍ରତି ପ୍ରସନ୍ନ ହୁଅନ୍ତି; କେବଳ ସେହିମାନେ ହିଁ କୁଆଡ଼େ ସେ ଆଲୁଅଗୁଡ଼ିକୁ ଚର୍ମ-ଚକ୍ଷୁରେ ଦେଖିପାରନ୍ତି । ଭଗବତୀ ପାର୍ବତ୍ୟ ଲୋକଙ୍କ ଇଷ୍ଟଦେବୀ; ତାଙ୍କର ଭକ୍ତ ଓ ଶରଣାଗତମାନଙ୍କୁ ନରଖାଦକ ଦାଉରୁ ରକ୍ଷାକରିବାକୁ କଷ୍ଟ ସ୍ଵୀକାର କରିଥିବାରୁ ଦେବୀ ପ୍ରସନ୍ନ ହୋଇ ଆମକୁ ଆଲୁଅଗୁଡ଼ିକ ଦେଖିବାକୁ ଦେଇଛନ୍ତି ବୋଲି ପୂଜକମାନେ ମତ ଦେଇଥିଲେ ।

 

ଟନକ୍‍ପୁର ଷ୍ଟେସନରେ ଗାଡ଼ିକୁ ଅପେକ୍ଷା କରୁ କରୁ ଗଙ୍ଗାରାମ୍‌ଠାରୁ ଏ ତଥ୍ୟ ସବୁ ଶୁଣିଲି ଓ ଘରକୁ ଫେରି ସ୍ଥାନୀୟ ସମ୍ବାଦପତ୍ରରେ ଏ ବିଷୟରେ ପ୍ରବନ୍ଧଟିଏ ଲେଖିଥିଲି । ଏଠାରେ ଯାହା ଯାହା ଲେଖିଛି, ସମ୍ବାଦପତ୍ରରେ ଠିକ୍ ତାହାହିଁ ପ୍ରକାଶ ପାଇଥିଲା ଏବଂ ବିଶ୍ଳେଷଣରେ ସନ୍ତୁଷ୍ଟ ନ ହୋଇ ପାଠକେ ଏହାର ଅନ୍ୟ କୌଣସି ଅର୍ଥ କରିବାକୁ ଚାହିଁଲେ ନିମ୍ନଲିଖିତ କେତୋଟି ବିଷୟ ବିଚାରକୁ ନେବାକୁ ସେମାନଙ୍କୁ ଅନୁରୋଧ କରାଯାଇଥିଲା :

 

(୧) ଆଲୁଅଗୁଡ଼ିକ ଏକସଙ୍ଗରେ ଜଳି ନ ଥିଲା ।

 

(୨) ପ୍ରତି ଆଲୁଅର ଆକାର ପ୍ରାୟ ସମାନ ଥିଲା ଓ ବ୍ୟାସ ଥିଲା ପ୍ରାୟ ଦୁଇଫୁଟ ।

 

(୩) ସାଧାରଣ ନିଆଁ ବା ମଶାଲପରି ପବନରେ ତାହା ହଲ୍‌ଚଲ୍‌ ହେଉ ନ ଥିଲା ।

 

(୪) ଗୋଟିଏ ସ୍ଥାନରୁ ତାହା ଅନ୍ୟ ସ୍ଥାନକୁ ଘୁଞ୍ଚି ପାରୁଥିଲା ।

 

ଲେଖାଟି ପ୍ରକାଶ ପାଇବା ପରେ ପୂର୍ଣ୍ଣଗିରି ମନ୍ଦିରର ରାଉଳ (ପ୍ରଧାନ ପୂଜକ) ଦିନେ ଆସି ମୋ ସହିତ ସାକ୍ଷାତ କଲେ । ଇଉରୋପୀୟ ହୋଇ ମଧ୍ୟ ଦେବୀଙ୍କ କୃପାରୁ ଆଲୁଅଗୁଡ଼ିକକୁ ମୁଁ ସ୍ଵଚକ୍ଷୁରେ ଦେଖି ପାରିଲି, ଏଥିପାଇଁ ମୋତେ ଅଭିନନ୍ଦନ ଜଣାଇ ଓ ସମ୍ବାଦପତ୍ରରେ ପ୍ରକାଶିତ ମୋର ମତାମତକୁ ସମର୍ଥନ କରି ସେ କହିଲେ ଯେ ଏ ସବୁ ଅତି ଜଣାଶୁଣା କଥା ନେଇ ଯୁକ୍ତିତର୍କ ବା ମତାନ୍ତରର ଅବକାଶ ନାହିଁ ଏବଂ ପ୍ରକାଶିତ ମନ୍ତବ୍ୟ ଛଡ଼ା ସେଥିର ଅନ୍ୟ କୌଣସି ଅର୍ଥ କରାଯାଇ ନ ପାରେ । ଆଲୁଅଗୁଡ଼ିକୁ ଆଖିରେ ଦେଖି ମୋର ଯାହା ଧାରଣ ହୋଇଥିଲା, ସେଥିରେ ରାଉଳଙ୍କ ସହିତ ଏକମତ ହେବା ଛଡ଼ା ମୋ’ପାଇଁ ଅନ୍ୟ ପନ୍ଥା ନ ଥିଲା ।

 

(୧)ଉତ୍ତର ପ୍ରଦେଶର ନୈନିତାଲ୍ ଜିଲାର ସଂରକ୍ଷିତ ବନୋଦ୍ୟାନ ସାର୍ ମାଲ୍‌କମ୍ ହେ’ଲିଙ୍କ ନାମାନୁସାରେ Hailey National Park ଭାବେ ନାମିତ ହୋଇଥିଲା । ସ୍ଵାଧୀନତା ପରେ ୧୯୫୬ ମସିହାରେ ଭାରତ ସରକାର ଏହାକୁ Corbett National Park ଭାବେ ପୁନର୍ନାମିତ କରିଛନ୍ତି । –ଅନୁବାଦକ

 

ପରବର୍ଷ ଉତ୍ତରପ୍ରଦେଶର ଲାଟ ସାର୍‌ ମାଲକମ୍ ହେ’ଲିଙ୍କ (୧) ସହିତ ଶାରଦା ନଦୀର ଘାଟି ପାଖରେ ମାଛ ମାରିବାକୁ ସୁଯୋଗ ଜୁଟିଲା । ଚଳନ୍ତା ପାଣିରୁ ସୁବିଧାରେ ମାଛ ମାରିବା ପାଇଁ ନଈରେ ତେଣ୍ଡା ଗୁଡ଼ିଏ ପୋତା ହୋଇଥାଏ । ଆମେ ଭେଳାରେ ବସି ତେଣ୍ଡାରୁ ତେଣ୍ଡାକୁ ଯାଉଥାଉ । ପବନଭରା ଚମଡ଼ା ଥଳୀ କେତୋଟି ତଳେ ଖଞ୍ଜାଯାଇ ଭେଳାଟିକୁ ଭସାଇ ରଖାହୋଇଥାଏ । ଯେଉଁ କେଉଟ ଚାରିଜଣ ଭେଳାଟିକୁ ବାହୁଥାଆନ୍ତି, ସେମାନେ ସେଠାକାର ଜଣେ ଜଙ୍ଗଲ ଠିକାଦାରଙ୍କର ଲୋକ । କୁମାୟୂଁ ଓ ନେପାଳର ଉଚ୍ଚ ପର୍ବତମାନଙ୍କରୁ କଟାଯାଇଥିବା ପାଇନ୍ ଗଛଗୁଡ଼ିକୁ ନଈରେ ଭସାଇ ଭସାଇ ନେଇ ବ୍ରହ୍ମଦେବ୍ ଘାଟିରେ ପହଞ୍ଚାଇବା ସେମାନଙ୍କ କାମ । ଏହି ଚାରିଜଣଙ୍କୁ ମିଶାଇ ଠିକାଦାର ଏଥିପାଇଁ ସମୁଦାୟ କୋଡ଼ିଏ ଜଣ ଲୋକ ନିୟୋଗ କରିଛନ୍ତି । ପାର୍ବତୀୟ ନଦୀର ପ୍ରଖର ସୁଅର କାଠଗଡ଼ର ଭେଳା ବାହିନେବା କେବଳ କଷ୍ଟକର ନୁହେଁ, ଅତି ବିପଜ୍ଜନକ ମଧ୍ୟ । ସେଭଳି କାମ ତୁଲାଇବା ପାଇଁ ଅସୀମ ସାହସ ଛଡ଼ା ନଦୀ ଓ ତା’ର ଆଖପାଖ ଅଞ୍ଚଳ ସହିତ ନିବିଡ଼ ପରିଚୟ ଥିବା ନିତାନ୍ତ ଦରକାର । ଦୀର୍ଘକାଳ ଧରି ଏଠାରେ ଚଳପ୍ରଚଳ ହେଉଥିବାରୁ କେଉଟମାନେ ଏସବୁ ଅଞ୍ଚଳ ବିଷୟରେ ଅନେକ ତଥ୍ୟ ନିଶ୍ଚୟ ଜାଣିଥିବେ ବୋଲି ବିଚାରିଲି ।

 

ଘାଟି ପାଖରେ ଆଲୁଅ ଦେଖିଥବା ଜାଗାଟି ବତାଇ ଦେବାକୁ ସାର୍‌ ମାଲ୍‌କମ୍ ମୋତେ ଅନୁରୋଧ କଲେ । ତଲ୍ଲାଦେଶ୍ ଯିବାବାଟରେ ଆମେ ରାତିରେ ଯେଉଁଠି ଡେରା ପକାଇଥିଲୁ, ସେଠାରୁ ଅଳ୍ପଦୂରରେ ଜାଗାଏ କଲିୟର୍ ବାରୁଦଦ୍ଵାରା ପଥର ଫଟାଇଥିଲେ । ପାହାଡ଼ କଡ଼ ସେଠାରେ ପାହାଚ ପାରି ଥାକ ହୋଇଥିବା ପୂର୍ବରୁ ଲକ୍ଷ୍ୟ କରିଥିଲି । ନଈଭିତରୁ ସେ ଜାଗାଟି ସହଜରେ ଚିହ୍ନି ହେଲା । ସାର୍ ମାଲ୍‌କମ୍‌ଙ୍କ ସହିତ ବାଲିଚଡ଼ାକୁ ଓହ୍ଲାଇ ଆସି ଆଲୁଅଗୁଡ଼ିକ ପ୍ରଥମେ ଯେଉଁଠି ଦେଖାଦେଇଥିଲା ଓ ପରେ ଯେଉଁଠାକୁ ଘୁଞ୍ଚି ଯାଇଥିଲା, ସେ ସ୍ଥାନଗୁଡ଼ିକ ତାଙ୍କୁ ଗୋଟି ଗୋଟି କରି ଦେଖାଇଦେଲି ।

 

ସାର୍‌ ମାଲ‌୍‌କମ୍ ଚମତ୍କାର ହିନ୍ଦୀ କହନ୍ତି; ଗାଉଁଲି ଲୋକଙ୍କ ସହିତ କଥାବାର୍ତ୍ତା କରିବାର କାଇଦା ମଧ୍ୟ ତାଙ୍କୁ ଭଲଭାବେ ଜଣା । କେଉଟ ଚାରିଜଣଙ୍କୁ ପଚର ଉଚରା କରି ସେ ବୁଝିଲେ ଯେ ସେମାନେ କାଙ୍ଗ୍ରା । ଉପତ୍ୟକାର ବାସିନ୍ଦା । ଚାଷବାସରେ ଗୁଜରାଣ ନ ଚଳିବାରୁ ଠିକାଦାର ଠାକୁର୍ ଦାନ୍ ସିଂ ବିସ୍ତ୍‌ଙ୍କ ପାଖରେ ସେମାନେ ଚାକିରି କରିଛନ୍ତି । ନଈରେ କାଠ ଭେଳା ବାହିବା ସେମାନଙ୍କର କାମ; ଏପର୍ଯ୍ୟନ୍ତ ସେମାନେ କେତେ କାଠ ବାହିଲେଣି ତା’ର ସୁମାରି ନାହିଁ । ଏଠାରେ ଘାଟି ପାଖରେ ସ୍ଥିର ଜଳରେ ଭେଳା ଅଟକିଯାଏ; ଅଡ଼ୁଆ ସଜାଡ଼ି ଗଡ଼ଗୁଡ଼ିକୁ ପୁଣି ସୁଅମୁହଁକୁ ପେଲି ନେବାପାଇଁ ସେମାନଙ୍କୁ ଭାରି ହରକତ ହେବାକୁ ପଡ଼େ । ଶାରଦାର ପ୍ରତ୍ୟେକ ଅଂଶ ସହିତ ସେମାନଙ୍କର ଦୀର୍ଘକାଳର ପରିଚୟ । ଏତେବର୍ଷ ଏଠାରେ ଚଳପ୍ରଚଳ ହେବା ଭିତରେ କିନ୍ତୁ ପାହାଡ଼ କଡ଼ରେ ସେଭଳି ଆଲୁଅ କେବେ ଦେଖିନାହାନ୍ତି ବୋଲି ଚାରିହେଁ ଦୃଢ଼ଭାବେ ମନ୍ତବ୍ୟ ଦେଲେ ।

 

ଏସବୁ ଶୁଣିବା ପରେ କେଉଟମାନଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ସାର୍‌ ମାଲ୍‌କମଙ୍କୁ ଅନୁରୋଧ କଲେ । ସେଥିରୁ ପ୍ରକାଶ ପାଇଲା ଯେ ସେମାନେ ଏଠାରେ ରାତିରେ କେବେ ରହିନାହାନ୍ତି ଏବଂ ଏଠାରେ କିମ୍ବା ଆଖପାଖରେ ଆଉ କେହି ରାତିରେ ରହିଥିବା କଥା ଜାଣନ୍ତି ନାହିଁ । ଏସବୁ ସ୍ଥାନ ଭୂତପ୍ରେତଙ୍କ ଲୀଳାସ୍ଥଳୀ ବୋଲି କାରଣ ଦେଖାଇ ସେମାନେ କହିଲେ ଯେ ରାତିଏ ଏଠାରେ ରହିବାକୁ କେହି କେବେ ସାହସ କରିବେ ନାହିଁ ।

 

ପୂର୍ଣ୍ଣଗିରି ପର୍ବତ ସେଠାରୁ ସ୍ପଷ୍ଟ ଦେଖାଯାଉଥାଏ । ଦୁଇହଜାର ଫୁଟ ଉଚ୍ଚ ପର୍ବତ କଡ଼ରେ ଥିବା ପଥର ଫାଟଟି ମଧ୍ୟ ସହଜରେ ବାରି ହେଉଥାଏ । ପୂର୍ବେ ସେ ଫାଟଟିରେ ପାଦ ରଖି ଚଢ଼ିଲାବେଳେ ଆଶ୍ରା କରି ଧରିବାକୁ ହାତପାଆନ୍ତାରେ କିଛି ନ ଥିଲା । ଅସଂଖ୍ୟ ଭକ୍ତଙ୍କ ପଦଚାପରେ ଚିକ୍‌କଣ ହୋଇ ଉଠିଥିବା ପଥର ଉପରେ ଅତି ସାବଧାନରେ ଗୋଡ଼ ଜମାଇ ଚଢ଼ିବାରେ ଯାତ୍ରୀମାନଙ୍କୁ ଘୋର ବିପଦ ବରଣ କରିବାକୁ ପଡ଼ୁଥିଲା । କେତେବର୍ଷ ହେଲା ମହୀଶୂର ମହାରାଜାଙ୍କ ବଦାନ୍ୟତା ଯୋଗୁଁ ଫାଟ କଡ଼େ କଡ଼େ ମନ୍ଦିର ପାଖଯାଏ ଲୁହା ଦଉଡ଼ାଟିଏ ଟଣାଯାଇଛି । ତାହା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବାରମ୍ବାର ଦୁର୍ଘଟଣା ଘଟି ପ୍ରତିବର୍ଷ ଏଠାରେ ବହୁଲୋକ ପ୍ରାଣ ହରାଉଥିଲେ ।

 

ମୃତ ବ୍ୟକ୍ତିମାନଙ୍କ ପ୍ରେତାତ୍ମା ଏଠାରେ ଉପଦ୍ରବ କରନ୍ତି ବୋଲି କେଉଟମାନେ ଯାହା କହିଲେ, ତାହା ଗ୍ରହଣ କରିପାରିଲି ନାହିଁ । ଦେବୀଦର୍ଶନ ପାଇଁ ବହୁ କଷ୍ଟ ସ୍ଵୀକାର କରି ଏତେଦୂର ଆସି ଶେଷରେ ଏହି ଦେବସ୍ଥାନରେ ପ୍ରାଣଦାନ କରିଥିବା ଭକ୍ତମାନଙ୍କ ପ୍ରେତାତ୍ମା ଯଦି ଏଠାକାର ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଥାଆନ୍ତି, ସ୍ଥାନୀୟ ଲୋକଙ୍କର ସେମାନେ କଦାପି କିଛି ଅନିଷ୍ଟ କରୁ ନଥିବେ ବୋଲି ମୋର ବିଶ୍ୱାସ ।

 

ଏଥର ବିଷୟବସ୍ତୁକୁ ଫେରିବା–

 

ବଡ଼ସକାଳୁ ଡେରାରୁ ବାହାରି ଭାରୁଆ ଛଅଜଣ ଇଲାହୀ ସହିତ ଝୋଲାରେ ପଶି କ୍ଷିପ୍ରଗତିରେ ଆଗେଇ ଚାଲିଲେ । ମୋର ଭାରୀ କ୍ୟାମେରାଟିକୁ ଧରି ଗଙ୍ଗାରାମ୍ ମୋ ସଙ୍ଗରେ ଚାଲିଲା । ବାଟ ଚାଲିବାରେ ମୋତେ ବା ଗଙ୍ଗାରାମ୍‌କୁ ବଳିଯିବାକୁ କୁମାୟୂଁ ମୁଲକରେ ବେଶି ଲୋକ ନ ଥିବେ । ଆମେ ଦୁହେଁ ଖୁବ୍ ବେଗରେ ଚାଲିବା ସତ୍ତ୍ୱେ ଦୀର୍ଘ ଦୁଇମାଇଲ୍‍ ପରେ ଯାଇଁ ଭାରୁଆଙ୍କ ଭେଟି ପାଇଲୁ । ସେହିଠାରୁ ସମସ୍ତେ ଦଳବାନ୍ଧି ଏକାଠି ଆଗେଇଲୁ । କେତେବେଳେ ଘଞ୍ଚ ଜଙ୍ଗଲ ଭିତରେ ବାଟ କାଟି ଅତି କଷ୍ଟରେ ଆଗେଇବାକୁ ପଡ଼ୁଥାଏ; କେତେବେଳେ ଅବା ଶାରଦା କୂଳ ନରମ ବାଲିରେ ମହା ଆରମରେ ଚାଲୁଥାଉ । ଏହିପରି ଛଅଘଣ୍ଟା ଅନବରତ ଚାଲିବା ପରେ କାଲ୍‌ଦୁଙ୍ଗା ଓ ଚୂକା ପାର ହୋଇ ଦିନ ବାରଟାବେଳକୁ ଗୋଟିଏ ପର୍ବତ ତଳେ ଅଟକିଲୁ । ରୋଷାଇବାସ ଓ ଖିଆପିଆ ସରୁ ସରୁ ଦୁଇଟା ବାଜିଗଲା । ତା’ପରେ ମୁଣ୍ଡଫଟା ଖରାରେ ଗୋଟିଏ ସରୁ ଚଲାବାଟରେ ପାହାଡ଼ଚଢ଼ା ଆରମ୍ଭ କଲୁ ।

 

ଅତି ଖାବଖାବଡ଼ା ସେହି ପଥୁରିଆ ଚଲାବାଟଟି ତୀଖ ପାହାଡ଼ ଉପରକୁ ପ୍ରାୟ ସଳଖରେ ଉଠିଯାଇଥାଏ । ଉଠାଣିକୁ ସହଜ କରିବା ପାଇଁ କେଉଁଠି ମୋଡ଼ ବା ବାଙ୍କଟିଏ ବି ନଥାଏ । ସମୟ ଦିନ ଦୁଇଟା । ବାଟ କଡ଼ରେ ଛାଇ ଟିକିଏ ଦେବାଭଳି ଗଛଟିଏ ବି ନାହିଁ । ଅଣନିଃଶ୍ଵାସୀ ହୋଇ ସେତକ ବାଟ ଯେମିତି ପାର ହେବାକୁ ପଡ଼ିଲା, ପାହାଡ଼ ଚଢ଼ିବାରେ ସେଭଳି କ୍ଳାନ୍ତିକର ଅନୁଭୂତି ମୋର ବା ମୋ ଲୋକମାନଙ୍କର ଆଉ କେବେହେଲେ ହୋଇନାହିଁ । ବାଟସାରା ବାରମ୍ବାର ଅଟକି ଥକ୍‌କା ମାରିବାରେ ସମୟ ଗଲା । ସୂର୍ଯ୍ୟ ବୁଡ଼ିବାବେଳକୁ ପର୍ବତଚୂଡ଼ାରୁ ଆମେ ହଜାରେ ଫୁଟ ତଳେ । ସେହିଠାରୁ ବାଟ ଭାଙ୍ଗି ଚଲାବାଟରୁ କେଇଶହ ଗଜ ଛଡ଼ାରେ ଥିବା ଗୋଟିଏ ଛୋଟ ଗାଁରେ ଯାଇ ପହଞ୍ଚିଲୁ ।

 

ପର୍ବତ ଦକ୍ଷିଣପାଖରେ ସେଇ ଗୋଟିଏ ମାତ୍ର ଗାଁ । ଆଖପାଖରେ ଆଉ ଜନବସତି ନ ଥିବାରୁ ବାଘ ସେ ଗାଁକୁ ବରାବର ଆସେ ବୋଲି କହି ଚୂକାର ଲୋକେ ରାତିରେ ସେଠାରେ ନ ରହିବାକୁ ଆମକୁ ବାରମ୍ବାର ଚେତାଇ ଦେଇଥିଲେ । ଆମ ହାଲ୍ କିନ୍ତୁ ଯାହା ହୋଇଥାଏ, ନରଖାଦକ କଥା ପଛକୁ ପକାଇ ରାତିକ ସେହିଠାରେ ରହିଯିବା ଛଡ଼ା ଆଉ ବାଟ ନଥିଲା । ଗାଁରେ ଦୁଇଟି ମାତ୍ର ଘର । ପାଖର ଗୋଟିଏ ଛୋଟ ଝରଣାରୁ ଦୁଇ ପରିବାରର ଲୋକେ ପିଇବା ପାଣି ନିଅନ୍ତି । ଆମକୁ ଦେଖି ଲୋକଗୁଡ଼ିକ ଆନନ୍ଦ ଓ ଆଶ୍ଵସ୍ତିରେ ଆତ୍ମହରା ହୋଇପଡ଼ିଲେ । ରୋଷାଇବାସ ଓ ଖିଆପିଆ ସରିବା ଭିତରେ ମୋ ଲୋକଙ୍କ ରହିବା ପାଇଁ ଘର ବଖରାଏ ଖାଲି ହୋଇଗଲା । ଲୋକ ଆଠଜଣ ଘରେ ପଶି କବାଟ କିଳିବା ପରେ ଝରଣାପାଖୁ ଗୋଟିଏ ଗଛମୂଳେ ମୁଁ ଖଟିଆ ଖଣ୍ଡିକ ପକାଇଲି ଓ ହାତପାଆନ୍ତାରେ ରାଇଫଲ୍ ଆଉ ଲଣ୍ଠଣ ରଖି ବିଛଣାରେ ଗଡ଼ିପଡ଼ିଲି ।

 

ନିଦ ଲାଗିବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ସହିତ ଗତ କେତେଦିନର ଘଟଣାଗୁଡ଼ିକୁ ମିଳାଇ ଆଉ ଥରେ ବିଚାରକରି ଦେଖିଲି । ସେଦିନ ଅପ୍ରେଲ ମାସ ଛଅ ତାରିଖ । ଚାରି ତାରିଖ ଦିନ ପିଲାଟିକୁ ବାଘ ମାରିଥିବା ଖବର ପେସ୍କାରଙ୍କ ପାଖରୁ ଶୁଣିବା ପରଠାରୁ ଅତି ଶୀଘ୍ର ଆଗେଇବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ବାଟରେ ଏତେ ଡେରି ହୋଇଗଲା । ଦୁର୍ଘଟଣା ସ୍ଥଳରେ ମୁଁ ନ ପହଞ୍ଚିବାଯାଏଁ ଶବ ସେଠାରୁ ହଟାଯିବ ନାହିଁ ବୋଲି ବିଲ ବେ’ନ୍‌ସ୍ ଗାଁ ମୁଖିଆମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବାଘ ଏ ଭିତରେ ଶବକୁ ଖାଇ ଶେଷ କରିବଣି । ଲୋକେ ତାକୁ ବିରକ୍ତ ନ କଲେ ପେଟପୂରା ଖାଇବା ପରେ ଦିନେ ଦୁଇଦିନ ସେ ସେହିଠାରେ ଅଟକି ରହିପାରେ । ଆଜି ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ମଇଁଷିଟିଏ ସେଠାରେ ବାନ୍ଧିବି ବୋଲି ମନସ୍ଥ କରିଥିଲି । ବାଟସାରା ତୀଖ ପାହାଡ଼ ଆମକୁ ଭଗାରି ହେଲା; ଅଧବାଟରେ ସଞ୍ଜ ହୋଇଯାଇ ଦିନଟାଏ ଅକାରଣ ମାରା ହୋଇଗଲା । ବାଟରେ ଆଉ ଡେରିକଲେ ବାଘ ଶିକାର ପାଖରୁ ପଳାଇଯିବ । ବହୁ ବର୍ଗମାଇଲ୍ ବିସ୍ତୃତ ଏସବୁ ଜଙ୍ଗଲ ପାହାଡ଼ ଭିତରେ ଦୀର୍ଘ ଦୂର ପରିକ୍ରମା କରି ଗତ ଆଠବର୍ଷ ଭିତରେ ସେ ଦେଢ଼ଶହଟି ପ୍ରାଣହାନି ଘଟାଇଲାଣି । କୁମାୟୂଁର ଏ ଅଞ୍ଚଳ ସହିତ ମୋର ମଧ୍ୟ ବିଶେଷ ପରିଚୟ ନାହିଁ । ଏପରି ସ୍ଥଳେ ବାଘ ସହିତ ଥରେ ସଂଯୋଗ ହରାଇଲେ ତା’ ଭେଟ ପାଉ ପାଉ ଆହୁରି କେତେ ସପ୍ତାହ ବିତିଯିବ; କିନ୍ତୁ ବାଘ ଶିକାର ପାଖ ଛାଡ଼ି ପଳାଇ ନ ଯାଉ ବୋଲି ମନାସିବା ଛଡ଼ା ଏଠାରେ ଥାଇ ମୁଁ ଅଧିକ କ’ଣ ବା କରିପାରିବି ? ବାଘ ବର୍ତ୍ତମାନ କ’ଣ କରୁଛି ବା ପରେ କ’ଣ କରିପାରେ–ଦୂରରେ ଥାଇ ସେ ବିଷୟରେ ମୁଣ୍ଡ ଘୂରାଇବା ନିରର୍ଥକ ବୋଲି ଭାବୁ ଭାବୁ କେତେବେଳେ ନିଦ ଲାଗିଗଲା ।

 

ଲଣ୍ଠଣଟା ରାତି ଭିତରେ କେତେବେଳେ ଲିଭିଗଲା ଜାଣିପାରି ନ ଥିଲି । ପାହାନ୍ତା ପହରକୁ ଚମକି ଚେଇଁ ଉଠି ଦେଖିଲି ଯେ ଗଙ୍ଗାରାମ ମୋ ଖଟିଆ ପାଖରେ ବସି ଲିଭିଲା ଲଣ୍ଠଣଟିକୁ ପୁଣି ଲଗାଇବାକୁ ଚେଷ୍ଟାକରୁଛି । ଜଳଖିଆ ତିଆରି ହେବା ଭିତରେ ଝରଣାରେ ଗାଧୁଆ ସାରି ମୋର ୨୭୫ ରିଗ୍‌ବି-ମଶର୍ ରାଇଫଲ୍‌ଟିକୁ ସଫାସଫି କରି ତେଲ ଦେଇ ଦୋରସ୍ତ କଲି ଓ ମ୍ୟାଗାଜିନରେ ଗୁଳି ପାଞ୍ଚୋଟି ଭରିଦେଲି । ବାଘ ମାତିବା ଦିନରୁ ଏଠାକାର ଗାଁ ଗାଁ ଭିତରେ ସଂଯୋଗ ଛିନ୍ନ ହୋଇଥିଲା । ବିଶେଷ କରି ଏ ଗାଁଟି ଦୂରରେ ଥିବାରୁ ପିଲାଟି ମରିଥିବା ଖବର ଏଠାରେ କେହି ଜାଣି ନଥିଲେ । ଦୁର୍ଘଟଣାଟି ସେଠାରୁ କେଉଁଦିଗରେ ବା କେତେଦୂରରେ ଘଟିଛି, କେହି ତାହା ସଠିକ୍ କହିପାରିଲେ ନାହିଁ । ଦଲବଳ ନେଇ ଚାଲିବା ଅପେକ୍ଷା ଏଠାରୁ ଏକାକୀ ଆଗେଇଲେ ଖବର ସଂଗ୍ରହ କରିବାର ବେଶି ସୁବିଧା ହେବ । ଅନିର୍ଦ୍ଦିଷ୍ଟ ଯାତ୍ରାକ୍ରମ ଭିତରେ ଖିଆପିଆ ପାଇଁ କେତେବେଳେ ସମୟ ମିଳିବ ତା’ର କୌଣସି ଠିକଣା ନାହିଁ । ଲୋକମାନଙ୍କୁ ପଛରେ ଆସିବାକୁ କହି ବୁଝାଇ ଦେଲି ଯେ ସେମାନେ ଭଲଭାବେ ଖାଇ ପିଇ ବାହାରିବେ; ଆଉ ହାଲିଆ ମାରିବାକୁ ବାଟରେ କେଉଁଠି ଅଟକିବା ଯଦି ନିହାତି ଦରକାର ପଡ଼େ, ତେବେ ବଣ ଜଙ୍ଗଲ ବାହାରେ ଖୋଲା ଜାଗା ଦେଖି ରହିବେ ।

 

ନେପାଳର ପର୍ବତମାଳା ପଛରୁ ସୂର୍ଯ୍ୟ ଉଦୟ ହେଲାବେଳକୁ ବନ୍ଧୁକ ଧରି ଏକାକୀ ବାହାରି ପଡ଼ିଲି । ପୂର୍ବ ସନ୍ଧ୍ୟାର ସେହି ଚଲାବାଟରେ ପହଞ୍ଚିବା ପରେ ଏଠାକାର ଦିଗନ୍ତ-ବ୍ୟାପୀ ଦୃଶ୍ୟସମ୍ଭାର ଆଉ ଥରେ ଆଖି ପୂରାଇ ଦେଖିବାକୁ ମନ ବଳିଲା । ପର୍ବତ ପାଦଭୂମିରେ ଶାରଦାର ଉପତ୍ୟକା । ନଦୀ ଏଠାରେ ସର୍ପିଳଗତିରେ ପାଦପର୍ବତ ଭିତରେ ବୁଲି ବୁଲି ଟନକ୍‍ପୁର ପାର ହୋଇ ଦୃଷ୍ଟି ପଥରୁ ଅନ୍ତର୍ହିତ ହୋଇଛି । ଉପତ୍ୟକାର ଛାଇଛାଇଆ ଅନ୍ଧାର ଭିତରୁ ନଦୀ ଦୃଷ୍ଟିଗୋଚର ହେଉ ନ ଥିଲେ ମଧ୍ୟ ଜଳଧାରା ଉପରେ ଘନୀଭୂତ ହୋଇଥିବା କୁହୁଡ଼ି ତା’ର ଗତିପଥ ସୂଚାଇ ଦେଉଥିଲା । ଟନକ୍‍ପୁର ପରେ କୁହୁଡ଼ି ଆଉ ନ ଥାଏ; ସୁଦୂର ଦିଗ୍‍ବଳୟ ପର୍ଯ୍ୟନ୍ତ ଲମ୍ବିଯାଇଥିବା ସ୍ଫଟିକସ୍ଵଚ୍ଛ ଜଳରେଖା ନରମ ଖରାରେ ଝଲମଲ କରୁଥାଏ । ପାହାଡ଼ର ଛାଇ ଓ କୁହୁଡ଼ିର ଘନ ଆବରଣ ତଳେ ଚୂକା ଗାଁଟି ପୂରାପୂରି ଲୁଚିଯାଇଥିଲେ ମଧ୍ୟ ‘ଥାକ୍’ ସେଠାରୁ ପରିଷ୍କାର ଦେଖାଯାଉଥାଏ । ଶହେବର୍ଷ ତଳେ ଏଠାକାର ଚନ୍ଦ୍ରବଂଶୀୟ ରାଜାମାନେ ଥାକ୍‌ର ବାସିନ୍ଦାମାନଙ୍କୁ ପୂର୍ଣ୍ଣିଗିରି ମନ୍ଦିରରେ ସେବାପୂଜା କରିବାର ଦାୟିତ୍ଵ ଦେଇଥିଲେ ଓ ଜାୟଗିରି ରୂପେ ଗାଁଟି ସେମାନଙ୍କୁ ଦାନ କରିଥିଲେ । ପୂର୍ଣ୍ଣଗିରି ପର୍ବତ ଉପରେ ଥାକ୍‌ରୁ ଚୂକାଯାଏଁ ଲମ୍ବିଥିବା ସରୁ ରାସ୍ତାଟି ଉଜ୍ଜ୍ଵଳ ସୂର୍ଯ୍ୟକିରଣରେ କ୍ରମେ ଆଲୋକିତ ହୋଇ ଉଠୁଥିଲା । ଦୀର୍ଘ ଦଶବର୍ଷ ପରେ ଥାକ୍ ନରଖାଦକ (୧) ବିରୁଦ୍ଧରେ ସଂଗ୍ରାମ ଚଳାଇ ସେହି ରାସ୍ତାରେ ଯେ ମୋତେ ବାରମ୍ବାର ବୁଲିବାକୁ ହେବ ଓ ତାହାର ପ୍ରତ୍ୟେକ ଅଂଶ, ପ୍ରତିଟି ଫୁଟ ତନ୍ନତନ୍ନ କରି ପରୀକ୍ଷା କରିବାକୁ ପଡ଼ିବ–ଏକଥା ସେତେବେଳେ ଜାଣିନଥିଲି ।

 

ପ୍ରକୃତରେ ସ୍ନିଗ୍‌ଧ ଶାନ୍ତ, ସୁଷମା ତନ୍ମୟ ହୋଇ କିଛି ସମୟ ଉପଭୋଗ କରିବା ପରେ କର୍ତ୍ତବ୍ୟଦୃଷ୍ଟିରୁ ସେଠାରୁ ଆଗେଇବାକୁ ବାଧ୍ୟ ହେଲି । ତଲ୍ଲାଦେଶ୍ ନରଖାଦକ ବିରୁଦ୍ଧରେ ମୋର ସଂଗ୍ରାମର ଶେଷ ପର୍ଯ୍ୟାୟ ସେହିଠାରୁ ହଁ ଆରମ୍ଭ ହେଲା । ସେଦିନ ଓ ଆଜି ଭିତରେ ଦୀର୍ଘ ପଚିଶ ବର୍ଷ ଗଲା । ସେଭିତରେ ଜୀବନରେ ଅନେକ ଘଟଣା ଘଟିଯାଇଛି–ବିଚତ୍ର କେତେ ଅନୁଭୂତି ମୁଁ ଅଙ୍ଗେ ଲିଭାଇଛି; କିନ୍ତୁ ସେ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପାଞ୍ଚଦିନ ଧରି ତଲ୍ଲାଦେଶ୍ ନରଖାଦକ ସହିତ କଳକୌଶଳର ଯେଉଁ ପ୍ରତିଯୋଗିତା କରିବାକୁ ପଡ଼ିଥିଲା, ସ୍ମୃତିପଟରେ ତାହା ସବୁଦିନ ପାଇଁ ଅଲିଭାଗାରରେ ଲେଖିହୋଇ ରହିଥିବ । ସମୟର ଗତି ତାକୁ ଲିଭାଇ ପାରିନାହିଁ ବା ପାରିବ ନାହଁ ।

 

ପର୍ବତ ଆରପାଖରୁ ଗୋଟିଏ ଚଲାବାଟରେ କିଛିଦୂର ଗଡ଼ିଲାପରେ ବଡ଼ ସଡ଼କଟିଏ ପଡ଼ିଲା । ପୂର୍ବପାଖେ ଶାରଦା ନଦୀ କୂଳରୁ ଆରମ୍ଭ ହୋଇ ଛଅଫୁଟ ଓସାର ଏହି ସଡ଼କଟି ଜଙ୍ଗଲ ଭିତର ଦେଇ ପଶ୍ଚିମକୁ ଲମ୍ବିଥାଏ । ପାଖରେ ଗାଁଗଣ୍ଡା କିଛି ନ ଥିଲା; କେଉଁଆଡ଼େ ଯିବି ଠିକ୍ କରି ନ ପାରି ସଡ଼କରେ କିଛି ସମୟ ଅଟକି ଛିଡ଼ାହେଲି । ନଈକୂଳ ଆଡ଼େ ଗଲେ ସଡ଼କକୁ ବେଶି ଛାଡ଼ିବାକୁ ପଡ଼ିବନାହିଁ ବିଚାରି ଶେଷରେ ପୂର୍ବଦଗକୁ ହିଁ ମୁହାଁଇଲି ।

 

ଭ୍ରମଣ ପାଇଁ ସ୍ଥାନ ଓ ସମୟ ନିରୂପଣ କରିବାକୁ ଯଦି ଅବାଧ ଅଧିକାର ମୋତେ ଦିଆଯାଏ, ତେବେ ଅପ୍ରେଲ ମାସରେ ହିମାଳୟର ବନବେଷ୍ଟିତ ପର୍ବତଗୁଡ଼ିକର ଉତ୍ତର ପାଖରେ ସକାଳବେଳା ଚାଲି ଚାଲି ବୁଲିବାକୁ ମୁଁ ବିନା ଦ୍ଵିଧାରେ ବାଛିନେବି । ଅପ୍ରେଲରେ ସେଠାକାର ପ୍ରାକୃତିକ ଶୋଭା ଉତ୍କର୍ଷରେ ପହଞ୍ଚିଥାଏ । ପର୍ଣ୍ଣମୋଚି ବୃକ୍ଷଗୁଡ଼ିକ ନୂତନ ପଲ୍ଲବରେ ମଣ୍ଡି ହୋଇ ଜଙ୍ଗଲସାରା ସବୁଜ ଓ ତାମ୍ର ରଙ୍ଗର ଢେଉ ଖେଳାଇ ଦିଅନ୍ତି । ଅପ୍ରେଲ ଆଦ୍ୟଭାଗରେ ଭାୟୋଲେଟ୍, ବଟର୍ କପ୍, ପ୍ରାଇମୁଲସ୍, ଲାର୍କସ୍ପର୍ ଓ ରାସ୍ନା ଆଦି ଫୁଲର ମହକରେ ଜଙ୍ଗଲ ଭରିଉଠେ । ଶୀତଦିନେ ଏଠାକାର ପକ୍ଷୀସବୁ ତଳ ପାର୍ବତ୍ୟ ଅଞ୍ଚଳକୁ ଚାଲିଯାଆନ୍ତି । ଅପ୍ରେଲ ମାସ ପକ୍ଷୀଙ୍କର ସହବାସ ଋତୁ । ଅପ୍ରେଲ ପ୍ରାରମ୍ଭରୁ କସ୍ତୁରା, କୁଣ୍ଡାଖିଆ, ସୁନ୍ଦରୀ, ରାମଗାଙ୍ଗ୍ରା ଓ ଆହୁରି ଅନେକ ରକମର ଯାଯାବର ପକ୍ଷୀ ବସାକୁ ବାହୁଡ଼ି ଆସି ସାଥୀପାଇଁ ଆବେଦନଭରା ମଧୁର ସଙ୍ଗୀତରେ ଜଙ୍ଗଲକୁ ମୁଖରିତ କରିଦିଅନ୍ତି । ଜଙ୍ଗଲ ପାହାଡ଼ର ସୁରମ୍ୟ ଦୃଶ୍ୟ, ଫୁଲଫଳର ମଧୁର ଗନ୍ଧ ଓ ପକ୍ଷୀଙ୍କର ଲଳିତ କୁହୁତାନ ଏଠାରେ ନିର୍ଭୟରେ, ନିଶ୍ଚିନ୍ତରେ ବୁଲୁଥିବା ପଥିକକୁ ମୁଗ୍‌ଧ ଓ ତନ୍ନୟ କରିଦିଏ । ଆହୁରି ଅନେକ ଛୋଟ ଛୋଟ ଦୃଶ୍ୟ ଓ ଶବ୍ଦର ସମଷ୍ଟି ପ୍ରକାଶ୍ୟରେ ଅବଧାନ ନ ହେଲେ ମଧ୍ୟ ଏଭଳି ପରିବେଶ ପାଇଁ ସ୍ଵରସିଞ୍ଜିତ ଏକ ମନୋରମ ପୃଷ୍ଠଭୂମି ସୃଷ୍ଟି କରିବାରେ ଯଥେଷ୍ଟ ଉପାଦାନ ଯୋଗାଇଥାଏ ।

 

(୧) ‘କୁମାୟୂଁର ନରଖାଦକ’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦକ

 

ଏଭଳି ସ୍ଥାନରେ ନରଖାଦକର ଭୟ ଥିଲେ ଶିକାରୀ ତନ୍ମୟତା ତେଜି ସତର୍କ ହୋଇଉଠେ ସତ; କିନ୍ତୁ ପରିବେଶ ପ୍ରତି ଉଦାସୀନ କିମ୍ବା ଅଚେତନ କେବେ ହୁଏନାହିଁ । ବରଂ ବିପଦର ଆଶଙ୍କା ଚେତନା ଓ ଉପଲବ୍‌ଧିକୁ ତୀକ୍ଷ‌୍‌ଣତର କରି ଜଙ୍ଗଲର ଅତି ଛୋଟ ଛୋଟ ଶବ୍ଦ ଓ ବସ୍ତୁଗୁଡ଼ିକ ପ୍ରତି ତା’ର ଦୃଷ୍ଟି ଆକର୍ଷଣ କରେ । ଫଳରେ ବିପଦକୁ ଠିକ୍ ଭାବେ କଳନା କରି ସେଥିପ୍ରତି ସଜାଗ ରହିବା ସଙ୍ଗେ ଶିକାରୀ ପରିବେଶର ସୌନ୍ଦର୍ଯ୍ୟପ୍ରତି ଆହୁରି ସଚେତନ ହୋଇଉଠେ । ପଥର ପଛରେ ଭୋକିଲା ବାଘ ଲୁଚିଥିଲେ ମଧ୍ୟ ପଥର ସାମନାରେ ମାଡ଼ିଥବା ଭାୟୋଲେଟ୍ ଫୁଲର କମନୀୟତା ସେଥିଯୋଗୁ ତିଳେହେଲେ ହ୍ରାସ ପାଏନାହିଁ । ଓକ୍ ଡାଳରୁ କୁଣ୍ଡାଖିଆ ଚଢ଼େଇ ଆତଙ୍କଧ୍ୱନି କରି ଆସନ୍ନ ବିପଦର ସୂଚନା ଦେଲାବେଳେ ଗଛଅଗରେ ବସିଥିବା ସିବିୟା ପକ୍ଷୀର ଲଳିତ ଗାନ ବେଶ୍ ଉପଭୋଗ କରିହୁଏ ।

 

ଯେଉଁମାନଙ୍କ ମନକୁ ଭୟ କେବେ ସ୍ପର୍ଶ କରିନାହିଁ, ସେହି ଭାଗ୍ୟବାନମାନଙ୍କ ଭିତରେ ମୁଁ ଅନ୍ତର୍ଭୁକ୍ତ ନୁହେଁ ବୋଲି ମୁକ୍ତକଣ୍ଠରେ ସ୍ଵୀକାର କରୁଛି । ପିଲାଦିନେ ଥରେ ମୋ କୁକୁର ମ୍ୟାଗଗ୍ ସହିତ ଜଙ୍ଗଲରେ ବୁଲୁ ବୁଲୁ ମହାବଳବାଘ ସାମନାରେ ପଡ଼ିଯାଇଥିଲି । ବାଘ ଶୋଇବାକୁ ଚାହୁଁଥିଲା; ଆମେ ଦୁହେଁ ଅକସ୍ମାତ୍ ସେଠାରେ ପହଞ୍ଚିଯାଇ ତା’ର ସୁଖନିଦ୍ରାରେ ବ୍ୟାଘାତ ଘଟାଇଲୁ-। ବାଘ ସେଦିନ ନଖ ଓ ଦାନ୍ତ ଦେଖାଇ ଆମକୁ ଜଙ୍ଗଲରୁ ତଡ଼ି ବାହାର କରିଦେଇଥିଲା*-। ବାଘର ନଖ ଓ ଦାନ୍ତ ପ୍ରତି ମୋର ସେଦିନ ଯେତିକି ଭୟ ଥିଲା, ବନ୍ୟଜନ୍ତୁଙ୍କ ସହିତ ଆଜୀବନ ପରିଚୟ ପରେ ମଧ୍ୟ ତାହା ତିଳେ ହେଲେ ଊଣା ହୋଇନାହିଁ । ଅବଶ୍ୟ ଜୀବନବ୍ୟାପୀ ଅନୁଭୂତି ଯୋଗୁଁ ସେ ଭୟ ଆଜି ଅନେକାଂଶରେ ସଂଯତ ଓ ଶୃଙ୍ଖଳିତ । ପିଲାଦିନେ ଜଙ୍ଗଲର ପ୍ରତ୍ୟେକ ଶବ୍ଦକୁ ଡରୁଥିଲି । କେଉଁଠି ସାମାନ୍ୟ ଶବ୍ଦ ହେଲେ ଘୋର ବିପଦ ଚାରିଆଡ଼ୁ ଏକସଙ୍ଗରେ ଘେରି ଆସିଲାପରି ଲାଗୁଥିଲା । ଏବେ ଜଙ୍ଗଲର ବହୁ ଶବ୍ଦ ଭିତରୁ ଅସଲ ସଙ୍କେତଗୁଡ଼ିକୁ ବାଛି ନେଇ ବିପଦର ସଠିକ୍ ଅବସ୍ଥିତି ଓ ପରିମାଣ ନିର୍ଣ୍ଣୟ କରିବାର ଶକ୍ତି ମୁଁ ହାସଲ କରୁଛି । ମୋ ଗୁଳି କେଉଁଠି ବାଜିବ, ପିଲାଦିନେ ତା’ର ମଧ୍ୟ କୌଣସି ଠିକଣା ନ ଥିଲା । ଏବେ ଠିକ୍ ସମୟରେ ଠିକ୍ ଜାଗାରେ ଗୁଳି ବସାଇଦେଇ ପାରିବି ବୋଲି ମୋର ନିର୍ଭର ଭରସା ଅଛି । ଅନୁଭୂତି ସହିତ ସାହସ ଓ ଆତ୍ମବିଶ୍ଵାସ ବଢ଼େ; ଯଥେଷ୍ଟ ଅନୁଭୂତି ଓ ଆତ୍ମବିଶ୍ଵାସ ନଥିବା ଶିକାରୀ ପକ୍ଷରେ ଜଙ୍ଗଲରେ ଏକାକୀ ପାଦରେ ଚାଲି ନରଖାଦକକୁ ସମ୍ମୁଖ ସଂଗ୍ରାମକୁ ଆହ୍ଵାନ କରିବା ଅତି ବୀଭତ୍ସ ଧରଣର ମୃତ୍ୟୁକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ ।

 

* ଘଟଣାଟି ‘ଜଙ୍ଗଲତଥ୍ୟ’ରେ ବର୍ଣ୍ଣିତ । –ଅନୁବାଦକ

 

ସଡ଼କର ବହୁ ସ୍ଥାନରେ ପୁରୁଣା ରାମ୍ପୁଡ଼ା ଦାଗ ଦେଖି ଜାଣିଲି ଯେ ମହାବଳବାଘ ସେବାଟେ ବାରମ୍ବାର ଯାତାୟାତ କରିଛି । ରାମ୍ପୁଡ଼ା ଦାଗ ପାଖରେ ପାହୁଲଦାଗ କିନ୍ତୁ ବାରି ହେଲାନାହିଁ । ସଡ଼କସାରା ଚିତାବାଘ, ସମ୍ବର, ଭାଲୁ, କୁଟୁରା ଓ ବାର୍‌ହା ଆଦି ଜନ୍ତୁଙ୍କର ଖୋଜ ପଡ଼ିଥିବା ଲକ୍ଷ୍ୟକଲି; କିନ୍ତୁ ବହୁତ ଖୋଜିଲା ପରେ ବି ମହାବଳବାଘର ପଞ୍ଝାଦାଗ କେଉଁଠି ଦେଖିଲି ନାହିଁ ।

 

ସଡ଼କ ଦୁଇପାଖରେ ଧଳା ପ୍ରଜାପତିଆ ରାସ୍ନାଫୁଲ ଗଛଡାଳରୁ ଝୁରାପରି ମାଳ ମାଳ ହୋଇ ଝୁଲୁଥାଏ । ଫୁଲ ଗହଳରେ ବିଚିତ୍ର ବର୍ଣ୍ଣର ଅସଂଖ୍ୟ ପ୍ରଜାପତି ଉଡ଼ି ଉଡ଼ି ବୁଲୁଥାଆନ୍ତି । ବାଟରେ ଗୋଟିଏ ଭଙ୍ଗା ଓକ୍‌ଗଛରେ ହିମାଳୈୟ କଳାଭାଲୁଟିଏ ବସାକରିଥିଲା । ବସା ବାନ୍ଧିବାରେ ସେଭଳି ଅପୂର୍ବ କାରିଗର ଆଗରୁ କେବେ ଦେଖିନଥିଲି । ଖତରା ଗଛଟି ନିଜ ଓଜନ ଯୋଗୁଁ କିମ୍ବା ଝଡ଼ବତାସରେ ଭୂଇଁରୁ ପ୍ରାୟ ଚାଳିଶଫୁଟ ଉଚ୍ଚରେ ଦୁଇଗଡ଼ ହୋଇ ଭାଙ୍ଗି ଯାଇଥିଲା-। ଥୁଣ୍ଟା ମୂଳଗଣ୍ଡିରେ ଓ ଡାଳଗୁଡ଼ିକରେ ଶିଉଳିର ବୋଳ ବସି ସେଥିରେ ପ୍ରଜାପତିଆ ରାସ୍ନା ଚେର ଧରିଥାଏ । ଗଛର ଭଙ୍ଗା ଉପରମୁଣ୍ଡକୁ ଘେରି ମଣିଷର ବାହୁମୋଟ ଡାଳଗୁଡ଼ିଏ ସଳଖରେ ଗଜୁରିଥଲା । ଡାଳଗୁଡ଼ିକୁ ଚାରିପଟୁ ଓଡ଼ାଇ ଆଣି ଭାଲୁ ତା’ ମଝିରେ ବସା କରିଥାଏ । ସହଜରେ ବାଙ୍କିଯିବା ଭଳି ଲହକା ଡାଳ ଥିବା ଗଛଗୁଡ଼ିକୁ ବାଛି ଭାଲୁ ସେଥିରେ ବସା ବାନ୍ଧନ୍ତି । ବିଭିନ୍ନ ଜାତିର ଭାଲୁ ପର୍ବତର ଦୁଇହଜାରରୁ ଆଠହଜାର ଫୁଟ ଉଚ୍ଚତା ଭିତରେ ଏପରି ବସା କରିବା ଦେଖାଯାଏ । ପର୍ବତ ତଳଆଡ଼େ ଅପେକ୍ଷାକୃତ ଅଳ୍ପ ଉଚ୍ଚତାରେ ଥିବା ବସାଗୁଡ଼ିକ ଭାଲୁକୁ ମାଛି ଓ ପିମ୍ପୁଡ଼ିଙ୍କ ଦାଉରୁ ରକ୍ଷାକରେ । ଉଚ୍ଚ ପର୍ବତରେ ରହିଥିବା ଭାଲୁଗୁଡ଼ିକ ଶୀତଦିନ ସକାଳେ ବସାରେ ବସି ଖରା ପୋଉଁଥିବା ମୁଁ କେତେଥର ଦେଖିଛି ।

 

ରାସ୍ତା ଦୁଇକଡ଼ ଘନଜଙ୍ଗଲର ଦୃଶ୍ୟ ଦେଖୁ ଦେଖୁ ବାଟଚଲା ଜଣାପଡ଼ିଲା ନାହିଁ । ଘଣ୍ଟାଏ ଚାଲିବାପରେ ଜଙ୍ଗଲ ପାରହୋଇ ପାହାଡ଼ର ଗୋଟିଏ ଘାସଭରା ଗଡ଼ାଣିରେ ପହଞ୍ଚିଲି । ତଳେ ଗାଁଟିଏ ଦେଖାଯାଉଥିଲା । ପାହାଡ଼ରୁ ମୋତେ ଗଡ଼ିବା ଦେଖି ଗାଁଲୋକେ ପାଛୋଟି ନେବାକୁ ଅଧବାଟକୁ ଆଗେଇ ଆସିଲେ । ଆଗନ୍ତୁକର ପରିଚୟ ବା ତା’ର ଆଗମନର ଉଦ୍ଦେଶ୍ୟ ନ ଜାଣି ସୁଦ୍ଧା କୁମାୟୂଁର ସବୁଆଡ଼େ ଲୋକେ ତାକୁ ଯେପରି ସାଦର ସ୍ଵାଗତ ଜଣାନ୍ତି, ତାହା ଅନ୍ୟତ୍ର ଦେଖାଯାଏନାହିଁ । ଏଥିପୂର୍ବରୁ ମୋ’ପରି ଶ୍ୱେତାଙ୍ଗ କେହି ଚାଲି ଚାଲି ତାଙ୍କ ଗାଁକୁ କେବେ ଆସିନଥିବେ ।

 

ତା’ ସତ୍ତ୍ୱେ ଗାଁରେ ମୁଁ ପାଦ ନ ଦେଉଣୁ ପଦାରେ ଗାଲିଚାଟିଏ ବିଛାହୋଇ ସେଥିରେ ଘାସବୁଣା ଖଟୁଳିଟିଏ ଥୁଆ ହୋଇଗଲା । ଆସନ ଗ୍ରହଣ କରିବା ମାତ୍ରେ ପିତଳ ବେଲାରେ ଦୁଧବେଲାଏ ଅତି ଆଦରରେ ମୋ ହାତକୁ ବଢ଼ାଇଦିଆଗଲା ।

 

ପାହାଡ଼ିଆ ଗାଉଁଲି ଲୋକଙ୍କ ଭିତରେ ଜୀବନ ଅତିବାହିତ କରି ସେମାନଙ୍କ ଭାଷା ଶିଖିବା ସଙ୍ଗେ ସଙ୍ଗେ ତାଙ୍କ ମନକଥା ମଧ୍ୟ ବୁଝିବାକୁ ମୁଁ ଶିଖିଛି । ହାତରେ ମୋର ରାଇଫଲ୍‍ ଦେଖି ମୁଁ ନରଖାଦକକୁ ମାରିବାକୁ ଆସିଥିବା କଥା ସେମାନେ ଅନୁମାନ କରି ନେଇଥାଆନ୍ତି । ‘ଗୋରାମାନେ’ ଡାକବଙ୍ଗଳା ଛଡ଼ା କେଉଁଠି ରହନ୍ତି ନାହିଁ ବୋଲି ସେମାନଙ୍କ ଧାରଣା । ନିକଟତମ ଡାକବଙ୍ଗଳା ସେଠାରୁ ତିରଶି ମାଇଲ୍ ଦୂର । ସକାଳୁ ବଙ୍ଗଳାରୁ ବାହାରି ଏତେ ଶୀଘ୍ର ତିରିଶି ମାଇଲ୍ ବାଟ ଚାଲି ତାଙ୍କ ଗାଁରେ ମୁଁ କେମିତି ପହଞ୍ଚିପାରିଲି–ତାହା ହିଁ ସେମାନଙ୍କର ଆଲୋଚନାର ବିଷୟବସ୍ତୁ ହୋଇଥାଏ ।

 

ସମବେତ ଲୋକଙ୍କ ଭିତରେ ସିଗାରେଟ୍‌ତକ ବାଣ୍ଟି ଦେଇ ଦୁଧବେଲାରେ ମୁହଁ ଲଗାଇଲି । ସ୍ଵଚ୍ଛନ୍ଦରେ କିଛ ସମୟ ସିଗାରେଟ୍ ଟାଣିବା ପରେ ଗ୍ରାମବାସୀମାନେ ନିଜଆଡ଼ୁ କଥାବାର୍ତ୍ତା ଆରମ୍ଭ କଲେ । ସବୁ ପ୍ରଶ୍ନର ଯଥାଯୋଗ୍ୟ ଉତ୍ତର ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବାପରେ ନିଜେ କେତୋଟି ପ୍ରଶ୍ନ ପଚାରି ବୁଝିଲି ଯେ ତାଙ୍କ ଗାଁର ନାଁ ‘ତର୍ମାଲି’ । ଦୀର୍ଘ କେତେବର୍ଷ ଧରି ନରଖାଦକ ତାଙ୍କ ଗାଁ ଉପରେ ବାରମ୍ବାର ଚଢ଼ାଉ କରି ଅନେକ କ୍ଷୟକ୍ଷତି ଘଟାଇଛି । କେଉଁ ବର୍ଷରୁ ତା’ର ଉପଦ୍ରବ ଆରମ୍ଭ ହେଲା, ତାହା ସଠିକ୍ କେହି କହି ପାରିଲେ ନାହିଁ-। କିଏ ଆଠବର୍ଷ କହିଲା ତ କେହି କହିଲା ଦଶବର୍ଷ । ତେବେ ସେଇ ବର୍ଷ ବଚ୍ଚି ସିଂ କାଠ ଚିରୁ ଚିରୁ ଗୋଡ଼ ଆଙ୍ଗୁଳିଟିଏ ହାଣି ଦେଇଥିଲା; ଆଉ ଦାନ୍ ସିଂ ତିରିଶି ଟଙ୍କା ଦେଇ ଖରିଦ୍ କରିଥିବା ନୂଆ ଦାମୁଡ଼ିଟା ପାହାଡ଼କଡ଼ରୁ ଖସିପଡ଼ି ମରିଗଲା–ଏ ବିଷୟରେ ସମସ୍ତେ ଏକମତ ହେଲେ । ଗତ ମାର୍ଚ୍ଚ ମାସ କୋଡ଼ିଏ ତାରିଖ ଦିନ ସ୍ତ୍ରୀଲୋକ ଦଳେ ଗାଁ ତଳ ବଗଡ଼ ବିଲରେ କାମ କଲାବେଳେ ନରଖାଦକ କୁନ୍ଦନ୍‌ର ମା’କୁ ମାଡ଼ିବସିଲା । ନରଖାଦକ ବାଘ ନା ବାଘୁଣୀ ତାହା ଠିକ୍ ଭାବେ ଜାଣି ନ ଥିଲେ ବି ତା’ର ଆକାର ସାଧାରଣ ବାଘ ଅପେକ୍ଷା ଯଥେଷ୍ଟ ବଡ଼ ବୋଲି ସମସ୍ତେ ଏକସ୍ଵରରେ ମତଦେଲେ ।

 

ବାଘ ଭୟରେ କେହି ଗାଁ ଛାଡ଼ି ପଦାକୁ ବାହାରୁ ନାହାନ୍ତି ବୋଲି ଶୁଣିଲି । ଗାଁରୁ ଦୂରରେ ଥିବା ବିଲବାଡ଼ି ସବୁ କେବଠୁଁ ପଡ଼ିଆ ପଡ଼ିଛି । ଖାଇବା ବିନା ଡହଳ ବିକଳ ହେଉଥିଲେ ବି ରସଦ୍ କିଛି ଆଣିବା ପାଇଁ ଟନକ୍‌ପୁରଯାଏଁ ଯିବାକୁ କାହାର ସାହସ ନାହିଁ । ବାଘ ତାଙ୍କ ଗାଁରୁ ବେଶିଦନ ଦୂରେଇ ରହେନାହିଁ । ମଝିରେ ମଝିରେ ଅଳ୍ପଦିନ ପାଇଁ ଅନ୍ତର ହେବାପରେ ସେ ପୁଣି ଆସି ଉତ୍ପାତ୍ ଆରମ୍ଭ କରେ । କୁମାୟୂଁ ମୁଲକର ଅନ୍ୟ କେଉଁଠା ଅପେକ୍ଷା ତାଙ୍କର ଗାଁରେ ବାଘର ଭେଟମିଳିବାର ସବୁଠାରୁ ବେଶି ସମ୍ଭାବନା ବୋଲି ଜଣାଇ ସେଠାରେ ଡେରା ପକାଇବାକୁ ସେମାନେ ନେହୁରା ହେଲେ ।

 

ପଚାଶରୁ ବେଶି ଲୋକ ମୋତେ ଘେରିବସି ରହିଯିବାକୁ ଅନୁରୋଧ କରୁଥାଆନ୍ତି । ଶରଣାଗତଙ୍କ କାତର ଅନୁନୟ ଏଡ଼ାଇ ନରଖାଦକ ପାଖରେ ସେମାନଙ୍କୁ ସମର୍ପି ଦେଇଯିବା ସବୁଦିନେ ମୋ ପକ୍ଷରେ ଅତି କଷ୍ଟକର ହୋଇପଡ଼େ; କିନ୍ତୁ ଏ ନରଖାଦକ ସହିତ ମୁକାବିଲା ପାଇଁ ମୋତେ ଯେ କୁମାୟୂଁର ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିବାକୁ ପଡ଼ିବ, ଏକଥା ବୁଝିବାକୁ ମୋର ଆଉ ବାକି ନଥିଲା । ସୁବଧା ପାଇବା ମାତ୍ରେ ତାଙ୍କ ଗାଁକୁ ଫେରିବି ବୋଲି ଲୋକଗୁଡ଼ିଙ୍କୁ କଥା ଦେଇ ସେଠାରୁ ବିଦାୟ ନେଲି । ପ୍ରାଣଭୟରେ ଥରହର ହେଉଥିବା ଏହି ଦୁର୍ଗତ ଲୋକଗୁଡ଼ିକ ମୋର ନିଷ୍ପତ୍ତି ଯେପରି ସହଜଭାବେ ଗ୍ରହଣ କରିନେଲେ–ସେଥିପାଇଁ ସେମାନଙ୍କୁ ତାରିଫ୍ ନକରି ରହିପାରୁନାହିଁ ।

 

ଜଙ୍ଗଲ ସଡ଼କ ଛାଡ଼ି ଚଲାବାଟରେ ‘ତମାଲି’କୁ ଗଡ଼ିବା ପୂର୍ବରୁ ମୋ ଲୋକଙ୍କୁ ସେଠାକୁ ବାଟ ବତାଇବା ପାଇଁ ସଡ଼କରେ ଡାଳଟିଏ ରଖି ଆସିଥିଲି । ଫେରିବାବେଳେ ଡାଳଟିକୁ ସଡ଼କରୁ ହଟାଇ ଚଲାବାଟ ମୁଣ୍ଡରେ ନେଇ ଥୋଇଲି । ପାର୍ବତ୍ୟ ଅଞ୍ଚଲର ସବୁଆଡ଼େ ଏଭଳି ସଙ୍କେତଦ୍ଵାରା ଅନୁଗମନକାରୀଙ୍କୁ ବାଟ ବତାଇ ଦିଆଯାଏ । ମୋ ଲୋକଙ୍କୁ ସେ ବିଷୟରେ କିଛି ଶିଖାଇବାକୁ ପଡ଼େନାହଁ; ରାସ୍ତାରେ ସଙ୍କେତ ଦେଖିବାମାନେ ସେମାନେ ତା’ର ଅର୍ଥ ଠିକ୍‍ଭାବେ ବୁଝିଯାଆନ୍ତି । ଛକଜାଗାରେ ସରୁ ଡାଳଟିଏ ପଥରଚାପା ଦେଇ ରାସ୍ତାଆଡ଼କୁ ମୁହାଁଇ ଥୋଇଦେଲେ ସେହି ରାସ୍ତାରେ ଯିବାକୁ ହେବ ବୋଲି ବୁଝାଯାଏ । ରାସ୍ତାମୁଣ୍ଡରେ ଛକିପରି ଖଞ୍ଜା ହୋଇଥିବା ଡାଳଦୁଇଟି ସେବାଟେ ନଯିବା ପାଇଁ ସୂଚନା ଦିଏ ।

 

ପଶ୍ଚିମକୁ ବଡ଼ ବଡ଼ ଓକ୍‌ଗଛର ଜଙ୍ଗଲରେ ପଶି ସଡ଼କଟି ସମାନ ଉଚ୍ଚତାରେ ଲମ୍ବିଯାଇଥାଏ ଅନେକ ଦୂରକୁ । ସଡ଼କ ଦୁଇକଡ଼େ କୃଷ୍ଣକେଶୀ ପର୍ଣ୍ଣୀର ଗହଳ ବଣ । ଗଛଫାଙ୍କରେ ଦେଖାଯାଉଥାଏ ନିକଟସ୍ଥ ପର୍ବତଶ୍ରେଣୀର ତୁଙ୍ଗ ଶିଖରସମୂହ । ପୃଷ୍ଠଭୂମିରେ ସୁଦୂର ହିମାଳୟର ବରଫଘେରା ଶୃଙ୍ଗଗୁଡ଼ିକ ଶ୍ରେଣୀବଦ୍ଧ ହୋଇ ଅନବଚ୍ଛିନ୍ନଭାବେ ଲମ୍ବିଯାଇଥାନ୍ତି ଦୃଷ୍ଟିପଥର ଶେଷସୀମାକୁ–

 

(ଚାରି)

 

ପାହାଡ଼ ଉପରେ ଉପରେ ପଶ୍ଚିମକୁ ଚାରି ମାଇଲ୍‍ ଯିବାପରେ ଜଙ୍ଗଲ ସଡ଼କ ଉତ୍ତରକୁ ମୋଡ଼ି ବୁଲି ତଳକୁ ଗଡ଼ିଲା । ପାହାଡ଼ତଳ ଉପତ୍ୟକାର ଉପରମୁଣ୍ଡ ଦେଇ ସଡ଼କଟି ଆରପାଖକୁ ବୁଲିଯାଇଥାଏ । ସ୍ଵଚ୍ଛ ଶୀତଳ ଝରଣାଟିଏ ବାଁ ପାଖରେ ଜଙ୍ଗଲଭରା ଉଚ୍ଚ ପାହାଡ଼ରୁ ଗଡ଼ି ଉପତ୍ୟକା ମଝିଦେଇ ବହିଯାଉଥାଏ । ଶିଉଳବୋଳା ପଥର କେତୋଟିରେ ଗୋଡ଼ ଜମାଇ ଅତି ସନ୍ତର୍ପଣରେ ଝରଣାକୁ ପାରିହେବା ପରେ ଏକ ସହଜ ଉଠାଣିରେ ଚଢ଼ି ଗୋଟିଏ ଖୋଲା ପଡ଼ିଆରେ ପହଞ୍ଚିଲି । ପଡ଼ିଆ ଆରପାଖ ଗାଁରୁ ଝିଅଦଳେ ଝରଣାରୁ ପାଣି ନେବାକୁ ଆସୁ ଆସୁ ବାଟରେ ମୋତେ ଦେଖିଦେଇ ‘‘ସାହେବ ଆସିଗଲେ ! ସାହେବ ଆସିଗଲେ !” ବୋଲି ଡାକ ପକାଇଲେ । କଥାଟା ଚାହୁଁ ଚାହୁଁ ଚାରିଆଡ଼େ ହୁରି ହୋଇଗଲା । ଗାଁରେ ମୁଁ ପାଦଦେବା ମାତ୍ରେ ମୁଖିଆଙ୍କ ସହିତ ପିଲା ବଡ଼, ସ୍ତ୍ରୀ ପୁରୁଷ ମିଶି ଗାଁର ପ୍ରାୟ ସବୁଯାକ ଲୋକ ଧାଇଁଆସି ମୋତେ ବେଢ଼ିଗଲେ ।

 

ମୁଖିଆଙ୍କଠାରୁ ଗାଁର ହାଲ ହଇକତ ଶୁଣିଲି । ଗାଁଟିର ନାଁ ତଲ୍ଲାକୋଟ୍ । ଦୁଇଦିନ ତଳେ (ଅପ୍ରେଲ ପାଞ୍ଚ ତାରିଖ ଦିନ) ଚମ୍ପାବତ୍‌ରୁ ପଟ୍‌ଓ୍ୱାରୀ ଜଣେ ତାଙ୍କ ଗାଁକୁ ଆସି ଖବର ଦେଲେ ଯେ ବାଘ ମାରିବା ପାଇଁ ନୈନିତାଲ୍‍ରୁ ସାହେବ ଜଣେ ଆସୁଛନ୍ତି । ଲୋକଙ୍କୁ ହେମତ୍‍ ଦେବାଛଡ଼ା ମୋ ସହିତ ଦେଖାକରିବା ପଟ୍‌ଓ୍ୱାରୀଙ୍କ ଉଦ୍ଦେଶ୍ୟ ଥିଲା । ଦୁର୍ଯୋଗକୁ ପଟ୍‌ଓ୍ୱାରୀ ଠିକ୍ ପହଞ୍ଚିବା ପରେ ପରେ ବାଘ ତାଙ୍କ ଗାଁର ଜଣେ ସ୍ତ୍ରୀଲୋକକୁ ମାରିଦେଲା । ଡେପୁଟି କମିଶନରଙ୍କର କଡ଼ା ବାରଣ ଥିବାରୁ ଶବ ସେ ପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ । ମୋ ପହଞ୍ଚିବାରେ ଆଉ ବେଶି ଡେରି ନାହଁ ବୋଲି ଅନୁମାନ କରି ସେଇଦିନ ସକାଳୁ ଶବକୁ ଖୋଜି ଠାବ କରିବାକୁ ଦଳେ ଲୋକଙ୍କୁ ପଠାଯାଇଛି । ଶବ ଦରଖିଆ ହୋଇଥିଲେ ସୁବିଧା ଦେଖି ପାଖରେ ମଞ୍ଚାଟିଏ ବାନ୍ଧି ଆସିବାକୁ ସେମାନଙ୍କୁ କୁହାଯାଇଛି ।

 

ମୁଖିଆ ଏସବୁ କହୁ କହୁ ଲୋକ ପଚାଶ ଜଣ ଫେରି ଆସି ସେଠାରେ ହାଜର ହେଲେ-। ବହୁତ ଖୋଜାଖୋଜି କଲାପରେ ସେମାନେ କୁଆଡ଼େ ବାଘ ଶବ ଖାଇଥିବା ସ୍ଥାନଟି ଠଉରାଇ ପାରିଲେ; କିନ୍ତୁ ଦୁଇଭାଡ଼ି ଦାନ୍ତ ଛଡ଼ା ଶବର କୌଣସି ଅଂଶ ଏପରିକି ତା’ର ଲୁଗାପଟା ମଧ୍ୟ ସେଠାରେ ପାଇଲେ ନାହିଁ । ମୃତା ସ୍ତ୍ରୀଲୋକର ସତର ବର୍ଷର ପୁଅ ଡୁଙ୍ଗର୍‍ ସିଂ ସେମାନଙ୍କ ସଙ୍ଗରେ ନଥିଲା । ତାକୁ ପଚାରିବାରୁ ମା’ ମରିଥିବା ସ୍ଥାନଟି ଦେଖାଇ ଦେବାକୁ ପିଲା ଆଗଭର ହୋଇ ବାହାରିଲା ।

 

ପଟ୍‌ଓ୍ୱାରୀ ସେତିକିବେଳକୁ ଖାଇ ବସିଥାଆନ୍ତି । ସେହି ଅବସରରେ ଦୁର୍ଘଟଣା ସ୍ଥଳଟି ଥରେ ଦେଖି ଆସିବା ପାଇଁ ବାହାରିଲି । ଡୁଙ୍ଗର୍ ସିଂ ବାଟ କଢ଼ାଇ ଆଗରେ ଚାଲିଲା । ଗାଁର ଥୋକାଏ ଲୋକ ଖଣ୍ଡେ ବାଟ ଛଡ଼ାରେ ମୋତେ ଅନୁସରଣ କଲେ । ଆଗପଛ ହୋଇ ଗାଁ ସୀମା ପାରହେବା ପରେ ପାହାଡ଼ର ଗୋଟିଏ ନୁଆଁଣିଆ ଘାଟିରେ ସମସ୍ତେ ପହଞ୍ଚିଲୁ । ଦୁଇମୁଣ୍ଡର ଉଚ୍ଚ ପର୍ବତ ମଝିରେ ଅନୁଚ୍ଚ ଘାଟିଟି ଘୋଡ଼ାପିଠିର ହାଉଦାପରି ହୋଇଥାଏ । ଘାଟି ଦୁଇପାଖେ ଦୁଇଟି ନଦୀର ଉପତ୍ୟକା । ଏଥିରୁ ବାଁ ପାଖରେ ଥିବା ଲଧ୍ୟା ନଦୀର ଉପତ୍ୟକାଟି ପଶ୍ଚିମକୁ ଦୀର୍ଘ ଦୂର ପର୍ଯ୍ୟନ୍ତ ବିସ୍ତୃତ । ଘାଟି ଡାହାଣ ପାଖ ଗଡ଼ାଣିଟି ଅପେକ୍ଷାକୃତ ତୀଖ; ପନ୍ଦର ମାଇଲ୍ ଦୂରତା ଭିତରେ ତାହା କ୍ରମଶଃ ସହଜ ହୋଇ କାଳୀ ନଦୀର ଉପତ୍ୟକା ସହିତ ମିଶିଯାଇଛି । ଉପତ୍ୟକାର ଉତ୍ତରକୁ ଛୋଟି ଛୋଟ ଘାସ ଭିତରେ କାଁ ଭାଁ ବୁଦା କେତୋଟି; ଦକ୍ଷିଣକୁ ଝାଟିବୁଦା ଆଉ ବଡ଼ ବଡ଼ ଗଛର ଗହଳ ଜଙ୍ଗଲ । ଘାଟିଠାରୁ ପ୍ରାୟ ପାଞ୍ଚଶହ ଗଜ ତଳେ ଓ ଆଠଶହରୁ ହଜାରେ ଗଜ ଦୂରରେ ଉପତ୍ୟକା ଉତ୍ତର ପାଖେ ଥିବା ଚକଡ଼ାଏ ଗହଳ ଝାଟିବୁଦା ଦେଖାଇ ଦେଇ ଡୁଙ୍ଗର୍ ସିଂ କହିଲା ଯେ ସେହି ବୁଦା ମୂଳରେ ଘାସ କାଟୁ କାଟୁ ବାଘ ତା’ ମା’କୁ ମାଡ଼ିବସିଲା ।

 

ବୁଦାଠାରୁ ଅଳ୍ପ ଦୂରରେ ଝୋଲଟିଏ । ଝୋଲା ଭିତରେ ଥିବା ଓକ୍ ଗଛରୁ ଡାଳ କେତେଟି ହନୁମାଙ୍କଡ଼ ଭାଙ୍ଗି ପକାଇଥିବା ଦୂରରୁ ଲକ୍ଷ୍ୟ କରିପାରିଲି । ଗଛଟି ଦେଖାଇ ଦେଇ ଡୁଙ୍ଗର୍ ସିଂ କହିଲା ସେ କେଇଘଣ୍ଟା ତଳେ ତା’ ମା’ର ଦାନ୍ତତକ ସେହି ଗଛମୂଳରୁ ହିଁ ମିଳିଛି । ସେମାନେ ଦଳ ବାନ୍ଧି ପାହାଡ଼ରୁ ଗଡ଼ିଲାବେଳେ ପ୍ରଥମେ ଘୁରଡ଼ଟିଏ ଓ ପରେ ଗୋଟିଏ ହନୁମାଙ୍କଡ଼ ତୁହାଇ ତୁହାଇ ବୋବାଇବାରୁ ବାଘ ନିକଟରେ କେଉଁଠି ଅଛି ବୋଲି ସେମାନେ ସନ୍ଦେହ କରିଥିବା କଥା ସେ ପ୍ରକାଶ କଲେ ।

 

ଘୁରଡ଼ ଓ ହନୁମାଙ୍କଡ଼ ଏକାସଙ୍ଗରେ ବୋବାଇବା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ଘୁରଡ଼ ବେଳେ ବେଳେ ମଣିଷ ଦେଖି ଆତଙ୍କଧ୍ୱନି କରେ । ହନୁମାଙ୍କଡ଼ କିନ୍ତୁ ମଣିଷଙ୍କୁ ଖାତର କରେନାହିଁ; କେବଳ ବାଘ ଦେଖିଲେ ସେ ବୋବାଏ । ବାଘ ଯଦି ଲୋକ ଦେଖି ସେତିକିବେଳେ ଶବ ପାଖରୁ ଅପସରି ଯାଇଥିବ, ଘୁରଡ଼ ଓ ହନୁମାଙ୍କଡ଼ ତା’ର ଦେଖା ପାଇ ବୋବାଇଥିବା ଅସମ୍ଭବ ନୁହେଁ । ଏସବୁ କଥା ମନେ ମନେ ତଉଲିନେବା ସଙ୍ଗେ ଘଟଣାସ୍ଥଳ ଓ ତା’ ଆଖପାଖ ସ୍ଥାନଗୁଡ଼ିକର ମାନଚିତ୍ରଟିଏ ମନରେ ଆଙ୍କିନେଲି । ପଟଓ୍ୱାରୀ ସେ ଉଚ୍ଚରେ ଖିଆପିଆ ସାରି ଛର୍‌ରା ବନ୍ଧୁକଟିଏ ଧରି ଘାଟି ଉପରେ ଆମ ସହିତ ଯୋଗଦେଲେ । ମଇଁଷି କଥା ପଚାରିବାରୁ ସେ କହିଲେ ଯେ ବେ’ନ୍‌ସ୍‌ଙ୍କ ବରାଦ ମୁତାବକ ମଇଁଷିହଳେ ସଙ୍ଗରେ ନେଇ ସେ ଚମ୍ପାବତ୍‍ରୁ ବାହାରିଥିଲେ । ଚାରି ତାରିଖ ଦିନ ତଲ୍ଲାକୋଟ୍‍ଠାରୁ ଦଶ ମାଇଲ୍‍ ଦୂର ଗୋଟିଏ ଗାଁରେ ପହଞ୍ଚି ସେ ଶୁଣିଲେ ଯେ ଟିକଏ ଆଗରୁ ଗାଁର ଠିକ୍ ସୀମା ବାହାରେ ବାଘ ପୂର୍ବୋକ୍ତ ପିଲାଟିକୁ ମାରିଦେଇଛି । ମଣିଷଖିଆ ବାଘ ସହିତ ମୁକାବିଲା କରିବାପାଇଁ ସେ ଅଞ୍ଚଲରେ ଶିକାରୀ କେହି ନ ଥିବାରୁ ଶବ ନେଇଯିବା ପାଇଁ ଜ୍ଞାତି କୁଟୁମ୍ବଙ୍କୁ ଅନୁମତି ଦେବାକୁ ପଡ଼ିଲା । ଘଟଣାର ବିବରଣୀ ଚମ୍ପାବତ୍‌କୁ ଜଣାଇବା ପରେ ମୋତେ ଖବର ଦେବାକୁ ତାରବାର୍ତ୍ତାଟିଏ ସେ ଟନକ୍‌ପୁର ପଠାଇଥିଲେ । ତେଣୁ ବାଘ ସନ୍ଧାନରେ ମୁଁ ପ୍ରଥମେ ସେହି ଗାଁକୁ ଯିବି ବୋଲି ଅନୁମାନକରି ମଇଁଷିହଳକ ସେଇଠି ଛାଡ଼ି ସେ ଏକାକୀ ଚାଲିଆସିଲେ ।

 

ମୋ ଲୋକମାନେ ସେତେବେଳଯାଏ ପହଞ୍ଚି ନ ଥାନ୍ତି । ପହଞ୍ଚିଲା ପରେ ଝରଣା କୂଳରେ ଖୋଲ ଜାଗା ଦେଖି ତମ୍ବୁ ପକାଇବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖିଆଙ୍କୁ କହିଗଲି । ନରଖାଦକ ବାଘ ନା ବାଘୁଣୀ–ଆଉ ବାଘୁଣୀ ହୋଇଥିଲେ ତ ସଙ୍ଗରେ ଛୁଆ ଅଛନ୍ତି ନା ନାହିଁ–ଘଟଣାସ୍ଥଳ ପରୀକ୍ଷା କରି ଏସବୁ ତଥ୍ୟ ଶୀଘ୍ର ଜାଣିବା ଜରୁରୀ ହୋଇପଡ଼ିଥାଏ । କୁମାୟୂଁର ଏସବୁ ଅଞ୍ଚଳ ସହିତ ମୋର ବିଶେଷ ପରିଚୟ ନ ଥିବା କଥା ଆଗରୁ କହିଛି । ଘଟଣାସ୍ଥଳକୁ ସୁବିଧା ବାଟଟିଏ ବତାଇଦେବାକୁ ମୁଁ ଅନୁରୋଧ କରିବାରୁ ଡୁଙ୍ଗର୍‍ ସିଂ ଅତି ଆଗ୍ରହରେ କହି ଉଠିଲା, “ମୁଁ ନିଜେ ଆପଣଙ୍କୁ ସେଠାକୁ ନେଇଯିବି ସାହେବ !”

 

ନରଖାଦକ–ଉପଦ୍ରୁତ ପାର୍ବତ୍ୟ ଅଞ୍ଚଳର ବାସିନ୍ଦାମାନଙ୍କ ଅସୀମ ସାହସ ତଥା ଅନ୍ୟ ଉପରେ ସେମାନଙ୍କ ଅଟଳ ବିଶ୍ଵାସ ସବୁଦିନେ ମୋତେ ବିସ୍ମିତ ଓ ଚମତ୍କୃତ କରିଛି । ସତର ବର୍ଷର ତରୁଣ ଡୁଙ୍ଗର୍ ସିଂ କଥା ବିଚାର କରାଯାଉ । ପିଲାଦିନୁ ଆଜିପର୍ଯ୍ୟନ୍ତ ଦୀର୍ଘ ଆଠବର୍ଷ ଧରି ନରଖାଦକ ବିଷୟରେ ନିତ୍ୟନୂତନ କେତେ ଭୟଙ୍କର କାହାଣୀ ସେ ଶୁଣିଥିବ ଓ ତା’ର ଉପଦ୍ରବଜନିତ କେତେ ଭୟାବହ ଦୃଶ୍ୟ ଆଖିରେ ମଧ୍ୟ ଦେଖିଥିବ । ଦିନକ ତଳେ ତାହାର ମା’ ନରଖାଦକର ଶିକାର ହୋଇଛି; ମାତ୍ର ଘଣ୍ଟାଏ ତଳେ ମୃତା ମା’ର ଅତି ଦୟନୀୟ ଦେହାବଶେଷ ସେ ନିଜେ ଦେଖି ଆସିଛି ଓ ନରଖାଦକ ପାଖରେ‌ କେଉଁଠି ଥିବାର ସ୍ପଷ୍ଟ ସୂଚନା ମଧ୍ୟ ପାଇଛି । ପୁର୍ବଥର ଘଟଣାସ୍ଥଳକୁ ଗଲାବେଳେ ସାଇଭାଇ ମିଶି ତିରିଶି ଜଣ ଲୋକ ତା’ ସଙ୍ଗରେ ଥିଲେ । ଏବେ ସମ୍ପୂର୍ଣ୍ଣ ଅପରିଚିତ ଜଣେ ସଦ୍ୟ ଆଗନ୍ତୁକର ସାମର୍ଥ୍ୟ ଉପରେ ଆସ୍ଥା ରଖି ନିରସ୍ତ୍ର ହୋଇ ମଧ୍ୟ ମଣିଷଖିଆ ବାଘ ପାଖକୁ ଯିବାକୁ ସେ ବିନାଦ୍ଵିଧାରେ ଯେମିତି ଆଗେଇ ଆସିଲା, ଚରମ ସାହସିକତା ଛଡ଼ା ସେଭଳି ଆଚରଣକୁ ଆଉ କ’ଣ କୁହାଯାଇ ପାରିବ ?

 

ଘାଟିରୁ ତଳକୁ ଗଡ଼ିବା ପାଇଁ ଡାହାଣପାଖ ତୀଖ ଗଡ଼ାଣିରେ ସୁବିଧା ବାଟ ନ ଥିବାରୁ ଗାଁବାଟେ ବୁଲିଯିବାକୁ ପଡ଼ିଲା । ଗାଁ ପାଖରୁ ଡୁଙ୍ଗର୍ ସିଂ ସହିତ ଗୋଟିଏ ଛେଳିଦାଣ୍ଡିରେ ଚାଲିଲି । ବାଟରେ ତାକୁ ଜଣାଇଦେଲି ଯେ ମୋ ବାଁ କାନକୁ ଭଲ ଶୁଭେ ନାହିଁ; କିଛି କହିବାକୁ ଥିଲେ ବଡ଼ପାଟି ନ କରି ଡାହାଣ କାନରେ ତୁନି ତୁନି କହିଦେବ । ପ୍ରାୟ ଚାରିଶହ ଗଜ ଆଗେଇବା ପରେ ଡୁଙ୍ଗର୍ ସିଂ ଜାଗାଏ ଅଟିକି ପଛକୁ ଫେରି ଚାହିଁଲା । ସେଆଡ଼େ ଅନାଇ ଦେଖିଲା ଯେ ପଟଓ୍ୱାରୀ ନିଜେ ପାହାଡ଼ରୁ ଗଡ଼ି ଆମ ଆଡ଼କୁ ଆସୁଛନ୍ତି; ଛର୍‌ରା ବନ୍ଧୁକଟି ଧରି ବୁହାଳି ଜଣେ ତାଙ୍କ ପଛେ ପଛେ ଚାଲିଛି । କାଳେ ସେ କିଛି ଜରୁରୀ ଖବର ଆଣୁଥିବେ ଭାବି ଅପେକ୍ଷା କଲି । ପଟଓ୍ୱାରୀ ପାଖକୁ ଆସି କହିଲେ ସେ ବନ୍ଧୁକ ବୁହାଳିକୁ ନେଇ ମୋ ସହିତ ଯିବା ପାଇଁ ସେ ଦୃଢ଼ସଂକଳ୍ପ କରି ଆସିଛନ୍ତି । ତାଙ୍କ କଥା ଶୁଣି ବଡ଼ ହତାଶ ହୋଇପଡ଼ିଲି । ପଟଓ୍ୱାରୀଙ୍କ ପରି ତାଙ୍କ ସହଚରଟି ମଧ୍ୟ ବଡ଼ ବଡ଼ ବୁଟ୍ ଜୋତା ମାଡ଼ିଥାଏ । ଶବ୍ଦ ନ କରି ବଣ ଜଙ୍ଗଲରେ ଚାଲିବା ଦୁହିଁଙ୍କ ପକ୍ଷରେ ଆଦୌ ସମ୍ଭବ ହେବନାହିଁ; କିନ୍ତୁ ମୁହଁ ଉପରେ ରୋକଠୋକ୍ ମନା କରି ନପାରି ଘୋର ଅନିଚ୍ଛାର ସହିତ ସଙ୍ଗରେ ଆସିବାକୁ ତାଙ୍କୁ ଅନୁମତି ଦେଲି ।

 

ଝାଟିବଣ ଭିତରକୁ ଚାରିଶହ ଗଜ ପଶିବା ପରେ ଅଳ୍ପ ଆୟତନର ଖୋଲା ଜାଗାଟିଏ ପଡ଼ିଲା । ଜାଗାଟି ପ୍ରାୟ ଚାରିକୋଣିଆ, ଲମ୍ବ ଓସାର ନୁହେଁ । ଛେଳିଦାଣ୍ଡି ସେହିଠାରୁ ବାଁ ଓ ଡାହାଣକୁ ଦୁଇକେନା ହୋଇ ଯାଇଥାଏ । ଡାହାଣ କେନାକୁ ଉଠାଣି ଓ ଗଡ଼ାଣି ଅନୁସାରେ ଉଠି ପଡ଼ି ପାହାଡ଼ ଉପରକୁ ଯାଇଥାଏ । ବାଁ ପାଖ କେନାଟି ଅଳ୍ପ ଦୂରରେ ଥିବା ଗୋଟିଏ ଗହୀର ଝୋଲାରେ ପ୍ରବେଶ କରିଥାଏ । ଡୁଙ୍ଗର୍ ସିଂ ଚାପାଗଳାରେ ମୋତେ ଚେତାଇ ଦେଲା ଯେ ବାଘ ତା’ ମା’କୁ ସେହି ଝୋଲାରେ ପୂରାଇ ଖାଇଛି ।

 

ଝୋଲାରେ ପଶି ପାହୁଲଦାଗ ଖୋଜିବାକୁ ମୁଁ ଚାହୁଁଥାଏ । ଏଣେ ପଟଓ୍ୱାରୀ ଓ ତାଙ୍କ ଅନୁଚରଟିର ବୁଟ୍‍ ଛାପରେ ପାହୁଲଦାଗ ଲିଭିଯିବାର ଆଶଙ୍କା । ଡୁଙ୍ଗର୍ ସିଂ ସହିତ ଦୁହିଁଙ୍କୁ ଛାଡ଼ି ଏକାକୀ ଝୋଲାରେ ପଶିବି ବୋଲି ପ୍ରସ୍ତାବ ଦେଲି । ମୋ ତୁଣ୍ଡରୁ କଥା ନ ସରୁଣୁ ଡୁଙ୍ଗର୍ ସିଂ ହଠାତ୍ ବୁଲିପଡ଼ି ଘାଟି ଆଡ଼କୁ ଏକଲୟରେ ଅନାଇ ରହିଲା । ସେଆଡ଼େ ଆଖି ଫେରାଇ ଦେଖିଲି, ଘାଟି ଉପରେ ଛିଡ଼ା ହୋଇଥିବା ଲୋକମାନେ ଆମକୁ କ’ଣ ଶୁଣାଇବାକୁ ପ୍ରବଳ ଚେଷ୍ଟା କରୁଛନ୍ତି । ତୁନି ରହିବାକୁ ଆମକୁ ସଂକେତ ଦେଇ ଡୁଙ୍ଗର୍ ସିଂ ଗଭୀର ମନଯୋଗ ସହିତ ସେମାନଙ୍କ କଥାକୁ କାନ ଡେରିଲା ଓ ମଝିରେ ମଝିରେ ମୁଣ୍ଡ ହଲାଇ କଥା ଶୁଭୁଥିବାର ସୂଚନା ଦେଲା । ଶେଷରେ ସବୁକଥା ବୁଝିଛି ବୋଲି ସେମାନଙ୍କୁ ସଙ୍କେତ ଦେଇ ଚାପାଗଳାରେ ମୋ କାନରେ କହିଲା, “ଘାଟି ଉପରୁ ମୋ ଭାଇ କହୁଛି ଯେ ତଳ ‘ଉଈରାନ୍’ରେ ନାଲି ରଙ୍ଗର କ’ଣଟିଏ ଖରାରେ ପଡ଼ିଥିବା ସେମାନେ ଦେଖିପାରୁଛନ୍ତି ।”

 

ପଡ଼ିଆ ପଡ଼ିଥିବା ବଗଡ଼ ବିଲକୁ ଏଠାରେ ‘ଉଈରାନ୍‍’ କୁହାଯାଏ । ସେଆଡ଼େ ଥରେ ଅନାଇ ଦେବାମାତ୍ରେ ସତକୁ ସତ ନାଲି ରଙ୍ଗର କ’ଣଟିଏ ନଜରରେ ପଡ଼ିଗଲା । ଜିନିଷଟି କ’ଣ ତାହା ସେତେ ଦୂରରୁ ବାରି ହେଲାନାହିଁ । ଜଙ୍ଗଲରେ ଶୁଖିଲା ଲଟାପତ୍ର ମେଞ୍ଚାଏ ଦୂରରୁ ସେମିତି ଦେଖାଯାଏ; ଅପରପକ୍ଷେ ତାହା ସମ୍ବର, ମିରିଗ କିମ୍ବା ମହାବଳବାଘ ମଧ୍ୟ ହୋଇପାରେ । ଦୈବାତ୍ ଯଦି ନରଖାଦକ ଖୋଲା ମେଲାରେ ସେଠାରେ ଶୋଇଥାଏ, ଈଶ୍ଵରଦତ୍ତ ଏପରି ଆକସ୍ମିକ ସୁଯୋଗ କଦାପି ହରାଇବାର ନୁହେଁ । ଡୁଙ୍ଗର୍ ସିଂ ହାତକୁ ରାଇଫଲ୍ ବଢ଼ାଇ ଦେଇ ପ୍ରଥମେ ପଟଓ୍ୱାରୀ ଓ ତାଙ୍କ ସାଥୀଟିର ବାହା ଧରି ନିକଟରେ ଗୋଟିଏ ମେଡ଼ଲାର ଗଛମୂଳକୁ ନେଇଗଲି । ପଟ୍‌ଓ୍ୱାରୀଙ୍କ ବନ୍ଧୁକରୁ ଛର୍‌ରାତକ କାଢ଼ିନେଇ ଦୁହିଁଙ୍କୁ ଗଛରେ ଚଢ଼ାଇ ଚେତାଇ ଦେଲି ଯେ, ପ୍ରାଣର ଆଶା ଥିଲେ ସେମାନେ ତୁନି ହୋଇ ଗଛଡାଳରେ ବସିରହିବେ ଓ ମୁଁ ନକହିବାଯାଏ କୌଣସିକ୍ରମରେ ଗଛରୁ ଓହ୍ଲାଇବେ ନାହିଁ । ଦୁହେଁ ପରମ ଆଗ୍ରହରେ ଗଛ ଅଗଯାଏ ଯେମିତି ଚଢ଼ିଗଲେ, ସେଥିରୁ ଜଣାପଡ଼ିଲା ସେ ନରଖାଦକ ଶିକାର ବିଷୟରେ ତାଙ୍କର ପୂର୍ବ ମନୋଭବ ଏହା ଭିତରେ କେତେବେଳେ ପୂରାପୂରି ବଦଳି ଯାଇଛି ।

 

ଛେଳିଦାଣ୍ଡିର ଡାହାଣ କେନାଟି ଜଙ୍ଗଲ ପାରହୋଇ ପଡ଼ିଆ ବିଲରେ ପଶିଥିଲା । ବିଲଟିର ଲମ୍ବ ଶହେ ଗଜ; କିନ୍ତୁ ଓସାର ଏମୁଣ୍ଡରେ ମୋଟେ ଦଶଫୁଟ ଓ ଆରମୁଣ୍ଡରେ ତିରିଶଫୁଟ-। ଓସାରିଆ ପାଖରେ ବନ୍ଧଟିଏ ଥାଏ । ସଳଖରେ ପ୍ରାୟ ପଚାଶ ଗଜ ଲମ୍ବ ଯିବା ପରେ ବାଁକୁ ବାଙ୍କି ଥିବାରୁ ବିଲର ଆରମୁଣ୍ଡିଟି ସେଠାରୁ ଆଦୌ ଦେଖା ଯାଉ ନ ଥାଏ । ବିଲ ସାରା ପୁଣି ଗହଳ ଯବଘାସର (୧) ଜଟାଳିଆ ଜଙ୍ଗଲ । ଆରପାଖରୁ ନାଲି ଜିନିଷଟି ପୂରା ଦେଖାଯିବ ବୋଲି ଡୁଙ୍ଗର୍ ସିଂ ମତ ଦେଲା । ପାହାଡ଼କଡ଼ ବିଲଗୁଡ଼ିକ ଉପର ତଳ ହୋଇଥିବାରୁ ତଳବିଲକୁ ଓହ୍ଲାଇପଡ଼ି ବିଲ ତଳେ ନଇଁ ନଇଁ ଦୁହେଁ ଅତି ସହଜରେ ଆର ପାଖକୁ ଚାଲିଗଲୁ ଓ ସେଠାରୁ ହାମୁଡ଼ି ହାମୁଡ଼ି ବନ୍ଧ ଉପରକୁ ଉଠି ଯବଘାସ ଆଡ଼େଇ ତଳକୁ ଅନାଇ ଦେଖିଲୁ ।

 

ବନ୍ଧତଳେ ବର୍ଷା ପାଣିର ସୁଅ ଚାଲି ଅଳ୍ପ ଓସାର ନାଳଟିଏ ଖୋଲା ହୋଇ ଯାଇଥିଲା । ନାଳ ଆରପାଖରେ ତିରିଶଗଜ ଓସାର ଏକ ତୀଖ ଘାସଭରା ଉଠାଣିର ଉପର ଆଡ଼କୁ ଗଜା ଓକ୍‌ଗଛର ଗହଳ ଜଙ୍ଗଲ । ଜଙ୍ଗଲ ଆରପାଖରେ ସେଇ ଗହୀର ଝୋଲା, ଯେଉଁଥିରେ ବାଘ ଡୁଙ୍ଗର୍ ସିଂର ମା’କୁ ଖାଇଥିଲା । ଉଠାଣିର ଠିକ୍‍ ତଳୁ ପାହାଡ଼ର ତୀଖ ଅତଟ ସଳଖରେ ଗଡ଼ିଯାଇଥାଏ ପ୍ରାୟ ଶହେଫୁଟ ତଳକୁ । ଉଠାଣି ଏପାଖରେ ବଗଡ଼ ବିଲଟିଏ; ଲମ୍ବ ତା’ର ଶହେଗଜ ଆଉ ଓସାର ମୋଟେ ଦଶଗଜ । ଆମ ପାଖକୁ ଥିବା ସଜସବୁଜ ଚକଡ଼ାଏ ବଡ଼ ବଡ଼ ଘାସ ଛଡ଼ା ବିଲସାରା ବଣସେବତୀ ପରି ଚାରି ପାଞ୍ଚଫୁଟ ଉଚ୍ଚ ଏକ ପ୍ରକାର ସୁଗନ୍ଧଯୁକ୍ତ ଗଛ ମାଡ଼ି ଯାଇଥାଏ । ବଣସେବତୀ ପରି ଏହାର ମଧ୍ୟ ପତ୍ରର ତଳପାଖଟି ଧଳା ।

 

ଘାସ ଚକଡ଼ାକରେ ଦୁଇଟି ବାଘ ପରସ୍ପରଠାରୁ ପ୍ରାୟ ଦଶଫୁଟ ଛଡ଼ାରେ ଖରାରେ ଶୋଇଥାଆନ୍ତି । ପାଖକୁ ଥିବା ବାଘଟିର ମୁଣ୍ଡ ପାହାଡ଼ ଆଡ଼କୁ ଓ ଗୋଡ଼ ଆମ ଆଡ଼କୁ ଥାଏ । ଆର ବାଘଟି ଆମ ଆଡ଼କୁ ପେଟ ଓ ପାହାଡ଼ ଆଡ଼କୁ ପିଠି କରି ଶୋଇଥାଏ । ନିକଟତର ବାଘଟିକୁ ମାରିଦେବା ଅପେକ୍ଷାକୃତ ସହଜ ହୋଇଥିଲେ ମଧ୍ୟ ଗୁଳି ଫୁଟିବା ମାତ୍ରେ ଆର ବାଘଟି ପାହାଡ଼ତଳେ ଗହଳ ବଣକୁ ଧାଇଁ ପଳାଇଯିବା ନିଶ୍ଚିତ କଥା; କିନ୍ତୁ ଦୂରରେ ଥିବା ବାଘଟିକୁ ପ୍ରଥମେ ଗୁଳିକଲେ ପାଖର ବାଘମଧ୍ୟ ପାହାଡ଼ ଉପରକୁ କିମ୍ବା ମୋ ଆଡ଼କୁ ଧାଇଁ ପଳାଇ ଆସିବାର ବେଶି ସମ୍ଭାବନା । ଟାଙ୍ଗରା ପାହାଡ଼ରେ ତାକୁ ଆଢ଼ୁଆଳ ଦେଲାଭଳି ଗଛପତ୍ର ବେଶି ନ ଥିବାରୁ ଦୂରରେ ଥିବା ବାଘଟିକୁ ହିଁ ପ୍ରଥମେ ଗୁଳିକରିବାକୁ ପ୍ରସ୍ତୁତ ହେଲି ।

 

ବାଘର ଦୂରତା ମୋ’ଠାରୁ ପ୍ରାୟ ଶହେ କୋଡ଼ିଏ ଗଜ; ସ୍ଥାନଟିର ଉଚ୍ଚତା ମଧ ବେଶିନୁହେଁ । କହୁଣୀ ଭରାଦେଇ ବିଲଧାରରେ ଭୂଇଁରେ ଶୋଇଗଲି ଓ ରାଇଫଲ୍ ସ୍ଥିର କଲାପରେ ବାଘର ହୃତପିଣ୍ଡକୁ, ଲକ୍ଷ୍ୟକରି ଅତି ସାବଧାନରେ ଘୋଡ଼ା ଟିପିଲି । ଗୁଳି ମାଡ଼ରେ ବାଘ ଟିକିଏ ବି ହଲ୍‍ଚଲ୍‍ ନ ହୋଇ ପୂର୍ବପରି ସେହିଠାରେ ପଡ଼ି ରହିଲା । ତା’ ସାଥୀଟି କିନ୍ତୁ କୁଦା ମାରି ଆଖିପିଛଡ଼ାକେ ପାଞ୍ଚଫୁଟ ଉଚ୍ଚ ବନ୍ଧଉପରେ ଯାଇ ଉଠିଲା । ସେଠାରେ ମୁହୂର୍ତ୍ତେ ଅଟକି ମୋ ଆଡ଼କୁ କଡ଼କରି ତା’ର ମଲା ସାଥୀଟିକୁ ଥରଟିଏ ଫେରି ଚାହିଁବାମାତ୍ରେ ମୋ ଗୁଳି ତା’ ଦେହରେ ବସିଗଲା । ଭାରୀ ଗୁଳିର ପ୍ରଚଣ୍ଡ ଧକ୍‌କାରେ ବାଘ ପଛ ଗୋଡ଼ରେ ଛିଡ଼ା ହୋଇପଡ଼ି ଗଛ କାଟିଲାପରି ଲେଉଟିପଡ଼ିଲା ଓ ବନ୍ଧରୁ ନାଳ ଭିତରକୁ ଖସିପଡ଼ି ନଜରରୁ ଲୁଚିଗଲା ।

 

(୧) ଯବ ଫସଲ ପରି ଦେଖାଯାଉଥିବା ଏକ ପ୍ରକାର ହିମାଳୈୟ ଘାସ । –ଅନୁବାଦକ

 

ବିଲସାର ବଣସେବତୀ ଗଛଗୁଡ଼ିଏ ମାଡ଼ିଥିବା କଥା ଆଗରୁ କହିଛି । ରାଇଫଲ୍ ଦ୍ୱିତୀୟଥର ଗର୍ଜିଉଠିବା ପରେ ପରେ ପ୍ରଥମ ବାଘଠାରୁ ଅଳ୍ପ ଛଡ଼ାରେ ଚକଡ଼ାଏ ଗଛ ହଲ୍‍ଚଲ୍‍ ହୋଇଉଠିଲା ଓ ବଡ଼ ଜନ୍ତୁଟିଏ ଗଛ ଗହଳରେ ପଶି ବିଲ ଆରପାଖକୁ ଧାଇଁଲାପରି ମନେହେଲା-। ଗଛଭିତରୁ ଜନ୍ତୁଟି ଦେଖାଯାଉ ନ ଥିଲେ ବି ମହାବଳବାଘଙ୍କର ଏତେ ନିକଟରେ ଥିବା ଜନ୍ତୁଟିଏ ବାଘ ଛଡ଼ା ଆଉ କ’ଣ ହୋଇପାରେ ? ଗଛଗୁଡ଼ିକର ଦୋହଲାରୁ ଜନ୍ତୁଟିର ଗତିପଥ ଅନୁସରଣ କରି ରାଇଫଲ୍ ମାଛିକୁ ଦୁଇଶହ ଗଜ ଦୂରତାପାଇଁ ସଜାଡ଼ି ନେଲି । ମୁହୂର୍ତ୍ତକ ଭିତରେ ଗଛ ଉହାଡ଼ରୁ ବାଘଟାଏ ବାହାରି ଆସି ବନ୍ଧ ଉପରେ ଦେଖାଦେଲା । ବନ୍ଧ ସେଠାରେ ପୂରା ସଳଖ ନ ହୋଇ ଡାହାଣକୁ ବୁଲିଯାଇଥିଲା । ଯେଉଁ ବିଲର ଧାରରେ ମୁଁ ଶୋଇଥିଲି, ସେଇଟି ମଧ୍ୟ ବନ୍ଧ ସହିତ ସମାନ୍ତରାଳ ଭାବେ ବାଁକୁ ବାଙ୍କି ଯାଇଥାଏ । ଫଳରେ ବନ୍ଧ ଉପରେ ଧାଇଁବାବେଳେ ବାଘ ମୋ’ଠାରୁ ଦୂରେଇ ଯିବା ପରିବର୍ତ୍ତେ ଆହୁରି ପାଖେଇବାକୁ ଲାଗିଲା । ପାଖକୁ ଆସିବାକୁ ତାକୁ ଯଥେଷ୍ଟ ସମୟ ସୁବିଧା ଦେଇ ଧୀରସ୍ଥିର ଭାବେ ଲକ୍ଷ୍ୟକରି ତା’ ଡାହାଣ କାନ୍ଧରେ ଗୁଳିଟିଏ ବସାଇଦେଲି ।

 

ଗୁଳିମାଡ଼ରେ ଜନ୍ତୁ ସାଧାରଣତଃ ଲେଉଟିପଡ଼ନ୍ତି କିମ୍ବା ଲୋଚା ହୋଇ ଭୂଇଁରେ ଲୋଟିଯାଆନ୍ତି । ଏ ବାଘଟା କିନ୍ତୁ ସେହିଠାରେ ଟଳିପଡ଼ି ମଲାପରି ଯେମିତି ଶୋଇଗଲା, ପଶୁଜନ୍ତୁ ସେପରି ଅତି ପ୍ରାକୃତିକ ଠାଣିରେ ମରି ଶୋଇଯିବା ପୂର୍ବରୁ କେବେ ଦେଖି ନ ଥିଲି । କିଛିସମୟ ନିଶ୍ଚଳହୋଇ ପଡ଼ିରହିବା ପରେ ବାଘ ପ୍ରଥମେ ଧୀରେ ଧୀରେ ଓ କ୍ରମଶଃ ଆହୁରି ବେଗରେ ବନ୍ଧତଳକୁ ଖସିବାକୁ ଲଗିଲା । ଗଡ଼ାଣି ତଳ ଅତଟଧାରର କେଇଫୁଟ ତଳୁ ଆଠ ଦଶ ଇଞ୍ଚ ମୋଟା ଗଜା ଓକ୍‌ଗଛଟିଏ ଉଠି ପାହାଡ଼ ଦାଢ଼ ଉପରକୁ ବଢ଼ି ଆସିଥିଲା । ଖସି ଆସୁ ଆସୁ ଗଛଗଣ୍ଡିରେ ତା’ ପେଟ ଲାଖିବା ଫଳରେ ବାଘ ପାହାଡ଼ରୁ ଖସି ନ ପଡ଼ି ଗଛ ଦୁଇ ପାଖରୁ ଲୋଚାହୋଇ ଝୁଲି ରହିଗଲା । ବାଘ ଉଠିବାକୁ ଚେଷ୍ଟାକଲେ ପୁଣି ଗୁଳି ଚଳାଇବି ବୋଲି କାନ୍ଧରେ ରାଇଫଲ୍ ଲଗାଇ ଅପେକ୍ଷା କଲି । ଉଠିବା ଦୂରେ ଥାଉ, ବାଘ ଅନେକ ସମୟ ଯାଏ ଟିକିଏ ବି ହଲ୍‌ଚଲ୍ ହେବା ନ ଦେଖି ବନ୍ଧୁକ ନୁଆଁଇ ପଟଓ୍ୱାରୀଙ୍କୁ ହାତଠାରି ପାଖକୁ ଡାକିଲି ।

 

ସର୍କସର ପ୍ରଥମଶ୍ରେଣୀ ଦର୍ଶକଙ୍କ ପରି ପଟଓ୍ୱାରୀ ମେଡ୍‍ଲାର୍ ଗଛରେ ବସି ଶିକାରର ପ୍ରତ୍ୟେକ ପର୍ଯ୍ୟାୟ ଟିକିନିଖି କରି ଦେଖୁଥିଲେ । ଡୁଙ୍ଗର୍ ସିଂ ମୋ ପାଖରେ ଭୂଇଁରେ ପେଟେଇ ପଡ଼ିଥିଲା; ନିଃଶ୍ଵାସର ଖରଗତିରୁ ତା’ର ପ୍ରବଳ ଉତ୍କଣ୍ଠା ଓ ଉତ୍ତେଜନା ସ୍ପଷ୍ଟଭାବେ ପ୍ରକାଶ ପାଉଥାଏ । ପରେ ପରେ ତିନୋଟି ବାଘ ଗୁଳି ମାଡ଼ରେ ଲୋଟିପଡ଼ିବା ଦେଖି ଡିଆଁ ମାରି ଉଠି ସେ ଆନନ୍ଦରେ ନାଚିବାକୁ ଲଗିଲା । ବାଘଙ୍କଠାରୁ ଆଖି ଫେରାଇ ଘାଟି ଉପରେ ଛିଡ଼ାହୋଇଥିବା ଗାଁବାଲଙ୍କୁ ସେ ବାରମ୍ବାର ଯେମିତ ଅନାଉଥାଏ–ସେଥିରୁ ବୁଝିଗଲି ସେ ଆସନ୍ତା କେତେ ମାସ ଯାଏଁ ଶିକାର କାହାଣୀ ଶୁଣାଇ ସେମାନଙ୍କୁ ଚକିତ ଓ ଚମତ୍କୃତ କରିଦେବା କଥା ହିଁ ତା’ ମନରେ ଏବେ ଖେଳୁଛି ।

 

ଘାସ ପାଖରେ ବାଘ ଦୁଇଟି ପାଖାପାଖି ଶୋଇଥିବା ଦେଖି ପ୍ରଥମେ ଭାବିଥିଲି ଯେ ନରଖାଦକଟି ବାଘ ଓ ଇତିମଧ୍ୟରେ ସେ ନିଜ ପାଇଁ ସାଥୀଟିଏ ବାଛି ନେଇଛି । ଗଛ ଗହଳରୁ ତୃତୀୟ ବାଘଟି ବାହାରିବା ମାତ୍ରେ ଜାଣିଗଲି ଯେ ନରଖାଦକ ବାଘୁଣୀ ଓ ଆର ଦୁଇଟି ବାଘ ତା’ର ପ୍ରାପ୍ତବୟସ୍କ ଶାବକ ମାତ୍ର । ଏସବୁ ଅଞ୍ଚଳରେ ମହାବଳବାଘ ବେଶି ସଂଖ୍ୟାରେ ମିଳନ୍ତିନାହିଁ । ମାତ୍ର ଦୁଇଦିନ ତଳେ ନରଖାଦକ ଏଠାରେ ମଣିଷ ମାରି ଖାଇଛି । ବାଘ ତିନୋଟିଙ୍କ ଆକାର ପ୍ରାୟ ସମାନ ହୋଇଥିବା ଯୋଗୁ ଛୁଆଙ୍କଠାରୁ ମା’କୁ ବାରି ହେଉ ନଥାଏ । ତେବେ ସେ ଭିତରୁ ଗୋଟିଏ ଯେ ତଲ୍ଲାଦେଶ୍‍ର କୁଖ୍ୟାତ ନରଖାଦକ–ଏଥିରେ ସନ୍ଦେହର ଆଉ ଅବକାଶ ନଥିଲା ।

 

ନରଖାଦକକୁ ଦୂରରୁ ଚିହ୍ନିବାର ଉପାୟ ନ ଥିବାରୁ ମା’ର ପାପର ଫଳ ଛୁଆ ଦୁଇଟିଙ୍କୁ ଭୋଗ କରିବାକୁ ପଡ଼ିଲା । ଅବଶ୍ୟ ମା’ ସହିତ ମିଶି ସେମାନେ ବି କେତେଥର ମଣିଷ ମାଂସ ଖାଇଥିବେ । ତେବେ ନରଖାଦକର ଶାବକ ଛୁଆ ଦିନେ ମଣିଷ ମାଂସ ଖାଇଥିଲେ ମଧ୍ୟ ନିଜେ ଶିକାରକ୍ଷମ ହୋଇ ମା’ର ସଙ୍ଗ ଛାଡ଼ିବାପରେ କେବେ ମଣିଷ ମାରେ ନାହିଁ ବୋଲି ମୋର ବିଶ୍ୱାସ-। କୁମାୟୂଁର ନରଖାଦକ ବହିରେ ମୋର ଏହି ମନ୍ତବ୍ୟ ପ୍ରକାଶ ପାଇବା ପରେ ଅନେକେ ଏହା ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଭାରତର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନରଖାଦକ ଶିକାରକରି ଯେତିକି ଅନୁଭୂତି ମୁଁ ହାସଲ କରିଛି, ତାହାରି ଉପରେ ଭିତ୍ତି କରି ଏହି ମନ୍ତବ୍ୟ ଦେଇଛି-। ପିଲାଦିନେ ମଣିଷ ଖାଇଥିବା ହେତୁ ସୁସ୍ଥ ସବଳ ମହାବଳବାଘ ମଣିଷଖିଆ ପାଲଟି ଯାଏ ନାହିଁ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବିଶ୍ଵାସ କରେ । (୧)

 

ମନ ଆନନ୍ଦରେ ଉପସ୍ଥିତ ସମସ୍ତଙ୍କୁ ସିଗାରେଟ୍‍ କେତୋଟି ବାଣ୍ଟିଦେଲି ଓ ବନ୍ଧ ଉପରୁ ଅରାମରେ ଗୋଡ଼ ଝୁଲାଇ ବସି ନିଜେ ଗୋଟିକରେ ନିଆଁ ଧରାଇଲି । ରାଇଫଲ୍ ଆଣ୍ଠୁକୁ ଡେରି ତଳେ ଥୋଇଥାଏ । ସିଗାରେଟ୍‍ ସରିବା ପରେ ବନ୍ଧ ତଳେ ନାଳରେ ପଡ଼ିଥିବା ବାଘଟିକୁ ଦେଖିବାକୁ ଯିବା ବୋଲି ସାଥିମାନଙ୍କୁ କହିଥାଏ । ବାଘ ସେଇଠି ମରି ପଡ଼ିଥିବ–ତାକୁ ପରଖିବାକୁ କେଇ ମିନଟ୍‍ ଡେରିହେଲେ କ’ଣ ବା ଯାଏ ଆସେ ? ନୀରବରେ ବସି ସିଗାରେଟ୍ ଟାଣିବା ଭିତରେ ଦିନଯାକର ଘଟଣାଗୁଡ଼ିକୁ ମନେ ମନେ ଥରେ ଗଡ଼ାଇ ନେଲି । ସାଫଲ୍ୟ ଓ କୃତି ପାଇଁ ନିଜକୁ ନିଜେ ବଧେଇ ଦେଇ ଉଚ୍ଛ୍ୱସିତ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲି ସେଦିନ । ତଲ୍ଲାଦେଶ୍‍ର ଏହି ଅତି ଭୟଙ୍କର ନରଖାଦକ ଶହ ଶହ ବର୍ଗମାଇଲ୍‍ ବ୍ୟାପୀ ଏକ ଅଞ୍ଚଳ ଉପରେ ଦୀର୍ଘ ଆଠବର୍ଷକାଳ ଅବାରିତ ଅତ୍ୟାଚାର ଚଳାଇଥିଲା । ଶିକାରକ୍ଷେତ୍ରରେ ପହଞ୍ଚିବାର ଘଣ୍ଟାକ ଭିତରେ ତା’ର ଭେଟ ପାଇଯିବା ଓ କେଇମିନିଟ୍‍ ମଧ୍ୟରେ ଦୁଇଟି ଶାବକଙ୍କ ସହିତ ତାକୁ ଶେଷ କରିଦେବା ଭଳି ଅପୂର୍ବ ସୁଯୋଗ ଓ ସଫଳତା ଶିକାରୀ ଭାଗ୍ୟରେ କେତେଥର ବା ଜୁଟେ ? ପ୍ରବଳ ଉତ୍କଣ୍ଠା ଓ ଉତ୍ତେଜନା ରକ୍ତରେ ଘୂର୍ଣ୍ଣି ସୃଷ୍ଟି କଲାବେଳେ ରାଇଫଲ୍ ନିଷ୍କମ୍ପ ଓ ଲକ୍ଷ୍ୟ ଅବ୍ୟର୍ଥ ରହିଛି, ତିନୋଟି ଗୁଳିରେ ତିନୋଟି ବାଘ ଶେଷ ପାଇଛନ୍ତି ଏବଂ ଆହାତ ଜନ୍ତୁଙ୍କୁ ଅନୁସରଣ କରିବାର ଆବଶ୍ୟକତା ନାହିଁ–ଏସବୁ ବିଚାର କଲାବେଳେ ଆଶ୍ଵସ୍ତି, ଆନନ୍ଦ ଓ ଆତ୍ମସନ୍ତୋଷରେ ଶିକାରୀର ଅନ୍ତର ଭରିଉଠିବା ତ ଅତି ସ୍ଵାଭାବିକ କଥା ।

 

(୧) ‘କୁମାୟୂଁର ନରଖାଦକ’ ବହିରେ ‘ବାଘ କାହିଁକି ମଣିଷ ଖାଏ’ ଶିରୋନାମାରେ ଲେଖକ ଏହି ମନ୍ତବ୍ୟ ଦେଇଛନ୍ତି । –ଅନୁବାଦକ

 

ତିନୋଟି ଗୁଳିରେ ପରେ ପରେ ତିନୋଟି ବାଘ ମାରିଦେବା ଭଳି ଅସାଧାରଣ କରାମତି ଯେ କେବଳ ଅତି ଆକସ୍ମିକ ଭାବେ ସମ୍ଭବ ହୁଏ–ପରେ ମୋ ଲୋକମାନେ ଏ କଥାଟିକୁ ମାନିନେବାକୁ ଆଦୌ ରାଜି ହେଲେନାହିଁ । ନୈନିତାଲ୍‍ରୁ ବାହାରିବା ପୂର୍ବରୁ ସେଠାକାର ମନ୍ଦିରର ବୃଦ୍ଧ ପୂଜକଙ୍କୁ (୧) ପାଞ୍ଜି ଦେଖାଇ ସେମାନେ ଯାତ୍ରାରମ୍ଭ ପାଇଁ ଦିନ, ବାର ଠିକ୍‍ କରିଥିଲେ । ଶୁଭ ମୁହୂର୍ତ୍ତରେ ସେମାନେ ଘରୁ ଗୋଡ଼ କାଢ଼ି ଥିଲେ; ଯାତ୍ରାରମ୍ଭବେଳେ କିଛି ଅଲକ୍ଷଣ କିମ୍ବା ବାଟରେ କୌଣସି ଅଘଟଣ ଘଟି ନଥିଲା । ବାଘ ମାରିବା ଉପରେ ମଣିଷର ହାତ ନାହିଁ ବୋଲି ମତ ଦେଇ ସେମାନେ କହିଲେ ଯେ, ଯେତେ ସାବଧାନରେ ଗୁଳି ଚଳାଇଥିଲେ ବି ଯୋଗ ଠିକ୍‍ ନ ଥିଲେ ବା ବାଘ ତିନୋଟିଙ୍କ ଆୟୁଷ ପୂରିନଥିଲେ ସେଦିନ ସେମାନେ କଦାପି ମରି ନ ଥାନ୍ତେ ।

 

ଶିକାର ସାଥୀମାନଙ୍କର ଏଭଳି କେତେକ ଧାରଣା ସବୁଦିନେ ମୋ ମନରେ କୌତୂହଳ ସୃଷ୍ଟି କରିଛି । ପାର୍ବତ୍ୟ ଅଞ୍ଚଳର ଅଧିବାସୀ ମୋର ଏହି ଅନୁଚରମାନେ ଦିଗ ଅନୁସାରେ ଯାତ୍ରା ପାଇଁ ଦିନ ବାର ଠିକଣା କରନ୍ତି । ମଙ୍ଗଳବାର ବା ବୁଧବାର ଦିନ ସେମାନେ ଉତ୍ତରକୁ ଯାଆନ୍ତି ନାହିଁ । ସେହିପରି ଗୁରୁବାର ଦିନ ଦକ୍ଷିଣକୁ, ସୋମବାର ବା ଶନିବାର ଦିନ ପୂର୍ବକୁ ଆଉ ରବିବାର ବା ଶୁକ୍ରବାର ଦିନ ପଶ୍ଚିମକୁ ଯାତ୍ରା କରିବାକୁ ସେମାନେ ନାରାଜ ହୁଅନ୍ତି । ଏସବୁ ଧାରଣାକୁ ଅନ୍ଧବିଶ୍ଵାସ କହି ମୁଁ ଉଡ଼ାଇ ଦେଇପାରୁନାହିଁ–କାରଣ ଦିଗ ଓ ଦୂରତା ନିର୍ବିଶେଷରେ ମୁଁ ମଧ୍ୟ ଶୁକ୍ରବାର ଦିନ ଶିକାରଯାତ୍ରା ଆରମ୍ଭ କରେନାହିଁ ।

 

ଶିକାରକୁ ବାହାରିବା ପୂର୍ବରୁ ପାଞ୍ଜି ଅନୁସାରେ ଦିନ ବାର ଠିକଣା କରିବାକୁ ଅନୁଚରମାନଙ୍କୁ ମୁଁ ସବୁବେଳେ ପ୍ରଶସ୍ତ ସୁଯୋଗ ଦେଇଥାଏ । କେତେକଙ୍କ ଦୃଷ୍ଟିକୋଣରୁ ଏ ସବୁ ଅତି ସାମାନ୍ୟ କଥା ହୋଇପାରେ; କିନ୍ତୁ ଏଭଳି ଅଭିଯାନରେ ନିଜ ପ୍ରତି ଘୋର ବିପଦ ବରଣ କରୁଥିବା ମୋର ଏହି ସରଳ ଲୋକଗୁଡ଼ିକ ତାହା ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରନ୍ତି । ପାଞ୍ଜି ଦେଖି ଅନୁକୂଳରେ ଘରୁ ବାହାରିଲେ ଶିକାର ଅଭିଯାନଟି ତାଙ୍କର ଖୁସିବାସିରେ କଟିଯାଏ; କିନ୍ତୁ ଅନୁକୂଳ ବିଗିଡ଼ି ଯାଇଛି ବୋଲି ଧାରଣା ଥରେ ମନରେ ପଶିଲେ, ଆସନ୍ନ ବିପଦ ଆଶଙ୍କାରେ ସେମାନେ ତ୍ରସ୍ତ ହୋଇ କାଳ କାଟନ୍ତି । ବ୍ୟକ୍ତିଗତ ବିଶ୍ୱାସର ଭିତ୍ତିଭୂମି ଯେତେ ଦୁର୍ବଳ ହେଉ ନା କାହିଁକ, ତାହା ଯଦି ଆତ୍ମପ୍ରତ୍ୟୟ ସୃଷ୍ଟିକରେ–ଅନ୍ତତଃ ସେତିକି ମନୋବଳ ପାଇବାକୁ ମୋ ଲୋକେ ଯଥାର୍ଥରେ ହକ୍‍ଦାର ବୋଲି ମୁଁ ସବୁଦିନେ ମାନିନେଇଛି ।

 

(୧) ‘ମୋର ଭାରତ’ ବହିର ପ୍ରଥମ ଅଧ୍ୟାୟଟି ଦ୍ରଷ୍ଟବ୍ୟ ।–ଅନୁବାଦକ

 

ବିଲଧାରରେ ବସି ସିଗାରେଟ୍ ଟାଣିବା ଭିତରେ ଗଛରେ ଲାଖି ଅଟକିଥିବା ବାଘଟି ମୁଣ୍ଡଆଡ଼ୁ ଧୀରେ ଧୀରେ ତଳକୁ ଖସିବାକୁ ଆରମ୍ଭକଲା । ମୁଁ ଅନାଇଥିବା ଭିତରେ ବାଘ ଗଛରୁ ମୁକୁଳି ଘାସଭରା ଗଡ଼ାଣିରେ ଗଡ଼ି ଗଡ଼ି ଯାଇ ପାହାଡ଼ ଧାରରୁ ତଳକୁ ଖସିପଡ଼ିଲା । ସେ ଶୂନ୍ୟେ ଶୂନ୍ୟେ ଖସିପଡ଼ୁଥିବା ଅବସ୍ଥାରେ ଗୋଟାଏ ଖିଆଲରେ ରାଇଫଲ୍ ଉଠାଇ ତା’ ଉପରକୁ ଗୁଳି ଚୋଟେ ଫଏର୍‍ କଲି । ଗୁଳି ଚୋଟେ ଏଭଳି ଅକାରଣ ଫୁଟାଇବା ମୂଳରେ ଅଳ୍ପ ସଫଳତା ଯୋଗୁ ମନର ଉଚ୍ଛୁଳା ଆନନ୍ଦ ଏବଂ ଦର୍ଶକ କେତେଜଣଙ୍କ ଆଗରେ ରାଇଫଲ୍ ଚାଳନାରେ ଦକ୍ଷତା ଦେଖାଇବାର ଏକ ଅହେତୁକ ଅର୍ଥହୀନ ଅଭିଳାଷ । ଶୂନ୍ୟେ ଶୂନ୍ୟେ ଖସିପଡ଼ୁଥିବା ବାଘକୁ ଗୁଳିକରି ମଧ୍ୟ ମୁଁ ଲକ୍ଷ୍ୟଭ୍ରଷ୍ଟ ହେବିନାହିଁ–ବିଶେଷ କରି ସେଭଳି ଶୁଭଦିନରେ ଲକ୍ଷ୍ୟ ବ୍ୟର୍ଥ ହେବାର ପ୍ରଶ୍ନ ମଧ୍ୟ ଉଠି ନ ପାରେ–ଏଭଳି ଏକ ଧାରଣା ହୁଏତ ମନକୁ ଛୁଇଁ ଯାଇଥିଲା ସେଦିନ । ସେ ଯାହାହେଉ, ନିଜ ଅହଙ୍କାରର ଫଳ ଶେଷରେ କିପର ଭେଗ କରିବାକୁ ପଡ଼ିଲା, ତାହା ପରେ ବର୍ଣ୍ଣନା କରିବି ।

 

ବାଘ ଦେହରେ ଗୁଳି ବାଜିଲା କି ନାହିଁ ଜାଣିବାର ଉପାୟ ନ ଥିଲା । ବାଘ ପାହାଡ଼ କଡ଼ ଘାସବୁଦା ଉପରେ ଭୁସ୍‌ଭୁସ୍ ହୋଇ ଖସି ତଳେ କଚାଡ଼ି ହୋଇ ପଡ଼ିବାର ଆବାଜ୍‍ ହେବା ପରେ ସବୁ ପୁଣି ଶୂନଶାନ୍ ହୋଇଗଲା । ମହାବଳବାଘକୁ ପାହାଡ଼ ତଳୁ ବୋହିଆଣିବା ଅପେକ୍ଷା ଅଧିକ ଜଟିଳ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ, ଏକଥା କଳ୍ପନା କରିବାକୁ ମଧ୍ୟ ସେତେବେଳେ କାରଣ ନ ଥିଲା ।

 

ସିଗାରେଟ୍ ସରିବାପରେ ବନ୍ଧତଳେ ପଡ଼ିଥିବା ବାଘଟିକୁ ପରୀକ୍ଷା କରିବାକୁ ବାହାରିଲି-। ତୀଖ ପାହାଡ଼ କଡ଼େ କଡ଼େ ପଚାଶ ଫୁଟ ଚଢ଼ିଛି କି ନାହଁ; ହଠାତ୍‍ ଡୁଙ୍ଗର ସିଂ ବିଚଳିତ ସ୍ୱରରେ ତଳୁ ଡାକ ପକାଇଲା ‘‘ଦେଖନ୍ତୁ ସାହେବ ! ବାଘ ସେଆଡ଼େ ଧାଇଁ ପଳାଉଛି ।” ନାଳରେ ପଡ଼ିଥିବା ବାଘଟି ନ ମରି କେବଳ ଜଖମ ହୋଇଥିଲା ଓ ଇତିମଧ୍ୟରେ ସାଷ୍ଟାମ ହୋଇ ସେ ଆକ୍ରମଣ କରିବାକୁ ଆସୁଛି ଭାବି ତଳେ ଆଣ୍ଠୋଇ ପଡ଼ି ରାଇଫଲ୍ ଉଠାଇଲି । ଡୁଙ୍ଗର୍ ସିଂ କିନ୍ତୁ ତଳୁ ପୁଣି ପାଟିକରି ଉଠିଲା, ‘‘ସେଆଡ଼େ ନୁହେଁ ସାହେବ–ଏଆଡ଼େ !’’ ତା’ ମା’ ଯେଉଁଠି ମରିଥିଲା, ଉପତ୍ୟକାର ସେହିଠାକୁ ସେ ଆଙ୍ଗୁଳି ଦେଖାଇଥାଏ । ସେଆଡ଼େ ଅନାଇ ପ୍ରଥମେ କିଛି ଲକ୍ଷ୍ୟ କରିପାରିଲି ନାହିଁ । ତା’ପରେ ବାଘ ଗୋଟିଏ ପର୍ବତଶାଖା ଉପରକୁ ତେର୍ଚ୍ଛାରେ ଚଢ଼ୁଥିବା ନଜରରେ ପଡ଼ିଗଲା । ଛୋଟେଇ ଛୋଟେଇ ତିନି ଚାରି ପାହୁଣ୍ଡ ଚାଲିଲା ପରେ ବାଘ ଟିକିଏ ଅଟକି ଯାଉଥାଏ । ତା’ ଡାହାଣ କାନ୍ଧରୁ ରକ୍ତ ଚକଡ଼ାଏ ଝରିଥିବା ସେତେ ଦୂରରୁ ମଧ୍ୟ ଲକ୍ଷ୍ୟ କରିପାରିଲି । ନାଳରେ ପଡ଼ିଥିବା ବାଘର ବାଁ କାନ୍ଧରେ ଗୁଳି ବସିଥିଲା । ଡାହାଣ କାନ୍ଧରେ ରକ୍ତ ଦେଖିଦେବା ମାତ୍ରେ ତାକୁ ପାହାଡ଼ତଳକୁ ଖସି ପଡ଼ିଥିବା ବାଘବୋଲି ଚିହ୍ନିପାରି ବିସ୍ମୟର ସୀମା ରହିଲାନାହିଁ ।

 

ମୋ’ଠାରୁ ଅଳ୍ପ ଛଡ଼ାରେ ପାହାଡ଼ କଡ଼ରେ ପାଇନ ଚାରାଟିଏ ଥିଲା । ବାଘ ଥିଲା ସେଠାରୁ ପ୍ରାୟ ଚାରିଶହ ଗଜ ଦୂରରେ ଓ ସାମାନ୍ୟ ଉଚ୍ଚରେ । ଚାରାଟିକୁ ବାଁ ହାତରେ ମୁଠାଇ ଧରି ହାତଉପରେ ରାଇଫଲ୍‍ ଆଶ୍ରାକରି ଥୋଇଲି ଓ ବାଘ ଥରେ ଅଟକିବା ମାତ୍ରେ ଅଚଞ୍ଚଳ ଭାବେ ଲକ୍ଷ୍ୟ କରି ଅତି ଧୀରେ ଘୋଡ଼ା ଟିପିଦେଲି । ଚାରିଶହ ଗଜ ଅତିକ୍ରମ କରିବାକୁ ଗୁଳିଟା ଅତ୍ୟଧିକ ସମୟ ନେଲାଭଳି ମନେହେଲ । ତା’ପରେ ବାଘଠାରୁ ଅଳ୍ପ ଛଡ଼ାରେ ଜାଗାଏ ଧୂଳି ଉଡ଼ିଯାଇ ଗୁଳି ତଳେ ବାଜିଥିବା କଥା ସୂଚାଇ ଦେଲା । ଲକ୍ଷ୍ୟଭ୍ରଷ୍ଟ ହେଲି ସତ, କିନ୍ତୁ ରାଇଫଲ୍‍ର ମୁହଁ କେତେ ଉଞ୍ଚାଇଦେଲେ ଲାଖ ଠିକ୍ ହେବ–ତାହା ସହଜରେ କଳିନେଇ ପାରିଲି ।

 

ଗୁଳି ଫୁଟିବାପରେ ବାଘ ସାମନାକୁ ଥରେ ଝୁଙ୍କିପଡ଼ି ପୁଣି ଝୁଲି ଝୁଲି ଧୀରେ ଧୀରେ ଆଗେଇବାକୁ ଲାଗିଲା । ଆଉ ଗୋଟିଏ ଗୁଳିରେ ତା’ର ଦଫାରଫା ହୋଇଯିବା ନିଶ୍ଚିତ କଥା; କିନ୍ତୁ ଠିକ୍ ସେତିକିବେଳକୁ ମୋ ରାଇଫଲ୍ ଖାଲି; ପାଖରେ ଆଉ ଗୋଟିଏ ହେଲେ ଗୁଳି ନାହିଁ । ନିଜର ଅବିମୃଷ୍ୟକାରିତା ଯୋଗୁ ସୁବର୍ଣ୍ଣ ସୁଯୋଗଟିକୁ ହରାଇ ନିଜକୁ ନିଜେ ଧିକ୍‍କାର କରିବା ଛଡ଼ା ମୋର ଆଉ କିଛି କରିବାକୁ ନ ଥିଲା । ଖାଲି ରାଇଫଲ୍‍ଟି ଧରି ନିରୁପାୟ ହୋଇ କେବଳ ଅନାଇ ରହିଲି । ବାଘ ସେ ଭିତରେ ପାହାଡ଼ ପିଠିରେ ପହଞ୍ଚିଗଲା ଓ ମୁହୂର୍ତ୍ତେ ସେଠାରେ ଇତସ୍ତତଃ ହେବାପରେ ଆରପାଖକୁ ଗଡ଼ି ନଜରରୁ ଲୁଚିଗଲା ।

 

ହିମାଳୟ ଅଞ୍ଚଳର ପାହାଡ଼ ଜଙ୍ଗଲରେ ଯେଉଁମାନେ ଶିକାରକରି ନାହାନ୍ତି, ସେମାନେ ନିଶ୍ଚୟ ପ୍ରଶ୍ନ କରିବେ ସେ ହାଲୁକା ୨୭୫ ରାଇଫଲ୍ ଓ ମୋଟେ ପାଞ୍ଚଟି ଗୁଳି ନେଇ ମୁଁ କେଉଁ ଅକଲରେ ମଣିଷଖିଆ ବାଘ ମାରିବାକୁ ବାହାରିଥିଲି । ସେପରି କରିବା ସପକ୍ଷରେ ମୁଁ ତିନୋଟି ମାତ୍ର କାରଣ ଦର୍ଶାଉଛି ।

 

(୧) ଦୀର୍ଘ ଆଠବର୍ଷ କାଳ ଏହି ରାଇଫଲ୍‌ଟିକୁ ମୁଁ ବ୍ୟବହାର କରିଆସିଛି । ତାକୁ ବ୍ୟବହାର କରିବାରେ ମୁଁ କେବଳ ଅଭ୍ୟସ୍ତ ନୁହେଁ ଅଭିଜ୍ଞ ମଧ୍ୟ ।

 

(୨) ହାଲୁକା ହେଲେ ମଧ୍ୟ ସ୍ଥିରଲକ୍ଷ୍ୟ ଏହି ରାଇଫଲ୍ ଦୀର୍ଘ ଦୂରକୁ ନିର୍ଭୁଲଭାବେ ଗୁଳି ନିକ୍ଷେପ କରେ । ହାଲୁକା ରାଇଫଲ୍ ଧରି ଦୂରବାଟ ଚାଲିବା ମଧ୍ୟ ଅପେକ୍ଷାକୃତ ସହଜ ।

 

(୩) କାନର ଦୁରବସ୍ଥା ଯୋଗୁଁ ଓଜନଦାର୍ ରାଇଫଲ୍ ଫଏର୍‍ କରିବାକୁ ମୋତେ ବାରଣ କରାଯାଇଥିଲା । କେବଳ ହାଲୁକା ରାଇଫଲ୍ ବ୍ୟବହାର କରିବାକୁ ଓ ଯେତେ ସମ୍ଭବ କମ୍ ଗୁଳି ଫୁଟାଇବାକୁ କର୍ଣ୍ଣେଲ୍ ବାରମ୍ବାର ମୋତେ ପରାମର୍ଶ ଦେଇଥିଲେ ।

 

ନରଖାଦକ ମଣିଷ ମାରିଥିବା ବିଷୟରେ ସଠିକ୍ ଖବର ସଂଗ୍ରହ କରିବି ଓ ଦୁର୍ଘଟଣା ସ୍ଥଳଟି ପରୀକ୍ଷା କଲାପରେ ସେଠାରେ ମଇଁଷିଟିଏ ବାନ୍ଧିବି ବୋଲି ଉଦ୍ଦେଶ୍ୟ ରଖି ସେଦିନ ସକାଳୁ ବାହାରିଥିଲି । ସେ ଭିତରେ ଅତି ଅପ୍ରତ୍ୟାଶିତଭାବେ ନରଖାଦକ ସହିତ ଅକସ୍ମାତ୍‌ ଭେଟ ହୋଇଯିବ, ତାହା ସ୍ଵପ୍ନରେ ସୁଦ୍ଧା ଭାବିନଥିଲି । ତେଣୁ ପାଞ୍ଚୋଟିରୁ ବେଶି ଗୁଳି ସଙ୍ଗରେ ନେବାର ଆବଶ୍ୟକତା ନଥିଲା । ତା’ପରେ ଗୁଳିଟିଏ ଅକାରଣ ନଷ୍ଟ କରିନଥିଲେ, ସେଇ ପାଞ୍ଚୋଟିରେ ବେଶ୍ କାମ ଚଳିଥାଆନ୍ତା ଓ କାମ ହାସଲ ହେବା ପରେ ମନସ୍ତାପ, ଅନୁଶୋଚନା ବା ଏଭଳି ପ୍ରଶ୍ନୋତ୍ତର ପାଇଁ ଅବକାଶ ମଧ୍ୟ ନ ଥାନ୍ତା !

 

ମୋ ଲୋକେ ସେ ଭିତରେ ଗାଁରେ ପହଞ୍ଚି ସାରିଥିଲେ ଓ ଗ୍ରାମବାସୀଙ୍କ ସହିତ ଘାଟି ଉପରେ ଛିଡ଼ାହୋଇ ଶିକାର ଦେଖୁଥିଲେ । ମୋ ରାଇଫଲ୍‌ର ମାଗାଜିନରେ ସର୍ବମୋଟ ପାଞ୍ଚୋଟି ଗୁଳି ଥିବା କଥା କେବଳ ସେହିମାନଙ୍କୁ ଜଣାଥିଲା । ବାଘ ଧୀର ମନ୍ଥର ଗତିରେ ସେଠାରୁ ଅପସରି ଯିବା ସତ୍ତ୍ୱେ ମୁଁ କିଛି ନ କରି କେବଳ ଜଡ଼ପରି ଛିଡ଼ା ହୋଇଛି ଦେଖି ମାଧୋ ସିଂ ଅସଲ କଥାଟା ବୁଝିପାରିଲା ଓ ଗୁଳି ମୁଠାଏ ଧରି ଘାଟି ଉପରୁ ଛୁଟିଆସିଲା ମୋ ପାଖକୁ ।

 

ଘାସବଣ ଓ ନାଳ ଭିତରେ ପଡ଼ିଥିବା ମଲା ବାଘ ଦୁଇଟିକୁ ପରୀକ୍ଷାକରି ଦେଖିଲି ଯେ ସେ ଦୁଇଟି ପ୍ରାପ୍ତବୟସ୍କ ଶାବକ; ଅସଲ ନରଖାଦକ ନୁହନ୍ତି । ଖସି ପଲାଇ ଥିବା ବାଘୁଣୀଟି ତାଙ୍କ ମା’ ଓ ସେହି ହିଁ ତଲ୍ଲାଦେଶ୍‍ର କୁଖ୍ୟାତ ନରଖାଦକ ଜାଣି ହତାଶରେ ମନ ଭରିଗଲା । ମଲା ବାଘ ଦୁଇଟିଙ୍କୁ ଗାଁକୁ ବୋହି ନେବାର ଦାୟିତ୍ଵ ମାଧୋ ସିଂ ଓ ଡୁଙ୍ଗର୍ ସିଂଙ୍କ ଉପରେ ଛାଡ଼ି ବାଘୁଣୀକୁ ଅନୁସରଣ କରିବାରେ ମନ ଦେଲି । ପାହାଡ଼ ଦାଢ଼ରୁ ଖସିଲାପରେ ପଟାଳିଏ ବାକେନ ପର୍ଣ୍ଣୀ ଭତିରେ ସେ ପଡ଼ିଥିଲା । ସେଠାରୁ ଅତି ଅସ୍ପଷ୍ଟଭାବେ ପଡ଼ିଥିବା ଧାରେ ରକ୍ତକୁ ଅନୁସରଣ କରି କରି ପାହାଡ଼ ଉପରକୁ ଚଢ଼ି ଦେଖିଲି ସେ ଶେଷ ଗୁଳିରେ ବାଘ ପିଠିରୁ ରୁମ କିଛି କଟି ତଳେ ଝଡ଼ିପଡ଼ିଛି । ବାଘୁଣୀ ଚମକିପଡ଼ି ଆଗକୁ ଝୁଙ୍କିପଡ଼ିଥିବା ଯୋଗୁଁ ସେଠାରେ ଅପେକ୍ଷାକୃତ ବେଶି ରକ୍ତ ବି ଝରିଥିଲା । ଆଗକୁ ପାହାଡ଼ ପିଠି ପର୍ଯ୍ୟନ୍ତ ବାଟସାରା କେମିତି ଟୋପାଏ ଦୁଇଟୋପ ରକ୍ତ-। ପାହାଡ଼ ଆରପାଖ ଗଡ଼ାଣିର ପଟାଳିଏ ଟାଉଁସିଆ ଘାସ ଭିତରେ ସେତିକି ଚିହ୍ନ ବି ହରାଇ ବସିଲି-। ଆଗକୁ ପାହାଡ଼ କଡ଼ରେ ପ୍ରାୟ ତିନିଶହ ଗଜ ଲମ୍ବ ଓ ଶହେ ଗଜ ଓସାର ଚକଡ଼ାଏ ଝାଟିବଣ ଦେଖି ବାଘୁଣୀ ତାହାରି ଭିତରେ ଲୁଚିଛି ବୋଲି ନିର୍ଭର ଧାରଣା ହେଲା । ସେତେବେଳକୁ ସନ୍ଧ୍ୟା ଘନେଇଲାଣି; ନିଶାଣ କରିବାକୁ ଆଲୁଅ ଆଉ ଅଣ୍ଟିବନାହିଁ । ପରଦିନ ବେଳାବେଳି ଆସି ବଣରେ ବାଘୁଣୀ ଖୋଜି ଠାବ କରିବି ବୋଲି ସ୍ଥିର କରି ସେହିଠାରୁ ଗାଁକୁ ବାହୁଡ଼ିଲି ।

 

Unknown

(ପାଞ୍ଚ)

 

ପରଦିନ ସକାଳଓଳିଟା ବାଘ ଦୁଇଟିଙ୍କ ଛାଲ ଉତାରିବାରେ ଗଲା । ନୈତିତାଲ୍‍ରୁ ଖାସ୍‌କରି ସେଇଥିପାଇଁ ଛଅଇଞ୍ଚିଆ କଣ୍ଟା କିଛି ସଙ୍ଗରେ ଆଣିଥିଲି । ଚମ ଦୁଇଟି ଉତାରି କଣ୍ଟାମାରି ଫର୍ଚ୍ଚାଇ ଶୁଖାଇବା ଭିତରେ ଶହେରୁ ବେଶି ଶାଗୁଣା ଆସି ଡେରା ଚାରିପଟ ଗଛଡାଳରେ ଟାକି ବସିଥାଆନ୍ତି । ଚମଛଡ଼ା ଲାସ୍ ଦୁଇଟାଙ୍କୁ ଖାଇ ଶେଷ କରିବାକୁ ଶାଗୁଣାଙ୍କୁ ଛାଡ଼ିଦେଲି । ବାଘ ଦୁଇଟାଙ୍କ ପେଟ ଚିରି ଶାଗୁଣା ଅନ୍ତପୁଟା ବାହାର କରିଦେବା ପରେ ମୃତା ସ୍ତ୍ରୀଲୋକଟିର ଲୁଗାପଟାତକ ତାହାରି ଭିତରୁ ମିଳିଲା । ଲୁଗାଗୁଡ଼ିକୁ ଫଡ଼ା ଫଡ଼ା କରି ଚିରି ବାଘ ଦୁଇଟା ତାକୁ ଗିଳି ଦେଇଥିଲେ ।

 

ଚମ ଉତାରିଲାବେଳେ ଗାଁଯାକ ଲୋକ ମୋତେ ଘେରି ବସିଥିଲେ । କଥା ପ୍ରସଙ୍ଗରେ ବାଘୁଣୀ ଝାଟିବଣରେ ପଶିଥିବା ବିଷୟ ଉଠାଇ ସେଥିରୁ ତାକୁ ଘଉଡ଼ାଇ ବାହାର କରିବା ପାଇଁ ସେମାନଙ୍କ ସାହାଯ୍ୟ ଲୋଡ଼ିଲି । ଗ୍ରାମବାସୀମାନେ ଖୁସିରେ ରାଜି ହୋଇଗଲେ । ଦିନ ଦୁଇପହର ବେଳକୁ ସମସ୍ତେ ଦଳବାନ୍ଧି ବାହାରି ପଡ଼ିଲୁ । ଲୋକ ଦଳକ ଘାଟିବାଟେ ଚଢ଼ି ପାହାଡ଼ କଡ଼ ଝାଟିବଣ ଉପର ପାଖକୁ ଚାଲିଗଲେ । ପୂର୍ବସନ୍ଧ୍ୟାରେ ବାଘୁଣୀକୁ ଅନୁସରଣ କରି ପାହାଡ଼ ପିଠିରେ ଯେଉଁଯାଏଁ ଯାଇଥିଲି, ଛେଳିଦାଣ୍ଡିରେ ଉପତ୍ୟକା ପାର ହୋଇ ଝାଟିବଣ ତଳେ ଯାଇ ପୁଣି ସେଇଠି ପହଞ୍ଚିଲି । ବଣ ତଳମୁଣ୍ଡରେ ଛୋଟ ଘର ଆକାରର ପ୍ରକାଣ୍ଡ ପଥରଟିଏ ପଡ଼ିଥିଲା । ପଥର ଉପରେ ଚଢ଼ି ଯିବାପରେ ବଣ ଆରପାଖରୁ ଘଉଡ଼ାଳିମାନେ ମୋତେ ସହଜରେ ଦେଖି ପାରିଲେ ।

 

ପଥର ଉପରେ ଛିଡ଼ା ହୋଇ ଟୋପି ହଲାଇ ଘଉଡ଼ା ଆରମ୍ଭ କରିବାକୁ ସଙ୍କେତ ଦେଲି-। ଘାଇଲା ବାଘୁଣୀ ହଠାତ୍ ବୁଲିପଡ଼ି କାହାକୁ କାଳେ ଆକ୍ରମଣ କରିବ, ଏଇ ଭୟଭେ ବଣରେ ନ ପଶି କେବଳ ତାଳିମାରି ଓ ପାଟିତୁଣ୍ଡ କରି ପାହାଡ଼ରୁ ଝାଟିବଣକୁ ପଥର ଗଡ଼ାଇବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲି । ପ୍ରବଳ ପାଟିତୁଣ୍ଡ ହୋଇ ପାହାଡ଼ରୁ ଢେର୍ ଗୁଡ଼ିଏ ପଥର ଗଡ଼ାଯିବା ପରେ କେବଳ କୁଟୁରାଟିଏ ଓ ପାହାଡ଼ିଆ କୁକୁଡ଼ା କେତୋଟି ବଣରୁ ହୁରୁଡ଼ି ବାହାରି ପଡ଼ିଲେ-। ଝାଟିବଣର ପ୍ରତି ବୁଦାକୁ ନିୟମମତେ ଟେକା ପଥର ପକାଇ କିଛି ଫଳ ନ ହେବାରୁ ଘଉଡ଼ା ସେତିକିରେ ବନ୍ଦ କରି ଲୋକମାନଙ୍କୁ ଗାଁକୁ ଫେରଯିବାକୁ ସଙ୍କେତ ଦେଲି ।

 

ଗାଁକୁ ସମସ୍ତେ ଫେରିଯିବାପରେ ଏକାକୀ ଝାଟିବଣରେ ପଶିଲି ଓ ବାଘୁଣୀର ଭେଟ ମିଳିବାର ଆଉ ବିଶେଷ ଆଶା ନ ଥିଲେ ମଧ୍ୟ ବଣଟିକୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ତନ୍ନତନ୍ନ କରି ଖୋଜିନେଲି । ପୂର୍ବ ସନ୍ଧ୍ୟାରେ ବାଘୁଣୀ ଛୋଟେଇ ଛୋଟେଇ ଅତି କଷ୍ଟରେ ପାହାଡ଼ ଚଢ଼ିଲା ପରି ଜଣାପଡ଼ୁଥିଲା । ରକ୍ତଧାର ପରୀକ୍ଷା କଲା ପରେ ମୋର କିନ୍ତୁ ମନେହୋଇଥିଲା ଯେ ଗୁଳି ତା’ ଦେହର ବେଶି ଭିତରକୁ ଭେଦ କରିନାହିଁ । ସାମାନ୍ୟ ଆଘାତରେ ବାଘୁଣୀ ମଲାପରି କାହିଁକି ଶୋଇଗଲା ଓ ଗଛରେ ଲାଖି ଅଟକିବାର ପୂରା ଦଶ ମିନିଟ୍ ପର୍ଯ୍ୟନ୍ତ ଲୋଚା ହୋଇ କାହିଁକି ଝୁଲିରହିଲା, ତା’ର କାରଣ ସେତେବେଳେ ବୁଝି ପାରି ନ ଥିଲି । ବାଘୁଣୀ ମଲାପରେ ସେ ରହସ୍ୟ ଭେଦକରିବା ସମ୍ଭବ ହେଲା । ନିକେଲ୍, ଖୋଳ ଥିବା ମୋର ନରମ ଗୁଳିଟି ବାଘୁଣୀର କାନ୍ଧ ହାଡ଼ରେ ବାଜି କବ୍‌ଜା ଭିତରେ ପୂରା ଚଟକା ହୋଇ ବସିଯାଇଥିଲା । ପ୍ରବଳ ବେଗବାନ ଏ ସରୁ ନରମ ଗୁଳି ହାଡ଼ରେ ବାଜି ଅଟକିଗଲେ ଜନ୍ତୁକୁ ଘୋର ବାଧା ହୋଇଯାଏ । ତେବେ ବାଘୁଣୀ ପରି ପ୍ରଚଣ୍ଡ ଶକ୍ତଶାଳୀ ଜନ୍ତୁ ହାଲୁକା ରାଇଫଲ୍‍ର ଗୋଟିଏ ଗୁଳିରେ ଯେ ଚେତା ହରାଇ ପଡ଼ିରହିବ, ଆଖିରେ ଦେଖିଥିଲେ ବି ଏକଥା ମୁଁ ଆଜିଯାଏ ସମ୍ପୂର୍ଣ୍ଣଭାବେ ବିଶ୍ଵାସ କରିପାରିନାହିଁ ।

 

ପାହାଡ଼ ପିଠିରେ ଛିଡ଼ାହୋଇ ଆଖପାଖ ଅଞ୍ଚଳ ଉପରେ ଥରେ ଆଖି ବୁଲାଇ ନେଲି । ଦୀର୍ଘ କେତେ ମାଇଲ୍ ଲମ୍ବ ଏହି ପାହାଡ଼ ଓ ତା’ ଦୁଇପାଖେ ଥିବା ଉପତ୍ୟକାକୁ ପୂର୍ବରୁ ବର୍ଣ୍ଣନା କରିଛି । ପୂର୍ବୋକ୍ତ ଝାଟିବଣଟି ଥିଲା ପାହାଡ଼ ବାଁ ପାଖ ଘାସଭରା ଉପତ୍ୟକା ଉପରମୁଣ୍ଡରେ । ପାହାଡ଼ ଡାହାଣ ପାଖ ଉପତ୍ୟକାର ଉପରପାଖେ ଥିବା ଗହୀର ଝୋଲାଟିରେ ବାଘୁଣୀ ଡୁଙ୍ଗର୍ ସିଂର ମା’କୁ ରଖି ଖାଇଥିଲା । ସେଇ ଉପତ୍ୟକାଟିର ଡାହାଣ ଅଧରେ ବଡ଼ ବଡ଼ ଗଛ ଓ ଗହଳ ଝାଟିବଣ । ପାହାଡ଼ର ବାଁ ପାଖ ତୀଖ ଉଠାଣିରେ ସରୁ ଗୋଡ଼ି ପରସ୍ତେ ବିଛାଇହୋଇ ପଡ଼ିଥିବା ଲକ୍ଷ୍ୟ କଲି ।

 

ପାହାଡ଼ର ଗୋଟିଏ ପଥର ଉପରେ ବସି ସିଗାରେଟରେ ନିଆଁ ଧରାଇଲି ଓ ପୂର୍ବ ସନ୍ଧ୍ୟାର ଘଟଣାଗୁଡ଼ିକର ସମୀକ୍ଷା କରି ନିମ୍ନଲିଖିତ କେତୋଟି ସିଦ୍ଧାନ୍ତରେ ପହଞ୍ଚିଲି ।

 

୧ । ଗୁଳି ଖାଇବା ପରଠାରୁ ପାହାଡ଼ରୁ ତଳକୁ ଖସିପଡ଼ିବାଯାଏ ବାଘୁଣୀ ପୂରା ଅଚେତ ଥିଲା ।

 

୨ । ଖସିପଡ଼ିଲାବେଳେ ଗଛଲଟାରେ ବାଧା ପାଇ ଅଟକିବା ଓ ଶେଷରେ ନରମ ପର୍ଣ୍ଣୀ ଭିତରେ ପଡ଼ିଥିବାଯୋଗୁଁ ବାଘୁଣୀ ପ୍ରାଣ ହରାଇଲା ନାହିଁ । ତେବେ ପଡ଼ିବାର ଦୀର୍ଘସମୟ ପରଯାଏ–ଏପରି କି ସେଠାରୁ ଅପସରି ଯିବାବେଳେ ମଧ୍ୟ ସେ ଅର୍ଦ୍ଧଚେତ ଅବସ୍ଥାରେ ହିଁ ଥିଲା ।

 

୩ । ନିର୍ଦ୍ଦିଷ୍ଟ କୌଣସି ଉଦ୍ଦେଶ୍ୟ ରଖି ବାଘୁଣୀ ପାହାଡ଼ ଚଢ଼ି ନ ଥିଲା । ସମ୍ପୂର୍ଣ୍ଣ ସଚେତ ନ ଥବା ହେତୁ ବୁଲି ବାଙ୍କି ପଳାଇଯିବା ପରିବର୍ତ୍ତେ ସେ ସିଧାସଳଖ ଆଗେଇ ଚାଲିଥିଲା ଓ ପାହାଡ଼ଟିକୁ ସାମନାରେ ପାଇ ଯନ୍ତ୍ରଚାଳିତ ପରି ସେଥିରେ ଚଢ଼ିବାକୁ ଲାଗିଥିଲା ।

 

ପାହାଡ଼ ପିଠିରୁ ଗଡ଼ିଲାପରେ ବାଘୁଣୀ କେଉଁ ଦିଗକୁ ବା କେତେ ଦୂରକୁ ଯାଇଛି, ଏ ପ୍ରଶ୍ନ ସେପର୍ଯ୍ୟନ୍ତ ଅମୀମାଂସିତ ରହିଥାଏ । ସାମନା ଗୋଡ଼ରେ ଜଖମ ଥିଲେ ପଶୁଜନ୍ତୁଙ୍କ ପକ୍ଷରେ ଆରୋହଣ ଅପେକ୍ଷା ଅବରୋହଣ ବେଶି କଷ୍ଟକର ହୋଇଉଠେ । ପାହାଡ଼ରୁ ଗଡ଼ିଲାବେଳେ ବାଘୁଣୀ କଷ୍ଟ ଅନୁଭବ କରିଥିବ ଓ ବେଶି ତଳକୁ ଓହ୍ଲାଇ ନପାରି ନିଶ୍ଚୟ ଆଖପାଖରେ କେଉଁଠି ଆଶ୍ରୟ ଖୋଜିଥିବ । ତାକୁ ଆଢ଼ୁଆଳ ଦେବାଭଳି ଜଙ୍ଗଲ ଥିଲା ପାହାଡ଼ ଆରପାଖ ଗଡ଼ାଣିରେ । ସେଠାକୁ ଯିବାକୁ ଅଳ୍ପ ଓସାର ପାହାଡ଼ ପିଠିକୁ ଆଉ ଥରେ ପାରହେବାକୁ ସେ ବାଧ୍ୟ ହୋଇଥିବ । ପାହାଡ଼ ପିଠିକୁ ସେ ଠିକ୍ କେଉଁଠାରେ ଅତିକ୍ରମ କରିଛି, ସେତିକି ଜାଣିଲେ ତା’ର ଗତିପଥ ନିର୍ଣ୍ଣୟ କରିବା କଷ୍ଟକର ହେବ ନାହିଁ । ପରିସ୍ଥିତି ଅନ୍ୟପ୍ରକାର ହୋଇଥିଲେ ଏପରି ଦୀର୍ଘ ପୃଷ୍ଠ ଏକ ପାହାଡ଼, ପିଠିରେ ବାଘୁଣୀର ପାହୁଲଦାଗ ଖୋଜିବୁଲିବା ମୂର୍ଖତା ହୋଇଥାଆନ୍ତା । ଏ ପାହାଡ଼ଟି କିନ୍ତୁ ସେଥିପାଇଁ ବିଶେଷ ସୁବିଧାଜନକ ହୋଇଥିବା ଲକ୍ଷ୍ୟକଲି । ଧାର ପରି ସଂକୀର୍ଣ୍ଣତାର ପିଠି ଉପରେ ବନ୍ୟଜନ୍ତୁଙ୍କର ଚଲାବାଟଟିଏ ଦୀର୍ଘ ଦୂରକୁ ଲମ୍ବିଥାଏ । ବାଟ ଦୁଇପାଖ ଗଡ଼ାଣି ଭିତରୁ ବାଁ ପାଖ ଘାସଭରା ଗଡ଼ାଣିଟି ସେତେ ବେଶି ଢାଲୁ ନ ଥିଲା । ଡାହାଣକଡ଼ ଗଡ଼ାଣିଟି କିନ୍ତୁ ଅତିଶୟ ତୀଖ; ସରୁଗୋଡ଼ି ପଡ଼ିଥିବାଯୋଗୁଁ ସେ’ଟି ଅତ୍ୟଧିକ ଖସଡ଼ା ମଧ୍ୟ ହୋଇଥାଏ । ଗଡ଼ାଣିତଳୁ ପାହାଡ଼ କଡ଼ ପ୍ରାୟ ସଳଖରେ ଖସିଯାଇଥାଏ ଶହ ଶହ ଫୁଟ ତଳକୁ ।

 

ସିଗାରେଟ୍ ସାରି ପାହୁଲଦାଗ ଖୋଜି ଖୋଜି ଚଲାବାଟରେ ଆଗେଇଲି । ବାଟ ସାରା ଘୁରଡ଼, ବାଲିହରିଣ, ଝିଙ୍କ ଓ ହନୁମାଙ୍କଡ଼ଙ୍କ ପାଦଚିହ୍ନ ପଡ଼ିଥିଲା । ଜାଗାଏ ପୁରୁଷ ଚିତାବାଘର ପଞ୍ଝାଦାଗ ମଧ୍ୟ ଦେଖିଲି; କିନ୍ତୁ ମହାବଳବାଘ ସେ ବାଟେ ଯାଇଥିବାର କୌଣସି ଚିହ୍ନ ବା ଲକ୍ଷଣ ଦେଖିଲି ନାହିଁ । ସଂକୀର୍ଣ୍ଣ ଚଲାବାଟଟିରେ ପାହୁଲଦାଗ ଠଉରାଇ ନ ପାରିଲେ ବାଘୁଣୀର ଆଉ ଟେର୍ ପାଇବି ନାହିଁ ବୋଲି ଜାଣିଥାଏ । ତେଣୁ ଲକ୍ଷ୍ୟହୀନଭାବେ ଅଗ୍ରସର ହେବା ଭିତରେ ଆଶା ଭରସା ପ୍ରତି ପାହୁଣ୍ଡରେ କମି କମି ଆସୁଥାଏ । ଏକଲୟରେ ବାଟକୁ ଅନାଇ ଅନାଇ ଆହୁରି ମାଇଲିଏ ଅତିକ୍ରମ କଲି । ଜାଗାଏ ଘୁରଡ଼ ହଳେ ବାଟକଡ଼ ବୁଦାଭିତରୁ ତରକି ବାହାରି ଆସି ଘାସଭରା ଗଡ଼ାଣିରେ ପାହାଡ଼ ତଳ ଆଡ଼କୁ ଧାଇଁ ପଳାଇଲେ । ଆହୁରି କେଇ ପାହୁଣ୍ଡ ଆଗେଇଛି, ହଠାତ୍‌ ରାସ୍ତା ମଝିରେ ବାଘୁଣୀର ପାହୁଲଦାଗ ସହିତ ରକ୍ତ ଟୋପାଏ ପଡ଼ିଥିବା ଦେଖି ମନ ଆନନ୍ଦରେ ନାଚି ଉଠିଲା ।

 

ପୂର୍ବ ସନ୍ଧ୍ୟାରେ ବାଘୁଣୀ ଘାସଭରା ଗଡ଼ାଣିଟିରେ ପାହାଡ଼ପିଠିରୁ ଖଣ୍ଡେବାଟ ତଳକୁ ଗଡ଼ିଥିଲା । ସେ ଭିତରେ କେତେବେଳେ ସେ ଚେତା ଫେରିପାଇ ବାଟ ଭାଙ୍ଗି ସେହିଠାରୁ ଚଲାବାଟରେ ହିଁ ଆଗେଇଥିଲା । ବାଟେ ବାଟେ ଅଧମାଇଲ୍ ଚାଲିବା ପରେ ସେ ଯେଉଁଠି ପହଞ୍ଚିଥିଲା, ଗୋଡ଼ିଭରା ଖସଡ଼ା ଗଡ଼ାଣିଟି ସେଠାରେ ମୋଟେ ପନ୍ଦର ଫୁଟ ଓସାର । ପାହାଡ଼ ଆରପାଖ ଜଙ୍ଗଲରେ ପଶିଯିବାପାଇଁ ଗଡ଼ାଣିକୁ ପାର ହେବାକୁ ପ୍ରୟାସ କରୁ କରୁ ହୁଏତ ତା’ର ଅସଜ ଗୋଡ଼ଟା ଗୋଡ଼ିରେ ଖସିଗଲା କିମ୍ବା ମୁଣ୍ଡ ଘୂରାଇଯିବା ଫଳରେ ନିଜକୁ ଆଉ ରୋକି ନପାରି ଗୋଡ଼ି ଉପରେ ମୁହଁ ମାଡ଼ି ପଡ଼ି ତଳମୁହାଁ ହୋଇ ଖସିଗଲା ପାହାଡ଼ ତଳଆଡ଼କୁ । କେଇଗଜ ଘୁଷୁରି ଯିବାପରେ ସେ ବୁଲିଯାଇଥିଲା ଓ ଭୂଇଁକୁ ନଖରେ ରାମ୍ପୁଡ଼ି ନିଜକୁ ଅଟକାଇବାକୁ ପ୍ରବଳ ଚେଷ୍ଟା ମଧ୍ୟ କରିଥିଲା । ଗୋଡ଼ ଚାରିଟା ତା’ର ଫରକଟା ହୋଇ ଭୂଇଁରେ ଗହୀର ରାମ୍ପୁଡ଼ାଦାଗ ପଡ଼ିଥାଏ । ଶେଷସୁଦ୍ଧା ନିଜକୁ ରୋକି ନ ପାରି ବାଘୁଣୀ ଖସି ପଡ଼ିଥିଲା ଅତଳ ଗହୀରରେ ଥିବା ପାହାଡ଼ତଳ ଝୋଲା ଭିତରକୁ ।

 

ପାହାଡ଼ ପର୍ବତର ଅତି ଦୁର୍ଗମ ସ୍ଥାନମାନଙ୍କରେ ଅନାୟାସରେ ଗୋଡ଼ ଜମାଇ ଚାଲିବା ମୋର ପିଲାଦିନୁରୁ ଅଭ୍ୟାସ । ଗୋଡ଼ିଭରା ଗଡ଼ାଣିଟି କିନ୍ତୁ ଏଡ଼େ ଖସଡ଼ା ହୋଇଥିଲା ଯେ ସେଥିରେ ପାହୁଣ୍ଡେ ଆଗେଇବାକୁ ବି ସାହସ ପାଇଲା ନାହିଁ । କେଇଶହ ଗଜ ଆଗକୁ ପାହାଡ଼ କଡ଼ରେ ଥିବା ଗୋଟିଏ ଓସାରିଆ ଫାଟରେ ଗୋଡ଼ ଦେଇ ଧୀରେ ଧୀରେ ଝୋଲାକୁ ଓହ୍ଲାଇଗଲି । ତିରିଶଗଜ ଓସାର ଝୋଲାଟି ବଡ଼ ବଡ଼ ପଥରରେ ଭରା । ପ୍ରାୟ ଅଶୀଫୁଟ ଉଚ୍ଚରୁ ଖସି ପଥର ଉପରେ କଚାଡ଼ିହୋଇ ପଡ଼ିବା ପରେ କୌଣସି ଜନ୍ତୁ ଯେ କେବେ ବଞ୍ଚିପାରିବ, ଏହା ବିଶ୍ଵାସ କରି ନ ଥିଲି । ବାଘୁଣୀ ମରିଥିବ ବୋଲି ପ୍ରବଳ ଆଶା ବାନ୍ଧି ତାକୁ ଖୋଜିବାକୁ ବାହାରିଲି । ଦୂରରୁ ବଡ଼ ଜନ୍ତୁଟିଏ ପାହାଡ଼ତଳେ ଚିତ୍ ହୋଇ ପଡ଼ିଥିବା ଦେଖି ଆଶା ଆକାଂକ୍ଷା ଆକାଶ ଛୁଇଁବାକୁ ବସିଲା । ପାଖକୁ ଆସି ମଲା ଜନ୍ତୁଟିକୁ ବାଲିହରିଣ ବୋଲି ଚିହ୍ନିବା ପରେ ଆଶାର ତୁଙ୍ଗ ଶିଖରରୁ ପୁଣି ରସାତଳକୁ ଖସିଲି ।

 

ବାଲିହରିଣଟି ବୋଧହୁଏ ପାହାଡ଼ କଡ଼ର ଥାକେ ପଥର ଉପରେ ଶୋଇଥିଲା । ସମ୍ଭବତଃ ବାଘୁଣୀକୁ ହଠାତ୍ ସାମନାରେ ଦେଖିଦେଇ କିମ୍ବା ତା’ ଗନ୍ଧ ବାରିପାରି ସେ ଅତର୍ଚ୍ଛରେ ସିଧାସଳଖ ଡେଇଁପଡ଼ିଥିଲା ପାହାଡ଼ ତଳକୁ । ପଥର ଉପରେ ମୁଣ୍ଡମାଡ଼ି ପଡ଼ିବା ଫଳରେ ବେକ ତା’ର ପୂରା ଭାଙ୍ଗି ଯାଇଥିଲା । ସେଠାରୁ ଅଳ୍ପ ଛଡ଼ାରେ ପାହାଡ଼ ତଳେ ଗଦାଏ ସରୁବାଲି । ମୋ ଦୁର୍ଭାଗ୍ୟକୁ ବାଘୁଣୀ ବାଲିଗଦାରେ ପଡ଼ି ପୁଣି ଥରେ ନିଶ୍ଚିତ ମରଣମୁହଁରୁ ବର୍ତ୍ତିଗଲା । ଏତେ ଉଚ୍ଚରୁ ଖସିପଡ଼ିବା ଫଳରେ କିନ୍ତୁ ଗୁଳିମାଡ଼ର କ୍ଷତଟି ପୁଣି ଖୋଲିଯାଇ ସେଥିରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ରକ୍ତଧାରରୁ ବାଘୁଣୀର ଗତିପଥ ଅନୁସରଣ କରି ଦେଖିଲି ଯେ ଝୋଲାର ତୀଖ ବନ୍ଧରେ ଚଢ଼ି ପଳାଇ ଯିବାକୁ ଚେଷ୍ଟା କରିଛି, କିନ୍ତୁ ପାରିନାହିଁ ।

 

ସାମାନ୍ୟ ଗଜେ ଦୂରରେ ମରି ପଡ଼ିଥିବା ବାଲିହରିଣଟିକୁ ବାଘୁଣୀ ଛୁଇଁନାହଁ ଦେଖି ଅନୁମାନ କରିଥିଲି ଯେ ଆଘାତ ଓ ରକ୍ତହାନି ତାକୁ ଅତିବେଶି ଅଶକ୍ତ କରିଦେଇଛି । ବନ୍ଧରେ ସେ ଚଢ଼ି ପାରିନାହିଁ ଦେଖି ଏ ଧାରଣା ଆହୁରି ଦୃଢ଼ ହେଲା । ଏପରି ଅବସ୍ଥାରେ ବେଶି ଦୂରକୁ ନ ଯାଇ ସେ ଆଖପାଖ ଜଙ୍ଗଲରେ କେଉଁଠି ବିଶ୍ରାମ କରୁଥିବା ଖୁବ୍ ସମ୍ଭବ । ଝୋଲାପାଖ ଜଙ୍ଗଲକୁ ଖୋଜି ଦେଇଥିଲେ ତା’ର ଭେଟ ହୁଏତ ମିଳିଥାଆନ୍ତା । ମୋ କପାଳ କିନ୍ତୁ ତେଜ ନଥିଲା ସେଦିନ । କିଛି ସମୟ ଧରି ଆକାଶରେ କଳା କଳା ବାଦଲ ଜମି ଆସୁଥିଲା । ଝୋଲା ଭିତରେ ଆଉ ଆଗେଇବା ପୂର୍ବରୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇ ରକ୍ତଧାରକ ଧୋଇ ନଶ୍ଚିହ୍ନ ହୋଇଗଲା । ମେଘ-ଅନ୍ଧାର ସାଙ୍ଗକୁ ରାତି ବି ମାଡ଼ିଆସୁଥାଏ । ଆଉ ଆଗେଇବାକୁ ଦୁଃସାହସ ନ କରି ସେହିଠାରୁ ଫେରି ଡେରାଆଡ଼େ ମୁହାଁଇଲି ।

 

ଖେଳକୁଦର ପ୍ରତିଯୋଗିତା ପରି ଶିକାରରେ ମଧ୍ୟ ସୁଯୋଗ ଓ ଦୁର୍ଯୋଗ ଲାଗିରହିଥାଏ-। ସେଥିରୁ କେଉଁଟି କେଉଁ ପ୍ରତିଯୋଗୀର ସପକ୍ଷରେ ବା ବିପକ୍ଷରେ ଯିବ–ପୂର୍ବରୁ ତାହା ଅନୁମାନ କରିବା ଅସମ୍ଭବ । ସାମ୍ପ୍ରତିକ ପରିସ୍ଥିତି ପ୍ରାୟ ସବୁ ସୁବିଧା ସୁଯୋଗ ବାଘୁଣୀ ସପକ୍ଷରେ ଯିବା ସ୍ଥଳେ ସବୁ ଦୁର୍ଯୋଗ ମୋରି ଭାଗରେ ପଡ଼ିଥିଲା । ଶାବକ ଦୁଇଟିଙ୍କ ପରି ବାଘୁଣୀ ଖୋଲା ମେଲାରେ ଶୋଇଥିଲେ ତାକୁ ନରଖାଦକ ବୋଲି ମୁଁ ଅକ୍ଳେଶରେ ଚିହ୍ନିପାରିଥାନ୍ତି; କିନ୍ତୁ ବଣବୁଦା ଗହଳରେ ଛପିରହ ମୋ ଦୃଷ୍ଟି ସେ ସହଜରେ ଏଡ଼ାଇ ପାରିଥିଲା । ଗୁଳି ତା’ ଦେହରେ ଆଉ ଟିକିଏ ପଛକୁ ବାଜିଥିଲେ ହୃତ୍‌ପିଣ୍ଡକୁ ଛନ୍ନଭିନ୍ନ କରି ଦେଇଥାନ୍ତା; କିନ୍ତୁ ସାମାନ୍ୟ ଆଗକୁ ବାଜିବା ଯୋଗୁଁ କାନ୍ଧହାଡ଼ରେ ବାଧା ପାଇ ଗୁଳିଟା ଖଞ୍ଜା ଭିତରେ ହିଁ ପଶି ରହିଗଲା । ଉଚ୍ଚ ପାହାଡ଼ରୁ ପରେ ପରେ ଦୁଇଥର ଗୋଡ଼ ଖସିବା ଭିତରେ ଥରଟିଏ ପଥର ଉପରେ କଚାଡ଼ି ପଡ଼ିଥିଲେ ବାଘୁଣୀ କଦାପି ପ୍ରାଣ ପାଇନଥାଆନ୍ତା । କିନ୍ତୁ ପ୍ରଥମଥର ନରମ ବ୍ରାକେନ୍ ପର୍ଣ୍ଣୀ ଉପରେ ଓ ଦ୍ଵିତୀୟଥର ବାଲିଗଦାରେ ପଡ଼ିବା ଫଳରେ ତା’ର ବିଶେଷ କିଛି କ୍ଷତି ହେଲାନାହିଁ । ଏସବୁ ଅଘଟଣ ସତ୍ତ୍ୱେ ତା’ ପିଛା ଧରି ମୁଁ ଠିକ୍ ଶହେଗଜକୁ ପାଖେଇ ଆସିବାବେଳକୁ ନାହିଁ ନଥିବା ବର୍ଷା କାହୁଁ ମାଡ଼ିଆସି ରକ୍ତଧାରଟିକୁ ମଧ୍ୟ ଲିଭାଇ ଦେଲା ।

 

ବାଘୁଣୀ ସହିତ ମୁକାବିଲାରେ ମୁଁ କୌଣସି ସୁବିଧା ସୁଯୋଗ ପାଇନଥିଲି ବୋଲି କହିବା ଠିକ୍ ହେବନାହିଁ । ବାଘୁଣୀ ଗୋଡ଼ିରୁ ଆଡ଼େଇହୋଇ ପୂର୍ବପରି ଲକ୍ଷ୍ୟହୀନ ଭାବେ ପାହାଡ଼ରୁ ଓହ୍ଲାଇ ଯାଇଥିଲେ ତା’ର ପତ୍ତା ଆଉ ପାଇନଥାନ୍ତି । ଯୋଗକୁ ତୀଖ ଗଡ଼ାଣିଟିରେ ଗୋଡ଼ ଖସି ସେ ଝୋଲା ଭିତରେ ଯାଇ ପଡ଼ିଥିଲା । ଏବଯାଏ ସେ ସେହି ଝୋଲା ଭିତରେ ହିଁ ଅଛି ଓ କେତେଥର ଅଳ୍ପକେ ଖସି ଯାଇଥିଲେ ମଧ୍ୟ ମୋ ଅକ୍ତିଆରରୁ ପୂରା ବାହାରିଯାଇ ନାହିଁ–ଏତିକି ବିଚାର କରି କିଞ୍ଚିତ୍ ଆଶ୍ଵସ୍ତ ହେଲି ।

 

(ଛଅ)

 

କୁମାୟୂଁର ଲୋକେ ବାଲିହରିଣ ମାଂସକୁ ଭାରି ପସନ୍ଦ କରନ୍ତି । ମୋ ଲୋକମାନେ ପୁଣି ଅନେକଦିନରୁ ମାଂସ ଖାଇ ନ ଥିଲେ । ଝୋଲା ଭିତରେ ଗଜା ବୟସର ବାଲିହରିଣଟିଏ ମରି ପଡ଼ିଥିବା ଶୁଣି ସେମାନେ କୋଟିନିଧି ପାଇଲା ପରି ହେଲେ । ସକାଳୁ ଭାରୁଆ ଛଅଜଣଙ୍କୁ ସଙ୍ଗରେ ନେଇ ଝୋଲାକୁ ବାହୁଡ଼ିଲି ଓ ହରିଣର ଛାଲ ଉତାରିବାକୁ ସେମାନଙ୍କୁ ଛାଡ଼ିଦେଇ ନିଜେ ଝୋଲାରେ ପଶି ଆଗେଇଲି ।

 

ପୂର୍ବ ସନ୍ଧ୍ୟାରେ ଯେଉଁଠାରୁ ବାହୁଡ଼ିବାକୁ ପଡ଼ିଥିଲା; ସେଠାରୁ ଅଳ୍ପ ଆଗକୁ ଅଣଓସାରିଆ ଦୁଇଟି ଛୋଟ ଛୋଟ ଗହୀର ଝୋଲା ଡାହାଣପାଖ ପାହାଡ଼ରୁ ଗଡ଼ିଥାଏ । ବାଘୁଣୀ ଏଥିରୁ ଗୋଟିକରେ ପଶିଥିବା ଖୁବ୍ ସମ୍ଭବପର ମନେହେବାରୁ ପ୍ରଥମ ଝୋଲାଟିରେ ପଶି ଆଗେଇଲି । ଶହେଗଜ ଯିବା ପରେ ଲକ୍ଷ୍ୟକଲି ଝୋଲା ଦୁଇପାଖ ବନ୍ଧ ଅତି ଉଚ୍ଚ ଓ ତୀଖ । ଝୋଲା ଉପରମୁଣ୍ଡକୁ ବନ୍ଧ ପରି ବୁଜି ରହିଥିଲା ତିରିଶିଫୁଟ ଉଚ୍ଚ ପ୍ରକାଣ୍ଡ ପଥରଟିଏ । ବର୍ଷାଦିନେ ପାଣିର ସୁଅ ଚାଲି ପଥରଟିକୁ ଏତେ ଚିକ୍କଣ କରି ଦେଇଥାଏ ଯେ ବାଘୁଣୀ ସେଥିରେ ଚଢ଼ିବା ଅସମ୍ଭବ । ଝୋଲାରୁ ବାହାରିଯିବାକୁ ବାଘୁଣୀ ପାଇଁ ବାଟ ନାହଁ ବୋଲି ଦେଖିବା ପରେ ବଡ଼ ଝୋଲାକୁ ପୁଣି ଫେରିଆସିଲି ।

 

ଭାରୁଆମାନେ ହରିଣ ପାଖରେ କାମରେ ଲାଗିଥିଲେ । ତିରିଶଗଜ ଦୂରରୁ ଚାହାପାଣି ବସାଇବାକୁ ସେମାନଙ୍କୁ ଡାକଟାଏ ଦେଇ ବଡ଼ ଭୁଲ କଲି । ସେଠାରୁ ଫେରି ଦ୍ଵିତୀୟ ଝୋଲାରେ ପ୍ରବେଶ କରି ଦେଖିଲି ଯେ ବଡ଼ ଝୋଲାରୁ ଗଡ଼ିଥିବା ଜନ୍ତୁଙ୍କର ଗୋଟିଏ ଚଲାବାଟରେ ବାଘୁଣୀର ପାହୁଲଦାଗ ପଡ଼ିଛି । ପୂର୍ବ ସନ୍ଧ୍ୟାର ବର୍ଷାରେ ଧୋଇ ଯାଇଥିବା ଯୋଗୁଁ ଦାଗଗୁଡ଼ିକ ଖୁବ୍ ଅସ୍ପଷ୍ଟ ହୋଇଥିଲା । ବାଟରୁ ଅଳ୍ପ ଛଡ଼ାରେ ଗୋଟିଏ ବଡ଼ ପଥର ପଛରେ ଅଗହୀର ଖାଲଟିଏ ଥିଲା । ସେଆଡ଼କୁ କେଇ ପାହୁଣ୍ଡ ନ ଯାଉଣୁ ଦେଖିଲି ଯେ ଖାଲ ଭିତରେ ଶୁଖିଲା ପତ୍ରଗୁଡ଼ିକ ଚାପି ହୋଇ ରହିଛି ଓ ସେଥିରେ ମୁଣ୍ଡା ମୁଣ୍ଡା ରକ୍ତ ମଧ୍ୟ ପଡ଼ିଛି । ପାହାଡ଼ରୁ ଖସିପଡ଼ିବା ପରଠାରୁ ବାଘୁଣୀ ଦୀର୍ଘ ଚାଳିଶ ଘଣ୍ଟା ଧରି ସେହି ଖାଲରେ ହିଁ ଶୋଇରହିଥିଲା ଓ ଚାହାପାଣି ବସାଇବା ପାଇଁ ମୋ ଡାକ ଶୁଣିଦେଇ ମିନିଟିଏ ଆଗରୁ ସେଠାରୁ ଅପସରି ଯାଇଥିଲା ।

 

ସବୁ ବାଘଙ୍କ ପ୍ରବୃତ୍ତି ବା ପ୍ରକୃତି ସମାନ ନୁହେଁ । ତେଣୁ ମଣିଷ ପାଖେଇବା ଦେଖିଲେ ବାଘ ଯେ ଠିକ୍ କ’ଣ କରିବ, ତାହା ପୂର୍ବରୁ କହିବା କଷ୍ଟକର । ପୁଣି ଆହତ ହେବାର କେତେ ସମୟ ପରଯାଏ ବାଘର ଆକ୍ରମଣାତ୍ମକ ମନୋବୃତ୍ତି ଜାଗ୍ରତ ରହିଥାଏ, ତା’ର ସମୟସୀମା ମଧ୍ୟ ନିଶ୍ଚିତ ଭାବେ ନିର୍ଦ୍ଧାରଣ କରାଯାଇ ନପାରେ । ସମୟବିଶେଷରେ ଅତି ସାମାନ୍ୟ ଆଘାତ ପରେ ମଧ୍ୟ ବାଘ ଅତି ବେଶି ହିଂସ୍ର ହୋଇଉଠେ । ଅପରପକ୍ଷେ ଅତି ଶୋଚନୀୟଭାବେ ଆହତ ହୋଇଥିବା ବାଘ ଆକ୍ରମଣ କରିବାକୁ ନ ଆସିବାର ଦୃଷ୍ଟାନ୍ତ ମଧ୍ୟ ଦେଖାଯାଏ । ମୋ ଦେଖିବାରେ ବାଘଟିଏ ଥରେ ପଳାଇ ଯାଉ ଯାଉ ପଥର ବାଜି ତା’ ପଞ୍ଝାରୁ ଇଞ୍ଚେ ଲମ୍ବ କଟିଯାଇଥିଲା । ସାମାନ୍ୟ ସେତିକି ଆଘାତ ପାଇବାରୁ ପାଞ୍ଚମିନଟ୍ ଭିତରେ ବାଘ କ୍ଷେପି ଉଠି ଅନୁସରଣକାରୀକୁ ଆକ୍ରମଣ କରିବାକୁ ଦୀର୍ଘ ଶହେଗଜ ଦୂରରୁ ଛୁଟିଆସିଥିଲା । ଅନ୍ୟ ଏକ ଘଟଣାରେ ଦାନ୍ତପାଟିରେ ଅତି ଗୁରୁତର ଆଘାତ ପାଇଥିବା ମହାବଳ ବାଘ ମଣିଷ ତା’ ଠାରୁ କେଇଫୁଟକୁ ପାଖେଇ ଆସିବା ସତ୍ତ୍ୱେ ଆକ୍ରମଣ ନ କରି ସେଠାରୁ ପଳାଇ ଯାଇଥିଲା । *

 

ଏସବୁ ହେଲା ସାଧାରଣ ବାଘଙ୍କ କଥା । ସେଭଳି ପରିସ୍ଥିତି ମଣିଷଖିଆ ବାଘ କ’ଣ କରିବାକୁ ଚାହିଁବ, ଆଉ ଶେଷରେ କ’ଣ କରିବସିବ, ଆଗରୁ ତାହା କଳନା କରିବା ଆହୁରି ଦୁରୁହ ବ୍ୟାପାର । ସାଧାରଣ ବାଘଙ୍କ ପରି ଆତ୍ମରକ୍ଷା କରିବା ବା ପ୍ରତିଶୋଧ ନେବା ଛଡ଼ା ଶିକାର ହାସଲ କରିବା ମଧ୍ୟ ତା’ର ଆକ୍ରମଣର ଉଦ୍ଦେଶ୍ୟ ହୋଇପାରେ । ଅନାହତ ମହାବଳ ବାଘ ବିନାକାରଣରେ ମଣିଷକୁ ଆକ୍ରମଣ କରେ ନାହିଁ ବୋଲି ଏଥିପୂର୍ବରୁ ବହୁସ୍ଥାନରେ ମୁଁ ଉଲ୍ଲେଖ କରିଛି (୧) । ତାହା ହୋଇ ନ ଥିଲେ ଏସବୁ ଜଙ୍ଗଲ ପାହାଡ଼ରେ ବସବାସ କରୁଥିବା ହଜାର ହଜାର ଲୋକ ପ୍ରତିଦିନ ମହାବଳ ବାଘଙ୍କ ପାଖେ ପାଖେ ଅନାୟାସରେ ଚଳପ୍ରଚଳ ହୁଅନ୍ତେ ନାହିଁ କିମ୍ବା ମୋ ପରି ଲୋକେ ପାହାଡ଼–ଜଙ୍ଗଲର ଅନ୍ଦିସନ୍ଧିରେ ପାଦରେ ଚାଲି ଏକାକୀ ନିର୍ଭୟରେ ବୁଲୁ ନ ଥାନ୍ତେ । ବାଘ ଶିକାର ଖାଉଥିଲାବେଳେ କିମ୍ବା ଶିକାରକୁ ଜଗି ରହିଥିବା ଅବସ୍ଥାରେ ଲୋକ କେହି ବେଶି ପାଖକୁ ପଶିଗଲେ ବାଘ ଘାଉଁ ପାଉଁ ହୋଇ ତାକୁ ସତର୍କ କରିଦିଏ କିମ୍ବା ଗର୍ଜ୍ଜି ଉଠି ନେଇ ପାହୁଣ୍ଡ ଚିହିଁକି ଆସି ସେଠାରୁ ତାକୁ ଘଉଡ଼ାଇ ତଡ଼ିଦିଏ । ଆଗନ୍ତୁକ ଯଦି ବାରଣ ନ ମାନି ଆହୁରି ପାଖକୁ ଆସିବାକୁ ଲାଗେ, ପରିଣାମ ପାଇଁ ବାଘକୁ ଦୋଷ ନଦେଇ ବରଂ ତାକୁ ହିଁ ଦାୟୀ କରାଯିବା ଉଚିତ ।

 

* ଏପରି ଏକ ଘଟଣା ଲେଖକ ‘ମୋର ଭାରତ’ ବହିର ‘ମୋତି’ ପରିଚ୍ଛେଦରେ ବର୍ଣ୍ଣନା କରିଛନ୍ତି । –ଅନୁବାଦକ

 

ସାଧାରଣ ମହାବଳ ବାଘର ମନୋବୃତ୍ତି ଯେ ଆଦୌ କ୍ରୂର ବା ହିଂସ୍ର ନୁହେଁ, ତାହାର ଏକ ପ୍ରାମାଣିକ ଦୃଷ୍ଟାନ୍ତ ଏଠାରେ ଦେଉଛି । କାଲାଦୁଙ୍ଗୀରେ ଆମ ଘରଠାରୁ ତିନିମାଇଲ୍ ଦୂର ବୋଆର୍ ନଦୀରୁ ମ୍ୟାଗି (୨) ଓ ମୁଁ ଦିନେ ମାଛ ଧରୁଥିଲୁ । ଛୋଟ ଛୋଟ ଖେଜୁରା ମାଛ ଦୁଇଟା ମାରିବା ପରେ ମୁଁ ନଈକୂଳରେ ବସି ସିଗାରେଟ ଟାଣୁଛି, ଏତିକିବେଳେ ଜେଫ ହଫକିନସ ହାତୀରେ ବସି ସେଠାରେ ଆସି ପହଞ୍ଚିଗଲେ । (ଜେଫ ପରେ ଉତ୍ତର ପ୍ରଦେଶ ସରକାରଙ୍କର ମୁଖ୍ୟ ଜଙ୍ଗଲ ସଂରକ୍ଷକ ହୋଇଥିଲେ ।) ସେଦିନ ତାଙ୍କ ଘରକୁ କୁଣିଆ ଆସିବାକୁ ଥାଏ । ଘରେ ମାଂସ ନ ଥିବାରୁ ଜେଫ୍ ସକାଳୁ–୨୪୦ ରୁକ ରାଇଫଲଟିଏ ଧରି ଶିକାରକୁ ବାହାରିଥାଆନ୍ତି । ଆମର ସେତେବେଳକୁ ମାଛ–ମରା ସରିଥିଲା । ଜେଫ୍‍ଙ୍କ ଅନୁରୋଧରେ ଦୁହେଁ ହାତୀରେ ବସି ତାଙ୍କରି ସଙ୍ଗରେ ଚାଲିଲୁ ।

 

(୧) ‘‘କୁମାୟୂଁର ନରଖାଦକ” ବହିରେ ‘ବାଘ କାହିଁକି ମଣିଷ ଖାଏ’ ଶିରୋନାମାରେ ଲେଖକ ଏହି ମନ୍ତବ୍ୟ ଦେଇ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

 

(୨) ଲେଖକଙ୍କ ଭଉଣୀ । “ମୋର ଭାରତ” ଓ ଅନ୍ୟ ବହିଗୁଡ଼ିକର ବହୁ ସ୍ଥାନରେ ଲେଖକ ତାଙ୍କ ବିଷୟ ଉଲ୍ଲେଖ କରିଛନ୍ତି ।

 

ଜଙ୍ଗଲରେ ଯେଉଁଠି କୁଟୁରା ଓ ମୟୂର ମିଳନ୍ତି, ହାତୀ ସେଆଡ଼େ ମୁହାଁଇବାକୁ ମାହୁନ୍ତକୁ ମୁଁ ନିର୍ଦ୍ଦେଶ ଦେଲି । ବାଟରେ କୋଳିବଣଟିଏ ପାର ହେବାବେଳେ ଜାଗାଏ ଗୋଟିଏ ଗଛମୂଳରେ ହରିଣୀଟିଏ ମରିପଡ଼ିଥିବା ଦେଖିଲୁ । ହରିଣୀ କପରି ମଲା ଜାଣିବାକୁ କୌତୂହଳ ହେଲା । ତଳକୁ ଓହ୍ଲାଇ ପରୀକ୍ଷା କରି ଦେଖିଲି ଯେ ଚବିଶଘଣ୍ଟା ପୁର୍ବରୁ ତାକୁ ମରାଯାଇଛି; କିନ୍ତୁ ତା’ ଦେହରେ କ୍ଷତ ବା ଆଘାତ ର କୌଣସି ଚିହ୍ନ ନାହିଁ । ହରିଣୀଟି ସାପ କାମୁଡ଼ାରେ ମରିଛି ବୋଲି ସ୍ଥିର କରି ହାତୀ ପାଖକୁ ଫେରୁଛି, ହଠାତ୍ ବାଟରେ ଦୁଇଜାଗାରେ ପତ୍ର ଉପରେ ତାଜା ରକ୍ତ ଝରିଥିବା ନଜରରେ ପଡ଼ିଗଲା । ପଛରେ ହାତୀ ଆଣିବାକୁ ମାହୁନ୍ତକୁ ସଙ୍କେତ ଦେଇ ରକ୍ତଧାର ଅନୁସରଣ କରି ନିଃଶବ୍ଦରେ ଆଗେଇଲି । ରକ୍ତଧାରଟି ଷାଠିଏ ସତୁରି ଫୁଟ ଦୂରରେ ଥିବା ପାଞ୍ଚଫୁଟ ଉଚ୍ଚ ଚକଡ଼ାଏ ବୁଦା ମୂଳକୁ ପଡ଼ିଥିଲା । ପାଖରେ ପହଞ୍ଚି ଦୁଇହାତରେ ବୁଦାଟିକୁ ଆଡ଼େଇଦେଇ ଦେଖିଲି ଯେ ଆରପାଖରେ ହରିଣଟିଏ ଚାରିକାତ ମେଲାଇ ପଡ଼ିଛି ଓ ବାଘଟାଏ ପାଖରେ ବସି ନିଶ୍ଚିନ୍ତରେ ତାକୁ ଖାଇବାକୁ ଲାଗିଛି । ହରିଣର ଶିଙ୍ଗ ଦୁଇଟା ଯେ ମଖ୍‌ମଲ୍ ପରି ଚିକ୍‌କଣ– ସେପରି ବିପଦସଙ୍କୁଳ ପରସ୍ଥିତିରେ ମଧ୍ୟ ଏକଥାଟି ମୋ ଦୃଷ୍ଟି ଏଡ଼ାଇ ପାରି ନ ଥିଲା ।

 

ଫୁଟେ ଦୁଇଫୁଟ ଦୂରରୁ ବାଘକୁ ମୁହାଁମୁହିଁ ଦେଖିଦେଇ ମୋ ହୃତ୍‌ପିଣ୍ଡ ଚିରଦିନ ପାଇଁ ନିସ୍ପନ୍ଦ ହୋଇଗଲା ପରି ଲାଗିଲା । ବାଘ ମୁହଁରେ ଗଭୀର ବିସ୍ମୟର ଛାପ– ସତେ ଯେପରି ସେ କହୁଛି, ‘‘ମଲା ଯା ! ଇଏ ପୁଣି କିଏ ?” ମୋ ମୁହଁରେ ଯେ ସେତିକି ବିସ୍ମୟ ଫୁଟିଉଠିଥିବ, ତାହା ମୁଁ ଏବେ ବେଶ୍ ଅନୁମାନ କରିପାରୁଛି । ମୁଣ୍ଡ ମୋର ବାଘପଞ୍ଝାର ଏତେ ପାଖରେ ଥିଲା ଯେ ସେ ଚାହିଁଥିଲେ ଚାପୁଡ଼ାକେ ମୋ ଖପୁରି ଚୂନା କରିଦେଇଥାଆନ୍ତା; କିନ୍ତୁ ଆକ୍ରମଣ କରିବା ପରିବର୍ତ୍ତେ ବାଘ ସେଠାରୁ ହଟିଯିବାକୁ ବାଛିନେଲା ଏବଂ ଅତି ସହଜ ଓ ସୁନ୍ଦର ଠାଣିରେ ପଛକୁ କୁଦିପଡ଼ି ବୁଦା ଗହଳରେ ଲୁଚିଗଲା । ଅତି ଅଳ୍ପ ସମୟ ଆଗରୁ କୋଳିବଣରେ ହରିଣଟିକୁ ମାରି ମଲା ହରିଣୀର ପାଖ ଦେଇ ସେ ତାକୁ ବୁଦା ଭିତରକୁ ବୋହି ଆଣିଥଲା । ଶିକାର ସେ ଠିକ୍ ଖାଇବାକୁ ଆରମ୍ଭ କରିବା ମାତ୍ରେ ସେଥିରେ ମୁଁ ବ୍ୟାଘାତ ଘଟାଇଲି । ତାହା ସତ୍ତ୍ୱେ ମୋତେ ଆକ୍ରମଣ ନ କରି ବାଘ ସେଠାରୁ ଏତେ ନୀରବରେ ଅପସରିଗଲା ଯେ ହାତୀ ପିଠିରେ ବସିଥିବା ତିନିଜଣଯାକ ଲୋକ ବୁଦା ଭିତରେ ବାଘ ଥିବାର ଟିକିଏ ସୁରାକ୍ ବି ପାଇ ନ ଥିଲେ । ବାଘ ପଛକୁ କୁଦିବା ପରେ ଯାଇଁ ମାହୁନ୍ତ ଚମକି ପଡ଼ି କହିଉଠିଲା, ‘‘ଖବର୍‌ଦାର୍ ସାହେବ୍ ! ଶେର୍ ହୈ !!’’ *

 

ଖାଲଟିକୁ ପରୀକ୍ଷା କରିସାରି ଭାରୁଆଙ୍କ ପାଖକୁ ଫେରିଲି ଓ ବାଲିହରିଣଟିକୁ କାଟି ସେମାନେ ଗଡ଼ି କରିବା ଭିତରେ ଚାହାକପ୍‌ଟି ଶେଷକଲି । ତା’ପରେ ସେମାନଙ୍କୁ ସଙ୍ଗରେ ନେଇ ପୁଣି ଥରେ ଖାଲ ପାଖକୁ ଗଲି । ମୋ ସହିତ ବାରମ୍ବାର ଏଇ ଲୋକମାନେ ଜନ୍ତୁ ଜାନୁଆରଙ୍କ କଥା ଭଲ ଜାଣନ୍ତି । ଖାଲରେ ମୁଣ୍ଡା ମୁଣ୍ଡା ରକ୍ତ ପଡ଼ିଥିବା ଦେଖି ସମସ୍ତେ ଏକସ୍ଵରରେ କହି ଉଠିଲେ ଯେ ବାଘୁଣୀ ଅତି ଶୋଚନୀୟ ଭାବେ ଆହତ ଓ କେଇ ଘଣ୍ଟାରେ ନିଶ୍ଚିୟ ଶେଷ ପାଇଯିବ । ମୁଁ କିନ୍ତୁ ସେମାନଙ୍କ ସହିତ ଏକମତ ହୋଇପାରିଲି ନାହିଁ । ମୋର କାହିଁକି ଦୃଢ଼ ଧାରଣା ହେଲା ଯେ ପ୍ରଚୁର ରକ୍ତସ୍ରାବ ହୋଇଥିଲେ ମଧ୍ୟ ବାଘୁଣୀର ଆଘାତ ଆଦୌ ଗୁରୁତର ନୁହେଁ ଓ ସମୟକ୍ରମେ କ୍ଷତ ଶୁଖିଆସିଲେ ତା’ର ଭେଟପାଇବା ଆହୁରି କଷ୍ଟକର ହୋଇଉଠିବ ।

 

* ଘଟଣାଟି ‘ଜଙ୍ଗଲ ତଥ୍ୟ’ ବହିରେ ବିସ୍ତୃତ ଭାବେ ବର୍ଣ୍ଣିତ । –ଅନୁବାଦକ

 

ଲୋକ ଛଅଜଣଙ୍କ ସହିତ ଯେଉଁ ପରିବେଶରେ ବାଘୁଣୀକୁ ଖୋଜି ବୁଲୁଥିଲି, ତାହାର ପୂର୍ଣ୍ଣଚିତ୍ରଟିଏ ପାଇଲେ ପରବର୍ତ୍ତୀ ଘଟଣାଗୁଡ଼ିକର ଅର୍ଥ ଗ୍ରହଣ କରିବା ସହଜ ହେବ । ପାହାଡ଼ ଉପରକୁ ତୀଖଭାବେ ଉଠିଥିବା ଏହି ଝୋଲାଟି ଥିଲା ଅତି ସରୁ ଓ ଗହୀର । ଝୋଲା ଡାହାଣ ବନ୍ଧରେ ବଡ଼ ବଡ଼ ଗଛର ଜଙ୍ଗଲ; କିନ୍ତୁ ଲଟାବୁଦାର ବେଶି ଗହଳି ନାହିଁ । ବାଁ ପାଖ ବନ୍ଧରେ ଶାଳିଆ ବାଉଁଶର ଗହଳ ବଣ; ବାଉଁଶବୁଦା ଫାଙ୍କରେ ଲଟାବୁଦା ଓ ଝାଟି ମାଡ଼ିଯାଇ ନିବିଡ଼ ଜଙ୍ଗଲ ସୃଷ୍ଟି ହୋଇଥାଏ । ବାଘୁଣୀ ବାଉଁଶବୁଦା ଭିତରେ ଗଳିପଶି ଏହି ଦୁର୍ଗମ ଜଙ୍ଗଲ ଭିତରଦେଇ ପାହାଡ଼ ଚଢ଼ିବାରେ ଲାଗିଥାଏ ।

 

ବାଉଁଶବଣରେ ପଶିବା ପୂର୍ବରୁ ଲୋକ ଛଅଜଣଙ୍କୁ ଝୋଲା ଡାହାଣ ବନ୍ଧରେ ବଡ଼ ବଡ଼ ଗଛ ଦେଖି ଚଢ଼ି ଯିବାକୁ ନର୍ଦ୍ଦେଶ ଦେଲି । ଗଛ ଚଢ଼ିବାରେ ମୋ ଲୋକେ କେହି କାହାକୁ ଊଣା ନୁହନ୍ତି । ସେଠାରେ ଗଛସନ୍ଧିରେ ବାଘୁଣୀ ଛପିରହିଲା ଭଳି ବୁଦା ବାଡ଼ ନ ଥିବାରୁ ସେମାନଙ୍କ ପ୍ରତି ବିପଦର କୌଣସି ଆଶଙ୍କା ନ ଥିଲା । ବାଉଁଶବଣ ବା ତା’ ଆରପାଖରେ ସନ୍ଦେହଜନକ କିଛି ଦେଖିଲେ ସିଟି ମାରି ମୋତେ ଚେତାଇଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଏକାକୀ ବଣରେ ପଶିଲି ।

 

ଜଙ୍ଗଲତତ୍ତ୍ୱ ପୋଥିପତ୍ରରୁ ଶିଖାଯାଏନାହିଁ; ଜୀବନର ପ୍ରତ୍ୟେକଟି ଅନୁଭୂତିରୁ କିଛି କିଛି ଶିକ୍ଷା ଗ୍ରହଣକରି ଶିକାରୀକୁ ତାହା ଅଳ୍ପ ଅଳ୍ପ କରି ଶିଖିବାକୁ ପଡ଼େ ଓ ଜୀବନବ୍ୟାପୀ ସାଧନାପରେ ମଧ୍ୟ ସେ ଶିକ୍ଷା ସଂପୂର୍ଣ୍ଣ ବା ସମାପ୍ତ ହୁଏନାହିଁ । ଭୂମି ପରୀକ୍ଷା ଦ୍ଵାରା ପଶୁଜନ୍ତୁଙ୍କ ଗତିବିଧି ନିର୍ଣ୍ଣୟ କରିବା ଏହିପରି ଏକ ଅସରନ୍ତି ବିଦ୍ୟା । ସେ ବିଦ୍ୟାପାଇଁ ମଧ୍ୟ କୌଣସି ଧାରାବାହିକ ଶିକ୍ଷାପଦ୍ଧତି ନାହଁ । ସ୍ଥାନ ଅନୁସାରେ ଜନ୍ତୁଙ୍କ ଗତିଚିହ୍ନରେ ବିଶେଷ ପାର୍ଥକ୍ୟ ଦେଖାଯାଉଥିବାରୁ ତାହାକୁ ପରୀକ୍ଷା କରିବାର ପ୍ରଣାଳୀକୁ ପରିବେଶ ସହିତ ପରିବର୍ତ୍ତନ କରିବାକୁ ପଡ଼େ । ଜନ୍ତୁଙ୍କ ଗତିପଥ ନିର୍ଣ୍ଣୟ କରିବାର ବହୁ ପ୍ରଣାଳୀ ଭିତରୁ ରକ୍ତଧାର ଓ ପଦଚିହ୍ନ ଅନୁସରଣ କରିବା ଅନ୍ୟତମ । ସ୍ଥାନବିଶେଷରେ ଡାଆଁଶ, ବିରୁଡ଼ି ଆଦି ପୋକଜୋକ ଓ ବିଭିନ୍ନ ମାଂସଭୋଜୀ ପଶୁଙ୍କ ଗତିବିଧିରୁ ମଧ୍ୟ ଜନ୍ତୁଙ୍କ ଯିବା ବାଟ ଠଉରାଇବାକୁ ହୁଏ । ଗତିଚିହ୍ନର ସ୍ପଷ୍ଟତା ଅନେକାଂଶରେ ଭୂମି ଉପରେ ନିର୍ଭରକରେ । ଟାଙ୍ଗର ଭୂଇଁ ଅପେକ୍ଷା ନରମ କାଦୁଆ ମାଟିରେ ପାହୁଲଦାଗ ସହଜରେ ଛାପିହୋଇ ରହେ । ତା’ ଛଡ଼ା ଅନୁରୂପ ପରିବେଶରେ ପଞ୍ଝାଛାପ ଅପେକ୍ଷା ଖୁରାଦାଗ ସ୍ପଷ୍ଟତର ହେବା ସ୍ଵାଭାବିକ । ବିଭିନ୍ନ ଗତିଚିହ୍ନ ଭିତରୁ ରକ୍ତଧାର ଉପରେ ହିଁ ସବୁଠାରୁ ବେଶି ନିର୍ଭର କରାଯାଇପାରେ; କିନ୍ତୁ ସମୟବିଶେଷରେ ଜନ୍ତୁଙ୍କ କ୍ଷତରୁ ସଙ୍ଗେ ସଙ୍ଗେ ରକ୍ତସ୍ରାବ ହୁଏନାହିଁ; ପୁଣି ପଥୁରିଆ ବା ଟାଙ୍ଗରା ଭୁଇଁରେ ପଞ୍ଝାଛାପ ବାରିବା ମଧ୍ୟ କଷ୍ଟକର ହୋଇଉଠେ । ସେଭଳି ପରିସ୍ଥିତିରେ ଦଳି ମକଚି ଯାଇଥିବା କିମ୍ବା ବାଟରୁ ଆଡ଼େଇ ହୋଇ ରହିଥିବା ଘାସପତ୍ର ପ୍ରତି ଧ୍ୟାନଦେଇ ଜନ୍ତୁଙ୍କ ଗତିପଥ ନିର୍ଣ୍ଣୟ କରିବାକୁ ପଡ଼େ ।

 

ବାଘୁଣୀ ମୋ ସ୍ଵର ଶୁଣି ଖାଲରୁ ଉଠି ପଳାଇଯିବାବେଳକୁ ତା’ କ୍ଷତରୁ ରକ୍ତସ୍ରାବ ବନ୍ଦ ହୋଇଯାଇଥିଲା । ସେ ଭିତରେ କ୍ଷତଟି ପାଚିଉଠି ସେଥିରୁ କେବଳ ରକ୍ତମିଶା ଲସା ଝୁରୁଥାଏ । ଲସା କେଇଟୋପାରୁ ବାଘୁଣୀର ଯିବା ବାଟ ଠଉରାଇ ନ ହେବାରୁ ପାହୁଲଦାଗ ଓ ଘାସପତ୍ର ପ୍ରତି ଧ୍ୟାନଦେବାକୁ ପଡ଼ିଲା । ଗତ କେତେ ଦିନର ଅକ୍ଳାନ୍ତ ପରିଶ୍ରମଯୋଗୁଁ ମୁଁ ସେତେବେଳକୁ ଅତି ବେଶି ଅଶକ୍ତ ଓ ଅବସନ୍ନ; କିନ୍ତୁ ବାଘୁଣୀର ଘାଆ ଶୁଖିଆସିବା ସଙ୍ଗେ ତାକୁ ଠାବ କରିବାର ସମ୍ଭାବନା ସେହି ଅନୁପାତରେ କମିଆସିବ ଜାଣି ନିଜ ଅବସ୍ଥା ପ୍ରତି ଧ୍ୟାନ ନ ଦେଇ ତାକୁ ଅନବଚ୍ଛିନ୍ନଭାବେ ଅନୁସରଣ କରି ଚାଲିଲି ।

 

ବନ୍ଧଉପରେ ପହଞ୍ଚିବା ପରେ ବାଘୁଣୀ ଆଣ୍ଠୁଏ ଉଚ୍ଚ ବ୍ରାକେନ୍ ବଣରେ ପଶି ସଳଖରେ ଶହେ ଗଜ ଆଗେଇଥିଲା । ସ୍ଥାନଚ୍ୟୁତ ବ୍ରାକେନପର୍ଣ୍ଣୀଦ୍ୱାରା ତା’ ଯିବାବାଟ ସହଜରେ ବାରିପାରିଲି-। ସେଠାରୁ ଆଗକୁ ଶାଳିଆ ବାଉଁଶର ଗହଳିଆ ଝୋପଟିଏ । ବାଘୁଣୀ ତା’ ଭିତରେ ଲୁଚି ରହିଥିବା ଖୁବ୍ ସମ୍ଭବ । ବାଉଁଶବୁଦାଗୁଡ଼ିକ କିନ୍ତୁ ଏମିତି ଗହଳରେ ଛନ୍ଦିହୋଇ ରହିଥାଏ ଯେ ସେ ଭିତରେ ପଶିଲେ ଶବ୍ଦ ହେବା ନିଶ୍ଚିତ କଥା । ଶବ୍ଦ ପ୍ରତି ଆଉ ଦୃଷ୍ଟି ନ ଦେଇ ବଣ ଭିତରକୁ ଅଧାଅଧି ପଶିଗଲାପରେ କୁଟୁରାଟିଏ ଭୁକି ଉଠି ଜଣାଇଦେଲା ଯେ ବାଘୁଣୀ ବଣ ଆରପାଖରୁ କେଉଁଠୁ ପଦାକୁ ବାହାରିଲାଣି । କୁଟୁରାଟି ସେଇ ଗୋଟିଏ ଜାଗାରୁ ତୁହାଇ ତୁହାଇ ବୋବାଉଥାଏ-। ତା’ର ସ୍ଥିତି ଅନୁମାନ କରି ବୁଝିଲି ଯେ ବାଘୁଣୀ ସଳଖରେ ପାହାଡ଼ ନ ଚଢ଼ି ବଣ ବାଁ ପାଖରୁ ପଦାକୁ ବାହାରି ଯାଇଛି ।

 

ସେହିଠାରୁ ବାହୁଡ଼ି ଆସି ବଣ ବାହାରେ ବାହାରେ ବୁଲି ଆରପାଖକୁ ଚାଲିଲି । କିନ୍ତୁ ଦୀର୍ଘଦୂର ଚାଲିବାପରେ ମଧ୍ୟ କୁଟରା ଆଡ଼କୁ ପାଖେଇ ପାରିଲି ନାହିଁ କିମ୍ବା ବଣଧାରରେ ପଦା ଜାଗାଟିଏ କେଉଁଠି ଦେଖିଲିନାହିଁ । କୁଟୁରା କିଛିସମୟ ଭୁକିବା ପରେ ତୁନି ହୋଇଗଲା । ତା’ପରେ ଆହୁରି ଆଗରୁ କେଉଁଠୁ ପାହାଡ଼ିଆ କୁକୁଡ଼ାପଲେ ରାବି ଉଠି ସୁଚାଇ ଦେଲେ ଯେ ବାଘୁଣୀ ଏବେ ମଧ୍ୟ ଆଗେଇବାକୁ ଲାଗିଛି । ରାବକୁ କାନଡ଼େରି କୁକୁଡ଼ାପଲର ସଠିକ ଅବସ୍ଥିତି ଅନୁମାନ କରିବାକୁ ଚେଷ୍ଟାକରୁଛି, ହଠାତ୍ ଏତିକିବେଳେ ବୁଝିପାରଲି ଯେ କାନର ଦୁରବସ୍ଥା ଅତ୍ୟଧିକ ବଢ଼ିଯିବା ଫଳରେ ଶବ୍ଦଭେଦ କରିବାର ଶକ୍ତି ମୁଁ ହରାଇ ବସିଛି ।

 

ନିଜର ଶ୍ରବଣଶକ୍ତି ଉପରେ ସେପର୍ଯ୍ୟନ୍ତ ଅତୁଟ ବିଶ୍ଵାସ ଥିଲା । ଦୀର୍ଘ କାଳର ସାଧନା ଫଳରେ ଅତି ସାମାନ୍ୟ ଶବ୍ଦକୁ ଭେଦକରି ଜଙ୍ଗଲ ଭିତରେ ପଶୁପକ୍ଷୀଙ୍କ ସ୍ଥିତି ଓ ଦୂରତା ମୁଁ ନିର୍ଭୁଲଭାବେ କଳନା କରି ପାରୁଥିଲି ଓ ଜଙ୍ଗଲବାସୀ ଜୀବଜନ୍ତୁଙ୍କ ସ୍ୱର ଉପଭୋଗକରିବା ସଙ୍ଗେ ନିଜର ନିରାପତ୍ତାପାଇଁ ତାହା ଉପଯୋଗ ମଧ୍ୟ କରୁଥିଲି । ଶବ୍ଦଭେଦ କରିବାର ନିଜର ଦକ୍ଷତା ପାଇଁ ଟିକିଏ ବଡ଼େଇ କରୁଥିଲି ମଧ୍ୟ । ଗୋଟିଏ ମୁହୂର୍ତ୍ତର ଦୁର୍ଘଟଣା ଫଳରେ ସାରା ଜୀବନର ସାଧନାର ଫଳରୁ ମୁଁ ବଞ୍ଚିତ– ଏହି ଚେତନା ସେଦିନ ମନରେ ଜାଗି ଉଠି ଆତ୍ମବିଶ୍ଵାସମୂଳରେ ପ୍ରଚଣ୍ଡ ଆଘାତ ଦେଲା । ଡାହାଣ କାନ ଭଲ ଥିଲେ ଏତେ ଦୁଃଖର କାରଣ ନ ଥାଆନ୍ତା; କିନ୍ତୁ ବହୁବର୍ଷ ପୂର୍ବେ ଠିକ୍ ଏହିଭଳି ଏକ ଦୁର୍ଘଟଣା ଘଟି ଡାହାଣ କାନଟି ମଧ୍ୟ ଆଂଶିକଭାବେ ଖରାପ ହୋଇଯାଇଥିଲା ।

 

କାନ ଉପରେ ଆଉ ନିର୍ଭର କରିପାରିବିନାହିଁ–ଏହି ନିର୍ମମ ସତ୍ୟର ଉପଲବ୍‌ଧ ମୁହୂର୍ତ୍ତକ ପାଇଁ ମୋତେ ନିସ୍ଫଳ ଓ ନିସ୍ପନ୍ଦ କରିଦେଲା । ତା’ପରେ ଜୋରକରି ମନରୁ ଦୁଶ୍ଚିନ୍ତା ଦୂରକରି ସଂକଳ୍ପ କଲି ଯେ ବୃଥା ଶୋଚନାରେ ଅଯଥା ସମୟ ନଷ୍ଟ କରିବିନାହିଁ । ନିଜକୁ ବୋଧଦେଇ ବିଚାରିଲି ସେ ଛକାପଞ୍ଝାରେ ନରଖାଦକ ଓ ମୁଁ ସେତେବେଳଯାଏ ପ୍ରାୟ ସମାନ ସୁବିଧା ପାଇଛୁ । ପ୍ରାଣକୁ ପଣ ରଖି ଚାଲିଥିବା ଏହି ମାରାତ୍ମକ ପ୍ରତିଯୋଗିତା ଏବେ ଚରମ ପର୍ଯ୍ୟାୟରେ ଉପନୀତ; ନିଜକୁ ଅପାରଗ ବୋଲି ମାନିନେଇ ପରାଜୟ ସ୍ଵୀକାର କରି ମୁକାବିଲାରୁ ପଛଘୁଞ୍ଚା ଦେବାର ଏହା ସମୟ ନୁହେଁ ।

 

ଶବ୍ଦଭେଦ କରିବାର ଆଶା ଛାଡ଼ି ବ୍ରାକେନ୍ ବଣକୁ ପୁଣି ଫେରିଲି । ନିକଟସ୍ଥ ଜଙ୍ଗଲରେ ପଶୁପକ୍ଷୀଙ୍କର ଅଭାବ ନ ଥାଏ । ପାହାଡ଼ିଆ କୁକୁଡ଼ା, ଭରଦ୍ଵାଜ ପକ୍ଷୀ ଓ କସ୍ତୁରା ଚଢ଼େଇ ବାଘୁଣୀକୁ ଉସ୍‌କାଇବା ସଙ୍ଗେ ଜଙ୍ଗଲରେ ତା’ର ସ୍ଥିତି ଓ ଗତିବିଧି ସୁଚାଇ ଦେଉଥାଆନ୍ତି । ସମ୍ବର, କୁଟୁରା ଓ ହନୁମାଙ୍କଡ଼ଙ୍କ ଆତଙ୍କଧ୍ୱନି ପକ୍ଷୀମାନଙ୍କ ଶବ୍ଦ ସଙ୍କେତ ସମର୍ଥନ କରୁଥାଏ । ପରସ୍ଥିତ ଅନ୍ୟପ୍ରକାର ହୋଇଥିଲେ ଏସବୁ ଶବ୍ଦ ମୁଁ ଆଗ୍ରହର ସହ କାନସଡ଼େରି ଶୁଣୁଥାଆନ୍ତି । ସାମ୍ଫ୍ରତିକ ପରିସ୍ଥିତିରେ କିନ୍ତୁ ସେସବୁ ଶବ୍ଦକୁ ପୂରାପୂରି ଉପେକ୍ଷାକରି କେବଳ ଆଖି ଉପରେ ମୁଁ ନିର୍ଭର ରଖିବା ଛଡ଼ା ଅଗ୍ରସର ହେବା ପାଇଁ ମୋ ଆଗରେ ଅନ୍ୟ ପନ୍ଥା ନଥିଲା ।

 

ପଶୁପକ୍ଷୀଙ୍କ ଶବ୍ଦସୂଚନାକୁ ଆଉ କାନ ନ ଦେଇ ପ୍ରତି ପଦରେ ବାଘୁଣୀର ଗତିଚିହ୍ନ ପରୀକ୍ଷାକରି ଧୀରେ ଧୀରେ ପାହାଡ଼ ଚଢ଼ିଲି । ବାଘୁଣୀ ସ୍ଥାନେ ସ୍ଥାନେ ସଳଖରେ ଚାଲିଥାଏ; କେଉଁଠି ରୁଦାବାଡ଼ର ଆଢ଼ୁ ଆଳ ଖୋଜି ବା ଅମଡ଼ାରେ ପଶି ସେ ମାଡ଼ି ଚାଲିଥାଏ ଆଗକୁ । ଦୀର୍ଘ ସମୟ ଧରି ତାକୁ ଅନୁସରଣ କରିବା ପରେ ପାହାଡ଼ଚୂଡ଼ା ତଳେ ଗୋଟିଏ ଛୋଟ ପଡ଼ିଆରେ ପହଞ୍ଚିଲି । ଶହେଗଜ ଲମ୍ବ ଓ ସେତିକି ଓସାର ଏହି ପଡ଼ିଆସାରା ଛୋଟ ଛୋଟ ଟାଉଁସିଆ ଘାସ । ପଡ଼ିଆ ଉପର ଧାରରୁ ସରୁ ବାଟଟିଏ ଝାଟିବଣ ମଝିଦେଇ ଉଠିଯାଇଥାଏ ପାହାଡ଼ଚୂଡ଼ାକୁ । ପଡ଼ିଆର କରଡ଼ା ଘାସ ଉପରେ ବାଘୁଣୀର ପାହୁଲଦାଗ ବାରିପାରିଲି ନାହିଁ । ତେବେ ତା’ ଗତିବିଧିରୁ ମନେ ହେଲା ଯେ ତା’ ପଛେ ପଛେ ମୁଁ ଲାଗିରହିଥିବା କଥା ସେ ଭଲଭାବେ ଜାଣିସାରିଛି । ତେଣୁ ଖୋଲା ପଡ଼ିଆରେ ବା ଚଲାବାଟରେ ଅଟକିବା ଅପେକ୍ଷା ଝାଟିବଣରେ ଲୁଚିଯିବା ତା’ ପକ୍ଷରେ ଯଥେଷ୍ଟ ବେଶି ସ୍ଵାଭାବିକ ଓ ସମ୍ଭବପର ମନେହେଲା ।

 

ବାଟ ଡାହାଣ ପାଖ ଝାଟିବଣଟି ପ୍ରାୟ ତିରିଶ ଗଜ ତଳକୁ ଲମ୍ବି ଆସିଥିବା ଦେଖି ପ୍ରଥମେ ତାହାରି ଭିତରେ ପଶିବାକୁ ସ୍ଥିରକଲି । ବଣରେ ଠିକ୍ ପଶିବାକୁ ଯାଉଛି, ହଠାତ୍ ବାଁ ପାଖ ବଣରୁ କୌଣସି ବଡ଼ ଜନ୍ତୁର ଖୋଜ ପଡ଼ି ଶୁଖିଲା କାଠଟିଏ ମଟ୍‌କରି ଭାଙ୍ଗିଯିବାର ଶବ୍ଦ ହେଲା । ପୂର୍ବରୁ ଝୋଲାଭିତରେ ଚାହାକରିବାକୁ ଲୋକଙ୍କୁ ଡାକଟିଏ ଦେଇ ଭୁଲଟିଏ ତ କରିଥିଲି । ଏବେ କାନକୁ ବିଶ୍ଵାସ କରି ବାଟ ଭାଙ୍ଗି ବାଁ ପାଖ ବଣରେ ପଶିବାଦ୍ଵାରା ଆଉ ଗୋଟିଏ ମସ୍ତବଡ଼ ଭୁଲ କରିବସିଲି । ମୋ ଲୋକେ ତେଣେ ଗଛ ଉପରୁ ମୋତେ ଓ ବାଘୁଣୀକୁ ସ୍ପଷ୍ଟଭାବରେ ଦେଖିପାରୁଥାଆନ୍ତି । ପଡ଼ିଆରେ ମୁଁ ପହଞ୍ଚିଲାବେଳକୁ ବାଘୁଣୀ କୁଆଡ଼େ ମୋଠାରୁ ଅଳ୍ପ କେଇ ପାହୁଣ୍ଡ ଉପରେ ଥିଲା ଓ ସେଇଠାରୁ ବାଟଭାଙ୍ଗି ଡାହାଣପାଖ ଝାଟିବଣରେ ହିଁ ପଶିଯାଇଥିଲା । ମୁଁ ବାଁକୁ ବୁଲିଯିବାବେଳକୁ ବାଘୁଣୀ ବାଟ ଡାହାଣ ପାଖ ବଣଧାରଠାରୁ ଅଳ୍ପ କେଇ ଗଜ ଭିତରେ ଲେପଟାଇ ପଡ଼ି ମୁଁ ପାଖେଇବା ପାଇଁ ଛକି ରହିଥିଲା ।

 

ବାଁ ପାଖ ଜଙ୍ଗଲରେ ବାଘୁଣୀକୁ ନ ପାଇ ପଡ଼ିଆକୁ ବାହୁଡ଼ିବା ପରେ ଦୂରରୁ ମୋ ଲୋକମାନଙ୍କ ସିଟି ଶୁଭିଲା । କେଇଶହ ଗଜ ତଳେ ଝୋଲା ଡାହାଣ ବନ୍ଧର ଗୋଟିଏ ବଡ଼ ଗଛରେ ସେମାନେ ଚଢ଼ିଥାଆନ୍ତି । ମୁଁ ଶୁଣିପାରୁଛି ବୋଲି ହାତଠାରି ପ୍ରତିସଙ୍କେତ ଦେବାପରେ ସେମାନେ ଇଙ୍ଗିତଦ୍ଵାରା ଠିକ୍ ବାଟଟି ମୋତେ ବତାଇଦେଲେ ଓ ହାତ ଉପର ତଳ କରି ଜଣାଇଦେଲେ ଯେ ବାଘୁଣୀ ସେ ଭିତରେ ପାହାଡ଼ଚୂଡ଼ା ପାରହୋଇ ଆର ପାଖରୁ ଗଡ଼ିବାକୁ ଆରମ୍ଭ କଲାଣି । କାଳବିଳମ୍ବ ନ କରି ଦୁଇ ଝାଟିବଣ ମଝିଦେଇ ଚଲାବାଟରେ ଉପରକୁ ଧାଇଁଲି । ପାହାଡ଼ ଆରପାଖଟି ବେଶ୍ ଖୋଲା । ଅଳ୍ପଦିନ ତଳେ ଚାଷ ଜମି ଆବାଦ କରିବାପାଇଁ ସେଠାରେ ଘାସ ପୋଡ଼ଯାଇଥିଲା । ପାହାଡ଼ କଡ଼ ସାରା ବହଳରେ ବିଛାଇହୋଇ ପଡ଼ିଥିବା ପାଉଁଶ ପରସ୍ତକ ପୂର୍ବରାତିର ବର୍ଷାଯୋଗୁ ଓଦା ଥିଲା । ଓଦା ପାଉଁଶରେ ବାଘୁଣୀର ପାହୁଲଦାଗ ଅତି ସ୍ପଷ୍ଟଭାବେ ଛାପିହୋଇ ନିକଟର ଏଠାରୁ କେଇ ମାଇଲ ଉପରେ ପାର ହୋଇଥିଲି । ପାହାଡ଼ ଗଡ଼ାଣି ସେଠାରେ ବେଶି ତୀଖ ନ ଥିଲା । ତଳକୁ ଓହ୍ଲାଇ ଦେଖିଲି ଯେ ବାଘୁଣୀ କୂଳରେ ପେଟେଇ ପଡ଼ି ଶୋଷ ମେଣ୍ଟାଇବାପରେ ଝରଣାଟିକୁ ପାରହୋଇ ଚକଡ଼ାଏ ଗହଳ ଜଙ୍ଗଲରେ ପଶିଛି ।

 

ଝୋଲା ଭିତର ପଥରତଳ ଖାଲଠାରୁ ଝରଣାକୂଳଯାଏଁ ପ୍ରାୟ ଚାରିମାଇଲ୍ ବାଟ । ପାହାଡ଼ ଉଠାଣିରେ ସେତିକି ବାଟ ଅତିକ୍ରମ କରିବାକୁ ମୋତେ ସେଦିନ ଦୀର୍ଘ ସାତଘଣ୍ଟା ଲାଗିଯାଇଥିଲା । ପରିଶେଷରେ ବିଫଳ ହେବାକୁ ପଡ଼ିଥିଲେ ମଧ୍ୟ ସେ ସାତୋଟି ଘଣ୍ଟା ମନ୍ଦ କଟି ନ ଥିଲା । ଗତିଚିହ୍ନ ଠଉରାଇ ନରଖାଦକକୁ ଅନୁସରଣ କଲାବେଳେ ଅତର୍କିତ ଆକ୍ରମଣ ପାଇଁ ପ୍ରତିପଦରେ ଅତି ସତର୍କ ଓ ସାବଧାନ ରହିବାକୁ ପଡ଼େ । ଫଳରେ ଚେତନା ତୀକ୍ଷ୍‌ଣ ଓ ଶାଣିତ ହେବା ସଙ୍ଗେ କଳକୌଶଳର ଏସବୁ ତୁମୁଳ ପ୍ରତିଯୋଗିତା କ୍ରମେ ତୀବ୍ରତର ହୋଇଉଠେ ଓ ଦର୍ଶକଙ୍କ ପରି ପ୍ରତିଯୋଗୀଙ୍କୁ ମଧ୍ୟ ସେଥିରୁ ଯଥେଷ୍ଟ ଆନନ୍ଦ ଓ ଆମୋଦ ମିଳିଥାଏ । ଶିକାର ଉନ୍ମାଦନା ଲାଗିରହିଥିବା ଯାଏ ସମୟର ଗତି ଜଣାପଡ଼େ ନାହିଁ । ଗଛ ଉପରୁ ମୋ ଲୋକମାନେ ଏହି ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟ ଲକ୍ଷ୍ୟକରି ଖୁବ୍ ଉପଭୋଗ କରିଥିଲେ । ସାତୋଟି ଘଣ୍ଟା କିପରି କଟିଗଲା, ତାହା ମୁଁ ମଧ୍ୟ ଜାଣିପାରି ନଥିଲି ।

 

ରାତି ପାହିଲାବେଳୁ ସମସ୍ତେ ଡେରାରୁ ବାହାରିଥିଲୁ । ଆମୋଦ ଉତ୍ତେଜନା ଭିତରେ ଦିନଟି କଟାଇ ମାଂସତକ ନେଇ ଡେରାରେ ପହଞ୍ଚିଲାବେଳକୁ ରାତି ଆଠଟା ବାଜି–ଯାଇଥିଲା ।

 

(ସାତ)

 

ପରଦିନ ସକାଳୁ ମୋ ଲୋକେ ଖିଆପିଆ କଲାଭିତରେ ବାଘତମ ଦୁଇଟିରେ ପାଉଁଶ ଓ ଫିଟିକରି ଘସି ନୂଆ ଜାଗାରେ ନେଇ ଫରଚାଇ ଶୁଖାଇଲି । କଞ୍ଚା ଚମରେ ଚର୍ବି ଲାଗି–ରହିଗଲେ କିମ୍ବା ଓଠ, କାନ, ପଞ୍ଝା ଆଦି ନରମ ଜାଗାଗୁଡ଼ିକ ବିଧିମତେ ପ୍ରସ୍ତୁତ କରାନଗଲେ ପରେ ସେଠାରୁ ରୁମ ଝଡ଼ି ଚମ ନଷ୍ଟ ହୋଇଯାଏ । ଦିନ ବାରଟାବେଳକୁ କାମ ସରିଲା । ବାଲିହରିଣ ଚମଟିକୁ ସଫାସଫି କରି ଶୁଖାଇବାକୁ ଭାରୁଆ ଦୁଇଜଣକୁ ଡେରାରେ ଛାଡ଼ି ଅନ୍ୟ ଚାରିଜଣଙ୍କୁ ସଙ୍ଗରେ ନେଇ ବାହାରିଲି ।

 

ପୂର୍ବ ସନ୍ଧ୍ୟାରେ ଯେଉଁଠାରୁ ମୋତେ ବାହୁଡ଼ିବାକୁ ପଡ଼ିଥିଲା, ବାଟରେ କେଉଁଠି ନ ଅଟକି ସମସ୍ତେ ପାହାଡ଼ର ସେହିଠାକୁ ଚାଲିଗଲୁ । ପାହାଡ଼ଟି ବିସ୍ତୀର୍ଣ୍ଣ ଏକ ଉପତ୍ୟକାର ବାଁ ପାଖରେ; ଉପତ୍ୟକା ଡାହାଣପାଖରେ ଥିବା ପାହାଡ଼ର ପିଠିରେ ଟନକପୁର ସଡ଼କ । ଦୁଇ ପାହାଡ଼ ମଧ୍ୟରେ ଥିବା ବନ୍ଧୁର ଉପତ୍ୟକାରେ ଅସଂଖ୍ୟ ଖମା, ଖାତ, ଝାଟିବଣ ଓ ବଡ଼ ବଡ଼ ଗଛର ଗହଳ ଜଙ୍ଗଲ । ଜଙ୍ଗଲ ଘେର ଉିତରେ ବିଭିନ୍ନ ଆକାର ପ୍ରକାରର ଛୋଟ ଛୋଟ ଖୋଲା ପଡ଼ିଆ ଗୁଡ଼ିଏ ଦେଖାଯାଉଥାଏ । ବାଘ ମାତିବା ପୂର୍ବରୁ ତଲ୍ଲାକୋଟ୍‌ର ଲୋକେ ଏସବୁ ପଡ଼ିଆରେ ଗୋରୁ ଚରାଉଥିଲେ । ପଡ଼ିଆଗୁଡ଼ିକୁ ସଂଯୋଗ କରୁଥିବା ସରୁ ସରୁ ଗୋରୁଦାଣ୍ଡି ଉପତ୍ୟକା ସାରା ପରସ୍ପରକୁ ଛେଦକରି ପାହାଡ଼ ଉପରୁ ବୁଢ଼ିଆଣୀ ଜାଲପରି ଦେଖାଯାଉଥାନ୍ତି ।

 

ପାହାଡ଼ ପିଠିରେ ପ୍ରାୟ ଦୁଇଶହ ଗଜ ବ୍ୟବଧାନରେ ଗଛ କେତୋଟି ବାଛି ଲୋକ ଚାରିଜଣଙ୍କୁ ସେଥିରେ ଚଢ଼ାଇଲି ଓ ବାଘୁଣୀକୁ ଦେଖିଲେ ସଙ୍କେତଦ୍ଵାରା ମୋତେ ସତର୍କ କରି ଦେବାକୁ ସେମାନଙ୍କୁ ନିର୍ଦ୍ଦେଶଦେଇ ନିଜେ ତଳକୁ ଗଡ଼ିଲି । ଗୋରୁଦାଣ୍ଡି–ଗୁଡ଼ିକରେ ସମ୍ବର, କୁଟୁରା ଓ ଭାଲୁ ଆଦି ବହୁ ଜନ୍ତୁଙ୍କର ଖୋଜଦାଗ ଦେଖି ମନେହେଲା ଯେ ନରଖାଦକକୁ ଅନୁସରଣ କରିବାପାଇଁ ଉପତ୍ୟକାଟି ଆଦୌ ଉପଯୁକ୍ତ ନ ହେଲେ ମଧ୍ୟ ସାଧାରଣ ଶିକାର ପାଇଁ ତାହା ଅତି ପ୍ରକୃଷ୍ଟ ସ୍ଥାନ ।

 

ଅପ୍ରେଲ ମାସ ସାତ ତାରିଖ ସକାଳେ ବାଘୁଣୀ ଗୁଳି ଖାଇଥିଲା । ସେ ଦିନ ଅପ୍ରେଲ ଦଶ ତାରିଖ; ସେ ଭିତରେ ପୁରା ତିନି ଦିନ ବିତିଗଲାଣି । ଆହତ ହେବାର ପ୍ରଥମ ଚବିଶ ଘଣ୍ଟା ମଧ୍ୟରେ ବାଘ ଶିକାରୀକୁ ଦେଖିବାମାତ୍ରେ ଆକ୍ରମଣ କରିବାର ବେଶି ସମ୍ଭାବନା । ତେବେ ଆହତ ହେବାର ସମୟ ଅପେକ୍ଷା ବାଘର ଆକ୍ରମଣଶୀଳତା ତା’ର ସ୍ୱଭାବ ଓ ଆଘାତର ଗୁରୁତ୍ଵ ଦ୍ଵାରା ମୁଖ୍ୟତଃ ନିର୍ଣ୍ଣୀତ ହୋଇଥାଏ । ସାମାନ୍ୟ ଆଘାତ ପାଇଥିବା ବାଘ ଚବିଶ ଘଣ୍ଟା ଭିତରେ ଶିକାରୀକୁ ସାମନାରେ ପାଇ ମଧ୍ୟ ଆକ୍ରମଣ ନ କରି–ପାରେ । ଅପରପକ୍ଷେ ଶୋଚନୀୟ ଭାବେ ଆହତ ହେବା ପରେ ବାଘର ହିଂସ୍ର ମନୋଭାବ ଦୀର୍ଘ କେତେ ଦିନ ପର୍ଯ୍ୟନ୍ତ ଶାଣିତ ହୋଇ ରହିଥାଏ । ନରଖାଦକର ଆଘାତ କେତେ ଗୁରୁତର, ତାହା ଠିକ୍ ଭାବେ ଜାଣିବାର ଉପାୟ ନ ଥିଲା । ତେବେ ଗତ କେତେ ଦିନ ଧରି ଅନବରତ ଅନୁସୃତ ହେବା ଭିତରେ ସେ ଯେ ମୋତେ ଆକ୍ରମଣ କରିବାକୁ ଥରେ ହେଲେ ପ୍ରୟାସ କରିନାହିଁ–ଏଥିରୁ ତା’ର ଆହତ ହେବା ଉପରେ ଆଉ ବିଶେଷ ଗୁରୁତ୍ଵ ନ ଦେଇ ତାକୁ ସାଧାରଣ ବାଘ ଭାବେ ଗ୍ରହଣ କରିବାକୁ ସ୍ଥିର କଲି । ତିନିଦିନ ଭିତରେ ତାକୁ ଶିକାର ମାରିବାକୁ ମୁଁ ସୁଯୋଗ ବା ଅବସର ଦେଇ ନଥିଲି । ଭୋକବିକଳରେ ଶିକାରୀକୁ ହିଁ ଶିକାର ଭାବେ ହାସଲ କରିବାକୁ ସେ ଉଦ୍ୟମ କରିପାରେ । ସେତିକି ବିପଦ ପାଇଁ ପ୍ରସ୍ତୁତ ହୋଇ ବାଘୁଣୀକୁ ଅନୁସରଣ କରିବାରେ ମନଦେଲି ।

 

ବାଘୁଣୀ ଯେଉଁଠାରେ ଝରଣା ପାରି ହୋଇଥିଲା, ସେଠାରୁ ଅଳ୍ପଦୂରରେ ବର୍ଷାପାଣି ସୁଅ ଚାଲି ଛୋଟ ନାଳିଟିଏ ଖୋଳିହୋଇ ଯାଇଥିବା ଲକ୍ଷ୍ୟକଲି । ତିନିଫୁଟ ଗହୀର ଓ ଦୁଇଫୁଟ ଓସାର ଏହି ଶୁଖିଲା ନାଳିଟିର ଦୁଇପାଖେ ଗହଳ ଝାଟି ଜଙ୍ଗଲ । ନାଳିରେ ପଶି କିଛିବାଟ ଆଗେଇବା ପରେ ବାଘୁଣୀ ଗୋଟିଏ ଗୋରୁଦାଣ୍ଡିକୁ ଉଠିଥିଲା ଓ ସେଥିରେ ତିନିଶହ ଗଜ ଡାହାଣକୁ ଯାଇ ଗହଳ ପତ୍ରଭରା ଗୋଟିଏ ଝଙ୍କାଳିଆ ଗଛମୂଳେ ରାତିସାରା ପଡ଼ିରହିଥିଲା । ଆଘାତର ଯନ୍ତ୍ରଣାରେ କିମ୍ବା ଅନ୍ୟ କୌଣସି କାରଣରୁ ଗଛମୂଳେ ସେ ବାରମ୍ବାର ଗଡ଼ିଥିବା ସତ୍ତ୍ୱେ ଘାସପତ୍ରରେ ଟିକିଏ ମଧ୍ୟ ରକ୍ତ ବା ଲସା ଲାଗି ନ ଥିଲା । ଗଛମୂଳରୁ ଉପତ୍ୟକା ଭିତରକୁ ସଜ ପାହୁଲଦାଗଗୁଡ଼ିଏ ପଡ଼ିଥିବା ଦେଖି ତାହାକୁ ଅନୁସରଣ କରି ଆଗେଇଲି । ଅତକତ ଆକ୍ରମଣ ପାଇଁ ପଦେ ପଦେ ସତର୍କ ରହିବାକୁ ପଡ଼ୁଥାଏ । ଗୋରୁଦାଣ୍ଡି, ପାଣିନଳା ଓ ଜନ୍ତୁଙ୍କ ଚଲାବାଟ ଆଦି ସ୍ଥାନ ଅସ୍ଥାନରେ ପଶି ଦିନସାରା ଖୋଜିବୁଲିବା ସତ୍ତ୍ୱେ ବାଘୁଣୀର ପତ୍ତା ପାଇଲି ନାହିଁ । ଶେଷରେ ସଞ୍ଜବେଳକୁ ଲୋକଙ୍କୁ ଡକାହକା କରି ଡେରାକୁ ବାହୁଡ଼ିଆସିଲି । ବାଟରେ ଲୋକ ଚାରିଜଣ କହିଲେ ଯେ ବିଭିନ୍ନ ଜନ୍ତୁଙ୍କ ଶବ୍ଦସଙ୍କେତରୁ ବାଘୁଣୀର ଗତିପଥ ବେଶ୍‌ ଅନୁମାନ କରି ପାରୁଥିଲେ ମଧ୍ୟ ଦିନ ଭିତରେ ସେମାନେ ତାକୁ ଥରଟିଏ ସୁଦ୍ଧା ଦେଖିପାରିନଥିଲେ ।

 

ପରଦିନ ଅପ୍ରେଲ ଏଗାର ତାରିଖ । ସବୁଦିନପରି ସକାଳୁ ଉଠି ପୁଣି ଅନୁସନ୍ଧାନ ଆରମ୍ଭ କଲି । ଅନାହତ ବାଘକୁ ଅନୁସରଣ କଲାବେଳେ ବାୟୁସ୍ରୋତର ଉପର ଆଡ଼କୁ ମୁହଁକରି ଚାଲିବା ଆବଶ୍ୟକ ହେଲେ ପଛରୁ କିମ୍ବା ଗୋଟିଏ କଡ଼ରୁ ଅତର୍କିତ ଆକ୍ରମଣ ପାଇଁ ସର୍ବଦା ସାବଧାନ ରହିବାକୁ ପଡ଼େ * । ଶିକାରୀର ଗୋଟିଏ ପାଖରୁ ପବନ ବହୁଥିଲେ ବାଘ ଆରପାଖରେ କିମ୍ବା ପଛରେ ଛପିରହେ । ଅନାହତ ମହାବଳ ବାଘ ମଣିଷଖିଆ ପାଲଟିବା ପରେ ବି ସାମନାରୁ କେବେ ଆକ୍ରମଣ ଚଳାଏନାହିଁ; କିନ୍ତୁ ଆହତ ହେବାପରେ ସାଧାରଣ ବାଘ ଓ ନରଖାଦକର ଆକ୍ରମଣ କୌଶଳ ଭିତରେ ପାର୍ଥକ୍ୟ ଦେଖାଯାଏ । ଆହତ ସାଧାରଣ ବାଘ ସମ୍ମୁଖ ସଂଗ୍ରାମକୁ ଆଉ ପଛାଏ ନାହିଁ, ଦୀର୍ଘ ଶହେଗଜ ଦୂରରୁ ମଧ୍ୟ ଅନୁସରଣକାରୀକୁ ଆକ୍ରମଣ କରିବାକୁ ସେ ଛୁଟିଆସେ । ନରଖାଦକ କିନ୍ତୁ ଆହତ ହେବା ପରେ ମଧ୍ୟ ପାଖରୁ ଆକ୍ରମଣ କରିବାର ସୁଯୋଗପାଇଁ ଧୈର୍ଯ୍ୟର ସହିତ ଦୀର୍ଘ ସମୟ ଅପେକ୍ଷା କରେ ଓ ସୁବିଧା ପାଇବା ମାତ୍ରକେ କୁଦାକେ ଶିକାରୀକୁ ମାଡ଼ିବସେ । ସାଧାରଣ ବାଘ ପ୍ରକାଶ୍ୟରେ ଆକ୍ରମଣ କରୁଥିବାରୁ ରାଇଫଲ୍ ଚଳାଇବା ପାଇଁ କେଇ ସେକେଣ୍ଡ୍ ସମୟ ମିଳେ । କିନ୍ତୁ ନରଖାଦକର ଅତର୍କିତ ଆକ୍ରମଣରେ ମୁହର୍ତ୍ତକେ କେତେ କ’ଣ ଘଟିଯାଏ; ଶିକାରୀ ସେଥିପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ନ ଥିଲେ ଆତ୍ମରକ୍ଷା କରିବା ତା’ ପକ୍ଷରେ ଅସମ୍ଭବ ହୋଇଉଠେ । ମୋର ବ୍ୟକ୍ତିଗତ ଦୃଷ୍ଟିକୋଣରୁ ନରଖାଦକ ଓ ସାଧାରଣ ବାଘର ଆକ୍ରମଣ ଭିତରେ ଗୋଟିଏ ଦିଗରୁ ସାମଞ୍ଜସ୍ୟ ଥିବା ଲକ୍ଷ୍ୟ କରିଛି । ତାହା ହେଲା ଆକ୍ରମଣମୂଖୀ ବାଘର ସାମନାରେ ପଡ଼ିଗଲେ ସେ ନରଖାଦକ ହେବା ନ ହେବାର ବିଚାର ନ କରି ମୁଁ ପ୍ରାଣମୂର୍ଚ୍ଛା ରାଇଫଲ୍ ଚଳାଏ ଓ ଇଷ୍ଟଦେବତାଙ୍କୁ ସ୍ମରଣ କରି ମନପ୍ରାଣ ଲଗାଇ ମନାସୁଥାଏ ଯେ ସାମାନ୍ୟ ମୋର ସୀସାର ଗୁଳିଟି ପ୍ରବଳ ଶକ୍ତିବାନ ଏହି ଦୁର୍ଦ୍ଧର୍ଷ ଜନ୍ତୁଟିକୁ କୌଣସିମତେ ରୋକିଦେବାକୁ ସମର୍ଥ ହେଉ ।

 

ବାଘୁଣୀର ଅବସ୍ଥା ସମ୍ବନ୍ଧରେ ବିଚାରକରି ଅନୁମାନ କଲି ଯେ କୁଦାମାରି ମୋତେ ଆକ୍ରମଣ କରିବାକୁ ସେ ଅକ୍ଷମ; ତେଣୁ ତା’ଠାରୁ କିଛିବାଟ ଦୂରରେ ରହିଲେ ବିପଦର ବିଶେଷ ଆଶଙ୍କା ନ ଥିବ । ଅବଶ୍ୟ ଏହି ଚାରିଦିନ ଭିତରେ ଘାଆ ଶୁଖିଆସି ତା’ର ପୁର୍ବଶକ୍ତି ଅନେକାଂଶରେ ଫେରିବଣି । ତେଣୁ ଅଯଥା ବିପଦ ବରଣ ନ କରି ବାଘୁଣୀ ଲୁଚି ରହିବା ଭଳି ପ୍ରତିବନ୍ଧକଗୁଡ଼ିକରୁ ଆଡ଼େଇ ହୋଇ କିଛିବାଟ ଅଗ୍ରସର ହେବା ପରେ ଦେଖିଲି ଯେ ଟନକ୍‌ପୁର ସଡ଼କ କଡ଼ରେ ଚକଡ଼ାଏ ଶୁଖିଲା ଘାସରେ ଶୋଇ ସେ ରାତି କଟାଇଥିଲା । ସେଠାରୁ ଆଗକୁ ସଜ ପାହୁଲବାଗ ଗୁଡ଼ିଏ ମିଳିଲା । ବାଘୁଣୀ ବେଶି ବାଟ ଶୁଖିଲା ନଳା ଓ ଜନ୍ତୁଙ୍କ ଚଲାବାଟରେ ହିଁ ଆଗେଇଥାଏ; ସମ୍ଭବତଃ ଗୋଡ଼ର ଜଖମ ଯୋଗୁ ସେ ଲଟାବୁଦାରେ ପଶୁ ନ ଥାଏ । ପାହୁଲଦାଗ ଅନୁସରଣ କରି କିଛିଦୂର ଯିବାପରେ ବୁଝିପାରିଲି ଯେ ବାଘୁଣୀ ଏଣିକ ଆଉ ଲକ୍ଷ୍ୟହୀନ ଭାବେ ଅଗ୍ରସର ହେଉନାହିଁ; ଭୋକଜ୍ଵାଳାରେ ସେ ଏବେ ଶିକାର ଖୋଜିବାରେ ଲାଗିଛି ।

 

* ‘କୁମାୟୂଁର ନରଖାଦକ’ ଓ ‘ଜଙ୍ଗଲ ତଥ୍ୟ’ ବହି ଦୁଇଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ଟିକିଏ ଆଗକୁ ଶୁଖିଲା ନାଳଟିଏ ପଡ଼ିଲା । ନାଳ ଭିତରେ ଅଳ୍ପ କେଇ ସପ୍ତାହର କୁଟୁରାଛୁଆଟିଏ ପାଇ ବାଘୁଣୀ କେଇମିନିଟ୍ ଭିତରେ ତାକୁ ପୂରା ଶେଷ କରିଦେଇଥାଏ । କୁଟୁରାଛୁଆଟି ବାଲିରେ ଶୋଇ ଖରା ପୁହୁଁ ଥିବାବେଳେ ବାଘୁଣୀ ଅକସ୍ମାତ୍ ସେଠାରେ ପହଞ୍ଚି ଯାଇଥିଲା ବୋଧହୁଏ । ଛୁଆର ଛୋଟ ଛୋଟ ଖୁରା ଚାରୋଟି ଛଡ଼ା ସେ ଆଉ କିଛି ବାକି ରଖି ନ ଥିଲା । ନଳା ଭିତରେ ବାଘୁଣୀର କେଇମିନିଟ୍ ଡେରି ହେବା ଯୋଗୁ ମୁଁ ପାଖେଇ ଆସିବାକୁ ସୁଯୋଗ ପାଇଲି । ଆମ ଭିତରେ ବ୍ୟବଧାନ ଆଉ ମାତ୍ର କେଇମିନିଟ୍ ବାଟ । କଅଁଳ ଛୁଆଟିର ମାଂସ ଦୁଇପଳରେ ବାଘୁଣୀର ଭୋକ ନ ମରି ବରଂ ଆହୁରି ବଢ଼ିଯାଇଥିବ ଓ ମୋ ପ୍ରତି ସେ ଏବେ ଲୋଲୁପଦୃଷ୍ଟି ପକାଉଥିବ ଜାଣି ପୂର୍ବାପେକ୍ଷା ଆହୁରି ସାବଧାନ ହୋଇ ଆଗେଇଲି ।

 

ଆଗକୁ ବଡ଼ ବଡ଼ ପଥର ଗୁଡ଼ିଏ ବିଛାଇ ହୋଇ ପଡ଼ିଥିଲା । ପଥର ସନ୍ଧିରେ ଅଙ୍କାବଙ୍କା ଚଲାବାଟ ନାଳିଗୁଡ଼ିଏ । ଦେହ ଭଲ ଥିଲେ ସେ ସବୁ ଅନ୍ତରାୟକୁ ତୁଚ୍ଛ କରି ମୁଁ ଅନାୟାସରେ ବାଘୁଣୀ ପାଖକୁ ଚାଲି ଯାଇଥାଆନ୍ତି । ସେତେବେଳକୁ ମୋର ଦୁରବସ୍ଥା କିନ୍ତୁ କହିଲେ ନ ସରେ । ମୁହଁ ଓ ବେକରେ ଫୁଲା ପଡ଼ି ମୁହଁ ବୁଲାଇବା ବା ମୁଣ୍ଡ ନୁଆଁଇବା ଆଉ ସମ୍ଭବ ହେଉ ନ ଥାଏ । ଆଖିପତା ଫୁଲି ବାଁ ଆଖିଟି ପୂରାପୂରି ବନ୍ଦ; ଡାହାଣ ଆଖି ଯାହା ଅଧା ମେଲାଇ ହେଉଥାଏ । ବାଁ କାନକୁ ବି କିଛି ଶୁଭୁନଥାଏ । ଡାହାଣ କାନକୁ ସାମାନ୍ୟ ଶୁଭିବା ଉପରେ ହିଁ ନିର୍ଭର କରି ମୁଁ ଅନ୍ଧ ପରି ବାଟ ଅଣ୍ଡାଳି ମାଡ଼ିଚାଲିଥାଏ ଆଗକୁ ।

 

ବାଘୁଣୀ ଆଉ ମୁଁ ଅଳ୍ପ ବ୍ୟବଧାନରେ ଆଗପଛ ହୋଇ ବାଟ ଚାଲୁଥିଲେ ମଧ୍ୟ ସେତେବେଳ ଯାଏ କେହି କାହାକୁ ଦେଖି ନ ଥାଉ । ବାଘୁଣୀ ବଣରେ ପଶିଲେ ମୁଁ ବାହାରେ ବାହାରେ ବୁଲିଯାଇ ବଣ ଆରପାଖରୁ ତା’ ପାହୁଲ ଦାଗ ଠଉରାଇ ଆଗୋଉ ଥାଏ । ଦୈହିକ ଦୁରବସ୍ଥା ଅପେକ୍ଷା ଏସବୁ ଅଞ୍ଚଳ ସହିତ ପରିଚୟର ଅଭାବ ହିଁ ହୋଇଥାଏ ମୋ ପାଇଁ ବେଶି ଅସୁବିଧାର କାରଣ । ପରିଚିତ ସ୍ଥାନରେ ମୁଁ ସହଜରେ ଆଗକୁ ବଢ଼ିଯାଇ ବାଘୁଣୀ ଆସିବା ବାଟରେ ଛକି ରହିଥାଆନ୍ତି । ତାହା କରି ନପାରି ବାଘୁଣୀ ପଛରେ ଅନବରତ ଗୋଡ଼ାଇବା ଯୋଗୁଁ ମୋତେ ମାଇଲ୍ ମାଇଲ୍ ଅଧିକା ବାଟ ଚାଲିବାକୁ ପଡ଼ୁଥାଏ । ଦିନ ଗଡ଼ିବାବେଳକୁ ବାଘୁଣୀ ଉପତ୍ୟକା ଉପରମୁଣ୍ଡରେ ଥିବା ଗୋଟିଏ ଗାଁ ଆଡ଼େ ମୁହାଁଇଥିଲା । ଆଉ ଆଗେଇଲେ ସଞ୍ଜ ହୋଇଯିବ ବୋଲି ଆଶଙ୍କା କରି ସେହିଠାରୁ ବାହୁଡ଼ି ଆସିଲି ।

 

ଡେରାକୁ ଫେରି ପ୍ରାଣାନ୍ତକ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ିଲି ସେଦିନ । ରୋଗ ବଢ଼ି ବଢ଼ି ଯେ ଦିନେ ଏମିତି ଅବସ୍ଥାରେ ପହଞ୍ଚିବ, ଏଇ ଆଶଙ୍କାରେ ବହୁଦିନୁ ଅନ୍ତରାତ୍ମା ଥରିଉଠୁଥିଲା । ଜୀବନର ଚରମ ଦୁଃସମୟ ଏବେ ଆଗତପ୍ରାୟ ବୋଲି ସେହିଦିନ ସନ୍ଧ୍ୟାରେ ସ୍ଥିରଭାବେ ଜାଣିପାରିଲି । ମୁଣ୍ଡ ଭିତରେ ବିଜୁଳି ଖେଳିଗଲା ଭଳି ଲାଗୁଥାଏ; ମନେ ହେଉଥାଏ ଭିତରୁ ଯେମିତ କିଏ ପ୍ରବଳ ଜୋର୍‌ରେ ହାତୁଡ଼ିରେ ପିଟୁଛି । ଦିନ ଦିନ ଧରି କେବଳ ଚାହା ଖାଇ ଚଳିବା ଓ ରାତି ରାତି ଆଖିରେ ପଲକ ନ ପକାଇ ଅନିଦ୍ରା ରହିବା ଫଳରେ ଦେହ ଅପେକ୍ଷା ମନ ବେଶି ଦୁର୍ବଳ ହୋଇପଡ଼ିଥାଏ । ରୋଗର ଶେଷ ପରିଣତି କ’ଣ ହେବ ସେ ସମ୍ବନ୍ଧରେ ମୁଁ କାହିଁକି, ଡାକ୍ତରମାନେ ବି ଲେଶମାତ୍ର ଧାରଣା କରି ନ ଥାଆନ୍ତି । ଅଜଣା ଆତଙ୍କ ଓ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଖଟରେ ଆହୁରି ରାତିଏ ବସି ବସି କଟାଇବାକୁ କାହିଁକି ଆଦୌ ସାହସ ପାଇଲାନାହିଁ ।

 

ତଲ୍ଲାଦେଶ୍‌ର ନିରୀହ ଲୋକମାନଙ୍କୁ ନରଖାଦକ କବଳରୁ ରକ୍ଷା କରିବି ଏବଂ ଆତ୍ମୀୟ–ସ୍ଵଜନଙ୍କୁ ବିବ୍ରତ ନ କରି ଜୀବନର ଏହି ଘୋର ଦୁଃସମୟ ଅନ୍ୟ କେଉଁଠାରେ ବିତାଇଦେବି–ଦୈହିକ ଦୂରବସ୍ଥା ସତ୍ତ୍ୱେ ତଲ୍ଲାଦେଶ୍‍ ଆସିବାରେ ଏହା ହିଁ ଥିଲା ମୋର ମୁଖ୍ୟ ଉଦ୍ଦେଶ୍ୟ । ଦୁର୍ଗତ ଲୋକଗୁଡ଼ିଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନରଖାଦକକୁ ଆହତ କରି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ମୁଁ ବହୁଗୁଣେ ବଢ଼ାଇଦେଲି । ଦୀର୍ଘ ଆଠବର୍ଷ ଭିତରେ ଏହି ନରଖାଦକ ମୋଟ ଦେଢ଼ଶହଟି ପ୍ରାଣହାନି ଘଟାଇଥିଲା । ତେଣୁ ମଣିଷ ଅପେକ୍ଷା ସେ ବେଶି ପଶୁଜନ୍ତୁ ଶିକାର କରୁଥିଲା ବୋଲି ସ୍ଵୀକାର କରିବାକୁ ପଡ଼ିବ । ଗୁଳିମାଡ଼ରେ ପଙ୍ଗୁହୋଇ ଜନ୍ତୁ ମାରି ନ ପାରିଲେ ଅସ୍ତିତ୍ଵ ବଜାୟ ରଖିବାପାଇଁ ଏଣିକି ସେ ପ୍ରତିଥର ମଣିଷ ମାରିବାକୁ ବାଧ୍ୟ ହେବ । ଏହାପରଠାରୁ ମୋ ଅବସ୍ଥା ମଧ୍ୟ କ’ଣ ହେବ କହିବା ଦୁଷ୍କର । ଦାୟିତ୍ଵ ପୂରଣକରିବା ପୂର୍ବରୁ ଯଦି ପ୍ରାଣ ହରାଏ କିମ୍ବା ଅଚଳ ହୋଇ ପଡ଼େ, ମୋର ଅପକର୍ମପାଇଁ ଗୁଡ଼ିଏ ନିର୍ଦ୍ଦୋଷ ଲୋକଙ୍କୁ ପ୍ରାଣବଳି ଦେବାକୁ ପଡ଼ିବ । ଏସବୁ ଦୃଷ୍ଟିରୁ ସେହି ରାତିରେ ହିଁ ବାଘୁଣୀ ସହିତ ହିସାବ–ନିକାଶ କରିବାକୁ ସଙ୍କଳ୍ପକରି ଡେରାରୁ ବାହାରିବାକୁ ପ୍ରସ୍ତୁତ ହେଲି ।

 

ଚାହା କରିବାପାଇଁ ଲୋକଙ୍କୁ ବରାଦ୍ କରିଥିଲି । ଅତି ଯତ୍ନର ସହିତ ନିରୁତା ଦୁଧରେ ସେମାନେ ଚାହା କପେ ତିଆରିକରି ଆଣିଲେ । ପଦାରେ ଛିଡ଼ା ହୋଇ ଚାହାତକ ଶେଷକଲାପରେ ଲୋକମାନଙ୍କୁ ଏକାଠି ଡାକି ନର୍ଦ୍ଦେଶ ଦେଇଗଲି ଯେ ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଗାଁରେ ମୋ ପାଇଁ ଅପେକ୍ଷା କରିବେ ଓ ମୁଁ ଯଦି ସନ୍ଧ୍ୟା ସୁଦ୍ଧା ନ ଫେରେ, ସକାଳୁ ଜିନିଷପତ୍ର ଧରି ନୈନିତାଲ୍ ବାହୁଡ଼ିଯିବେ । ଏତିକି କହି ଖଟଉପରୁ ରାଇଫଲ୍ ଉଠାଇନେଇ ଉପତ୍ୟକା ତଳଆଡ଼କୁ ଚାଲିଲି ।

 

ଅତି ବିଶ୍ଵସ୍ତ ଏହି ସହଚର ଆଠଜଣ ମୋର ପ୍ରତ୍ୟେକଟି ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଭ୍ୟସ୍ତ । ଏଭଳି ଦୁଃସାହସରୁ ମୋତେ ନିବର୍ତ୍ତାଇବାକୁ ଚେଷ୍ଟାକରିବା ଦୂରେଥାଉ, ମୁଁ କେଉଁଠାକୁ ଯାଉଛି ବୋଲି ମଧ୍ୟ କେହି ପଦେ ହେଲେ ପଚାରିଲେ ନାହିଁ । ଆଠଜଣଯାକ ତମ୍ବୁ ବାହାରେ ନୀରବ ହୋଇ ଛିଡ଼ାହୋଇଥାଆନ୍ତି । ଅସ୍ପଷ୍ଟ ଜହ୍ନ ଆଲୁଅରେ ତାଙ୍କ ଆଖିରେ ଗାଲରେ ଲୁହ ଚକ୍‌ଚକ୍ ହେଲାପରି ଯାହା ମନେହେଲା– ତାହା ପ୍ରକୃତ ନା ମୋର କଳ୍ପନାପ୍ରସୂତ ଠିକ୍ କହିପାରୁନାହିଁ । ବିନା ବାକ୍ୟବ୍ୟୟରେ କିଛିବାଟ ଆଗେଇଯିବାପରେ ପଛକୁ ଅନାଇ ଦେଖିଲି ଯେ ଝାପ୍‌ସା ଜହ୍ନଆଲୁଅରେ ଛାୟାମୂର୍ତ୍ତି ପରି ଛିଡ଼ାହୋଇ ମୋ ଯିବାବାଟକୁ ସେମାନେ ଅନାଇ ରହିଛନ୍ତି ।

 

(ଆଠ)

 

ବାଲ୍ୟକାଳର ବହୁ ମଧୁମୟ ସ୍ମୃତି ଭିତରୁ ସାଙ୍ଗସାଥୀଙ୍କ ମେଳରେ ରାତିରେ ଜଙ୍ଗଲରେ ବୁଲିବା କଥା ସ୍ମରଣ କଲେ ମନ ଆଜି ବି ଗଭୀର ଆନନ୍ଦରେ ଭରିଉଠେ । * ଆମେ ଦଶବାର ଜଣ ପିଲା ଏକାଠି ହୋଇ ରାତିରେ ଜଙ୍ଗଲରେ ପଶୁ । ମନ ଖୁସିରେ ବୁଲାବୁଲି କରି ଘରକୁ ଫେରିବା ପରେ ଚଉକସ୍ ଖିଆପିଆ ହୁଏ । ଗହଳ ଜଙ୍ଗଲରେ ରାତିରେ ବୁଲିବା ମୋତେ କେବଳ ଆନନ୍ଦ ଦେଇନଥିଲା–ଭବିଷ୍ୟତ ଜୀବନପାଇଁ ସେଥିରୁ ଅନେକ ଶିକ୍ଷା ପାଇଥିଲି ମଧ୍ୟ । ଅନ୍ଧାର ପ୍ରତି ଭୟ ହରାଇବା ସଙ୍ଗେ ଜଙ୍ଗଲର ରାତ୍ରିକାଳୀନ ନାନା ବିଚିତ୍ର ଶବ୍ଦ ସହିତ ପିଲାଦିନୁ ନିବିଡ଼ଭାବେ ପରିଚିତ ହେବାକୁ ଯଥେଷ୍ଟ ସୁଯୋଗ ପାଇଥିଲି । ପରେ ଏ ଦିଗରେ ଅନୁଭୂତି ଓ ଜ୍ଞାନ ବଢ଼ିବା ସଙ୍ଗେ ସାହସ ଓ ସାମର୍ଥ୍ୟ ମଧ୍ୟ ବଢ଼ିଲା ଓ ଦିନପରି ରାତିରେ ମଧ୍ୟ ଜଙ୍ଗଲରେ ଅବାଧରେ ପ୍ରବେଶ କରି ଅନାୟାସରେ ଶିକାର ମାରିପାରିଲି । ସୁତରାଂ ଅପ୍ରେଲ୍ ଏଗାର ତାରିଖରେ ନରଖାଦକ ସହିତ ମୁକାବିଲା ପାଇଁ ରାତିଅଧରେ ଡେରାରୁ ବାହାରିବା ଦ୍ଵାରା ମୁଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲି ବୋଲି କେହି ଯେପରି ନ ଭାବନ୍ତି ।

 

ହେତୁ ପାଇଲାଦିନୁ ଜୀବନସାରା ମୁଁ ସର୍ବଦା ବାଘ ବିଷୟରେ ଭାବିଆସିଛି । ଜଙ୍ଗଲ ପାହାଡ଼ ଭିତରେ ଜୀବନର ଅଧିକାଂଶ ସମୟ କଟାଇ ବାଘର ମତିଗତି ଓ କ୍ରିୟାକଳାପ ଅନୁଧ୍ୟାନ କରିବାକୁ ଯଥେଷ୍ଟ ସୁଯୋଗ ମଧ୍ୟ ପାଇଛି । ବାଘଟିଏ ଦେଖିବା ହିଁ ଥିଲା ପିଲାଦିନର ସର୍ବଶ୍ରେଷ୍ଠ ଅଭିଳାଷ । ବୟସ ବଢ଼ିବା ସଙ୍ଗେ କିଶୋର ଜୀବନରେ ବାଘ ମାରିବାପାଇଁ ମନ ବଳିଲା । ସେତିକିବେଳେ ନୌବିଭାଗର ଜଣେ କର୍ମଚାରୀଠାରୁ ଦଦରା ବନ୍ଧୁକଟିଏ କିଣିଲି । ଲୋକଟି ସମ୍ଭବତଃ ଫଉଜି ବନ୍ଧୁକଟିଏ ଚୋରାଇ ଆଣି ତାକୁ ଶିକାରପାଇଁ ପ୍ରବର୍ତ୍ତନ କରିଥିଲା । ସେ ଯାହାହେଉ, ଦଦରା ବନ୍ଧୁକଟି ଧରି ଆରମ୍ଭରୁ ପାଦରେ ଚାଲି ବାଘ ମାରିବାକୁ ଶିଖିଲି (୧) । ବାଘ ସହିତ ପରିଚୟ ବଢ଼ିବା ସଙ୍ଗେ ତାକୁ ପ୍ରାଣରେ ମାରିଦେବା ପାଇଁ ଆଗ୍ରହ ଓ ଅଭିଲାଷ ହ୍ରାସ ପାଇବାକୁ ଲାଗିଲା । ଶେଷରେ କେବଳ ବାଘର ଫଟୋ ଉଠାଇବାର ମନଦେଲି; ମଣିଷ ବା ଗୋରୁ ମଇଁଷି ମାରୁଥିବା ବାଘ ଛଡ଼ା ସାଧାରଣ ବାଘ ଆଉ ମାରିଲି ନାହିଁ ।

 

* ‘ଜଙ୍ଗଲ ତଥ୍ୟ’, ‘କୁମାୟୂଁର ନରଖାଦକ’ ଓ ‘ମୋର ଭାରତ’ ବହି ତିନୋଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ବାଘ ଦେଖିବା, ବାଘ ମାରିବା ଓ ବାଘର ଫଟୋ ଉଠାଇବା– ସମୟକ୍ରମେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଏଇ ଅଭିଳାଷ ତିନୋଟି ପୂର୍ଣ୍ଣମାତ୍ରାରେ ଚରିତାର୍ଥ ହୋଇଛି । ବାଘ ସମ୍ବନ୍ଧରେ ମୋର ଧାରଣା ବା ଅନୁଭୂତିର ଅଧିକାଂଶ ମୁଁ ଫଟୋ ଉଠାଇଲାବେଳେ ହିଁ ହାସଲ କରିଛି । ବଣ ଜଙ୍ଗଲ ଉପରେ ମୋତେ ‘‘ମୁକ୍ତ ଅଧିକାର” (୨) ଦେଇ ସମ୍ମାନିତ କରିଥିବା ହେତୁ ଭାରତ ସରକାରଙ୍କ ନିକଟରେ ମୁଁ ଗଭୀରଭାବେ କୃତଜ୍ଞ । ସେହି ଅଧିକାରବଳରେ ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ଆବାସସ୍ଥଳୀ ନିର୍ଣ୍ଣୟକରି ସେଠାରେ ଅବାଧରେ ଘୂରି ବୁଲିବାକୁ ମୋତେ ପ୍ରଶସ୍ତ ସୁଯୋଗ ମିଳିଲା । ମହାବଳ ବାଘର ମତିଗତି ଓ କ୍ରିୟାକଳାପ ଲକ୍ଷ୍ୟ କରିବାକୁ ଦୀର୍ଘ ସମୟ ମୋତେ ଘୋର ଜଙ୍ଗଲରେ କଟାଇବାକୁ ପଡ଼ିଛି । ଥରେ ଏଭଳି ଏକ ଅଭିଯାନରେ ଜଙ୍ଗଲରେ ଏକାଦିକ୍ରମେ ସାଢ଼େ ଚାରିମାସ ରହିବାକୁ ହୋଇଥିଲା । ସେ ସବୁ ସମୟରେ ମହାବଳ ବାଘର ଧାରାବାହିକ ଦୈନନ୍ଦିନ ଜୀବନକୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ବିଶେଷକରି ତା’ର ଶିକାର ମାରିବାର ପ୍ରଣାଳୀ ମୁଁ ଏକାନ୍ତ ମନୋଯୋଗ ସହ ନିରୀକ୍ଷଣ କରିଛି ।

 

(୧)ଲେଖକ ଆଠବର୍ଷ ବୟସରେ ପ୍ରଥମ କରି ବନ୍ଧୁକ ଧରିଥିଲେ ଓ ଦଶବର୍ଷ ବେଳେ ଚିତାବାଘ ମାରିଥିଲେ । ‘ଜଙ୍ଗଲ ତଥ୍ୟ’ ଓ ‘ମୋର ଭାରତ’ ବହି ଦୁଇଟିରେ ବାଲ୍ୟଜୀବନର ଏସବୁ ଅନୁଭୂତି ସେ ବର୍ଣ୍ଣନା କରିଛନ୍ତି ।

 

(୨) “Freedom of the Jungles.” ଜିମ୍ କର୍‌ବେଟ୍‌ଙ୍କ ଛଡ଼ା ସମଗ୍ର ଭାରତବର୍ଷରେ ସେତେବେଳେ ଆଉ ଜଣେ ମାତ୍ର ସଂରକ୍ଷଣବ୍ରତୀ ଶିକାରପ୍ରେମୀ ଭାରତ ସରକାରଙ୍କଠାରୁ ଏହି ସମ୍ମାନ ପାଇଥିଲେ । –ଅନୁବାଦକ

 

ମହାବଳ ବାଘ ତା’ର ଶିକାରଯୋଗ୍ୟ ପଶୁଜନ୍ତୁଙ୍କୁ ଗୋଡ଼ାଇ ମାରେନାହିଁ; ଛପି ଛପି ପାଖକୁ ଆସି କିମ୍ବା ଶିକାରର ଯିବା ବାଟରେ ଛକି ରହି ସେ କୁଦାକେ ତାକୁ ମାଡ଼ିବସେ । ଗୋଟିଏ କୁଦାରେ ଶିକାରକୁ କାବୁ କରିପାରିବ ବୋଲି ଭରସା ନ ହେବା ଯାଏଁ ବାଘ ତାକୁ ଆକ୍ରମଣ କରେନାହିଁ । ତେଣୁ ନିଜଆଡ଼ୁ ସତର୍କ ହୋଇ ବାଘର ବେଶି ପାଖକୁ ନ ଗଲେ, ବାଘ ଛପି ରହିଲାଭଳି ସ୍ଥାନମାନଙ୍କରୁ ଆଡ଼େଇ ହୋଇ ବାଟ ଚାଲିଲେ ଓ ବାଘ ଆସିବାର ସୁରାକ୍ ପାଇବା ମାତ୍ରେ ସେଠାରୁ ଦୂରେଇଗଲେ ତୃଣଭୋଜୀ ଜନ୍ତୁ ବାଘଠାରୁ ନିଜକୁ ରକ୍ଷାକରି ଦୀର୍ଘକାଳ ଯାଏ ବଞ୍ଚି ରହିପାରେ । ପଶୁଜନ୍ତୁଙ୍କ ସହଜାତ ବୁଦ୍ଧି ତଥା ପ୍ରଖର ଦୃଷ୍ଟି ଶକ୍ତି, ଘ୍ରାଣଶକ୍ତି ଓ ଶ୍ରବଣଶକ୍ତି ଏ ଦିଗରେ ସେମାନଙ୍କୁ ବିଶେଷ ସହାୟକ ହୋଇଥାଏ । ମଣିଷ କିନ୍ତୁ ବିବର୍ତ୍ତନ ଓ ସଭ୍ୟତାରତ୍ରରେ ତା’ର ଆଦିମ ଯୁଗର ପ୍ରଖର ଇନ୍ଦ୍ରିୟଚେତନା ଓ ଅନୁଭବ ଶକ୍ତି ଅନେକାଂଶରେ ହରାଇଛି । ପଶୁଜନ୍ତୁଙ୍କ ତୁଳନାରେ ତା’ର ଘାଣେନ୍ଦ୍ରିୟ ଓ ଶ୍ରବଣେନ୍ଦ୍ରିୟ ଅତିଶୟ ଦୁର୍ବଳ । ତେଣୁ ନରଖାଦକ କବଳରୁ ରକ୍ଷାପାଇବାପାଇଁ ଚତୁରତା ଓ ଅନୁଭୂତି ଛଡ଼ା ନିଜର ଦୃଷ୍ଟିଶକ୍ତି ଉପରେ ହିଁ ତାକୁ ମୁଖ୍ୟତଃ ନିର୍ଭର କରିବାକୁ ପଡ଼େ ।

 

ମନର ଅସ୍ଥିରତା ଓ ମୁଣ୍ଡର ଯନ୍ତ୍ରଣାରେ ଅତିଷ୍ଠ ହୋଇ ରାତିରେ ନରଖାଦକ ସନ୍ଧାନରେ ବାହାରିବାବେଳେ କେବଳ ଡାହାଣ ଆଖିଟି ଅଧାଅଧି ଖୋଲି ପାରୁଥିଲି । ମୋ ସପକ୍ଷରେ ସେତେବେଳେ ଏତିକିମାତ୍ର ସୁବିଧା ଥିଲା ଯେ ବାଘୁଣୀ ମୋତେ ପାଖରେ ନ ପାଇଲେ ମାରିପାରିବ ନାହିଁ; ମୁଁ କିନ୍ତୁ ଦୂରରୁ ତା’ ଉପରକୁ ଗୁଳି ଚଳାଇପାରିବି । ସନ୍ଧ୍ୟାସୁଦ୍ଧା ମୁଁ ନ ଫେରିଲେ ଜିନିଷପତ୍ର ନେଇ ନୈନିତାଲ ଫେରିଯିବା ପାଇଁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲାବେଳେ ବାଘୁଣୀ ସହିତ ମୁକାବିଲାରେ ହାରିଯିବ ବୋଲି ଭାବୁ ନ ଥିଲି । ମୋର କେବଳ ଏତିକି ଭୟଥିଲା ଯେ କେଉଁଠି ଚେତା ବୁଡ଼ିଗଲେ ବାଘୁଣୀ କାଳେ ସେହି ସୁଯୋଗରେ ମୋତେ ଶେଷ କରିଦେବ ।

 

ବିଭିନ୍ନ ସ୍ଥିତିସୂଚକ ଚିହ୍ନମାନ ଅନୁଧ୍ୟାନ କରି ମନଭିତରେ ସ୍ଥାନ ବିଶେଷର ମାନଚିତ୍ର ଆଙ୍କିନେବା ମୋର ପିଲାଦନରୁ ଅଭ୍ୟାସ । * ସେଥିଯୋଗୁ ଦିନରେ ବା ରାତିରେ ଜଙ୍ଗଲରେ ଯେ କୌଣସିଠାରେ ପହଞ୍ଚିବାକୁ ମୋର କେବେ କିଛି ଅସୁବିଧା ହୁଏନାହିଁ । ସନ୍ଧ୍ୟାବେଳେ ବାଘୁଣୀକୁ ଯେଉଁଠାରେ ଛାଡ଼ିଆସିଥିଲି, ସେହିଠାରୁ ପାହୁଲଦାଗ ବାରି ତାକୁ ପୁଣି ଅନୁସରଣ କରିବାକୁ ଲାଗିଲି । ଯୋଗକୁ ବାଘୁଣୀ କେବଳ ଗୋରୁଦାଣ୍ଡି ଓ ଚଲାବାଟରେ ହିଁ ଚାଲିଥିଲା । ସମୟ ରାତିର ପ୍ରଥମ ପ୍ରହର । ସମ୍ବର ଓ କୁଟୁରା ଚରାବୁଲା କରିବାପାଇଁ ପଦାକୁ ବାହାରୁ ଥାଆନ୍ତି ଓ ମଝିରେ ମଝିରେ ଆତଙ୍କଧ୍ୱନି କରି ବାଘୁଣୀର ସ୍ଥିତି ସୂଚାଇ ଦେଉଥାଆନ୍ତି । ସେ ସବୁ ଶବ୍ଦସୂଚନାରୁ ବାଘୁଣୀର ସଠିକ୍ ଅବସ୍ଥିତି ନିର୍ଣ୍ଣୟ କରିପାରୁ ନ ଥିଲେ ମଧ୍ୟ ସେ କେଉଁଆଡ଼େ ଅଛି ଓ କେଉଁଆଡ଼କୁ ଯାଉଛି, ସେ ବିଷୟରେ ମୁଁ ମୋଟାମୋଟି ଧାରଣା କରିପାରୁଥାଏ ।

 

ବାଟରେ ଜାଗାଏ ପାହୁଲଦାଗ ଗୋରୁଦାଣ୍ତି ଛାଡ଼ି ଚକଡ଼ାଏ ଗହଳ ଝାଟିବଣରେ ପଶିଥିଲା । ଝାଟିରେ ନ ପଶି ବଣ ଆରପାଖରୁ ପାହୁଲଦାଗ ଠଉରାଇବା ପାଇଁ ବଣ ଧାରେ ଧାରେ ଆରପାଖକୁ ଚାଲିଲି । ବାଟରେ ଗୋଟିଏ ଛୋଟ ପଡ଼ିଆରେ ବଡ଼ ବଡ଼ ଗୁଡ଼ିଏ ଓକ୍ ଗଛ ଥିଲା । ସେଥିରୁ ଗୋଟିକର ମୂଳରେ ଯାଇ ପହଞ୍ଚିଛି, ଏତିକି ବେଳେ ପତ୍ର ଗହଳରେ ହଲ୍‌ଚଲ୍ ଲକ୍ଷ୍ୟ କରି ଉପରକୁ ଅନାଇ ଦେଖିଲି ଯେ ଗଛଟିରେ ହନୁମାଙ୍କଡ଼ ପଲେ ବସାବାନ୍ଧି ରହିଛନ୍ତି । ଆଠଘଣ୍ଟା କାଳ ଅନବରତ ବାଟ ଚାଲି ଚାଲି ଗୋଡ଼ ଦୁଇଟା ଘୋଳେଇ ପଡ଼ୁଥାଏ । ବାଘୁଣୀ ଆସିଲେ ମାଙ୍କଡ଼ ମୋତେ ଚେତାଇ ଦେବେ ଜାଣି ସତର୍କତା ସାମାନ୍ୟ କୋହଳ କରି ଗଛକୁ ଆଉଜି ବସି ଥକ୍‌କା ମାରିଲି ।

 

* ‘ମୋର ଭାରତ’ ଓ ‘ଜଙ୍ଗଲ ତଥ୍ୟ' ବହି ଦୁଇଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

ଝାଟିବଣ ଉପରେ ତୀକ୍ଷ୍‌ଣ ନଜର ରଖି ଅଧଘଣ୍ଟାଏ ବସିଲାପରେ ବୁଢ଼ାମାଙ୍କଡ଼ଟିଏ ବୋବାଇ ଉଠି ଜଣାଇଦେଲା ଯେ ବାଘୁଣୀ ବଣରୁ ଏବେ ପଦାକୁ ବାହାରିଲାଣି ଓ ଗଛ‌ ଉପରୁ ସେ ତାକୁ ସ୍ପଷ୍ଟ ଦେଖିପାରୁଛି । ତୀକ୍ଷ୍‌ଣ ଦୃଷ୍ଟିରେ ଚାରିଆଡ଼କୁ ଅନାଇ ମୋ’ଠାରୁ ଡାହାଣକୁ ପ୍ରାୟ ଶହେ ଗଜ ଦୂରରେ ଓ ବଣଧାରରୁ ଦଶ ଗଜ ଛଡ଼ାରେ ବାଘୁଣୀକୁ ଛିଡ଼ା ହୋଇଥିବା ଦେଖିଦେଲି । ଦୁର୍ଯୋଗକୁ ବାଘୁଣୀ ଠିକ୍ ସେତିକିବେଳକୁ ମୋ ଆଡ଼କୁ କଡ଼କରି ଭୂଇଁରେ ଲେପଟାଇ ପଡ଼ିଲା ଓ ନିଦରେ ନ ଶୋଇ ଗଛ ଉପରେ ବୋବାଉଥିବା ମାଙ୍କଡ଼କୁ ନିର୍ନିମେଷ ଦୃଷ୍ଟିରେ ଅନାଇ ରହିଲା ।

 

ଶୀତଦିନ ରାତିରେ ଆମ ଗାଁରେ * ବାର୍‌ହା ଓ ମିରିଗ କ୍ଷେତବାଡ଼ିରେ ପଶି ଫସଲ ଉଜାଡ଼ି ଦିଅନ୍ତି । ଗାଁ ଲୋକଙ୍କୁ ଫସଲ ଜଗିବାରେ ନିୟମିତ ସାହାଯ୍ୟ କରି ରାତି ଶିକାରରେ ମୋର ଯଥେଷ୍ଟ ଅଭ୍ୟାସ ଓ ଅନୁଭୂତି ଥାଏ । ଜହ୍ନରାତିରେ ଶହେ ଗଜ ଦୂରରୁ ବାଘୁଣୀକୁ ମାରିଦେବା ମୋ ପକ୍ଷରେ ବିଶେଷ କଷ୍ଟକର ହୋଇ ନ ଥାନ୍ତା । କିନ୍ତୁ ଗୁଳି ଚଳାଇବା ବିରୁଦ୍ଧରେ ଏକ ବିଶେଷ ଅନ୍ତରାୟ ଦେଖାଦେଲା । ବନ୍ଧୁକ ମାରିବାକୁ ଆପେ ଆପେ ଅଭ୍ୟାସ କରିଥିବା ସବୁ ଲୋକଙ୍କ ପରି ନିଶାଣ କଲାବେଳେ ମୁଁ ଦୁଇଆଖି ମେଲା ରଖେ ଓ ଗୋଟିଏ ଆଖିରେ ବନ୍ଧୁକ ନିଶାଣ କରି ଆର ଆଖିରେ ଶିକାର ପ୍ରତି ନଜର ଦେଇଥାଏ । ଦୁଇ ଆଖି ଭଲ ଥିଲେ ମୁଁ ବନ୍ଧୁକ ସଜକରି ଅପେକ୍ଷା କରି ଥାଆନ୍ତା ଓ ବାଘୁଣୀ ଛିଡ଼ାହେବା ମାତ୍ରେ ସେହିଠାରୁ ଗୁଳି ଚଳାଇ ଥାଆନ୍ତି-। କିନ୍ତୁ ସେତେବେଳେ ମୁଁ ବାଁ ଆଖି ଆଦୌ ଖୋଲିପାରୁ ନ ଥାଏ । କେବଳ ଅଧାମେଲା ଡାହାଣ ଆଖିଟି ଉପରେ ନିର୍ଭର ରଖି ଶହେ ଗଜ ଦୂରରୁ ଗୁଳି ଚଳାଇବାକୁ ଭରସି ନ ପାରି ବାଧ୍ୟ ହୋଇ ଅନ୍ୟ ଉପାୟ ଚିନ୍ତା କଲି ।

 

ଗତ ଦୁଇରାତି ବାଘୁଣୀ ଗୋଟିଏ ଜାଗାରେ ରାତିତମାମ୍ ଶୋଇଥିବା ଲକ୍ଷ୍ୟ କରିଥିଲେ-। ଆଜି ରାତିକ ସେ ଏଇଠି ଶୋଇ ରହିଗଲେ ଈପ୍‌ସିତ ସୁଯୋଗଟି ମୋତେ ସହଜରେ ମିଳିଯିବ-। ବାଘୁଣୀ ମୋ ଆଡ଼କୁ କଡ଼େଇ କରି ଶୋଇଥାଏ । ତାକୁ ଗାଢ଼ ନିଦ ଲାଗିଯିବା ପରେ ଗୋରୁଦାଣ୍ଡିରେ ଆଗେଇଯାଇ କିମ୍ବା ଘୁଷୁରି ଘୁଷୁରି ପଡ଼ିଆଟି ପାର ହୋଇ ତା’ଠାରୁ ଦଶଗଜକୁ ପାଖେଇ ଯିବି ବୋଲି ସ୍ଥିର କଲି । ଆଖି କାନର ଅବସ୍ଥା ଯେତେ ଖରାପ ହେଲେ ବି ସାମାନ୍ୟ ଦଶଗଜ ଦୂରରୁ ଲକ୍ଷ୍ୟଭ୍ରଷ୍ଟ ହେବାର ପ୍ରଶ୍ନ ଉଠିବ ନାହିଁ । ତେବେ ବାଘୁଣୀ ସ୍ଥିର ହୋଇ ଗୋଟିଏ ଜାଗାରେ ଶୋଇ ରହିବା ଉପରେ ମୋ ଯୋଜନାଟି ପୂରାପୂରି ନିର୍ଭର କରୁଥାଏ; ତେଣୁ ମନେ ମନେ ଆକାଶକଇଁଆ ତୋଳିବାରେ ଆଉ ନ ମାତି ବାଘୁଣୀର କ୍ରିୟାକଳାପ ପ୍ରତି ଧ୍ୟାନ ଦେଲି-

 

* ନୈନିତାଲ୍ ଜିଲ୍ଲା କାଲାଦୁଙ୍ଗୀ ପଲ୍ଲୀସମୂହ ଅନ୍ତର୍ଗତ ଛୋଟ ହଲଦ୍ଵାନୀ ଗାଁରେ ଲେଖକ ଶୀତଦିନେ ରହୁଥିଲେ । ‘ମୋର ଭାରତ’ ଓ ‘ଜଙ୍ଗଲ ତଥ୍ୟ’ ବହି ଦୁଇଟିରେ ସେଠାକାର ଗ୍ରାମ୍ୟଜୀବନ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି–ଅନୁବାଦକ ।

 

ମାଙ୍କଡ଼ଟି ନିଦ ମଳମଳ ସ୍ଵରରେ ବୋବାଇବାକୁ ଲାଗିଥାଏ । ବାଘୁଣୀ ତା’ ଆଡ଼କୁ ଏକଲୟରେ ଅନାଇଥାଏ ଓ ମଝିରେ ମଝିରେ ମୁଣ୍ଡ ହଲାଇ ଚେଇଁଥିବା କଥା ସୂଚାଇ ଦେଉଥାଏ । ଅଧଘଣ୍ଟାଏ ଏହିପରି ପଡ଼ିରହିବା ପରେ ବାଘୁଣୀ ଧୀରେ ଧୀରେ ଉଠି ଛିଡ଼ାହେଲା ଓ ଅତି କଷ୍ଟରେ ଛୋଟେଇ ଛୋଟେଇ ପୁଣି ଡାହାଣକୁ ଆଗେଇଲା । ସେଠାରେ ଅଳ୍ପ ଆଗରୁ ଦଶଫୁଟ ଗହୀର ଓ କୋଡ଼ିଏ ପଚିଶ ଫୁଟ ଓସାର ଝୋଲାଟିଏ । ଝୋଲାଟିକୁ ଏଠାରୁ ଟିକିଏ ତଳେ ମୁଁ ପାର ହୋଇଆସିଥିଲି । ବାଘୁଣୀ ଦେଢ଼ଶହ ଗଜକୁ ଦୂରେଇ ଗଲାପରେ ଗଛ ଛାଇରୁ ବାହାରି ଆସି ନିଃଶବ୍ଦରେ ତା’ ପଛେ ପଛେ ଆଗେଇଲି ଓ ବାଘୁଣୀଠାରୁ ଆଉ ଟିକିଏ ବେଗରେ ଚାଲି ଝୋଲାଧାରରେ ସେ ପହଞ୍ଚିଲା ବେଳକୁ ବ୍ୟବଧାନ ପଚାଶଗଜକୁ କମାଇ ଦେଇପାରିଲି । ସେତିକି ଦୂରରୁ ମୁଁ ସହଜରେ ଗୁଳି ଚଳାଇ ପାରିଥାଆନ୍ତି । ବାଘୁଣୀ କିନ୍ତୁ ଝୋଲାଧାରର ଛାଇଛାଇଆ ଅନ୍ଧାରରେ ରହିଯିବା ଫଳରେ କେବଳ ତା’ ବାଁ ପଛ ଗୋଡ଼ଟି ମୋତେ ଅତି ଅସ୍ପଷ୍ଟ ଭାବେ ଦେଖାଗଲା । ରୁଦ୍ଧ ଉତ୍କଣ୍ଠାରେ ଦୀର୍ଘ ମିନିଟିଏ କଟିଯିବା ପରେ ବାଘୁଣୀ ଜହ୍ନଆଲୁଅକୁ ଆଉ ନ ଫେରି ବନ୍ଧରୁ ଗଡ଼ି ଝୋଲାରେ ପଶିଗଲା ।

 

ବନ୍ଧତଳେ ସେ ଲୁଚିଯିବା ମାତ୍ରେ ମୁଁ ଶବ୍ଦ ନ କରି ଦ୍ରୁତ ବେଗରେ ନଇଁ ନଇଁ ଝୋଲା ଆଡ଼କୁ ଧାଇଁଗଲି । ସେପରି ଅବସ୍ଥାରେ ମୁଣ୍ଡ ନୁଆଁଇଦେବା ମୋ ପକ୍ଷରେ ମସ୍ତବଡ଼ ଭୁଲ ହେଲା । କେଇ ପାହୁଣ୍ଡ ନ ଯାଉଣୁ ହଠାତ୍ ମୁଣ୍ଡ ବୁଲାଇଦେଲା; ଗୋଡ଼ ଟଳମଳ ହୋଇ ନିଜକୁ ଆଉ ସମ୍ଭାଳି ନେଇପାରିଲି ନାହିଁ । ପାଖାପାଖି ହୋଇ ଉଠିଥିବା ମଝାଲିଆ ଗଜା ଓକ୍ ଗଛ ଦୁଇଟି ହାତପାଆନ୍ତିଆରେ ପାଇ ତାକୁ ହିଁ ଆଶ୍ରାକରି ଧରିନେଲି । ଚାଲିବାକୁ ଆଉ ଶକ୍ତି ପାଉ ନ ଥାଏ । ଏଣେ ନରଖାଦକ ଅଧ୍ୟୁଷିତ ଜଙ୍ଗଲରେ ଭୁଇଁରେ ଶୋଇରହିବା ଅତି ବୀଭତ୍ସ ଧରଣର ମୃତ୍ୟୁର ଆମନ୍ତ୍ରଣ କରିବା ସଙ୍ଗେ ସମାନ । ଗଛ ଗଣ୍ଡିରେ ରାଇଫଲ୍ ଡେରି ଦେଇ ଅତି କଷ୍ଟରେ ବାର ପନ୍ଦର ଫୁଟ ଉପରକୁ ଚଢ଼ିଲି । ଗଛ ଦୁଇଟିର ଡାଳ ଛନ୍ଦି ହୋଇ ଜାଲି ପରି ହୋଇଥିଲା । ଡାଳରୁ ଗୋଟିକରେ ସଜାଡ଼ି ହୋଇ ବସି ତଳ ଡାଳରେ ଗୋଡ଼ ଥୋଇଲି । ପଛକୁ ଆଉଜିବା ପାଇଁ ବାଡ଼ା ପରି ଡାଳଟିଏ ଥିଲା । ସାମନାର ସେହିପରି ଗୋଟିଏ ଡାଳରେ ହାତ ରଖି ମୁଣ୍ଡ ଭରା ଦେଇଛି; ହଠାତ୍ ଏତିକିବେଳେ କାନ ଭିତରେ ବଥଟା ଫାଟିଗଲା । ମଝିକାନ ଉପର ପତଳା ହାଡ଼ ପରସ୍ତକ ଖାଇଯାଇ ପୂଜ ମଗଜକୁ ବିସର୍ପି ଯିବ ବୋଲି ଘୋର ଆଶଙ୍କା ଥିଲା । ଭଗବାନଙ୍କ ଅସୀମ କୃପାରୁ ଗଣ୍ଡପୂଜ ଓ ରକ୍ତ ଝଲକାକ ଖପୁରି ହାଡ଼ ଭିତରକୁ ନ ପଶି କାନ ଓ ନାକ ବାଟେ ପଦାକୁ ବୋହି ଆସିଲା ।

 

‘ଅସହ୍ୟ ଯନ୍ତ୍ରଣାରୁ ହଠାତ୍ ମୁକ୍ତି ପାଇଯିବା ଭଳି ଗଭୀର ଆଶ୍ଵସ୍ତି ଅନ୍ୟ କୌଣସି ପରସ୍ଥିତିରେ ଅନୁଭବ କରାଯାଇପାରେନା’–ଏଇ କଥା କେଇପଦ ଯିଏ ପ୍ରଥମ ଲେଖିଥିଲେ, ସେ ନିଶ୍ଚୟ ମୋରି ପରି କୌଣସି ଦୁର୍ବିସହ ଯାତନାରୁ ହଠାତ୍ ନିଷ୍କୃତି ପାଇଥିବେ । ସେତେବେଳେ ରାତି ଅଧ ହେଲାଣି । ବଥ ଫାଟିଯିବା ମାତ୍ରେ ଯମଯନ୍ତ୍ରଣାରୁ ମୁକ୍ତି ପାଇଲି; କିନ୍ତୁ ରାତି ପାହିବାଯାଏଁ ମୁଣ୍ଡ ଆଉ ଟେକି ପାରିଲି ନାହିଁ । ସିନ୍ଦୂରା ଫାଟିଲା ବେଳକୁ ଅର୍ଦ୍ଧଚେତ ଅବସ୍ଥାରୁ ହଠାତ୍ ଜାଗିଉଠି କେଉଁଠି ଅଛି ପ୍ରଥମେ ବୁଝିପାରିଲିନାହିଁ । ସରୁ ଡାଳଟିରେ ଜାକି ହୋଇ ଅସଜରେ ବସି ବସି ହାତ ଗୋଡ଼ ମଧ୍ୟ ସଳଖି ହେଉ ନ ଥାଏ । ସଂଜ୍ଞା ଫେରିବା ପରେ କ୍ରମେ ଲକ୍ଷ୍ୟକଲି ଯେ କେଇଘଣ୍ଟା ଭିତରେ ମୁହଁ ଓ ବେକର ଫୁଲା ଅନେକ କମିଯାଇଛି ଓ ବାଁ ଆଖି ପୂରା ଖୋଲିହେଉଛି । ମୁଣ୍ଡ ଭିତରେ ପୂର୍ବର ସେ ତୀବ୍ର ବେଦନା ଆଉ ନାହିଁ କିମ୍ବା ମୁଣ୍ଡ ହଲାଇବାକୁ ବା ଛେପ ଢୋକିବାକୁ ଆଉ କଷ୍ଟ ହେଉନାହିଁ । ଅବସ୍ଥାର ଏଭଳି ନାଟକୀୟ ପରିବର୍ତ୍ତନରେ ନୂତନ ଜୀବନ ପାଇଲା ପରି ଲାଗିଲା ଓ ବିପୁଳ ଉତ୍ସାହରେ ଅନ୍ତର ଭରି ଉଠିଲା । ବାଘୁଣୀ ସେ ଭିତରେ ଦୂରକୁ ଚାଲିଯାଇଥିବ ବୋଲି ଜାଣିକରି ମଧ୍ୟ ପୂର୍ଣ୍ଣ ବିଶ୍ଵାସ ହେଲା ଯେ ଏଥର ମୋ ଅକ୍ତିଆରରୁ ସେ କେବେହେଲେ ବାହାରିଯାଇ ପାରିବନାହିଁ ।

 

ରାତିରେ ଅତି କଷ୍ଟରେ ଗଛରେ ଚଢ଼ିଥିଲି । ସକାଳୁ ଡାଳଟିଏ ଧରି ଉହୁଙ୍କି କରି ତଳକୁ ଡେଇଁ ପଡ଼ିବାକୁ ଟିକିଏ ହେଲେ କଷ୍ଟ ହେଲା ନାହିଁ । ବାଘୁଣୀ ଝୋଲରେ ପଶିବା ପରଠାରୁ ତା’ ସହିତ ସଂଯୋଗ ହରାଇଥିଲି । ଗଛମୂଳରୁ ରାଇଫଲ୍ ଗୋଟାଇ ନେଇ ପାହୁଲଦାଗ କିଛିଦୂର ଅନୁସରଣ କରିବା ପରେ ଲକ୍ଷ୍ୟ କଲି ଯେ ଆମ ଡେରା ବାଟ ଦେଇ ସେ ଗାଁ ଆଡ଼କୁ ମୁହାଁଇଛି । ଅଧବାଟରେ ଝରଣାଟିଏ ପଡ଼ିଲା । ଲୁଗାପଟା ଖୋଲି ଝରଣାରେ ଧୋଇ ସଫା କରିବା ପରେ ଡେରା ଆଡ଼କୁ ମୁହାଁଇଲି ।

 

ମୋ ଲୋକ ଆଠଜଣ ଗାଁକୁ ନଯାଇ ରାତିତମାମ ଡେରାରେ ହିଁ ଅପେକ୍ଷା କରିଥିଲେ ଓ ତମ୍ବୁ ବାହାରେ ପଦାରେ ନିଆଁ ଜାଳି ଚାହାପାଣି ବସାଇ ଆଶା ନିରାଶାର ଦ୍ଵନ୍ଦ ଭିତରେ ମୋ ଆସିବା ବାଟକୁ ଅନାଇ ରହିଥିଲେ । ମୋତେ ଓଦା ସରସର ହୋଇ ଫେରିବା ଦେଖି ସମସ୍ତେ ଆନନ୍ଦରେ ‘ସାହେବ ! ସାହେବ ! ଚିତ୍କାର କରି ଏକସଙ୍ଗରେ ଛୁଟିଆସି ମୋତେ ବେଢ଼ି ଗଲେ ଓ ଗଦ୍‌ଗଦ୍‌ ସ୍ଵରରେ ପଚାରିପକାଇଲେ, ଆପଣ ଫେରି ଆସିଛନ୍ତି ସାହେବ ! ଆପଣ ଭଲ ଅଛନ୍ତି ତ-!’ ଅତି ସାଧାରଣ ଏହି ପ୍ରଶ୍ନ କୁଶଳ ପ୍ରଶ୍ନ କେତୋଟି ଶୁଣି ଭାବାବେଶରେ କଣ୍ଠ ମୋର ବାଷ୍ପାକୁଳ ହୋଇ ଉଠିଥିଲା ସେଦିନ । ଅତି କଷ୍ଟରେ ସ୍ଵରକୁ ସଞ୍ଜିତ କରି ସହଜ ଭାବେ ଉତ୍ତର ଦେଲି, ‘ହଁ–ଭଲ ହୋଇ ଫେରିଆସିଛି । ’

 

ମୋର ଆଜୀବନ ବନ୍ଧୁ ଏଇ ସରଳ ଶିକ୍ଷାହୀନ ଲୋକ କେଇଜଣ ଓ ତାଙ୍କରି ପରି ପାର୍ବତ୍ୟ ଅଞ୍ଚଳର ଅଧିକାଂଶ ଅଧିବାସୀଙ୍କଠାରୁ ଜୀବନସାରା ଯେତେ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇଛି, ସେଥିପାଇଁ ସର୍ବନିୟନ୍ତାଙ୍କ ନିକଟରେ ମୁଁ ସବୁବେଳେ କୃତଜ୍ଞ । ଭାରତୀୟମାନଙ୍କ ଅନ୍ତରରେ ଶ୍ରଦ୍ଧା ଅନୁରକ୍ତି ଅତି ଗଭୀରଭାବେ ନିହତ । * ମନଖୋଲା ପ୍ରାଣଭରା ସେମାନଙ୍କ ବନ୍ଧୁତା ଭିତରେ ବ୍ୟକ୍ତିଗତ ଲାଭ– କ୍ଷତିର ହିସାବ ନ ଥାଏ । ବିଶେଷ କରି ଏଇ ପାହାଡ଼ିଆ ଲୋକମାନେ ଯାହାକୁ ବନ୍ଧୁଭାବେ ଥରେ ଗ୍ରହଣ କରନ୍ତି, ତା’ ପାଇଁ ଅକାତରରେ ପ୍ରାଣବଳି ଦେବାକୁ ମଧ୍ୟ ସେମାନେ ପଛାନ୍ତି ନାହିଁ ।

 

ତଲ୍ଲାକୋଟ୍‌ରେ ପହଞ୍ଚିବା ଦିନ ଗାଁ ମୁଖିଆ ଆମ ରହିବା ପାଇଁ ଘର ଦୁଇବଖରା ଖାଲି କରି ଦେଇଥିଲେ ଓ ପଦାରେ ରହିଲେ ଘୋର ବିପତ୍ତି ପଡ଼ିବ ବୋଲି ଆମ ସମସ୍ତଙ୍କୁ ବାରମ୍ବାର ଚେତାଇ କହିଥିଲେ । ମଣିଷଖିଆ ବାଘ ମୁଲକରେ ରାତିରେ ଖୋଲା ମେଲାରେ ବସିରହିବା ଯେ କେଡ଼େ ବିପଜ୍ଜନକ, ମୋ ଲୋକଙ୍କୁ ତାହା ଅଜଣା ନ ଥିଲା । ଜୀବନର ଏକ ଅତି ଦୁର୍ବଳ ମୁହୂର୍ତ୍ତରେ ମୋର ଏହି ବନ୍ଧୁ, ଆଠଜଣ ନିଜ ପ୍ରତି ବିପଦକୁ ତୁଚ୍ଛ କରି ରାତିସାରା ପଦାରେ ଶୀତ-କାକରରେ ବସି ପହଞ୍ଚିବା ମାତ୍ରେ ମୋତେ ତାହା କପେ ଯୋଗାଇ ଦେବାକୁ ଯେପରି ଆୟୋଜନ କରିଥିଲେ–ବନ୍ଧୁତା ଓ ବିଶ୍ଵସ୍ତତାର ଏହାଠାରୁ ଶ୍ରେଷ୍ଠତର ଦୃଷ୍ଟାନ୍ତ ଆଉ କ’ଣ ହୋଇପାରେ ?

 

ସେଦିନ ଚାହା ଖାଇଥିଲି କି ନାହିଁ ମନେ ନାହିଁ । ତେବେ ଖଟରେ ଗଡ଼ିପଡ଼ିବା ମାତ୍ରେ ପାଦରୁ କେହି ଜଣେ ଜୋତାହଳକ ଫିଟାଇ ନେଲା ଓ ଆଉ ଜଣେ କମ୍ବଳ ଖଣ୍ଡିକରେ ଗୋଡ଼ରୁ ମୁଣ୍ଡଯାଏ ମୋତେ ଘୋଡ଼ାଇ ଦେଲା–ଏଇ ଦୁଇଟି କଥା ଆଜିଯାଏ ସ୍ପଷ୍ଟ ମନେଅଛି । ଏହାପରେ କେତେ ଘଣ୍ଟା ଗାଢ଼ ନିଦରେ ଶୋଇପଡ଼ିଲି । ମଝିରେ ଥରେ ମନେହେଲା ସ୍ଵପ୍ନରେ କିଏ ଜଣେ ଚାପା ଗଳାରେ ମୋତେ ଡାକୁଛି ଓ ଆଉ ଜଣେ ମୋ ନିଦ ଭାଙ୍ଗିବାକୁ ତାକୁ ବାରଣ କରୁଛି । ସାମାନ୍ୟ ପରିବର୍ତ୍ତନ ସହ ଏହି ସ୍ଵପ୍ନଟିର ବାରମ୍ବାର ପୁନରାବୃତ୍ତି ହେବାପରେ ସ୍ଵରଗୁଡ଼ିକ ତନ୍ଦ୍ରାଭେଦ କରି କ୍ରମେ ସ୍ପଷ୍ଟତର ହୋଇ ଉଠିଲା । ଜଣେ କେହି କହୁଥିବା ଶୁଣାଗଲା, ‘‘ମୁଁ କହୁଛି, ଉଠାଇ ଦିଅ ! ନହେଲେ ସାହେବ ପରେ ରାଗିବେ !” ଗଙ୍ଗାରାମ୍ ତାକୁ ଉତ୍ତର ଦେଲା, ‘‘ସାହେବ ଭାରି ହାଲିଆ ହୋଇପଡ଼ିଛନ୍ତି; ଏତେବେଳେ ତାଙ୍କୁ ଉଠାଇଲେ ଚଳିବ ନାହିଁ ।” ମୋ ନିଦ ସେତେବେଳକୁ ଭାଙ୍ଗିଲାଣି । ଲୋକଟିକୁ ଡାକି ଆଣିବାକୁ ଗଙ୍ଗାରାମକୁ ବରାଦ କଲି । ସଙ୍ଗେ ସଙ୍ଗେ ସ୍ତ୍ରୀ, ପୁରୁଷ ଓ ପିଲା ମିଶି ପ୍ରାୟ କୋଡ଼ିଏ ଜଣ ଲୋକ ଏକାଠି ତମ୍ବୁ ଭିତରକୁ ପଶି ଆସିଲେ ଓ ଆବେଗଭରା ଉତ୍କଣ୍ଠାରେ ଏକ ସ୍ଵରରେ କହି ଉଠିଲେ ସେ ନରଖାଦକ ଗାଁମୁଣ୍ଡରେ ଏବେ ଏବେ ଛଅଟି ଛେଳି ମାରିଦେଇଛି । ଜୋତା ପିନ୍ଧୁ ପିନ୍ଧୁ ଲୋକଙ୍କ ଭିତରେ ଡୁଙ୍ଗର୍ ସିଂକୁ ଦେଖି ଜାଗାଟି ବତାଇଦେବାକୁ ତାକୁ କହିଲି । ବେଶି ଲୋକ ସେଠାକୁ ଗଲେ ବାଘ ହୁରୁଡ଼ିଯିବ । ଅନ୍ୟମାନଙ୍କୁ ଅଟକାଇ ରଖିବାକୁ ମୁଖିଆଙ୍କୁ ଅନୁରୋଧ କରି ୨୭୫ ରାଇଫଲ୍‌ଟି ଧରି ଗାଁ ଭିତର ଦେଇ ଡୁଙ୍ଗର୍ ସିଂ ସହିତ ଘଟଣାସ୍ଥଳକୁ ଚାଲିଲି ।

 

* ମୋର ଭାରତ’ ବହିରେ ‘ଅନୁରକ୍ତି’ ପରଚ୍ଛେଦଟି ଦ୍ରଷ୍ଟବ୍ୟ–ଅନୁବାଦକ ।

 

କେଇଘଣ୍ଟା ଆଗରୁ ଅତି ସନ୍ତର୍ପଣରେ ଖୋଜ ପକାଇବାକୁ ପଡ଼ୁଥିଲା । ଗୋଡ଼ ଟିକିଏ ଦୁଲୁକି ଗଲେ ମୁଣ୍ଡ ଭିତରେ ହାତୁଡ଼ି ପାହାର ବସିଲା ପରି ଲାଗୁଥିଲା । ଗତ କେତେ ସପ୍ତାହ ଧରି ଏଭଳି ଅକଥନୀୟ ଯନ୍ତ୍ରଣା ସହିବା ପରେ ଏବେ ସହଜଭାବେ ପାଦ ପକାଇ ଚାଲିବାକୁ କମ୍ ଆନନ୍ଦ ଲାଗୁ ନ ଥାଏ । କେଇଘଣ୍ଟା ନିଘୋଡ଼ ନିଦରେ ଶୋଇପଡ଼ିବା ଫଳରେ ପୂର୍ବର କ୍ଳାନ୍ତି ଓ ଅବସାଦ ମଧ୍ୟ ନ ଥାଏ । ରାଇଫଲ୍ ଧରି ଡୁଙ୍ଗର୍ ସିଂ ସହିତ ବାଘୁଣୀ ସନ୍ଧାନରେ ବାହାରିବା ବେଳେ ନୂତନ ଉତ୍ସାହରେ ପ୍ରାଣ ମନ ଭରିଉଠିଥାଏ ।

 

(ନଅ)

 

ତଲ୍ଲାକୋଟ୍‌ରେ ପହଞ୍ଚିବା ଦିନ ଡୁଙ୍ଗର୍ ସିଂ ସହିତ ଗାଁ ପାଖ ଘାଟି ଉପରକୁ ଯାଇଥିବା କଥା ପୂର୍ବରୁ ବର୍ଣ୍ଣନା କରିଛି । ଘାଟି ଡାହାଣ ପଟୁ କାଳୀନଦୀ କୂଳଯାଏ ଅତି ତୀଖରେ ଗଡ଼ିଥିବା ଉପତ୍ୟକାରେ ହିଁ ନରଖାଦକକୁ ଆହତ କରିଥିଲି ଓ ତା’ଶାବକ ଦୁଇଟିଙ୍କୁ ମାରିଥିଲି । ଘାଟି ବାଁ ପାଖ ଗଡ଼ାଣି ଓ ସେପାଖ ଉପତ୍ୟକାଟି ସେତେ ତୀଖ ନ ଥିଲା । ବାଘୁଣୀ ସେହି ଉପତ୍ୟକାରେ ଛେଳିଗୁଡ଼କୁ ମାରିଥାଏ । ଘାଟି ପାର ହୋଇ ଡୁଙ୍ଗର୍ ସିଂ ପଛେ ପଛେ ଗୋଟିଏ ଛେଳିଦାଣ୍ଡିରେ ଘଟଣାସ୍ଥଳକୁ ଧାଇଁଲି । ଖାଲଢ଼ିପଭରା ଅତି ଅସମତଳ ଏହି ଦାଣ୍ଡିରେ ବୁଲି ବାଙ୍କି ପ୍ରାୟ ଛଅ ଶହ ଗଜ ଯିବାପରେ ଗୋଟିଏ ଝରଣାକୂଳରେ ଛୋଟ ପଡ଼ିଆଟିଏ ପଡ଼ିଲା । ଅଳ୍ପ ଉଚ୍ଚ ପଥରବନ୍ଧଟିଏ ପଡ଼ିଆ ବାଁପାଖରୁ ଡାହାଣକୁ ଲମ୍ବିଥାଏ । ପଥର ଆରପାଖେ ଚାଳିଶ ଗଜ ଓସାର ଗୋଟିଏ ଅଳ୍ପ ଗହୀର ଖାଲରେ ଛେଳି ତିନୋଟି ମରି ପଡ଼ିଥିବା ଦେଖିଲି ।

 

ବାଟ ଚାଲୁ ଚାଲୁ ଡୁଙ୍ଗର୍ ସିଂ ଘଟଣାର ପୂର୍ଣ୍ଣ ବିବରଣୀ ମୋତେ ଦେଇଥିଲା । ଦିନ ପ୍ରାୟ ବାରଟାବେଳେ ଗାଁର ଦଶ ପନ୍ଦର ଜଣ ପିଲା ଝରଣାକୂଳ ଏହି ପଡ଼ିଆଟିରେ ଛେଳି ଚରାଉଥିଲେ । ବାଘୁଣୀ ହଠାତ୍ ଛେଳିପଲରେ ପଶିଯାଇ ଆଖିପିଛୁଡ଼ାକେ ଛଅଟି ଛେଳି ମାରି ପକାଇଲା । ବାଘୁଣୀକୁ ନରଖାଦକ ବୋଲି ସନ୍ଦେହ କରି ପିଲାମାନେ ହୁରି ପକାଇଲେ । ଆଖପାଖରେ ଜାଳ ଗୋଟାଉଥିବା ଲୋକ କେଇଜଣ ପାଟିତୁଣ୍ଡ ଶୁଣି ଧାଇଁଆସିଲେ । ଛେଳିଗୋଠକ ଛିନ୍ନଛତ୍ର ହୋଇ ଏଣେତେଣେ ଧାଇଁବା ଓ ଛେଳିଜଗା ପିଲାଙ୍କ ସହିତ ଗାଁଲୋକେ ମିଶି ପ୍ରବଳ ପାଟିତୁଣ୍ଡ କରିବା ଭିତରେ ବାଘୁଣୀ ଏମିତି ସହଜରେ ସେଠାରୁ ଅପସରିଗଲା ଯେ ତା’ ଯିବାର କେହି ଟିକିଏ ସୁରାକ୍ ବି ପାଇଲେ ନାହିଁ । ବାଘୁଣୀ ଗଲାପରେ ଲୋକମାନେ ପାଖକୁ ଯାଇ ଦେଖିଲେ ଯେ ଛେଳିରୁ ତିନୋଟି ମରିଛନ୍ତି, ଆଉ ତିନୋଟି ମେରୁହାଡ଼ ଭାଙ୍ଗି ସୁକୁସୁକୁ ହେଉଛନ୍ତି । କାଳବିଳମ୍ବ ନ କରି ମଲାଛେଳି ତିନୋଟି ଗୋଟାଇ ନେଇ ମୋତେ ଖବର ଦେବାକୁ ସେମାନେ ଡେରାକୁ ଧାଇଁଲେ ।

 

ପୂର୍ବ ରାତିରେ ନରଖାଦକ ଝୋଲାରେ ପଶି ଗାଁ ଆଡ଼େ ମୁହାଁଉଥିବା ଲକ୍ଷ୍ୟ କରିଥିଲି । ସକାଳୁ ମୋ ଲୋକମାନେ ବି କହିଥିଲେ ଯେ ଭୋର୍ ବେଳକୁ ଡେରାରୁ ପ୍ରାୟ ଶହେଗଜ ଦୂରରେ କୁଟୁରାଟିଏ ଭୁକି ଉଠିଥିଲା ଓ କୁଟୁରା ମୋତେ ଦେଖି ଭୁକଥିବ ଭାବି ସେମାନେ ଚାହା ପାଣି ବସାଇଥିଲେ । ପଦାରେ ବସିଥିବା ବେଳେ ନିଆଁ ଜଳାଇ ରଖିବାଦ୍ଵାରା ନିଜ ଅଜାଣତରେ ସେମାନେ କେଡ଼େ ବଡ଼ ବିପତ୍ତିରୁ ରକ୍ଷାପାଇଥିଲେ, ତାହା ଅନୁସନ୍ଧାନ କରିବା ପରେ ଜାଣିପାରିଲି-। ରାତି ପାହିବାବେଳକୁ ବାଘୁଣୀ ଡେରା ପାଖରେ ହିଁ ଥିଲା ଓ ସମ୍ଭବତଃ ନିଆଁ ଜଳୁଥିବା ଯୋଗୁ ଆଉ ପାଖକୁ ନ ଆସି ସେହିଠାରୁ ବାଟଭାଙ୍ଗି ମଣିଷ ଶିକାର ସନ୍ଧାନରେ ଗାଁରେ ପଶିଥିଲା । ରାତି ପାହିଯିବା ପରେ ସେ ଗାଁ ବାହାରେ ଲୁଚି ରହିଲା ଓ ଖୋରାକ ପାଇବାର ମୌକା ମିଳିବା ମାତ୍ରେ ଛେଳିପଲରେ ପଶି ଚାହୁଁ ଚାହୁଁ ଛେଳିଗୁଡ଼ିକୁ ମାରିଦେଲା । ଗୋଡ଼ରେ ସାଂଘାତିକ ଜଖମ ଥିବା ସତ୍ତ୍ୱେ ଛଅଟି ଛେଳି ମାରିଦେବାକୁ ତାକୁ କେଇ ସେକେଣ୍ଡ୍‌ରୁ ବେଶି ସମୟ ଲାଗିଲା ନାହିଁ-

 

ଏ ସବୁ ଅଞ୍ଚଳ ସହିତ ମୋର ଭଲ ପରିଚୟ ନ ଥିବାରୁ ବାଘୁଣୀ କେଉଁଆଡ଼କୁ ଯିବାର ବେଶି ସମ୍ଭାବନା ବୋଲି ଡୁଙ୍ଗର୍ ସିଂର ମତ ପଚାରିଲି । ଉପତ୍ୟକା ତଳଆଡ଼େ ଚକଡ଼ାଏ ଘଞ୍ଚ ଜଙ୍ଗଲ ଦେଖାଇଦେଇ ସେ କହିଲା ଯେ ବାଘୁଣୀ ତା'ର ଭିତରେ ହିଁ ଲୁଚିଥିବ । ଜଙ୍ଗଲଟି ବିଷୟରେ ତାକୁ ପଚାରୁଛି, ଏତିକିବେଳେ ଦୂରରୁ କେଉଁଠି ପାହାଡ଼ିଆ କୁକୁଡ଼ାଟିଏ ରାବିବାକୁ ଆରମ୍ଭ କଲା । ଶବ୍ଦର ସ୍ଥିତି ମୁଁ ଠଉରାଇ ପାରିବି ନାହିଁ ବୋଲି ଡୁଙ୍ଗର୍ ସିଂକୁ ଜଣାଥାଏ । କିଛି ସମୟ କାନ ଡେରି ଶୁଣିବାପରେ କୁକୁଡ଼ା ପାହାଡ଼ ଉପରୁ କେଉଁଠୁ ବୋବାଉଛି ବୋଲି ସେ କହିଲା-। ପାହାଡ଼ର ଉଠାଣି ସେଠାରେ ଅପେକ୍ଷାକୃତ ତୀଖ; କାଁ ଭାଁ କେତୋଟି ବୁଦା ଓ ରୁଗୁଡ଼ିଆ ଗଛ ଛଡ଼ା ବାଘୁଣୀକୁ ଆଢ଼ୁଆଳ ଦେବା ଭଳି ବଣ ସେଠାରେ ନ ଥିଲା । ତା’ପରେ, ଗୋଡ଼ର ଜଖମ ଯୋଗୁ ବାଘୁଣୀ ସେଭଳି ତୀଖ ଉଠାଣିରେ ଚଢ଼ିବାକୁ ପ୍ରୟାସ କରିଥିବ ବୋଲି ବିଶ୍ଵାସ କରିପାରିଲି ନାହିଁ । ପ୍ରଶ୍ନିଳଦୃଷ୍ଟିରେ ଅନାଇବାରୁ ଡୁଙ୍ଗର୍ ସିଂ ପୁଣି କହିଲା ଯେ କୁକୁଡ଼ା ପାହାଡ଼ ଆରପାଖ ଝୋଲାଭିତରୁ ରାବିଲା ଭଳି ଜଣାପଡ଼ୁଛି । ପାହାଡ଼ ଆରପାଖରୁ କୁକୁଡ଼ା ଆମକୁ କଦାପି ଦେଖି ନ ଥିବ । ତେଣୁ ବାଘୁଣୀକୁ ଦେଖି ସେ ରାବୁଥିବ ବୋଲି ଧାରଣା କ୍ରମେ ଦୃଢ଼ ହେବାକୁ ଲାଗିଲା-

 

ଯେତେ ଶୀଘ୍ର ସମ୍ଭବ ଗାଁକୁ ଧାଇଁ ପଳାଇବାକୁ ଡୁଙ୍ଗର୍ ସିଂକୁ ନିର୍ଦ୍ଦେଶ ଦେଲି ଓ ବିପଦପୂର୍ଣ୍ଣ ଅଞ୍ଚଳଟିକୁ ସେ ନିର୍ବିଘ୍ନରେ ପାର ହେବା ପର୍ଯ୍ୟନ୍ତ ମୁହୂର୍ତ୍ତକେ ରାଇଫଲ୍ ଚଳାଇବାକୁ ପ୍ରସ୍ତୁତ ହୋଇ ତା’ଯିବା ବାଟକୁ ଅନାଇ ରହିଲି । ବଡ଼ ବଡ଼ ପାଇନ୍ ଗଛ କେତୋଟି ଛଡ଼ା ଉପତ୍ୟକାର ସେ ଅଂଶରେ ସୁବିଧାରେ ଜଗି ବସିଥିବା ଭଳି ଗଛ ନଥିଲା । ପାଇନ୍ ଗଛର ଡାଳଗୁଡ଼ିକ ସବୁ ଭୂଇଁରୁ ତିରିଶ ଚାଳିଶ ଗଜ ଉପରେ । ସେ ଯାଏ ଚଢ଼ି ହେବ ନାହିଁ ଦେଖି ଭୂଇଁରେ ହିଁ ବସିବାକୁ ବାଛିନେଲି । ଦିନବେଳେ ତଳେ ବସିବାରେ ବିଶେଷ ବିପଦ ନ ଥାଏ; କିନ୍ତୁ ଅନ୍ଧାର ହେବାପରେ ବାଘୁଣୀ ପଦାକୁ ବାହାରିଲେ ଘୋର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ । ସନ୍ଧ୍ୟା ହେବାର ଘଣ୍ଟାଏ ଦୁଇଘଣ୍ଟା ପରେ ଜହ୍ନ ଉଠିବ । ସନ୍ଧ୍ୟାପରର ସେହି ଅନ୍ଧାରିଆ ସମୟ ଭିତରେ ବାଘୁଣୀ ଯଦି ଶିକାର ଖାଇବାକୁ ବାହାରେ–ଆଉ ଛେଳି ମାଂସ ଅପେକ୍ଷା ମଣିଷ ମାଂସ ପ୍ରତି ତା’ର ଯଦି ବେଶି ଲାଳସା ଥାଏ–ତେବେ କପାଳ ଖୁବ୍ ତେଜ ନ ଥିଲେ ତା’ ମୁହଁରୁ ବର୍ତ୍ତିପାରିବି ନାହିଁ ।

 

ପଡ଼ିଆ ମଝି ପଥରବନ୍ଧରେ ଛୋଟ ବଡ଼ ଦୁଇଟି ଚଟକା ପଥର ଉପର ତଳ ହୋଇ ଏମିତି ଭାବେ ରହିଥିଲା ଯେ ଛୋଟ ପଥରଟିରେ ବସିଲେ ବଡ଼ ପଥର ଆଢ଼ୁଆଳରୁ ମୁଣ୍ଡଟି କେବଳ ପଦାକୁ ଦିଶିବ ଓ ବାଘୁଣୀର ଆସିବା ବାଟ ଉପରେ ସହଜରେ ନଜର ରଖିହେବ । ବନ୍ଧ ସାମନାକୁ ଚାଳିଶଗଜ ଓସାର ଖାଲ ଓ ତା’ ଆରପାଖରେ ଝୋଲାର କୋଡ଼ିଏଫୁଟ ଉଚ୍ଚ ବନ୍ଧଟିଏ । ବନ୍ଧ କଡ଼ଟି ପ୍ରାୟ କୋଡ଼ିଏଗଜ ଓସାରରେ ଖାଲ ଭିତରକୁ ଗଡ଼ିଆସିଥାଏ । ଝୋଲା ଆରପାଖରେ ତୀଖ ପାହାଡ଼; ବାଘୁଣୀ ସେଥିରେ ଲୁଚିଛି ବୋଲି ଆମେ ସନ୍ଦେହ କରୁଥାଉ । ଦରମରା ଛେଳିଗୁଡ଼ିଙ୍କୁ ଖାଲରେ ଛାଡ଼ି ଛେଳିଜଗା ପିଲାମାନେ ଗାଁଲୋକଙ୍କ ସହିତ ପଳାଇ ଯାଇଥିଲେ । ବାଘୁଣୀ ଛେଳି ତିନୋଟିଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ଓ ଗୋଟିକର ପିଠିରୁ ଛାଲ ମଧ୍ୟ ଉତାରି ଦେଇଥିଲା । ମଲା ଛେଳି ତିନୋଟି ଏବେ ବାଘୁଣୀର ଆହାର ହେବାପାଇଁ ଖାଲ ଭିତରେ ପଡ଼ିଥାଆନ୍ତି ।

 

ପଥରବନ୍ଧରେ ବସିଲାବେଳକୁ ଦିନ ଦୁଇଟା ବାଜିଥିଲା । ପାହାଡ଼ ଉପରୁ କୁକୁଡ଼ାର ରାବ ବନ୍ଦ ହୋଇଯାଇଥାଏ । ବାଘୁଣୀ ଝୋଲାରେ ପଶିଲାବେଳେ ନା ସେଥିରୁ ବାହାରିଲା ବେଳେ କୁକୁଡ଼ା ତାକୁ ଦେଖିଥିବ–ପଥର ଉପରେ ବସି ବସି ମୁଁ ତାହା ହିଁ ବିଚାର କରୁଥାଏ । ବାଘୁଣୀ ସେତେବେଳେ ଝୋଲାରୁ ବାହାରୁଥିଲେ ମୋତେ ବେଶି ବେଳ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

 

ବନ୍ଧରେ ଅଧଘଣ୍ଟାଏ ବସିଲା ପରେ ନୀଳକଣ୍ଠ ଚଢ଼େଇ ଦୁଇଟି ଉପତ୍ୟକା ତଳଆଡ଼ୁ ଉଡ଼ିଆସି ଖାଲରେ ଓହ୍ଲାଇ ପଡ଼ିଲେ । ଗାଢ଼ ନୀଳ ରଙ୍ଗର ଏହି ଚଢ଼େଇଗୁଡ଼ିକ ଦେଖିବାକୁ ଅତି ସୁନ୍ଦର; ମୃତ ଜନ୍ତୁଙ୍କୁ ଠାବ କରିବାରେ ମଧ୍ୟ ସେମାନେ ଖୁବ୍ ଧୁରନ୍ଧର । ସହବାସ ଋତୁ ଆରମ୍ଭରେ ଅନ୍ୟ ଚଢ଼େଇମାନେ ବସା ବାନ୍ଧିଲାବେଳେ ଏମାନେ ରାମଗାଙ୍ଗ୍ରା ଆଦି ଛୋଟ ଛୋଟ ପକ୍ଷୀଙ୍କ ବସା ଉପରେ ଚଢ଼ଉ କରି ଘୋର କ୍ଷତି ଘଟାନ୍ତି । ଅନବରତ କେଁ କଟର ହେବା ଏ ଚଢ଼େଇଙ୍କର ଦସ୍ତୁର; ଚଢ଼େଇ ଦୁଇଟିଙ୍କୁ ଦେଖିବା ଆଗରୁ ତାଙ୍କ ସ୍ୱର ଶୁଣି ମୁଁ ହୁସିଆର ହୋଇଯାଇଥିଲି । ମଲା ଛେଳି ତିନୋଟିଙ୍କୁ ଦେଖିଦେବା ମାତ୍ରେ ଚଢ଼େଇ ଯୋଡ଼ିକ ହଠାତ୍ ତୁନି ହୋଇଯାଇ ଅତି ସନ୍ତର୍ପଣରେ ଆଗେଇବାକୁ ଲାଗିଲେ । ମଝିରେ ମଝିରେ ତରକି ଉଠି ସେମାନେ କେଇ ପାହୁଣ୍ଡ ପଛେଇ ଯାଉଥାଆନ୍ତି । କେଇଥର ଏପରି ଆଗପଛ ହେବା ପରେ ସେମାନେ ସାହସ ବାନ୍ଧି ପାଖକୁ ଗଲେ ଓ ଚମଛଡ଼ା ଛେଳିଟି ଉପରେ ବସି ମାଂସ ଖାଇବା ଆରମ୍ଭ କଲେ ।

 

କିଛି ସମୟ ପୂର୍ବରୁ ଫୁଲଶାଗୁଣାଟିଏ ଖାଲ ଉପରେ ଚକ୍‌କର ମାରୁଥିଲା । ନୀଳକଣ୍ଠ ଚଢ଼େଇ ଛେଳି ଉପରେ ବସିଥିବା ଦେଖି ସିଏ ମଧ୍ୟ ତଳକୁ ଭାସି ଭାସି ଆସି ନିକଟରେ ଗୋଟିଏ ପାଇନ୍‌ଗଛ ଡାଳରେ ଖୁବ୍ ଉଶ୍ଵାସରେ ଓହ୍ଲାଇ ପଡ଼ିଲା । ଫୁଲଶାଗୁଣାର ପେଟ ପଟଟି ଧଳା ଓ ପିଠିଟା କଳା; ତା’ ମୁଣ୍ଡ ଓ ଗୋଡ଼ ଦୁଇଟି ଲାଲ୍ । ଆକାରରେ ସାଧାରଣ ଶାଗୁଣାଠାରୁ ଅନେକ ଛୋଟ ହୋଇଥିବାରୁ ମଢ଼ ଖାଇବାବେଳେ ଠେଲାପେଲାରେ ସେ ପଛକୁ ହଟିଯାଏ । ତେଣୁ ମଢ଼କୁ ଆଗତୁରା ଠାବକରି ବଡ଼ ଶାଗୁଣା ପହଞ୍ଚିବା ପୂର୍ବରୁ ମାଂସ କିଛି ଖାଇଦେବାକୁ ସେ ସବୁବେଳେ ତତ୍ପର ଥାଏ ।

 

ଶାଗୁଣା ଗଛଡ଼ାଳରେ ବସିବା ଦେଖି ଆଶ୍ୱସ୍ତ ହେଲି । ଉଚ୍ଚ ଡାଳ ଉପରୁ ସେ ବହୁଦୂରକୁ ଦେଖିପାରିବ; ତା’ ଗତିବିଧି ଉପରେ ନଜର ରଖିଲେ ବାଘୁଣୀର କାର୍ଯ୍ୟକଳାପ ସେଥୁରୁ ଅନୁମାନ କରିହେବ । ବାଘୁଣୀ ପାଖରେ ଥିବା ପର୍ଯ୍ୟନ୍ତ ଶାଗୁଣା ଗଛରୁ ଓହ୍ଲାଇବ ନାହଁ; କିନ୍ତୁ ତଳକୁ ଓହ୍ଲାଇ ସେ ଚାନ୍ଦତାରା ଚଢ଼େଇଙ୍କ ସହିତ ମାଂସ ଖାଇବାରେ ଯୋଗଦେଲେ ବାଘୁଣୀ ଦୂରକୁ ଚାଲିଯାଇଛି ବୋଲି ଜଣାପଡ଼ିବ ।

 

ପରବର୍ତ୍ତୀ ଅଧଘଣ୍ଟାଯାଏ ପରିସ୍ଥିତିର କୌଣସି ପରିବର୍ତ୍ତନ ଘଟିଲା ନାହିଁ । ନୀଳକଣ୍ଠ ଚଢ଼େଇ ଦୁଇଟି ନିଶ୍ଚିନ୍ତରେ ମାଂସ ଖାଇବାରେ ଲାଗିଥାଆନ୍ତି । ଶାଗୁଣାଟି ପାଇନ୍‌ଡ଼ାଳରେ ନିଶ୍ଚଳ ହୋଇ ବସି ନୀରବରେ ପହରା ଦେଉଥାଏ । ଆକାଶରେ ବଉଦ ଜମି ଆସି ଛାଇ ବଢ଼ିବାକୁ ଲାଗିଥାଏ । ହଠାତ୍ ଏତିକିବେଳେ କୁକୁଡ଼ା ପୁଣି ଥରେ ଉଚ୍ଚ ସ୍ୱରରେ ରାବି ଉଠିଲା । ନୀଳକଣ୍ଠ ଚଢ଼େଇ ଦୁଇଟି ଚିର୍‌ଚିରେଇ ଉଠି ଉପତ୍ୟକା ତଳ ଆଡ଼କୁ ଉଡ଼ିଗଲେ । ଗତ ରାତିରେ ମୁଣ୍ଡ ଘୂରେଇଯିବା ପରଠାରୁ ବାଘୁଣୀ ସହିତ ସଂଯୋଗ ହରାଇଥିଲି । ଏବେ ସେ ପୁଣି ଥରେ ମୋ ଅକ୍ତିଆରକୁ ଆସୁଛି ବୋଲି ଜାଣି ରାଇଫଲ୍ ସଜ କରି ପ୍ରସ୍ତୁତ ହୋଇଗଲି ।

 

ପାହାଡ଼ କଡ଼ ଝୋଲାବନ୍ଧରେ ଥିବା ବୁଦା କେତୋଟି ଦୃଷ୍ଟି ଅବରୋଧ କରୁଥିଲା । ମୁଁ ଅନାଇଥିବା ଭିତରେ ବାଘୁଣୀ ବୁଦା ଉହାଡ଼ରୁ ବାହାରି ନଜରକୁ ଆସିଗଲା । ବନ୍ଧ ଉପରେ ସମତଳ ଭାବେ କିଛିଦୂର ଆଗେଇଲା ପରେ ସେ ହଠାତ୍ ଅଟକି ଯାଇ ସ୍ଥିର ନିବଦ୍ଧ ଦୃଷ୍ଟିରେ ଅନାଇ ରହିଲା ମୋରି ଆଡ଼କୁ । ପଥର ଉପରୁ ମୋ ମୁଣ୍ଡଟି କେବଳ ପଦାକୁ ଦିଶୁଥାଏ । ରାଇଫଲ୍‌କୁ ପଥରରେ ଭରାଦେଇ ଟୋପିକୁ ଆଖି ଉପରକୁ ନୁଆଁଇ ଆଣି ଫନ୍ଦତଳୁ ବାଘୁଣୀ ଉପରେ ମୁଁ ତୀକ୍ଷ୍‌ଣ ନଜର ରଖିଥାଏ । ହଲ୍‌ଚଲ୍ ନ ହେଲେ ବାଘୁଣୀ ମୋତେ ଦେଖି ପାରିବନାହିଁ ଜାଣି ପଥର ସହିର ନିଜକୁ ମିଶାଇଦେଇ ସମ୍ପୂର୍ଣ୍ଣ ନିଶ୍ଚଳହୋଇ ବସିରହିଲି । ବାଘୁଣୀ ଧୀରେ ଧୀରେ ଆଗେଇ ଆସି ଠିକ୍ ମୋ ରାଇଫଲ୍ ସାମ୍‌ନାରେ ପହଞ୍ଚିଗଲା । ତା’ପରେ କିନ୍ତୁ ପ୍ରକାଣ୍ଡ ଗୋଟିଏ ପାଇନ୍‌ଗଛ ଉହାଡ଼ରେ ସେ ବସିପଡ଼ି କାନ୍ଧର ଘାଆରୁ ମାଛି ଘଉଡ଼ାଇବାକୁ ଲାଗିଲା । ଗଛ ଆଢ଼ୁଆଳରେ ସେ ଏମିତି ଭାବରେ ବସିଲା ଯେ ମୁଣ୍ଡ ଓ ଲାଞ୍ଜ ଛଡ଼ା ତା’ର ଆଉ କିଛି ମୋତେ ଦେଖାଗଲା ନାହିଁ । ଗୁଳି ଚଳାଇବାକୁ ଆଉ ଉପାୟ ନ ପାଇ ପ୍ରବଳ ଉତ୍କଣ୍ଠାର ସହ ବାଘୁଣୀ ସ୍ଥାନ ପରିବର୍ତ୍ତନ କରିବାକୁ ଅପେକ୍ଷା କଲି !

 

(ଦଶ)

 

ଆଠବର୍ଷ ତଳର କଥା । ବାଘୁଣୀର ସେତେବେଳେ ଯୁବା ବୟସ । ସେ ସମୟରେ ଝିଙ୍କକୁ ଥରେ ଆକ୍ରମଣ କରିବାକୁ ଯାଇ ସେ ଅତି ଶୋଚନୀୟ ଭାବେ ଆହତ ହେଲା । ସେତେବେଳକୁ ସେ ସନ୍ତାନବତୀ; ଛୋଟ ଛୋଟ ଶାବକ ଦୁଇଟି ତା’ର ଦୁଗ୍‌ଧପୋଷ୍ୟ ଶିଶୁ । ଆହାର ନ ପାଇଲେ ସେ ନିଜେ ପ୍ରାଣ ହରାଇବ, ଆଉ ଛୁଆ ଦୁଇଟି କ୍ଷୀର ବିନା ଶୁଖି ଶୁଖି ମରିଯିବେ । ମାଂସଭୋଜୀ ପଶୁ ସେ–ମାଂସ ଛଡ଼ା ଅନ୍ୟ ଖାଦ୍ୟ ଗ୍ରହଣ କରିବାର ଶକ୍ତି ସ୍ରଷ୍ଟା ତାକୁ ଦେଇନାହାନ୍ତି । ଏଣେ ଦୈହ୍ୟିକ ଦୁର୍ଗତିଯୋଗୁ ନିଜର ପ୍ରାକୃତିକ ଶିକାର ମାରିବାକୁ ସେ ଅକ୍ଷମ । ଏହି ଦୁରୂହ ସମସ୍ୟା ଭିତରୁ ନିଜର ଓ ଶାବକ ଦୁଇଟିଙ୍କ ଜୀବନରକ୍ଷାପାଇଁ ସେ ଯଦି ମଣିଷ ମାରିବାକୁ ବାଛିନେଲା, ତାହାଦ୍ଵାରା ସେ ପ୍ରକୃତିର କୌଣସି ମୌଳିକ ନିୟମ ଲଙ୍ଘନ କଲା ବୋଲି କିପରି କୁହାଯିବ? ନରଖାଦକ ପାଲଟିବା ଦିନରୁ ସେ ସମୁଦାୟ ଦେଢ଼ଶହ ମଣିଷ ମାରିଥିଲା । ବର୍ଷକୁ ତାହା ହାରାହାରି କୋଡ଼ିଏ ଜଣରୁ ବେଶି ନୁହେଁ । ଏଥିରୁ ମୋର ଅନୁମାନ ଯେ କେବଳ ସନ୍ତାନପାଳନ କରୁଥିବା ସମୟରେ ଅନ୍ୟ ଶିକାର ନ ପାଇଲେ, ନିଜର ଓ ଶାବକଙ୍କର ଅସ୍ତିତ୍ଵ ବଜାୟ ରଖିବାପାଇଁ ସେ ବାଧ୍ୟହୋଇ ମଣିଷ ମାରୁଥିଲା ।

 

ଦୀର୍ଘ ଆଠବର୍ଷ କାଳ ତଲ୍ଲାଦେଶ୍‌ର ଲୋକେ ଏହି ବାଘୁଣୀ ଦାଉରୁ ଅକଥନୀୟ ଦୁଃଖ କଷ୍ଟ ସହିଥିଲେ । ବାଘୁଣୀର ସେଥିରେ ଦୋଷ ଥାଉ ବା ନ ଥାଉ, ତାକୁ ପ୍ରାଣରେ ମାରିଦେବା ଛଡ଼ା ତା’ର ଉପଦ୍ରବ ବନ୍ଦ କରିବାର ଅନ୍ୟ ଉପାୟ ନଥିଲା । ଅଳ୍ପ କେଇଦିନ ତଳେ ମୁଁ ତାକୁ ଗୁଳିମାରି ଆହତ କରିଛି । ତେଣୁ ଯନ୍ତ୍ରଣାରୁ ତାକୁ ନିଷ୍କୃତି ଦେବାର ଦାୟିତ୍ଵ ବି ମୋର । ବାଘୁଣୀ ମୁଣ୍ଡକୁ ଲକ୍ଷ୍ୟକରି କେତେଥର ରାଇଫଲ୍ ଉଠାଇଲି; କିନ୍ତୁ ମେଘୁଆ ପାଗରେ ଷାଠିଏ ଗଜ ଦୂରରୁ ମୁଣ୍ଡରେ ଗୁଳି ବସାଇଦେଇ ପାରିବି ବୋଲି ସାହସ ନ ହେବାରୁ ରାଇଫଲ୍ ପୁଣି ନୁଆଁଇ ଦେଲି ।

 

ଗଛ ଉହାଡ଼ରେ କିଛି ସମୟ ବସି ରହିବାପରେ ବାଘୁଣୀ ଛିଡ଼ାହୋଇପଡ଼ି ଦୁଇ ତିନି ପାହୁଣ୍ଡ ଆଗେଇ ଆସିଲା ଓ ମୋ ଆଡ଼କୁ କଡ଼କରି ଛୋଳି ତିନୋଟିଙ୍କୁ ଅନାଇ ବନ୍ଧ ଉପରେ ଦଣ୍ଡେ ଅଟକିଗଲା । ସେହି ଅବସରରେ ପଥରରେ କହୁଣୀ ଭରାଦେଇ ଅତି ଯତ୍ନର ସହ ତା’ ହୃତ୍‌ପିଣ୍ଡକୁ ଲକ୍ଷ୍ୟକରି ଘୋଡ଼ା ଟିପିଦେଲି ।

 

ରାଇଫଲ୍ ଗର୍ଜିଉଠିବା ସଙ୍ଗେ ବନ୍ଧ ଆରପାଖରେ ଜାଗାଏ ଧୂଳି ଉଡ଼ିଯିବା ଦେଖିଲି । କ୍ଷଣକପାଇଁ ଆଶଙ୍କା ହେଲା ଯେ ବାଘୁଣୀର ହୃତ୍‌ପିଣ୍ଡ ଭେଦକରିବା ଦୂରେ ଥାଉ, ଗୁଳି ମୋଟ ଉପରେ ତା’ ଦେହରେ ବି ବାଜିନାହିଁ । ମୁଁ କିନ୍ତୁ ଅତି ସାବଧାନରେ ଲକ୍ଷ୍ୟକରି ଗୁଳି ଚଳାଇଥିଲି । ସମ୍ପୂର୍ଣ୍ଣ ଲକ୍ଷ୍ୟଭ୍ରଷ୍ଟହେବା ଅପେକ୍ଷା ଗୁଳି ବାଘୁଣୀର ଦେହ ଫୁଟାଇ ଆର ପାଖରୁ ବାହାରି ଯାଇଥିବା କାହିଁକି ବେଶି ସମ୍ଭବପର ମନେହେଲା ।

 

ବନ୍ଧୁକ ଆବାଜ ହେବାମାତ୍ରେ ବାଘୁଣୀ ସାମ୍‌ନାକୁ କୁଦିପଡ଼ି ଏତେ ବେଗରେ ଛୁଟି ପଳାଇଗଲା ଯେ ଆଉ ଗୋଟିଏ ଗୁଳି ଚଳାଇବାକୁ ସମୟ ପାଇଲି ନାହିଁ । ତା’ର ଦୌଡ଼ର ବେଗ ଦେଖି ପୁଣି ଆଶଙ୍କା ହେଲା ଯେ ସେ ଖୁବ୍ ତରକି ଯାଇଛି; କିନ୍ତୁ, ଆହତ ହୋଇନାହିଁ । ଏଡ଼େ ବଡ଼ ସୁଯୋଗଟିଏ ହରାଇବାର ଦୁଃଖରେ ନିଜକୁ ଧିକ୍‌କାର କରି ସେହିଠାରେ ସଙ୍କଳ୍ପକଲି ସେ ବାଘୁଣୀକୁ ଖସିଯିବାକୁ ଆଉ ସୁଯୋଗ ନ ଦେଇ ତାକୁ ଯେ କୌଣସି ମତେ ଶେଷ କରିବି । ପଥର ଉପରୁ ଡେଇଁ ଖାଲ ଭିତରେ ଧାଇଁ ଧାଇଁ ଯାଇ ବନ୍ଧ ଉପରକୁ ଉଠିଲି । ବାଘୁଣୀ ଯେଉଁଠାରୁ ପଳାଇଥିଲା, ବନ୍ଧର ଚଟକା ଅଂଶଟିକୁ ଦ୍ରୁତ ବେଗରେ ପାରହୋଇ ଅତି ଶୀଘ୍ର ସେଠାରେ ପହଞ୍ଚି ଦେଖିଲି ଯେ ସରୁ ସରୁ ନରମ ଗୋଡ଼ିଭରା ଚାଳିଶ ଫୁଟ ଲମ୍ବ ତୀଖ ଗଡ଼ାଣିଟିଏ ସାମନାରେ ରହିଛି । ବାଘୁଣୀ କେଇକ୍ଷେପରେ ଗଡ଼ାଣିଟିକୁ ଅତିକ୍ରମ କରି ତଳକୁ ଡେଇଁ ପଳାଇଥାଏ । ମଣିଷ କିନ୍ତୁ ସେଭଳି ଖସଡ଼ା ଗଡ଼ାଣିରେ ଧାଇଁଯିବାକୁ ଚେଷ୍ଟାକଲେ କଚାଡ଼ି ପଡ଼ି ଗୋଡ଼ ହାତ ଭାଙ୍ଗିବା ଅତି ନିଶ୍ଚିତ କଥା । ଏଣେ ପାଦ ଚିପି ଚିପି ଓହ୍ଲାଇବାକୁ ବି ସମୟ ନାହିଁ । ଆଗପଛକୁ ଆଉ ବିଚାର ନ କରି ଗୋଡ଼ି ଉପରେ ବସିପଡ଼ି ଖସି ଖସି ଯାଇ ଗଡ଼ାଣି ତଳେ ପହଞ୍ଚିଗଲି ।

 

ଗଡ଼ାଣି ତଳ ମଟାଳ ଭୂଇଁରେ ପାହୁଲଦାଗ ବାରିହେଲା ନାହଁ । ଆଗକୁ ଚଲାବାଟଟିଏ ଦେଖି ବାଘୁଣୀ ସେଇଥିରେ ଯାଇଥିବ ବୋଲି ଅନୁମାନ କରି ଆଗେଇଲି । ବାଟ ଡାହାଣ କଡ଼ରେ ବଡ଼ ବଡ଼ ପଥରଭରା ଛୋଟ ଝରଣାଟିଏ । ଝରଣା ଆରପାଖରୁ ପାହାଡ଼ର ତୀଖ ଘାସଭରା ଉଠାଣି । ବାଟ ବାଁ ପାଖରେ ବି ଆଉ ଗୋଟିଏ ପାହାଡ଼, ପାହାଡ଼ କଡ଼ ସାରା ଛାଡ଼ି ଛାଡ଼ି ହୋଇ କାଁ ଭାଁ କେତୋଟି ପାଇନ୍ ଗଛ । ବାଟେ ବାଟେ ସଳଖରେ ପଚାଶଗଜରୁ ବେଶି ଧାଇଁଯିବାପରେ ଜାଗାଏ ଘୂରଡ଼ଟିଏ ଛିଙ୍କିବା ପରି ଆତଙ୍କଧ୍ୱନି କରି ଉଠିଲା । ଝରଣା ଆରପାଖ ଘାସଭରା ପାହାଡ଼ ଛଡ଼ା ଘୁରଡ଼ ଆଉ କେଉଁଠାରେ ରହି ନ ପାରେ । ଶବ୍ଦଟିକୁ ଠାବ କରିବା ପାଇଁ ଟିକିଏ ଅଟକିଯାଇଛି, ଏତିକିବେଳେ ଦୂରରୁ ପାଟିତୁଣ୍ଡ ଶୁଣି ବୁଲିପଡ଼ି ଦେଖିଲି ଯେ ସେ ଭିତରେ ଗାଁ ଲୋକେ ଆସି ଘାଟି ଉପରେ ଜମିଗଲେଣି । ମୋତେ ସେଆଡ଼େ ଅନାଇବା ଦେଖି ସେମାନେ ପାଟିକରି ଉଠି ଚଲାବାଟରେ ହିଁ ଆଗେଇବାକୁ ହାତଠାରି ସଙ୍କେତ ଦେଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ବାଟେ ବାଟେ କିଛିଦୂର ଆଗେଇଯାଇ ମୋଡ଼ ବୁଲିବା ମାତ୍ରେ ବାଟ ଉପରେ ଧାରେ ତାଜା ରକ୍ତ ପଡ଼ିଥିବା ଦେଖିଲି ।

 

ଆହତ ଜନ୍ତୁଟିଏ ଧାଇଁଲାବେଳେ ତା’ ଦେହରୁ ରକ୍ତ ନିଶ୍ଚୟ ଝରିବ ବୋଲି କିଛି କଥା ନାହିଁ । ଜନ୍ତୁଙ୍କ ଦେହର ଅଧିକାଂଶ ସ୍ଥାନରେ ଚମ ଅତି ହୁଗୁଳାରେ ରହିଥାଏ । ଛିଡ଼ା ହୋଇଥିବା ଅବସ୍ଥାରେ ଜନ୍ତୁଟି ଗୁଳି ଖାଇଥିଲେ ଧାଇଁବାବେଳେ ଚମ ଆଗକୁ ଟାଣିହୋଇ ମାଂସର କ୍ଷତଟିକୁ ବୁଜିଦେବା ଫଳରେ ରକ୍ତସ୍ରାବ ବନ୍ଦ ହୋଇଯାଏ । ଦୌଡ଼ର ବେଗ କମିବା ସଙ୍ଗେ ଚମ ଓ ମାଂସର କ୍ଷତ ଦୁଇଟି ପାଖେଇ ଆସେ ବା ମିଶିଯାଏ । ଫଳରେ ରକ୍ତସ୍ରାବ ବଢ଼େ ଓ ଗତିବେଗ କମିବା ଅନୁପାତରେ ତାହା ଆହୁରି ଖରଗତିରେ ବଢ଼ିଚାଲେ । ତେଣୁ ରକ୍ତ ଅପେକ୍ଷା ଘଟଣାସ୍ଥଳରେ ରୁମ ଝଡ଼ି ପଡ଼ିଥିବା ଜନ୍ତୁ ଆହତ ହେବା ସପକ୍ଷରେ ଅଧିକ ନିର୍ଭରଯୋଗ୍ୟ ପ୍ରମାଣ ଦିଏ । ରୁମ ଝଡ଼ି ନ ଥିଲେ କିନ୍ତୁ ଆହତ ହୋଇନାହିଁ ବୋଲି ସିଦ୍ଧାନ୍ତ ଗ୍ରହଣ କରିବା ଅଧିକାଂଶ ସମୟରେ ଠିକ୍ ହେବା ମୁଁ ଲକ୍ଷ୍ୟ କରିଛି ।

 

ବାଘୁଣୀ ମୋଡ଼ପାଖରୁ ଟିକିଏ ଧିମେଇ ଯାଇଥିଲେ ମଧ୍ୟ କେଉଁଠି ନ ଅଟକି ପୂର୍ବପରି ଧାଇଁବାରେ ଲାଗିଥାଏ । ବାଟସାରା ଏଣିକି ମଳା ମଳା ରକ୍ତ ପଡ଼ିଥିବା ଦେଖି ମୁଁ ଆହୁରି ବେଗରେ ଦୌଡ଼ିବାକୁ ଲାଗିଲି । ଆଗରେ ପାହାଡ଼ କଡ଼ରୁ ମୁଣ୍ଡିଆଟିଏ ବାଟ ଉପରକୁ ମାଡ଼ି ଆସିଥିଲା । ବାଟ ସେଠାରେ ଅତି ସୂକ୍ଷ୍ମକୋଣରେ ମୋଡ଼ ବୁଲିଥାଏ । ଗଡ଼ାଣିରେ ଧାଇଁ ଯାଉ ଯାଉ ମୋଡ଼ ଉପରେ ନିଜକୁ ଅଟକାଇ ପାରିଲି ନାହିଁ । ଗତିବେଗ ରୋକିଦେବାକୁ ହାତପାଆନ୍ତାରେ ଧରି ପକାଇବାକୁ କିଛି ନ ଥିଲା । ଫଳରେ ଦଉଡ଼ର ଧମସରେ ପାହାଡ଼ କଡ଼ ନରମ ମାଟି ଧସିଯଇ ମୁଁ ଠିଆ ଠିଆ ତଳକୁ ଖସିଯିବାକୁ ଲାଗିଲି । ଗଡ଼ାଣିରେ ପ୍ରାୟ ଦଶ ପନ୍ଦର ଫୁଟ ତଳେ ରୋଡ଼ୋଡ଼େନ୍‌ଡ଼୍ରନ୍ ଚାରାଟିଏ । ସେଠାରୁ ଠିକ୍ ତଳକୁ ଅତି ଗହୀର ଖାଲ । କୌଣସିମତେ ନିଜକୁ ଅଟକାଇ ନ ପାରିଲେ ଅତଳଗହରରେ ପଡ଼ି ପ୍ରାଣ ଯିବା ନିଶ୍ଚିତ କଥା । ନିଜକୁ ରୋକି ଦେବାର ପ୍ରବଳ ଚେଷ୍ଟାରେ ଜୋତା ଗୋଇଠିରେ ମାଟି ଖୋଳିହୋଇ ପାହାଡ଼ କଡ଼ରେ ସିଆର କାଟି ହୋଇଗଲା । ଶେଷରେ ପ୍ରାଣବିକଳରେ ରୋଡ଼ୋଡ଼େନ୍‌ଡ଼୍ରନ୍ ଚାରାଟିକୁ ଧରି ପକାଇଲି । ଚାରାଟି ନଇଁଯିବା ସତ୍ତ୍ୱେ ଯେ ଭାଙ୍ଗିଲା ବା ଉପୁଡ଼ିଲା ନାହିଁ–ସେଥିପାଇଁ ଭାଗ୍ୟକୁ ଧନ୍ୟବାଦ ଦେଉଛି । ପାହାଡ଼ କଡ଼ସାରା କୃଷ୍ଣକେଶୀ ପର୍ଣ୍ଣୀ ଅତି ଗହଳରେ ମାଡ଼ିଥାଏ । ଫପ୍‌ସା ମାଟିକୁ ଜୋତାରେ ପାହାଚପରି ଖୋଲି ସେଥିରେ ଗୋଡ଼ ହାତ ଜମାଇ ପାହାଡ଼ ଉପରକୁ ପୁଣି ଚଢ଼ି ପାରିଲି ।

 

ବାଘୁଣୀକୁ ଗୋଡ଼ାଇ କରି ଭେଟିବାର ଆଉ ସମ୍ଭାବନା ପ୍ରାୟ ନ ଥିଲା । ତେବେ ବାଟସାରା ରକ୍ତଧାର ସ୍ପଷ୍ଟଭାବେ ପଡ଼ିଥିବାରୁ ତରତର ହେବାର କାରଣ ମଧ୍ୟ ଦେଖିଲି ନାହିଁ । ଚଲାବାଟଟି ଘଞ୍ଚ ଜଙ୍ଗଲପୂର୍ଣ୍ଣ ଏକ ଅତି ତୀଖ ପାହାଡ଼ର କଡ଼େ କଡ଼େ ଆହୁରି ଦୁଇଶହ ଗଜ ଆଗେଇବାପରେ ପଶ୍ଚିମକୁ ଲମ୍ବିଥାଏ । ପାହାଡ଼ କଡ଼ରେ ବ୍ରାକେନ୍ ପର୍ଣ୍ଣୀ ଓ ବୁଦାଳିଆ ଜଙ୍ଗଲଭରା ଚଟକା ଜାଗାଟିଏ ପଡ଼ିଲା । ଗୁଳି ବାଘୁଣୀ ଦେହକୁ ଭେଦକରି ବାହାରିଯିବା ପରେ ମଧ୍ୟ ସେ ଏତେ ବାଟ ଚାଲି ଆସିଲାଣି । ଆଉ ବେଶି ଦୂର ସେ ଯାଇ ପାରି ନ ଥିବ ଭାବି ଗହଳ ଲଟାବୁଦା ଆଡ଼କୁ ଅତି ସନ୍ତର୍ପଣରେ ଆଗେଇଲି ।

 

ପ୍ରତିହିଂସାମୁଖୀ ଆହତ ମହାବଳ ବାଘଠାରୁ ବଳି ଭୟଙ୍କର ଜନ୍ତୁ ସଂସାରରେ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ପୂର୍ବର ଆଘାତ ଉପରେ ବାଘୁଣୀକୁ ପୁଣି ଥରେ ଆହତ କରି ତାର ସଂଗ୍ରାମଶୀଳ ମନୋଭାବକୁ ଆହୁରି ତୀବ୍ର ଓ ଶାଣିତ କରିବାପାଇଁ ମୁଁ ଯଥେଷ୍ଟ କାରଣ ମଧ୍ୟ ଯୋଗାଇ ଦେଇଛି । ପାଞ୍ଚଦିନ ତଳର ଗୁଳିମାଡ଼ ଯୋଗୁ ତା’ର ବଳ ବା ବେଗ ସେ ଲେଶମାତ୍ର କମିନାହଁ–ଛେଳିଛଅଟିଙ୍କୁ କେଇ ସେକେଣ୍ଡ ଭିତରେ ମାରିଦେବା ଓ ଗୁଳି ଖାଇବା ମାତ୍ରେ ପ୍ରବଳ ବେଗରେ ଧାଇଁ ପଳାଇଯିବା ତା’ର ଯଥେଷ୍ଟ ପ୍ରମାଣ ଦେଇଥାଏ । ମୁଁ ତାକୁ ଅନୁସରଣ କରୁଛି ବୋଲି ଜାଣିବା ପରେ ମୋତେ ପାଖେଇବାକୁ ସୁଯୋଗ ଦେଇ ପ୍ରଚଣ୍ଡ ବେଗରେ ଆକ୍ରମଣ ଚଳାଇବାକୁ ସେ ଅପେକ୍ଷା କରିଥିବା ଖୁବ୍ ସମ୍ଭବ । ଗୋଟିଏ ଗୁଳିରେ ସେ ଆକ୍ରମଣକୁ ପ୍ରତିହତ କରି ନ ପାରିଲେ ଏଠାରୁ ପ୍ରାଣ ନେଇ ଫେରିବାର ପ୍ରଶ୍ନ ନାହଁ ।

 

ନିକଟରେ କଲିକତାର ମାନ୍‌ଟନ୍ କମ୍ପାନୀରୁ ନୂଆ ଗୁଳିଗୁଡ଼ିଏ କିଣିଥିଲି । ରାଇଫଲ୍‌ର ବୋଲଟ୍ ଖୋଲି ଗୁଳିଟିକୁ ନୂଆ ବୋଲ ପୁଣି ଥରେ ପରଖି ଦେଖିବା ପରେ ବୋଲ୍‌ଟ୍ ବନ୍ଦ କରି ସେଫ୍‌ଟି କ୍ୟାଚ୍ ଖସାଇଦେଲି । ଆଣ୍ଠୁଏ ଉଞ୍ଚ ବ୍ରାକେନ ଦୁଇପାଖରୁ ମାଡ଼ିଆସି ଚଲାବାଟଟିକୁ ବୁଜିଦେଇଥାଏ । ରକ୍ତଧାର ବ୍ରାକେନ୍ ବଣକୁ ପଡ଼ିଛି ଦେଖି ବାଘୁଣୀ ବାଟ ଉପରେ ବା ଗୋଟିଏ କଡ଼ରେ ଛକି ବସିଛି ବୋଲି ନିଶ୍ଚିତଭାବେ ଜାଣିଗଲି । ଗହଳ ଜଙ୍ଗଲରେ ଆହତ ବାଘକୁ ଅନୁସରଣ କଲାବେଳେ ମୁହଁ ବୁଲାଇ ଦୁଇପାଖକୁ ଅନାଇବା ଆଦୌ ଉଚିତ ନୁହେଁ । ସଳଖରେ ସାମନାକୁ ଅନାଇ ପର୍ଣ୍ଣୀ ଜଙ୍ଗଲର ଧାରଠାରୁ ତିନିଗଜ ପାଖେଇ ଆସିଛି, ହଠାତ୍ ଏତିକିବେଳେ ବାଟ ଡାହାଣ କଡ଼ରେ ଚକଡ଼ାଏ ପତ୍ର ଟିକିଏ ହଲିଗଲା । ସେଆଡ଼େ ଅନାଇ ଦେଇ ଦେଖିଲି, ବାଘୁଣୀ ପର୍ଣ୍ଣୀ ଗହଳରୁ ମୋ ଉପରକୁ କୁଦିବାକୁ ଉଦ୍ୟତ । ଦୀର୍ଘକାଳରୁ ଅନାହାର ଓ ଦୁଇଥର ଗୁଳିମାଡ଼ ସହିବା ସତ୍ତ୍ୱେ ବାଘୁଣୀ ଯେ ପରାଜୟ ସ୍ୱୀକାର ନ କରି ଶେଷ ସଂଗ୍ରାମ ପାଇଁ ପ୍ରସ୍ତୁତ ରହିଛି, ସେଥିପାଇଁ ମନେ ମନେ ତାକୁ ବଧାଇ ଦେଲି; କିନ୍ତୁ ଆକ୍ରମଣ ଚଳାଇବାକୁ ସୁଯୋଗ ଦେଲିନାହିଁ । କୁଦିବାକୁ ସେ ଉଠିବା ମାତ୍ରେ ମୋ ପ୍ରଥମ ଗୁଳିଟି ତା’ ଦେହକୁ ଭେଦ କରିଗଲା । ଆର ଗୁଳିଟି ବେକରେ ବସିଯାଇ ତା’ ମେରୁଦଣ୍ଡ ଭାଙ୍ଗିଦେଲା ।

 

ବହୁ ଦିନର ଉପବାସ ଅକ୍ଳାନ୍ତ ପରିଶ୍ରମ ଫଳରେ ମୁଁ ମଧ୍ୟ ଅତି କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥିଲି । ବାଘୁଣୀ ମରିବାପରେ ଲକ୍ଷ୍ୟକଲି ଯେ ମୋ ଦେହଟା ଗୋଟାପଣେ ଠକ୍ ଠକ୍ ହୋଇ ଥରୁଛି । ଅତି କଷ୍ଟରେ ମୋଡ଼ଯାଏ ଆସି ଚଲାବାଟକୁ ଉଠିଲି । ସେଦିନ ହାତ ପାଖରେ ରୋଡ଼ୋଡ଼େନଡ଼୍ରନ୍ ଚାରାଟିକୁ ପାଇ ନ ଥିଲେ ଅତଳ ଗହ୍ୱରରେ ପଡ଼ି ପ୍ରାଣ ହରାଇଥାଆନ୍ତି । ମୋ ଲୋକ ଆଠଜଣ ସେ ଭିତରେ ଆସି ଘାଟି ଉପରେ ଗ୍ରାମବାସୀଙ୍କ ସହିତ ଯୋଗଦେଇଥିଲେ । ମୁଁ ଟୋପି ହଲାଇ ସଫଳ ହୋଇଥିବାର ସଙ୍କେତ ଦେବାମାତ୍ରେ ସମବେତ ସମସ୍ତେ ଆନନ୍ଦଧ୍ୱନିରେ ଗଗନ ପବନ କମ୍ପାଇ ପାହାଡ଼ରୁ ଗଡ଼ି ପାଖକୁ ଧାଇଁଆସିଲେ । ଭାରୁଆ ଛଅଜଣ ଥାଆନ୍ତି ଆଗରେ; ତାଙ୍କ ପଛରେ ଗାଁଯାକ ଲୋକ । ସମସ୍ତେ ମୋତେ ବେଢ଼ିଯାଇ ଆନନ୍ଦ ଓ ଅଭିନନ୍ଦନ ଜଣାଇବାପରେ ଭାରୁଆମାନେ ବାଘୁଣୀକୁ ଖୁଣ୍ଟିରେ ବାନ୍ଧି ଗାଁକୁ ବୋହିନେଲେ । ତଲ୍ଲାଦେଶ୍ ନରଖାଦକକୁ ବୋହିନେବାରେ ସେମାନେ ଯେପରି ଆନନ୍ଦ ଓ ଆତ୍ମସନ୍ତୋଷ ଅନୁଭବ କରୁଥାଆନ୍ତି, ସମାଗତ ସମସ୍ତଙ୍କର ଉଛୁଳା ଆନନ୍ଦ ଭିତରେ ମଧ୍ୟ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ ।

 

ତଲ୍ଲାକୋଟ୍‌ରେ ପହଞ୍ଚିବା ପରେ ଗଛଛାଇରେ ନଡ଼ା ବିଛାହୋଇ ବାଘୁଣୀକୁ ଶୁଆଇ ଦିଆଗଲା ଏବଂ ଲୋକମାନଙ୍କୁ ଓ ବିଶେଷକରି ସ୍ତ୍ରୀଲୋକ ଓ ଛୋଟ ପିଲାଙ୍କୁ ତାକୁ ପାଖରୁ ଦେଖିବାକୁ ଯଥେଷ୍ଟ ସମୟ ଓ ସୁବିଧା ଦିଆଗଲା । ସେ ଭିତରେ ମୁଁ ଶାନ୍ତିରେ ଗଣ୍ଡିଏ ଖାଇବାକୁ ସୁଯୋଗ ପାଇଲି । ଦୀର୍ଘ କେଇ ସପ୍ତାହ ପରେ ତାହା ହିଁ ହେଲା ମୋର ପ୍ରଥମ ଭୋଜନ ।

 

ଘଣ୍ଟାଏ ପରେ ଛାଲ ଉତୁରା ଆରମ୍ଭ ହେଲା । ଆଖପାଖ ଗାଁଗଣ୍ଡାରୁ ଅସଂଖ୍ୟ ଲୋକ ଜମି ଥାଟପଟାଳି ଭାଙ୍ଗୁଥାଆନ୍ତି । ଅପ୍ରେଲ୍ ସାତ ତାରିଖର ଗୁଳିଟି ବାଘୁଣୀ ଡାହାଣ କାନ୍ଧର ହାଡ଼ ଫଟାଇ ଖଞ୍ଜାସନ୍ଧିରେ ଶକ୍ତଭାବେ ଲାଖି ରହିଥିଲା । ବାଘୁଣୀ ପାହାଡ଼ ଧାରରୁ ଖସିପଡ଼ିଲାବେଳେ ଓ ପରେ ସେ ପାହାଡ଼ ପିଠିରେ ଚାଲୁଥିବା ଅବସ୍ଥାରେ ଯେଉଁ ଦୁଇଟି ଗୁଳି ଚଳାଇଥିଲି, ସେଥିରୁ କୌଣସିଟି ତା’ଠାରେ ବାଜି ନ ଥିଲା । ସେଦିନ ସକାଳର ଗୁଳିଟି ସତକୁ ସତ ବାଘୁଣୀର ଦେହ ଭେଦକରି ଆରପାଖରୁ ବାହାରି ଯାଇଥିଲା । ବ୍ରାକେନ୍‌ ବଣରେ ମରାଯାଇଥିବା ଶେଷ ଗୁଳି ଦୁଇଟିରେ ହିଁ ବାଘୁଣୀ ପ୍ରାଣ ହରାଇଥିଲା ।

 

ଛାଲ ଉତାରିବାବେଳେ ବାଘୁଣୀର ଡାହାଣ ଆଗଗୋଡ଼ ଓ କାନ୍ଧରୁ ସମୁଦାୟ କୋଡ଼ିଏଟି ଝିଙ୍କକାଠି ବାହାରିଲା । ଦୁଇଇଞ୍ଚରୁ ଛଅଇଞ୍ଚ ଲମ୍ବ କାଠିଗୁଡ଼ିକ ଦୀର୍ଘକାଳରୁ ମାଂସପେଶୀ ଭିତରେ ଗଳି ଅତି ଶକ୍ତଭାବେ ଲାଖିରହିଥାଏ । ଝିଙ୍କକାଠିଦ୍ଵାରା ଜଖମ ହେବା ଫଳରେ ବାଘୁଣୀ ନରଖାଦକ ପାଲଟିଥିଲା ବୋଲି ମୋର ବିଶ୍ଵାସ ।

 

ପରଦିନଟି ଚମ ଶୁଖାଇବାରେ ବିତିଗଲା । ତା’ ପରଦିନ ଡେରା ଉଠାଇ ଘରକୁ ବାହୁଡ଼ିଲୁ । ଫେରିବା ବାଟରେ ପୂଣ୍ଣିଗିରି ମନ୍ଦିରରୁ ଆଲୁଅ ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା କଥା ପୂର୍ବରୁ କରିଛି । ଅନବରତ ବାଟ ଚାଲି ତିନିଦିନରେ ଘରେ ପହଞ୍ଚିବାପରେ ମହାଦଶାଟିଏ ପାରିହୋଇ ଫେରିଲା ପରି ଲାଗିଲା ।

 

ଏହାର କିଛିଦିନ ପରେ ଡେପୁଟି କମିଶନର୍ ବେ’ନ୍‌ସ୍‌ ଡୁଙ୍ଗର୍ ସିଂ ଓ ତା’ ଭାଇକୁ ଆଲ୍‌ମୋଡ଼ା ନିମନ୍ତ୍ରଣ କରି ଆଣିଲେ ଓ ସାର୍ବଜନୀନ ଉତ୍ସବଟିଏ କରାଇ ଆନୁଷ୍ଠାନିକଭାବେ ଦୁହିଁଙ୍କୁ ଧନ୍ୟବାଦ ଜଣାଇଲେ । ବ୍ୟକ୍ତିଗତ କୃତଜ୍ଞତାର ନିଦର୍ଶନ ସ୍ଵରୂପ ମୁଁ ପଠାଇଥିବା ଉପହାର ଦୁଇଟି ମଧ୍ୟ ବେ’ନସ୍ ମୋ ତରଫରୁ ଦୁହିଁଙ୍କୁ ଅର୍ପଣ କରିଥିଲେ ।

 

ନୈନିତାଲ ଫେରିବାପରେ ରାଜ୍ୟପାଳ ସାର୍ ମାଲକମ୍ ହେ’ଲିଙ୍କଠାରୁ ପରିଚୟପତ୍ରଟିଏ ନେଇ ଲାହୋରର କର୍ଣ୍ଣରୋଗବିଶେଷଜ୍ଞ କର୍ଣ୍ଣେଲ ଡିକ୍‌ଙ୍କ ସହିତ ଦେଖାକଲି । ଡିକ୍‌ଙ୍କ ଚିକିତ୍ସାରେ ଲାହୋର ଡାକ୍ତରଖାନାରେ ଦୀର୍ଘ ତିନିମାସ ରହିବାପରେ ମୋ ବାଁ କାନର ଶ୍ରବଣଶକ୍ତି ଅନେକାଂଶରେ ଫେରିଆସିଲା । ବନ୍ଧୁମାନଙ୍କ ସହିତ କଥୋପକଥନରେ ଆଉ ଅପଦସ୍ଥ ହେବାକୁ ପଡ଼ିଲା ନାହିଁ । ଗୀତବାଦ୍ୟ ଶୁଣିପାରିବା ଛଡ଼ା ମୋର ଅତି ପ୍ରିୟ, ଅତି ପରିଚିତ ଜଙ୍ଗଲ ପାହାଡ଼ରେ ବୁଲି ପଶୁପକ୍ଷୀଙ୍କ ସ୍ଵରମାଧୁରୀ ପୁଣି ଥରେ ପ୍ରାଣଭରି ଉପଭୋଗ କରିପାରିଲି ।

Image

 

Unknown

ଉପସଂହାର

 

‘ଜଙ୍ଗଲ ତଥ୍ୟ’ ପ୍ରକାଶ ପାଇବା ପୂର୍ବରୁ ତଲ୍ଲାଦେଶ୍ ନରଖାଦକ ବିଷୟ ମୁଁ ଲେଖୁ ନଥିଲି । ତଲ୍ଲାଦେଶ୍ ଅଭିଯାନର ଘଟଣାଗୁଡ଼ିକ ଏପରି ଆଶ୍ଚର୍ଯ୍ୟଜନକ ଯେ ପାଠକଗୋଷ୍ଠୀ ଓ ବିଶେଷ କରି ବାଘଶିକାରୀମାନେ ତାହା ବିଶ୍ଵାସ କରିବେ ନାହିଁ ବୋଲି ମୋର ଭୟ ଥିଲା । ପାଦରେ ଚାଲି ମହାବଳ ବାଘ ମାରିବା ଶିକାରୀ ମହଲରେ ବିଶେଷ ଆଦୃତ ନୁହେଁ, ବିଶେଷ କରି ଆହତ ବାଘକୁ ପାଦରେ ଚାଲି ଅନୁସରଣ କରିବା ଭଳି ମହାବିପଦକୁ ତ ସ୍ଵେଚ୍ଛାରେ କେହି ବରଣ ନ କରିବା କଥା ! ଏପରି ସ୍ଥଳେ ମୁଁ କେବଳ ଦିନରେ ନୁହେଁ, ରାତିରେ ମଧ୍ୟ ଚାଲି ଚାଲି ଆହତ ନରଖାଦକକୁ ଅନୁସରଣ କରୁଥିଲି ବୋଲି ପାଠକଙ୍କର ଯଦି ପ୍ରତ୍ୟୟ ନ ହୁଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ।

 

ତଲ୍ଲାଦେଶ୍ ନରଖାଦକ ବିଷୟରେ ଯାହା ସବୁ ପଢ଼ିଲେ, ତାହାର ସତ୍ୟାସତ୍ୟ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଗୋଟିଏ ଅନୁରୋଧ ରକ୍ଷା କରନ୍ତୁ । କର୍ମମୟ ଜୀବନରୁ ଅବ୍ୟାହତି ନେଇ ପ୍ରାକୃତିକ ପରିବେଶରେ କେଇ ସପ୍ତାହ ଛୁଟି କଟାଇବାକୁ ଯଦି ସୁଯୋଗ ପାଆନ୍ତି, ତେବେ ଉତ୍ତର ପ୍ରଦେଶର ଆଲ୍‌ମୋଡ଼ା ଜିଲ୍ଲାର ପୂବାଂଞ୍ଚଳରେ ଥରେ ବୁଲିଆସିବାକୁ ମୋର ବିଶେଷ ଅନୁରୋଧ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁମାୟୂଁ ଅଞ୍ଚଳ ଭିତରେ ସେଭଳି ସୁନ୍ଦର ସ୍ଥାନ ଆପଣ କେଉଁଠାରେ ପାଇବେ ନାହିଁ । ଆଜିକାଲି ଭାରତର ସବୁଆଡ଼ୁ ଅନେକ ଲୋକ ସେଠାକୁ ଅବସର ବିନୋଦନ ପାଇଁ ଆସୁଛନ୍ତି; ହିମାଳୟ ତଳ ପାର୍ବତୀୟ ଅଞ୍ଚଳଗୁଡ଼ିକୁ ପାଦରେ ଚାଲି ପର୍ଯ୍ୟଟନ କରିବା କ୍ରମେ ଅଧିକ ଲୋକପ୍ରିୟ ହେବାକୁ ଲାଗିଛି । ଜଙ୍ଗଲ ପାହାଡ଼ଭରା ଏହି ଜନବିରଳ ଅଞ୍ଚଳ ସହିତ ମୋର ଦୀର୍ଘକାଳର ପରିଚୟ । ତେଣୁ ଶିକାରୀ, ଛାତ୍ର ବା ସୈନ୍ୟବାହିନୀର ଲୋକଙ୍କୁ ସୁବିଧା ହେବାଭଳି ଏକ ଯାତ୍ରାକ୍ରମ ମୁଁ ତଳେ ସୂଚାଇ ଦେଉଛି ।

 

ଟନକ୍‌ପୁରଠାରୁ ଯାତ୍ରା ଆରମ୍ଭ କରିବେ । ଟନକ୍‌ପୁର ସହର ଉପକଣ୍ଠରେ ଗୋଟିଏ ବଣୁଆ ଦନ୍ତାହାତୀ ଥରେ ଦୁଇଟି ମହାବଳ ବାଘଙ୍କ ସହିତ ରାତିତମାମ ତୁମୁଳ ଲଢ଼େଇ କରିଥିଲା (୧) । ଟନକ୍‌ପୁର ପେସ୍କାରଙ୍କୁ କହିଲେ ସେ ତହସିଲ୍ ଅଫିସରୁ ପିଅନ ଜଣେ ପଠାଇ ସେ ଜାଗାଟି ଆପଣଙ୍କୁ ଦେଖାଇଦେବେ । ଟନକପୁରରୁ ବ୍ରହ୍ମଦେବ ବାଟେ ପୂର୍ଣ୍ଣଗିରି ମନ୍ଦିରକୁ ଯାଇ ସେଠାରେ ଦେବୀଦର୍ଶନ ଓ ଭୋଗରାଗ କରିବେ । ଶାରଦା ନଦୀକୂଳ ପାହାଡ଼ କଡ଼ରେ ପ୍ରତିବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଯେଉଁ ଆଲୁଅଗୁଡ଼ିକ ଦେଖାଯାଏ ଓ ପିଣ୍ଡାରି ତୁଷାର ପ୍ରବାହର ପାଦଦେଶରେ ବୁଢ଼ା ଜଣେ ନିଆଁପାଖରେ ବସି ମାଳା ଜପିବାର ଦେଖିବାକୁ ମିଳେ– ସେସବୁ ବିଷୟ ମନ୍ଦିରର ପ୍ରଧାନ ପୂଜକ ଓ ସେବାୟତମାନଙ୍କୁ ପଚାରି ବୁଝିବେ ନିଶ୍ଚୟ । ମନ୍ଦିର ପାଖରୁ ପୂଜକମାନେ ବ୍ୟବହାର କରୁଥିବା ସରୁ ଚଲାବାଟଟିରେ ଥାକ୍ ଗଲେ ବେଶି ବୁଲାଣି ପଡ଼ିବ ନାହିଁ । ଉଚ୍ଚ ପର୍ବତ ଉପରେ ଥାକ୍‌ର ଅବସ୍ଥିତି; ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ସ୍ଥାନଟି ବାସ୍ତବିକ୍ ଅତି ଦର୍ଶନୀୟ । ଥାକ୍‌ରେ ଅବସ୍ଥାନ ଓ ବିଶ୍ରାମ କରିବା ଭିତରେ ସେଠାକାର ଦିଗନ୍ତବ୍ୟାପୀ ଦୃଶ୍ୟସମ୍ଭାର ପ୍ରତି ଦୃଷ୍ଟିଦେବାକୁ ଭୁଲିବେ ନାହିଁ ।

 

ସେ ଭିତରେ ଗାଁ–ମୁଖିଆ ଆପଣଙ୍କ ଆସିବା ଖବର ପାଇ ଗ୍ରାମବାସୀଙ୍କ ସହିତ ଆସି ପହଞ୍ଚିଯିବେଣି । କଥା ପ୍ରସଙ୍ଗରେ ଥାକ୍‌ ଓ ଚୂକା ନରଖାଦକଙ୍କ ବିଷୟ ଥରଟିଏ ଉଲ୍ଲେଖ କରିଦେଲେ, ସେସବୁ ବିଷୟ ସେମାନେ ବିସ୍ତୃତଭାବେ ବୟାନ କରି ଆପଣଙ୍କୁ ଶୁଣାଇବେ । ସମବେତ ଗ୍ରାମବାସୀଙ୍କ ମଧ୍ୟରେ ତେଓ୍ୱାରୀ ନାମକ ମୁଖିଆଙ୍କର ଜଣେ ଆତ୍ମୀୟ ଉପସ୍ଥିତ ଥାଇପାରନ୍ତି । ଥାକ୍ ନରଖାଦକ ତାଙ୍କ ଭାଇକୁ ଯେଉଁଠି ମାରିଥିଲା ଓ ଆମ ସହିତ ମିଶି ଅନେକ ଖୋଜ ତଲାସ କଲା ପରେ ଶବ ଯେଉଁଠାରେ ଓ ଯେଉଁ ଅବସ୍ଥାରେ ମିଳିଥିଲା (୨), ତାହାର ବିସ୍ତୃତ ବିବରଣୀ ଦେଇ ସ୍ଥାନଗୁଡ଼ିକୁ ଆପଣଙ୍କୁ ଦେଖାଇଦେବାକୁ ତେଓ୍ୱାରୀ କଦାପି ପଛାଇବେ ନାହଁ । ଥାକ୍‌ର ସୀମା ବାହାରେ ଗୋଟିଏ ପ୍ରକାଣ୍ଡ ଆମ୍ବଗଛ । ଗଛମୂଳେ ଚକଡ଼ାଏ ସନ୍ତସନ୍ତିଆ ଜାଗାରେ ଯେଉଁଠି ଥାକ୍ ନରଖାଦକର ପାହୁଲଦାଗ ପ୍ରଥମେ ଦେଖିବାକୁ ପାଇଥିଲି ଓ ପରେ ନରଖାଦକକୁ ଯେଉଁ ପଥର ପାଖକୁ ଡାକିଆଣି ମାରିଥିଲି–ସେସବୁ ଜାଗା ମଧ୍ୟ ଚିହ୍ନାଇଦେବାକୁ ତେଓ୍ୱାରୀଙ୍କୁ ଅନୁରୋଧ କରିବେ । ସେଠାରୁ ଅଳ୍ପ ଦୂରରେ ଥିବା ବଣୁଆ ଡିମିରିଗଛଟିରେ ବସି ଚୂକା ନରଖାଦକକୁ ମାରିଥିଲି । ସେ ଗଛଟି ମଧ୍ୟ ତେଓ୍ୱାରୀ ଆପଣଙ୍କୁ ଦେଖାଇଦେବେ । ଥାକ୍‌ରୁ ଚୂକା ଯିବାକୁ ଯଦି ସମୟ ମିଳେ, ସେଠାରେ କୁଅଁର୍ ସିଂଙ୍କୁ ଭେଟି ନରଖାଦକ ଦୁଇଟିଙ୍କ ମରଣ ବୃତ୍ତାନ୍ତ ତାଙ୍କ ମୁହଁରୁ ବି ଥରେ ଶୁଣିନେବେ ।

 

(୧) ଘଟଣାଟି ‘ଜଙ୍ଗଲତଥ୍ୟ’ ବହିରେ ବର୍ଣ୍ଣନା କରଯାଇଛି ।

 

(୨) ‘କୁମାୟଁର ନରଖାଦକ’ ବହିଟି ଦ୍ରଷ୍ଟବ୍ୟ । –ଅନୁବାଦକ

 

ଚୂକାରୁ ତଲ୍ଲାକୋଟ୍‌କୁ ଢେର୍‌ଗୁଡ଼ିଏ ବାଟ । ବଡ଼ିଭୋରରୁ ବାହାରି ପଡ଼ିବେ– ଡେରିକଲେ ବାଟକୁ ବେଳ ପାଇବ ନାହିଁ । ଲଧ୍ୟା ଓ ଶାରଦା ନଦୀର ସଙ୍ଗମ ପାଖରେ ଲଧ୍ୟା ପାରିହୋଇ ସେମ୍‌ରେ ପହଞ୍ଚିବେ । ସେମ୍‌ର ମୁଖିଆଙ୍କ ସହିତ ମୋର ପିଲାଦିନରୁ ପରିଚୟ । ମୁଖିଆଙ୍କ ମା’ ଘର ଦୁଆରମୁହଁରେ ଘାସ କାଟୁ କାଟୁ ଥାକ୍ ନରଖାଦକ ତାଙ୍କୁ କିପରି ବୋହି ନେଇଥିଲା, ଆପଣ ଚାହିଁଲେ ସେ ଦୁଃଖ କାହାଣୀ ମୁଖିଆଙ୍କ ମୁହଁରୁ ବି ଶୁଣି ପାରିବେ । ସେମ୍‌ରୁ ବାହାରି ତୀଖ ପାହାଡ଼ ଉପରେ କିଛିଦୂର ଯିବାପରେ ବାଟ କଡ଼ରେ ଛୋଟ ଗାଁଟିଏ ପଡ଼ିବ । ତଲ୍ଲାକୋଟ୍ ଯିବା ବାଟରେ ସେଇ ଗାଁରେ ମୁଁ ରହିଥିଲି ଓ ରାତିରେ ଗାଁମୁଣ୍ଡ ଆମ୍ବଗଛ ମୂଳରେ ଖଟ ପକାଇ ଶୋଇଥିଲି । ସେଠାରୁ ଆଗକୁ ଥିବା ଉଚ୍ଚ ପର୍ବତ ଧାଡ଼ିକ ପାରହୋଇ ଜଙ୍ଗଲ ସଡ଼କରେ ପହଞ୍ଚିବେ । ସଡ଼କରେ ମୋଡ଼ ବୁଲିବାକୁ କିଛି ବାଟ ଯିବାପରେ ବାଟକଡ଼ରେ ଝରଣାଟିଏ ଦେଖିବେ । ଝରଣା ଆରକୂଳରେ ଚକଡ଼ାଏ ଖାଲୁଆ ଜାଗା ଓ ତା’ପରେ ଗାଁଟିଏ । ସେଇ ଗାଁଟି ତଲ୍ଲାକୋଟ୍ । ତଲ୍ଲାଦେଶ୍‌ରେ ରହଣି ସମୟତକ ସେଇ ଝରଣା କୂଳରେ ଆମେ ତମ୍ବୁ ପକାଇଥିଲୁ ।

 

ତଲ୍ଲାକୋଟ୍‌ର ମାଲ୍‌ଗୁଜାର୍ ଡୁଙ୍ଗର୍ ସିଂର ବୟସ ଏବେ ଚାଳିଶ ଛୁଇଁବଣି । ମୋ ତରଫରୁ ତାଙ୍କୁ ଅଭିବାଦନ ଜଣାଇ ଆପଣଙ୍କୁ ଗାଁ ପାଖ ପାହାଡ଼ ଘାଟି ଉପରକୁ ଥରେ ନେଇଯିବାକୁ ଅନୁରୋଧ କରିବେ । ଘାଟି ଦୁଇପାଖ ବିସ୍ତୀର୍ଣ୍ଣ ଦୁଇଟି ଉପତ୍ୟକାର ସୁନ୍ଦର ଦୃଶ୍ୟ ମନ ପୂରାଇ ଦେଖିଲାପରେ ଉତ୍ତର ପାଖ ଉପତ୍ୟକା ପ୍ରତି ଦୃଷ୍ଟି ଦେବେ । ତାହାରି ଉପରମୁଣ୍ଡରେ ଗୋଟିଏ ଝାଟିବୁଦାମୂଳେ ତଲ୍ଲାଦେଶ୍ ନରଖାଦକ ଡୁଙ୍ଗର୍ ସିଂର ମା’କୁ ମାରିଥିଲା ଓ ଶବକୁ ସେଠାରୁ ବୋହିନେଇ ଅଳ୍ପ ଦୂରରେ ଦେଖାଯାଉଥିବା ଓକ୍‍ ଗଛ ମୂଳରେ ରଖି ଖାଇଥିଲା । ଶବ ଖାଇବାରେ ବାଘୁଣୀର ଶାବକ ଦୁଇଟି ଯୋଗଦେଇଥିଲେ । ଶାବକ ଦୁଇଟିଙ୍କୁ ଗଛପାଖ ପଡ଼ିଆ ବିଲରେ ମୁଁ ମାରିଥିଲି । ବାଘୁଣୀ ମଧ୍ୟ ସେଇ ବିଲରେ ଗୁଳି ଖାଇଥିଲା ଓ ପରେ ବିଲ ଆରପାଖ ପାହାଡ଼ରେ ଚଢ଼ି ପଳାଇଯାଇଥିଲା । ଡୁଙ୍ଗର୍ ସିଂ ଏଥିରୁ ପ୍ରତ୍ୟେକଟି ସ୍ଥାନ ସହଜ ନିବିଡ଼ଭାବେ ପରିଚିତ । ସେସବୁ ସ୍ଥାନ ସେ ଅତି ସହଜରେ ଆପଣଙ୍କୁ ଚିହ୍ନାଇଦେବ । ସେଠାରୁ କେଇ ପାହୁଣ୍ଡ ଆଗକୁ ଯାଇ ଘାଟି ପଶ୍ଚିମ ପାଖ ଉପତ୍ୟକାଟିକୁ ବି ଦେଖିବେ । ବାଘୁଣୀ ଯେଉଁ ଖାଲରେ ପଶି ଛେଳି ଛଅଟି ମାରିଦେଇଥିଲା, ଛେଳିଗୁଡ଼ିକୁ ଖାଇବାକୁ ଆସି ବନ୍ଧ ଉପରେ ସେ ଯେଉଁଠି ଛିଡ଼ା ହୋଇଗଲା ଓ ଶେଷରେ ଗୁଳି ବସିଯିବା ପରେ ଯେଉଁ ବାଟରେ ସେ ଛୁଟି ପଳାଇଥିଲା–ସେସବୁ ଜାଗାଗୁଡ଼ିକୁ ମଧ୍ୟ ଡୁଙ୍ଗର୍ ସିଂ ଆପଣଙ୍କୁ ଦେଖାଇଦେବ ।

 

ତଲ୍ଲାଦେଶ୍ ନରଖାଦକ ବିରୁଦ୍ଧରେ ମୋର ଅଭିଯାନର ପ୍ରତ୍ୟେକ ପର୍ଯ୍ୟାୟ ଓ ପ୍ରତିଟି ଘଟଣା କେବଳ ଡୁଙ୍ଗର୍ ସିଂ ନୁହେଁ, ତା ଗାଁର ପ୍ରାୟ ସବୁ ଲୋକ ସମବେତ ଭାବେ ସ୍ଵଚକ୍ଷୁରେ ଦେଖିଥିଲେ । ବାଘ ଶିକାରର ପ୍ରତି ପଦକ୍ଷେପରେ ଏତେ ଜଣ ପ୍ରତ୍ୟକ୍ଷଦର୍ଶୀ ସାଧାରଣତଃ ମିଳନ୍ତି ନାହିଁ । ଦର୍ଶକମାନଙ୍କ ଭିତରୁ କେତେ ଲୋକ ମରିହଜି ଯିବେଣି; କିନ୍ତୁ ଯେଉଁମାନେ ଆଜି ପର୍ଯ୍ୟନ୍ତ ବଞ୍ଚିଥିବେ, ମୋର ତଲ୍ଲାଦେଶ୍ ଅଭିଯାନ ସହିତ ସଂଶ୍ଳିଷ୍ଟ ଅତି ଅଲୌକିକ ଘଟଣାଗୁଡ଼ିକୁ ସେମାନେ କଦାପି ଭୁଲି ନ ଥିବେ ବୋଲି ମୋର ବିଶ୍ଵାସ ।

 

ଅନୁବାଦକଙ୍କ ପରିଚୟ

 

ଡକ୍ଟର ପ୍ରଫୁଲ୍ଲ କୁମାର କରଙ୍କ ଜନ୍ମ ୧୯୩୦ ମସିହା ଜାନୁୟାରୀ ୧୫ ତାରିଖରେ । ତାଙ୍କର ପିତା ପି. ଏମ୍. ଏକାଡ଼େମୀର ଭୂତପୂର୍ବ ବିଶିଷ୍ଟ ଶିକ୍ଷକ ଶ୍ରୀ ରଘୁନାଥ କର ଓ ମାତା ସ୍ଵର୍ଗତା ଶ୍ରୀମତୀ ମନୋରମା ଦେବୀ ।

 

ଡକ୍ଟର କରଙ୍କ ସ୍କୁଲ ଶିକ୍ଷା କଟକରେ ପ୍ରଥମେ St. Joseph’s Convent ଓ ପରେ Stewart Higher European Schoolରେ ସଂପାଦିତ ହୋଇଥିଲା । ୧୯୪୫ ମସିହାରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଓ ପ୍ରାନ୍ତୀୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସେ ରେଭେନ୍‌ସା କଲେଜରେ ପ୍ରବେଶ କଲେ । ୧୯୪୭ ମସିହାରେ ସେଠାରୁ Intermediate in Science ପରୀକ୍ଷାରେ କୃତିତ୍ଵ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟରେ ଛାତ୍ରଭାବେ ଯୋଗଦେଲେ । ଚିକିତ୍ସା ଶିକ୍ଷା ଭିତରେ ଅନର୍ସ ପାଇବା ଛଡ଼ା ୧୯୫୨ ମସିହାର Final M.B.B.S. ପରୀକ୍ଷାରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ନୂତନ ରେକର୍ଡ଼ ସୃଷ୍ଟି କରିଥିଲେ ଏବଂ ସର୍ବୋତ୍କୃଷ୍ଟ ସ୍ନାତକଭାବେ ଯୋଗେଶଚନ୍ଦ୍ର ବୋଷ ସ୍ଵର୍ଣ୍ଣପଦକ ଲାଭ କରିଥିଲେ । ଛାତ୍ର ଜୀବନରେ ବକ୍ତା ଓ ଲେଖକଭାବେ ସେ ବହୁବାର ପୁରସ୍କୃତ ହୋଇଥିଲେ ।

 

Indian Council of Medical Research ର ଫେଲୋ ରୂପେ ମନୋନୀତ ହୋଇ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟରୁ ୧୯୫୬ ମସିହାରେ ଭେଷଜ–ବିଜ୍ଞାନରେ କୃତିତ୍ଵ ସହ ଡକ୍ଟରେଟ୍‌ ଉପାଧି ଲାଭ କରିବା ପରେ Technical Co-operation Missionର ଆନୁକୂଲ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଖ୍ୟାତ ପେନ୍‌ସିଲ୍‌ଭେନିୟା ବିଶ୍ଵବିଦ୍ୟାଳୟରେ ଗବେଷଣା ଓ ଶିକ୍ଷକତା କରିବା ଛଡ଼ା ସେଠାରେ ଜୈବକ ଗଣିତରେ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଥିଲେ ।

 

୧୯୫୨ ମସିହାରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟର ଭେଷଜତତ୍ତ୍ଵ ବିଭାଗରେ ତାଙ୍କର ଶିକ୍ଷକତା ଆରମ୍ଭ । ସେଠାରେ ରିଡ଼ର୍ ପଦକୁ ଉନ୍ନୀତ ହେବାପରେ ୧୯୬୪ ମସିହାରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଚିକିତ୍ସା ମହାବିଦ୍ୟାଳୟ, ବ୍ରହ୍ମପୁରରେ ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟଭାବେ ଯୋଗଦାନ କରିଥିଲେ । ୧୯୭୨ ମସିହାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟର ଭେଷଜତତ୍ତ୍ଵ ବିଭାଗର ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଏବଂ ୧୯୭୬ ମସିହାରେ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ମହାବିଦ୍ୟାଳୟରେ ଏହି ଦାୟିତ୍ଵ ତୁଲାଇବା ସଙ୍ଗେ ସେ ଅଧ୍ୟକ୍ଷ ପଦରେ ମଧ୍ୟ ଯୋଗଦେଲେ । ବର୍ତ୍ତମାନ ୧୯୮୦ ମସିହାରେ ସେ ପୁନର୍ବାର ବ୍ରହ୍ମପୁର ଚିକିତ୍ସା ମହାବିଦ୍ୟାଳୟରେ ଯୋଗଦାନ କରିଛନ୍ତି ।

 

ବୈଷୟିକ ଶିକ୍ଷାବିଦ୍ ରୂପେ ଡକ୍ଟର କର ଜାତୀୟ ସ୍ତରରେ ସ୍ଵୀକୃତି ଲାଭ କରିଛନ୍ତି । ସେ Indian Council of Medical Researchର Governing Bodyର ସଭ୍ୟ ଏବଂ Association of Indian Universitiesର ନିର୍ବାଚିତ ପ୍ରତିନିଧି । International Union of Pharmacologyର National Committeeର ସଭ୍ୟଭାବେ ସେ Indian National Science Academy ଦ୍ଵାରା ମନୋନୀତ ହୋଇଛନ୍ତି ଏବଂ Medical Council of Indiaର ସଭ୍ୟ ଅଛନ୍ତି । ଏହାଛଡ଼ା ବିଭିନ୍ନ ସମୟରେ ସେ Indian Pharmacological Societyର ଉପସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ କମିଟିର ସଭ୍ୟ ଓ ଆବାହକ ଏବଂ ବୈଜ୍ଞାନିକ ଅଧିବେଶନର ସଭାପତି, Indian Journal of Physiology and Pharmacologyର ସମ୍ପାଦକ ମଣ୍ଡଳୀର ସହାୟକ, Indian Journal of Pharmacologyର ସମ୍ପାଦକ ମଣ୍ଡଳୀର ସଭ୍ୟ, Indian Association of the Advancement of Medical Educationର ଆଜୀବନ ସଭ୍ୟ, ଓଡ଼ିଶା ଶାଖାର କୋଷାଧ୍ୟକ୍ଷ ଓ ସ୍ଥାନୀୟ ପ୍ରତିନିଧି; Indian Medical Associationର Central Councilର ସଭ୍ୟ, Teaching Institute of Basic Medical Sciencesର ସଭ୍ୟ, Pharmacy Council of Indiaର ସଭ୍ୟ, ବାରାଣସୀ ହିନ୍ଦୁ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ନିର୍ବାଚନରେ ବିଶେଷଜ୍ଞ ତଥା ଦିଲ୍ଲୀ, ଲକ୍ଷ୍ନୌ, ଆଗ୍ରା, ରାଜସ୍ଥାନ, ଆଲାହାବାଦ, ବାରାଣସୀ, ପାଟନା, ରାଞ୍ଚି, ଗୌହାଟି, ଦିବ୍ରୁଗଡ଼, କଲିକତା, ବିହାର ଓ ସମାନିଆ ଓ ରବିଶଙ୍କର ବିଶ୍ଵବିଦ୍ୟାଳୟମାନଙ୍କର ସ୍ନାତକ ତଥା ସ୍ନାତକୋତ୍ତର ଭେଷଜ ବିଜ୍ଞାନ ପରୀକ୍ଷାରେ ପରୀକ୍ଷକ ହୋଇଛନ୍ତି ।

 

ରାଜ୍ୟସ୍ତରରେ ବିଭନ୍ନ ସମୟରେ ଡକ୍ଟର କର Hospital Improvement Committee, State Drugs Advisory Committee ଏବଂ Orissa Council of Medical Registrationର ସଭ୍ୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିନେଟ୍ ଓ ସିଣ୍ଡିକେଟ୍‌ରେ ନିର୍ବାଚିତ ସଭ୍ୟ, ସମ୍ବଲପୁର ବିଶ୍ଵବିଦ୍ୟାଳର ସିଣ୍ଡିକେଟ୍‌ର ସଭ୍ୟ ତଥା Faculty of Medicineର Dean, ରାଜ୍ୟର ପ୍ରତ୍ୟେକ ଚିକିତ୍ସା ମହାବିଦ୍ୟାଳୟର Governing Bodyର ସଭ୍ୟ ଏବଂ ରାଜ୍ୟର ପ୍ରତ୍ୟେକ ବିଶ୍ଵବିଦ୍ୟାଳୟର ସ୍ନାତକ ତଥା ସ୍ନାତକୋତ୍ତର ଭେଷଜ ବିଜ୍ଞାନ ପରୀକ୍ଷାରେ ପରୀକ୍ଷକ ହୋଇଛନ୍ତି । ଏତଦ୍‌ବ୍ୟତୀତ World Wild Life Fund ର ଭାରତୀୟ ଶାଖାର ସେ ଜଣେ ସକ୍ରିୟ ସଭ୍ୟ ।

 

କର୍ମମୁଖର ଜୀବନରେ ସାମାନ୍ୟ ଯାହା ଅବସର ମିଳେ, ତାକୁ ସେ ନିୟୋଗ କରନ୍ତି ପଢ଼ିବା ଲେଖିବାରେ । ଭେଷଜ ବିଜ୍ଞାନ ବିଷୟରେ ଗବେଷଣା ମୂଳକ ପ୍ରବନ୍ଧ ବ୍ୟତୀତ ଭେଷଜତତ୍ତ୍ଵ ପୁସ୍ତକ ମାନଙ୍କରେ ତାଙ୍କର ଅବଦାନ ରହିଛି । ତାଙ୍କ ଓଡ଼ିଆ ଲେଖା ଭିତରୁ ‘ଶ୍ୟାମସୁନ୍ଦରର ସ୍ଵପ୍ନ’, ‘ନେମେସିସ୍’, ‘ଅବମାନନା’ ଆଦି ଗଳ୍ପ ‘ଝଙ୍କାର’ରେ ପ୍ରକାଶିତ ଓ ପ୍ରଶଂସିତ ହୋଇଛି । ତାଙ୍କର ଅନୁଦିତ ନାଟକ ‘ଅନାମିକା ତାରା’, ‘ଯାତ୍ରାର ଶେଷ’ ଓ ‘ଚବିଶ ଘଣ୍ଟାର ଡାଏରୀ’ ବ୍ରହ୍ମପୁର ଓ ବୁର୍ଲା ଚିକିତ୍ସା ମହାବିଦ୍ୟାଳୟରେ ଅଭିନୀତ ହୋଇଛି । ଅନୁଦିତ ପୁସ୍ତକ ଭିତରୁ ଜିମ୍ କରବେଟ୍‌ଙ୍କର ‘ମୋର ଭାରତ’, କୁମାୟୂଁ’ର ନରଖାଦକ’, ‘ରୁଦ୍ରପ୍ରୟାଗ ନରଖାଦକ’, ‘ମନ୍ଦିରର ବାଘ’ ଓ ‘ଜଙ୍ଗଲ ତଥ୍ୟ’ ପ୍ରକାଶ ପାଇ ସାରିଛି । ‘ଟ୍ରି ଟପ୍‌ସ୍‌’ର ପ୍ରକାଶ ସହିତ କର୍‌ବେଟ୍‌ଙ୍କ ଲେଖା ସମସ୍ତ ପୁସ୍ତକର ଓଡ଼ିଆ ଅନୁବାଦ ଡକ୍ଟର କରଙ୍କ ଦ୍ଵାରା ସମାପିତ ହେଲା ।

 

ଡକ୍ଟର କର ଓଡ଼ିଶାର ଲବ୍‌ଧପ୍ରତିଷ୍ଠ ସାହିତ୍ୟିକ ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା ଓ ଶ୍ରୀମତୀ ଶରତ କୁମାରୀ ଦେବୀଙ୍କ ଜାମାତା । ତାଙ୍କର ପତ୍ନୀ ଡକ୍ଟର ସୁଧାରାଣୀ କର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଚିକିତ୍ସା ମହାବିଦ୍ୟାଳୟର ଜୀବାଣୁତତ୍ତ୍ଵ ବିଭାଗର ସହକାରୀ ଅଧ୍ୟାପିକା । ତାଙ୍କର ଦୁଇଟି ସନ୍ତାନ ଗୀତା ଓ ସୁବ୍ରତ ଯଥାକ୍ରମେ ରେଭେନ୍‌ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଲାଭ କରୁଛନ୍ତି ।

Image